ବିଜେଡି ଜନ୍ମଦିନରେ ଭାଷାମାରଣ: ଦି ବର୍ଷ ହୋଇଗଲା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମନ୍ତ୍ରୀସ୍ତରୀୟ କମିଟିରେ ଭାଷା ଆଇନ ସଂଶୋଧନ ପାଇଁ ମୁଁ ଯେଉଁ ପ୍ରସ୍ତାବ ଦେଇଥିଲି ତାକୁ ଗ୍ରହଣ କରି ସରକାର ୨୦୧୬ରେ ନିୟମାବଳୀ ପ୍ରଣୟନ ପାଇଁ କ୍ଷମତା ଅଧିଗ୍ରହଣ କରିଥିଲେ ; ମାତ୍ର ଭାଷା ଆଇନର ଉଲ୍ଲଂଘନ ପାଇଁ ଦଣ୍ଡବିଧାନ ସକାଶେ ମୁଁ ଯେଉଁ ଚିଠା ଦେଇଥିଲି ତାହାକୁ ଗାଏବ କରିଦେଇଥିଲେ । ଫଳରେ କଳା ପତାକା ଅଭିଯାନ ବ୍ୟାପକ ହୋଇଥିଲା ।  ଓଡ଼ିଆ ଭାଷା ପ୍ରତି ନବୀନଙ୍କ ଏହି ବୈମାତୃକ ମନୋଭାବ ତାଙ୍କ ଦଳରେ ବି ଘୋର ଅସନ୍ତୋଷ ସୃଷ୍ଟି କରିଥିଲା । ତେଣୁ ନିଜ ଦଳର ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ପ୍ରତାରଣାର ଏକ ନୂଆ ଚାଲ୍ ଚଳାଇଥିଲେ ମୁଖ୍ୟମନ୍ତ୍ରୀ ଅଣଓଡ଼ିଆ ଅଫିସରମାନଙ୍କ ସଲାସୁତରାରେ ।

ସେଦିନ ଥିଲା ଏଇ ତାରିଖର ଦିନ । ଡିସେମ୍ବର ୨୬, ୨୦୧୭ । ବିଜେଡି ଦଳର ଥିଲା ଜନ୍ମଦିନ । ପୁରୀରେ ବସିଲା ତାର ସାଧାରଣ ଅଧିବେଶନ । ସେଇଠି ଅଭୂତପୂର୍ବ ଶୈଳୀରେ ବସିଲା ରାଜ୍ୟ ମନ୍ତ୍ରୀମଣ୍ଡଳର ବୈଠକ । ସେପରି ଏକ ବୈଠକରେ ବସି  ବିଭିନ୍ନ ବିଭାଗ ସମ୍ପର୍କିତ ୨୦ଟା ପ୍ରସ୍ତାବ ସେମାନଙ୍କୁ ଗ୍ରହଣ କରିବାକୁ ହେବ ବୋଲି ମନ୍ତ୍ରୀମାନେ ବି ଜାଣିନଥିଲେ । ସମ୍ପୃକ୍ତ ଶାସନ ସଚିବ କହିଲେ, ପ୍ରସ୍ତାବଗୁଡ଼ିକ ଭାଷା ସଙ୍କ୍ରାନ୍ତିୟ । ବିନା ଆଲୋଚନାରେ , ବିନା ମଥାଖଟଣିରେ ଏକାବେଳକେ ୨୦ଟି ଯାକ ପ୍ରସ୍ତାବ ଗୃହୀତ ହୋଇଗଲା । ପ୍ରେସ୍ ନୋଟ୍ ରୂପେ ତାକୁ ବଣ୍ଟାହେଲା ଓ ସାରା ଓଡ଼ିଶାରୁ ଆସିଥିବା କର୍ମୀମାନଙ୍କ ସହାୟତାରେ ରାଜ୍ୟ ତମାମ ଏହି ବାର୍ତ୍ତା ଚହଟିଗଲା କି, ନବୀନ ବାବୁ ଏପରି ଭୀଷଣ ଓଡ଼ିଆଭାଷାପ୍ରେମୀ ଯେ, ଓଡ଼ିଆ ଭାଷାର ବିକାଶ ପାଇଁ କୋଡ଼ିଏକୋଡ଼ିଏଟା ପ୍ରସ୍ତାବ ଏକାଥରେ ଗ୍ରହଣ କରିଛନ୍ତି । ଆମକୁ କୁହାଗଲା ଯେ, ଆପଣଙ୍କର ଦାବି ତ ପୂରଣ ହୋଇଗଲା, ଆଉ ଆନ୍ଦୋଳନ କାହିଁକି?

