ନମସ୍ତେ ମଧୁବାବୁ

ସନ୍ତୋଷ କୁମାର ମିଶ୍ର,  ଅଧିବକ୍ତା, ଭବାନୀପାଟଣା

ମଧୁବାବୁଙ୍କୁ ମୁଁ ରାତିରେ ଭେଟିଲି
ବସିଥିଲି ତାଙ୍କ ପାଖରେ,
ପଚାରିଲେ ମୋତେ ଓଡ଼ିଶା ଖବର
କହି ଦେଲି ସଂକ୍ଷେପରେ ।୧।

ଜାତି ନନ୍ଦିଘୋଷ ରଥ ଗଡେ ଅଜା
ସ୍ୱାର୍ଥକୁ ସାରଥୀ କରେ,
ଗଧ ଟାଣୁ ଅଛି ଶଙ୍ଖର ଦଉଡି
ପାଞ୍ଚ ଟଙ୍କା ଆହାରରେ । ୨।

ସ୍ୱାଭିମାନି ତୁମେ ହୋଇଥିଲ ବୋଲି
ଓକିଲଙ୍କ ହେଲ ଦେବତା,
ସତ୍ୟର ପ୍ରକଟ ତୁମେ କରୁଥିଲ
ସତ୍ୟକୁ କରିଲୁ ହତ୍ୟା ।୩।

ତୁମେ ଲଢୁଥିଲ ନ୍ୟାୟ ପାଇଁ ଅଜା
ଆମେ ଲଢୁ ଧନ ପାଇଁ,
ବିଚାରପତି ଭି ବସନ୍ତି ଅସନେ
ଦରମା ଗଣ୍ଡିକ ପାଇଁ ।୪।

ସବୁ ଓଡ଼ିଆଙ୍କୁ ଏକତ୍ରିତ କରି
ଓଡ଼ିଶା ପ୍ରଦେଶ କଲ,
ବଡ଼ ଭାଇ ଏଠି ଉତ୍କଳ ବୋଲାଏ
କୌଶଳ ସାବତ ତୁଲ୍ୟ ।୫।

ଗରିବଙ୍କ ତୁମେ ବ୍ୟାଙ୍କ ଖାତା ଅଜା
ମଧୁ ପେନସନ ନାଁରେ,
ରାଜା ନେତାଙ୍କର ଗୁରୁ ହୋଇଗଲ
ଏବେ ଗୁରୁ ଦିବସରେ ।୬।

ମୋ ପୂର୍ବ ପୁରୁଷ ଜୟ କରିଥିଲେ
ଗଙ୍ଗା ଠାରୁ ଗୋଦାବରୀ,
ତାଙ୍କରି ସନ୍ତାନ ଭିକ ମାଗେ ଏବେ
ମହାନଦୀ ଜଳ ଧାରୀ ।୭।

ଓଡ଼ିଆଙ୍କ ଶ୍ରେଷ୍ଠ ବୋଲାଉଛି ଯିଏ
ଓଡିଆ ପାରୁନି କହି,
ଓଡ଼ିଆ ଭାଷାରେ ଦଣ୍ଡ ବିଧାନ ଟା
କେମିତି ରଖିବେ ଭାଇ ।୮।

ଜାତିର ଉନ୍ନତି ନେତା କରୁଛନ୍ତି
ସ୍ୱାର୍ଥକୁ ସାରଥି ମଣି,
ଏ ଦଳୁ ସେ ଦଳ ନିତି ଡେଉଁଛନ୍ତି
ହାତ ଶଙ୍ଖ ପଦ୍ମ ଗଣି ।୯।

ମୁଁ ପରା ବୋଲାଏ ଓଡ଼ିଆ ସନ୍ତାନ
ଫୋଟ ପରିଚୟ ପାଇ,
ଭୋଟ ଦେବି ଅଜା ଆନନ୍ଦେ ଏଥର
ଦୁଇ ହଜାରଟେ ନେଇ ।୧୦।

ଶାର୍ଗୁଣା ବିଲୁଆ ଚିକିତ୍ସକ ହୋଇ
ପ୍ରାଣୀଙ୍କୁ କରନ୍ତି ଶବ,
ଚିକିତ୍ସାଳୟ ର ସଂମାନ ବଢାଏ
ଦେଖି ଚାକଚକ ଭାବ ।୧୧।

ମୁଁ ମନେ ଭାବିଛି ତୋଷମଦ କରି
ବଢ଼ାଇବି ମୋର ମାନ,
ବିକି ସ୍ୱାଭିମାନ ବଢାଏ ସଂମାନ
ପାଇବାକୁ ଯେ ଆସନ ।୧୨।

ଓଡ଼ିଆ ସନ୍ତାନ ଲାଞ୍ଚ ଦେଇ ନେଇ
ଯାଇଛନ୍ତି ପୁରା ସଢି,
ଲାଞ୍ଚ ଦେଲେ ନେଲେ ବଢାଏ ସମ୍ପର୍କ
ଗଡଇ ସଂସାର ଗାଡ଼ି ।୧୩।

ସ୍ୱାର୍ଥ ଏଠି ଜାୟା ମିଥ୍ୟା ହୁଏ ପୁତ୍ର
ସଙ୍ଗେ କରିଛନ୍ତି ବାସ,
ରାଜ୍ୟରେ ବିପ୍ଳବ ଘଟିବନି ଆଉ
ସମସ୍ତଙ୍କୁ କଲା ଗ୍ରାସ ।୧୪।

ତୁମରି ସନ୍ତାନ ବୋଲାଉଛି ଅଜା
ଓକିଲାତି କାମ କରି,
ପେଟର ନାଆରେ ବେପାର କରୁଛି
ହେବିନି ମୁଁ ତୁମ ସରି ।୧୫।

ଜନନୀ ରୋଦନ ଦେଖି ସହିଯାଏ
ପତ୍ନୀର ଆନନ୍ଦ ପାଇଁ,
ରାତିଟା ମୋହର ରଙ୍ଗୀନ ଆଲୁଅ
ଜହ୍ନ ରାତି ଆଉ ନାହିଁ ।୧୬।

ପାରିଲେନି ସହି ମୋର ସତ୍ୟ ବାକ୍ୟ
ଗୋଟିଏ ଚାପୁଡ଼ା ଦେଲେ,
ଭାଙ୍ଗି ଗଲା ନିଦ ଦେଖିଛି ସପନ
ସପନରେ ଆସିଥିଲେ ।୧୭।

ଉତ୍କଳ ଗୌରବ ହେ ମଧୁସୂଦନ
ଚାରି ଅଠେଇସକୁ ଆସ,
ସେ ପୂଣ୍ୟ ତିଥିରେ କହିବ ଓଡ଼ିଆ
ମୋ ମଧୁବାବୁ ନମସ୍ୟ ।୧୮।


Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.