ବିଧାନସଭା// ରାଜ୍ୟପାଳଙ୍କ ହିନ୍ଦୀ ଭାଷଣ ଓଡ଼ିଆ ଅସ୍ମିତା ପ୍ରତି ଉପହାସ: ପ୍ରତିବାଦ ନକରି ନବୀନଙ୍କ ପଳାୟନ

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ନୂଆ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିବସ ଥିଲା ଓଡ଼ିଶା ପାଇଁ ଏକ ଅପମାନଜନକ ଦିବସ । ଏଦିନ ପ୍ରଥମଥର ପାଇଁ ହିନ୍ଦୀଭାଷାରେ ଶୁଣିବାକୁ ପଡ଼ିଥିଲା ରାଜ୍ୟପାଳଙ୍କ ପାରମ୍ପାରିକ ଭାଷଣ ! ଏହା ଓଡ଼ିଆ ଅସ୍ମିତା ପ୍ରତି ଥିଲା ଏକ ଉତ୍କଟ ଉପହାସ । ଏହାର ପ୍ରତିବାଦ ନକରି, ବିରୋଧୀ ଦଳ ନେତା ବନିଥିବା ନବୀନ ପଟ୍ଟନାୟକ ପଳାୟନ କରିବା ଥିଲା ତତୋଧିକ ଅପମାନଜନକ ଓଡ଼ିଆ ଜାତି ପାଇଁ ।    

ଇତିହାସ ଜାଣେ , ବ୍ରିଟିଶ ଶାସନ କାଳରେ ଓଡ଼ିଆ ଭାଷା ବିଲୋପ କରିବା ପାଇଁ ହିନ୍ଦୀ ଭାଷାଭାଷୀମାନେ ଜଘନ୍ୟ ଚକ୍ରାନ୍ତ ଚଳାଇଥିଲେ । ଓଡ଼ିଆ ଜାତି ଯଦି ସେ ଚକ୍ରାନ୍ତକୁ ପଣ୍ଡ କରିନଥାନ୍ତା, ସମଗ୍ର ସମ୍ବଲପୁର ଇଲାକା, ଯାହାକୁ ଏକ ଲାଭଲିପ୍ସୁ ଖବରକାଗଜ ସମ୍ବାଦ “ପଶ୍ଚିମ ଓଡ଼ିଶା” କହି ବିଷ ମଞ୍ଜି ବୁଣିଛି, ରହି ଯାଇଥାନ୍ତା ମଧ୍ୟପ୍ରଦେଶରେ । 

ଜାତି ଉପରେ ବିପତ୍ତି 

ବ୍ରିଟିଶ ବିରୁଦ୍ଧରେ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ କେବଳ ଓଡ଼ିଆ ଭାଷାଭାଷୀମାନେ ହିଁ କରିଥିଲେ (ସୁଭାଷ ଚନ୍ଦ୍ର ପଟ୍ଟନାୟକ, ଶ୍ରୀ ଜୟ ଦେବଙ୍କ ବାଇଶି ପାହାଚ, ଭାରତ ଭାରତୀ, କଟକ, ୨୦୦୫ ପୃଷ୍ଠା ୩୯ )।  ସେ ସଂଗ୍ରାମ ପ୍ରତ୍ଯକ୍ଷ କରିଥିବା ଜି. ଟୟନବୀ ଲେଖିଛନ୍ତି : ଆମେ ଏପରି ଏକ ଆକସ୍ମିକ ଝଡ଼ର ସମ୍ମୁଖୀନ ହୋଇଥିଲୁ ଯାହାର ଜଳନ୍ତା ନିଆଁ ପରି ଉତପ୍ତ ପ୍ରାଖର୍ଯ୍ୟ  ଆମକୁ ସମଗ୍ର ଓଡ଼ିଶାରୁ ନହେଲେ ମଧ୍ୟ ଖୁରୁଧା ମୁଲକରୁ ନିକାଲି ଦେଇ ପାରେ ବୋଲି ଆମ ମନରେ ଭୀତି ସଂଚାର ହୋଇଥିଲା  (“we had to encounter a storm which burst with so sudden furry as to threaten our expulsion, if not from the whole of Orissa, at least from the territory of Khurda” (G. Toynbee, A sketch of the history of Orissa). ବ୍ରିଟିଶ ଆଇନ ରକ୍ଷକ ଡବ୍ଲୁ ଫରେଷ୍ଟର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ, ଓଡ଼ିଆ ଲୋକଙ୍କ ମିଜାଜ ଏମିତି ବୀରତ୍ଵବ୍ୟଞ୍ଜକ ଯେ, ସୈନ୍ୟବଳ ବା ପୋଲିସ ପ୍ରୟୋଗ କରି ସେମାନଙ୍କୁ ବଶୀଭୂତ କରିହେବନି ( କମିଶନର ରବର୍ଟ କେରଙ୍କୁ ଫରେଷ୍ଟରଙ୍କ ରିପୋର୍ଟ, ତ। ୯.୯.୧୮୧୮) । କିପରି ଭାବେ ଏହି ଅସାଧାରଣ ବୀର ଜାତିକୁ ଆୟତ୍ତ କରିହେବ – ଏହି ଚିନ୍ତାରେ ପଡ଼ି ବ୍ରିଟିଶ ନାନା କୂଟକୌଶଳ ପ୍ରୟୋଗ କରିଥିଲା ।  ତନ୍ମଧ୍ୟରୁ ପ୍ରଧାନ ଥିଲା ଓଡ଼ିଆ ଭାଷାଭାଷୀ ଭୂଖଣ୍ଡର ବିଭାଜନ ଓ ବିଭାଜିତ ଓଡ଼ିଆ ଅଞ୍ଚଳର  ନିକଟସ୍ଥ ଅଣଓଡ଼ିଆ ପ୍ରଦେଶରେ ସଞ୍ଜୁକ୍ତିକରଣ । ତଦ୍ଦ୍ଵାରା ଓଡ଼ିଆଭାଷାଭାଷୀମାନେ ଅଣଓଡ଼ିଆ ପ୍ରଦେଶମାନଙ୍କରେ ସଂଖ୍ୟାଲଘୁ ହୋଇଗଲେ ଓ ଅପରାଜେୟ ଓଡ଼ିଆ ଜାତି ଭୟଙ୍କର ବିପତ୍ତିରେ ପଡ଼ିଗଲା । ଏ ବିପତ୍ତି ବଢିଗଲା, ଯେତେବେଳେ ସେହି ସେହି ପ୍ରଦେଶର ଭାଷା ମଧ୍ୟ କାର୍ଯ୍ୟାଳୟ- ଭାଷା ରୂପେ ଓଡ଼ିଆମାନଙ୍କ ଉପରେ ଲଦି ଦିଆଗଲା । 

