ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଏବେ ଆମ ଜାତି ଏକ ମହା ବିପଦରେ ପଡିଛି । ଏହିପରି ବିପଦରେ ପଡ଼ି ବିଶାଶହେ ବର୍ଷ ତଳେ ଆମ ଜାତି ଯେତେବେଳେ ଆର୍ତ୍ତନାଦ କରୁଥିଲା, ସେହି ବିପଦର ବିଲୋପନ ପାଇଁ ଅଣ୍ଟାଭିଡ଼ିଥିଲେ ଗଙ୍ଗାଧର ମେହେର । କଣ ଥିଲା ସେହି ବିପଦ? ତା ଉପରେ ଦୃଷ୍ଟିପାତ କରି ମୁଁ ମେହେରଙ୍କ ପାଖକୁ ଆସିବି ।
କଳେବଳେକୌଶଳେ ଇଂରାଜି ଲୋକେ ଓଡିଶା ଦଖଲ କରିଗଲେ । ଓଡ଼ିଶା ବିରୁଦ୍ଧରେ ସେତେବେଳେ ଯୁଦ୍ଧରେ ଲିପ୍ତ ଥିବା ବିଲାତି ବାହିନୀର ଅନ୍ୟତମ ତୁଙ୍ଗ ବ୍ୟକ୍ତି ଜି॰ଟୟନବି ଏକ ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଦେଇ A sketch of the history of Orissa ଗ୍ରନ୍ଥରେ ଲେଖିଛନ୍ତି, “ଆମ ଝୋଲାମରା ସରିନି, ଏପରି ଏକ ଭୀଷଣ ଝଡ଼ ଆମ ଉପରକୁ ମାଡ଼ିଆସିଥିଲା, ଯାହା ଆମକୁ ସମଗ୍ର ଓଡ଼ିଶାରୁ ନହେଲେ ବି ଖୁରୁଧାରୁ ନିଷ୍କାସିତ କରିଦେବାକୁ ଥିଲା ଯଥେଷ୍ଟ ।” ଫିରିଙ୍ଗୀଙ୍କ ପୋଲିସ ଓ ସେନା ବାହିନୀ ହତାଶ ହୋଇଗଲେ । ସେତେବେଳର ଯୁଗ୍ମ ବିଚାରପତି ଡବ୍ଲ୍ୟୁ ଫରେଷ୍ଟର କମିଶନର ରବର୍ଟ କେରଙ୍କୁ ୯.୯.୧୮୧୮ ତାରିଖରେ ଜଣାଇଲେ, ଓଡ଼ିଶା ମୂଳକର ପ୍ରକୃତି ଏବଂ ଓଡିଆ ଜାତିର ମିଜାଜ ଏପରି ଯେ, ପୋଲିସ ଓ ସେନା ବଳ ଏଠି କିଛି କାମ କରିବନି । ଫରେଷ୍ଟରଙ୍କ ରିପୋର୍ଟ ପାଇ ଇଂରାଜମାନେ ବକ୍ସି ଜଗବନ୍ଧୁଙ୍କ ସହ ସନ୍ଧିକଲେ ଓ ସେହି ଶେଷ ବାଧା ଅପସରିଗଲା ପରେ, ରାଜା ଜମିଦାରମାନଙ୍କ ହେତୁ କୌଣସି ଭୌଗୋଳିକ ଏକତା ନଥିବା ଓଡ଼ିଶାର ଅନ୍ତର୍ନିହିତ ଶକ୍ତି କ’ଣ ତାହା ଜାଣିବାକୁ ଚେଷ୍ଟା କଲେ । ଦେଖିଲେ ଯେ, ପରସ୍ପର ଦ୍ଵନ୍ଦ୍ଵରତ ୩୬ ଗଡ଼ଜାତ ଓ ପରସ୍ପର ପ୍ରତିଦ୍ଵନ୍ଦୀ ଜମିଦାରୀ ସମୂହ ହେତୁ କୌଣସି ଭୌଗୋଳିକ ଏକତା ନଥିବା ଓଡ଼ିଶା ମାଟିର ସର୍ବତ୍ର ସବୁଲୋକେ ଗୋଟିଏ ଭାଷା କହନ୍ତି ଏବଂ ବୁଝନ୍ତି ଓ ତାହା ହିଁ ସେମାନଙ୍କ ମାତୃଭାଷା ଓଡ଼ିଆ । ଗୋଟିଏ ବିଶାଳ ନଦୀର ଉପନଦୀ ପରି ଏହି ଭାଷାକୁ ପରିପୁଷ୍ଟ କରି ଏହାର ଅନ୍ତର୍ଗତ ହୋଇଛି ବହୁ ଉପଭାଷା । ଏହି ମହାନ ଓଡ଼ିଆ ଭାଷା ହିଁ ଭୌଗୋଳିକ ଜାତୀୟତାହୀନ ଦୁର୍ଦ୍ଧର୍ଷ ଓଡ଼ିଆ ଜାତିକୁ ଏକ ଅଦୃଶ୍ୟ ଐକ୍ୟସୂତ୍ରରେ ବାନ୍ଧିରଖିଛି । ଓଡ଼ିଆ ଭାଷା ହିଁ ଏହି ଜାତିର ଶକ୍ତି । ସେମାନେ ଏକଥା ବି ଦେଖିଲେ ଯେ, ଓଡ଼ିଆ ଜାତିକୁ ତାର ଅନମନୀୟ ମିଜାଜ ହେତୁ ପଡ଼ୋଶୀ ପ୍ରଦେଶବାସୀମାନେ ପ୍ରବଳ ଈର୍ଷା କରନ୍ତି ଓ ସୁଯୋଗ ପାଇଲେ ଦାଉ ସାଧିବାକୁ ଟାକିବସିଥାନ୍ତି । ତେଣୁ ଓଡ଼ିଆ ଜାତିର ଭାଷା ସାମ୍ରାଜ୍ୟକୁ ଉଜାଡ଼ି ଦେବା ପାଇଁ ସେମାନେ ଓଡ଼ିଆ ଭାଷାଭାଷୀ ଭୂଖଣ୍ଡକୁ ଭାଗ ଭାଗ କରି ପଡ଼ୋଶୀ ରାଜ୍ୟମାନଙ୍କରେ ଖୁନ୍ଦିଦେଲେ । ଏବଂ ଯାହା ସେମାନେ ଭାବିଥିଲେ ତାହା ହିଁ ହେଲା । ଓଡ଼ିଆ ଜାତିର ଭାଷା ସାମ୍ରାଜ୍ୟ ଭାଙ୍ଗିଗଲା ଓ ପଡ଼ୋଶୀ ପ୍ରଦେଶମାନଙ୍କରେ ଭାଷା ଭିତ୍ତିରେ ସେମାନେ ସଂଖ୍ୟାଲଘୁ ହୋଇଗଲେ । ଅଚିରେ ଅନ୍ୟ ଭାଷାଭାଷୀ ପଡ଼ୋଶୀମାନଙ୍କ ଦୌରାତ୍ମରେ ଭାଙ୍ଗିଗଲା ଓଡ଼ିଆ ଜାତିର ଗରିମା, ତାର ଶୌର୍ଯ୍ୟ । ଓଡ଼ିଶା ମାଟିରେ ବିଲାତି ଶାସନର ସବୁ ଦପ୍ତରରେ ବିଲାତି ପ୍ରଭୁଙ୍କ ଅଣଓଡିଆ ଗୋଲାମମାନେ ରାଜ୍ କଲେ । ସେମାନଙ୍କ ଅତ୍ୟାଚାରରେ ଓଡ଼ିଆ ଭାଷାଭାଷୀମାନଙ୍କର କିପରି ସର୍ବସ୍ଵାନ୍ତ ଘଟିଥିଲା ତହିଁର ତିନୋଟି ପ୍ରାମାଣିକ ଦସ୍ତାବିଜ ରଖି ସେହି ମହାନ୍ଧକାର ଭିତରୁ ଆମକୁ ଉଦ୍ଧାର କରିବାରେ ସ୍ଵଭାବ କବି ଗଙ୍ଗାଧର କିପରି ଏକ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ତାହା ମୁଁ କହିବି ।
ପ୍ରଥମ ଦସ୍ତାବିଜ
ଏହା ହେଉଛି , ଉପକୂଳ ଓଡ଼ିଶା ସମ୍ପର୍କିତ ଡବ୍ଲ୍ୟୁ ଟ୍ରୋୟରଙ୍କ ରିପୋର୍ଟ , ଯାହା ଓଡ଼ିଶା ଅଭିଲେଖାଗାରରେ Revenue Administration in Orissa ଶୀର୍ଷକରେ ସରଂକ୍ଷିତ । ସେତେବେଳେ ଓଡ଼ିଶା ଭାବେ ଚିହ୍ନିତ ଅବିଭକ୍ତ ବାଲେଶ୍ଵର, କଟକ ଓ ପୁରୀରେ ଇଂରେଜମାନଙ୍କ ସବୁ ଦପ୍ତରରେ କର୍ମଚାରୀ ଥିଲେ ସମଗ୍ରତଃ ପ୍ରାୟ ବଙ୍ଗାଳୀ । ଟ୍ରୋୟର ଲେଖିଛନ୍ତି, ଏହି ବଙ୍ଗାଳୀ ଅମଲାମାନେ ଶାସନ ବ୍ୟବସ୍ଥାକୁ ଶୋଷଣ ଓ ଲୁଟପାଟର ବ୍ୟବସ୍ଥାରେ ପରିଣତ କରିଥିଲେ। ତମାମ ଜିଲ୍ଲାର ଲୋକେ ସେମାନଙ୍କୁ ସଂତ୍ରାସ ଓ ମହାବିପତ୍ତି ବୋଲି ଭାବୁଥିଲେ – “A regular system of oppression and peculation appears to exist throughout. These people are considered the terror and scourge of the district.”