ମୁଁ କିନ୍ତୁ ତାକୁ ବିରୋଧ କରିଥିଲି ।

ଆଖିମିଟିକା ଚଳିବନି ବୋଲି କହିଥିଲି ।

ସେଦିନ ବସ୍ତୁତଃ ନବୀନ ପଟ୍ଟନାୟକଙ୍କୁ ବ୍ୟବହାର କରି ଆମ ଭାଷା ଆଇନକୁ କାର୍ଯ୍ୟକାରୀ କରାଇନଦେବାପାଇଁ ବଦ୍ଧପରିକର ଅମଲାତନ୍ତ୍ର ସରକାରୀ ଭାଷା ଭାବେ ଆମ ଭାଷା ଯେପରି ବ୍ୟବହାର ହୋଇନପାରେ ତା ପାଇଁ ପୁରୀ କ୍ୟାବିନେଟରେ ପ୍ରସ୍ତାବ ଗ୍ରହଣ କରିଥିଲା । ପ୍ରସ୍ତାବଟି କାହିଁକି ଥିଲା ଆମ ଭାଷା ପାଇଁ ଘାତକ ତାହା ମୋର ଉପରୋକ୍ତ ଦୁଇ ଲେଖାରୁ ଆପଣ ସ୍ପଷ୍ଟ ହୋଇପାରିବେ ।

ସେହି ଦିନର ସେହି ପ୍ରସ୍ତାବ ସମ୍ପୂର୍ଣ ଅବୈଧ ଥିଲା । କାର୍ଯ୍ୟ ନିୟମାବଳୀର ସମ୍ପୂର୍ଣ ଉଲ୍ଲଂଘନ କରାଯାଇ ଓଡ଼ିଆ ଜାତିକୁ ପ୍ରତାରିତ କରିବା ପାଇଁ ତାହା ଥିଲା ଏକ ଧୂର୍ତ୍ତ କୌଶଳ । ଅତ୍ୟନ୍ତ ଅବୈଧ ଶୈଳୀରେ ମଧ୍ୟ ସେହି ପ୍ରସ୍ତାବକୁ ବ୍ୟବହାର କରି ଭାଷା ଆଇନ ସଂଶୋଧନ ହୋଇଛି ଦୁଇ ଥର ୨୦୧୮ରେ । ଫଳରେ ଓଡ଼ିଆରେ କାମ ହେଉନାହିଁ । ମୁଖ୍ୟମନ୍ତ୍ରୀଙ୍କ ପ୍ରତାରଣାକୁ ଘୋଡେଇପକାଇବାପାଇଁ ସେହି ଅବୈଧ ସଂଶୋଧନକୁ ବୈଧ ଦର୍ଶାଇ ଅବୈଧ ନିୟମାବଳୀର ସଂଶୋଧନ ହୋଇଛି ୨୦୧୯ରେ । ଏହି ଅବୈଧତାକୁ ଲୁଚାଇବା ପାଇଁ ଆମ ଭିତରୁ ଦୁଇଜଣ ଅର୍ଥଲୋଭୀଙ୍କୁ ପୋଷାମନାଇ ମୁଖ୍ୟମନ୍ତ୍ରୀ ସେହିମାନଙ୍କ ମାଧ୍ୟମରେ ଭାଷାଆନ୍ଦୋଳନସହ ଏକଦା ଜଡ଼ିତ ଥିବା ଲୋକମାନଙ୍କୁ କୁହା କରାଉଛନ୍ତି କି, ଭାଷା ଆଇନ ନିର୍ଭୁଲ ଭାବେ ସଂଶୋଧନ ହୋଇସାରିଛି । ଏହି ଦୁଇ ବିଶ୍ଵାସଘାତକ  – ପବିତ୍ର ମହାରଥା ଓ ପ୍ରଦ୍ୟୁମ୍ନ ଶତପଥି – ଜାଣନ୍ତି ନାହିଁ, ଯଦି ଭାଷା ଆଇନ ନିର୍ଭୁଲ ହୋଇସାରିଛି ତେବେ ତାହା କାର୍ଯ୍ୟକାରୀ ହେଉନହିଁ କାହିଁକି !

ପ୍ରତାରଣାର ଏ ଦୁଇବର୍ଷ ଓଡ଼ିଆ ଜାତିର ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ଏହି କଳଙ୍କ କବଳରୁ ଆମ ଭାଷା ମାଆକୁ ଉଦ୍ଧାର କରିବାକୁ ଚାଲିରହିଛି କଳାପତାକା ଅଭିଯାନ ।

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.