ନିଜ ଭାଷା ପାଇଁ ନିଜ ରାଜ୍ୟ ଦାବି 

ଓଡ଼ିଆଙ୍କ ପ୍ରତିବାଦ ବିରୁଦ୍ଧରେ ବ୍ରିଟିଶର ଯୁକ୍ତି ଥିଲା,  ଯେଉଁ ପ୍ରଦେଶରେ ସଂଖ୍ୟାଧିକ ଲୋକଙ୍କ ଭାଷା ଯାହା ତାହା ହିଁ  ହେବ ସେହି ପ୍ରଦେଶର କାର୍ଯ୍ୟାଳୟ-ଭାଷା । ଏଥିରେ ହତାଶ ହୋଇ ନିଜ ଭାଷାକୁ କାର୍ଯ୍ୟାଳୟ- ଭାଷା କରିବା ସକାଶେ ଓଡ଼ିଆ ଭାଷାଭାଷୀ ଅଞ୍ଚଳସମୁଦୟକୁ ଏକତ୍ର କରି ଏକ ସ୍ଵତନ୍ତ୍ର ପ୍ରଦେଶ ଗଠନ ପାଇଁ ଓଡ଼ିଆ ଜାତି ଦାବି ତୋଳିଲା । ଏହା କରାଇ ନଦେବା ପାଇଁ ତେଲୁଗୁ, ବଙ୍ଗାଳୀ ହିନ୍ଦୀଭାଷୀମାନେ ପ୍ରବଳ ଷଡ଼ଯନ୍ତ୍ର କରିଥିଲେ । 

ହିନ୍ଦୀ ବିରୁଦ୍ଧରେ ସମ୍ବଲପୁରରେ ଓଡ଼ିଆ ଜାତୀୟତାର ଜାଗରଣ 

ଓଡ଼ିଆ ଜାତି ତେଲୁଗୁ ଓ ବଙ୍ଗାଳୀ ପ୍ରାଦୁର୍ଭାବକୁ ପ୍ରାୟତଃ ଅତିକ୍ରମ କରିଥିବା ବେଳେ, ସମ୍ବଲପୁର ଇଲାକାର କାର୍ଯ୍ୟାଳୟ-ଭାଷାଭାବେ ଓଡ଼ିଆ ସ୍ଥାନରେ ହିନ୍ଦୀ ପ୍ରଚଳନ ପାଇଁ ହିନ୍ଦୀ ଭାଷାଭାଷୀ କର୍ମଚାରୀମାନେ ମଧ୍ୟପ୍ରଦେଶର ବ୍ରିଟିଶ କମିସନରଙ୍କୁ ପ୍ରବର୍ତ୍ତାଇଲେ ।   ଏହାର ବର୍ଣ୍ଣନା କରି ସ୍ଵଭାବକବି ଗଙ୍ଗାଧର ମେହେର ‘ଉତ୍କଳ ଭାରତୀର କ୍ଷୋଭ’ ଶୀର୍ଷକରେ ଲେଖିଥିଲେ – 

“ସମ୍ବଲପୁରର ଅଧିବାସୀମାନେ ଉତ୍କଳ ଚିର ସନ୍ତାନ

ହିନ୍ଦୀ ଆଧିପତ୍ୟ ହୋଇବା ସେଠାରେ ଶୁଣି ସର୍ବେ ହତଜ୍ଞାନ ।”

ଜନସାଧାରଣଙ୍କ ପ୍ରତିବାଦ ସତ୍ତ୍ୱେ ହିନ୍ଦୀଭାଷୀମାନେ ସେଠାରେ ହିନ୍ଦୀକୁ ରାଜଭାଷା କରାଇଦେଲେ । ପୂର୍ବରୁ ଧରଣିଧର ମିଶ୍ରଙ୍କ ନେତୃତ୍ବରେ ଏକ ବିଶାଳ ଜନସଭା ହୋଇ ସ୍ପଷ୍ଟ କରାହୋଇଥିଲା ଯେ, ବେପାରବଣିଜ ପାଇଁ ଆସିଥିବା ହିନ୍ଦୀଭାଷୀମାନେ ସମ୍ବଲପୁର ଜିଲ୍ଲାରେ ବସବାସ କରିଥିଲେ ମଧ୍ୟ ସେମାନଙ୍କ ସଂଖ୍ୟା ଶତକଡ଼ା ୫ ରୁ ଅଧିକ ନୁହେଁ । ଅଧିକନ୍ତୁ ଓଡ଼ିଆ ଭାଷା ସେମାନଙ୍କ ହିନ୍ଦୀ ଭାଷାକୁ ଏପରି ଗ୍ରାସ କରିଯାଇଛି ଯେ, ତହିଁରୁ ଯେଉଁ କାମଚଳା କଥିତ ଭାଷା ବାହାରିଛି ତାହା ‘ଲାରିୟା’ ଭାବେ ପରିଚିତ । ଅତଏବ, ସମ୍ବଲପୁର ଇଲାକାରେ ବେପାର କରୁଥିବା ହିନ୍ଦୀଭାଷୀଙ୍କ ମୂଳ ଭାଷା ଓଡ଼ିଆ ଭାଷା ପାଖରେ ନିଜ ଅସ୍ତିତ୍ଵ ସମର୍ପଣ କରି ଲାରିୟାରେ ପରିଣତ ହୋଇଛି ଓ ତାହାର ପରିବ୍ୟାପ୍ତି ଅତିବେଶୀରେ ପାଞ୍ଚ ଶତାଂଶ ଲୋକଙ୍କ ଭିତରେ ସୀମିତ। ଅବଶିଷ୍ଟ ଅନ୍ଯୁନ ୯୫ ଶତାଂଶ ଅଧିବାସୀଙ୍କ ଭାଷା ଓଡ଼ିଆ । ସୁତରାଂ ସେଠାରେ ଓଡ଼ିଆ ସ୍ଥାନରେ ହିନ୍ଦୀ ପ୍ରଚଳନ ଆଦୌ ଗ୍ରହଣୀୟ ନୁହେଁ । ତଥାପି ହିନ୍ଦୀଭାଷୀ କର୍ମଚାରୀମାନଙ୍କ ଷଡ଼ଯନ୍ତ୍ର ହେତୁ ମଧ୍ୟପ୍ରଦେଶ କମିଶନର ହିନ୍ଦୀକୁ ହିଁ ଓଡ଼ିଆ ମୂଳକରେ ବଳବତ୍ତର କରିଦେଲେ ।  ସ୍ଵଭାବକବି ଲେଖିଥିଲେ –