ସେମାନେ ଓଡ଼ିଆ ଲୋକଙ୍କ ଭୂସମ୍ପତ୍ତି କିପରି ଜାଲିଆତି କରି ଲୁଟ କରୁଥିଲେ ତାହାର ବହୁ ଉଦାହରଣ ଦେଇଛନ୍ତି ଟ୍ରୋୟର । ତାଙ୍କ ଇଲକାରେ ଥିବା ୨୩୪୦ଟି ଅଣଗଡଜାତ ଜମିଦାରୀରୁ ୧୦୧୧ ଜମିଦାରୀ ମାତ୍ର ୧୦ ବର୍ଷ ଭିତରେ ଏହି ଅମଲାମାନେ ହଡଫ କରିଥିବାର ଏକ ବିସ୍ତିର୍ଣ୍ଣ ବିବରଣୀ ଦେଇ , ଏଗୁଡ଼ିକ ଭିତରେ ଥିବା ୩୫୦ ବୃହତ୍ତ ଜମିଦାରୀ ଭିତରୁ ୨୩୫ଟି ଜମିଦାରୀ ମଧ୍ୟ ଏମାନେ ତଞ୍ଚକତା ବଳରେ ଦଖଲ କରିଥିବା ସେ ଲେଖିଛନ୍ତି ।
କୃଷ୍ଣ ସିହ୍ନା ନାମକ ଜଣେ ସାମାନ୍ୟ କିରାଣୀ କିପରି ଜିଲ୍ଲାପାଳଙ୍କ ସିରସ୍ତାଦାର ଥିବାବେଳେ କାରସାଦି କରି ଗଜପତିଙ୍କ ୪ ପ୍ରସିଦ୍ଧ ପ୍ରଗଣା – ଶିରାଇ, ଲେମ୍ବାଇ,ପୁରୁଷୋତ୍ତମ ରାହାଙ୍ଗ ଓ ଚବିଶ କୁଳ ତଥା ବକ୍ସି ଜଗବନ୍ଧୁଙ୍କ ରୋଡଙ୍ଗ ମାହାଲକୁ ଦଖଲ କରିନେଇ ଏକ ବିରାଟ ଜମିଦାରୀର ମାଲିକ ବନିଥିଲେ, ତାର ବିବରଣୀ ଏହି ଦସ୍ତାବିଜରେ ଅଛି । ଟ୍ରୋୟର ଲେଖିଛନ୍ତି, ଏହାର ବିବରଣୀ ସେ କମିସନରଙ୍କୁ ଦେଇଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ହୋଇନଥିଲା; କାରଣ ସେହି ବଙ୍ଗାଳୀମାନଙ୍କୁ ହିଁ ନେଇ ଗଢି ଉଠିଥିଲା ଅମଲାତନ୍ତ୍ର । କହିବା ବାହୁଲ୍ୟ ଯେ, ବଙ୍ଗାଳୀ ଅମଲାଙ୍କ ଉତ୍ପାତ କବଳରେ ପଡି ଉପକୂଳ ଓଡ଼ିଶା ଠେଲିହୋଇଯାଇଥିଲା ୧୮୬୬ର ନଅଙ୍କ ଦୁର୍ଭିକ୍ଷ କବଳକୁ ଯାହା ବର୍ତ୍ତମାନର କାରୋନା ମହାମାରୀଠାରୁ ଥିଲା ଅଧିକ ଭୟଙ୍କର ।
ଦ୍ଵିତୀୟ ଦସ୍ତାବିଜ
ଏଇଟି ତେଲେଙ୍ଗାମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ଗଞ୍ଜାମ ଜିଲ୍ଲାବାସୀଙ୍କ ପ୍ରଥମ ଅଧିବେଶନର ପ୍ରସ୍ତାବ ।
ସେଦିନ ଥିଲା ୧୮୭୦ ସେପ୍ଟେମ୍ବର ୧୧ ତାରିଖ । ଘୁମୁସର ତାଲୁକ ରସୁଲକୋଣ୍ଡା ମୁକାମରେ ଦୀନବନ୍ଧୁ ପଟ୍ଟନାୟକଙ୍କ ନେତୃତ୍ବରେ ସାରା ଜିଲ୍ଲାବାସୀଙ୍କ ବୈଠକ ବସି ସେଦିନ ସିଦ୍ଧାନ୍ତ ହେଲା ଯେ, ତେଲୁଗୁମାନଙ୍କ ଅତ୍ୟାଚାର କବଳରୁ ନିସ୍ତାର ପାଇବାପାଇଁ ଓଡ଼ିଆ ଭାଷାଭାଷୀ ଭୂଖଣ୍ଡ ଏକତ୍ରିତ ହେବା ଆବଶ୍ୟକ । ଉତ୍କଳ ଦୀପିକାର ୨୨.୧୦.