ତପୋବନର ତପସ୍ଵୀ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଭାଷା ଆନ୍ଦୋଳନ ସହ ଜଡ଼ିତ ସମସ୍ତେ କବି ଓ ଅଧିବକ୍ତା ଗଜାନନ ମିଶ୍ରଙ୍କୁ ଜାଣନ୍ତି । ଓଡ଼ିଆ ଭାଷାରେ ଓଡ଼ିଶାର ନ୍ୟାୟ ନିଶାପ ପରିଚାଳନା ପାଇଁ ସେ ଆମରଣ ଅନଶନ କରିଥିଲେ ୨୦୧୫ ଜୁଲାଇ ପହିଲାରେ, ଯାହା ଆମ ଭାଷା ଇତିହାସର ଏକ ସ୍ଵତନ୍ତ୍ର ଅଧ୍ୟାୟର ଅଧିକାରୀ । ସରକାର ଏବେ ଯେଉଁ ଓଡ଼ିଆ ବିଶ୍ୱବିଦ୍ୟାଳୟ କରିଛନ୍ତି ତାହାର ପ୍ରଥମ ସ୍ଵପ୍ନ ଦେଖିଥିଲେ ଗଜାନନ ମିଶ୍ର । ପରବର୍ତ୍ତୀ ସମୟରେ ଆମେ ତାହା ଉପରେ ଆଲୋଚନା କରିବା । ଏବେ ଦେଖିବା, ସେ ଏଇ ମୁହୂର୍ତ୍ତରେ କଣ କରୁଛନ୍ତି ।

ଶିକ୍ଷା ଦ୍ଵାରା ସାଧାରଣ ମଣିଷକୁ ଶକ୍ତିଶାଳୀ କରିବାକୁ ସ୍ଵପ୍ନ ଦେଖିଥିବା ଗଜାନନ ତାଙ୍କ ଟିଟିଲାଗଡ଼ ଜମି ଉପରେ ପ୍ରତିଷ୍ଠା କରିଛନ୍ତି ତପୋବନ ଏକାଡ଼େମୀ ଯାହାକୁ କାଳକ୍ରମେ ଉପାଧି କଲେଜରେ ପହଞ୍ଚାଇବା ତାଙ୍କ ଲକ୍ଷ୍ୟ ରହିଛି ।  ଏହା ସମ୍ପର୍କରେ ବି ପରବର୍ତ୍ତୀକାଳରେ ଆମେ ଆଲୋଚନା କରିବା । 

କିନ୍ତୁ ଯାହା ଏହି କ୍ଷଣି ଆଲୋଚ୍ୟ ତାହା ହେଲା ତିତିଲାଗଡ଼ର ଶୁଖାମାଟିର ଚାଷୀମାନଙ୍କୁ କୃଷିକର୍ମଣ ପାଇଁ ଉତ୍ସାହିତ କରିବା ସକାଶେ ତାଙ୍କ ତପୋବନ ପରିସରରେ ଗଢି ତୋଳିଥିବା କ୍ଷେତ । ଲୋକଙ୍କୁ ଆତ୍ମନିର୍ଭରଶୀଳତା ଶିଖାଇବା ସକାଶେ ସେ ନିଜେ ଜମି କମଣ କରି ଫସଲ ଉତ୍ପାଦନ କରୁଛନ୍ତି । ଚାଷ ଜମିରେ ବସି କବିତା ବି ଲେଖୁଛନ୍ତି । ଗରିବ ଲୋକଙ୍କୁ ଆଇନ ସହାୟତା ଦେଉଛନ୍ତି ।  ତାଙ୍କ ପାଇଁ ସ୍ଵପ୍ନର ଶେଷ ନାହିଁ, ଶ୍ରମର ଶେଷ ନାହିଁ , କବିତାର ଶେଷ ନାହିଁ , ସଙ୍ଘର୍ଷର ଶେଷ ନାହିଁ । 

ତାଙ୍କ ଏହି ତପସ୍ୟାସ୍ଥଳର କେତୋଟି ଚିତ୍ର ସବୁ ଓଡ଼ିଆଙ୍କ ପାଇଁ: 

ତପୋବନ ନିକଟସ୍ଥ ଏହି ପାହାଡ଼ ପରି ଅଟଳ ଆଦର୍ଶସମ୍ପନ୍ନ  କବି ଗଜାନନ ସମଗ୍ର ଓଡ଼ିଆ ଜାତି ପାଇଁ ଅନୁକରଣୀୟ ।    

ଇଂରାଜୀ ଭାଷାରେ ଆଇନ// ସରକାରୀ ଅଫିସର ଜିଅନ୍ତା ସନ୍ତ୍ରାସ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଟିଟିଲାଗଡ଼ ଘଣ୍ଟବାହେଲିର ଗୋଟିଏ ଆଦିବାସୀ ପରିବାରର ଜମି ଇଂରାଜୀ ଭାଷାରେ ଥିବା ଆଇନ ବଳରେ ସେଠିକା ତହସିଲଦାର ଜଣେ ଅଣଆଦିବାସୀଙ୍କ ମାଲିକାନାକୁ ବଦଳେଇଦେଇଛନ୍ତି ଓ ନିଜ ଜମିକୁ ରକ୍ଷା କରିବା ପାଇଁ ସମ୍ପୃକ୍ତ ଆଦିବାସୀ ପରିବାର ଏବେ ଆଇନ ଅଦାଲତକୁ ଦୌଡ଼ିବା ଭିନ୍ନ ଗତ୍ୟନ୍ତର ନାହିଁ ।

ଆଇନର ଶାସନ ଓଡ଼ିଆରେ ଚାଲୁ – ଏଥିପାଇଁ ଆମରଣ ଅନଶନ କରି ନିଜ ଜୀବନ ବିସର୍ଜନ କରିବାକୁ ବସିଥିବା ପ୍ରସିଦ୍ଧ କବି, ଅଧିବକ୍ତା ଓ ମାନବଧୀକାର ପ୍ରହରୀ ବରେଣ୍ୟ ଗଜାନନ ମିଶ୍ର ଏଥିରେ ଘୋର ଉଦ୍ବେଗ ପ୍ରକାଶ କରିଛନ୍ତି ।

ୟୁ ଟ୍ୟୁବ୍ ମଞ୍ଚରେ ପ୍ରସାରିତ ଏକ ସାକ୍ଷାତ୍କାରରେ କ୍ଷତିଗ୍ରସ୍ତ ଆଦିବାସୀ ପରିବାର ସହ କନ୍ଧରେ କାନ୍ଧ ମିଳାଇ ଠିଆ ହୋଇଥିବା ଶ୍ରୀ ମିଶ୍ରଙ୍କ ଉତ୍କଣ୍ଠା ସାରା ଓଡ଼ିଶାର ସବୁ ମାନବାଧିକାରପ୍ରେମୀ ମଣିଷର ଉତ୍କଣ୍ଠା ଭାବେ ବିବେଚ୍ୟ ।

ସରକାର ଏହା ପ୍ରତି ଧ୍ୟାନ ଦିଅନ୍ତୁ ଓ ନିରୀହ ଅଧିବାସୀ ପରିବାରଟି ପାଇଁ ତାଙ୍କ ରାଜସ୍ୱ କର୍ମଚାରୀ ଯେପରି ସନ୍ତ୍ରାସ ନହୁଅନ୍ତି ତାହା ନିଶ୍ଚିତ କରନ୍ତୁ ।