ପଦ୍ମପୁରରେ ବର୍ଷାଙ୍କ ବିଜୟ ନବୀନଙ୍କ ବିଜୟ ନୁହେଁ, ଓଡ଼ିଆ ମାଟିମମତାର ବିଜୟ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

“ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ , ତାକୁ ଯଦି ଜ୍ଞାନୀଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ?”

ମାତୃଭାଷାର ଭୂମି ଓଡ଼ିଶାକୁ ଅନ୍ୟ ଭାଷାଭାଷୀଙ୍କ ପ୍ରାଦୁର୍ଭାବ କବଳରୁ ରକ୍ଷା କରି ତାକୁ ତାର ଭୌଗୋଳିକ ସ୍ୱରୂପ ଦେବା ପାଇଁ ସମଗ୍ର ଓଡ଼ିଆ ଜାତି ବିଲାତି କ୍ଷମତାଧରମାନଙ୍କ ସହ ଯେଉଁ ସୁଦୀର୍ଘ ସଂଗ୍ରାମ ଚଳାଇଥିଲା, ତାହାକୁ ସାର୍ଥକତାର ସାଞ୍ଜୁ ଯୋଗାଇଥିବା ଉପରୋଦ୍ଧୃତ୍ତ ଉକ୍ତି ଝରି ଆସିଥିଲା ସ୍ୱଭାବକବି ଗଙ୍ଗାଧରଙ୍କ ଅମୃତସ୍ରାବୀ ଲେଖନୀରୁ, ମାତୃଭୂମି ଶୀର୍ଷକରେ ।  ଗଙ୍ଗାଧରଙ୍କ ସେହି ମାତୃଭୂମି ଓଡ଼ିଶାକୁ ହାଣି ଖଣ୍ଡ ଖଣ୍ଡ କରିଦେବାପାଇଁ ଅଣଓଡ଼ିଆ ବେପାରୀଙ୍କ  ପ୍ରଭାବପୁଷ୍ଟ ବିଜେପି ଯେଉଁ ଚକ୍ରାନ୍ତ ଚଳାଇଛି ତାକୁ ସ୍ଵଭାବ କବିଙ୍କ ମାଟିର ସହୋଦରା ପଦ୍ମପୁର ପଦଦଳିତ କରିଛି  ଓଡ଼ିଶା ବିଧାନସଭା ପାଇଁ  ଅନୁଷ୍ଠିତ ଉପନିର୍ବାଚନରେ । 

ଏହି ଉପନିର୍ବାଚନର ଔପଚାରିକ ଫଳ ଘୋଷଣା ଯଥାସମୟରେ ହେବ, ମାତ୍ର ଏହା ସ୍ପଷ୍ଟ ହୋଇସାରିଛି ଯେ, ସେଠାରେ ବିଜୟଟୀକା ନାଇବାକୁ ସଜବାଜ ହୋଇଥିବା ବିଜେପି ପରାଜୟ ଭୋଗିଛି, ବିଜୟ ଲାଭ କରିଛନ୍ତି ବିଜେଡ଼ିର ଆକସ୍ମିକ ପ୍ରାର୍ଥିନୀ, ଯେ କି ବିଜେଡ଼ି ପାଇଁ ବା ବିଜେଡ଼ି ପତାକା ତଳେ କେବେ କୌଣସି ରାଜନୈତିକ ଭୂମିକା ନିର୍ବାହ କରିନଥିଲେ  ।

ବିଧାନସଭାକୁ ଲୋକେ ଯାହାଙ୍କୁ ପଠାନ୍ତି, ତାଙ୍କର ମୁଖ୍ୟ କାମ ବିଧାନ ପ୍ରଣୟନ, ରାଜ୍ୟ ପରିଚାଳନା ପାଇଁ ସରକାରଙ୍କୁ ଅର୍ଥ ପ୍ରଦାନ ଓ ବ୍ୟୟ ଅନୁମୋଦନ, ଦୃଶ୍ୟମାନ ଅପଶାସନ ଉପରେ ଆଲୋଚନା ଓ ଉତ୍ତରଦାୟିତ୍ଵ ନିର୍ଦ୍ଧାରଣ, ଜନସାଧାରଣଙ୍କ ସ୍ଵାର୍ଥ ସେବା ପାଇଁ ପ୍ରଶାସନିକ ପରିବେଶ ସଂସ୍ଥାପନ ଏବଂ ରାଜ୍ୟ ଶାସନରେ ଗଣତାନ୍ତ୍ରିକ ଚଳଣିର ସଂରକ୍ଷଣ ଓ ଅଗଣତାନ୍ତ୍ରିକ ଆଚରଣର ମୂଳୋତ୍ପାଟନ ଏବଂ ଏଥିପାଇଁ ବିଧାୟକୀୟ ବ୍ୟବସ୍ଥା ଅବଲମ୍ବନ ।

ଏତଦ୍ଦୃଷ୍ଟିରୁ ଦେଖିଲେ, କୌଣସି ଅଭିଜ୍ଞତା ନଥିବା ନବଗତା ବିଜେଡି ପ୍ରାର୍ଥିନୀଙ୍କ ଅପେକ୍ଷା ପଦ୍ମପୁରର ସଚେତନ ଭୋଟରମାନେ ପ୍ରଚୁର ବିଧାୟକୀୟ ଅଭିଜ୍ଞତାସମ୍ପନ୍ନ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ବହୁ ଅଧିକ ପରିମାଣରେ ସମର୍ଥନ କରିବା କଥା । ମାତ୍ର ସେ ହାରିଗଲେ । କାହିଁକି?