“ସମ୍ବଲପୁରରୁ ଓଡ଼ିଆ ନିର୍ମୂଳ ହେବାର କାରଣ ଏହି 

ରାଜକର୍ମଚାରୀ , ହିନ୍ଦୀ ବାନା ଧରି ମହାରାଷ୍ଟ୍ରୀ ଛନ୍ତି ରହି ।”

ଭାଷା ହିଁ ଅସ୍ତିତ୍ଵ । ନିଜ ଭାଷା ପ୍ରତି ଏହି ଭୟଙ୍କର ବିପଦରେ ନିରବ ନରହି ବ୍ରଜମୋହନ ପଟ୍ଟନାୟକ, ମଦନମୋହନ ମିଶ୍ର, ମହାନ୍ତ ବିହାରୀ ଦାସ ଓ ବଳଭଦ୍ର ସୁଆର  ବଡଲାଟ ଲର୍ଡ କର୍ଜନଙ୍କୁ ଏକ ସ୍ମାରକ ପତ୍ର ଦେଇ ଦାବି କଲେ, “ଯଦି ଏକ ପ୍ରଦେଶରେ ଗୋଟିଏ ଜିଲ୍ଲାର ଭାଷାକୁ ପ୍ରଦେଶର ରାଜଭାଷା କରିବା ସୁବିଧାଜନକ ହେଉନି, ତେବେ ଆମ ଜିଲ୍ଲାକୁ ଓଡ଼ିଶାକୁ ଫେରାଇ ଦିଆଯାଉ (“Once it is considered impossible to introduce Oriya in only one district of Central Provinces, our district should be returned to Orissa.”) ।   

ଲର୍ଡ କର୍ଜନ ମଧ୍ୟପ୍ରଦେଶ କମିଶନର ଆଣ୍ଡୃ ଫ୍ରେଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସମ୍ବଲପୁର ଜିଲ୍ଲା ଗସ୍ତ କରି ଓ ସରଜମିନ ତଦନ୍ତ କରି ଜିଲ୍ଲାଟିର  ଭାଷା ପ୍ରକୃତରେ କା’ଣ ତାହା ତାଙ୍କୁ ଜଣାଇବାକୁ । ଏକଥା ୧୨.୯.୧୯୦୧ ତାରିଖରେ ମଧୁବାବୁଙ୍କୁ ଜଣାଇ ସେ କହିଥିଲେ ଯେ, ସମ୍ବଲପୁର ମଧ୍ୟପ୍ରଦେଶରେ ରହିବ କି ଓଡ଼ିଶାକୁ ଫେରିବ ତାହା ନିର୍ଭର କରିବ ଫ୍ରେଜରଙ୍କ ରିପୋର୍ଟ ଉପରେ । ଫ୍ରେଜର ସରଜମିନ ତଦନ୍ତ କରି ଜଣାଇଥିଲେ ଯେ ଜିଲ୍ଲାଟିର ଭାଷା ଓଡ଼ିଆ । ସମ୍ବଲପୁର ଓଡ଼ିଶାକୁ ଫେରିଲା । 

କିନ୍ତୁ ଆମ ଜାତୀୟ ସତ୍ତାକୁ  ସେହି ସର୍ବୋଚ୍ଚ ପାଞ୍ଚ ଶତାଂଶ ହିନ୍ଦୀଭାଷୀ ବେପାରୀ ଯେଉଁ କ୍ଷତି ପହଞ୍ଚାଇଥିଲେ , ତାହା ସେତେବେଳେ ବ୍ୟର୍ଥ ହୋଇଥିଲେ ମଧ୍ୟ ହିନ୍ଦୀଭାଷୀମାନେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଅଣଓଡ଼ିଆପ୍ରୀତିର ସୁଯୋଗ ନେଇ ସେ ମୁଖ୍ୟମନ୍ତ୍ରୀ ଥିବାବେଳେ ପୁଣି ଥରେ ପଶିମ ଓଡ଼ିଶାକୁ ଗ୍ରାସ କରି ସେଠାରେ ଓଡ଼ିଆ ଅସ୍ତିତ୍ଵ ଲୋପ କରିବା ପାଇଁ ମୁଖବ୍ୟାଦାନ କରିଛନ୍ତି । ପ୍ରଶାସନରେ ଇଂରାଜୀ ଆମପାଇଁ ଯେମିତି ବିପଦ, ଆମ ଭୌଗୋଳିକ ଓ ସାମାଜିକ ସତ୍ତାରେ ହିନ୍ଦୀ ସେମିତି ଆମ ପାଇଁ ଏକ ନୂଆ ବିପଦ ଭାବେ ଉଭା ହୋଇଛି । 

ହିନ୍ଦୀଭାଷୀ ରାଜ୍ୟପାଳ ଆମ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ ହିନ୍ଦୀରେ ଭାଷଣ ଦେଇ ଆମ ଜାତିର ଆତ୍ମସମ୍ମାନବୋଧକୁ ଉପହାସ କରିଛନ୍ତି । ଓଡ଼ିଆବିଦ୍ଵେଷୀତା ପାଇଁ କ୍ଷମତାରୁ ତଡ଼ା ଖାଇଥିବା ନବୀନ ପଟ୍ଟନାୟକ ବିରୋଧୀ ଦଳର ମୁଖ୍ୟ ଥାଇ, ରାଜ୍ୟପାଳଙ୍କ ଭାଷଣରେ ହିନ୍ଦୀ ବ୍ୟବହାରକୁ ନିନ୍ଦା କରିବା ପରିବର୍ତ୍ତେ ଅନ୍ୟ ଏକ ଆଳରେ କକ୍ଷ ତ୍ୟାଗ କରି ପଳାଇବା ଓଡ଼ିଆ ଜାତିର ମର୍ଯ୍ୟାଦା ପ୍ରତି ତାଙ୍କ ଅଭ୍ୟସ୍ତ ଅବମାନନା ଅକ୍ଷୁର୍ଣ୍ଣ ଥିବାର ଏକ ନୂଆ ପ୍ରମାଣ  ।       

ଭାଷା ଆନ୍ଦୋଳନ ସଫଳ ହେବ – ଏ ବିଶ୍ଵାସ ବିଫଳ ନହେବା ପରି ଲାଗୁଛି

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ସାନି ସଂଶୋଧନ ଦ୍ଵାରା ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନକୁ ନିର୍ଭୁଲ କରିବା ପାଇଁ ଭାଷା ଆନ୍ଦୋଳନର ଦାବି ସଫଳ ହେବାର ସମ୍ଭାବନା ଦେଖାଦେଇଛି । ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଲୋକ ସେବା ଭବନରେ ଆଜି ଔପଚାରିକ ଭାବେ ତାଙ୍କ ଆସନ ଗ୍ରହଣ କଲା ପରେ ଘୋଷଣା କରିଛନ୍ତି କି, ଓଡ଼ିଆ ଭାଷାରେ ଓଡ଼ିଶା ଏଥିପାଇଁ ଆବଶ୍ୟକୀୟ ଆଇନ ସଂଶୋଧନ ହେବ ।    

