ନିଉଜ୍୧୮ ଦ୍ଵାରା ଆୟୋଜିତ ଓଡ଼ିଆ ଅସ୍ମିତା ସମ୍ପର୍କୀୟ ଏକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଇଥିବା ଭାଷଣ ଉପରେ ମୋର ପ୍ରତିକ୍ରିୟା
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସମ୍ପୂର୍ଣ୍ଣ ଅବଗତ ଯେ, ଓଡ଼ିଶା ଯେଉଁ ଭାଷାର ସୃଷ୍ଟି, ସେ ଭାଷା ଓଡ଼ିଶାର କୌଣସି କାର୍ଯ୍ୟାଳୟରେ ଅଲଙ୍ଘ୍ୟ ହୋଇନଥିବା ହେତୁ ଇଂରାଜୀରେ ଚାଲିଛି ରାଜ୍ୟର ପରିଚାଳନା ।
ବିଧାନ ପ୍ରଣୟନ ପ୍ରକ୍ରିୟାରେ ଜାଲିଆତି କରି ବିଜୁ ପଟ୍ଟନାୟକ ୧୯୬୩ରେ ଓଡ଼ିଶା ରାଜଭାଷା ଆଇନ, ୧୯୫୪ରେ ଯେଉଁ ୩(କ) ଧାରା ଯୋଡ଼ିଥିଲେ ଓ ତତୋଧିକ ଜାଲିଆତି କରି ମୋହନ ବାବୁଙ୍କ ପୂର୍ବବର୍ତ୍ତୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଧାରା ୪ , ୫ ଓ ୪(କ) ତଥା ଜାଲିଆତି ପ୍ରସୂତ ଯେଉଁ ନିୟମାବଳୀ ପ୍ରବର୍ତ୍ତନ କରିଛନ୍ତି, ତାହା ସରକାରୀ ଭାଷା ଭାବେ ଓଡ଼ିଆ ଭାଷାକୁ ଅକର୍ମଣ୍ୟ କରିଦେଇଛି ଓ ପ୍ରଥମ ଓଡ଼ିଶା ବିଧାନ ସଭା ୧୯୫୪ରେ ପ୍ରଣୟନ କରିଥିବା ଉପରୋକ୍ତ ଆଇନକୁ ବସ୍ତୁତଃ ଅକାମୀ କରିଦେଇଛି ।
ସ୍ମାରକପତ୍ର ମାଧ୍ୟମରେ ତାଙ୍କୁ ଏହା ଅବଗତ କରାଇଥିଲେ ମଧ୍ୟ, ଉପରୋକ୍ତ ଅବୈଧ ଧାରାଗୁଡ଼ିକୁ ତଥା ନିୟମାବଳୀକୁ ଲୋପ କରିବାକୁ କୌଣସି ପଦକ୍ଷେପ ନ ନେଇ ସେ ଓଡ଼ିଆ ଭାଷାର ରାଜଭାଷା ମର୍ଯ୍ୟାଦାକୁ ଅପାଙ୍କ୍ତେୟ କରି ରଖିଛନ୍ତି ।
ଯେଉଁ ଭାଷା କାର୍ଯ୍ୟାଳୟର ଭାଷା ନ ହୁଏ ତାହା ନିଷ୍ପ୍ରଭ ହୋଇଯାଏ ଓ କାଳ କବଳରେ ମରିଯାଏ, ଯେପରି ମରିଯାଇଛି ପାଲି ଭାଷା ଓ ସଂସ୍କୃତ, ବିପୂଳ ସାହିତ୍ୟ ସତ୍ତ୍ଵେ ।
ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଏହି ଅସଲ କଥା ଉପରେ ପାଟି ନ ଖୋଲି ବାକି ଯାହା କହିଛନ୍ତି ତାହା ତାଙ୍କ ଲୋକସମ୍ପର୍କ ଅଧିକାରୀ ବି କହିପାରିଥାନ୍ତେ।
