ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ ମରଣୋତ୍ତର ଦେଶଦ୍ରୋହ ମକଦ୍ଦମା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ ୧୯୫୪ (The Orissa Official Language Act ,1954) ସଂକ୍ଷେପରେ ଭାଷା ଆଇନ କାର୍ଯ୍ୟକାରୀ ହେବାକୁ ଆବଶ୍ୟକୀୟ ଅଧିସୂଚନାର ଅପେକ୍ଷା ରଖିଥିବା ବେଳେ ତାହା ଜାରି ନ କରି ଅସାମ୍ବିଧାନିକ ସଂଶୋଧନ ଦ୍ଵାରା ୧୯୬୩ରେ କବର ତଳୁ ଇଂରାଜୀ ଭାଷାକୁ ଉଠାଇ ଆଣି ଓଡ଼ିଆ ଜାତିର ଭାଷା ଅଧିକାରକୁ ପ୍ରଥମ ମରଣଆଘାତ ଦେଇଥିବା ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ ଦେଶଦ୍ରୋହ ଅପରାଧରେ ମରଣୋତ୍ତର ମକଦ୍ଦମା ଆରମ୍ଭ କରିବାକୁ ଭାଷା ଆନ୍ଦୋଳନ ଭାରତର ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରୁଛି । 

ବ୍ରିଗେଡ଼ିଅର ଜନ୍ ଡେଲ୍ଭି (John Delvi) ତାଙ୍କ ପ୍ରସିଦ୍ଧ ପୁସ୍ତକ ହିମାଳୟାନ୍ ବ୍ଲଣ୍ଡର (Himalayan Blunder)ରେ ଉଲ୍ଲେଖ କରିଛନ୍ତି ଯେ, ଭରତ ୧୯୬୨ ଚୀନ ଯୁଦ୍ଧରେ ପରାଭୂତ ହୋଇ ଅନ୍ୟୁନ୍ୟ ୧୧୦୦୦ ବର୍ଗ କିଲୋମିଟର ମାଟି ହରାଇଲା, କାରଣ ଯୁଦ୍ଧକ୍ଷେତ୍ରରେ ତଡ଼ିତ୍ ବେଗରେ ପହଞ୍ଚିଥିବା ସୈନିକମାନଙ୍କ ପାଖରେ ସେହି ବରଫାବୃତ୍ତ ପାର୍ବତ୍ୟ ଇଲାକାରେ  ଅତ୍ୟାବଶ୍ୟକ  ଶୀତବସ୍ତ୍ର , ବରଫ-ଯୋତା, ବରଫ-ଚଷମା ପହଞ୍ଚି ପାରିଲା ନାହିଁ । ଏହି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୁଦ୍ଧକ୍ଷେତ୍ରରେ ପହଞ୍ଚାଇବାକୁ ଠିକା ନେଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବନି ପ୍ରଧାନମନ୍ତ୍ରୀ ନେହେରୁଙ୍କ ମନ ଜିଣିଥିବା ବିଜୁ ପଟ୍ଟନାୟକ । କିନ୍ତୁ ସେ ସେହି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀକୁ ନେଫା ରଣକ୍ଷେତ୍ରରେ ନ ପହଞ୍ଚାଇ ଚୋରାବଜାରରେ ବିକି ପ୍ରଚୁର ଅର୍ଥ ଉପାର୍ଜନ କରିଥିବା ବେଳେ, ବରଫାବୃତ୍ତ ଅଞ୍ଚଳରେ ଜୀବନ ରକ୍ଷା ପାଇଁ ଅତ୍ୟାବଶ୍ୟ ସେହି ସାମଗ୍ରୀଗୁଡ଼ିକ ନପାଇ ଆମ ସୈନ୍ୟମାନେ ଚୀନସେନାର ସାମ୍ନା କରିପାରିଲେନି, ବହୁ ପରିମାଣରେ ହାହାକାର କରିକରି ମଲେ, ଆମେ ହାରିଗଲେ , ଡେଲ୍ଭିଙ୍କ ହିସାବରେ ଆମ ମାତୃଭୂମିର ୧୧୦୦୦ ବର୍ଗ କିଲୋମିଟର ଚୀନ ପାଦତଳେ ଚାପି ହୋଇରହିଗଲା  । (Lok Sabha Debates (V) (1967) 7980-7990) ।  

