ସୁଭାଷ ଚନ୍ଦ୍ର ପଟ୍ଟନାୟକ

କରୋନା ମହାମାରୀରେ ବନ୍ଦ ଥିବା ବିଦ୍ୟାଳୟଗୁଡ଼ିକରେ “ଅନ୍ଲାଇନ” ଶିକ୍ଷା ଯେଉଁ ପ୍ରହସନ ସୃଷ୍ଟି କରୁଛି ତାହା ଲୋପ ହେବା ଉଚିତ ଓ ସେଥିପାଇଁ ଚଳିତ ଶିକ୍ଷାବର୍ଷକୁ ବାତିଲ କରିବା ଆବଶ୍ୟକ ବୋଲି ଭାଷା ଆନ୍ଦୋଳନର ଭିଡ଼ିଓ ସମାବେଶ ଯେଉଁ ପରାମର୍ଶ ଦେଇଛି ତାହାକୁ ରାଜ୍ୟ ସରକାର ଗମ୍ଭୀର ଭାବେ ବିଚାରକୁ ନେବା ଆବଶ୍ୟକ ।

ବାସ୍ତବ କ୍ଷେତ୍ରରେ ପ୍ରାୟ ୯୦ % ଛାତ୍ରଛାତ୍ରୀ ଏହି “ଅନ୍ଲାଇନ” ଶିକ୍ଷାର ଉପଯୋଗ କରିପାରୁନାହାନ୍ତି । ଉପଯୋଗ କରିବାକୁ ସକ୍ଷମ କେବଳ ପ୍ରାୟ ୧୦ % ଛାତ୍ରଛାତ୍ରୀ ଯେଉଁମାନେ ଅତ୍ୟନ୍ତ ସ୍ବଚ୍ଛଳବର୍ଗ ଅନ୍ତର୍ଗତ, ଯେଉନମାନଙ୍କ ଘରେ ସର୍ବୋଚ୍ଚ ବେଗବାନ ଇଣ୍ଟର୍ନେଟ ସଂଯୋଗ ଅଛି । ଯଦି ଏ ଶିକ୍ଷାବର୍ଷ ବାତିଲ ନହୁଏ, କେବଳ ସେହି ବର୍ଗର ପିଲେ ଏହି ଶିକ୍ଷାବର୍ଷର ଉପକାର ପାଇବେ ଯାହା ଅବଶିଷ୍ଟ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ନାହିଁ ।

The Unified District Information System for School Education ୨୦୧୬-୧୭ ପାଇଁ ଦେଇଥିବା ତଡ଼ିତ୍ ପରିସଂଖ୍ୟାନ ଅନୁଯାୟୀ ସରକାରୀ ସ୍କୁଲମାନଙ୍କ ମଧ୍ୟରୁ କେବଳ ୪% ସ୍କୁଲରେ ଇଣ୍ଟର୍ନେଟ ସଂଯୋଗ ଅଛି । ଅତଏବ ଧନପତି ହୋଇପାରିନଥିବା ସାଧାରଣ ବର୍ଗର ବା ନିର୍ଧନ ବର୍ଗର ସନ୍ତାନମାନେ ଯେଉଁ ସରକାରୀ ସ୍କୁଲମାନଙ୍କରେ ପଢନ୍ତି ସେହି ସ୍କୁଲଗୁଡ଼ିକର ଶତକଡ଼ା ୯୬ ଭାଗ ସ୍କୁଲରେ ଇଣ୍ଟର୍ନେଟ ସଂଯୋଗ ନାହିଁ । ସେହି ସ୍କୁଲଗୁଡ଼ିକର ଶିକ୍ଷକ ଶିକ୍ଷୟତ୍ରୀମାନେ କେଉଁଠୁ କିପରିଭାବେ ଇଣ୍ଟର୍ନେଟ ମାଧ୍ୟମରେ ଶିକ୍ଷାଦାନ ଦେବେ ?

Naational Sample Survey Report on Education ୨୦୧୭ ଜୁଲାଇରୁ ୨୦୧୮ ଜୁନ କଳଖଣ୍ଡ ଉପରେ ଯେଉଁ ଆଲୋକପାତ କରିଛି ତାହା ସ୍ପଷ୍ଟ କରେ ଯେ, ଗ୍ରାମାଞ୍ଚଳ ଘରମାନଙ୍କରୁ ୪.୪ ଶତାଂଶ ଘରେ କମ୍ପୁଟର ଥିବା ବେଳେ ମାତ୍ର ୧୪.୯ ଶତାଂଶ ପରିବାରରେ ଇଣ୍ଟର୍ନେଟ ସଂଯୋଗ ଅଛି । ସର୍ବ ଭାରତୀୟ ସ୍ତରରେ ଏହାର ପରିମାଣ ଯଥାକ୍ରମେ ୧୦.୭ ଓ ୨୩.୮ ଶତାଂଶ ।

ଏହି ସମ୍ପୂର୍ଣ ଅସମତଳ ଭିତ୍ତିଭୂମି ଉପରେ ଯଦି ଚଳିତ ଶିକ୍ଷାବର୍ଷକୁ ବାତିଲ କରାନଯାଇ ଆଗକୁ ମଡ଼େଇ ନିଆଯାଏ, ତେବେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ ପ୍ରାୟ ୯୦ ଶତାଂଶ ଛାତ୍ରଛାତ୍ରୀ ଯେଉଁମାନେ ଚଳିତ ବର୍ଷସ ଶିକ୍ଷା ଆଦୌ ପାଇନଥିବେ ।

ସରକାରୀ ଇଚ୍ଛାକୃତ ଅବହେଳାରୁ ଉଜୁଡ଼ା ଅବସ୍ଥାରେ ଥିବା ସ୍କୁଲସମୂହ ହେଉ କି ଚାକଚକ୍ୟମୟ ଘରୋଇ ସ୍କୁଲ ହେଉ, କୌଣସିଥିର ଶିକ୍ଷକ ଶିକ୍ଷୟତ୍ରୀ ତଥାକଥିତ “ଅନ୍ଲାଇନ” ଶିକ୍ଷାଦାନରେ ଦକ୍ଷ ନୁହନ୍ତି ; କାରଣ ସେପରି କୌଣସି ପାଠ୍ୟକ୍ରମରେ ସେମାନେ ତାଲିମ ପାଇନାହାନ୍ତି । “ଅନ୍ଲାଇନ” ଶିକ୍ଷାଦାନକୁ ଆଖିରେ ରଖି ପାଠ୍ୟକ୍ରମ ପ୍ରସ୍ତୁତ ବି ହୋଇନାହିଁ । ସୁତରାଂ “ଅନ୍ଲାଇନ ଶିକ୍ଷା” ଏକ ପ୍ରହସନ ଭିନ୍ନ କିଛି ବି ନୁହେଁ ।

ଅତି ଉଚ୍ଚ ବର୍ଗର ସ୍କୁଲରେ ପଢୁଥିବା ସ୍ବଚ୍ଛଳ ବର୍ଗର ଛାତ୍ରଛାତ୍ରୀମାନେ “ଅନ୍ଲାଇନ” ପରୀକ୍ଷାରେ କିପରି ହତାଶ ହେଉଛନ୍ତି ତାହାର ଏକ ପ୍ରମାଣ ଏଠାରେ ଉପସ୍ଥାପିତ ହେଲା । “ଅନ୍ଲାଇନ” ଶିକ୍ଷାଦାନ ଓ “ଅନ୍ଲାଇନ” ପରୀକ୍ଷଣରେ ଉଚ୍ଚବର୍ଗ ଅନ୍ତର୍ଗତ ଶିକ୍ଷକଶିକ୍ଷୟତ୍ରୀ ମାନଙ୍କର କୌଣସି ବାସ୍ତବ ଜ୍ଞାନ ଓ ଅଭିଜ୍ଞାତା ନଥିବା ହେତୁ ସେମାନେ ଏହି ଦାୟିତ୍ଵ ତୃତୀୟ ପକ୍ଷକୁ ପ୍ରଦାନ  କରିଛନ୍ତି । ଗତକାଲି ଏକ ନାମଜାଦା ସ୍କୁଲର ଅନ୍ଲାଇନ ପରୀକ୍ଷା ଚାଲିଥିବା ବେଳେ ହଠାତ ସଂଯୋଗ ଛିନ୍ନ ହେଲା । ଆଊ ଇଣ୍ଟର୍ନେଟରେ ପରୀକ୍ଷକ ମିଳିଲେନି । ଏହି ବ୍ୟବସ୍ଥାରେ ପରୀକ୍ଷା ଶେଷରେ ସଙ୍ଗେ ସଙ୍ଗେ ପରୀକ୍ଷିତ ବିଷୟର ଫଳ ପ୍ରକାଶ ହୁଏ । ତାହା ହେଲା ନାହିଁ   । ପରୀକ୍ଷାର୍ଥୀମାନେ ଇଣ୍ଟର୍ନେଟରେ ଯେତେବେଳେ ଫଳ ଖୋଜିଲେ ତାହା ମିଳିଲାନି । ଉତ୍ତର ମିଳିଲା “No result found” !

ସୁତରାଂ, ଜାଜୁଲ୍ୟମାନ ବେସରକାରୀ ସ୍କୁଲ ହେଉ ବା ଓଡ଼ିଶା ସରକାରଙ୍କ ଅଧା ଝଲସା ଇଂରାଜୀ ମାଧ୍ୟମ ଆଦର୍ଶ ବିଦ୍ୟାଳୟ ହେଉ, “ଅନ୍ଲାଇନ” ଶିକ୍ଷାଦାନ  ଉଚ୍ଚବର୍ଗୀୟ ବିଦ୍ୟାଳୟମାନଙ୍କରେ ମଧ୍ୟ ଏକ ପରିହାର୍ଯ୍ୟ ପ୍ରହସନ ଭାବେ ଅନୁଭୂତ ହେଉଛି । ଝାଉଁଳା ବ୍ୟାଧିଗ୍ରସ୍ତ ଓଡ଼ିଆ ମାଧ୍ୟମ ସ୍କୁଲଗୁଡ଼ିକର କଥା ସହଜେ ଅନୁମେୟ ।

ଏହି ପ୍ରହସନ ବନ୍ଦ କରି ସରକାର ଚଳିତ ଶିକ୍ଷାବର୍ଷକୁ ବାତିଲ କରିଦିଅନ୍ତୁ ଓ ଭରତ ସରକାରଙ୍କ ଦୂରଦର୍ଶନ ମାଧ୍ୟମରେ ଶିକ୍ଷାଦାନ ଚଳାଇରଖନ୍ତୁ ଯାହା ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ ଅଭ୍ୟାସକୁ ବଞ୍ଚାଇରଖିବ ଓ ନୂଆ ଶିକ୍ଷାବର୍ଷରେ ଅଧ୍ୟୟନର ମୂଳଦୁଆ ଭାବେ କାମରେ ଲାଗିବ । ଓଡ଼ିଶା ସରକାରଙ୍କୁ ଭାଷା ଆନ୍ଦୋଳନ ଏ ସମ୍ପର୍କରେ ଯେଉଁ ପରାମର୍ଶ ଦେଇଛି ତାହା ହିଁ ଯଥାର୍ଥ ।

Comments

No comments yet.

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS

This site uses Akismet to reduce spam. Learn how your comment data is processed.