ଦାନାର ତୋବଡ଼ା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଭାଷା ଆଇନ, ୧୯୫୪ର କାର୍ଯ୍ୟକାରିତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିଲେ ୩୧.୭.୨୦୧୫ ତାରିଖରେ । ଏହି କମିତିରେ ୫ ଜଣ ମନ୍ତ୍ରୀଙ୍କ ସାଙ୍ଗକୁ ୮ ଜଣ ବେସରକାରୀ ବ୍ୟକ୍ତି ସଦସ୍ୟ ଥିଲେ । ଏହି ୮ ଜଣ ବେସରକାରୀ ସଦସ୍ୟଙ୍କ ମଧ୍ୟରେ ମୁଁ ଥିଲେ ଅନ୍ଯତମ ।

ମୁଁ ଗବେଷଣା କରି ଦେଖିଲି ଯେ, ଆଇନଟି ଦୁଇଟି ଅଜନ୍ମ ତୃଟି ଦ୍ଵାରା ଆକ୍ରାନ୍ତ ଥିବା ହେତୁ କାର୍ଯ୍ୟକାରୀ ହୋଇପାରୁନି । ସେଗୁଡ଼ିକ : (୧) ଆଇନଟିର ଉଲଙ୍ଘନ ହେଲେ ଦଣ୍ଡବିଧାନ ପାଇଁ ତହିଁରେ କୌଣସି ବ୍ୟବସ୍ଥା ନାହିଁ ; (୨) ଏହି ବ୍ୟବସ୍ଥା ଯଦି ଖଞ୍ଜା ହୁଏ, ତାକୁ କାର୍ଯ୍ୟକାରୀ କରିବା ପାଇଁ କୌଣସି ନିୟମ ନଥିବା ବେଳେ ନିଯମାବଳୀ ପ୍ରାଣୟନର ସାମର୍ଥ୍ୟ ମଧ୍ୟ ଆଇନଟି ସରକାରଙ୍କୁ ଦେଇନାହିଁ । ଏହି ଉଭୟ ତୃଟି ସୁଧାରିବା ପାଇଁ ମୁଁ ୩.୯.୨୦୧୫ ତାରିଖରେ ଲିଖିତ ପ୍ରସ୍ତାବ ଦେଲି ଯହିଁରେ ରହିଲା ଆଇନ ସଂଶୋଧନ ପାଇଁ ଏକ ଚିଠା  ଓ ଚିଠା ନିୟମାବଳୀ ।

ମୋ ପ୍ରଦତ୍ତ ପ୍ରସ୍ତାବକୁ ମନ୍ତ୍ରୀସ୍ତରୀୟ କମିଟି ସର୍ବସମ୍ମତିକ୍ରମେ ଗ୍ରହଣ କରିନେଲା ପରେ ମୁଖ୍ୟମନ୍ତ୍ରୀ ସେହି କମିଟିକୁ ପବନରେ ଉଡ଼ାଇ ଦେବାକୁ ଚେଷ୍ଟାକଲେ ।

ମୋ ଦେଇଥିବା ପ୍ରସ୍ତାବ ସପକ୍ଷରେ ଜନମତ ସୃଷ୍ଟି କରିବାକୁ ୧.୪.୨୦୧୬ ତାରିଖରେ ମୁଁ ଭାଷା ଆନ୍ଦୋଳନ, ଓଡ଼ିଶା ପ୍ରତିଷ୍ଠା କଲି ଓ କେତେକ ଗୁରୁତ୍ୱପୂର୍ଣ୍ଣ ଓଡ଼ିଆ ଏହାକୁ ସମର୍ଥନ କରିବାରୁ ମୋ ପୂର୍ବ ପରୀକ୍ଷିତ ଆନ୍ଦୋଳନ ପଦ୍ଧତ୍ତି – ନୀରବ କଳା ପତାକା ଅଭିଯାନ – ମାଧ୍ୟମରେ ଏହି ଆନ୍ଦୋଳନ ଚଳାଇଲି ୧୩.୪.୨୦୧୬ ତାରିଖରୁ । ସାରା ଓଡ଼ିଶାରେ ଏହା ଏକ ଯୁଗାନ୍ତକାରୀ ସାମାଜିକ ଆନ୍ଦୋଳନ ଭାବେ ଉଭା ହେଲା ।

ଏହି ଆନ୍ଦୋଳନ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କୁତ୍ସିତ ଷଡ଼ଯନ୍ତ୍ର ଆରମ୍ବ କଲେ । ତା ୧୯.୫.୨୦୧୬ରିଖରେ ସେ ମୋତେ ୭୭୩ / ମୁ. ମ. ସଂଖ୍ୟକ ପତ୍ର ମାଧ୍ୟମରେ ନିମନ୍ତ୍ରଣ କଲେ ତାଙ୍କ ସହ ଅଲୋଚନା କରିବା ପାଇଁ । ସେହି ଅଲୋଚନାକୁ ମୁଁ ଚାହିଁଲେ ମୋର ଦୁଇଜଣ ସହକର୍ମୀଙ୍କୁ ସାଙ୍ଗରେ ନେଇପାରିବି ବୋଲି ସେହି ପତ୍ରରେ ଲେଖାଥିଲା । ଆନ୍ଦୋଳନକୁ ଏକ ଔପଚାରିକ ରୂପ ଦେବା ପାଇଁ ମୁଁ ମୋର ବିଶ୍ଵସ୍ତ ଅନୁଗାମୀ ବନିଥିବା ପବିତ୍ର ମହାରଥାଙ୍କୁ ଆବାହକ ପଦରେ ସଂସ୍ଥିତ କରିଥିଲି ଓ ପ୍ରାୟ ମାସକ ପରେ ପ୍ରଦ୍ଯୁମ୍ନ ଶତପଥୀଙ୍କୁ ସଭାପତି ଭାବେ ମୁକରିର କରିଥିଲି । ଏହି ଉଭୟେ ମୋର ଏକାନ୍ତ ଅନୁଗତ ଭାବେ କାମ କରୁଥିଲେ । ସୁତରାଂ ଏହି ଉଭୟଙ୍କୁ ସାଙ୍ଗରେ ନେଇ ମୁଁ ନବୀନବାବୁଙ୍କ ସହ ଅଲୋଚନାକୁ ଯାଇଥିଲି । ଘୃଣାକ୍ଷରେ ଅନ୍ଦାଜ କରିପାରିନଥିଲି ଯେ, ଏମାନେ ମୋର ବିଶ୍ଵସ୍ତ ବୋଲି ଜାଣିଗଲା ପରେ ନବୀନ ଏମାନଙ୍କ ଉପରେ ଅମୋଘ ଅସ୍ତ୍ର ପ୍ରୟୋଗ କରି ମୋ ଆନ୍ଦୋଳନକୁ ଦୁର୍ବଳ କରିଦେବେ ।

ମୋର ଏହି ଦୁଇ ବିଶ୍ଵସ୍ତ ବନ୍ଧୁ ତାହାହିଁ କଲେ । ସୁପାରିଖିଆ ଆତତାୟୀ ପରି ଥିଲା ଏମାନଙ୍କ ଆଚରଣ । ଯଦି ଏମାନେ ଏହି ବିଶ୍ବାସଘାତକତା କରିନଥାନ୍ତେ , ୨୦୧୮ରେ ହିଁ ମୋ ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ବାଧ୍ୟ ହୋଇଥାନ୍ତେ ନବୀନ ପଟ୍ଟନାୟକ ଓ ଭାଷା ଆଇନ ସଂପୂର୍ଣ୍ଣ ନିର୍ଭୁଲ ହୋଇ ଅଲଙ୍ଘ୍ଯ ହୋଇଥାନ୍ତା , ଓଡ଼ିଆରେ ଓଡ଼ିଶା ଚାଲିବା ଏ ପର୍ଯ୍ୟନ୍ତ ଅଟକିରହିନଥାନ୍ତା ।

ଏହି ବହିରେ ଏହି କୁତ୍ସିତ କାମର ପ୍ରାମାଣିକ ତଥ୍ୟ ସନ୍ନିବିଷ୍ଟ ।