ହରିଗଲେ; କାରଣ, ମା ଓଡ଼ିଶାକୁ ହାଣିବା ପାଇଁ ଯେଉଁ ବିଚ୍ଛିନ୍ନତାବାଦୀ ସ୍ଵର ଓଡ଼ିଆ ଜାତିକୁ ଦୁଃଖରେ ଭିଜାଉଛି, ସେହି ହୀନ ଚକ୍ରାନ୍ତର ଜନକ ହେଉଛି ବିଜେପି । କ୍ଷମତାଲିପ୍ସୁ ଅଟଳ ବିହାରୀ ବାଜପାୟୀ ଅଣଓଡ଼ିଆ ବେପାରୀମାନଙ୍କ ସହଯୋଗରେ ପଶ୍ଚିମ ଓଡ଼ିଶାରେ ଅଧିକ ଭୋଟ ପାଇବା ବିଶ୍ଵାସ କରି ତାହାକୁ ଏକ ସ୍ଵତନ୍ତ୍ର ରାଜ୍ୟ କରିବାର ବିଷ ମଞ୍ଜି ପ୍ରଥମେ ବୁଣିଥିଲେ । ତହିଁ ଉପରେ ଆବଶ୍ୟକୀୟ ଆଲୋକପାତ କରି ୨୫.୩.୧୯୯୮ରେ ‘ସମ୍ବାଦ’ କାଗଜରେ ମୁଁ ଯେଉଁ ଚର୍ଚ୍ଚା ରଖିଥିଲି ତହିଁର ଶୀର୍ଷକ ଥିଲା ‘ଓଡ଼ିଶାପାଇଁ ବିଜେପି ବିପତ୍ତି’ । ଆଜିକୁ ୧୨ ବର୍ଷ ତଳେ କଟକର ‘ଭାରତ ଭାରତୀ’ ଦ୍ଵାରା ପ୍ରକାଶିତ ମୋର ସ୍ତମ୍ଭସଂହିତା ‘ସିଂହାବଲୋକନ’ର ୩୩୦- ୩୫ ପୃଷ୍ଠାଚୟରେ ତାହା ସ୍ଥାନିତ ହୋଇଛି । ପଦ୍ମପୁରରେ ନିର୍ବାଚନ ଆସନ୍ନ ଜାଣି ଭୋଟ ହାସଲ ପାଇଁ ଲୋକଙ୍କୁ ବିଚ୍ଛିନ୍ନତାବାଦୀ ନିଶା ପିଆଇବାକୁ ବିଜେପି ସମର୍ଥକ ଗୋଷ୍ଠୀ ଯେଉଁ ଉଦ୍ୟମ କରିଥିଲେ ତାହା ନିଜ ମାଟିମାଆକୁ ଭଲ ପାଉଥିବା ଓଡ଼ିଆ ଭାଷା ଜାତୀୟତାର ପବନ ପୀଠ ବରପାଲିର  ଜିଲ୍ଲାଜାତ ସହୋଦରା ପଦ୍ମପୁରରେ ସଂଖ୍ୟା ଗରିଷ୍ଠ ଓଡ଼ିଆଙ୍କୁ ଗଭୀର ମାନସିକ ଯନ୍ତ୍ରଣା ଦେଇଥିଲା । ସେମାନେ ଏହି ଉପନିର୍ବାଚନରେ ନୀରବରେ ନିଜର ରୋଷ ପ୍ରକଟ କରିଛନ୍ତି ବିଜେପି ବିରୁଦ୍ଧରେ ।

ଆମେରିକାନ ସ୍ଵାର୍ଥସେବା ପାଇଁ ମନମୋହନ ସିଂହ , ପ୍ରଣବ ମୁଖାର୍ଜୀ ଓ ସୋନିଆ ଗାନ୍ଧୀଙ୍କ ଦେଶଦ୍ରୋହୀ ଆଚରଣ ହେତୁ କଂଗ୍ରେସକୁ ଲୋକେ ଯେଉଁ ଦଣ୍ଡ ଦେଇଛନ୍ତି ତାହା ସେମାନଙ୍କୁ ମଗରଗରୁ ଆଣି କାନ୍ତାରରେ ପକାଇଥିଲେ ମଧ୍ୟ ଓଡ଼ିଶାର ଲୋକେ ସେହି ଦଳ ପ୍ରତି କୌଣସି କରୁଣା ପ୍ରଦର୍ଶନ ପାଇଁ ପ୍ରସ୍ତୁତ ନୁହନ୍ତି ।