୧୮୭୦ ସଂସ୍କରଣରେ ସମଗ୍ର ପ୍ରସ୍ତାବଟି ସ୍ଥାନିତ ହୋଇଛି । କିନ୍ତୁ ଏହି ପ୍ରସ୍ତାବରେ ଯେଉଁ ଗୁରୁତ୍ବପୂର୍ଣ ସତ୍ୟର ଅବତାରଣା ହୋଇଛି ତାହା ଜାଣିବା ପାଇଁ ତହିଁର କିୟଦଂଶ ଉଦ୍ଧୃତ୍ତ ହେବା ଉଚିତ । ତହିଁରେ ଲେଖା ହୋଇଛି, “ଏ ଦେଶମାନେ ସରକାର ଅଧୀନ ହେବାରେ କଚେରୀରେ ତେଲେଙ୍ଗା ବିଦ୍ୟା ପ୍ରଚାର ହେବାରୁ କ୍ରମେ କ୍ରମେ ଏ ଦେଶ ଲୋକଙ୍କର ଶ୍ରୀ ଚ୍ୟୁତ ହୋଇ ଯଶଃ ଶ୍ରୀ ବିଦ୍ୟା ବୁଦ୍ଧି ଲୋପ ହେବା ପ୍ରତ୍ୟକ୍ଷେ ସରକାରରୁ ନ୍ୟାୟ ଲଭିବାର ଦୁଷ୍କର ହୋଇଅଛି । କେବଳ ତେଲିଙ୍ଗି ଦେଶ ଲୋକଙ୍କର ଶ୍ରୀ ବୃଦ୍ଧି ହୋଇ ଯେଉଁ ଲୋକମାନେ ଏ ଦେଶକୁ ଯମାଳୟ ପରି ଜ୍ଞାନ କରୁଥିଲେ ସେମାନେ ବର୍ତ୍ତମାନ ସରକାରୀ କାର୍ଯ୍ୟରେ ନିଯୁକ୍ତ ହୋଇ ଏ ଦେଶରେ ଅଧିକାର ଜାରି କରି ଯମଦୂତ ପରି କର୍ମ କରୁଅଛନ୍ତି ।” ଅତଏବ, ବଙ୍ଗଲା ଭାଷା ଭାଷୀ ଅମଲାମାନଙ୍କ ହେତୁ ଉପକୂଳ ଓଡିଶାରେ ଯେଉଁ ବିପର୍ଯ୍ୟୟ କବଳରେ ଓଡ଼ିଆ ଜାତି ପଡ଼ିଥିଲା, ତେଲୁଗୁଭାଷାଭାଷୀମାନଙ୍କ ହେତୁ ଦକ୍ଷିଣ ଓଡ଼ିଶାରେ ସେହି ବିପର୍ଯ୍ୟୟ କବଳିତ କରିଥିଲା ଓଡ଼ିଆ ଜାତିକୁ ।
ଏବେ ଦେଖିବା ଅଣଓଡ଼ିଆ ପ୍ରାଦୁର୍ଭାବ ସମ୍ବଲପୁର ମୂଳକକୁ କେଉଁ ବିପଦରେ ପକାଇଥିଲା । ଏଥିପାଇଁ ତୃତୀୟ ଦସ୍ତାବିଜ ଆମକୁ ସାହାଯ୍ୟ କରିବ ।
ତୃତୀୟ ଦସ୍ତାବିଜ
ଏହା ହେଲା ମଧ୍ୟ ପ୍ରଦେଶର ମୁଖ୍ୟ କମିଶନର ଆଣ୍ଡ୍ରୁ ଫ୍ରେଜରଙ୍କ ପ୍ରତ୍ୟକ୍ଷଦର୍ଶୀ ରିପୋର୍ଟ ସେ ବଡଲାଟଙ୍କୁ ପ୍ରଦାନ କରିଥିଲେ । ମୁଁ ତାକୁ ସାଧ୍ୟମତେ ନିର୍ଭୁଲ ରୂପେ ଓଡ଼ିଆକୁ ଅନୁବାଦ କରିଛି । ଅବଗତ ହେବା ହୁଅନ୍ତୁ ।
“ଜିଲ୍ଲାଟିର ଭାଷା ଓଡ଼ିଆ । ଏହାର ପ୍ରଶାସନିକ ସମସ୍ୟା ଅସୀମ । (ମୋ ପୂର୍ବ ପଦଧିକାରୀଙ୍କ ପଦକ୍ଷେପ ପରେ) ଏହି ଜିଲ୍ଲାର ଲୋକମାନଙ୍କୁ ରାଜଭାଷା ହିନ୍ଦୀ ସହ ପରିଚିତ କରାଇବା ପାଇଁ ଗାଁ ଚାଟଶାଳୀରେ ହିନ୍ଦୀ ଭାଷା ଶିକ୍ଷା ଦେବାକୁ ଉଦ୍ୟମ ଆରମ୍ଭ ହୋଇଥିଲା । ଜମିଜମା ଓ ପୋଲିସର ରେକର୍ଡ ହିନ୍ଦୀ ଭାଷାରେ ଲିପିବଦ୍ଧ କରାହେଉଥିଲା । ଏବଂ ଆଇନ ଅଦାଲତରେ ମଧ୍ୟ ହିନ୍ଦୀ ଭାଷା ପ୍ରଚାଳନ ପାଇଁ ବ୍ୟବସ୍ଥା ହୋଇଥିଲା । କିନ୍ତୁ ଜନସାଧାରଣଙ୍କ ପ୍ରକୃତ ଭାଷା ଓଡ଼ିଆ ହୋଇଥିବାରୁ ହିନ୍ଦୀକୁ ଏପରି ସରକାରୀ ଭାଷା ରୂପେ ପ୍ରଚାଳନ କରାଇବା ବିରୁଦ୍ଧରେ ପ୍ରତିବାଦର ସୁଅ ଛୁଟିଲା ଏବଂ ଏହାର ଅଳ୍ପ କାଳ ପରେ ମଧ୍ୟପ୍ରଦେଶର ଚିଫ କମିଶନର ଭାବେ ମୁଁ ସମ୍ବଲପୁର ଜିଲ୍ଲାକୁ ମୋର ପ୍ରଥମ ପରିଦର୍ଶନରେ ଗଲି ।
“ମୁଁ ଯାହା ଦେଖିଲି ତାହା ଥିଲା ଅତ୍ୟନ୍ତ ହୃଦୟ ବିଦାରକ । ମୁଁ ଦେଖିଲି, ୪୦ ବା ୫୦ ମଇଳା ଦୂରରେ ରହୁଥିବା ଲୋକଙ୍କ ପାଖକୁ ହିନ୍ଦୀରେ ଲେଖା ହୋଇ ଅଦାଲତରୁ ସମନ ଯାଉଥିଲା । ଯେଉଁ ଲୋକ ପାଖକୁ ଏପରି ସମନ ଯାଉଥିଲା , ସେ ନିଜେ ତାହା ପଢ଼ିପାରୁନଥିଲା ବା ତା ଗାଁରେ ମଧ୍ୟ କେହି ତାକୁ ପଢ଼ିପାରୁନଥିଲେ । ଯେଉଁ ଚଉକିଆ ଦ୍ଵାରା ସମନ ଯାଉଥିଲା, ସେ ମଧ୍ୟ ଥିଲା ନିରକ୍ଷର । ସୁତରାଂ , ସେ ବି କହିପାରୁନଥିଲା ଯେ, କେଉଁ କାରଣ ହେତୁ ଅଦାଲତରୁ ସମନ ଜାରି ହୋଇଛି । ସମନ ପାଇ ଅଦାଲତରେ ହଜାର ନ ହେଲେ, ଦଣ୍ଡ ମିଳିବା ଭୟରେ ଲୋକଟି ଚାଲି ଚାଲି ବା ଶଗଡ଼ ଗାଡ଼ିରେ ଅଝାଡ଼ ଜଙ୍ଗଲ ଭିତରେ ୪୦/୫୦ ମାଇଲ ଆସି ଅଦାଲତରେ ହଜାର ହେଉଥିଲା ଏବଂ ବୁଝିବାକୁ ଚେଷ୍ଟା କରୁଥିଲା ଯେ, କାହିଁକି ତାକୁ ସମନ ଜାରି ହୋଇଛି । ହୁଏତ ତାକୁ ସେତିକି ବୁଝି ସାରି ମହଲତ ପାଇଁ ଦରଖାସ୍ତ କରିବାକୁ ବା ଯେଉଁ କାଗଜପତ୍ର ଆଣିବା ପାଇଁ ତାକୁ ସମନ ଯାଇଥିଲା ସେହି କାଗଜପତ୍ର ଆଣିବାକୁ ପୁଣି ଜଙ୍ଗଲେ ଜଙ୍ଗଲେ ସେହି ୪୦/୫୦ ମାଇଲ ବାଟ ଫେରିବାକୁ ପଡୁଥିଲା ।
“ମୁଁ ଦେଖିଲି, କୌଣସି ଲୋକ ବିପଦ ଆପଦରେ ପଡ଼ି ଯଦି ଥାନାକୁ ଯାଉଥିଲେ, ତାଙ୍କ ଏତଲା ହିନ୍ଦୀରେ ଦରଜ ହେଉଥିଲା ଏବଂ ତାକୁ କ’ଣ ଲେଖା ହେଲା ତାହା ସେହି ହିନ୍ଦୀରେ ହିଁ କହିଦିଆହେଉଥିଲା । ସେ ହିନ୍ଦୀ ଜାଣିନଥିବା ହେତୁ କଣ ପ୍ରକୃତରେ ଲେଖା ହେଲା ବୁଝିପାରୁନଥିଲେ ମଧ୍ୟ ତହିଁରେ ଦସ୍ତଖତ କରିବାକୁ ବାଧ୍ୟ ହେଉଥିଲା ।
