ଯୋଗୀ ପରମ୍ପରାରେ ଭାଷା ଯୋଦ୍ଧା ପରିବାରର ଚନ୍ଦନ ଖୁଣ୍ଟିଆ

ସମାଜକଲ୍ୟାଣ ପାଇଁ ବାପ ମାଆ ନିଜ ପୁଅକୁ ଦୀକ୍ଷିତ କରାଇବାର ଉଚ୍ଚ ଓ ଅନନ୍ୟ ପରମ୍ପରା କେବଳ ଓଡ଼ିଶାରେ ହିଁ ସୁପ୍ରତିଷ୍ଠିତ । ଜୀବନ କ୍ଷଣ ଭଙ୍ଗୁର ହୋଇଥିବା ହେତୁ ମଣିଷ ନିସ୍ପୃହ ଓ ନିଷ୍କାମ ଜୀବନ ଯାପନ କରିବା ଉପରେ ଏହି ପରମ୍ପରାରେ ଗୁରୁତ୍ବ ଦିଆଯାଏ । ଯୋଗୀ ପରମ୍ପରା ଭାବେ ଏହା ସୁବିଦିତ । ଏହାର ବୈଶିଷ୍ଟ୍ୟ ହେଲା ଜନ୍ମଦାତ୍ରୀ ଜନନୀ ହିଁ ନିଜ ପୁତ୍ର ସନ୍ତାନକୁ ଏହି ତ୍ୟାଗପୂତ ଜୀବନ ପାଇଁ ଉତ୍ସାହିତ କରନ୍ତି ଓ ସନ୍ତାନଟି ଜଣେ ଯୋଗୀଙ୍କ ଠାରୁ ନିଷ୍କାମ ଜୀବନ ଯାପନର ଦୀକ୍ଷା ଗ୍ରହଣ କରି ପୁନଶ୍ଚ ଗୃହକୁ ଫେରି ଆସେ ଓ ଜନନୀ ତାକୁ ସଂସାରକୁ ପାଛୋଟି ନିଅନ୍ତି ।

ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଅନ୍ତର୍ଗତ ନୟାପଲ୍ଲୀ ନିବାସୀ ଭାଷା ଯୋଦ୍ଧା ନାରାୟଣ ଖୁଣ୍ଟିଆ ଓ ତାଙ୍କ ପତ୍ନୀ ଶ୍ରୀମତୀ ସୁକାନ୍ତି ଖୁଣ୍ଟିଆ ଏହି ପରମ୍ପରାରେ ପୁତ୍ର ଚନ୍ଦନଙ୍କୁ ତାଙ୍କ ମାଟ୍ରିକ ପରୀକ୍ଷା ପରେ ପରେ ଯୋଗୀ ବିଜୟ ସ୍ବାଇଁଙ୍କ ଠାରୁ ଦୀକ୍ଷା ଦିଆଇ ଥିଲେ । ଦୀକ୍ଷା ଧାରଣ କରି ସେ ମାତୃକୋଳକୁ ଫେରି ଆସିଛନ୍ତି । ଚିତ୍ରରେ ମା ସୁକାନ୍ତି ନିଷ୍କାମ ଜୀବନତତ୍ତ୍ଵରେ ଦୀକ୍ଷିତ ପୁତ୍ର ଚନ୍ଦନଙ୍କୁ ପାଛୋଟି ନେଉଥିବା ଦୃଶ୍ୟମାନ ।

ଖୁଣ୍ଟିଆ ଦମ୍ପତ୍ତି ନିଜ ପୁଅକୁ ସମାଜସେବାର ଏହି ମହାନ ଆଦର୍ଶରେ ଦୀକ୍ଷିତ କରାଇଥିବା ହେତୁ ଭାଷା ଆନ୍ଦୋଳନର ବହୁ ସାଥୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।