ଭାଷା ଆନ୍ଦୋଳନର ଫଲ୍ଗୁ ନବୀନଙ୍କୁ ନିକାଲିଦେଲା : ପୋଷା ଗଣମାଧ୍ୟମ ଏକଥା ନକହନ୍ତି !

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡ଼ିଶାରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି ଓଡ଼ିଆମାନଙ୍କ ଭାଷା ଅଧିକାର ଦାବି କରି ଦୀର୍ଘ ୯ ବର୍ଷରୁ ଉର୍ଦ୍ଧ୍ଵ କାଳ ବ୍ୟାପୀ ଚାଲିଥିବା ଭାଷା ଆନ୍ଦୋଳନ ଓ ତାର ପ୍ରୟୋଗାତ୍ମକ ପଦ୍ଧତ୍ତି ନୀରବ କଳାପତାକା ଅଭିଯାନ । ଗୋଟିଏ ପ୍ରାଚୀନ ଜାତି ତା ଭାଷା ଅଧିକାର ପାଇଁ ରାଜ୍ୟର ସରକାର ସହ ସଂଗ୍ରାମରତ ; ଏହା ହିଁ ତ ରାଜ୍ୟର ଶ୍ରେଷ୍ଠ ଖବର । ଅଥଚ ରାଜ୍ୟର ଗଣମାଧ୍ୟମଗୁଡ଼ିକ ଏହି ଖବରକୁ  ରାଜ୍ୟବାସୀଙ୍କଠାରୁ ଲୁଚେଇ ରଖିଛନ୍ତି ନିଜ ନିଜର ଅର୍ଥଲୋଲୁପତା କାରଣରୁ । ସେମାନେ ଏହି ଖବରକୁ ଯଦି ପ୍ରକାଶ କରିଥାନ୍ତେ, ତାହା ଜାଲିଆତି ଦ୍ଵାରା ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନକୁ ଅକର୍ମଣ୍ୟ କରିଦେଇଥିବା ମୁଖ୍ୟମନ୍ତ୍ରୀ (ତଦାନୀନ୍ତନ) ନବୀନ ପଟ୍ଟନାୟକଙ୍କୁ ଅଡୁଆରେ ପକାଇ ଥାନ୍ତା । ତେଣୁ ନବୀନ ସେମାନଙ୍କ ନୀରବତା କିଣିଥିଲେ । 

ମୋ ୱେବସାଇଟମାନଙ୍କରେ ତଥା ସାମାଜିକ ଗଣମାଧ୍ୟମମାନଙ୍କରେ  ଭାଷା ଆନ୍ଦୋଳନ ଖବର ପ୍ରତ୍ୟହ ପ୍ରକାଶିତ ଓ ପ୍ରସାରିତ ହୋଇ ଓଡ଼ିଶାର ସର୍ବତ୍ର ଭାଷା ପ୍ରେମର ଫଲ୍ଗୁଧାରା ଖେଳାଇଚାଲିଥିଲା । ନବୀନ ପଟ୍ଟନାୟକଙ୍କ ହେତୁ ଓଡ଼ିଆ ଭାଷା ବିପଦରେ ବୋଲି ସମଗ୍ର ଓଡ଼ିଆ ଜାତି ଅନୁଭବ କରିଥିଲା  ଏବଂ ଏହି ଅନୁଭବ ହିଁ ନବୀନଙ୍କୁ ଅବଶେଷରେ କ୍ଷମତାରୁ ବିତାଡ଼ିତ କଲା । ନବୀନଙ୍କ ପୋଷା ଗଣମାଧ୍ୟମଗୁଡ଼ିକ  ଏକଥା ଏବେ ବି ନକହନ୍ତି !

ଲୋକେ କିନ୍ତୁ ନବୀନ ପଟ୍ଟନାୟକଙ୍କୁ ଓଡ଼ିଆବିଦ୍ଵେଷୀତା ହେତୁ ଅତି ପ୍ରଚଣ୍ଡ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି । କଟାବାଞ୍ଜିରେ ତାଙ୍କୁ ପ୍ରତ୍ୟକ୍ଷତଃ ପରାଜୟ ଭୋଗିବାକୁ ପଡ଼ିଥିବା ବେଳେ ହିଞ୍ଜିଳିରୁ ସେ ପରୋକ୍ଷରେ ପରାଜିତ ହୋଇଛନ୍ତି । ସେ ପାଇଛନ୍ତି ୬୬୪୫୯ ଖଣ୍ଡ ଭୋଟ । ଏହା ବିଜେପି ପ୍ରାର୍ଥୀ ଶରତ ମିଶ୍ର ପାଇଥିବା ଭୋଟଠାରୁ ସଂଖ୍ଯାରେ ୪୬୩୬ ଖଣ୍ଡ ଅଧିକ । କଂଗ୍ରେସର ରଜନୀକାନ୍ତ ପାଢୀ ଯେଉଁ ୫୩୮୦ ଖଣ୍ଡ ଭୋଟ ପାଇଛନ୍ତି, ତାକୁ ଶ୍ରୀ ମିଶ୍ର ପାଇଥିବା ସମର୍ଥନ ସହ ମିଶାଇଲେ ନବୀନଙ୍କ ବିରୁଦ୍ଧରେ ହିଞ୍ଜିଳିର ୬୭୨୦୩ ଜଣ ଭୋଟର ମତ ଦେଇଛନ୍ତି ଯାହା ନବୀନ ପାଇଥିବା ସମର୍ଥନଠାରୁ ୭୪୪ ଅଧିକ ।  ଅତଏବ, ହିଞ୍ଜିଳୀରେ ମଧ୍ୟ ନବୀନଙ୍କ ବିରୁଦ୍ଧରେ ଜନମତ ସ୍ପଷ୍ଟତଃ ଯାଇଛି । 

ଭାଷା ଆନ୍ଦୋଳନ ହିଁ ନବୀନଙ୍କୁ କ୍ଷମତାଚ୍ୟତ କରିଛି । ଭାଷା ପ୍ରତି ଓଡ଼ିଆ ଜାତିର ଭାବପ୍ରବଣତା ଅନୁଭବ କରି ନିର୍ବାଚନ ପରିଚାଳନା କାଳରେ ବିଜେପି ଓଡ଼ିଆ ଭାଷା ଉପରେ ଗୁରୁତ୍ଵ ଦେଇ ନବୀନଙ୍କୁ ପରାଭୂତ କରିଛି ।

ଏହି ପ୍ରେକ୍ଷାପଟରେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଗତକାଲି ଫେସବୁକ୍ ମଞ୍ଚରୁ ସିଧା ପ୍ରସାରଣ କ୍ରମେ ଏକ ବାର୍ତ୍ତା ଦେଇ କଳା ପତାକା ଅଭିଯାନରେ ଝାସ ଦେଇ ଓଡ଼ିଶାରେ ଭାଷା ଅସ୍ମିତାର ଫଲ୍ଗୁ ପ୍ରବାହିତ କରାଇଥିବା ସମସ୍ତ ଅଭିଯାତ୍ରୀଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ନବୀନ ପଟ୍ଟନାୟକ ପ୍ରତ୍ୟାଖ୍ୟାତ ହୋଇଥିବା ହେତୁ ଓଡ଼ିଆ ଜାତିର ଭାଷା ଅଧିକାର ହାସଲ ପଥରୁ ପ୍ରଧାନ ଅନ୍ତରାୟ ଅପସାରିତ ହୋଇଥିବା ସେ ପ୍ରକାଶ କରିଛନ୍ତି ।

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.