ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ -୪

ପୂର୍ବପ୍ରକାଶିତ ଉତ୍ତାରୁ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଘୁମୁସରରୁ ଆରମ୍ଭ ହୋଇ ଭାଷା ଜାତୀୟତାର ସ୍ରୋତ ସମଗ୍ର ଗଞ୍ଜାମରେ ବ୍ୟାପିଗଲା ଓ ଏହା ଏପରି ରୂପ ଧାରଣ କଲା ଯେ, ମାନ୍ଦ୍ରାଜ ସରକାର ୧ ଅଗଷ୍ଟ ୧୮୯୦ ତାରିଖରେ ବାଧ୍ୟ ହୋଇ ଘୋଷଣା କଲେ କି , ଘୁମୁସରରେ ଥିବା ସମସ୍ତ ସରକାରୀ ଅଫିସ ତଥା ଅଦାଲତମାନଙ୍କରେ କେବଳ ଓଡ଼ିଆ ଭାଷାରେ ହିଁ କାମ ହେବ । କିନ୍ତୁ ଅଣଓଡିଆଙ୍କ ଚକ୍ରାନ୍ତ ହେତୁ ଏହି ଏକା ଆଦେଶରେ ପୁନଶ୍ଚ କୁହାହେଲା , ଘୁମୁସର ଭିନ୍ନ ଗଂଜାମ ଜିଲ୍ଲାର ଅନ୍ୟତ୍ର ଓଡ଼ିଆ ସାଙ୍ଗକୁ ତେଲୁଗୁ ବି ଚାଲିବ । ଫଳରେ ଯାହା ହେଲା ତାର ପ୍ରତିଛବି ଆମେ  ‘ଗ’ ଚିହ୍ନିତ ଦସ୍ତାବିଜରେ ଦେଖୁଁ । ନିଜ ଭାଷା ପାଇଁ ଗଂଜାମ ଜିଲ୍ଲା ସଂଘର୍ଷ ରତ ଥିବା ବେଳେ ୩୦ ଜାନୁଆରୀ ୧୮୯୫ ତାରିଖର ମଧ୍ୟପ୍ରଦେଶ ଗେଜେଟରେ ସେଠିକା ସରକାର ସମ୍ବଲପୁର ମୂଲକରେ ୧୮୯୬ ଜାନୁଆରୀ ପହିଲାରୁ ଓଡ଼ିଆ ପରିବର୍ତ୍ତେ ହିନ୍ଦୀରେ ସରକାରୀ କାମ ହେବ ବୋଲି କହିଲେ । ତା ପ୍ରଭାବରେ ମାନ୍ଦ୍ରାଜ ସରକାର ଗଞ୍ଜାମରେ ପ୍ରବର୍ତ୍ତନ କଲେ ସମ୍ପୁର୍ଣ୍ଣ ତେଲୁଗୁ ଯାହାର ପ୍ରତିଛବି ଆମେ ‘କ’ ଚିହ୍ନିତ ଦସ୍ତାବିଜରେ ଦେଖୁଁ । ସମ୍ବଲପୁର ମାତିଉଠିଲା ନିଜ ମାତୃଭାଷା ଓଡ଼ିଆକୁ ରାଜଭାଷା ଭାବେ ପୁନଃ ପ୍ରତିଷ୍ଠା କରିବା ପାଇଁ ।

ପୁଣ୍ୟଶ୍ଳୋକ ଦାମୋଦର ପଟ୍ଟନାୟକ ଥିଲେ ତାଳଚେର ରାଜ୍ୟର ପରିଚାଳକ (Manager) ସେଠିକା ରାଜା ନାବାଳକ ଥିବା ହେତୁ । ସମ୍ବଲପୁରରେ ହିନ୍ଦୀ ପ୍ରଚଳନକୁ ବିରୋଧ କରି ଯେଉଁ ଆନ୍ଦୋଳନ ଚାଲିଥିଲା ସେ ତାକୁ ଆର୍ଥିକ ସାହାଯ୍ୟ କରୁଥିଲେ କେବଳ ନୁହେଁ , ସବୁ ଲୋକ ଗାଇ ପାରିଲା ପରି ଗୀତ ଲେଖି ମାତୃଭାଷା ଓଡ଼ିଆ ପାଇଁ ଜୀବନପଣକରି ଲାଗିବାକୁ ଲୋକଙ୍କୁ ପ୍ରଚୋଦିତ କରୁଥିଲେ । ‘ଉତ୍କଳଦୀପିକା’ରୁ ଉଦ୍ଧାର କରି ‘ସମ୍ବଲପୁର ହିତୈଷୀଣି’ ତାଙ୍କର ଏପରି ଏକ ଗୀତ ୮ ଏପ୍ରିଲ ୧୮୯୬ରେ ପ୍ରକାଶ କରିଥିଲା ଯାହା ସମଗ୍ର ପଶ୍ଚିମ ଓଡ଼ିଶାରେ ଓଡ଼ିଆ ଭାଷା ପୁନଃ ପ୍ରଚଳନ ପାଇଁ ଚାଲିଥିବା ଆନ୍ଦୋଳନକୁ ଲେଲିହାନ କରିଥିଲା । ‘ଭୈରବୀ ରାଗ , ଆଦି ତାଳ’ରେ ଗେୟ ଏହି ମହାନ ବୈପ୍ଲବିକ ଗୀତରୁ ମୁଁ ଶେଷ ପଦ ଦୁଇଟିକୁ ଏଠାରେ ଉଦ୍ଧାର କରୁଛି :

