ବନ୍ଦେ ଉତ୍କଳ ଜନନୀ // ପଦ ପ୍ରାଞ୍ଜଳ ହେଉ ଏବଂ ହେଉ ‘ବନ୍ଦେ ଓଡ଼ିଶା ଜନନୀ’

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ରାଜ୍ୟ ମନ୍ତ୍ରୀମଣ୍ଡଳ ବନ୍ଦେ ଉତ୍କଳ ଜନନୀ ଶୀର୍ଷକ ଗୀତକୁ ସମଗ୍ରିକତଃ ଓଡ଼ିଶାର ରାଜ୍ୟ ସଙ୍ଗୀତ କରିବା ପାଇଁ ଆଜି ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ଆମ୍ଭର ୧.୬.୨୦୨୦ ତାରିଖର ସମ୍ପାଦକୀଯ ଦ୍ଵାରା ପ୍ରଭାବିତ ହୋଇଥିବା ହେତୁ ଆମ୍ଭ ପାଇଁ ସ୍ଵାଗତଯୋଗ୍ୟ; ମାତ୍ର ଏହା ଦୁଇଟି ଗୁରୁତର ଦୋଷରେ ଆକ୍ରାନ୍ତ । ପ୍ରଥମତଃ , ବିଧାନସଭାର ବାଚସ୍ପତି ଭାବେ ମହେଶ୍ଵର ମହାନ୍ତି ଆଦେଶ ଦେଇଥିଲେ କି, ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏହାକୁ ରାଜ୍ୟ ସଙ୍ଗୀତ କରିବା ପାଇଁ ଏକ ବିଧେୟକ ବିଧାନସଭାରେ ଆଗତ କରିବେ ଓ ତାହା ପରୀତ ହେଲେ ଏହା ରାଜ୍ୟ ସଙ୍ଗୀତ ହେବ । ଅତଏବ ବିଷୟଟି ବିଧାନସଭାର କର୍ତ୍ତୃତ୍ତ୍ଵାଧିନ ଅଛି । ତେଣୁ ଏ ସମ୍ପର୍କୀୟ କ୍ୟାବିନେଟ ନିଷ୍ପତ୍ତି ଅବୈଧ । ଦ୍ଵିତୀୟତଃ, ଏପରି ଏକ ସଙ୍ଗୀତ ପାଇଁ ଯେଉଁ ସମୟସୀମା ଧାର୍ଯ୍ୟ ହେବା ବାଞ୍ଛନୀୟ ତାହାର ଉପଦେୟତାକୁ ବେଖାତିର କରି ରାଜ୍ୟ ମନ୍ତ୍ରୀମଣ୍ଡଳ ଯେ ନିଜର ବୌଦ୍ଧିକ ପରାକାଷ୍ଠା ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି  ଓ ଜାତୀୟ ସଙ୍ଗୀତ ଆଇନ ଅନୁରୂପେ ଏହା ନିର୍ବାହିତ ହେବ ବୋଲି ବାଚସ୍ପତି ମହାନ୍ତି ଦେଇଥିବା ଆଦେଶର ଅବମାନନା କରିଛନ୍ତି । ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚାକର ବୋଲି ନିଜକୁ ପରିଚିତ କରାଇଥିବା ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ନଥାଇ ଅନ୍ୟ ଜେଆଡି କେହି ବାଚସ୍ପତି ଥାନ୍ତେ, ମୋର ବିଶ୍ଵାସ, ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ଵାଧିକାର ଭଙ୍ଗ ପାଇଁ କାର୍ଯ୍ୟାନୁଷ୍ଠାନ ହୋଇଥାନ୍ତା । ଏବେ ଶୀର୍ଷକ ସୂଚିତ ବିଷୟକୁ ଆସିବା ।

