ଶହେ ଦିନରେ ପହଞ୍ଚିଲା ରଞ୍ଜନଙ୍କ ହତ୍ୟା: ଅପରାଧୀକୁ ଘଣ୍ଟ ଘୋଡ଼େଇବାରୁ ସରକାର ନିବୃତ୍ତ ହୁଅନ୍ତୁ ବୋଲି ଭର୍ଚୁଆଲ୍ ବିକ୍ଷୋଭରେ ଆହ୍ଵାନ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ମାତୃଭାଷାପ୍ରାଣ ସୂଚନା ଅଧିକାର ଅଭିଯାତ୍ରୀ ରଞ୍ଜନ କୁମାର ଦାସଙ୍କୁ ହତ୍ୟା କରାଯିବାର ୧୦୦ ଦିନ ହୋଇଗଲା । ଅପରାଧୀ ଧରା ପଡ଼ିନାହିଁ ଓ ତାକୁ/ସେମାନଙ୍କୁ ଧରିବା ପାଇଁ ପୋଲିସ କୌଣସି ଉଦ୍ୟମ କରିନାହିଁ । ସରକାରଙ୍କ କେଉଁ ମହଲରେ ହତ୍ୟାକାରୀର ରାଜ୍ ଚାଲିଛି ତାହା କେବଳ ପୋଲିସକୁ ଜଣା, କାରଣ ସେହି ମହଲର ଚାପ ନଥିଲେ, କେନ୍ଦ୍ରାପଡ଼ା ପୋଲିସ ସମ୍ପୃକ୍ତ ଅପରାଧୀକୁ ଓ ତାର ସହଯୋଗୀମାନଙ୍କୁ କେବଠୁ ଧରିସାରନ୍ତାଣି ।

ଏହି ପ୍ରେକ୍ଷାପତ୍ତାରେ, କରୋନା-ସଙ୍ଗରୋଧ ସତ୍ତ୍ୱେ ସଂପୂର୍ଣ୍ଣ ଅଭିନବ ଉପାଯରେ ଆଜି ଏକ ମିଳିତ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି ନିହତ ରଞ୍ଜନଙ୍କ ପ୍ରତି ସରକାରୀ ଅନ୍ୟାୟ ବିରୁଦ୍ଧରେ । ନିଜ ନିଜ ବାସସ୍ଥାନରେ ସଙ୍ଗରୋଧ ପାଳନ କରୁଥିବା ଭାଷା ଆନ୍ଦୋଳନ ଓ ସୂଚନା ଅଧିକାର ଅଭିଯାନ  ଓଡ଼ିଶାର ଅଗ୍ରଣୀ ବନ୍ଧୁମାନେ ଭିଡ଼ିଓ ସଂଯୋଗୀକରଣ ମାଧ୍ୟମରେ ରଞ୍ଜନଙ୍କ ପାଇଁ ହୋଇ ଚାଲିଥିବା ଅନ୍ୟାୟ ବିରୁଦ୍ଧରେ ମିଳିତ ସ୍ଵର ଉତ୍ତୋଳନ କରିଛନ୍ତି ଓ ତାଙ୍କର ସ୍ମୃତି ଚାରଣ କରିବା ସଙ୍ଗେ ସଙ୍ଗେ ତାଙ୍କ ହତ୍ୟାକାରୀକୁ ଘଣ୍ଟ ଘୋଢ଼େଇବାରୁ ନିବୃତ୍ତ ହେବା ପାଇଁ ସରକାରଙ୍କୁ ଆହ୍ଵାନ ଦିଆଯାଇଛି ।

ବିଶିଷ୍ଟ ଯୁବପ୍ରତିଭା ଚାର୍ଟର୍ଡ଼ ଆକାଉଣ୍ଟାଣ୍ଟ ରଞ୍ଜନ କୁମାର ସାହୁଙ୍କ ସଂଯୋଜନାରେ ଭିଡ଼ିଓସଂଳାପ ଆରମ୍ଭ କରି ଭାଷା ଆଂଦୋଳନର ପ୍ରତିଷ୍ଠତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଉଭୟ ଭାଷା ଆନ୍ଦୋଳନ ଓ ସୂଚନା ଅଧିକାର ଅଭିଯାନ କ୍ଷେତ୍ରରେ ଆତତାୟୀ ଦ୍ଵାରା ନିହତ ରଞ୍ଜନଙ୍କ ସ୍ମୃତି ଚାରଣ କରିଥିଲେ ତାଙ୍କ ହତ୍ୟାକାରୀକୁ ଘଣ୍ଟ ଘୋଡାଇବା ପାଇଁ ପୋଲିସର ପ୍ରୟାସକୁ ଭର୍ତ୍ସନା କରିଥିଲେ ।

ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସୂଚନା ଅଧିକାର ଅଭିଯାନର ମୁଖ୍ୟ ଶ୍ରୀ ପ୍ରଦୀପ ପ୍ରଧାନ ତିରୋହିତ ବିପ୍ଳବୀଙ୍କ ହତ୍ୟାକାରୀକୁ ଏବଂ ହତ୍ୟାକାଣ୍ଡର ପ୍ରଚ୍ଛନ୍ନ ଅପରାଧୀମାନଙ୍କୁ ଧରିବା ପାଇଁ ଯେଉଁ ସମସ୍ତ ସାଙ୍ଗଠନିକ ପଦକ୍ଷେପ ନିଆଯାଇଛି ତହିଁର ବିସ୍ତୃତ ବିବରଣୀ ଦେଇଥିଲେ । ଏହି ଅଭିନବ ଭର୍ଚୁଆଲ୍ ବିକ୍ଷୋଭରେ କେନ୍ଦ୍ରାପଡ଼ାରୁ ଯୋଗ ଦେଇଥିଲେ ରଞ୍ଜନଙ୍କ ଅଗ୍ରଜମନ୍ୟ ପ୍ରମୋଦ କୁମାର ଦେବ, କଟକରୁ ଯୋଗ ଦେଇଥିଲେ ବିଭିନ୍ନ ଅଭିଯାନରେ ରଞ୍ଜନଙ୍କ ଘନିଷ୍ଠ ସହଯୋଗୀ ଜିତେନ୍ଦ୍ର ସାହୁ ), ରାୟଗଡ଼ାରୁ ଯୋଗ ଦେଇଥିଲେ ବିପ୍ଳବୀ ସନ୍ତୋଷ ପାଢୀ, ବାଲେଶ୍ଵରରୁ ଯୋଗଦେଇଥିଲେ ବିପ୍ଳବୀ ଅଶୋକ ଦତ୍ତ , ବଉଦରୁ ଯୋଗ ଦେଇଥିଲେ ବିପ୍ଳବୀ କେଦାରନାଥ ସାହୁ, ମାର୍ଶାଘାଇରୁ ଯୋଗ ଦେଇଥିଲେ ବିପ୍ଳବୀ ନିଗମ ଦାସ, ମହାକାଳପଡ଼ାରୁ ଯୋଗ ଦେଇଥିଲେ ବିପ୍ଳବୀ ସୂର୍ଯ୍ୟପ୍ରକାଶ  ଏବଂ ସମସ୍ତଙ୍କ କଣ୍ଠରେ ଜୀବନ୍ତ ହୋଇଉଠିଥିଲେ ଶହେ ଦିନ ତଳେ ଆତତାୟୀ ଦ୍ଵାରା ନିହତ ବିପ୍ଳବୀ ରଞ୍ଜନ କୁମାର ଦାସ । ତାଙ୍କ ହତ୍ୟାକାରୀକୁ ଧରି ଦଣ୍ଡ ଦିଆଯିବା ପର୍ଯ୍ୟନ୍ତ ବିଶ୍ରାମ ନେବାର ନାହିଁ ବୋଲି ସମସ୍ତେ ସମସ୍ଵରରେ ଘୋଷଣା କରିଥିଲେ ।

ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ସଂଯୋଜକ ରଞ୍ଜନ କୁମାର ସାହୁଙ୍କ ଦ୍ଵାରା ପ୍ରସ୍ତୁତ ଏକ ସ୍ମୃତିସିକ୍ତ ବୃତ୍ତଚିତ୍ରରୁ, ନିହତ ବିପ୍ଳବୀଙ୍କ ପ୍ରତି ଅର୍ପିତ ନୀରବ ଶୋକଞ୍ଜଳି ପରେ । ତାଙ୍କ ସ୍ମୃତିକୁ ଜୀବନ୍ତ କରି ରଖିବା ପାଇଁ ଜିତେନ୍ଦ୍ର ପ୍ରସ୍ତୁତ କରିଥିବା ଚିତ୍ରସମାହାର ପରବର୍ତ୍ତୀ ଉପସ୍ଥାପନାରେ ସ୍ଥାନିତ ହେବ ।

 

 

 

 

 

 

 

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.