“ଯାଉ ଏ ଜୀବନ ଧନ ହୁଅ ଏକ ପ୍ରାଣ ମନ
ହେଉ ଶରୀର ପତନ ରଖ ଏବେ ପଣ
ସର୍ବେ ରଖ ଏବେ ପଣ ।।
ଜନନୀ ରସନା ହିନ୍ଦୀ କାଟଇ ଜାତିକି ନିନ୍ଦି
ଉଠରେ ଉତ୍କଳ ଭାଇ ଘେନ ନିବେଦନ
ଭାଇ ସହେ କି ଜୀବନ?”

ସମ୍ବଲପୁର ଜିଲ୍ଲାରୁ ଉତ୍କଳ ଭାଷା ଉଠିଯାଇ ହିନ୍ଦୀଭାଷା ପ୍ରଚଳିତ ହେବା ସମ୍ବାଦରେ ଉତ୍କଳ ଭାରତୀଙ୍କ କ୍ଷୋଭ ଶୀର୍ଷକ ଏକ କବିତା ପ୍ରକାଶ ପାଇଥିଲା ସମ୍ବଲପୁର ହିତୈଷୀଣୀର ଭାଗ ୬, ସଂଖ୍ୟା ୩୬ରେ । ତହିଁରୁ ପଦେ –

“ସମ୍ବଲପୁରର ଅଧିବାସୀମାନେ
ଉତ୍କଳ ଚିର ସନ୍ତାନ
ହିନ୍ଦୀ ଆଧିପତ୍ୟ ହୋଇବ ସେଠାରେ
ଶୁଣି ସର୍ବେ ହତ ଜ୍ଞାନ ।”

ଓଡ଼ିଆ ଭାଷା ଜାତୀୟତାର ଶ୍ରେଷ୍ଠ ସାରସ୍ୱତ ସେନାପତି ସ୍ଵଭାଵକବି ଗଙ୍ଗାଧର ମେହେର ‘ଉତ୍କଳ ଭାରତୀଙ୍କ ନିବେଦନ’ ଶିର୍ଷକ କବିତାରେ କାଳେ ବିଲାତ ସରକାର ରାଗିବେ ଏହି ଭୟରେ ଓଡ଼ିଆ ଭାଷା ଆନ୍ଦୋଳନଠୁ ଦୁରେଇ ରହିଥିବା ସମ୍ବଲପୁର ଅଂଚଳର ରାଜାମହାରାଜାମାନଙ୍କୁ ତୀବ୍ର ଆକ୍ରମଣ କରିଥିଲେ । ଏପରିକି ନିଜ ଇଲାକାର ରାଜାଙ୍କୁ ସେ ଆକ୍ଷେପ କରି କହିଥିଲେ :

“ବରପଲ୍ଲୀପତି ଜାଣଇଁ ମୁହିଁ ତୁମ୍ଭର ମନ ।
ମୋହ ଲାଗି କହି ପାରିବ ପଦେ ଅଧେ ବଚନ?
ହରିହର ସିଂହ ତୁମ୍ଭେ ତ କିଛି କହିବ ନାହିଁ
କହିଲେ ଅବା ଉପାଧିଟି ରାଜେ ନେବେ ଛଡ଼ାଇ!” (କ୍ରମଶଃ)

