Posts from the Uncategorized Category

ବିଶେଷ ପ୍ରତିନିଧି

ଭାଷା ଆନ୍ଦୋଳନର କେନ୍ଦ୍ରାପଡ଼ା ଜିଲ୍ଲା ସଂଯୋଜକ ରଞ୍ଜନ କୁମାର ଦାସଙ୍କ ଆହ୍ବାନ କ୍ରମେ କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଛକସ୍ଥ ଯଦୁମଣି ମଙ୍ଗରାଜଙ୍କ ପ୍ରତିମୂର୍ତ୍ତି ସମ୍ମୁଖରୁ ଗୁରୁବାର ପୂର୍ବାହ୍ନରେ ଆନ୍ଦୋଳନର କଳାପତାକା ଅଭିଯାନ ଆରମ୍ଭ ହୋଇ ସମଗ୍ର ସହର ପରିକ୍ରମା କରି ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଓଡ଼ିଶା ସରକାରୀ ଭାଷା ଆଇନ,୧୯୫୪ରେ ଖଞ୍ଜା ହୋଇଥିବା ଧାରା ୪-କ ଓଡ଼ିଆ ଜାତିର ଭାଷା ଅଧିକାରକୁ ଅକାମି କରିଛି । ସୁତରାଂ ତାକୁ ବିଲୁପ୍ତ କରାଯାଇ ସାନି ସଂଶୋଧନ ଦ୍ଵାରା ତାର ଉଲ୍ଲଙ୍ଘନକାରୀକୁ କଠିନ ଦଣ୍ଡବିଧାନର ବ୍ୟବସ୍ଥା କରାଯାଉ ବୋଲି ଭାଷା ଆନ୍ଦୋଳନର ସଭାପତିମଣ୍ଡଳୀ ଗତ ୯.୧୧.୨୦୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ଚରମପତ୍ର ଦେଇଥିଲେ, ତାହା ସପକ୍ଷରେ ଜିଲ୍ଲା ଶାଖା ପକ୍ଷରୁ ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି ଜିଲ୍ଲାର ବିଶିଷ୍ଟ ଜନନେତା, ପ୍ରକୃତିପ୍ରେମୀ ଓ ଭାଷାପ୍ରେମୀମାନେ ।

କେନ୍ଦ୍ରୀୟ ସଭାପତି ମଣ୍ଡଳୀର ସଦସ୍ୟ ସର୍ବଶ୍ରୀ କମଳଲୋଚନ ନାୟକ, ସୁଭାଷ ଚନ୍ଦ୍ର ପ୍ରଧାନ ଓ ଗିରିଜାକାନ୍ତ ମିଶ୍ର ତଥା ଭାଷାପ୍ରାଣ ବ୍ରହ୍ମାନନ୍ଦ ବେହେରା ଏବଂ ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ପକ୍ଷରୁ ଉପଜିଲ୍ଲାପାଳ ସ୍ମାରକପତ୍ର ଗ୍ରହଣ କରିଛନ୍ତି ।

କଳାପତାକା ଅଭିଯାନରେ ଯୋଗଦେଇ ଭାଷା ବନ୍ଦନାରେ ଅଂଶଗ୍ରହଣ କରିବା ସଙ୍ଗେ ସଙ୍ଗେ ସ୍ମାରକପତ୍ର ପ୍ରଦାନରେ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି ପ୍ରାକ୍ତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଜନନେତା ରବୀନ୍ଦ୍ର କୁମାର ବେହେରା, ବିଶିଷ୍ଟ ପରିବେଶବିତ୍ ଉଦୟନାଥ ଚୌଧୁରୀ, କାଜଲ୍ ଚୌଧୁରୀ, ମୃତ୍ୟୁଞ୍ଜୟ ତ୍ରିପାଠୀ, ବସନ୍ତ କୁମାର ମଲ୍ଲିକ, ନିରଞ୍ଜନ ପରିଡ଼ା,ସଞ୍ଜୟ କୁମାର ମହାପାତ୍ର, ପ୍ରଭାତ ଦାସ,ସଞ୍ଜୟ କୁମାର ସାହୁ, ସଞ୍ଜୟ ରାଉତ ଓ ମୀର୍ ମୁର୍ସିଦ ପ୍ରମୁଖ । ଚିତ୍ରୋତ୍ତଳନ ଦାୟିତ୍ବ ନିର୍ବାହ କରିଛନ୍ତି ଆଶିଷ କୁମାର ବେହେରା ।

କେନ୍ଦ୍ରାପଡ଼ା ଜିଲ୍ଲାରେ ଅନୁଷ୍ଠିତ ଏହି ଅଭୂତପୂର୍ବ ପ୍ରଦର୍ଶନର କେତେକ ଫଟୋଚିତ୍ର ପ୍ରଦାନ କରିଛନ୍ତି ଆଶିଷ କୁମାର ବେହେରା ।

ସ୍ମାରକପତ୍ର ଦିଆସରିବା ପରେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ସମବେତ ଭାଷାପ୍ରେମୀମାନଙ୍କୁ ଆନ୍ଦୋଳନର ଗୁରୁତ୍ବ ଓ ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।

ଓଡ଼ିଆ ଜାତିର ଚିରପୂଜ୍ୟ ନବକୃଷ୍ଣ ଚୌଧୁରୀଙ୍କ ପବିତ୍ର ପ୍ରତିମୂର୍ତ୍ତି ଆଜି ବି କାଲି ପରି ଅଳିଆ ଆବର୍ଜନାର କୁଢ଼ରେ !

