ଟଙ୍କା ପାଇଁ ଭାଷା ଆନ୍ଦୋଳନକୁ ଛୁରୀ ମାରିଛନ୍ତି ପ୍ରଦ୍ୟୁମ୍ନ ଶତପଥୀ : ମୁଖ୍ୟମନ୍ତ୍ରୀ ସଫେଇ ରଖନ୍ତୁ – ଏକାଦଶ ଭାଗ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ବାବୁ ସୂର୍ଯ୍ୟ ନାରାୟଣ ମହାପାତ୍ର ଉଚ୍ଚ ଶିକ୍ଷା ବିଭାଗର ଜଣେ ଅନୁ-ଶାସନସଚିବ (under secretary) । ସଚିବାଳୟ ଢାଞ୍ଚାରେ ଉଚ୍ଚତମ ପଦବୀ ହେଲା ମୁଖ୍ୟ ଶାସନ ସଚିବ । ତାଙ୍କ ତଳକୁ ତଳ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ସ୍ଵତନ୍ତ୍ର ଶାସନ ସଚିବ ଓ ବିଭାଗୀୟ ଶାସନ ସଚିବ (ଏ ସମସ୍ତେ ନିୟୋଜନ ଅନୁଯାୟୀ ବିଭାଗୀୟ ଶାସନ ସଚିବ ହୋଇପାରନ୍ତି) ଏବଂ ଅତିରିକ୍ତ ଶାସନ ସଚିବ, ଯୁଗ୍ମ ଶାସନ ସଚିବ, ଉପଶାସନସଚିବ ଓ ଶେଷରେ ଅନୁଶାସନସଚିବ । ଅତଏବ ମହାପାତ୍ର ହେଲେ ଏହି ବର୍ଗରେ ନିମ୍ନତମ ସ୍ଥାନାଧିକାରୀ । ଏହି ନିମ୍ନତମ ସ୍ଥାନାଧିକାରୀ କିପରି ଉଚ୍ଚତମ ସ୍ଥାନାଧିକାରୀଙ୍କ ଆଦେଶକୁ ବାଳ ପ୍ରମାଣେ ଖାତିର ନ କରି ଭାଷା ଆନ୍ଦୋଳନ ବିରୁଦ୍ଧରେ ସୁପାରି ଆତତାୟୀ ଭୂମିକା ନିର୍ବାହ କରିବାକୁ ପ୍ରସ୍ତୁତ ଥିବା ପ୍ରଦ୍ୟୁମ୍ନ ଶତପଥୀଙ୍କ ପତ୍ନୀ ମାନସୀ ଷଡଙ୍ଗୀଙ୍କୁ ନିସର୍ତ୍ତ ନିଯୁକ୍ତି ଦିଆ କରାଇବା ପାଇଁ କ୍ଷେତ୍ର ପ୍ରସ୍ତୁତ କରିପାରନ୍ତି ତାହା ଅନୁଧ୍ୟାନ ଯୋଗ୍ୟ ।

ଉଚ୍ଚତମ ସ୍ଥାନାଧିକାରୀଙ୍କ ଆଦେଶ

ଶ୍ରୀମତୀ ଷଡଙ୍ଗୀଙ୍କ ସୁଦୀର୍ଘ ଅନଧିକୃତ ଅନୁପସ୍ଥିତି ପାଇଁ ତାଙ୍କ ବିରୁଦ୍ଧରେ ୨୨.୬.୨୦୧୫ରେ ରାଜ୍ୟ ସରକାର ନିମ୍ନ ଆଦେଶ ପ୍ରଦାନ କରିଥିଲେ:

“Smt. Manasi Sarangi, Lecturer in Botany, U.N.(Auto) College of Science & Technology, Adaspur, Cuttack has not been performing her duties since 02.07.2008 in the said College.
Therefore, the Government have decided to transfer and post her in any other College in and around Bhubaneswar on the following conditions.
1. The period of absence may be treated as breakage in service and she shall not claim any benefit for the said period.
2. She will submit an undertaking in shape of an affidavit to this effect.
3. DHE will issue the placement order after obtaining the said affidavit.
4. A disciplinary proceeding shall be initiated against her under Rule 22 of the Orissa Education (Recruitment and Condition of Service of teachers and members of the Staff of Aided Educational Institutions) Rule, 1974” (Order No. HE-FE-VI-MISC-0052/2015/13290/HE, D.22.6.15).