“ମୁଁ ଦେଖିଲି, ପଦାଧିକାରୀମାନେ ଗାଁମାନଙ୍କର ଜମିଜମା ଦସ୍ତାବିଜ ହିନ୍ଦୀରେ ଲେଖୁଥିଲେ । ରୟତକୁ ତା ଜମିଜମାର ଯେଉଁ ପର୍ଚ୍ଚା ଦିଆହେଉଥିଲା ତାହା ହିନ୍ଦୀରେ ଦିଆ ହେଉଥିଲା । ବିଚରା ରଇତଟି ଜାଣିପାରୁନଥିଲା ତା ପର୍ଚ୍ଚାରେ କଣ ଲେଖାହୋଇଛି ଏବଂ ତା ସାଇ ପଡ଼ିଶା , ଗ୍ରାମବାସୀ ବା ବନ୍ଧୁବାନ୍ଧବ କେହି ମଧ୍ୟ ହିନ୍ଦୀ ଜାଣିନଥିବା ହେତୁ ସେ ପର୍ଚ୍ଚାରେ କଣ ଲେଖା ଅଛି ତାହା କାହାଠାରୁ ମଧ୍ୟ ସେ ବୁଝିପାରୁନଥିଲା । ଯଦିଓ ଗାଁ ଚାଟଶାଳୀରେ ପିଲାମାନଙ୍କୁ ହିନ୍ଦୀ ଭାଷା ସହ ପରିଚିତ କରାହେଉଥିଲା, ଜମିଜମାର ପଟ୍ଟାପତ୍ର ହିନ୍ଦୀରେ ପଢ଼ି ନିଜର ବାପମାଆଙ୍କୁ ବୁଝାଇବାର ଯୋଗ୍ୟତା ମଧ୍ୟ ସେମାନଙ୍କର ନଥିଲା ।
“ମୁଁ ଦେଖିଲି,, ଜିଲ୍ଲାବାସୀ ଜନସାଧାରଣ ନିଜ ପିଲାଙ୍କୁ ନିଜର ପ୍ରିୟ ମାତୃଭାଷା ଓଡ଼ିଆ ପଢ଼ାଇବାକୁ ସକ୍ଷମ ହୋଇ-ପାରୁନଥିଲେ । କାରଣ, ଗାଁ ସ୍କୁଲରେ କେବଳ ହିନ୍ଦୀରେ ହିଁ ପଢ଼ାହେଉଥିଲା । ଘରୋଇ ଶିକ୍ଷକ ରଖି ନିଜ ମାତୃଭାଷା ଓଡ଼ିଆ ପଢ଼ାଇବା ସାଧାରଣ ଲୋକଙ୍କ ପକ୍ଷେ ଅସମ୍ଭବ ଥିଲା । ଅଥଚ, ଓଡ଼ିଆ ଭାଷାଟି ଯେମିତି ଶୁଣିବାକୁ ମଧୁର, ତହିଁର ଅକ୍ଷରଗୁଡିକ ମଧ୍ୟ ଦେଖିବାକୁ ସେମିତି ସୁନ୍ଦର । ଏହି ସୁନ୍ଦର ଭାଷାଟି ଯେଉଁମାନଙ୍କ ମାତୃଭାଷା, ସେମାନଙ୍କ ଉପରେ ଜୋର ଜବରଦସ୍ତି ହିନ୍ଦୀ ଭାଷା ଲଦି ଦିଆଯାଇଥିବା ହେତୁ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ଅତ୍ୟନ୍ତ ସ୍ଵାଭାବିକ ଥିଲା ।“
ସୁତରାଂ ଅଣଓଡ଼ିଆ ଭାଷା କବଳରେ ଏହି ଦୁର୍ଦ୍ଦଶା ଭୋଗୁଥିଲା ସମ୍ବଲପୁର – ପଶ୍ଚିମ ଓଡ଼ିଶା – ଯାହାର ପରିବର୍ତ୍ତନ ପାଇଁ ସ୍ଵଭାବ କବି ଗଙ୍ଗାଧର ତୋଳିଥିଲେ ଏକ ଅତୁଳନୀୟ ସାରସ୍ଵତ ବିପ୍ଲବ । ସେ ସ୍ପଷ୍ଟ ଅନୁଭବ କରିଥିଲେ ଯେ, ହିନ୍ଦୀଭାଷାଭାଷୀ ଅଣଓଡ଼ିଆ କର୍ମଚାରୀମାନଙ୍କ ଚକ୍ରାନ୍ତ ହେତୁ ସେଠା ପ୍ରଶାସନରେ ଓଡିଆ ଭାଷା ଲୋପ କରାଯାଇ ହିନ୍ଦୀ ପ୍ରଚଳିତ ହେବାକୁ ଯାଉଛି । ତେଣୁ ସେ ଲେଖିଥିଲେ-
“ସମ୍ବଲପୁରରୁ ଉତ୍କଳ ନିର୍ମୂଳ ହେବାର କାରଣ ଏହି
ରାଜକର୍ମଚାରୀ ହିନ୍ଦୀ ବାନା ଧରି ମହାରାଷ୍ଟ୍ରୀ ଛନ୍ତି ରହି
ସେମାନଙ୍କ ଜ୍ଞାନ ଉତ୍କଳରେ ଶୂନ୍ୟ ହେବାରୁ ହେଲା ସଙ୍କଟ
ଏଥିପାଇଁ ଏବେ ଉତ୍କଳ ନିର୍ମୂଳ ହିନ୍ଦୀ ହୋଇବ ପ୍ରକଟ ।
ସମ୍ବଲପୁରର ଅଧିବାସୀମାନେ ଉତ୍କଳ ଚିର ସନ୍ତାନ