ପୂର୍ବବର୍ତ୍ତୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଷା ଆଇନକୁ ଅକର୍ମଣ୍ୟ କରିଦେବା ପାଇଁ ବିଧାନ ପ୍ରଣୟନ ପ୍ରକ୍ରିୟାରେ  ଜାଲିଆତି ପ୍ରୟୋଗ କରିଥିଲେ ଓ ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ମୋର ଦୁଇଜଣ ସହକର୍ମୀଙ୍କୁ ସୁପାରି ଦେଇ କିଣିଥିଲେ । କିନ୍ତୁ ଭାଷାପ୍ରାଣ ଓଡିଆ ଜାତି ନବୀନ ପଟ୍ଟନାୟକଙ୍କ ପୋଷାମନା  ଛଦ୍ମଘାତକମାନଙ୍କ ପ୍ରବଞ୍ଚନାକୁ ପ୍ରତ୍ୟାଖ୍ୟାନ କଲା ଓ କଳାପତାକା ଅଭିଯାନ ଆଗେଇ ଚାଲି ଭାଷା ଅସ୍ମିତାର ଫଲ୍ଗୁ ପ୍ରବାହିତ କଲା ସାରା ଓଡ଼ିଶାରେ, ଯାହା ଇତିହାସର ଅଳିଆ ଭିତରକୁ ନିକ୍ଷେପ କରିଛି  ନବୀନ ରାଜୁତିକୁ । ଆଜି ଏହି ମହାନ ଅଭିଯାନ ପହଞ୍ଚିଛି ନବମ ବର୍ଷର ତିନି ମାସ  ଚାରି ଦିନରେ ।  ଆଜି ହିଁ ଶ୍ରୀଯୁକ୍ତ ମାଝୀ ଭାଷା ଆଇନ ସଂଶୋଧନ ପାଇଁ ଏକ ସମ୍ଭାବନାମୟ ଘୋଷଣା କରିଛନ୍ତି । 

ଗତ ପହିଲାରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଦେଇ ନବୀନବାବୁ ଭାଷା ଆଇନରେ ଜାଲିଆତି ଦ୍ଵାରା ଖଞ୍ଜିଥିବା ଧାରା ୪ , ଧାରା ୪କ ଓ ଧାରା ୫ ବିଲୁପ୍ତ କରିବାକୁ ଭାଷା ଆନ୍ଦୋଳନ ପକ୍ଷରୁ ମୁଁ ଦାବି କରିଥିଲି ଏବଂ ସାନି ସଂଶୋଧନ ଦ୍ଵାରା ତାକୁ ନିର୍ଭୁଲ କରିବାକୁ ଅନୁରୋଧ ଜଣାଇଥିଲି । ଆଶା କରୁଛି ଯେ, ନୂଆ ବିଧାନସଭାର ଆଗାମୀ ଅଧିବେଶନରେ ଭାଷା ଆଇନ ସଂଶୋଧନ ହେବ ଏବଂ ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପଥରୁ ସମସ୍ତ ଅନ୍ତରାୟ ଅପସାରିତ ହେବ । 

ଭାଷା ଆନ୍ଦୋଳନର ଲକ୍ଷ୍ୟ ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ କଳାପତାକା ଅଭିଯାନ ଯଥାରୀତି ଚାଲିବ । 

ନବୀନ ସରକାରଙ୍କ ଓଡ଼ିଆ ଭାଷାଭେଳିକି

ଅଧ୍ୟାପକ ମନୋରଞ୍ଜନ ଦାସ 

ନବୀନ ସରକାରଙ୍କ ଓଡ଼ିଆ ଭାଷାପ୍ରେମ ଭେଳିକି ଦେଖି ଦେଖି ତାଟକା ଲାଗିଲାଣି । ଯେତେବେଳେ ଶ୍ରୀ ସମୀର ଦେ ତାଙ୍କ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ ସେତେବେଳେ ଏକ ସରକାରୀ ହୁକମନାମା ବାହାରିଲା ଯେ ଛାତ୍ରଛାତ୍ରୀ ଅଭାବ ଯୋଗୁଁ ରାଜ୍ୟର ୧୪୦ଟି ମହାବିଦ୍ୟାଳୟରୁ ଓଡ଼ିଆ ଭାଷାସାହିତ୍ୟ ବିଭାଗ ଉଠାଇଦିଆଗଲା । ମୁଁ ସେତେବେଳେ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟାପକ ଥାଏ ।ଏହି କଲେଜରୁ ମଧ୍ୟ ଓଡ଼ିଆ ଭାଷାସାହିତ୍ୟ ବିଭାଗରୁ ଓଡ଼ିଆ ପାସ୍ ପାଠ୍ୟକ୍ରମ ଉଠିଗଲା । ନବୀନ ସରକାରଙ୍କ ଏହି ପଦକ୍ଷେପ ବିରୋଧରେ ସାରା ରାଜ୍ୟରେ ଜନମତ ଗର୍ଜିଉଠିଲା । ଅଗତ୍ୟା ସରକାର ରାଜଧାନୀସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ମହାବିଦ୍ୟାଳୟଗୁଡିକର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଓ ରାଜ୍ୟର ବୁଦ୍ଧିଜୀବୀଙ୍କ ଏକ ମିଳିତ ଅଧିବେଶନ ଡକାଇଲେ । ଶେଷରେ ଏ ହୁକମନାମା ପ୍ରତ୍ୟାହୃତ ହେଲା । ମାତ୍ର ଢେଙ୍କାନାଳ କଲେଜରେ ଅନ୍ତର୍ଦ୍ଧାନ ହୋଇଥିବା ଓଡ଼ିଆ ପାସ୍ ପାଠ୍ୟକ୍ରମ ଆଉ ଫେରି ନଥିଲା । ଅନ୍ୟ କଲେଜ ସମ୍ପର୍କରେ ମୁଁ ଜାଣିନାହିଁ ।