ଅର୍ଥାତ୍ , (୧) ତାଙ୍କର ସମସ୍ତ ଅନଧିକୃତ ଅନୁପସ୍ଥିତି କାଳ ଚାକିରି କାଳରୁ ବାଦ୍ ପଡ଼ିବ ଓ ସେ ସେହି ସମୟ ପାଇଁ କୌଣସି ବେତନ ବା ଫାଇଦା ଦାବି କରିବେ ନାହିଁ ; (୨) ଏହି ମର୍ମରେ ସେ ଏକ ସ୍ଵୀକୃତିନାମାର ସତ୍ୟପାଠ ଦାଖଲ କରିବେ ; (୩) ତାଙ୍କଠାରୁ ଏହି ସତ୍ୟପାଠ ହାସଲ କଲା ପରେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ତାଙ୍କୁ ନିୟୋଜନ ଆଦେଶ ଦେବେ ; (୪) ଓଡ଼ିଶା ଶିକ୍ଷା (ସରକାରୀ ସାହାଯ୍ୟପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଓ ଚାକିରି ସର୍ତ୍ତ) ନିୟମାବଳୀ, ୧୯୭୪ର ନିୟମ ୨୨ ମୁତାବକ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ।

ନିୟମ ୨୦ ଅନ୍ତର୍ଗତ ଦଣ୍ଡବିଧାନ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଉଦ୍ଦିଷ୍ଟ ହୋଇଥିବା ବେଳେ, ନିୟମ ୨୦(୧)ର (ଜ) ଓ (ଝ) ଦଫା ଦ୍ୱୟରେ ସମ୍ପୃକ୍ତ ଶିକ୍ଷକ ବ କର୍ମଚାରୀ ଚାକିରିରୁ ବିତାଡ଼ିତ ହେବା ସଙ୍ଗେ ସଙ୍ଗେ ଭବିଷ୍ୟତରେ ଅନ୍ୟ ଓ/ବା ଅନ୍ୟତ୍ର ଚାକିରି ପାଇବା ଉପରେ ନିଷିଦ୍ଧିକରଣ ଜାରି ହୋଇଛି । ତେଣୁ, ଏହି ଆଦେଶ ଶ୍ରୀମତୀ ଷଡଙ୍ଗୀଙ୍କୁ ଚାକିରିରୁ ବିତାଡିତ ହେବା ସଙ୍ଗେ ସଙ୍ଗେ ଭବିଷ୍ୟତରେ ଚାକିରି କରିବାର ଯୋଗ୍ୟତରୁ ମଧ୍ୟ ବଞ୍ଚିତ କରିବାର ଆଶଙ୍କା ସୃଷ୍ଟି କରିଥିଲା । ତେଣୁ ଏହି ଆଦେଶକୁ ବାତିଲ କରାଯିବା ପାଇଁ ପ୍ରଦ୍ୟୁମ୍ନ ଶତପଥୀ ଚାପ ପକାଇ ଚାଲିଥିଲେ ।

