ଟଙ୍କା ପାଇଁ ଭାଷା ଆନ୍ଦୋଳନକୁ ଛୁରୀ ମାରିଛନ୍ତି ପ୍ରଦ୍ୟୁମ୍ନ ଶତପଥୀ : ମୁଖ୍ୟମନ୍ତ୍ରୀ ସଫେଇ ରଖନ୍ତୁ – ପଞ୍ଚଦଶ ଭାଗ

ପ୍ରଦ୍ୟୁମ୍ନ ଶତପଥୀ ୧୬.୭.୨୦୧୮ ସନ୍ଧ୍ୟାରେ “ଭାଷା ଆଂଦୋଳନର ନିଷ୍ପତ୍ତିକ୍ରମେ ବିଧାନସଭାର ବର୍ଷାକାଳୀନ ଅଧିବେଶନ (ସରିବା) ଯାଏଁ କଳା ପତାକା ଅଭିଯାନ ସ୍ଥଗିତ ରହିଲା ବୋଲି କରିଥିବା ଘୋଷଣା ଅନଧିକୃତ ଓ ଅମୂଳକ ଥିଲା ବୋଲି ସେହି ଅଭିଯାନ କ୍ରମାଗତ ଚାଲିଲା ହେତୁ ସାବ୍ୟସ୍ତ ହୋଇଗଲା ପରେ ଭାଷା ଆଂଦୋଳନର ପାଣ୍ଠି ତୋଷରପାତରେ ତାଙ୍କ ସାହାଯ୍ୟପ୍ରାପ୍ତ ପବିତ୍ର ମହାରଥା ଏପରି କଥା କହିଲେ ଓ ଏପରି ଆଚରଣ କଲେ ଯହିଁରୁ ମନେହେଲା ସତେ ଯେମିତି ଭାଷା ଆନ୍ଦୋଳନ ଭାଙ୍ଗିବା ପାଇଁ ଏ ଦୁହେଁ ସରକାରଙ୍କ ଠାରୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ମାଧ୍ୟମରେ ସୁପାରି ନେଇଛନ୍ତି । ଯଥା ସମୟରେ ସେ ସମ୍ପର୍କରେ ଅଲୋଚନା କରିବା । କିନ୍ତୁ ସରକାରଙ୍କ ନୂଆ ଭାଷା ମୁଖପାତ୍ର ଭାବେ ପ୍ରଦ୍ୟୁମ୍ନ ଶତପଥିଙ୍କ ନୂଆ ଚେହେରା ଦେଖିବାକୁ ବର୍ତ୍ତମାନ କେବଳ ଗୋଟିଏମାତ୍ର ଦୃଷ୍ଟାନ୍ତ ଦୃଷ୍ଟି ପଡୁ ।

ଓଡ଼ିଶା ସରକାରୀ ଭାଷା ଆଇନରେ ୨୦୧୮ ସଂଶୋଧନ ବିରୁଦ୍ଧରେ ମୋ ଯୁକ୍ତି ସହ ଏକମତ ହୋଇ ବୈଷ୍ଣବ ପରିଡ଼ା କହିଥିଲେ କି, ମୁଖ୍ୟମନ୍ତ୍ରୀ ପଦରେ ନବୀନ ପଟ୍ଟନାୟକଙ୍କ ଅବସ୍ଥିତି ହିଁ ଓଡ଼ିଆ ଭାଷା ଆଇନର ନିର୍ଭୁଲ ସଂଶୋଧନ ପ୍ରତି ଅସଲ ଅନ୍ତରାୟ । ବିଜୁ ଜନତା ଦଳ ଯଦି ଓଡ଼ିଆ ଭାଷାକୁ ମାରିଦେବାକୁ ନ ଚାହୁଁଥାଏ, ତେବେ କାମରାଜ ଯୋଜନାରେ ଯେମିତି ବିଜୁବାବୁ ଯାଇଥିଲେ, ସେମିତି ମୁଖ୍ୟମନ୍ତ୍ରୀ ପଦରୁ ନବୀନବାବୁଙ୍କୁ ବିଦାୟ ଦେବା ଉଚିତ ।

ତେଣୁ ମୁଖ୍ୟମନ୍ତ୍ରୀଙ୍କ ପ୍ରୀତ୍ୟର୍ଥେ ବୈଷ୍ଣବବାବୁଙ୍କୁ ଆକ୍ରମଣ କରିବା ପାଇଁ ଆଗେଇଆସିଲେ ପ୍ରଦ୍ୟୁମ୍ନ ଶତପଥି । ସବୁ ପ୍ରଶାସନିକ ସଙ୍ଗତିକୁ ପଦଦଳିତ କରି ୧୬.୭.୨୦୧୮ ତାରିଖରେ ତାଙ୍କ ସ୍ତ୍ରୀ ମାନସୀ ଷଡ଼ଙ୍ଗୀଙ୍କୁ ଚାକିରିରେ ପୁନଃ ସଂସ୍ଥିତ କରିବାକୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ନଥିରେ ଦସ୍ତଖତ କରିଥିଲେ ମଧ୍ୟ ଆବଶ୍ୟକୀୟ ବିଜ୍ଞପ୍ତି ଜାରୀ ହୋଇନଥିଲା । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରି ରଖିବା ଥିଲା ଶତପଥୀଙ୍କ ପାଇଁ ଅତ୍ୟନ୍ତ ଜରୁରୀ । ସୁତରାଂ , ନବୀନବାବୁଙ୍କ କୌଣସି ସହଯୋଗୀ ମନ୍ତ୍ରୀ ବ ତାଙ୍କ ଦଳର କୌଣସି ନେତା ବୈଷ୍ଣବବାବୁଙ୍କ ବିରୁଦ୍ଧରେ ପାଟି ଖୋଲିନଥିବା ବେଳେ, ଏହି ବ୍ୟକ୍ତି କୌଣସି ଏକ ପୋଷାମନା ଟିଭି ଚ୍ୟାନେଲକୁ ଡାକି ଏହି ଭିଡିଓ ବିବୃତ୍ତି ଜାରି କରିଥିଲେ ବୈଷ୍ଣବବାବୁଙ୍କ ବିରୁଦ୍ଧରେ ଓ ପବିତ୍ର ମହାରଥା ତାହାକୁ ତାଙ୍କ ଫେସ ବୁକ ପୃଷ୍ଠାରେ ସମ୍ପ୍ରସାରିତ ବି କରିଥିଲେ । ଏହାକୁ ଅନୁଧ୍ୟାନ ପାଇଁ ଏଠାରେ ସ୍ଥାନିତ କରାଯାଉଛି ।