ତଦାନୀନ୍ତନ ବାଚସ୍ପତି ଶରତ କୁମାର କରଙ୍କ ଅଧ୍ୟକ୍ଷତାରେ ୧୦.୫.୨୦୦୩ ତାରିଖରେ ନିଷ୍ପତ୍ତି ହୋଇଥିଲା କି,  ପିଲାମାନଙ୍କ ସମେତ ସାଧାରଣଲୋକ, ଅସୁସ୍ଥ ଓ ଜରାଗ୍ରସ୍ତ ବ୍ୟକ୍ତିମାନଙ୍କ ମନଯୋଗ-ସୀମା ତଥା ଖୁବ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିମାନଙ୍କ ନିରପତ୍ତାକୁ ଆଖିଆଗରେ ରଖି ଜାତୀୟ ସଂଗୀତ ଗାନ ପାଇଁ  ନିର୍ଣୟ ହୋଇଥିବା ସମୟସୀମା ଅନୁଯାୟୀ ରାଜ୍ୟ ସଙ୍ଗୀତ ଭାବେ ଏହାର ଗାନକୁ ସମୟବଦ୍ଧ କରିବା ସକାଶେ ଏହି ଲେଖାର ଘୋଷା ସମେତ ୧, ୪ ଓ ୬ – ଏହି ତିନୋଟି ପଦକୁ  ମୂଳ ରଚନାରୁ ଅଲଗା କରି ରାଜ୍ୟ ସଙ୍ଗୀତ ରୂପେ ପ୍ରବର୍ତ୍ତିତ କରାଯିବ । ଏବଂ ପରବର୍ତ୍ତୀ ବାଚସ୍ପତି ମହେଶ୍ଵର ମହାନ୍ତିଙ୍କ ଅଧ୍ୟକ୍ଷତାରେ ୨୬.୮.୨୦୦୬ ତାରିଖରେ ମଧ୍ୟ ଅନୁରୂପ ନିଷ୍ପତ୍ତି ହୋଇଥିଲା ।

ଏଗୁଡ଼ିକ ହେଲା:

  • ବନ୍ଦେ ଉତ୍କଳ ଜନନୀ
  • ଚାରୁ ହାସମୟୀ ଚାରୁ ଭାଷମୟୀ ଜନନୀ ଜନନୀ ଜନନୀ
  • ବନ୍ଦେ ଉତ୍କଳ ଜନନୀ । ଘୋଷା ।
  • ପୂତ ପୟୋଧି ବିଧୌତଶରୀରା
  • ତାଳ ତମାଳ ସୁଶୋଭିତ ତୀରା
  • ଶୁଭ୍ର ତଟିନୀକୁଳ ଶୀକର ସମୀରା  – ଜନନୀ ଜନନୀ ଜନନୀ । ୧ ।
  • ସୁନ୍ଦର ମନ୍ଦିର ମଣ୍ଡିତ ଦେଶା
  • ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ଦେଶା
  • ପୂଣ୍ୟ ତୀର୍ଥଚୟ ପୂଣ୍ୟ ପ୍ରଦେଶା  – ଜନନୀ ଜନନୀ ଜନନୀ । ୪ ।
  • କବିକୁଳମୌଳି ସୁନନ୍ଦନ ବନ୍ଦ୍ୟା
  • ଭୂବନ ବିଘୋଷିତ କୀର୍ତ୍ତି ଅନିନ୍ଦ୍ୟା
  • ଧନ୍ୟେ ପୂଣ୍ୟେ ଚିରଶରଣ୍ୟେ – ଜନନୀ ଜନନୀ ଜନନୀ । ୬।