ମଧ୍ୟତମ ସ୍ଥାନାଧିକାରୀଙ୍କ ନିଷ୍ପତ୍ତି

ଏହି ଆଦେଶ ବାତିଲ ହେଲେ ହିଁ ଭାଷା ଆନ୍ଦୋଳନକୁ ଛୁରି ମାରିବାକୁ ପ୍ରଦ୍ୟୁମ୍ନ ଶତପଥୀ ଯେହେତୁ ରାଜିଥିଲେ, ସେହେତୁ ସେହି କାମଟି କରିବା ପାଇଁ କିପରି ଅତିରିକ୍ତ ଶାସନ ସଚିବ କୃପାସିନ୍ଧୁ ମିଶ୍ରଙ୍କୁ ମୁତୟନ କରାହୋଇଥିଲା ତାହା ପୂର୍ବରୁ ସୂଚିତ ହୋଇଛି । ଏକ ତତ୍କାଳ ତୂଳନାତ୍ମକ ଅଧ୍ୟୟନ ପାଇଁ କୃପାସିନ୍ଧୁ ମିଶ୍ର କମିଟି ଉପରୋକ୍ତ ଆଦେଶର ଠିକ୍ ୩ ବର୍ଷ ପରେ ୨୨.୬.୨୦୧୮ ତାରିଖରେ ନେଇଥିବା ଚାପଗ୍ରସ୍ତ ନିଷ୍ପତ୍ତି ଏଠାରେ ପୁନରୋଦ୍ଧୃତ କରାଯିବା ଯଥାର୍ଥ । ତାହା ହେଲା:

1. In supersession of all orders passed on the issue, Smt. Manasi Sarangi will be instructed by the DHE to join in her present place of posting i.e. U.N.(Auto) College , Adaspur within seven days of receipt of this order.
2. She will submit an undertaking through affidavit with her joining report before the Principal to abide by future Govt. decision regarding her absence period.
3. The Principal will be instructed to accept the joining of Smt. Sarangi and to allow her to work until further Govt. orders.

ଅର୍ଥାତ୍ , “(୧) ପୂର୍ବବର୍ତ୍ତୀ ସମସ୍ତ ଆଦେଶର ବାତିଲୀକରଣ କାରଣରୁ ଶ୍ରୀମତୀ ମାନସୀ ଷଡଙ୍ଗୀଙ୍କୁ ଏହି ଆଦେଶ ପାଇବାର ୭ ଦିନ ଭିତରେ ତାଙ୍କ କଲେଜ ୟୁ ॰ ଏନ୍ ॰ (ଅଟୋ) କଲେଜ, ଅଡ଼ଶପୁରରେ ଯୋଗ ଦେବାକୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଆଦେଶ ଦେବେ । (୨) ତାଙ୍କ ଅନୁପସ୍ଥିତି ସମୟ ପାଇଁ ସରକାର ଭବିଷ୍ୟତରେ ଯେଉଁ ନିଷ୍ପତ୍ତି ନେବେ ତାହାକୁ ମାନିବେ ବୋଲି ସେ ସତ୍ୟପାଠପୂର୍ବକ ଏକ ସ୍ଵୀକୃତିନାମା ଦେବେ । (୩) ତାଙ୍କ ଯୋଗଦାନ ପତ୍ର ଗ୍ରହଣ କରି ସରକାରଙ୍କ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ତାଙ୍କୁ କାମ କରିବାକୁ ଅନୁମତି ଦେବାକୁ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯିବ ।”

ଅତଏବ , ଏହି ଅତିରିକ୍ତ ଶାସନ ସଚିବ ସ୍ତରୀୟ କମିଟି ସରକାରଙ୍କ ପୂର୍ବ ଆଦେଶରୁ ୨ଟି ଆଦେଶ ବିଲୋପ କଲା ; ଯଥା- (କ) ଅନୁପସ୍ଥିତି କାଳକୁ ଚାକିରି କାଳରୁ ରଦ୍ଦ କରିବା ପାଇଁ ଦିଆଯାଇଥିବା ଆଦେଶକୁ ସରକାରଙ୍କ ଭବିଷ୍ୟ ନିଷ୍ପତ୍ତିର ଅନୁବର୍ତ୍ତୀ କରାଇଲା ଓ (ଖ) ତାଙ୍କ ଦୀର୍ଘ ଅନଧିକୃତ ଅନୁପସ୍ଥିତି ପାଇଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ଭାବନା ଲୋପ କରିଦେଲା ।