ଆଜି ଶୁଣିବାକୁ ପାଇଲି ଯେ ଏବେ ଢେଙ୍କାନାଳ କଲେଜରେ ଓଡ଼ିଆ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିଛି । ଷୋଳଜଣ ଛାତ୍ରଛାତ୍ରୀ ନାମ ଲେଖାଇ ସାରିଛନ୍ତି । ଆବଶ୍ୟକ ଅଧ୍ୟାପକ ନାହାଁନ୍ତି ।

ଗତ ଶିକ୍ଷକ ଦିବସର ଶୁଭଲଗ୍ନରେ ନବୀନ ସରକାର ତରବରିଆ ଭାବେ ଓଡ଼ିଆ ବିଶ୍ଵବିଦ୍ୟାଳୟର ଲୋକାର୍ପଣ କରିଛନ୍ତି ।ବିଶ୍ଵବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ ଅଟ୍ଟାଳିକା ପୂର୍ଣ୍ଣାଙ୍ଗ ହୋଇନାହିଁ ।ସତ୍ୟବାଦୀ ହାଇସ୍କୁଲ ଓ ମନ୍ଦିର ପାନ୍ଥଶାଳାରେ ବିଶ୍ଵବିଦ୍ୟାଳୟ ଚାଲିଛି ବୋଲି ଜଣାପଡିଛି ।କୁଳପତି ,କୁଳସଚିବ ଓ କିଛି ସହଯୋଗୀ ନିଯୁକ୍ତି ପାଇଥିବା ବେଳେ କେତେକ ଅଧ୍ୟାପକ ବିଭିନ୍ନ କଲେଜରୁ ଡିପ୍ଲୟମେଣ୍ଟ ହୋଇ ଅବସ୍ଥାପିତ ହୋଇଛନ୍ତି ।ଫଳରେ ସେଠାରେ ଅଧ୍ୟାପକ ଅଭାବ ଘଟିଛି ।

ବିଭିନ୍ନ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଓଡ଼ିଆ ଭାଷାସାହିତ୍ୟ ସ୍ନାତକୋତ୍ତର ଶ୍ରେଣୀର ପାଠ୍ୟକ୍ରମ ଓ ଓଡ଼ିଆ ବିଶ୍ଵବିଦ୍ୟାଳୟର ପାଠ୍ୟକ୍ରମ ଭିତରେ ସଂଘାତ ନା ସଂହତି ରହିବ ତା’ର କଳନା ହୋଇଥିବ ନିଶ୍ଚୟ । ନହେଲେ ଓଡ଼ିଆ ବିଶ୍ଵବିଦ୍ୟାଳୟ ମାଧ୍ୟମରେ ବିପୁଳ ଅର୍ଥବରାଦ କକ୍ଷ୍ୟଚୂତ ହୋଇଯାଇପାରେ । ହୁଏତ ସଂସ୍କୃତ ବିଶ୍ଵବିଦ୍ୟାଳୟ ପରି କେବଳ ସ୍ଵାତନ୍ତ୍ର୍ୟ ଦାୟରେ ଓଡ଼ିଆ ବିଶ୍ଵବିଦ୍ୟାଳୟ ହୋଇଥାଇପାରେ ।

ଓଡିଶାରେ ମୋ ବସ୍ ସେବା ଚାଲିଛି । ସେଥିରେ ସ୍ଥାନସୂଚନା ପାଇଁ ଭଏସ୍ ଭାସିଆସେ । କଟକରୁ ଭୁବନେଶ୍ୱର ଆସିଲେ ସେହି ବିକୃତସ୍ଵରରେ ଭାସିଆସେ ଡଗରପାଳରୋଡ୍ ଓ ବାମ୍ଫକୁଡା । ଶୁଣାଯାଏ ଏହି ସ୍ଵର ଦକ୍ଷିଣୀ ସଂଯୋଜନାରେ ପ୍ରସ୍ତୁତ ହୋଇଛି ।

ଦୀର୍ଘ ଦୁଇଦଶନ୍ଧିରୁ ଊର୍ଦ୍ଧ୍ଵକାଳ ନବୀନସରକାର ଶାସନରେ ଥାଇ ମଧ୍ୟ ୧୯୫୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କ ସମୟରେ ପ୍ରଣୀତ ଓଡ଼ିଆ କାର୍ଯ୍ୟାଳୟ ଭାଷାଆଇନ ଅଲଂଘନୀୟଭାବରେ ପ୍ରଚଳନ କରାଇ ପାରିଲେ ନାହିଁ ।ଟିଟିଲାଗଡ଼ର ଅଧିବକ୍ତା ଶ୍ରୀ ଗଜାନନ ମିଶ୍ର ଏଥିପାଇଁ ଆମରଣ ଅନଶନରେ ବସିବା ପରେ ସରକାର ଏକ ମନ୍ତ୍ରିସ୍ତରୀୟ କମିଟି ଗଠନ କରି ବିହିତ ପଦକ୍ଷେପ ନେବାକୁ ଉଦ୍ୟମ କଲେ । ଏଥିରେ ସଦସ୍ୟ ଥିବା ସାମ୍ବାଦିକ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନତିର ଆଜନ୍ମ ତ୍ରୁଟି ଠାବ କରି ତହିଁର ଅପସାରଣ ପାଇଁ ଆଇନ ସଂଶୋଧନ ଓ ନିୟମାବଳୀ ପ୍ରଣୟନର ଯେଉଁ ପ୍ରସ୍ତାବ ଓ ଚିଠା ଦେଇଥିଲେ,  ତାହା  ପ୍ରଥମଥର ପାଇଁ  ଓଡ଼ିଶା ସରକାରଙ୍କୁ ଆଇନଟିର କାର୍ଯ୍ୟକାରିତା ପଥରେ ଥିବା ଆଇନଗତ ଅନ୍ତରାୟ ସମ୍ପର୍କରେ ଅବଗତ କରାଇଥିଲା ଓ ମନ୍ତ୍ରୀସ୍ତରୀୟ କମିଟି ତାହାକୁ ସମ୍ପୂର୍ଣ୍ଣତଃ ଅନୁମୋଦନ କରିଥିଲା । ମାତ୍ର କୌଣସି ଅଜଣା ଚାପର ବଶବର୍ତ୍ତୀ ହୋଇ ନବୀନ ସରକାର ମନ୍ତ୍ରିସ୍ତରୀୟ କମିଟିର ଏହି ଅନୁମୋଦିତ ପ୍ରସ୍ତାବକୁ ଏଡେଇ ଦେଇ ଏକ ଅବୈଧ  ବିଧେୟକ ପାରିତ କରାଇ ଓଡ଼ିଶା କାର୍ଯ୍ୟାଳୟ ଭାଷାଆଇନକୁ ପଙ୍ଗୁ କରିଦେଲେ ।ଏହାକୁ ବିରୋଧ କରି ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଅଭିନବ ଭାଷା ଆନ୍ଦୋଳନ ନୀରବ କଳାପତାକା ଅଭିଯାନ ପ୍ରକ୍ରିୟାରେ ଚାଲିଥିଲେ ମଧ୍ୟ ନବୀନ ସରକାରଙ୍କ ସେଥିପ୍ରତି ଭ୍ରୂକ୍ଷେପ ନାହିଁ ।ଏହି ପ୍ରସଙ୍ଗରେ ଶ୍ରୀ ପଟ୍ଟନାୟକ ଦୁଇଖଣ୍ଡ ତଥ୍ୟଭିତ୍ତିକ ପୁସ୍ତକ ପ୍ରଣୟନ କରିଛନ୍ତି । ତାହା- ଓଡ଼ିଆ ଭାଷାକୁ ନବୀନଙ୍କ ମରଣଆଘାତଭର୍ତ୍ସନୀୟ ବିଧାନସଭା । ତଥାପି ନବୀନ ସରକାରଙ୍କ ତିଳେମାତ୍ର ଲଜ୍ଜାବୋଧ ନାହିଁ ।