ମନୀଷୀ ନବକୃଷ୍ଣ ଓ ମାତୃଭାଷା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ପାଠପଢା ଛାଡି ଏକସମୟରେ ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଏକାଶ୍ରେଣୀରେ ପଢୁଥିବା ଏପରି ତିନିଜଣ ଛାତ୍ର, ଯେଉଁମାନେ ପରବର୍ତ୍ତୀ କାଳରେ ଓଡ଼ିଶାର ରାଜନୈତିକ ନଭରେ ଜ୍ୟୋତିଷ୍କ ସାଜିଥିଲେ ମଧ୍ୟ ମାତୃଭାଷା ଓଡ଼ିଆକୁ କେନ୍ଦ୍ରକରି ପରସ୍ପରଠାରୁ କାର୍ଯ୍ୟତଃ ଦୂରେଇ ଯାଇଥିଲେ । ସେମାନେ ହେଲେ, ହରେକୃଷ୍ଣ ମହତାବ, ନିତ୍ୟାନନ୍ଦ କାନୁନଗୋ ଓ ନବକୃଷ୍ଣ ଚୌଧୁରୀ । ତିନିହେଁ ୧୯୪୬ରେ ଗଠିତ ସ୍ଵାଧୀନତା ପୂର୍ବବର୍ତ୍ତୀ ବିଧାନସଭାରେ ସଦସ୍ୟ ଥିଲେ କେବଳ ନୁହେଁ, ଓଡ଼ିଶାର ଶାସନ ଭାର ଗ୍ରହଣ କରିଥିଲେ । ମହତାବ ହୋଇଥିଲେ ପ୍ରଧାନମନ୍ତ୍ରୀ, କାନୁନଗୋ ହୋଇଥିଲେ ଆଇନ ମନ୍ତ୍ରୀ ଓ ଚୌଧୁରୀ ହୋଇଥିଲେ ରାଜସ୍ୱ ମନ୍ତ୍ରୀ ।

ସେମାନେ ଏହିପରି କ୍ଷମତାରେ ଥିଲାବେଳେ ୧୯୪୭ ଅଗଷ୍ଟ ୧୪ ମଧ୍ୟୋତ୍ତର ରାତ୍ରିରେ ଭାରତ ସ୍ଵାଧୀନ ହେଲା । ସୁତରାଂ ୧୯୪୮ ଏପ୍ରିଲ ପହିଲା ଥିଲା ସ୍ଵାଧୀନ ଭାରତରେ ପ୍ରଥମ ଉତ୍କଳ ଦିବସ । ବିଧାନସଭା ଚାଲିଥାଏ । ଓଡ଼ିଶାର ଅନ୍ୟତମ ଶେଷ୍ଠ ସ୍ଵାଧୀନତା ସଂଗ୍ରାମୀ, ସମ୍ବଲପୁର ନିବାସୀ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ସେଦିନ ଓଡ଼ିଆ ଭାଷାକୁ ଓଡ଼ିଶାର ସରକାରୀ ଭାଷା କରିବା ପାଇଁ ରାଜ୍ୟ ସରକାର ଆଇନ ପ୍ରଣୟନ କରନ୍ତୁ ବୋଲି ବିଧାନସଭାରେ ଏକ ପ୍ରସ୍ତାବ ଆଗତ କଲେ । ଏବଂ ଏପରି ପ୍ରସ୍ତାବ ଆଗତ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ । ବାଚସ୍ପତି ପାଟିଫିଟାଇବା ପୂର୍ବରୁ ଅଣଓଡ଼ିଆ ରାଜକୃଷ୍ଣ ବୋଷ ପଣ୍ଡିତ ମିଶ୍ରଙ୍କ ଉପରେ ଚଳାଇଲେ ଅତ୍ୟନ୍ତ ତାତ୍ସଲ୍ୟଭରା ବାଚନିକ ଆକ୍ରମଣ । ପରେ ପରେ ଆଇନମନ୍ତ୍ରୀ ହୋଇଥିବା କାନୁନଗୋ ତାଙ୍କୁ ଆହୁରି ଅଧିକ ତୀବ୍ର ଶୈଳୀରେ ପ୍ରତ୍ୟାଖ୍ୟାନ କରି ସେହି ପ୍ରସ୍ତାବ ସେ ପ୍ରତ୍ୟାହାର କରିନେବାକୁ ବାଧ୍ୟ କରିଥିଲେ । ଏବଂ ପଣ୍ଡିତ ମିଶ୍ର ତାହା ପ୍ରତ୍ୟାହାର କଲାବେଳେ ବିଧାନଗତ ବୟାନ ଦେଉଥିବା ବେଳେ ତାଙ୍କୁ ଅତି କର୍କଶ କଣ୍ଠରେ ପଚରା ଯାଇଥିଲା, “ପ୍ରତ୍ୟାହାର କଲ କି ନାହିଁ?” ପଣ୍ଡିତ ମିଶ୍ର ଆଖିର ଲୁହ ଓଠରେ ପିଆଇ କହିଥିଲେ, “ମୁଁ ପ୍ରତ୍ୟାହାର କଥାଟି ବହୁତର କହିଛି , ମାନ୍ୟବର ଅଧ୍ୟକ୍ଷ ମଧ୍ୟ ଶୁଣିଛନ୍ତି “ (କେତେ ଆଉ କହିବି?) ।