କିନ୍ତୁ ସରକାରଙ୍କ ଆଦେଶକୁ କୌଣସି ଯୁକ୍ତିଯୁକ୍ତ କାରଣ ନ ଥାଇ ଦୀର୍ଘ ୩ ବର୍ଷ ପରେ ଜଣେ ଅତିରିକ୍ତ ଶାସନ ସଚିବଙ୍କ ନିର୍ମିତ ନିଷ୍ପତ୍ତି ଏପରି ନଷ୍ଟ କରିଦେଇ ପାରିବ କି ନାହିଁ – ଏହି ଦ୍ଵନ୍ଦ୍ଵ ଶାସନ ସଚିବଙ୍କୁ କିପରି ଅଡୁଆରେ ପକାଇଲା ଓ ସେ ତାକୁ ମନ୍ତ୍ରୀଙ୍କ ପାଖକୁ ପଠାଇବା ପରିବର୍ତ୍ତେ ସାଢେ ୩ ଦିନ କାଳ ପକାଇ ରଖି ଶେଷରେ ତଳିଆ ଅମଲାତନ୍ତ୍ର “ସୁଚିନ୍ତିତ ମତ” ଦେଉ ବୋଲି କହି ୨୫.୬.୨୦୧୮ ତାରିଖରେ ନଥିଟିକୁ ଶୀତଳ ଭଣ୍ଡାରରେ ପକାଇଲେ , ତାହା ପୂର୍ବେ ବର୍ଣିତ ହୋଇଛି ।

ନିମ୍ନତମ ସ୍ଥାନଧିକାରୀଙ୍କ ଭେଳିକି

ବର୍ତ୍ତମାନ ଦେଖିବା , ୧୬.୦୭.୨୦୧୮ ପୂର୍ବରୁ ପତ୍ନୀଙ୍କ ଚାକିରି ପକ୍କା ନ ହେଲେ ସେଦିନ ପୁନରାରମ୍ଭ ହେବାକୁ ଥିବା କଳାପତାକା ଅଭିଯାନରେ ସେ ବାଧା ଦେଇପାରିବେନି ବୋଲି ପ୍ରଦ୍ୟୁମ୍ନ ଶତପଥୀଙ୍କ ଘୋଷଣା ଏବଂ କଳା ପତାକା ଅଭିଯାନ ଲାଗି ରହିଲେ ବିଧାନସଭାର ବର୍ଷାକାଳୀନ ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ଵାଧିକାର ଭଙ୍ଗ ଅଭିଯୋଗର ସମ୍ଭାବନାରେ ଅତର୍ଛି ଯେକୌଣସି ପ୍ରକାରେ ହେଉ ବି ମାନସୀ ଷଡଙ୍ଗୀଙ୍କୁ ତୁରନ୍ତ ଚାକିରିରେ ସଂସ୍ଥିତ କରାଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଯେତେବେଳେ ପ୍ରବଳ ଚାପ ପଡ଼ିଲା , ସେତେବେଳେ ସମ୍ପୃକ୍ତ ନଥି ଭିତରକୁ ପ୍ରବେଶ କରି ଅନୁଶାସନସଚିବ ସୂର୍ଯ୍ୟ ନାରାୟଣ ମହାପାତ୍ର କି କାମ କଲେ ।

ସେ ପୂରା ଭେଳିକି ଦେଖାଇଲେ । ଲେଖିଲେ –

1. She may be allowed to report her joining in the Directorate of Higher Education at immediate effect which would be accepted by the Director, Higher Education.
2. The Director, Higher Education after looking to vacancy in any other identical college may post her to perform her duties.
3. The intervening period from the date she was kept out of service from 02.07.2008 till she joins in the Directorate shall be decided for counting the same towards regular service later on after making due inquiry.”