ସାମ୍ବିଧାନିକ ପ୍ରାବଧାନ ଅନୁସାରେ ପ୍ରବର୍ତ୍ତିତ ରୁଲ୍ ଅଫ୍ ବିଜିନେସକୁ ବିଦଳନ କରି ମନମୁଖି ଭାବରେ ନବୀନ ସରକାର ୫-ଟି ସଚିବ ରୂପେ ଗାଲୁପେଲି ବ୍ୟକ୍ତିଗତ ସଚିବ ଶ୍ରୀ ଭି କେ ପାଣ୍ଡିଆନଙ୍କୁ ଛାୟା ମୁଖ୍ୟମନ୍ତ୍ରୀ ଭାବରେ ଉପସ୍ଥାପନ କରାଇ କ୍ଷମତା ଅଳିନ୍ଦରେ ମନ୍ତ୍ରୀ, ମୁଖ୍ୟସଚିବ ଓ ଲୋକପ୍ରତିନିଧି ମାନଙ୍କୁ ନ୍ୟୂନ କରାଇ ଦେଇଛନ୍ତି ।ଓଡ଼ିଆ ଅସ୍ମିତାର ଧର୍ଷଣ ଅଭିଯୋଗ ସତ୍ତ୍ୱେ ନବୀନ ସରକାର ନୀରବ ଓ କାର୍ଯ୍ୟାନୁଷ୍ଠାନ ବିହୀନ ହେବା ଲକ୍ଷ୍ୟ କରାଯାଉଛି ।

ନବୀନ ସରକାରଙ୍କ ମୁଖ୍ୟ ହେଉଛନ୍ତି ଶ୍ରୀ ନବୀନ ପଟ୍ଟନାୟକ । ଅବଶ୍ୟ ତାଙ୍କର ମାତୃଭାଷା ଓଡ଼ିଆ ନୁହେଁ, ପଞ୍ଜାବୀ ବା ଅନ୍ୟକୌଣସି ଭାଷା । ତଥାପି ଦୀର୍ଘ ଅବଧିପରେ ସେ ତାଙ୍କ ବ୍ୟକ୍ତିଗତ ସ୍ତରରେ ଓଡ଼ିଆ ଭାଷା ଉଚ୍ଚାରଣ କରି ପାରିଲେ ନାହିଁ । “ଆପନମାନେ କୁସିତୋ” ଭିତରେ ସୀମିତ ରହି, ଓଡ଼ିଆ ଜାତିକି ବାରିପଦା ବଦଳରେ “ବାଡିପଡା” ଓ  ଚଣ୍ଡୀଖୋଲ ବଦଳରେ  “ଚଡିଖୋଲ” କହି  ଓଡ଼ିଆ ଭାଷାକୁ ଉପହାସିତ  କରାଉଛନ୍ତି ଓ ତାମିଲ ଭାଷାଭାଷୀ ବ୍ୟକ୍ତିଗତ ସଚିବଙ୍କ  ପଦଲେହନ ପାଇଁ ପରିବେଶ ସୃଷ୍ଟି କରାଇଛନ୍ତି  ।

ସମସ୍ତ ବିରୋଧ ଭାବନାକୁ ପ୍ରଶମନ କରାଇବା ପାଇଁ ସରକାର ବିଭିନ୍ନ କୌଶଳ ଆପଣାଇଛନ୍ତି ବୋଲି କହିବା ଅତ୍ଯୁକ୍ତି ହେବନାହିଁ  ।  ବିଭିନ୍ନ ଯୋଜନା ଆରମ୍ଭ କରି ସରକାରୀ ଅର୍ଥବାଣ୍ଟି ଲୋକଙ୍କୁ ଆସକ୍ତ କରର୍ଚ୍ଛନତି; ବିଜ୍ଞାପନର ଜୁଆର ଉଠେଇ ଗଣମାଧ୍ୟମକୁ ଆୟତ୍ତ ବି କରିଛନ୍ତି  । ଯିଏ ଅଣାୟତ୍ତ କଲା ତାକୁ ବିଜ୍ଞାପନ ବନ୍ଦ କରାଇ ଅନ୍ୟ ଗଣମାଧ୍ୟମକୁ କାକୁସ୍ଥ ବନାଇଛନ୍ତି  ।

ଭାଷାବିଦ୍ଵେଷୀ ନବୀନ ସରକାର କଳାପତାକାର ଛାଇକୁ ଦେଖି ଏମିତି ଭାଷାଭେଳିକି ଦେଖାଇ ଚାଲିଛନ୍ତି । କାରଣ ଆଗରେ ନିର୍ବାଚନ ।  ସରକାରୀ ମନମୁଖି ସିଦ୍ଧାନ୍ତଜନିତ ଭ୍ରଷ୍ଟାଚାରକୁ ବୋଧହୁଏ ଆଖିରେ ରଖି ବିରୋଧୀ ନେତା ଶ୍ରୀ ଜୟନାରାୟଣ ମିଶ୍ର ମିଡିଆକୁ ସୂଚନା ଦେଲେଣି ତାଙ୍କ ଦଳ କ୍ଷମତାକୁ ଆସିଲେ ଶ୍ରୀ ପଟ୍ଟନାୟକ ଓ ଶ୍ରୀ ପାଣ୍ଡିଆନ ବନ୍ଧାହେବେ । ଏହା ସମ୍ଭବ ହେବ କି ନାହିଁ  ସମୟ କହିବ । ମାତ୍ର ନବୀନ ସରକାରଙ୍କ ଓଡ଼ିଆ ଭାଷାଭେଳିକିରେ ପଥଚ୍ୟୁତ ନା ହୋଇ ଆମେ ଓଡ଼ିଆମାନେ ନିଶ୍ଚୟ ନିଜ ମାତୃଭାଷାର ବିପତ୍ତି କାଳରେ ମୁଖ୍ୟମନ୍ତ୍ରୀଙ୍କ ଭେଳିକି ଉପରେ ସତର୍କ ଦୃଷ୍ଟି ରଖିବା ଉଚିତ ହେବ ।