ଯଦି ନବବାବୁଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ କରିବା ଇଛାକୃତ ନ ହୋଇଥାନ୍ତା,ଏହିସବୁ ଆବର୍ଜନା ବିଧାନସଭା ସଦର ଫାଟକ ପାର୍ଶ୍ବରେ ଏହିପରି ଗଦା ହୋଇରହିଥାନ୍ତା କି?

ନବବାବୁଙ୍କ ପବିତ୍ର ପ୍ରତିମୂର୍ତ୍ତି ଓଡ଼ିଆ ଜାତି ପାଇଁ ପୂଜ୍ୟ ।

ମୁଖ୍ୟମନ୍ତ୍ରୀଙ୍କ ଆଦେଶ ବା ଅନୁମୋଦନ ବିନା ସଚିବାଳୟ ଓ ବିଧାନସଭା ରାସ୍ତା କଡ଼ରେ ଥିବା ନବବାବୁଙ୍କ ପ୍ରତିମୂର୍ତ୍ତି ପରିସରକୁ ଏପରି ଆବର୍ଜନାମୟ କରି ରଖିବାକୁ ପ୍ରଶାସନ କଣ ସାହସ କରନ୍ତା ?

ହକି ବିଶ୍ଵ କପ ପାଇଁ ଯେତେବେଳେ ରାସ୍ତାକଡ଼ ଏତେ ସଫାସୁତରା , ତମାମ ସଚିବାଳୟ ଓ ବିଧାନସଭା ପ୍ରାଚୀରରେ ଝିଲିମିଲି ଆଲୁଅର ବନ୍ୟା, ନିକଟସ୍ଥ ଗଛ ଡାଳରେ ଚାନ୍ଦୁଆ ଆଲୋକର ଝର ଝଲକ, ସେତେବେଳେ ଏହି ଆବର୍ଜନା କେମିତି କୁଢେଇ ହୋଇ ରହିଥାନ୍ତା ପରମ ପୂଜ୍ୟ ନବବାବୁଙ୍କ ବିଜେସ୍ଥଳୀରେ ବିଧାନସଭାର ମୁଖ୍ୟ ଫାଟକ କଡ଼ରେ ?

ବିଜୁ ବାବୁଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ନେଇ ନଥିଲେ ବୋଲି ନବ ବାବୁଙ୍କ ଉପରେ କଣ ନବୀନ ବାବୁଙ୍କ ଏତେ ରାଗ ଯେ, ସେ କରିଥିବା ଭାଷା ଆଇନକୁ ବାପା ପୁଅ ମିଶି ଛୁରୀ ମାରିଲେ ଯଥାକ୍ରମେ ୧୯୬୩ ରେ ଓ ୨୦୧୮ରେ ଏବଂ ଏବେ ସାରା ବିଶ୍ଵର ନଜର ଭୁବନେଶ୍ୱରରେ ପଡିଥିବା ବେଳେ ସର୍ବ ସମକ୍ଷରେ ତାଙ୍କ ପ୍ରତିମୂର୍ତ୍ତିକୁ ଆବର୍ଜନାମୟ କରି ରଖା ହୋଇଛି ?

ଏ ପ୍ରଶ୍ନ ପଚାରିଥିଲେ ଗତକାଲି ଭାଷା ଆନ୍ଦୋଳନର କଳାପତାକା ଅଭିଯାତ୍ରୀ ଗିରିଜାକାନ୍ତ ମିଶ୍ର, ବ୍ରହ୍ମାନନ୍ଦ ବେହେରା,କମଳଲୋଚନ ନାୟକ,ସୁଭାଷ ଚନ୍ଦ୍ର ପ୍ରଧାନ ଓ ଜିତେନ୍ କୁମାର ରାଉତ,ସୁଭାଷ ଚନ୍ଦ୍ର ପଟ୍ଟନାୟକ ଏବଂ ଆଶିଷ କୁମାର ବେହେରା । କାରଣ, ORISSA MATTERSରେ ଆଲୋଚନା ସତ୍ତ୍ବେ ଆବର୍ଜନା କୁଢ଼ କବଳରୁ ନବବାବୁଙ୍କ ପବିତ୍ର ପ୍ରତିମୂର୍ତ୍ତିର ନିସ୍ତାର ନଥିଲା ।

ମୁଖ୍ୟମନ୍ତ୍ରୀଙ୍କ ଦୂଷିତ ଅଭିସନ୍ଧି ପଦାକୁ ଆସିବା ପରେ ବାଧ୍ୟହୋଇ ଆଜି ସରକାରୀ କଳ କୁଢ଼ କରିଥିବା ଆବର୍ଜନା ଉଠାଇ ନେଇଛନ୍ତି ।

