ବାତିଲ ହେଉ ଶିକ୍ଷାବର୍ଷ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

କରୋନା ମହାମାରୀରେ ବନ୍ଦ ଥିବା ବିଦ୍ୟାଳୟଗୁଡ଼ିକରେ “ଅନ୍ଲାଇନ” ଶିକ୍ଷା ଯେଉଁ ପ୍ରହସନ ଚଳାଇଛନ୍ତି ସରକାର,   ତାହା ଲୋପ ହେବା ଉଚିତ ଓ ସେଥିପାଇଁ ଚଳିତ ଶିକ୍ଷାବର୍ଷକୁ ବାତିଲ କରିଦିଆଯିବା ଆବଶ୍ୟକ ।

ବାସ୍ତବ କ୍ଷେତ୍ରରେ ପ୍ରାୟ ୯୦ % ଛାତ୍ରଛାତ୍ରୀ ଏହି “ଅନ୍ଲାଇନ” ଶିକ୍ଷାର ଉପଯୋଗ କରିପାରୁନାହାନ୍ତି । ଉପଯୋଗ କରିବାକୁ ସକ୍ଷମ କେବଳ ପ୍ରାୟ ୧୦ % ଛାତ୍ରଛାତ୍ରୀ ଯେଉଁମାନେ ଅତ୍ୟନ୍ତ ସ୍ବଚ୍ଛଳବର୍ଗ ଅନ୍ତର୍ଗତ, ଯେଉଁ ମାନଙ୍କ ଘରେ ସର୍ବୋଚ୍ଚ ବେଗବାନ ଇଣ୍ଟର୍ନେଟ ସଂଯୋଗ ଅଛି । ଯଦି ଏ ଶିକ୍ଷାବର୍ଷ ବାତିଲ ନହୁଏ, କେବଳ ସେହି ବର୍ଗର ପିଲେ ଏହି ଶିକ୍ଷାବର୍ଷର ଉପକାର ପାଇବେ ଯାହା ଅବଶିଷ୍ଟ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ନାହିଁ ।

The Unified District Information System for School Education ୨୦୧୬-୧୭ ପାଇଁ ଦେଇଥିବା ତଡ଼ିତ୍ ପରିସଂଖ୍ୟାନ ଅନୁଯାୟୀ ସରକାରୀ ସ୍କୁଲମାନଙ୍କ ମଧ୍ୟରୁ କେବଳ ୪% ସ୍କୁଲରେ ଇଣ୍ଟର୍ନେଟ ସଂଯୋଗ ଅଛି । ଅତଏବ ଧନପତି ହୋଇପାରିନଥିବା ସାଧାରଣ ବର୍ଗର ବା ନିର୍ଧନ ବର୍ଗର ସନ୍ତାନମାନେ ଯେଉଁ ସରକାରୀ ସ୍କୁଲମାନଙ୍କରେ ପଢନ୍ତି ସେହି ସ୍କୁଲଗୁଡ଼ିକର ଶତକଡ଼ା ୯୬ ଭାଗ ସ୍କୁଲରେ ଇଣ୍ଟର୍ନେଟ ସଂଯୋଗ ନାହିଁ । ସେହି ସ୍କୁଲଗୁଡ଼ିକର ଶିକ୍ଷକ ଶିକ୍ଷୟତ୍ରୀମାନେ କେଉଁଠୁ କିପରିଭାବେ ଇଣ୍ଟର୍ନେଟ ମାଧ୍ୟମରେ ଶିକ୍ଷାଦାନ ଦେବେ ?

Naational Sample Survey Report on Education ୨୦୧୭ ଜୁଲାଇରୁ ୨୦୧୮ ଜୁନ କାଳଖଣ୍ଡ ଉପରେ ଯେଉଁ ଆଲୋକପାତ କରିଛି ତାହା ସ୍ପଷ୍ଟ କରେ ଯେ, ଗ୍ରାମାଞ୍ଚଳ ଘରମାନଙ୍କରୁ ୪.୪ ଶତାଂଶ ଘରେ କମ୍ପୁଟର ଥିବା ବେଳେ ମାତ୍ର ୧୪.୯ ଶତାଂଶ ପରିବାରରେ ଇଣ୍ଟର୍ନେଟ ସଂଯୋଗ ଅଛି । ସର୍ବ ଭାରତୀୟ ସ୍ତରରେ ଏହାର ପରିମାଣ ଯଥାକ୍ରମେ ୧୦.୭ ଓ ୨୩.୮ ଶତାଂଶ ।

ଏହି ସମ୍ପୂର୍ଣ ଅସମତଳ ଭିତ୍ତିଭୂମି ଉପରେ ଯଦି ଚଳିତ ଶିକ୍ଷାବର୍ଷକୁ ବାତିଲ କରାନଯାଇ ଆଗକୁ ମଡ଼େଇ ନିଆଯାଏ, ତେବେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ ପ୍ରାୟ ୯୦ ଶତାଂଶ ଛାତ୍ରଛାତ୍ରୀ ଯେଉଁମାନେ ଚଳିତ ବର୍ଷସ ଶିକ୍ଷା ଆଦୌ ପାଇନଥିବେ ।