ରାଜ୍ୟରେ ଚାଲିଥିଲା ମହତାବଙ୍କ ଶାସନ । 

ଗୃହରେ ନୀରବରେ ବସିଥିବା ରାଜସ୍ଵମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ନିଜ ଦୁଇ ସହପାଠୀ ମହତାବ ଓ କାନୁନଗୋଙ୍କ ଆଚରଣ ଦେଖି ଲଜ୍ଜାରେ ନୂଆଇଁ ଦେଇଥିଲେ ମଥା ।

ମାତୃଭାଷାପ୍ରାଣ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କୁ ଯେଉଁ ସରକାର ଏପରି ଅପମାନ ଦେଇ ଭାଷା ଆଇନ ପ୍ରଣୟନ ପ୍ରସ୍ତାବକୁ ପ୍ରତ୍ୟାହାର କରିବାକୁ ବାଧ୍ୟ କଲା, ସେହି ସରକାରରେ ମନ୍ତ୍ରୀ ହୋଇରହିବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା । ତେଣୁ ସେ ମନ୍ତ୍ରୀ ପଦ ତ୍ୟାଗ କରିବାକୁ ମନସ୍ଥ କରି ତାଙ୍କ ଦାୟିତ୍ବରେ ଥିବା ସରକାରୀ କାର୍ଯ୍ୟଗୁଡ଼ିକ ସାରିବା ପାଇଁ ଲାଗିଗଲେ । ପ୍ରାୟ ତିନି ସପ୍ତାହ ଲାଗିଗଲା । ଏପ୍ରିଲ ୨୩ ତାରିଖରେ ମନ୍ତ୍ରୀ ପଦରୁ ତଥା ବିଧାନସଭାର ସଭ୍ୟ ପଦରୁ ଇସ୍ତଫା ଦେଇ ଶାନ୍ତିରେ ନିଃଶ୍ଵାସ ମାରିଥିଲେ ମନୀଷୀ ନବକୃଷ୍ଣ, ଯାହାଙ୍କ ଜନ୍ମଦିନ ଭାବେ ନଭେମ୍ବର ୨୩ ଓଡ଼ିଆ ଜାତିର ନମସ୍ୟ ଦିବସ ହୋଇ ରହିଛି ।

ସମ୍ବିଧାନ ପ୍ରଣୟନ ପରେ ଯେତେବେଳେ ସ୍ଵାଧୀନତା ପରବର୍ତ୍ତୀ ପ୍ରଥମ ବିଧାନସଭା ନିର୍ବାଚନ ହେଲା, ଓଡ଼ିଶାର ନେତୃତ୍ଵ ନେବାକୁ ସମସ୍ତଙ୍କ ପସନ୍ଦ ଥିଲେ ନବକୃଷ୍ଣ । ଏବଂ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ଉଦ୍ୟମକୁ ଉଦ୍ଜୀବିତ କରାଇ ସେ ପ୍ରଣୟନ କଲେ ଓଡ଼ିଶା ସରକାରୀ ଭାଷା ଆଇନ, ଯାହା ଓଡ଼ିଆ ଭାଷାକୁ ଓଡ଼ିଶାର ସମସ୍ତ ଓ ଯେକୌଣସି କାମ ପାଇଁ ସରକାରୀ ଭାଷା ଭାବେ ବିଧିକୃତ କଲା । ପ୍ରାଦେଶିକ ଭାଷାକୁ ସରକାରୀ ଭାଷା କରାଇବାରେ ସାରା ଭାରତରେ ଏହା ଥିଲା ପ୍ରଥମ ଆଇନ । ଏ ଆଇନ କାହିଁକି ହେଲା ତାହା ନବବାବୁ ବିଧେୟକଟିର ପ୍ରାରମ୍ଭରେ ହିଁ ସ୍ପଷ୍ଟ କରିଦେଇଥିଲେ । ତାହା ସମସ୍ତଙ୍କ ପ୍ରଣିଧାନଯୋଗ୍ୟ । “Whereas it is expedient to provide for the adoption of Oriya as the Language to be used for all or any of the official purposes of the State of Orissa; it is hereby enacted by the Legislature of the State of Orissa…..” ବୋଲି କହି ଆଇନ ପ୍ରଣୟନର କାରଣ ଦର୍ଶାଇଥିଲେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ମନୀଷୀ ନବକୃଷ୍ଣ ।