ଓଡିଶା ସରକାରୀ ଭାଷା ଆଇନର କାର୍ଯ୍ୟକାରିତା ଉପରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ଆଇନଟିର ଅଚଲତା ଅନୁଧ୍ୟାନ କରି ଗତ ୩. ୯. ୨୦୧୫ ତାରିଖରେ ସରକାରଙ୍କୁ ଦୁଇଟି ପରାମର୍ଶ ଦେଇଥିଲି – (୧) ଆଇନଟି ଉଲ୍ଲଙ୍ଗନ କଲେ କୌଣସି ଦଣ୍ଡବିଧାନ ବ୍ୟବସ୍ଥା ନ ଥିବା ହେତୁ କେହି ତାହାକୁ ମାନୁନାହାନ୍ତି ବୋଲି କହି ସେଥିପାଇଁ ଏକ ଚିଠା ସହ ଆଇନ ସଂଶୋଧନ କରିବାକୁ ପରାମର୍ଶ ଦେଇଥିଲି ଓ (୨) ଦଣ୍ଡବିଧାନ ପାଇଁ ତଥା ଅନ୍ୟାନ୍ୟ ପ୍ରାସଙ୍ଗିକ ସମସ୍ୟାର ସମାଧାନ ପାଇଁ ନିୟମାବଳୀ ପ୍ରଣୟନର ଆବଶ୍ୟକତା ଥିବା ବେଳେ ତାହାର ପ୍ରଣୟନ ପାଇଁ ଆଇନଟି ସରକାରଙ୍କୁ ଅଧିକାର ନ ଦେଇଥିବା ହେତୁ ସେହି ଅଧିକାର ଆହରଣ ପାଇଁ ମୋ ପ୍ରସ୍ତାବିତ ନିୟମାବଳୀ ଓ ଆଇନ ସଂଶୋଧନାର ଚିଠା ସହ ତୁରନ୍ତ ଏହି ସଂଶୋଧନ ପଥରେ ଆଗେଇବାକୁ ପରାମର୍ଶ ଦେଇଥିଲି । ଓଡ଼ିଆରେ ଶାସନ ନାମକ ଏକ ୱେବ ସାଇଟ ଖୋଲି ସରକାର ମୋର ଚିଠାକୁ ତହିଁରେ ସ୍ଥାନିତ କରିଥିଲେ ।

କିନ୍ତୁ ଭାଷା ଦାୟିତ୍ବରେ ଥିବା ଅଣ ଓଡ଼ିଆ ସ୍ବତନ୍ତ୍ର ଶାସନ ସଚିବ ଏହାକୁ ବିରୋଧ କରିବା ସଂଗେ ସଂଗେ କମିଟିରେ ଥିବା ଏକ ଭାଷା ବେପାରୀ ଗୋଷ୍ଠୀ ନିଜ ଫାଇଦା ପାଇଁ ଅଣଓଡ଼ିଆ ଅଫିସରଙ୍କ ସହ ହାତ ମିଳାଇବା ଦେଖି ମୁଁ ଦେଇ ଥିବା ପରାମର୍ଶ ସପକ୍ଷରେ ଭାଷା ଆନ୍ଦୋଳନ ପ୍ରତିଷ୍ଠା ହେଲା । ମୋ ପରାମର୍ଶ ମାନି ନିୟମ ପ୍ରଣୟନର କ୍ଷମତା ଆହରଣ ପାଇଁ ସରକାର ଆଇନ ସଂଶୋଧନ କଲେ ସିନା, ଦଣ୍ଡବିଧାନ ପାଇଁ ବ୍ୟବସ୍ଥା କରିବାକୁ ଏଡ଼େଇ ଚାଲିଲେ । ଏଥିରେ ଅତିଷ୍ଠ ହୋଇ ବିଜେଡି ଦଳର ନେତାମାନେ ବି ଆଇନ ସଂଶୋଧନ ସକାଶେ ଚାପ ପକାଇଲେ । ସେମାନଙ୍କୁ ଧାରଣା ଦେବାକୁ ଯେ ମୁଖ୍ୟମନ୍ତ୍ରୀ ଓଡ଼ିଆ ବିରୋଧୀ ନୁହନ୍ତି, ୨୬.୧୨.୨୦୧୭ ତାରିଖରେ ବିଜେଡିର ପୁରୀ ଅଧିବେଶନ କାଳରେ ମନ୍ତ୍ରିମଣ୍ଡଳର ଏକ ବିଶେଷ ଅଧିବେଶନ କରି ଭାଷା ଆଇନ ନ ମାନିଲେ “ବିହିତ ଦଣ୍ଡବିଧାନ” ପାଇଁ ପ୍ରସ୍ତାବ ହେଲା ଓ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଭାଷାର ସବୁଠୁ ବଡ଼ ସମର୍ଥକ ଭାବେ ପ୍ରଚାର କରାଗଲା । ଏ ଚାଲ ଉପରେ ଗଭୀର ଆଲୋକପାତ କରି ମୁଁ ଏହା ବିରୁଦ୍ଧରେ ଗଣମାଧ୍ୟମରେ ଲେଖିଲି । ଫଳରେ ୧୪.୩.୨୦୧୮ ତାରିଖରେ ରାଜ୍ୟ ମନ୍ତ୍ରୀମଣ୍ଡଳ ଆଉ ଥରେ ବସି ଏକ ନୂଆ ପ୍ରସ୍ତାବ କଲେ, ଯହିଁରେ ୨୬.୧୨.୨୦୧୭ ତାରିଖ ପ୍ରସ୍ତାବଟିକୁ ଲୋପ କରି ନୂଆ ପ୍ରସ୍ତାବର ଵିଜ୍ଞପ୍ତି ପ୍ରକାଶ ପାଇଲା । ଅଥଚ ଅତି ଅବୈଧ ଭାବେ , ମନ୍ତ୍ରୀମଣ୍ଡଳ ଅଜଣାରେ ୧୪.୩.୨୦୧୮ ତାରିଖ ପ୍ରସ୍ତାବଟିକୁ ମୁଖ୍ୟମନ୍ତ୍ରୀ କବର ଦେଇଦେଲେ ଏବଂ ୨୬.୧୨.୨୦୧୭ ତାରିଖର ଓଡ଼ିଆ ଦ୍ରୋହୀ ପ୍ରସ୍ତାବ ଉପରେ ଆଇନଟିକୁ ସଂଶୋଧିତ କରି ୪-କ ନାମକ ଏପରି ଏକ ଧାରା ଖଞ୍ଜିଲେ, ଯାହା ମୂଳ ଭାଷା ଆଇନଟିକୁ ନଷ୍ଟ କରି ଓଡ଼ିଆ ଜାତିର ଭାଷା ଅଧିକାରକୁ ଉଜାଡ଼ି ଦେଇଛି ।