ସୁଭାଷ ଚନ୍ଦ୍ର ପଟ୍ଟନାୟକ ,
ପ୍ରତିଷ୍ଠାତା, ଭାଷା ଆନ୍ଦୋଳନ, ଓଡ଼ିଶା
ଆଜି ଦିନରେ ସେହି ଦିନ
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଆଜି ଏପ୍ରିଲ ପହିଲା , ମା ଓଡ଼ିଶାର ଜନ୍ମଦିନ । ଆଜି ମଧ୍ୟ ଭାଷା ଆନ୍ଦୋଳନ, ଓଡ଼ିଶାର ଜନ୍ମଦିନ । ଆଇନ ଅଦାଲତରେ ଓଡ଼ିଆ ଭାଷାରେ କାର୍ଯ୍ୟ ସମ୍ପାଦନ ପାଇଁ ଓଡ଼ିଶା ରାଜ୍ୟଭାଷା ଆଇନ, ୧୯୫୪ର କାର୍ଯ୍ୟକାରିତା ଦାବିରେ ବଲାଙ୍ଗିର ଟିଟିଲାଗଡ଼ ନିବାସୀ ଅଧିବକ୍ତା ଗଜାନନ ମିଶ୍ର ୨୦୧୫ ଜୁଲାଇରେ ଯେଉଁ ଆମରଣ ଅନଶନ କରିଥିଲେ, ତାହା ତଦାନୀନ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୋହଲାଇ ଦେଇଥିଲା ।
ଅଗତ୍ୟା ଏକ ମନ୍ତ୍ରୀସ୍ତରୀୟ କମିଟି ଗଢି ଆଇନଟି କିପରି କାର୍ଯ୍ୟକାରୀ ହେବ ତା ପାଇଁ ସେ କମିଟିର ପରାମର୍ଶ ମାଗିଲେ ଓ ସେହି ଭିତ୍ତିରେ ଗଜାନନ ବାବୁ ତାଙ୍କ ଅନଶନ ଧର୍ମଘଟ ବି ଭାଙ୍ଗିଲେ ।
ସେହି କମିଟିରେ ମୁଁ ଜଣେ ସଦସ୍ୟ ଥିଲି ।
ଆଇନର ଉଦ୍ଦେଶ୍ୟ ଥିଲା ସମଗ୍ର ଓଡ଼ିଶାରେ ସମସ୍ତ ଓ ଯେ କୌଣସି ଦାପ୍ତରିକ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର । ଅଥଚ, ଯିଏ ତହିଁର ଉଲ୍ଲଙ୍ଘନ କଲା , ତା ବିରୁଦ୍ଧରେ କୌଣସି ଦଣ୍ଡ ଦେବାପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଆଇନଟିରେ ନଥିଲା। ତେଣୁ କେହି ତାକୁ ମାନୁନଥିଲେ । ଦଣ୍ଡବିଧାନ ପାଇଁ ବ୍ୟବସ୍ଥା ଖଞ୍ଜିବାକୁ ଆଇନଟିର ସଂଶୋଧନ ସକାଶେ ମୁଁ ପ୍ରସ୍ତାବ ଦେଇଥିଲି ।
ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ ନକରିବା ପାଇଁ ନବୀନବାବୁ ଆଶ୍ଚର୍ଯ୍ୟଜନକ ପଦକ୍ଷେପମାନ ନେଲେ । କମିଟିର ଅଧିକାଂଶ ସଦସ୍ୟ ଯେହେତୁ ନବୀନଙ୍କ କରୁଣା କାମନା କରୁଥିଲେ, ମୋର ହୃଦ୍ବୋଧ ହେଲା, ମୋ ପ୍ରଦତ୍ତ ପରାମର୍ଶ ସପକ୍ଷରେ ଏକ ନୂଆ ଆନ୍ଦୋଳନ ନ କଲେ, ଓଡ଼ିଆରେ ଓଡ଼ିଶା ଚାଲିବା ସମ୍ଭବ ହେବ ନାହିଁ । ସୁତରାଂ ୨୦୧୬ ଏପ୍ରିଲ ପହିଲା ସକାଳେ ମୁଁ ଭାଷା ଆନ୍ଦୋଳନ ପ୍ରତିଷ୍ଠା କଲି ଓ ଓଡ଼ିଶାର ଜନସାଧାରଣଙ୍କ ପରାମର୍ଶ ଲୋଡ଼ି ଫେସବୁକ ପୃଷ୍ଠାରେ ଏକ ନିବେଦନ ରଖିଲି । ଦୁଇବର୍ଷ ତଳେ ନିଆଯାଇଥିବା ତହିଁର ସ୍କ୍ରିନସଟ୍ ନିମ୍ନରେ :
ଭାଷା ଆନ୍ଦୋଳନ: ସ୍ବାଗତଯୋଗ୍ୟ ଚୈତନ୍ୟୋଦୟ
ଆଜି ସାମାଜିକ ଗଣମାଧ୍ୟମ -ଫେସବୁକ – ପୃଷ୍ଠାରେ ଏକ ସୁଖଦାୟକ ଖବର ନଜରକୁ ଆସିଲା ।
ମୋ ପାଇଁ ଅତ୍ୟନ୍ତ ଆନନ୍ଦର କଥା , ମୋର ଯେଉଁ ସାଥିମାନେ ଭ୍ରମିତ ହୋଇ ଭାବିଥିଲେ, ନବୀନ ପଟ୍ଟନାୟକ ଭାଷା ଆଇନରେ ଆଣିଥିବା ସଂଶୋଧନ ନିର୍ଭୁଲ, ଓ ସେହି ବିଶ୍ୱାସରେ ଆନ୍ଦୋଳନର ଆଉ କୌଣସି ଆବଶ୍ୟକତା ନାହିଁ ବୋଲି ଘୋଷଣା କରି କଳାପତାକା ଅଭିଯାନରୁ ଓହରି ଯାଇଥିଲେ, ସେମାନଙ୍କ ଭ୍ରମ ତୁଟିଛି । ସେମାନେ ଘୋଷଣା କରିଛନ୍ତି , ଓଡ଼ିଆ ନୂଆବର୍ଷଠାରୁ ପୁନଶ୍ଚ କଳାପତାକା ଅଭିଯାନ ଚଳାଇବେ ।
ସେମାନଙ୍କର ଏହି ଚୈତନ୍ୟୋଦୟକୁ ସର୍ବାନ୍ତଃକରଣରେ ମୁଁ ସ୍ଵାଗତ କରୁଛି ଓ ନିଜ ଭାଷା ଅଧିକାର ହାସଲ କରିବା ପାଇଁ ସମଗ୍ର ଓଡ଼ିଆ ଜାତି ଭାଷା ମାଆର ଜୈତ୍ରବାନା – କଳାପତାକା – ଉତ୍ତୋଳନ କରି ଏହି ଅଭିଯାନକୁ ସଫଳ କରିବାକୁ ମୁଁ ନିବେଦନ କରୁଛି ।
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ପ୍ରତିଷ୍ଠାତା , ଭାଷା ଆନ୍ଦୋଳନ,ଓଡ଼ିଶା
ସରକାରୀ ଷଡଯନ୍ତ୍ର କବଳରେ ଓଡ଼ିଶାର ରାଜ୍ୟଭାଷା -୩