ଏହି ଆଇନଟିକୁ କାର୍ଯ୍ୟକାରୀ କରାଇ ନ ଦେବା ପାଇଁ କେତେ ଷଡଯନ୍ତ୍ର ଚାଲିଛି ତହିଁର ସବିଶେଷ ବର୍ଣନା bhashaandolan.com ପୃଷ୍ଠାରେ ଉପଲଭ୍ୟ ଥିବାରୁ ଏଠାରେ ଉଲ୍ଲେଖର ଅବକାଶ ନାହିଁ । ଓଡ଼ିଆ ଜାତି ଚାହେଁ ନବବାବୁ ଦେଇଯାଇଥିବା ଆଇନର ସଶକ୍ତିକରଣ । ତାଙ୍କ ଶୁଭ ଜନ୍ମଦିନରେ ଏହାହିଁ ସମସ୍ତଙ୍କ କାମ୍ୟ ହେଉ ।

ସୂତ୍ର: ସର୍ବସାଧାରଣ , ୨୩.୧୧.୨୦୨୦

ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ – ୩

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବିଲାତି ଶାସନ ସଂକଳିତ ‘କୋରାପୁଟ ଗେଜେଟିଅର’ର ପୃଷ୍ଠା ୮୫ ରେ ଉଲ୍ଲେଖ ଅଛି:
“Sisti Karanas, originally Oriya, adopted Telugu language when Southern areas were lost to Oriyas.”

“କଚେରୀରେ ତେଲେଙ୍ଗା ବିଦ୍ୟା ପ୍ରଚାର ହେବାରୁ କ୍ରମେ କ୍ରମେ ଏ ଦେଶ ଲୋକଙ୍କର ଶ୍ରୀ ଚ୍ୟୁତ ହୋଇ ଯଶଃ ଶ୍ରୀ ବିଦ୍ୟା ବୁଦ୍ଧି ଲୋପ ହେବା ପ୍ରତ୍ୟକ୍ଷେ ସରକାରରୁ ନ୍ୟାୟ ଲଭିବାର ଦୁଷ୍କର ହୋଇଅଛି” ବୋଲି ଦର୍ଶାଇଥିଲା ଘୁମୁସରର ରସଲକୋଣ୍ଡା ଠାରେ ଦୀନବନ୍ଧୁ ପଟ୍ଟନାୟକଙ୍କ ଦ୍ଵାରା ଆୟୋଜିତ ଓଡ଼ିଆମାନଙ୍କର ପ୍ରଥମ ସମ୍ମିଳନୀ ୧୮୭୦ ସେପ୍ଟେମ୍ବର ୧୧ ତାରିଖରେ । ଓଡ଼ିଆ ଭାଷାକୁ ପୁନର୍ବାର ଦାପ୍ତରିକ ଭାଷା କରାଯାଉ, ନଚେତ ସବୁ ଓଡ଼ିଆ ଭାଷାଭାଷୀ ଅଂଚଳକୁ ଏକତ୍ର କରି ଗୋଟିଏ ଶାସନରେ ରଖାଯାଇ ସେଠାରେ ଓଡ଼ିଆକୁ ରାଜଭାଷା କରାଯାଉ ବୋଲି ଏହି ସମ୍ମିଳନୀରେ ଦାବି କରାଯାଇ ଏଥିରେ ସହଯୋଗ କରିବାକୁ “କଟକଜିଲ୍ଲା ଉତ୍କଳଦେଶୀୟ ମହାଶୟମାନଙ୍କୁ” ନିବେଦନ କରାହୋଇଥିଲା । ସେମାନଙ୍କୁ ଆହ୍ୱାନ ଦେଇ କୁହାହୋଇଥିଲା , “ଶାସ୍ତ୍ରାନୁସାରେ (ଅର୍ଥାତ୍ ସେମାନଙ୍କ ଭାଷା ସାହିତ୍ୟର ଭିତ୍ତି ଉପରେ) ଉତ୍କଳଦେଶ ସମଗ୍ର ଏକତ୍ର ହୋଇ ଓଡ଼ିଶା ଜିଲ୍ଲାରେ ରହିବା ଓ ସର୍ବତ୍ର ଉତ୍କଳ ଦେଶ ଅଦାଲତରେ ଉତ୍କଳ ବିଦ୍ୟା ପ୍ରଚଳ ହେବା ନିମିତ୍ତ ଭାରତବର୍ଷର ଶ୍ରୀଯୁକ୍ତ ରାଇଟ୍ ଅନରେବ୍ଲ ଗଭର୍ଣ୍ଣର ଜେନେରାଲ୍ ବାହାଦୁରଙ୍କ ହଜୁରରୁ ହୁକୁମ ହେବା କାରଣ କଟକ ଜିଲ୍ଲା ଉତ୍କଳ ଦେଶୀୟ ମହାଶୟମାନେ ଯଥୋଚିତ ତଦ୍ବିର କରି ଚିରସ୍ଥାୟୀ କୀର୍ତ୍ତି ରଖିବାର ଯଶଃ ପ୍ରକାଶ କରନ୍ତୁ ।”

ଅତଏବ ଓଡ଼ିଆ ଭାଷାରେ ଦପ୍ତର ଓ ଅଦାଲତଗୁଡ଼ିକ ନ ଚାଲି ଦକ୍ଷିଣ ଓଡ଼ିଶାରେ ତେଲୁଗୁ ଭାଷା ରାଜଭାଷା ହୋଇଯିବାରୁ ତଦ୍ଦ୍ଵାରା ଓଡ଼ିଆମାନଙ୍କର “ଯଶଃ ଶ୍ରୀ ବିଦ୍ୟା ବୁଦ୍ଧି ଲୋପ ହେବା” ଫଳରେ ନିଜ ମାତୃଭାଷା ଓଡ଼ିଆ ଯେପରି ଅଫିସ ଓ ଅଦାଲତମାନଙ୍କରେ ପୁନଃ ପ୍ରବର୍ତ୍ତିତ ହୁଏ ତା ପାଇଁ ଏକ ସ୍ୱତନ୍ତ ଓଡିଶା ପ୍ରଦେଶ ଗଠନ ପାଇଁ ଘୁମୁସର ସମ୍ମିଳନୀ ଆହ୍ୱାନ ଦେଇଥିଲା । ଏହା ଯଥୋଚିତ ବୋଲି ମତ ଦେଇ ଉତ୍କଳ ଦୀପିକା ସମ୍ପାଦକ ଲେଖିଥିଲେ:
“ବଙ୍ଗଳା ଓ ମଧ୍ୟପ୍ରଦେଶ ଅଧୀନରେ ଥିବା ଓଡ଼ିଆ ଭାଷାଭାଷୀ ଅଂଚଳରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ପ୍ରଚାର ଅଛି ……ଯେବେ ବଙ୍ଗଳା ଓ ମଧ୍ୟପ୍ରଦେଶରେ ଏପରି ହେଲା ତେବେ ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ଅନ୍ତର୍ଗତ ଓଡ଼ିଶାରେ କାହିଁକି ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟାଳୟମାନଙ୍କରେ କାର୍ଯ୍ୟ ନ ଚଳିବ?” (ଉତ୍କଳଦୀପିକା, ୨୨ । ୧୦ । ୧୮୭୦) । (କ୍ରମଶଃ)

ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ -୨

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଏହି ପୁସ୍ତକର ପାଠ୍ୟ ଓଡ଼ିଆ ଜାତିର ଅବଗତି ପାଇଁ କ୍ରମାଗତ ଭାବେ ପରିବେଷଣ କରାଯିବ । ଆମ ରାଜ୍ୟଭାଷା ଭୟଙ୍କର ବିପଦରେ ।

କ୍ରମାନୁବୃତ୍ତି

ଓଡ଼ିଆ ଲୋକେ ନଜାଣିଥିବା ଭାଷାରେ ସେମାନଙ୍କ ଜମିଜମାର ରେକର୍ଡ ବି ତିଆରିହେଲା । ଦୃଷ୍ଟାନ୍ତ ସ୍ୱରୂପ ନିମ୍ନ ୩ ଗୋଟି ଦଲିଲ ଦ୍ରଷ୍ଟବ୍ୟ ।

