ମୁଖ୍ୟମନ୍ତ୍ରୀଙ୍କ ଭାଷା ଆଚରଣ ଉପରେ ନ୍ୟାୟିକ ତଦନ୍ତ ଆବଶ୍ୟକ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶା ସରକାରୀ ଭାଷା ଆଇନକୁ କିପରି କାର୍ଯ୍ୟକାରୀ କରିହେବ ତାହା ନିର୍ଦ୍ଧାରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭.୭.୨୦୧୫ ତାରିଖରେ ଓଡ଼ିଆ ଭାଷା ସଂଗ୍ରାମ ସମିତି ସହ ଚୁକ୍ତି କରିବା ପରେ ୩୧।୭।୨୦୧୫ ତାରିଖରେ ସେଥିପାଇଁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ । ରହସ୍ୟଜନକ ଭାବେ କମିଟିରୁ ଭାଷା ସଂଗ୍ରାମ ସମିତିକୁ ବାଦ ଦେଇ ତହିଁରେ ବ୍ୟକ୍ତିଗତ ଭିତ୍ତି ଉପରେ ମନୋନୀତ ସଭ୍ୟ ରଖାଗଲା । ମୁଁ ଜଣେ ମନୋନୀତ ସଭ୍ୟ ଭାବେ ଅବସ୍ଥାପିତ ହୋଇଥିଲି ।

ଆଇନଟି କିପରି କାର୍ଯ୍ୟକାରୀ ହେବ ତା ପାଇଁ ଗଭୀର ଗବେଷଣା କରି ମୁଁ ୩.୯.୨୦୧୫ ତାରିଖରେ ସରକାରଙ୍କୁ ପ୍ରସ୍ତାବ ଓ ଚିଠା ବିଧାନ ଦେଲି । ତହିଁ ଅନୁସାରେ ସରକାର ୨୦୧୬ରେ ଭାଷା ଆଇନ ସଂଶୋଧନ କରି ତହିଁରେ ଧାରା ୫ ଖଞ୍ଜିଲେ ଓ ନିୟମ ପ୍ରଣଯନ ପାଇଁ ଅଧିକୃତ ହେଲେ ।

କିନ୍ତୁ ସେହି ସଂଶୋଧନରେ ସମ୍ପୂର୍ଣ ଅନଧିକୃତ ଭାବେ ଯେଉଁ ୪ର୍ଥ ଧାରା ଯୋଡା ହେଲା ତହିଁର ବିଲୋପନ ବା ପରିବର୍ତ୍ତନ ପାଇଁ ମୁଁ ଦେଇଥିବା ସ୍ମାରକପତ୍ର ସର୍ବଶ୍ରୀ ଦେବୀ ପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲ ଓ ପ୍ରତାପ କେଶରୀ ଦେବଙ୍କ ଉପସ୍ଥିତିରେ ୧୯.୫.୨୦୧୭ରେ ସେ ଗ୍ରହଣ କରିଥିଲେ । ତାହାର ପତ୍ତା ତାଙ୍କ ଅଫିସରେ ମିଳୁନି ।

ସେଇ ଦିନଠାରୁ ମୂଳ ଭାଷା ଆଇନଟିକୁ ନଷ୍ଟ ଓ ନିଷ୍ଫଳ କରାଇବା କାମରେ ସେ ଲାଗିପଡ଼ିଛନ୍ତି । ପବିତ୍ର ମହାରଥାଙ୍କ ଆର୍ଥିକ ଅପରାଧ ଉପରେ ତଦନ୍ତ କରୁଥିବା ପୋଲିସକୁ ନିରସ୍ତ କରାଯାଇଛି, ସ୍ତ୍ରୀଙ୍କ ବେଆଇନ ନିଯୁକ୍ତି ମାଧ୍ୟମରେ ଅନ୍ୟୁନ୍ୟ ଦେଢକୋଟି ଟଙ୍କାର ଆୟ ପନ୍ଥା ଖୋଲାଯାଇ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ବଶୀଭୂତ କରାଯାଇଛି; ଏବେ ଶୁଣିବାକୁ ମିଳୁଛି, ଏକ ସମାନ୍ତରାଳ ଭାଷା ଆନ୍ଦୋଳନ କରି ମୋ ପ୍ରଦତ୍ତ ଚିଠା ବିଧାନକୁ ସମର୍ଥନ କରି ଚାଲିଥିବା ଆଂଦୋଳନ ଉପରେ ବିଭ୍ରାନ୍ତି ସୃଷ୍ଟିପାଇଁ ୧୫ ଲକ୍ଷ ଟଙ୍କାର ଭିତିରି ପାଣ୍ଠି ମୁକରିର କରାହୋଇଛି । ସତ୍ୟାସତ୍ୟ କେବଳ ଏକ ନ୍ୟାୟିକ ତଦନ୍ତରେ ଧାରା ପଡ଼ିବ ।

ଏହାଠୁ ଅଧିକ ଉଦ୍ବେଗର କଥା, ଆମ ଜାତିର ଭାଷା ଅଧିକାରକୁ ଖର୍ବ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଏକ ଅଭୂତପୂର୍ବ କ୍ୟାବିନେଟ୍ ସ୍କାମ୍ ଘଟାଇଛନ୍ତି ।

ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ସେହି ରାଜ୍ୟର ମାତୃଭାଷା ଉପରେ ଏପରି ଜହ୍ଲ୍ଲାଦୀୟ ଆକ୍ରମଣ କରିବା , ଭାଷା ଆନ୍ଦୋଳନ ପରି ଏକ ସାମାଜିକ ଆନ୍ଦୋଳନର ସ୍ମାରକପତ୍ର ଲୁଚାଇ ଦେବା ବା ନଷ୍ଟ କରିବା, ରାଜ୍ୟବାସୀଙ୍କ ଭାଷା ଅଧିକାରକୁ ଉଜାଡ଼ି ଦେବାପାଇଁ କ୍ୟାବିନେଟ୍ ସ୍କାମ୍ ପରି ଅପରାଧରେ ଲିପ୍ତ ହେବା , ଭାଷା ଆନ୍ଦୋଳନକାରୀମାନଙ୍କ ଭିତରେ ଥିବା ପେଟପାଟଣାବାଦୀମାନଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରଶାସନିକ ଶ୍ରୁଙ୍ଖଳାଭାଙ୍ଗିବା ଇତ୍ୟାଦି ଅତ୍ୟନ୍ତ ଦୂଷଣୀୟ ଅପରାଧ ।

ତେଣୁ ଏ ଅପରାଧର ସ୍ୱରୂପ ଓ ଗଭୀରତା ନିରୂପଣ ପାଇଁ ଏକ ନ୍ୟାୟିକ ତଦନ୍ତର ଆବଶ୍ୟକତା ଅଛି ।

ମୁଖ୍ୟମନ୍ତ୍ରୀ ନିଜ ଆଚରଣର ଶୁଦ୍ଧତା ପ୍ରତିପାଦନ କରିବା ପାଇଁ ଏକ ତଦନ୍ତ କମିଶନ ବସାନ୍ତୁ । ଆମ ରାଜ୍ୟର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସଂହଦେଓ ନିଜ ବିରୁଦ୍ଧରେ ତଦନ୍ତ କମିଶନ ବସାଇ ଯେଉଁ ନଜିର (precedence) ସୃଷ୍ଟି କରିଛନ୍ତି ତାହା ଅନୁସରିତ ହେଲେ ଓଡ଼ିଶାର ମର୍ଯ୍ୟାଦା ବଢିବ ।

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.