ମୁଁ ଯେତେବେଳେ ଏହାକୁ ଘୋର ବିରୋଧ କଲି ଓ ଏହାର ବିଲୋପନ ଦାବି କଲି ଓ ବିଧାନସଭାକୁ ଭୁଲ ତଥ୍ୟ ଦେଇ ଓଡିଶା ସରକାରୀ ଭାଷା ଆଇନକୁ ଅକାମି କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ବାଚସ୍ପତି ନିଜ ଆଡୁ ସ୍ବାଧୀକାର ଭଙ୍ଗ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କଲି, ସେତେବେଳେ ଭାଷା ଆନ୍ଦୋଳନକୁ ଭାଙ୍ଗିଦେବା ପାଇଁ ସରକାର ଷଡ଼ଯନ୍ତ୍ର ଚଳାଇଲେ । ମୋତେ ସହଯୋଗ କରିଆସିଥିବା ଦୁଇଜଣ ମୁଖ୍ୟ ସାଥୀ ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥାଙ୍କୁ କୌଣସି ଅଜଣା ଥୋପ ଗିଳାଇ ଭାଷା ଆନ୍ଦୋଳନକୁ ମାରିଦେବା ପାଇଁ ପୋଷା ମନାଇ ନେଲେ ଅର୍ଥମନ୍ତ୍ରୀ ଓ ସେମାନେ ତାଙ୍କ ନାମ ବ୍ୟବହାର କରି କଳାପତାକା ଅଭିଯାନ ସ୍ଥଗିତ ରହିଲା ବୋଲି ଘୋଷଣା କଲେ ଓ ମୋର ନୈତିକବଳ ଭାଙ୍ଗି ଦେବା ପାଇଁ ସାମାଜିକ ଗଣମାଧ୍ୟମରେ ମୋ ଉପରେ ସେହି ମୁହୂର୍ତ୍ତରୁ ଯାବତୀୟ ଅଶ୍ଳୀଳ ଶବ୍ଦ ବାଣ ବର୍ଷିଲେ ।

ଯେହେତୁ ସେମାନେ ଅର୍ଥମନ୍ତ୍ରୀଙ୍କ ନାମ ବ୍ୟବହାର କରି ଗଣମାଧ୍ୟମରେ ବିବୃତ୍ତି ଦେଇଥିଲେ , ଅଥଚ ଅର୍ଥମନ୍ତ୍ରୀଙ୍କ ଦପ୍ତରରୁ କୌଣସି ବିବୃତ୍ତି ଆସିନଥିଲା, ସେହେତୁ ସତ୍ୟ ଜାଣିବା ପାଇଁ ଅଗଷ୍ଟ ୨୬,୨୦୧୮ ତାରିଖ ସକାଳ ୮ଟା ୭ ମିନିଟରେ ଅର୍ଥମନ୍ତ୍ରୀଙ୍କୁ ତାଙ୍କ ସରକାରୀ ଇ-ମେଲ ଠିକଣାରେ ଏହି ଉଭୟଙ୍କ ପ୍ରେସ ଵିଜ୍ଞପ୍ତିର ନକଲ ସହ ନିମ୍ନ ଲିଖିତ ପତ୍ର ପଠାଇ ତାଙ୍କଠାରୁ ସ୍ପଷ୍ଟୀକରଣ ଚାହିଁଥିଲି, ଯେହେତୁ ତାଙ୍କପରି ଜଣେ ମନ୍ତ୍ରୀ ଦଲାଲ ଲଗାଇ ଭାଷା ଆନ୍ଦୋଳନକୁ ଭାଙ୍ଗିବା ପରି ଅପରାଧରେ ଜଡ଼ିତ ହେବା ମୁଁ ବିଶ୍ଵାସ କରିପାରୁନଥିଲି । ଏହି ପାତ୍ରରେ ମୁଁ ତାଙ୍କୁ କହିଥିଲି, ସେ ଯାହା ଉତ୍ତର ଦେବେ ତାହା ମୁଁ ଓଡ଼ିଶାବାସୀଙ୍କ ସମ୍ମୁଖରେ ରଖିବି ଓ ଯଦି କୌଣସି ଉତ୍ତର ନ ଦିଅନ୍ତି ତାହା ବି ମୁଁ ଓଡ଼ିଶାବାସୀଙ୍କ ସମ୍ମୁଖରେ ରଖିବି । ତଦନୁଯାୟୀ ମୁଁ ଆଜି ଏହି ପ୍ରତିବେଦନ ରଖୁଛି ।