ତେଲୁଗୁ ଅକ୍ଷରରେ ମୁଦ୍ରିତ ହୋଇଥିବା ‘କ’ ଚିହ୍ନିତ ଫର୍ମରେ ହାତରେ ଲେଖା ହୋଇଛି ଗଂଜାମ ଜିଲ୍ଲା ନିବାସୀ ଜଣେ ଓଡ଼ିଆଙ୍କ ନାମ ଓ ଠିକଣା । ଏହା କି ଫର୍ମ , କଣ ଏଥିରେ ଲେଖା ହୋଇଛି କିଏ ଜାଣେ ? ଏଇଟିକି ମୁଁ ବ୍ରହ୍ମପୁର ସହରର ଗାନ୍ଧିନଗର ୯ମ ସାହି ବାସିନ୍ଦା ଓଡ଼ିଆଭାଷାପ୍ରାଣ ଶ୍ରୀଯୁକ୍ତ ଭଗବାନ ସାହୁଙ୍କଠାରୁ ସଂଗ୍ରହ କରିଛି । ଏହା ୧୯୦୫ ମସିହାର ଏକ ଦସ୍ତାବିଜ । ଏଇଟି ତେଲୁଗୁ ଭାଷାରେ ମୁଦ୍ରିତ ହୋଇଥିବା ବେଳେ ‘ଖ’ ଚିହ୍ନିତ ଦଲିଲଟି ୧୮୯୭ର ଓ ସମ୍ପୂର୍ଣ ଓଡ଼ିଆରେ ମୁଦ୍ରିତ । ‘ଗ’ ଚିହ୍ନିତ ଦଲିଲଟି ୧୮୯୮ର । ଏଠାରେ ଓଡ଼ିଆ ଲେଖା ତଳେ ତେଲୁଗୁ ଭାଷାରେ ଲେଖା ଅଛି । ଏହାର ଅର୍ଥ ହେଲା , ୧୮୯୭ରେ ଗଞ୍ଜାମ ଜିଲ୍ଲାର ଦପ୍ତରମାନଙ୍କର ଭାଷା ସମ୍ପୂର୍ଣ୍ଣତଃ ନିରୋଳା ଓଡ଼ିଆ ହୋଇଥିବା ବେଳେ ୧୮୯୮କୁ ଓଡ଼ିଆ ସାଙ୍ଗକୁ ତେଲୁଗୁ ଚଳାଇ ୧୯୦୫ ବେଳକୁ ସମ୍ପୂର୍ଣ୍ଣ ତେଲୁଗୁରେ ଶାସନ ଚାଲିଥିଲା ବ୍ରିଟିଶ ଶାସନରେ । ଏହା ଫଳରେ ଓଡ଼ିଆ ଲୋକମାନେ ଏପରି ତଳିତଳାନ୍ତ ହୋଇଗଲେ ଯେ ଗଞ୍ଜାମର ‘ଶିଷ୍ଟକରଣ’ମାନେ ଓଡ଼ିଆ ଭାଷାଭାଷୀ ଭାଇଭଉଣୀମାନଙ୍କୁ ଆଇନ ଅଦାଲତରେ ହେଉ ବା ଜମିଜମା ବନ୍ଦୋବସ୍ତରେ ହେଉ ସାହାଯ୍ୟ କରିବା ପାଇଁ ତେଲୁଗୁ ଭାଷା ଆୟତ୍ତ କରିବାକୁ ବାଧ୍ୟ ହେଲେ । (କ୍ରମଶଃ)

ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ -୧

ଓଡ଼ିଶାର ଆବିର୍ଭାବ

ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଯଦି ଏକତ୍ର କରି ଗୋଟିଏ ପ୍ରଦେଶ ସୃଷ୍ଟି କରାନଯାଏ, ତେବେ କୌଣସି ଯଥାର୍ଥତା ନଥାଇ ଏପରି ଚାରି ଭାଗରେ ଭାଗ ଭାଗ ହୋଇରହିଥିଲେ ଏହି ସୂକ୍ଷ୍ମ ବୁଦ୍ଧିସମ୍ପନ୍ନ ଉତ୍କୃଷ୍ଟ ଜାତି ଯେଉଁ ସ୍ଵାଭାବିକ ଅଗ୍ରଗତି ପାଇଁ ହକଦାର, ହୁଏତ ତାହା ସମ୍ଭବ ହେବନାହିଁ ବୋଲି କହିଥିଲେ ମହାତ୍ମା ଗାନ୍ଧୀ ୧୯୨୦ ଫେବୃଆରୀ ୧୮ ତାରିଖରେ ୟଙ୍ଗ ଇଣ୍ଡିଆରେ (“This fine race cannot possibly make the natural advance which is its due, if it is split up into four divisions for no sound reason.” – Young India, 18 Feb.1920) । ସେ କହିଥିଲେ, ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଆନ୍ଦୋଳନ ଏକ ସାଧାରଣ ଆନ୍ଦୋଳନ ନୁହେଁ, ଭାରତରେ ଭାଷାଭିତ୍ତିକ ରାଜ୍ୟ ଗଠନର ବୃହତ୍ତର ପ୍ରସଙ୍ଗରେ ଏହା ଏକ ଯୁଗାନ୍ତକାରୀ ବିଭାବନା । (ଏଯନ) ।
କେଉଁ କାରଣ ହେତୁ ଓଡ଼ିଆ ଭାଷାଭାଷୀ ଭୂଖଣ୍ଡ ଏପରି ଚାରିଭାଗ ହୋଇଯାଇଥିଲା ? ‘ଓଡ଼ିଶା ପ୍ରଦେଶ ସୃଷ୍ଟିରେ ଗଣମାଧ୍ୟମ’ ବହିରେ ମୁଁ ଏହାର କାରଣ ଦର୍ଶାଇଛି । ଏହି କାରଣ ଥିଲା: ଭାରତକୁ ଦଖଲ କରିଥିବା ବ୍ରିଟିଶ ଅନୁପ୍ରବେଶକାରୀମାନଙ୍କ ମନରେ ଓଡ଼ିଆ ଲୋକଙ୍କ ମିଜାଜ ପ୍ରତି ଥିବା ଭୟଙ୍କର ଭୟ ।
ସେମାନେ କୂଟକୌଶଳ ଦ୍ଵାରା ଆମ ମାଟିରେ ଦଖଲଦାରୀ ଜାରି କଲାବେଳେ ଯେଉଁ ଭୟଙ୍କର ପ୍ରତିଘାତର ସମ୍ମୁଖୀନ ହେଲେ, ତାହାକୁ ଏକ ପ୍ରାଣାନ୍ତକ ଝଡ଼ ବୋଲି ବର୍ଣ୍ଣନା କରିଥିଲେ ସେମାନଙ୍କ ପ୍ରତ୍ୟକ୍ଷଦର୍ଶୀ ବିବରଣୀଲେଖକ ଜି. ଟୟନବୀ (“It was not long, however, before we had to encounter a storm which burst with so sudden fury as to threaten our expulsion, if not from the whole of Orissa, at least from the territory of Khurda.” – A sketch of the history of Orissa, G.Toynbee) । ଓଡ଼ିଶା ମାଟି ଏତେ ବୀରତ୍ୱବ୍ୟଞ୍ଜକ ଓ ଓଡ଼ିଆ ଲୋକଙ୍କ ମିଜାଜ ଏତେ କଡ଼ା ଯେ, ମିଲିଟାରୀ ବା ପୋଲିସ ବଳରେ ତାଙ୍କୁ ଆୟତ୍ତ କରି ହେବନି ଓ ବ୍ରିଟିଶ ବିରୁଦ୍ଧରେ ସେମାନଙ୍କ ସଂଘର୍ଷ ସବୁବେଳେ ଲାଗିରହିବ ବୋଲି ବିଚାରପତି ଡବ୍ଲ୍ୟୁ. ଫରେଷ୍ଟର ରିପୋର୍ଟ କରିଥିଲେ (“…..it is to be feared that, the nature of the country and the disposition of the inhabitants will always present formidable obstacles to the suppression of these disturbances either by military or police.” (Para 18 of W. Forrester’s Report to Commissioner Robert Ker, dt. 9.9.1818) । ଏହା ବ୍ରିଟିଶ ମନସ୍ତତ୍ତ୍ଵକୁ ଏପରି ଭୟାଛନ୍ନ କରି ରଖିଥିଲା ଯେ, କଳେ ବଳେ କୌଶଳେ ଓଡ଼ିଶା ଦଖଲ କଲା ପରେ, ଓଡ଼ିଆ ଜାତିର ଐକ୍ୟ ଉଜାଡ଼ି ଦେବାକୁ ଓଡ଼ିଆ ଭାଷାଭାଷୀ ଭୂଖଣ୍ଡକୁ ଭାଗଭାଗ କରିଦେଲେ କେବଳ ନୁହେଁ, ସେହି ବିଖଣ୍ଡିତ ଭାଗଗୁଡ଼ିକୁ ପଡ଼ୋଶୀ ପ୍ରଦେଶମାନଙ୍କରେ ମିଶାଇ ସେମାନଙ୍କ ଭାଷାର ଆଧିପତ୍ୟ ତଳେ ସଂଖ୍ୟାଲଘୁ ହୋଇପଡ଼ିଥିବା ଓଡ଼ିଆଙ୍କୁ ତଳିତଳାନ୍ତ କରିଦେଲେ । (କ୍ରମଶଃ)