ସରକାରୀ ଇଚ୍ଛାକୃତ ଅବହେଳାରୁ ଉଜୁଡ଼ା ଅବସ୍ଥାରେ ଥିବା ସ୍କୁଲସମୂହ ହେଉ କି ଚାକଚକ୍ୟମୟ ଘରୋଇ ସ୍କୁଲ ହେଉ, କୌଣସିଥିର ଶିକ୍ଷକ ଶିକ୍ଷୟତ୍ରୀ ତଥାକଥିତ “ଅନ୍ଲାଇନ” ଶିକ୍ଷାଦାନରେ ଦକ୍ଷ ନୁହନ୍ତି ; କାରଣ ସେପରି କୌଣସି ପାଠ୍ୟକ୍ରମରେ ସେମାନେ ତାଲିମ ପାଇନାହାନ୍ତି । “ଅନ୍ଲାଇନ” ଶିକ୍ଷାଦାନକୁ ଆଖିରେ ରଖି ପାଠ୍ୟକ୍ରମ ପ୍ରସ୍ତୁତ ବି ହୋଇନାହିଁ । ସୁତରାଂ “ଅନ୍ଲାଇନ ଶିକ୍ଷା” ଏକ ପ୍ରହସନ ଭିନ୍ନ କିଛି ବି ନୁହେଁ ।

ଅତି ଉଚ୍ଚ ବର୍ଗର ସ୍କୁଲରେ ପଢୁଥିବା ସ୍ବଚ୍ଛଳ ବର୍ଗର ଛାତ୍ରଛାତ୍ରୀମାନେ “ଅନ୍ଲାଇନ” ପରୀକ୍ଷାରେ କିପରି ହତାଶ ହେଉଛନ୍ତି ତାହାର ଏକ ପ୍ରମାଣ ଏଠାରେ ଉପସ୍ଥାପିତ ହେଲା । “ଅନ୍ଲାଇନ” ଶିକ୍ଷାଦାନ ଓ “ଅନ୍ଲାଇନ” ପରୀକ୍ଷଣରେ ଉଚ୍ଚବର୍ଗ ଅନ୍ତର୍ଗତ ଶିକ୍ଷକଶିକ୍ଷୟତ୍ରୀ ମାନଙ୍କର କୌଣସି ବାସ୍ତବ ଜ୍ଞାନ ଓ ଅଭିଜ୍ଞତା ନଥିବା ହେତୁ ସେମାନେ ଏହି ଦାୟିତ୍ଵ ତୃତୀୟ ପକ୍ଷକୁ ପ୍ରଦାନ  କରିଛନ୍ତି । ଗତକାଲି ଏକ ନାମଜାଦା ସ୍କୁଲର ଅନ୍ଲାଇନ ପରୀକ୍ଷା ଚାଲିଥିବା ବେଳେ ହଠାତ ସଂଯୋଗ ଛିନ୍ନ ହେଲା । ଆଊ ଇଣ୍ଟର୍ନେଟରେ ପରୀକ୍ଷକ ମିଳିଲେନି । ଏହି ବ୍ୟବସ୍ଥାରେ ପରୀକ୍ଷା ଶେଷରେ ସଙ୍ଗେ ସଙ୍ଗେ ପରୀକ୍ଷିତ ବିଷୟର ଫଳ ପ୍ରକାଶ ହୁଏ । ତାହା ହେଲା ନାହିଁ   । ପରୀକ୍ଷାର୍ଥୀମାନେ ଇଣ୍ଟର୍ନେଟରେ ଯେତେବେଳେ ଫଳ ଖୋଜିଲେ ତାହା ମିଳିଲାନି । ଉତ୍ତର ମିଳିଲା “No result found” !

ସୁତରାଂ, ଜାଜୁଲ୍ୟମାନ ବେସରକାରୀ ସ୍କୁଲ ହେଉ ବା ଓଡ଼ିଶା ସରକାରଙ୍କ ଅଧା ଝଲସା ଇଂରାଜୀ ମାଧ୍ୟମ ଆଦର୍ଶ ବିଦ୍ୟାଳୟ ହେଉ, “ଅନ୍ଲାଇନ” ଶିକ୍ଷାଦାନ  ଉଚ୍ଚବର୍ଗୀୟ ବିଦ୍ୟାଳୟମାନଙ୍କରେ ମଧ୍ୟ ଏକ ପରିହାର୍ଯ୍ୟ ପ୍ରହସନ ଭାବେ ଅନୁଭୂତ ହେଉଛି । ଝାଉଁଳା ବ୍ୟାଧିଗ୍ରସ୍ତ ଓଡ଼ିଆ ମାଧ୍ୟମ ସ୍କୁଲଗୁଡ଼ିକର କଥା ସହଜେ ଅନୁମେୟ ।

ଏହି ପ୍ରହସନ ବନ୍ଦ କରି ସରକାର ଚଳିତ ଶିକ୍ଷାବର୍ଷକୁ ବାତିଲ କରିଦିଅନ୍ତୁ ଓ ଭରତ ସରକାରଙ୍କ ଦୂରଦର୍ଶନ ମାଧ୍ୟମରେ ଶିକ୍ଷାଦାନ ଚଳାଇରଖନ୍ତୁ ଯାହା ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ ଅଭ୍ୟାସକୁ ବଞ୍ଚାଇରଖିବ ଓ ନୂଆ ଶିକ୍ଷାବର୍ଷରେ ଅଧ୍ୟୟନର ମୂଳଦୁଆ ଭାବେ କାମରେ ଲାଗିବ ।

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.