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଉତ୍କଳଦୀପିକାର ସମ୍ପାଦକୀୟରୁ ଯେଉଁ କଥାଟି ସ୍ପଷ୍ଟ ହୁଏ, ତାହା ହେଲା ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ଅଧିନସ୍ଥ ଓଡ଼ିଆ ଇଲାକାରେ ତେଲୁଗୁ ଭାଷାକୁ ସରକାରୀ ଭାଷା ଭାବେ ପ୍ରବର୍ତ୍ତିତ କରାଯାଇଥିବା ବେଳେ ବଙ୍ଗଳା ଗଭର୍ଣ୍ଣମେଣ୍ଟ ଓ ମଧ୍ୟପ୍ରଦେଶ ଚିଫ୍ କମିଶନରଙ୍କ ଅଧିନସ୍ଥ ଓଡ଼ିଆ ଇଲାକାରେ ଓଡ଼ିଆ ଭାଷାରେ ରାଜକାର୍ଯ୍ୟ ଚାଲୁଥିଲା । କିନ୍ତୁ ସେହି ଉଭୟ ଗଭର୍ଣ୍ଣମେଣ୍ଟ ଦପ୍ତରରେ କାମ କରୁଥିବା “ସ୍ଵାର୍ଥପର ଲୋକେ” ଓଡ଼ିଆ ଭାଷାକୁ କାର୍ଯ୍ୟାଳୟମାନଙ୍କରୁ ଉଠାଇ ଦେବାକୁ ନାନା ଷଡ଼ଯନ୍ତ୍ର ଚଳାଇଥିଲେ । ଉତ୍କଳଦୀପିକା ସମ୍ପାଦକ ଲେଖିଥିଲେ, ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଓଡ଼ିଆ ଭାଷାରେ ରାଜକାର୍ଯ୍ୟ ନହେବା “ଯୁକ୍ତିଯୁକ୍ତ ନ୍ୟାୟର ବିରୁଦ୍ଧ କାର୍ଯ୍ୟ” ହେବ ବୋଲି ଉଭୟ ବଙ୍ଗଳା ଓ ମଧ୍ୟପ୍ରଦେଶ ସରକାରର ମୁଖ୍ୟ ପଦଧିକାରୀ ବିଚାର କରୁଥିବା ହେତୁ ଓଡ଼ିଆ ଭାଷାର ରାଜଭାଷା ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ଥିଲା ।
ଏହି ଭିତ୍ତି ଉପରେ ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ଅଧୀନସ୍ଥ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଓଡ଼ିଆ ଭାଷାରେ ରାଜକାର୍ଯ୍ୟ ପରିଚାଳନା ପାଇଁ ଗୁମୁସର-ସମ୍ମିଳନୀର ପ୍ରସ୍ତାବ ସପକ୍ଷରେ ଉତ୍କଳଦୀପିକା ଯୁକ୍ତି କରିଥିଲା ।
କ’ଣ ଥିଲା ଏହି ପ୍ରସ୍ତାବ?
(କ୍ରମଶଃ )
ସରକାରୀ ଷଡ଼ଯନ୍ତ୍ର କବଳରେ ଓଡ଼ିଶାର ରାଜ୍ୟଭାଷା -୨
ସୁଭାଷ ଚନ୍ଦ୍ର ପଟ୍ଟନାୟକ
ରସୁଲକୋଣ୍ଡାରେ ଅନୁଷ୍ଠିତ ଏହି ସମ୍ମିଳନୀ ଥିଲା ଭାଷା ଭିତ୍ତିରେ ଓଡ଼ିଶା ପ୍ରଦେଶ ଗଠନ ପାଇଁ ସଂଗଠିତ ଜନମତର ପ୍ରଥମ ପରିପ୍ରକାଶ । ଏଥିରେ ଯେଉଁ ପ୍ରସ୍ତାବ ଗୃହୀତ ହୋଇଥିଲା ତହିଁରେ ଥିବା ପ୍ରକଟିତ ସତ୍ଯର ଅବତାରଣା ଏକାନ୍ତ ଐତିହାସିକ । ଓଡ଼ିଆମାନଙ୍କ ଇଲାକାରେ ରାଜଭାଷା ଭାବେ ତେଲୁଗୁ ପ୍ରଚଳିତ ହେବାରୁ ଯେଉଁ ତେଲେଙ୍ଗାମାନେ ଓଡ଼ିଆ ଭାଷାଭାଷୀ ଭୂଖଣ୍ଡକୁ ଯମାଳୟ ପରି ଜ୍ଞାନ କରୁଥିଲେ ସେମାନେ ……… ଯମଦୂତ ପରି କର୍ମ କରୁଛନ୍ତି ।” ନିଜ ଭାଷା ରାଜଭାଷା ହୋଇ ନରହିଲେ ଜନସାଧାରଣଙ୍କର କିପରି ସର୍ବନାଶ ଘଟେ ତାହାର ଏହା ଏକ ନିରୋଳା ବିବରଣୀ ।
ପତ୍ର ରୂପେ ଏହା ପ୍ରାପ୍ତ ହୋଇ ‘ଉତ୍କଳଦୀପିକା ‘ର ସମ୍ପାଦକ ଗୌରୀ ଶଙ୍କର ରାୟ ୨୦.୧୨.୧୮୭୦ ତାରିଖରେ ତାଙ୍କ ସଂପାଦକୀୟ ସହ “ଘୁମୁସର ପତ୍ର” ଶୀର୍ଷକରେ ଏହାକୁ ପ୍ରକାଶ କରିଥିଲେ ।
ଐତିହାସିକ ଗୁରୁତ୍ଵ ଦୃଷ୍ଟିରୁ ନିମ୍ନରେ ତାହା ପ୍ରଦତ୍ତ ହେଲା:
ଅଦ୍ୟ ଦିବସର ଅତିରିକ୍ତ ପତ୍ରିକାରେ ଘୁମୁସରରୁ ଆସିଥିବା ଗୋଟିଏ ପତ୍ର ମୁଦ୍ରିତ କରି ପାଠକମାନଙ୍କୁ ଅନୁରୋଧ କରୁଅଛୁ କି, ସେମାନେ ମନୋଯୋଗପୂର୍ବକ ତାହା ପାଠ କରିବେ । ଉତ୍କଳ ଦେଶ ହିତ ଚିନ୍ତାରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ଏ ବିଷୟରେ ବିଶେଷ ଉଦଯୋଗୀ ହେବାର ଆବଶ୍ୟକ । ଘୁମୁସରବାସୀମାନେ ଯାହା ପ୍ରାର୍ଥନା କରନ୍ତି ତାହା ଯେ ସର୍ବତୋଭାବେ ଯୁକ୍ତିଯୁକ୍ତ ଓ ବହୁ ଉପକାରମୂଳକ ଅଟଇ ଏ କଥାରେ ଅଣୁମାତ୍ର ସନ୍ଦେହ ନାହିଁ । ଓଡ଼ିଶାର ଦୂରବସ୍ଥା ଯେଉଁମାନେ ଜାଣନ୍ତି ଓ ତହିଁର କାରଣ ଅନୁସନ୍ଧାନ କରନ୍ତି ସେମାନେ ଅବଶ୍ୟ ଅବଗତ ହୋଇଥିବେ ଯେ, ଏ ଦେଶ ତିନି ଖଣ୍ଡ ହୋଇ ତିନି ଶାସନକର୍ତ୍ତାଙ୍କ ଅଧୀନରେ ରହିବାରୁ ଏହାର ଉନ୍ନତି ହେଉନାହିଁ । ଏକ ଖଣ୍ଡ ବଙ୍ଗଳା ଗଭର୍ଣ୍ଣମେଣ୍ଟ , ଏକ ଖଣ୍ଡ ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ଓ ଅପର ଏକ ଖଣ୍ଡ ମଧ୍ୟପ୍ରଦେଶର ଚିଫ୍ କମିଶ୍ନରଙ୍କ ଶାସନରେ ରହିବାରୁ ଏ ଦେଶ ସମୁଦାଯ ଏକ ହୋଇ ଚଳିପାରେନାହିଁ । ମାତ୍ର ଏ ପ୍ରକାର ଅବସ୍ଥାରେ ଥିଲେ ମଧ୍ୟ ଗଭର୍ଣ୍ଣମେଣ୍ଟ ଗୋଟିଏ କଥାରେ ଦ୍ରୁଷ୍ଟି ରଖିଥିବାରୁ ଅନେକ ମଙ୍ଗଲ ହେଉଅଛି । ବଙ୍ଗଳା ଓ ମଧ୍ୟପ୍ରଦେଶର ଅଧୀନରେ ଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ପ୍ରଚାର ଅଛି ଓ ସ୍ଵାର୍ଥପର ଲୋକେ କେତେ ଉପାୟ କାଲେ ହେଁ ଗଭର୍ଣ୍ଣମେଣ୍ଟ ଏ ଯୁକ୍ତିଯୁକ୍ତ ନ୍ୟାୟର ବିରୁଦ୍ଧ କାର୍ଯ୍ୟ କରିବାକୁ ସମ୍ମତ ହୋଇନାହାନ୍ତି । ଯେବେ ବଙ୍ଗଳା ଓ ମଧ୍ୟପ୍ରଦେଶରେ ଏପରି ହେଲା ତେବେ ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ଅନ୍ତର୍ଗତ ଓଡ଼ିଶାରେ କାହିଁକି ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟାଳୟମାନଙ୍କରେ କାର୍ଯ୍ୟ ନ ଚଳିବ ? ଓ, ଯେ ସ୍ଥଳେ ପୂର୍ବରେ ସେ ଭାଗର ରାଜକାର୍ଯ୍ୟ ଓଡ଼ିଆ ଭାଷାରେ ହୋଇ ଆସୁଥିଲା ତେବେ ଇଂରେଜ ଗଭର୍ଣ୍ଣମେଣ୍ଟ କାହିଁକି ଭିନ୍ନରୂପ ଆଚରଣ କରିବ? ଆମମାନଙ୍କୁ ନିଶ୍ଚୟ ବୋଧ ହେଉଅଛି ଯେ, ଉତ୍କଳବାସୀମାନେ ଏ ବିଷୟରେ ଏକମତ ହୋଇ ଗଭର୍ଣ୍ଣମେଣ୍ଟଙ୍କୁ ଆବେଦନ କାଲେ ତାହାଙ୍କର ପ୍ରାର୍ଥନା ସଫଳ ହେବ । ବିଦେଶୀୟ ଭାଷାରେ କାର୍ଯ୍ୟାଳୟର ଯାବତୀୟ କାର୍ଯ୍ୟ କରବା କଦାଚ ଗଭର୍ଣ୍ଣମେଣ୍ଟଙ୍କ ଅନୁମୋଦିତ ନୁହଇ । କେବଳ ଘୁମୁସରବାସୀମାନେ ଏତେଦିନ ଯତ୍ନ କରିନାହାନ୍ତି ବୋଲି ତାହାଙ୍କର ଦୁଃଖ ଶୁଣାଯାଇନାହିଁ । ଏବେ ସେମାନେ ସମସ୍ତ ଉତ୍କଳବାସୀଙ୍କଠାରେ ଏକଥା ଜଣାଇଲେ । ଏଥକୁ ଆବଶ୍ୟକ ଯେ, ପୁରୀ, କଟକ ଓ ବାଲେଶ୍ବରରେ ଥିବା ସମସ୍ତ ଉତ୍କଳୀୟ ତାହାଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ହୁଅନ୍ତୁ ଓ ଆମ୍ଭେମାନେ ଭରସା କରୁ ଯେ, ଉତ୍କଳୋଲ୍ଲାସିନୀ ସଭା ବିଶେଷ ଆଗ୍ରହ ପୂର୍ବକ ଏ ବିଷୟରେ ହସ୍ତକ୍ଷେପ କରନ୍ତୁ ।
(ଦ୍ରଷ୍ଟବ୍ୟ – https://www.scribd.com/doc/19216578/Role-of-Mass-Media-in-Creation-of-Orissa )
କ୍ରମଶଃ