ଏହି ପରିସ୍ଥିତି  ହିଁ ସଂପୂର୍ଣ୍ଣ ଦୁର୍ନୀତିଗ୍ରସ୍ତ , ଅପାରଗ, ଓଡ଼ିଆଦ୍ରୋହୀ  ପ୍ରବଞ୍ଚକ ନବୀନ ପଟ୍ଟନାୟକଙ୍କ ପ୍ରତି ହୃଦୟରେ ପ୍ରବଳ ବିତୃଷ୍ଣା ଓ ଘୃଣା ସତ୍ତ୍ୱେ ମାଟିର ନିଷ୍କଳଙ୍କ ଝିଅ ବର୍ଷା ସିଂ ବରିହାଙ୍କ ମଥା ଉପରେ ପଦ୍ମପୁରବାସୀଙ୍କ ଭୋଟ ବର୍ଷା କରାଇଛି । ପୋଷାମନା ମିଡ଼ିଆ ଏହାକୁ ନବୀନଙ୍କ ଜନପ୍ରିୟତାର ପ୍ରମାଣ ବୋଲି ପ୍ରଚାର କରିବା ସ୍ଵାଭାବିକ । ମାତ୍ର ନବୀନଙ୍କ ପ୍ରତି ସାଧାରଣ ଲୋକଙ୍କ ରୋଷ ଯଦି ପ୍ରବଳ ନଥାନ୍ତା ତେବେ ପ୍ରଦୀପ ପୁରୋହିତ କେବଳ ଅଣଓଡ଼ିଆ ଲାଭଖୋର ବେପାରୀଙ୍କ ପ୍ରଚୋଦନାରେ ଚାଲିଥିବା ବିଚ୍ଛିନ୍ନତାବାଦୀମାନଙ୍କ ନଗଣ୍ୟ ଭୋଟ ପାଇଥାନ୍ତେ, ୭୮୧୨୮ ଭୋଟ ପାଇପାରିନଥାନ୍ତେ; କାରଣ, କଂଗ୍ରେସର ସତ୍ୟ ଭୂଷଣ ସାହୁ ମଧ୍ୟ ବିଧାୟକୀୟ ଦକ୍ଷତାରେ ପୁରୋହିତଙ୍କ ପରି ଜଣାଶୁଣା ।

ବସ୍ତୁତଃ, ମନମୋହନ ସିଂହ , ପ୍ରଣବ ମୁଖାର୍ଜୀ ଓ ସୋନିଆ ଗାନ୍ଧୀଙ୍କ ଅପକର୍ମ ହେତୁ ସୃଷ୍ଟି ହୋଇଥିବା ରୋଷ ଶାନ୍ତ ହୋଇନଥିବା ହେତୁ, କଂଗ୍ରେସର ପାରମ୍ପରିକ ସମର୍ଥକମାନେ ସେମାନଙ୍କ ଭୋଟ ନିଜ ଦଳୀୟ ପ୍ରାର୍ଥୀଙ୍କୁ ନଦେଇ ପୁରୋହିତଙ୍କୁ ଦେଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଅମାନତ ହରାଇଛନ୍ତି । ଏହା ସତ୍ତ୍ୱେ ଯେ ପୁରୋହିତ ହାରିଛନ୍ତି, ତାହା ତାଙ୍କ ଦୋଷରୁ ନୁହେଁ, ବରଂ ଓଡ଼ିଶାକୁ ଖଣ୍ଡ ବିଖଣ୍ଡ କରି ଅଣଓଡ଼ିଆଙ୍କୁ ଖୁସି କରାଇବାକୁ ଚାହୁଁଥିବା ବିଜେପି ଦୋଷରୁ ହାରିଛନ୍ତି । 

ଏହି ପ୍ରେକ୍ଷାପଟରେ ଏହା ହିଁ କୁହାଯାଇପାରେ ଯେ, ବର୍ଷାଙ୍କ ବିଜୟ ନବୀନ ପଟ୍ଟନାୟକଙ୍କ ବିଜୟ ନୁହେଁ , ପଶିମ ଓଡ଼ିଶାର ଅଣଓଡ଼ିଆ ବେପାରୀ ସଞ୍ଚଳିତ ବିଚ୍ଛିନ୍ନତାବାଦ ବିରୁଦ୍ଧରେ ଓଡ଼ିଆ ଜାତିର ମାଟିମମତାର ବିଜୟ ।

ବିଚ୍ଛିନ୍ନତାବାଦୀ ବିଷବାହକ ବିଜେପିକୁ ଆଗାମୀ ନିର୍ବାଚନରେ ମଧ୍ୟ ପଶ୍ଚିମ ଓଡ଼ିଶାରେ ପରାଜିତ ହେବାକୁ ହେବ।

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.