ମାନ୍ୟବର ଅବକାରୀ ଓ ଅର୍ଥ ମନ୍ତ୍ରୀ ଶ୍ରୀ ଶଶୀ ଭୂଷଣ ବେହେରା ,
ଓଡ଼ିଆ ଭାଷାରେ ଓଡ଼ିଶାର ଶାସନ ପାଇଁ ମୁଁ ପ୍ରତିଷ୍ଠା କରିଥିବା ଭାଷା ଆନ୍ଦୋଳନ ଓ କଳାପତାକା ଅଭିଯାନ ସମ୍ପର୍କରେ ଆପଣ ବ୍ୟକ୍ତିଗତ ଭାବେ ଅବଗତ ଓ ଟେଲିଭିଜନ ଚାନେଲମାନଙ୍କରେ ଏକାଧିକବାର ଆଲୋଚନା କରି ଏହାକୁ ଆପଣଙ୍କ ନୈତିକ ସମର୍ଥନ ବି ଦେଇଛନ୍ତି । ଏହି ଅଭିଯାନକୁ ପ୍ରତିଦିନ ଚାରିଜଣ କଳାପତାକାଧାରୀ ଯୋଗାଇବା ଦାୟିତ୍ବରେ ଥିବା ଦୁଇଜଣ ବ୍ୟକ୍ତି – ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା – ଯେଉଁମାନେ ଭାଷା ଆନ୍ଦୋଳନର ଯଥାକ୍ରମେ ସଭାପତି ଓ ଆବାହକ ଭାବେ ପରିଚିତ , ଗତ ୧୬. ୭. ୨୦୧୮ ତାରିଖ ସନ୍ଧ୍ୟାରେ ଏକ ପ୍ରେସ ବିବୃତ୍ତି ଜାରି କରି କଳାପତାକା ଅଭିଯାନ ସେହିଦିନଠାରୁ ସ୍ଥଗିତ ରହିଲା ବୋଲି ଘୋଷଣା କଲେ । ସେମାନଙ୍କ ସେହି ଆଚରଣ ଅନଧିକୃତ ଥିବା ହେତୁ ଓଡ଼ିଆ ଜାତି ତାହାକୁ ପ୍ରତ୍ୟାଖ୍ୟାନ କଲା ଓ କଳାପତାକା ଅଭିଯାନ ଘୋଷିତ କାର୍ଯ୍ୟସୂଚୀ ଅନୁସାରେ ଯଥାରୀତି ଚାଲିଛି । ଯେଉଁ ପର୍ଯ୍ୟନ୍ତ ସରକାରୀ ଭାଷା ଆଇନକୁ ଆଇନତଃ ନ ହେଲେ ବି କାର୍ଯ୍ୟତଃ ନିର୍ଜୀଵ କରିଦେବାକୁ ହୋଇଥିବା ସରକାରୀ ଷଡଯନ୍ତ୍ର ପ୍ରତ୍ୟାହୃତ ନ ହୋଇଛି ଓ ଏକ ନିର୍ଭୁଲ ସଂଶୋଧନ ଦ୍ଵାରା ତାକୁ ସଶକ୍ତିକୃତ କରା ନ ଯାଇଛି ସେ ପର୍ଯ୍ୟନ୍ତ ଏହା ଚାଲିବ । ମାତ୍ର ଉପରୋକ୍ତ ଦୁଇଜଣ ବ୍ୟକ୍ତି ଏହାକୁ ସ୍ଥଗିତ ରଖିବା ପାଇଁ ଯେହେତୁ ଆପଣଙ୍କ ନାମ ବ୍ୟବହାର କରିଥିଲେ , ଅଥଚ ଗତ କ୍ୟାବିନେଟ ବୈଠକରେ ଆପଣ ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତିର କୌଣସି ଝଲକ ବି ତହିଁରେ ଦେଖିହେଲାନାହିଁ, ସେ ହେତୁ ଆପଣଙ୍କ ନାମ ସେମାନେ ଅଧିକୃତ ଭାବେ ବ୍ୟବହାର କରିଥିଲେ କି ଅନଧିକୃତ ଭାବେ ତାହା ଜାଣିବା ପାଇଁ ସେମାନେ ଜାରିକରିଥିବା ପ୍ରେସ ବିବୃତ୍ତିର ନକଲ ମୁଁ ଏଠି ସହ ସଂଯୁକ୍ତ କଲି । ମୁଁ ଆଶା କରୁଛି ଆପଣ ଏହା ଅନୁଧ୍ୟାନ କରିବେ ଓ ନିଜ ଭୂମିକା ସ୍ପଷ୍ଟ କରି ମୋତେ ଆପଣଙ୍କ ଉତ୍ତର ଦେବେ । ଆପଣ ଯେଉଁ ଉତ୍ତର ଦେବେ ତାହା ମୁଁ ଓଡ଼ିଶାର ଜନସାଧାରଣଙ୍କ ସମ୍ମୁଖରେ ରଖିବି ଓ ଯଦି କୌଣସି ଉତ୍ତର ନ ଦିଅନ୍ତି ତାହା ବି ମୁଁ ଜନସାଧାରଣଙ୍କୁ ଜଣାଇବି । କାରଣ ପରୋକ୍ଷରେ ପବିତ୍ର ମହାରଥା ଏପରି ଏକ ଧାରଣା ସୃଷ୍ଟି କରିଛନ୍ତି ଯହିଁରୁ ଜଣା ପଡୁଛି ସତେ ଯେମିତି କଳାପତାକା ଅଭିଯାନ ବନ୍ଦ କରିବା ପାଇଁ ମୋଟା ଧରଣର ଆର୍ଥିକ ପ୍ରଲୋଭନ ଦ୍ଵାରା ତାଙ୍କୁ ପ୍ରଲୋଭିତ କରାଯାଇଥିଲା । ଏହା ଏକ ଅତ୍ୟନ୍ତ ଦୁଃଖଦାୟକ ବିଭାବନା । ଆମ ରାଜ୍ୟର କୌଣସି ମାନ୍ୟବର ମନ୍ତ୍ରୀ ଏପରି ଏକ ବିଭାବନାର ନାଭିକେନ୍ଦ୍ରରେ ସଂସ୍ଥିତା ହେବା – ତାଙ୍କ ଜ୍ଞାତସାରରେ ହେଉ ବା ଅଜ୍ଞାତରେ – ଆଦୌ କାମ୍ୟ ନୁହେଁ । ତେଣୁ, ମୋର ଅନୁରୋଧ, ଏଥି ସହ ସଂଯୁକ୍ତ ପ୍ରେସ ବିବୃତ୍ତିଟି ଅନୁଧ୍ୟାନ କରିବେ ଓ ଦୟାକରି ସ୍ପଷ୍ଟ କରିବେ କି,
(୧ ) ଏଥିରେ କୁହାହୋଇଥିବା ପରି ପ୍ରତିଶ୍ରୁତି ଆପଣ ଦେଇଥିଲେ କି ?
(୨) ଏପରି ପ୍ରତିଶ୍ରୁତି ଦେବାକୁ ଆପଣଙ୍କୁ ସମ୍ପୃକ୍ତ ଆଇନର ଦାୟିତ୍ବରେ ଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ କି ?
(୩) ଯଦି ଦେଇଥିଲେ, ଗତ କ୍ୟାବିନେଟ୍ ବୈଠକରେ ତାହା ପ୍ରସ୍ତାବିତ ନ ହେବାର କାରଣ କଣ ?
ଇତି ,
ଆପଣଙ୍କର
ସୁଭାଷ ଚନ୍ଦ୍ର ପଟ୍ଟନାୟକ ,
ଅଧ୍ୟକ୍ଷ , ଭାଷା ଆନ୍ଦୋଳନ , ଓଡ଼ିଶା