ଉଠୁ ଏ ଜାତି ନାଶି ଅରାତି ପାହିବ ରାତି ଦିନେ

କୈଲାଶ ଚନ୍ଦ୍ର ସାହାଣୀ

[ଓଡ଼ିଶା ପରିଚାଳନାରେ ଓଡ଼ିଆଭାଷାଜନନୀର ଅପରିହାର୍ଯ୍ୟତା  ପାଇଁ ଆମ କବି ଓ ସାହିତ୍ୟିକମାନେ କଲମ ଚାଳନା କରିବାକୁ ଆମେ ଦେଇଥିବା ଡକରା ଯେଉଁ କତିପୟଙ୍କ ଚେତନାରେ ପ୍ରତିଧ୍ଵନିତ ହୋଇଥିଲା, ତନ୍ମଧ୍ୟରେ ଅଧ୍ୟାପକ କବି କୈଲାଶ ଚନ୍ଦ୍ର ସାହାଣୀ ଅନ୍ୟତମ । ଗତବର୍ଷ ଏଇଦିନେ ଏହା ସାମାଜିକ ଗଣମାଧ୍ୟମ ଫେସବୁକର ପୃଷ୍ଠାମଣ୍ଡନ କରିଥିଲା । ]

ଉଠୁ ଏ ଜାତି ନାଶି ଅରାତି
ପାହିବ ରାତି ଦିନେ,
ଓଡ଼ିଆ ଭାଷା ବଢିଆ ଆମ
ପଡୁ ନାହିଁକି ମନେ ।
କେତେ ମହାନ ମାଟି ସନ୍ତାନ
କହିଲେ କାନେ କାନେ ,
ମାଆର ଭାଷା ମମତା ଭରା
ଶୁଭଇ କୁହୁ ତାନେ !

ଆସରେ ଭାଇ ଏକାଠି ହୋଇ
ଲଢ଼ିବା ଭାଷା ପାଇଁ,
ଆମ ଭାଷାରେ ଶାସନ ହେବ
ପଢ଼ିବା ମନ ଦେଇ ।

କଚେରୀଠାରୁ ବିଧାନସଭା
ଓଡ଼ିଆ ଲେଖା ହେଉ ,
ସବୁରି ଘରେ ଓଡ଼ିଆ ବହି
ଥାକରେ ଶୋଭା ପାଉ ।

ଆମ ଭାଷାକୁ ମାରିବା ପାଇଁ
କାନ୍ତି ଚନ୍ଦ୍ରର ଟାଣ,
ଭାଙ୍ଗିଲେ ଦିନେ ସେନାପତି ଏ
ଫୁଟାଇ ଶବ୍ଦ ବାଣ !

ଶାସ୍ତ୍ରୀୟ ଆମ ଓଡ଼ିଆ ଭାଷା
ଭାଷାଭିତ୍ତିକ ରାଜ୍ୟ,
କେତେ ପ୍ରାଚୀନ ଭାଷା ଏ ମୋର
କରିବା ନାହିଁ ଭାଜ୍ୟ ।


ସ୍ଵେଦ ଲହୁରେ ଆଣିଛୁ କ୍ରାନ୍ତି
ମନେ ନ ଆଣ ଭ୍ରାନ୍ତି ,
ଆମର ଦାବୀ ପୂରଣ ହେଉ
ରାଇଜେ ଆସୁ ଶାନ୍ତି ।


ଓଡ଼ିଆ ଭାଷା ଲେଖି ନପାରି
ଅମଲା କାମ କଲେ,
ଦଣ୍ଡିତ ହେବା ନିଶ୍ଚିନ୍ତ ହେବ
ଆଇନ ହୋଇ ଗଲେ ।


ଗୋରା ସାହେବ ଶାସନ କାଳେ
ଭାଷା ମୋ ବଞ୍ଚିଥିଲା ,
କଳା ସାହେବ ଶାସନେ ଆଜି
ଭାଷା ମୋ ହଜି ଗଲା ।

ଆସରେ ଆସ ଓଡ଼ିଆ ଜାତି
ମନରୁ ତେଜ ଭୟ,
ସଂଗ୍ରାମ ଆଜି ହୋଇନି ଶେଷ
ଲଭିନେ ପରାଜୟ ।

କଳାପତାକା ଅଭିଯାନର
ହୋଇନି ଅନ୍ତ ଆଜି ,
ସଫଳ ଦିନେ ହେବାରେ ଆମେ
କଷଣ ଯିବ ଭାଜି ।

ମନରୁ ତେଜ ହୀନମନ୍ୟତା
ତୋଷାମଦର କଳା,
ପ୍ରାଚୀ ନଭରେ ନବୀନ ସୂର୍ଯ୍ୟ
ବଉଦ ଭେଳା ମେଳା ।

ଅନ୍ଧାର ନାଶି ଉଇଁବ ଶଶୀ
ଦିଶିବ ଧରା ତୋରା,
ଆମରି ପଣ ଅକାଟ୍ୟ ଜାଣ
ଆସୁ ଛାଇ ବା ଖରା ।

ଓଡ଼ିଆ ଜାତି ମନରେ ଆସୁ
ଶତ ସିଂହର ବଳ ,
ଏକତା ଦିନେ ଭାଙ୍ଗି ପାରିବ
ଅହଂକାରୀର କଳ ।

ଓଡ଼ିଆ ଜାତି ଛାତିରେ କାତି
ସହିବୁ କେତେ କହ ?
ଶାର୍ଦ୍ଧୃଳ ହୋଇ ଶୃଗାଳ ହେବା
ଘାରିଛି କେଉଁ ମୋହ !

ଓଡ଼ିଆ ଭାଷା ମାଟିର ଭାଷା
ସକଳ ଓଠେ ଖେଳୁ ,
ଲେଖା ପଢ଼ାରେ ଗପ ଗୀତରେ
ଓଡ଼ିଆ ଜାତି ମିଳୁ !