ହିନ୍ଦୀ ଆଧିପତ୍ୟ ହୋଇବା ସେଠାରେ ଶୁଣି ସର୍ବେ ହତଜ୍ଞାନ ।”
ମାତ୍ର ଏଥିରେ ଦବି ନଯାଇ, ହତଜ୍ଞାନ ହୋଇ ନରହି, ହିନ୍ଦୀ ପ୍ରଚଳନ ବିରୁଦ୍ଧରେ ସଂଗ୍ରାମ ଆରମ୍ଭ କରିବାକୁ ଓଡିଆ ଜାତିକୁ ସେ ଆହ୍ଵାନ ଦେଇଥିଲେ । ଯଥା –
“ବାବୁ ଶ୍ରୀ ଧରଣୀ ଘେନ ଚିନ୍ତାମଣି ବିଦ୍ୟାଭୂଷଣକୁ ମୋର
କୃଷ୍ଣ ନୀଳାମ୍ବର ଲକ୍ଷ୍ମଣଙ୍କୁ ନେଇ ସମ୍ମୁଖେ କର ସମର ।
ରାମ ବନମାଳୀ ଦାଶ ଦୀନବନ୍ଧୁ ତୁମ୍ଭେ ତ ଯୋଗ୍ୟ ନନ୍ଦନ
ପଣ୍ଡା ଜନାର୍ଦ୍ଦନ ହେ ବ୍ରଜମୋହନ କର ଶତ୍ରୁ ବିମର୍ଦ୍ଦନ ।“
ବର୍ତ୍ତମାନର ଓଡ଼ିଶାରେ ସରକାରୀ କରୁଣା ପାଇଁ , ସୁବିଧାଜନକ ପଦ ପଦବୀ, ପୁରସ୍କାର ଓ ସରକାରୀ ସମ୍ମାନ ଆଶାରେ ପ୍ରତିଷ୍ଠିତ ଲେଖକ, ଓ ଜନମତ ସୃଷ୍ଟି ପାଇଁ ସକ୍ଷମ ସଂବାଦପତ୍ର ମାଲିକ, ସାମ୍ବାଦିକ , ବୁଦ୍ଧିଜୀବୀମାନେ ଓଡ଼ିଆ ଭାଷା ଆନ୍ଦୋଳନଠାରୁ ଯେମିତି ଦୂରେଇରହିଛନ୍ତି, ସେତେବେଳେ ସେହିପରି ଇଂରେଜୀ ସରକାରଙ୍କ କରୁଣା ଆଶାୟୀ ରାଜନ୍ୟବର୍ଗ ଓଡିଆ ଭାଷା ବିପଦଗ୍ରସ୍ତ ହେଉଥିବା ଦେଖି ମଧ୍ୟ ନୀରବ ରହିଥିଲେ । ଏହି ରାଜାମାନେ ନିଜ ନିଜ ରାଜ୍ୟରେ ଓଡ଼ିଆରେ ଶାସନ କରୁଥିଲେ । କିନ୍ତୁ, ଅଣଗଡ଼ଜାତ ପଶ୍ଚିମ ଓଡ଼ିଶାରେ, ଯାହା ଖାସମାହାଲ ସମ୍ବଲପୁର ଭାବେ ଇଂରେଜମାନଙ୍କ ଅଧିନସ୍ଥ ଥିଲା, ସେଠାରେ ଓଡ଼ିଆ ପରିବର୍ତ୍ତେ ହିନ୍ଦୀ ରାଜଭାଷା ହେବାକୁ ବିରୋଧ କରୁନଥିଲେ । କିନ୍ତୁ ସେହି ରାଜନ୍ୟମଣ୍ଡଳୀ ସହଯୋଗରେ ହିଁ ନିଜ ମାତୃଭାଷା ପାଇଁ ସେଠିକାର ସାଧାରଣ ଲୋକଙ୍କ ସଂଗ୍ରାମ ଶକ୍ତିଶାଳୀ ଓ ସଫଳ ହେବାର ସମ୍ଭାବନା ଥିଲା । ନିଜ ଭାଷା ପାଇଁ ସାଧାରଣ ଲୋକଙ୍କ ସଂଗ୍ରାମ ପ୍ରତି ସେମାନଙ୍କ ନିସ୍ପୃହତା ଗଙ୍ଗାଧରଙ୍କୁ ବ୍ୟତିବ୍ୟସ୍ତ କରୁଥିଲା । ବିଦ୍ରୋହୀ ଗଙ୍ଗାଧର ନିଜ ରାଜ୍ୟ ବରପାଲିର ଅଧିପତିଙ୍କୁ ଏଥିପାଇଁ ଭର୍ତ୍ସନା କରି ଓଡିଆ ଭାଷା ଜନନୀ କଣ୍ଠରେ କହିଥିଲେ,
“ବରପଲ୍ଲୀପତି ଜାଣଇ ମୁହିଁ ତୁମ୍ଭର ମନ ।
ମୋହ ଲାଗି କହି ପାରିବ ପଦେଅଧେ ବଚନ?
ହରିହର ସିଂହ ତୁମ୍ଭେ ତ କିଛି କହିବ ନାହିଁ
କହିଲେ ଅବା ଉପାଧିଟି ରାଜେ ନେବେ ଛଡ଼ାଇ !”
