ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା କାର୍ଯ୍ୟକ୍ଷେତ୍ରରେ ଓଡ଼ିଆ ଭାଷା ଅଲଙ୍ଘ୍ଯ କରାଯିବା ଉଦ୍ଦେଶ୍ୟରେ । ଏହି ଉଦ୍ଦେଶ୍ୟ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶାର ସମ୍ବିଧାନପ୍ରସୂତ ପ୍ରଥମ ବିଧାନସଭା ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ (The Orissa Official Language Act) ୧୯୫୪ରେ ପ୍ରଣୟନ କରିଥିଲା । ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ତାହାକୁ ତତ୍କାଳ ବଳବତ୍ତର କରିଥିଲେ । ମାତ୍ର ହରେକୃଷ୍ଣ ମହତାବଙ୍କ କୁତ୍ସିତ ଷଡ଼ଯନ୍ତ୍ର ହେତୁ ଏହି ଆଇନକୁ କାର୍ଯ୍ୟକାରୀ କରିବା ପୂର୍ବରୁ ସେ କ୍ଷମତା ପରିତ୍ୟାଗ କରିଥିଲେ । ବିଜୁ ପଟ୍ଟନାୟକ, ବିରେନ୍ ମିତ୍ର ଓ ନୀଳମଣି ରାଉତରାୟ (ପବିତ୍ରମୋହନ ପ୍ରଧାନଙ୍କ ଭାଷାରେ ମହତାବଙ୍କ ତିନି ରକ୍ତ ପିପାସୁ ସୈନିକ – three musketeers)ଙ୍କୁ ବ୍ୟବହାର କରି ମହତାବ ତ ଓଡ଼ିଶାର ଦ୍ଵିତୀୟ ମୁଖ୍ୟମନ୍ତ୍ରୀ ବନିଗଲେ , ମାତ୍ର ତତ୍କାଳୀନ ଓ ପରବର୍ତ୍ତୀ କୌଣସି ବିଧାନସଭା ଓଡ଼ିଶାର ଜନସାଧାରଣଙ୍କୁ ଭାଷା ଅଧିକାର ନଦେଇଥିବା କୌଣସି ମନ୍ତ୍ରୀମଣ୍ଡଳକୁ ଉତ୍ତରଦାୟୀ କରିନଥିବା ହେତୁ ଓଡ଼ିଶାର ପ୍ରାଥମିକ ସ୍ଵାର୍ଥରେ ପ୍ରଣୀତ ଓ ପ୍ରବର୍ତ୍ତିତ ସେହି ଭାଷା ଆଇନ କାର୍ଯ୍ୟତଃ ବ୍ୟବହୃତ ହୋଇପାରିଲା ନାହିଁ । ଫଳରେ ନିଜ ରାଜ୍ୟରେ ନିଜ ଭାଷା ଅପାଂକ୍ତେୟ ହୋଇଗଲା ।
ଏହାର ପ୍ରତିବିଧାନ ପାଇଁ ମୁଁ ନେଇଥିବା ପଦକ୍ଷେପଗୁଡ଼ିକ ବିଭିନ୍ନ ଖବରକାଗଜ ଓ ୱେବ୍ସାଇଟରେ ସ୍ଥାନିତ ହୋଇଥିବା ବେଳେ କେତେକ ପୁସ୍ତକରେ ବି ପ୍ରକାଶିତ ହୋଇଛି । ସେହି ସମସ୍ତ ପ୍ରାମାଣିକ ପୁସ୍ତକର ସଂକ୍ଷିପ୍ତ ପରିଚୟ ଏହି ପୃଷ୍ଠାରେ ।
ଓଡ଼ିଶା ପ୍ରଦେଶ ସୃଷ୍ଟିରେ ଗଣମାଧ୍ୟମ
ଓଡ଼ିଶା କିପରି ଅବସ୍ଥାରେ ଓ କେଉଁ ଉଦ୍ଦେଶ୍ୟରେ ଆବିର୍ଭୂତ ହେଲା, ତହିଁ ମୂଳରେ ଥିବା ତପସ୍ୟାର ସ୍ୱରୂପ କିପରିଥିଲା, ତହିଁର ଗଭୀର ଗବେଷଣାଲବ୍ଧ ତଥ୍ୟ ପ୍ରାସଙ୍ଗିକ ଆବଶ୍ୟକତା ଅନୁଯାୟୀ ବହିଟିରେ ସ୍ଥାନିତ, ଯାହାର କୋମଳ ସଂସ୍କରଣ ୨୦୦୯ରେ ପ୍ରକାଶିତ ହୋଇ ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପାଇଁ ସମ୍ବାଦିକମାନେ ତଥା ଗଣମାଧ୍ୟମ ସମୁଦାୟ କି କର୍ତ୍ତବ୍ୟ କରିବା ଆବଶ୍ୟକ ତାହା ସେମାନଙ୍କ ସମ୍ମୁଖରେ ରଖିଥିଲା ନଭେମ୍ବର ୮ ତାରିଖରେ । ତହିଁର ସଂଯୋଗ ସରଣି (link) – https://orissamatters.com/2009/08/11/mass-media-in-creation-of-orissa/