ବୈଷ୍ଣବବାବୁ ସେତେବେଳେ ଭୟାନକ କ୍ୟାନ୍ସର ସହ ଶେଷ ସଂଗ୍ରାମରେ ରତ । ସାପ ପାଟିରେ ପଡ଼ିଥିବା ବେଙ୍ଗ କିପରି ରାଧାନାଥ ରାୟଙ୍କ କବିତାରେ କଙ୍କି ଖାଇବାଲୁ ଲାଳାୟିତ ଥିଲା ତାହା ଆବୃତ୍ତି କରି ମୃତ୍ୟୁ ଆଡ଼େ ଧାଉଁଥିବା ବୈଷ୍ଣବ ପରିଡ଼ା ନବୀନଙ୍କୁ ତଡ଼ି ମୁଖ୍ୟମନ୍ତ୍ରୀ ହେବା ଲାଳସାରେ ଜର୍ଜରୀତ ବୋଲି ସେ ଆକ୍ଷେପ କରିଥିଲେ । ଏହିଥିରୁ ତାଙ୍କର ରୁଗ୍ଣ ମାନସିକତା ଓ ଉଗ୍ର ସୁବିଧାବାଦୀ ଚରିତ୍ରର ଚିତ୍ର ମିଳିଯାଏ । ଅଧିକ ଦୃଷ୍ଟାନ୍ତ ପରେ ଦେଖିବା । ବୈଷ୍ଣବବାବୁଙ୍କୁ ଏପରି ଅମାନୁଷିକ ଗାଳି ଦେଇ, ଏଥିରେ ସେ କହିଛନ୍ତି , କଳା ପତାକା ଅଭିଯାନ ସ୍ଥଗିତ ଥିଲେ ମଧ୍ୟ ଆନ୍ଦୋଳନ ଚାଲିଛି ଓ କେବଳ ଗୋଟିଏ ଶବ୍ଦ ବଦଳି ଗଲେ ଆଇନଟି ନିର୍ଭୁଲ ହୋଇଯିବ, ଯାହା କରିବା ପାଇଁ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଅଥଚ ସେ ଶବ୍ଦଟି କଣ ଓ କାହିଁକି ତାର ପରିବର୍ତ୍ତନ ଦରକାର, ତାହା ଶତପଥୀଏ କହିନାହାନ୍ତି, କାରଣ ତାହା ବି ତାଙ୍କୁ ଜଣା ନଥିଲା । ଭାଷା ଆନ୍ଦୋଳନ କ’ଣ ଓ କେଉଁ ଦାବି ଉପରେ ତାହା ଆଧାରିତ, ତାହା ବି ତାଙ୍କୁ ଜଣା ନଥିଲା । କାରଣ ତାଙ୍କରି ଭାଷାରେ ଭାଷା ଆନ୍ଦୋଳନ ଥିଲା ସୁଭାଷ ଚନ୍ଦ୍ର ପଟ୍ଟନାୟକ ମାନସପ୍ରସୂତ ଏବଂ ସେ ଓ ପବିତ୍ର ଓଗେର ଥିଲେ କେବଳ ତାର ସଞ୍ଚାଳକ ।

ମୋ “ପ୍ର୍ଜ୍ଞାଜ” ଆନ୍ଦୋଳନକୁ ସଞ୍ଚାଳିତ କରିବା ପାଇଁ ମୁଁ ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥାଙ୍କୁ ଦାୟିତ୍ଵ ଦେଇଥିଲି । ଅର୍ଥ ଲୋଭରେ ପଡ଼ି ଏହି ଉଭୟେ ମୋତେ ଓ ଭାଷା ଆନ୍ଦୋଳନ ପ୍ରତି ବିଶ୍ବାସଘାତକତ କରିଛନ୍ତି ଏବଂ ଓଡ଼ିଆ ଜାତିର ଭାଷା ଅଧିକାରକୁ ଅଣଓଡ଼ିଆ କର୍ମଚାରୀଙ୍କ ମର୍ଜିଭୁକ୍ତ କରାଇଛନ୍ତି । ଏମାନଙ୍କ ଅର୍ଥଲୋଭର ଲାଭ ଉଠାଇଛନ୍ତି ଓଡ଼ିଆ ବିଦ୍ଵେଷୀ ନବୀନ ପଟ୍ଟନାୟକ ଓ ଅଣଓଡ଼ିଆ / ଦେଶୀଇଂରାଜିଆ ଅମଲା ଗୋଷ୍ଟୀ । (କ୍ରମଶଃ)

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.