ଅତ୍ୟନ୍ତ ଦୁଃଖର କଥା, ମାନ୍ୟବର ଅର୍ଥମନ୍ତ୍ରୀ ଏବେ ବି ଅପରାଧୀ ପରି ନିରବ !

ବିଶେଷ ପ୍ରତିନିଧି

ନଭେମ୍ବର ମାସ ସରିବାର ପୂର୍ବ ଦିନଟି ଜଗତସିଂହପୁର ପାଇଁ ଅବିସ୍ମରଣୀୟ ହୋଇ ରହିବ ।

ଭାଷା ଆନ୍ଦୋଳନର ଜଗତସିଂହପୁର ଶାଖା ସେଦିନ ଜିଲ୍ଲାପାଳଙ୍କ ମାର୍ଫତରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମରଣ କରାଇ ଦେଇଛି କି, ଓଡ଼ିଶା ସରକାରୀ ଭାଷା ଆଇନ,୧୯୫୪ରେ ଖଞ୍ଜା ହୋଇଥିବା ଧାରା ୪-କ ଓଡ଼ିଆ ଜାତିର ଭାଷା ଅଧିକାରକୁ ଖର୍ବ କରିଥିବାରୁ ତାକୁ ବିଲୁପ୍ତ କରାଯାଇ ଏବଂ ମୂଳ ଆଇନଟିକୁ ଅକ୍ଷୁର୍ଣ୍ଣ ରଖି, ସାନି ସଂଶୋଧନ ଦ୍ଵାରା ତାର ଉଲ୍ଲଙ୍ଘନକାରୀକୁ କଠିନ ଦଣ୍ଡବିଧାନର ବ୍ୟବସ୍ଥା କରାଯିବା ପାଇଁ ଭାଷା ଆନ୍ଦୋଳନର ସଭାପତିମଣ୍ଡଳୀ ପକ୍ଷରୁ ଗତ ୯.୧୧.୨୦୧୮ ତାରିଖରେ ତାଙ୍କୁ ଯେଉଁ ଚରମପତ୍ର ଦିଆଯାଇଛି ତଦନୁଯାୟୀ ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ ହେଉ ।