ଆମ୍ଭ ବିଚାରରେ ଏହା ଥିଲା  ଓଡ଼ିଶା ପ୍ରଦେଶ ଭୂମିର ଘୋର ଅବମାନନାକାରୀ । କାରଣ, ଏହି ୩ଟି ପଦରେ  କେବଳ ଉପକୂଳ ଓଡ଼ିଶାର ବୈଶିଷ୍ଟ୍ୟ ଚିତ୍ରଣ ଅଛି ; ପାର୍ବତ୍ୟ ଓଡ଼ିଶା ବା ଗଡ଼ଜାତ ଓଡ଼ିଶାର ଚିହ୍ନ ବର୍ଣ୍ଣ ନାହିଁ । ଓଡ଼ିଶାର ଅଧିକାଂଶ ଲୋକ ଯେଉଁମାନେ ପୂର୍ବତନ ଗଡ଼ଜାତଗୁଡ଼ିକର ବାସିନ୍ଦା ବା ପାହାଡ଼ି ଇଲାକାର ଅଧିବାସୀ ଏହି ସଙ୍ଗୀତରେ ତାଙ୍କ ମାଟିର ବନ୍ଦନା ପାଇବେନାହିଁ  । ତେଣୁ ଏହା ଓଡ଼ିଶାକୁ ଅଖଣ୍ଡ ରଖିବା ପରିବର୍ତ୍ତେ ସ୍ଵାଭିମାନ ଭିତ୍ତିରେ  ଖଣ୍ଡ ଖଣ୍ଡ କରିଦେବ ବୋଲି ଆମ୍ଭେ ଆଶଙ୍କା ପ୍ରକଟ କରିଥିଲୁ । ଆମ୍ଭ ଆଶଙ୍କାର ଯଥାର୍ଥତା ଅନୁଭବ କରି ରାଜ୍ୟ ମନ୍ତ୍ରୀମଣ୍ଡଳ ଆଜି ବୈଠକରେ ଉପରୋକ୍ତ ତିନି ପଦ ପରିବର୍ତ୍ତେ ସମଗ୍ର ଲେଖାଟିକୁ  ଅର୍ଥାତ୍ ଘୋଷା ସମେତ ସମସ୍ତ ୬ ପଦକୁ ରାଜ୍ୟ ସଙ୍ଗୀତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଯଥାର୍ଥ ନିଷ୍ପତ୍ତି ନେବାକୁ ଅଯୋଗ୍ୟତା ହିଁ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟକରେ । ନିର୍ଦ୍ଦିଷ୍ଟ ଔଷଧୀୟ ଗୁଳ୍ମ ଚିହ୍ନିବାର ଅଯୋଗ୍ୟତା ହିଁ ସମଗ୍ର ଗନ୍ଧମାର୍ଦ୍ଦନ ପାହାଡ଼ ବୋହିନେବା ପାଇଁ ହନୁମାନଙ୍କୁ ବାଧ୍ୟ କରିଥିଲା । ଆଜିର ମନ୍ତ୍ରୀମଣ୍ଡଳ ନିଷ୍ପତ୍ତି ଏହି ପର୍ଯ୍ୟାୟଭୁକ୍ତ । ଉପର ବର୍ଣ୍ଣିତ କାରଣଗୁଡ଼ିକ ହେତୁ ବହୁ ଅନୁଧ୍ୟାନ, ତର୍କ ବିତର୍କ ପରେ ଜାତୀୟ ସଙ୍ଗୀତର ସମୟସୀମା ୫୨ ସେକେଣ୍ଡରେ ସୀମିତ କରାଯାଇଛି । ତେଣୁ, ଉପରୋକ୍ତ ଦୁଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ମଧ୍ୟ ଏହି ସମୟସୀମାକୁ ଧ୍ୟାନ ଦେଇ ଏହି ଗୀତର ୬ ପଦ ଭିତରୁ ୩ଟି ପଦକୁ ରାଜ୍ୟ ସଙ୍ଗୀତରେ ବ୍ୟବହାର କରିବାକୁ ସିଦ୍ଧାନ୍ତ ହୋଇଥିଲା । ଆମର ଆପତ୍ତି ଥିଲା ପଦ ଚୟନ ନେଇ । ୨ୟ ପଦଟିକୁ ବାଦ ଦିଆଯାଇ ନଥିଲେ ଗଡ଼ଜାତ ରାଜ୍ୟସମୂହ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ରାଜ୍ୟ ସଙ୍ଗୀତରେ ସ୍ଥାନିତ ହୋଇଥାନ୍ତେ । ପଦଟି ହେଲା –

  • ଘନ(ଘଞ୍ଚ) ବନଭୂମି ରାଜିତ ଅଙ୍ଗେ
  • ନୀଳ ଭୁଧରମାଳ ରାଜେ ତରଙ୍ଗେ
  • କଳ କଳ ମୁଖରିତ ଚାରୁ ବିହଙ୍ଗେ – ଜନନୀ ଜନନୀ ଜନନୀ (୨)

ଏହି ପଦଟି ଗଡଜାତ ଓ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରତିନିଧିତ୍ଵ କରେ । ତେଣୁ ଆମ୍ଭର ଦାବି ଥିଲା , ଏହି ନିର୍ଦ୍ଦିଷ୍ଟ ପଦଟିକୁ ଯଦି ଏ ସଙ୍ଗୀତର ଅନ୍ତର୍ଗତ କରା ନଯାଏ ତେବେ ତାହା କେବଳ ଉପକୂଳ ଓଡ଼ିଶାର ବନ୍ଦନା ହେବ ସିନା ଓଡ଼ିଶାର ବନ୍ଦନା ହେବନାହିଁ । ଓଡ଼ିଶାକୁ ଅଖଣ୍ଡ ରଖିବା ପରିବର୍ତ୍ତେ ସ୍ଵାଭିମାନ ଭିତ୍ତିରେ ଏହା ତାକୁ ଖଣ୍ଡ  ଖଣ୍ଡ କରିଦେବ । ଓଡ଼ିଶାକୁ ଭଲ ପାଉଥିବା କୌଣସି ଲୋକ ଏହାକୁ ତାର ଜାତୀୟ ସଙ୍ଗୀତ ଭାବେ କେବେ  ବି ଗ୍ରହଣ କରିବ ନାହିଁ ବୋଲି ଆମ୍ଭେ ସତର୍କ କରାଇ ଦେଇଥିଲୁ ।

