ପ୍ରେମକୁଞ୍ଜରେ ପୋଲିସ : ଅନ୍ଧକାରରେ ଓଡ଼ିଆ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବୁଧବାର ଆମକୁ ମିଳିଥିଲା କଟକ-ଭୁବନେଶ୍ଵର ଦ୍ଵୈତନଗରୀରେ ପୋଲିସ-ପ୍ରେମକୁଞ୍ଜର ଏକ ଲୋମହର୍ଷଣକାରୀ ବିବରଣୀ ସ୍ଵୟଂ ପୋଲିସ କମିସନରଙ୍କ ସୌଜନ୍ୟରୁ । ଭାଷା ଆଇନ ଅକାମି ହୋଇ ଓଡ଼ିଆ ଜାତି ଅନ୍ଧକାରରେ ପଡ଼ିଥିବା ବେଳେ ଇଂରାଜୀ ଭାଷାରେ ନିର୍ଯ୍ୟାତନା ଚଳାଇଥିବା ପୋଲିସର ଏହି ତୁଙ୍ଗ ଅଧିକାରୀ ଶ୍ରୀ ସୁଧାଂଶୁ ଷଡ଼ଙ୍ଗୀ ବଡ଼ ଗର୍ବର ସହ କହିଥିଲେ, ମାତ୍ର ବର୍ଷକ ଭିତରେ ୨୫ କୋଟି ଟଙ୍କା ଆଦାୟ ହୋଇଛି ଟ୍ରାଫିକ ନିୟମ ଉଲଂଘନକାରୀମାନଙ୍କଠାରୁ ଏବଂ ପୋଲିସକୁ ଆଖିମିଟିକା ମାରି ଯିଏ ଖସି ଯାଉଛି ତା ଘରେ ପହଞ୍ଚୁଛି “ପ୍ରେମପତ୍ର” ପୋଲିସ ମଞ୍ଜୁଷାକୁ ମଞ୍ଜୁଳତର କରିବା ପାଇଁ । ପ୍ରତ୍ୟହ ଏପରି ପ୍ରାୟ ୩୫୦ ପ୍ରେମପତ୍ର ଓଡ଼ିଆମାନଙ୍କ ଘରେ ପହଞ୍ଚୁଛି ବୋଲି ସେ କହିଥିଲେ । ସିସିଟିଭି ଜଗିଛି, ଖସିଯିବାର ଉପାୟ ନାହିଁ ।

କମିଶନର ଜାଣିଶୁଣି ହୁଏତ କହିନାହାନ୍ତି ବା କହିବାକୁ ଭୁଲି ଯାଇଛନ୍ତି ଯେ, ଗତ ବର୍ଷ – ଫେବୃଆରୀ ୨୦ରେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ପରିବହନମନ୍ତ୍ରୀ ବିଧାନସଭାରେ କହିଥିଲେ, ୨୦୧୯ ସେପ୍ଟେମ୍ବରରୁ ୨୦୨୦ ଜାନୁଆରୀ ମଧ୍ୟରେ ଆଦାୟ ହୋଇଥିବା ଏହି “ପ୍ରେମ” ବଟିର ପରିମାଣ ଥିଲା ୩୮.୬୭ କୋଟି ଟଙ୍କା ।

ଅତଏବ ୨୦୧୯ ସେପ୍ଟେମ୍ବର ଓ ୨୦୨୧ ଜାନୁଆରୀ – ଏହି ୨୫ ମାସ ଭିତରେ ଟ୍ରାଫିକ ନିୟମ ଲଙ୍ଘନ କରିଥିବା କାରଣରୁ ଓଡ଼ିଆ ଲୋକଙ୍କଠାରୁ ପୋଲିସ ଆଦାୟ କରିଛି ୬୩.୬୭ କୋଟି ଟଙ୍କା ।

ଓଡ଼ିଆ ଲୋକଙ୍କ ଘରକୁ ପଠାଯାଉଥିବା ଜୋରିମାନା ଆଦେଶକୁ “ପ୍ରେମପତ୍ର” ବୋଲି କହି ସେମାନଙ୍କ ମଜା ଉଡ଼ାଉଥିବା ପୋଲିସ ଏଯାଏଁ କହିନି କେଉଁ ବର୍ଗର ଲୋକେ ଟ୍ରାଫିକ ନିୟମ ଅବଗତ ଥାଇ ବି ଉଲ୍ଲଂଘନ କରୁଛନ୍ତି । ଜଣେ ଅଶିକ୍ଷିତ ଅଟୋ ରିକ୍ସା ଚାଳକଙ୍କୁ ୨୦୧୯ ସେପ୍ଟେମ୍ବର ୪ ତାରିଖରେ ୫୨ ହଜାର ଟଙ୍କା ଜୋରିମାନା କରାହୋଇଥିଲା, ଯେତେବେଳେ ମାତ୍ର ୩ ଦିନ ପୂର୍ବରୁ ସେ ମାସ ପହିଲା ତାରିଖରେ ଏ ନିୟମ ପ୍ରବର୍ତ୍ତିତ ହୋଇଥିଲା ଓ ଖୁବ ଶିକ୍ଷିତ ଲୋକେ ବି ଏହା କଣ, ତାହା ଜାଣି ନଥିଲେ । ଅଜସ୍ର ଘଟଣାରୁ ଏହା ମାତ୍ର ଗୋଟିଏ ।

ଆମ୍ଭେ ସେତେବେଳେ ଲେଖିଥିଲୁ, ଟ୍ରାଫିକ ନିୟମାବଳୀ ତୁରନ୍ତ ସାଧାରଣ ବୋଧଗମ୍ୟ ଓଡ଼ିଆରେ ଅନୁବାଦ କରି ସର୍ବତ୍ର ବଣ୍ଟନ କରାଯାଉ ଓ ଲୋକେ ତାହା ହୃଦୟଙ୍ଗମ କଲା ପରେ ଆଶା କରାଯାଉ ଯେ, ସେମାନେ ତାହା ପାଳନ କରିବେ । ଆଜି ଯାଏଁ ତାହା ହୋଇନି । ଅଥଚ ନିୟମ ଉଲ୍ଲଂଘନ ହେଲା ବୋଲି ପୋଲିସ ଜୁଲୁମ ଚାଲିଛି ଓ ଯଦୃଚ୍ଛା ଜୋରିମାନା ଜାରିକୁ “ପ୍ରେମପତ୍ର” କହି ଓଡ଼ିଆ ଜାତିର ଅସ୍ମିତା ପ୍ରତି ତାତ୍ସଲ୍ୟ ପ୍ରଦର୍ଶନ କରୁଛନ୍ତି ପୋଲିସ ।

ଏହି ଜୁଲୁମ ଜାରି “ପ୍ରେମପତ୍ର” ?

ଦେଶୀ-ଇଂରାଜିଆ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଚାଟୁକାରମାନେ ଓଡ଼ିଆ ଜାତିକୁ ଆଉ କେତେ ଅପମାନ ଦେବେ ?