ପ୍ରାୟ ୬ ବର୍ଷ ପରେ ୨୦୧୫ରେ ଏହାର ଏକ ମୁଦ୍ରିତ ସଂସ୍କରଣ ପ୍ରକାଶିତ ହୋଇ ଓଡ଼ିଆ ଭାଷା ସଂଗ୍ରାମ ସମିତି ଚଳାଇଥିବା ‘ଭାଷା ଆଇନ କାର୍ଯ୍ୟକାରିତା ଆନ୍ଦୋଳନ’ର ସହାୟକ ସାହିତ୍ଯ ଭାବେ ପରିଗୃହୀତ ହୋଇଥିଲା ।
ଭାଷା ଆଇନର କାର୍ଯ୍ୟକାରିତା ପାଇଁ ଆମରଣ ଅନଶନ କରିଥିବା କବି ଗଜାନନ ମିଶ୍ର ଏହା ଉପରେ ମତ ଦେଇ ଲେଖିଥିଲେ, “ଏହି ଲଢେଇର ଅସ୍ତ୍ର ଭାବେ ସାମ୍ବାଦିକ ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଏହି ପୁସ୍ତକଟି ଅତ୍ୟନ୍ତ ଶକ୍ତିଶାଳୀ । ଆମ ଭାଷା ଇତିହାସରେ ଏହା ଏପରି ଏକ ଦିଗ ସ୍ପଷ୍ଟ କରେ ଯାହା ସର୍ବଥା ପ୍ରଣିଧାନଯୋଗ୍ୟ ।”
ସମିତିର ଆବାହକ କବି ଶଙ୍କର୍ଷଣ ପରିଡ଼ା ଲେଖିଥିଲେ, “ଏହା ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କର ଏକ ଅନନ୍ୟ ସୃଷ୍ଟି, ଯାହା ଆମ ଭାଷା, ସାହିତ୍ଯ, ସଂସ୍କୃତି ଓ ସାମଗ୍ରିକ ବ୍ୟବସ୍ଥାରେ ଗଣମାଧ୍ୟମର ଉଦ୍ଦାତ୍ତ ପଦଧ୍ବନୀର ଏକ ଅନୁପମ ଅଲେଖ୍ୟ ।”
ସମିତିର ଯୁଗ୍ମ ଆବାହକ ତଥା ଭାଷା ଗବେଷକ ସୁବ୍ରତ କୁମାର ପୃଷ୍ଟି ଲେଖିଥିଲେ, “ପରାଧୀନତା କାଳରେ ଓଡ଼ିଶାର ସାମ୍ବାଦିକ, ସଂପାଦକ ଓ ନେତୃତ୍ବର ସମ୍ମିଳିତ ପ୍ରଚେଷ୍ଟା ଓଡ଼ିଆ ଭାଷାକୁ ବିଲୋପୀକରଣ ଷଡ଼ଯନ୍ତ୍ର ଜାଲରୁ ରକ୍ଷା କରି ଭାଷା ଭିତ୍ତିରେ ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସୃଷ୍ଟି କରିଥିଲା । ଅଥଚ ଆଜି ଓଡ଼ିଆ ଭାଷାର ଅସ୍ତିତ୍ଵ ବିପଦାପନ୍ନ ହୋଇଥିଲେ ମଧ୍ୟ ସେମାନେ ଉଦାସୀନ । ଏଥିପାଇଁ ଇ ପୁସ୍ତକଟି ଯେତିକି କ୍ଷୋଭରେ ଭରା, ଆମ ଭାଷା ପ୍ରତି ସୃଷ୍ଟି ହୋଇଥିବା ବିପଦର ଅପସାରଣ ପାଇଁ ସେତିକି ଆହବନକାରୀ ।”
ସମିତିର ଅନ୍ଯତମ ନେପଥ୍ୟ ନାୟକ କବି ଉମାକାନ୍ତ ରାଉତ (ଅରୂପ) ଲେଖିଥିଲେ, “ମା, ମାତୃଭୂମି , ମାତୃଭାଷାର ଗରିମା ଓ ଅଖଣ୍ଡତା ପାଇଁ ସଞ୍ଜୀବନୀର ଯୋଗ୍ୟତା ରଖିଥିବା ଏହି ସଂକଳନଟି ପ୍ରତ୍ଯେକ ସଚ୍ଚା ଓଡ଼ିଆ ପାଇଁ ଭାଗବତ ପୁରାଣ ସଦୃଶ ବୋଲି ମୁଁ କହିବାକୁ ଉଚିତ ମଣୁଛି । ସଂପ୍ରତିକ ସ୍ଥିତିରେ , ଭାଷା ଓ ସାର୍ବଭୌମତ୍ଵକୁ ନେଇ ସରକାର ଓ ସରକାରୀ କଳର ଉଦାସୀନତା ପରିପ୍ରେକ୍ଷୀରେ ଓଡ଼ିଆ ଜାତି ପାଇଁ ଏଇଭଳି ଏକ ପୁସ୍ତକର ଆବଶ୍ୟକତା ଅପରିହାର୍ଯ୍ୟ ।”