ସୁଖର କଥା, ସରକାର ଆମ୍ଭ ସତର୍କବାଣୀକୁ ଅବଜ୍ଞା କରିନାହାନ୍ତି । ଊପରୋକ୍ତ ପଦଟି ସହ ଏହି ସଙ୍ଗୀତ ପରିବେଷିତ ହେବ । ମାତ୍ର ଯେଉଁ କରଣହେତୁ ଜାତୀୟ ସଂଗୀତାକୁ ୫୨ ସେକଣ୍ଡରେ ସମୟବଦ୍ଧ କରାଯାଇଛି ସେହି କାରଣକୁ ଅବଜ୍ଞା କରି ରାଜ୍ୟ ସରକାର ଏହା ପ୍ରତି ଭବିଷ୍ୟତର ଅମର୍ଯ୍ୟାଦାକୁ ଡାକିଆଣିଛନ୍ତି ।

ଯେହେତୁ ଏହି ସଂପୂର୍ଣ୍ଣ ଗାନ ଅସହ୍ୟ ଭାବେ ଦୀର୍ଘ ସମୟ ନେବ, ସେହେତୁ ମନ୍ତ୍ରୀମଣ୍ଡଳ ନିଷ୍ପତ୍ତି କରିଛି କି, “ବୟସ୍କ, ଅସୁସ୍ଥ, ଭିନ୍ନକ୍ଷମ, ଗର୍ଭବତୀ ମହିଳା, ଯେଉଁମାନେ ନିଜର ଉପରୋକ୍ତ କାରଣରୁ ଦଣ୍ଡାୟମାନ ହେବାରେ ଅସୁବିଧା ଅନୁଭବ କରୁଥିବେ, ସେମାନେ ଏହି ସଂଗୀତ ପରିବେଷଣ/ଗାନ ସମୟରେ ନିଜ ସ୍ଥାନରେ ନମ୍ରଭାବରେ ବସି ରହି ଏଥିପ୍ରତି ସମ୍ମାନ ପ୍ରଦର୍ଶନ କରିପାରିବେ । ଶିଶୁମାନଙ୍କୁ ମଧ୍ୟ ଏହି ସଙ୍ଗୀତ ପରିବେଷଣ / ଗାନ ସମୟରେ ଦଣ୍ଡାୟମାନ ରହିବାରୁ ଅବ୍ୟାହତି ଦିଆଗଲା“ (ପ୍ରସ୍ତାବ ୬) ।

ଓଡ଼ିଶାର ଯାହା ରାଜ୍ୟ ସଙ୍ଗୀତ ହେବ, ତାହାକୁ ଏପରି ପ୍ରହସନରେ ପରିଣତ କରିବାକୁ ରାଜ୍ୟ ମନ୍ତ୍ରୀମଣ୍ଡଳକୁ କିଏ ଅଧିକାର ଦେଇଛି? ମନ୍ତ୍ରୀମାନେ ନିଜର ଯୌଥ ରାଜନୈତିକ ବୁଦ୍ଧି ପ୍ରୟୋଗ କରିଛନ୍ତି କି କ୍ରୀତଦାସସୁଲ୍ଲଭ ଆନୁଗତ୍ୟ ପ୍ରକାଶ କରି “ରାଜନନ୍ଦିନୀ ପ୍ୟାରୀ ଯା ବଲେ ତା ଭାଲୋ” ଭାବି ଏପରି ହାସ୍ୟାସ୍ପଦ ନିଷ୍ପତ୍ତି ନେଇଛନ୍ତି?