ଅର୍ଥାତ୍, (୧) ସେ (ଶ୍ରୀମତୀ ଷଡଙ୍ଗୀ) ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଦପ୍ତରରେ ଯୋଗ ଦେବେ ଓ ତାଙ୍କ ଯୋଗଦାନ ପତ୍ରକୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଗ୍ରହଣ କରିବେ । (୨) ସମତୂଲ୍ୟ କୌଣସି କଲେଜରେ ଖାଲି ସ୍ଥାନ ଦେଖି ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ତାଙ୍କୁ ସେଠାରେ ମୁତୟନ କରିବେ । (୩) ଏକ ତଦନ୍ତ ସହାୟତାରେ ୨.୭.୨୦୦୮ ତାରିଖରୁ ସେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଦପ୍ତରରେ ଯୋଗ ଦେବା ପର୍ଯ୍ୟନ୍ତ ସମଗ୍ର ସମୟକୁ ତାଙ୍କ ଚାକିରି କାଳରେ ସାମିଲ କରି ତାହାକୁ ନିୟମିତ କରାଯିବ ।

ଅତଏବ, ଅତିରିକ୍ତ ଶାସନ ସ୍ତରୀୟ କମିଟିର ନିଷ୍ପତ୍ତି ଠାରୁ ଆଉ ପାହାଚେ ଆଗେଇଯାଇ, ଏପରିକି ତାକୁ ଭ୍ରୂକ୍ଷେପ ନ କରି, ୨୨.୬.୨୦୧୫ ତାରିଖରେ ସରକାର ଦେଇଥିବା ଆଦେଶକୁ ଏ ବାବୁ ପାଦରେ ଦଳିଦେଲେ ଓ ସମଗ୍ର ଆଦେଶକୁ ଅସିଦ୍ଧ କରି ଶ୍ରୀମତୀ ଷଡଙ୍ଗୀଙ୍କୁ ନିସର୍ତ୍ତ ନିଯୁକ୍ତି ଦେଇ ପିଛିଲା ତାରିଖରୁ ନିୟମିତ କରାଯିବା ଉପରେ ଗୁରୁତ୍ଵ ଦେଲେ ।

କ୍ରମାନ୍ଵୟରେ ଥିବା ଉପରୋଦ୍ଧୃତ୍ତ ତିନୋଟିଯାକ ଆଦେଶ/ନିଷ୍ପତ୍ତି/ସୁପାରିଶକୁ ପରସ୍ପର ସହ ମିଳାଇ ଅନୁଧ୍ୟାନ କଲେ ଅନୁଶାସନସଚିବ “ସୁଚିନ୍ତିତ ମତ” ଦେବା ବାହାନାରେ ଯେଉଁ ଭେଳିକି ସୃଷ୍ଟି କରିଛନ୍ତି ତାହା ସ୍ପଷ୍ଟ ଦେଖିହେବ ।

ବାସ୍ତବତାକୁ ଲୁଚାଇ ସେ ଲେଖିଛନ୍ତି , ଶ୍ରୀମତୀ ଷଡଙ୍ଗୀ ଅନଧିକୃତ ଭାବେ ଅନୁପସ୍ଥିତ ନ ଥିଲେ, ତାଙ୍କୁ ଜୋର ଜବରଦସ୍ତ ନିକମା କରି ରଖା ହୋଇଥିଲା । ସେ ଡାକ୍ତରୀ ସାର୍ଟିଫିକେଟ ଦେଇଥିଲେ , ତାକୁ ଗ୍ରହଣ କରା ହୋଇନଥିଲା । ତାଙ୍କ ପ୍ରତି ଘୋର ଅନ୍ୟାୟ କରାହୋଇଛି । ତେଣୁ ତାଙ୍କୁ ବିନା ସର୍ତ୍ତରେ ପଦାସୀନ କରାଇ ପିଛିଲା ତାରିଖରୁ ନିୟମିତ କରାଯିବା ଆବଶ୍ୟକ ।

ଭାଷା ଆନ୍ଦୋଳନକୁ ଛୁରି ମାରିବା ପାଇଁ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ଯାହା ଆବଶ୍ୟକ ଥିଲା ଏହି ଅନୁଶାସନସଚିବ ସେ ସବୁ ସରଞ୍ଜାମ ଯୋଗାଇ ଦେଇଥିଲେ । (କ୍ରମଶଃ)

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.