ଓଡ଼ିଆ ଭାଷାର ପ୍ରଥମ ମହାକବି ସାରଳା ଦାସ ଓ ଓଡ଼ିଆ ଜାତିକୁ ନିଜ ଭାଷାରେ ସରକାରୀ ସେବା ପାଇବା ଅଧିକାର ଦେଇ ଯେଉଁ ଆଇନ ୧୯୫୪ରେ ପ୍ରଣୀତ ଓ ପ୍ରବର୍ତ୍ତିତ ହୋଇଥିଲା ତାର ପ୍ରଦାତା , ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ମନୀଷୀ ନବକୃଷ୍ଣ ଚୌଧୁରୀ – ଉଭୟଙ୍କ ଏନ୍ତୁଡ଼ିଶାଳ ନିଜ ବକ୍ଷରେ ବହନ କରୁଥିବା ଜିଲ୍ଲା ହେଉଛି ଜଗତସିଂହପୁର । ସୁତରାଂ ଭାଷା-ଗାରିମାର ଏହି ସମୁଜ୍ଜ୍ଵଳ ଜିଲ୍ଲାରେ ଭାଷା ଜନନୀଙ୍କ ବିଜୟଵନା ଭାବେ ସମାଦୃତ କଳାପତାକାର ଲହର ଲାଭ କରିଥିଲା ଅଭୂତପୂର୍ବ ଜନାଦୃତି ।

ଭାଷା ଆନ୍ଦୋଳନର ଜିଲ୍ଲା ସଂଯୋଜକ କୃଷ୍ଣାନନ୍ଦ ସାହୁଙ୍କ ଆହ୍ବାନକ୍ରମେ ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଦେବୀ ପ୍ରସାଦ ଚୌଧୁରୀ ,ପ୍ରାଣକୃଷ୍ଣ ସେଠି ,ମାଧବେନ୍ଦ୍ର ଗୋଛାୟତ,ରମାକାନ୍ତ ଦାଶ, ପ୍ରଶାନ୍ତ କୁମାର ମଲ୍ଲିକ, ସୁନୀଲ କୁମାର ମାଟିଆ, କୃଷ୍ଣଚନ୍ଦ୍ର ପ୍ରଧାନ, ସରୋଜ କୁମାର ସାହୁ, ସଚିନ କୁମାର ବେଉରା,ସରୋଜ କୁମାର ଲେଙ୍କା, ବଂଶୀଧର ବେହେରା,ଅରୁଣ ମହାନ୍ତି, ସୁଦର୍ଶନ ବେହେରା,ପ୍ରଶାନ୍ତ କୁମାର ମହାପାତ୍ର, ବାନାମ୍ବର ମାଟିଆ, ସୌମ୍ୟ ସଂଜୀବ ଦାସ ପ୍ରମୁଖଙ୍କ ନେତୃତ୍ବରେ ନଭେମ୍ବର ୨୯, ଦିବା ୧୧ଟାରେ ଭାଷା ଆନ୍ଦୋଳନର କଳାପତାକା ସହ ଅଭିଯାତ୍ରୀମାନେ ନିମାଇଁ ଭବନଠାରୁ ଏକ ନିରବ ଶାନ୍ତିପୂର୍ଣ ପଟୁଆରରେ ଆସି ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଥିଲେ ।

ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ, କେନ୍ଦ୍ରୀୟ ସଭାପତିମଣ୍ଡଳୀ ସଭ୍ୟ କମଳଲୋଚନ ନାୟକ, କେନ୍ଦ୍ରୀୟ ଅଭିଯାତ୍ରୀ ଶିଶିର କୁମାର ସାହୁ ଓ ଜିତେନ୍ କୁମାର ରାଉତ ଉପସ୍ଥିତ ଥିଲେ । ଆଶିଷ କୁମାର ବେହେରା ଉତ୍ତୋଳନ କରିଥିବା ଏହି ଐତିହାସିକ ଘଟଣାର କେତେକ ଫଟୋ ଚିତ୍ର ଏଥିର ସନ୍ନିହିତ ହେଲା ।

ଏଇଠି ସରୁ ନାହିଁ । ସରକାର ଯଦି ନିଜ ଭୁଲ ସଂଶୋଧନ ନ କରନ୍ତି ତେବେ ଗାଁ ଗାଁ ବ୍ୟାପି ଏ ଆନ୍ଦୋଳନ ଚାଲିବ ବୋଲି ସ୍ମାରକପତ୍ର ଦେଇ ସାରିବା ପରେ ଘୋଷଣା କରିଥିଲେ ଜନପ୍ରିୟ ଜନନେତା ବିପ୍ଳବ ଚୌଧୁରୀ ।

ସାମ୍ବାଦିକତାର ଉଦୀୟମାନ ପ୍ରତିଭା ଶ୍ରୀ ସୌମ୍ୟରଂଜନ ନାୟକ ସୋମବାର ସ୍ଵୟଂ ଶ୍ରୀକ୍ଷେତ୍ର ପୁରୀରେ ଭାଷା ଆନ୍ଦୋଳନର ଯେଉଁ କଳାପତାକା ଅଭିଯାନକୁ ସାମାଜିକ ଗଣମାଧ୍ୟମ ଫେସ ବୁକ ମାଧ୍ୟମରେ ସିଧା ପ୍ରସାରିତ କରିଥିଲେ, ତାହା ଏବେ oissamatters.com ‘ୟୁ ଟ୍ୟୁବ’ରେ ସ୍ଥାପିତ କରିଛି ।