ଏହି ଘଟଣାର ତଦନ୍ତ ପାଇଁ ନିଯୁକ୍ତ କାଟଜୁ କମିଶନ କଳିଙ୍ଗ ଏୟାର ଲାଇନ୍ସ ମାଧ୍ୟମରେ ବିଜୁ କରିଥିବା ଦେଶ ବିରୋଧୀ ଅପରାଧମାନଙ୍କର ଏକ ଲମ୍ବା ତାଲିକା ସବିଶେଷ ବିବରଣୀ ସହ ଦାଖଲ କରିଥିଲେ । ମାତ୍ର ତାହାକୁ ସମ୍ପୂର୍ଣ୍ଣତଃ ସଂସଦରେ ରଖାଯାଇନଥିଲା । ଅଥଚ ଏହି ଦେଶଦ୍ରୋହୀ କାମ ସତ୍ତ୍ୱେ ବିଜୁ କେନ୍ଦ୍ର ସରକାରଙ୍କଠାରୁ ବିପୁଳ ପରିମାଣର ଟଙ୍କା କଳିଙ୍ଗ ଏୟାର ୱେଜ @ କଳିଙ୍ଗ ଏୟାର ଲାଇନ୍ସ ପାଇଁ ନେଇଥିଲେ  (୨୫.୧.୧୯୬୩ରେ ଲୋକସଭାରେ ସୁରେନ୍ଦ୍ରନାଥ ଦ୍ଵିବେଦୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉତ୍ତର)।  ଅଟଳ ବିହାରୀ ବାଜପେଯୀଙ୍କ ୭୮୫ ସଂଖ୍ୟକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ଦେଇ  ୨୮.୬.୧୯୬୨ ତାରିଖରେ ତଦାନୀନ୍ତନ ଗୃହ ରାଷ୍ଟ୍ରମନ୍ତ୍ରୀ ବିଦ୍ୟାଚରଣ ଶୁକ୍ଲା ସ୍ଵୀକାର କରିଥିଲେ ଯେ କଳିଙ୍ଗ ଏୟାର ୱେଜ ନାନା ଠକାମି ଓ ଜାଲିଆତି କରିଥିବା ସଂସଦର ପବ୍ଲିକ ଆକାଉଣ୍ଟସ କମିଟି ଧରିଛି । ଏପରିକି ଯୁଦ୍ଧ ଚାଲିଥିବା ବେଳେ ସନ୍ଦେହାତ୍ମକ ଭାବେ ଅଜଣା ଲୋକଙ୍କୁ ଧରି ତାଙ୍କ ବିମାନ ୧୬୦୦ ଥର ଉଡ଼ାଣ କରିଥିଲା ବୋଲି ଜଣା ପଡ଼ିଥିଲା । ଏହା ଜଣା ପଡ଼ିଲା ପରେ କେହି ଜଣେ ଅଜ୍ଞାତ ପଦଧିକାରୀ ୧୬୦୦କୁ ୨୦୦ରେ ବଦଳାଇଥିବା ବି ଜଣା ପଡ଼ିଥିଲା । ଏହି ଜାଲିଆତି କିଏ କରିଛି ବୋଲି ସାଂସଦ ଜି. ଜି. ସ୍ଵେଲ୍ ଯେଉଁ ପ୍ରଶ୍ନ କରିଥିଲେ ଶୁକ୍ଲା ତାହା ବି ତଦନ୍ତରେ ଜଣା ପଡ଼ିବ ବୋଲି କହିଥିଲେ ।  ସବୁ ଚାପିଡିଆଗଲା । 

ବିଜୁଙ୍କ ଏୟାର ବେଜର ଗୋଟାଏ ପରେ ଗୋଟେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଧ୍ଵଂସ ହୋଇଚାଲିଲା । ସେସବୁରେ ଥିବା ବିଜୁଙ୍କ ଦେଶଦ୍ରୋହର କାର୍ଯ୍ୟନିର୍ବାହୀ ବିମାନଚାଳକ ଓ ସେମାନଙ୍କ ସହାୟକମାନେ ମରଣ କବଳକୁ ଠେଲି ହୋଇଗଲେ । 

ଭାରତର ସଂସଦ ବିଜୁଙ୍କ ଏହି ଅପରାଧ ହେତୁ ପଡ଼ିଥିଲା ଉଠିଥିଲା । ବିତର୍କରେ ଯେଉଁସବୁ  ବିବରଣୀ ଆସିଲା , ବିଜୁଙ୍କ ବିରୁଦ୍ଧରେ ଦେଶଦ୍ରୋହ ଅପରାଧରେ ଆପରାଧିକ ଅଭିଯୋଜନ ( prosecution for sedition) ପାଇଁ  ତାହା ଥିଲା ଯଥେଷ୍ଟ । ମାତ୍ର କାଳେ ବିଜୁଙ୍କୁ ଅହେତୁକ କରୁଣା ପ୍ରଦର୍ଶନ ପାଇଁ ନେହେରୁ ମଧ୍ୟ ବିଚାରଭୁକ୍ତ ହେବେ, ଏହି କାରଣରୁ ବିଜୁଙ୍କୁ ତତ୍କାଳୀନ କଂଗ୍ରେସ ସରକାର ଘଣ୍ଟ ଘୋଡେଇ ରଖିଦେଲା । 

କିନ୍ତୁ ଆମେ ଚାହୁଁ ସତ୍ୟ ପଦାକୁ ଆସୁ । ଆମ ଭାଷାକୁ ପ୍ରଥମ ମରଣଆଘାତ ଦେଇଥିବା ବିଜୁ ପଟ୍ଟନାୟକ ଦେଶଦ୍ରୋହ ପାଇଁ ମରଣୋତ୍ତର ଦଣ୍ଡ ପାଇବା ଦରକାର ।  ସତ୍ୟକୁ ଜନସାଧାରଣଙ୍କ ସମ୍ମୁଖରେ ରଖିବବା ପାଇଁ ବିଜେପି ସରକାର ୨୮.୬.୧୯୬୨ରେ ଅଟଳ ବିହାରୀ ବାଜପେୟୀ ପାଇନଥିବା ଉତ୍ତର ଖୋଜି ବାହାର କରୁ ।  

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.