ଏହା ରାଜ୍ୟ ସଙ୍ଗୀତ ହେଲେ ଏହା ହିଁ ହେବ ଆମ ରାଜ୍ୟର ଜାତୀୟ ସଙ୍ଗୀତ । ଜାତୀୟ ସଙ୍ଗୀତ ହେଉଛି ଗୋଟିଏ ଜାତିର ଗରିମାର ଆଧାର । ଏହାର ପରିବେଷଣ କୌଣସି ହାସ୍ୟନାଟକ ପରିବେଷଣ ନୁହେଁ । ସୁତରାଂ ଏହି ୬ ସଂଖ୍ୟକ ପ୍ରସ୍ତାବକୁ ତୁରନ୍ତ ରଦ୍ଦ କରାଯିବା ଦରକାର ।

ପୂର୍ବ ନିଷ୍ପତ୍ତି ଅନୁଯାୟୀ ଏହାକୁ ୩ ପଦରେ ସୀମିତ ରଖି ସ୍ଵଳ୍ପତମ ସମୟରେ ଗାନ କରାଯାଉ ।  ଏହି ସଙ୍ଗୀତର ସ୍ଵର ଅକ୍ଷୁର୍ଣ୍ଣ ରଖି ଶାନ୍ତନୁ ମହାପାତ୍ର ମାତ୍ର ୪୦ ସେକଣ୍ଡରେ ପୂର୍ବୋକ୍ତ ୩ଟିଯାକ ପଦ ପରିବେଷଣ କରିପାରିଥିଲେ । ତେଣୁ ତାହା ହିଁ କରାଯାଉ । ବାଚସ୍ପତିମାନଙ୍କ ଆହୁତ ବୈଠକଦ୍ଵୟରେ ନିର୍ବାଚିତ ୩ ଟି ପଦରୁ ଶେଷ ପଦଟିକୁ ବାଦ ଦେଇ ୨ୟ ପଦଟିକୁ ଗ୍ରହଣ କଲେ, ତାହା ଏହିପରି ହେବ –

  • ବନ୍ଦେ ଉତ୍କଳ ଜନନୀ
  • ଚାରୁ ହାସମୟୀ ଚାରୁ ଭାଷମୟୀ ଜନନୀ ଜନନୀ ଜନନୀ
  • ବନ୍ଦେ ଉତ୍କଳ ଜନନୀ । ଘୋଷା ।
  • ପୂତ ପୟୋଧି ବିଧୌତ ଶରୀରା
  • ତାଳ ତମାଳ ସୁଶୋଭିତ ତୀରା
  • ଶୁଭ୍ର ତଟିନୀକୁଳ ଶୀକର ସମୀରା  – ଜନନୀ ଜନନୀ ଜନନୀ । ୧ ।
  • ଘନ(ଘଞ୍ଚ) ବନଭୂମି ରାଜିତ ଅଙ୍ଗେ
  • ନୀଳ ଭୁଧରମାଳ ରାଜେ ତରଙ୍ଗେ
  • କଳ କଳ ମୁଖରିତ ଚାରୁ ବିହଙ୍ଗେ – ଜନନୀ ଜନନୀ ଜନନୀ (୨)
  • ସୁନ୍ଦର ମନ୍ଦିରମଣ୍ଡିତ ଦେଶା
  • ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ଦେଶା
  • ପୂଣ୍ୟ ତୀର୍ଥଚୟ ପୂଣ୍ୟ ପ୍ରଦେଶା  – ଜନନୀ ଜନନୀ ଜନନୀ । ୪ ।

 

ଏହା ସମଗ୍ର ଓଡ଼ିଶାର ପ୍ରତିନିଧିତ୍ଵ କରିବ ଓ ୪୦ରୁ ୫୦ ସେକଣ୍ଡରେ ପରିବେଷିତ ହୋଇପାରିବ । ଶେଷପଦଟି ଅତ୍ୟନ୍ତ ଅବୋଧ୍ୟ ଓ ସେହେତୁ ରାଜ୍ୟ ସଙ୍ଗୀତରେ ସ୍ଥାନିତ ହେବାକୁ ଅଯୋଗ୍ୟ । ତେଣୁ ତାକୁ ବାଦ ଦେଇ ୨ୟ ପଦଟିକୁ ଗ୍ରହଣ କରି ଓଡ଼ିଶାର ରାଜ୍ୟ ସଙ୍ଗୀତକୁ ପ୍ରାଞ୍ଜଳ କରାଯାଉ ଓ ତାର ଶୀର୍ଷକକୁ ବନ୍ଦେ ଉତ୍କଳ ଜନନୀ ପରିବର୍ତ୍ତେ ବନ୍ଦେ ଓଡ଼ିଶା ଜନନୀ କରାଯାଉ । ଏଥିପାଇଁ ମୁଁ ପୂର୍ବରୁ ଯେଉଁ କାରଣ ଦର୍ଶାଇଛି ତାହା ସର୍ବଥା ଗ୍ରହଣୀୟ ।

 

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.