ଆନ୍ଦୋଳନ ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ସମେତ ଏହାର ସଭାପତିମଣ୍ଡଲୀର ତିନିଜଣ ସଦସ୍ୟ , ଯଥା ଶ୍ରୀ କମଳଲୋଚନ ନାୟକ,ଶ୍ରୀ ଗିରିଜାକାନ୍ତ ମିଶ୍ର,ଶ୍ରୀ ସୁଭାଷ ଚନ୍ଦ୍ର ପ୍ରଧାନ ଏବଂ ଅବିଭକ୍ତ ପୁରୀ ଜିଲ୍ଲାର ସଂଯୋଜକ ଶ୍ରୀ ବିବୁଧେନ୍ଦ୍ର ବିଦ୍ୟାଧର ଓ ଅଗ୍ରଣୀ ନେତା ଶ୍ରୀ ମୃତ୍ୟୁଞ୍ଜୟ ତ୍ରିପାଠୀ ଏହି ସିଧା ପ୍ରସାରଣରେ ଶ୍ରୀ ନାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଭାଷା ଆନ୍ଦୋଳନର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।

ସାରା ଭାରତରେ ପ୍ରଥମେ ମାତୃଭାଷାକୁ ସରକାରୀ ଭାଷା ଭାବେ ବ୍ୟବହାର କରିବାକୁ ଆଇନ ପ୍ରଣୟନ ପାଇଁ ଉଦ୍ୟମ ହୋଇ ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ପୁଣ୍ୟଶ୍ଳୋକ ନବକୃଷ୍ଣ ଚୌଧୁରୀ ପ୍ରଥମ ନିର୍ବାଚିତ ବିଧାନସଭାରେ ଓଡିଶା ସରକାରୀ ଭାଷା ଆଇନ ପାରିତ ଓ ପ୍ରବର୍ତ୍ତିତ କରିଥିଲେ । ତାକୁ ଅକ୍ଷୁର୍ଣ୍ଣ ରଖି ତହିଁର ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନ ବ୍ୟବସ୍ଥା ପାଇଁ ଆଇନ ସଂଶୋଧନ କରିବାକୁ ପ୍ରାୟ ତିନି ବର୍ଷ ଧରି ଭାଷା ଆନ୍ଦୋଳନ ଚାଲିଥିବା ବେଳେ ବର୍ତ୍ତମାନର ଓଡ଼ିଆଵିଦ୍ଵେଷୀ ସରକାର ସଂଶୋଧନ ଅଳରେ ସେହି ଆଇନଟିକୁ ଅତି ବେଆଇନ ଶୈଳୀରେ ଖର୍ବ କରିଛନ୍ତି ଓ ତାର ପ୍ରତିକାର ପାଇଁ ଜଣେ ବିରୋଧୀ ଦଳ ସଭ୍ୟ. ସିପିଆଇ (ଏମ)ର ଶ୍ରୀ ଲକ୍ଷ୍ମଣ ମୁଣ୍ଡା ଏକ ଘରୋଇ ବିଧେୟକ ଆଣିବାକୁ ଚିଠା ସହ ନୋଟିସ ଦେବା ପରେ ମୁଖ୍ୟମନ୍ତ୍ରୀଙ୍କ ଚାପରେ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ଏହି ଦୃଶ୍ୟପଟର ଅନ୍ତ ପାଇଁ ଭାଷା ଆନ୍ଦୋଳନର ପୁରୀ (ଅବିଭକ୍ତ ଜିଲ୍ଲା) ଶାଖା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଯେଉଁ ସ୍ମାରକପତ୍ର ଦେଇଛନ୍ତି ତାର ବିବରଣୀ ଏହି ୱେବ ସାଇଟରେ ସେହି ଦିନ ହିଁ ପ୍ରକାଶ ପାଇଛି ।

ଏବେ ଶ୍ରୀ ନାୟକଙ୍କ ସିଧା ପ୍ରସାରଣର ୟୁ ଟ୍ୟୁବ ସଂକଳନ :

ସିଂହଦ୍ଵାରରେ କଳାପତାକା ଅଭିଯାନର ଅୟମାରମ୍ଭ ଦୃଶ୍ୟ –

ବିଶ୍ଵବିଖ୍ୟାତ ବଡ଼ଦାଣ୍ଡରେ କଳାପତାକା ଅଭିଯାନ ଆଗେଇଚାଲିଥିବାର ଦୃଶ୍ୟ –

ସରକାରଙ୍କ ଓଡ଼ିଆ ଭାଷାଵିଦ୍ଵେଷୀ ଆଚରଣ ବନ୍ଦ ନ ହେଲେ ଓଡ଼ିଶାର ପୁରପଲ୍ଲୀରେ କଳାପତାକା ଅଭିଯାନ
ଚାଲିବ ବୋଲି ଭାଷା ଆନ୍ଦୋଳନ ନେତୃତ୍ବ ଘୋଷଣା କରିଛି ।