ଜୀବନ ଧନ ଅଢେଇ ଦିନ
ବଡେଇ କାହିଁ ପାଇଁ,
ପାଣି ଫୋଟକା ଯିବ ମିଳାଇ
ମିଛରେ ହାଇଁ ପାଇଁ ।


ଆସୁ ସୁଦିନ ଏ ଅଭିମାନ
ଟିକିଏ ବଞ୍ଚିଥାଉ ,
ଓଡ଼ିଆ ବୋଲି ଗର୍ବ ଆମର
ଅଛନ୍ତି ମହାବାହୁ !!

ତା ୨୫,୦୮,୨୦୨୨ @କୈଳାସ ଚନ୍ଦ୍ର ସାହାଣୀ

ରଞ୍ଜନଙ୍କ ହତ୍ୟାକାରୀ ଧରା ପଡ଼ିବାର ଆଶା ଅଙ୍କୁରୁଛି

ବିଶେଷ ସୂତ୍ରରୁ 

ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିପରି ସୁପାରି ଦେଇଥିଲେ ତାହାର ସବିଶେଷ ତଥ୍ୟ ବାରମ୍ବାର ପ୍ରକାଶିତ ହୋଇଛି ନଭମଞ୍ଚରେ ଓ ‘ଦାନାର ତୋବଡ଼ା’ ଶୀର୍ଷକ ପୁସ୍ତକରେ । ମୁଖ୍ୟମନ୍ତ୍ରୀଙ୍କ ଏହି କୁତ୍ସିତ ଷଡ଼ଯନ୍ତ୍ର ବ୍ୟର୍ଥ ହୋଇଯାଇଥିଲା ଓଡ଼ିଶା ସୂଚନା ଅଧିକାର ଅଭିଯାନର ବିଶିଷ୍ଟ ଦିଗ୍ଗଜ ତଥା ଭାଷା ଆନ୍ଦୋଳନର କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ରଞ୍ଜନ କୁମାର ଦାସଙ୍କ ପ୍ରଚଣ୍ଡ ସାଙ୍ଗଠନିକ ବିକ୍ରମରେ । ସାଇକଲରେ ଭାଷାଜନନୀର ‘କଳାପତାକା’ ବାନ୍ଧି ସାରା ଓଡ଼ିଶା ପରିଭ୍ରମଣ କରି ସର୍ବତ୍ର ଭାଷା ଆଂଦୋଳନର ବାର୍ତ୍ତା ପହଞ୍ଚାଇବାକୁ ସେ ଯେଉଁଦିନ ବାହାରିବାର ଥିଲା, ତହିଁର ଚାରିଦିନ ପୂର୍ବରୁ ତାଙ୍କୁ ହତ୍ୟାକରାଯାଇଥିଲା । ସ୍ଥାନୀୟ ଲୋକେ ସନ୍ଦେହ କରୁଥିଲେ ଯେ, ସୂଚନା ଅଧିକାର ପ୍ରୟୋଗ କରି ସେ ବହୁ ଦୁର୍ନୀତି ଉପରୁ ପର୍ଦ୍ଦା ଅପସାରଣ କରିଥିବା ହେତୁ ତଦ୍ଦ୍ଵାରା ଅପଦସ୍ତ ହୋଇଥିବା ସେହି ଅଞ୍ଚଳର ମାଫିଆ ରାଜନେତା ତାଙ୍କୁ ହତ୍ୟା କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପୋଲିସ ବିସ୍ମୟଜନକ ଭାବେ ଉଦାସୀନ ରହିବା ଏହି ସନ୍ଦେହକୁ ଡୃଢ଼ତର କରିଥିଲା ।

ହତ୍ୟାକାରୀକୁ ଧରିବା ପାଇଁ ଓଡ଼ିଶା ସରକାର କୌଣସି ବିଶ୍ଵାସଯୋଗ୍ୟ ଉଦ୍ୟମ ନକରିବାରୁ ଅଞ୍ଜନଙ୍କ ବାପା ଓଡ଼ିଶା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ଏଥିପ୍ରତି ଗଭୀର ଦୃଷ୍ଟିପାତ କରି ‘କ୍ରାଇମ ବ୍ରାଞ୍ଚ’ ମାଧ୍ୟମରେ ସାନି ତଦନ୍ତ ପାଇଁ ହାଇକୋର୍ଟ ଗତକାଲି ଆଦେଶ ଦେଇଛନ୍ତି । ଫଳରେ ରଞ୍ଜନଙ୍କ ହତ୍ୟାକାରୀ ଧରା ପଡ଼ିବାର ନୂଆ ଆଶା ଅଙ୍କୁରିଛି । ସୂଚନା ଅଧିକାର ଅଭିଯାନ ଓ ଭାଷା ଆନ୍ଦୋଳନ ମାନ୍ୟବର ହାଇକୋର୍ଟଙ୍କ ଏହି ଆଦେଶକୁ ସ୍ଵାଗତ ଜଣାଇଛନ୍ତି ।

ଏ ଭିତରେ ରଞ୍ଜନଙ୍କ ବାପା ଓ ବୋଉ ଅତ୍ୟନ୍ତ ଅସହ୍ୟ ଦୁଃଖ ଭୋଗି ଭୋଗି ଆଖି ବୁଜିସାରିଛନ୍ତି । କହିବାକୁ ହେବ ଯେ, ରଞ୍ଜନଙ୍କ ହତ୍ୟାକାରୀ, କ୍ଷମତାସୀନ ରାଜନେତା ଓ ଓଡ଼ିଶା ପୋଲିସ ମିଳିମିଶି ରଞ୍ଜନଙ୍କ ଜନ୍ମଦାତ୍ରୀ, ଜନ୍ମଦାତାଙ୍କୁ ଦୁଃଖ ଜଳଧିରେ ବୁଡେଇ ବୁଡେଇ ମାରିଦେଇଛନ୍ତି ।

ଆଶା କରାଯାଉଛି, କ୍ରାଇମ ବ୍ରାଞ୍ଚ ନିଜକୁ କ୍ଷମତାସୀନଙ୍କ ଦ୍ଵାରା ପ୍ରଭାବିତ ହେବାକୁ ନଦେଇ ରଞ୍ଜନଙ୍କ ହତ୍ୟାକାରୀକୁ ଧରି ମା ଓଡ଼ିଶାକୁ , ଓଡ଼ିଆଭାଷାଜନନୀକୁ ଶାନ୍ତି ଦେବ ଏବଂ ଦୁଃଖରେ ପ୍ରାଣତ୍ୟାଗ କରିଥିବା ରଞ୍ଜନଙ୍କ ବାପା ଓ ବୋଉଙ୍କୁ ମରଣୋତ୍ତର ସାନ୍ତ୍ଵନା ପ୍ରଦାନ କରିବ ।