ବଲାଙ୍ଗିର ପାଟଣା ମହାରାଜାଙ୍କୁ ଆକ୍ଷେପ କରି ସେ କହିଥିଲେ,
“ରାମଚନ୍ଦ୍ର ଦେବ ପାଟଣା ମହିମଣ୍ଡଲେ ଶୂର
ବାଘମାରିବାକୁ ବୁଲୁଛ ବଣେ ନିଶିବାସର ।
ଗୁହାଳରେ ପଶି ଶୃଗାଳ ଖାଇ ଯାଉଛି ଗାଈ
ଏ ଆଡ଼କୁ କିମ୍ପା ତୁମ୍ଭର କିଛି ନଜର ନାହିଁ ?
ଏ ଗାଈଟି ମଲେ ମିଳିବ ନାହିଁ ମଧୁର କ୍ଷୀର
ଶୃଗାଳ ନ ପଶୁ ଗୁହାଳେ ଆହେ ଚୌହାଣ ବୀର !”
ସେପରି କଳାହାଣ୍ଡି ମହାରାଜାଙ୍କୁ ତାଙ୍କ ବାର୍ତ୍ତା ଥିଲା କ୍ଷୋଭଭରା –
“ଦେଖା କି ନା ରଘୁ କିଶୋର କଳାହାଣ୍ଡି ଭୂପତି
ଘର ଭାତହାଣ୍ଡି ନୁହେଁ କି ମୁଁ ଉତ୍କଳଭାରତୀ?
ସେହି ଭାତହାଣ୍ଡି ଆଗରେ ତୁମ୍ଭେ ଯାଉଛ ଫୁଟି
ଖାଇବାକୁ ଏବେ ପଡିବ ଶୁଖା କର୍କଶ ରୁଟି ।“
ତାଙ୍କ ଲେଖନୀରେ ଓଡ଼ିଆ ଭାଷଜନନୀ ସୁପ୍ରସିଦ୍ଧ କବି ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳ ଦେବଙ୍କୁ ଯାହା କହିଥିଲା ତାହା ଥିଲା ଗଙ୍ଗାଧରଙ୍କ ସାରସ୍ଵତ ତୀକ୍ଷ୍ନତାର ଏକ ଅତୁଳନୀୟ ନିଦର୍ଶନ । ସ୍ମରଣଯୋଗ୍ୟ ଯେ, ଗଙ୍ଗାଧର ଥିଲେ ବ୍ୟକ୍ତିଗତ ଜୀବନରେ ସୁଢଳ ଦେବଙ୍କ ଏକାନ୍ତ ଗୁଣମୁଗ୍ଧ ପ୍ରଶଂସକ । କିନ୍ତୁ ଭାଷା ସଂଗ୍ରାମରେ ତାଙ୍କ ନିସ୍ପୃହତା ତାଙ୍କ ପାଇଁ ଥିଲା ଅସହ୍ୟ । ଭାଷଜନନୀ କଣ୍ଠରେ ସେ ଲେଖିଥିଲେ –
“ସୁଢଳ ଦେବ ହେ ବିବିଧ ଗୁଣେ ହୋଇ ପଣ୍ଡିତ
ଉପାଧିମାଳରେ ନାମକୁ କରି ଅଛ ମଣ୍ଡିତ ।
ହୋଇଅଛ ଆଜ ଭାରତେ ରାଜବଂଶର ମୁନି
ଦେଖି ଦେଖି ମୋର ଏ ଦଶା କିମ୍ପା ହୋଇଛ ତୁନି?
ସ୍ଵହସ୍ତରେ ରଚି ଯତନେ ନାନାବିଧ ଭୂଷଣ
ଯା’ ଅଙ୍ଗରେ ମଣ୍ଡିଦେଉଛ ସହି କେତେ କଷଣ ।
ରାଜ୍ୟ ଛାଡ଼ି ଆଜି ଦୁଃଖେ ସେ ଯାଉଅଛି ବାହାରି
ତାହା ପାଇଁ ପଡେ କହିବା ଏବେ ହେଲକି ଭାରି?”
ମାତୃଭାଷା ପାଇଁ ଏହି ଯୁଦ୍ଧର ଡାକରା, ଏହି ସତ୍ ସାହସ ଗଙ୍ଗାଧରଙ୍କର ଥିଲା ନିଜସ୍ଵ ସ୍ଵଭାବ । ସେଥିପାଇଁ ସେ ଜନମାନସରେ ହୋଇଉଠିଥିଲେ ସ୍ଵଭାବ କବି ।
ଓଡ଼ିଶା ଅବୟବର କୌଣସି ସଂକୋଚନ ତାଙ୍କପାଇଁ ଅଗ୍ରାହ୍ୟ ଥିଲା । ଉତ୍କଳଲକ୍ଷ୍ମୀରେ ସେ ଯେଉଁ ରାଜନୈତିକ, ସଂସ୍କୃତିକ, ପ୍ରକୃତିକ ବିଭବ ଓ ବୈଶିଷ୍ଟ୍ୟର ବର୍ଣନା କରିଛନ୍ତି ତାହାର ସାମଗ୍ରିକ ସ୍ୱରୂପ ହିଁ ଓଡ଼ିଶା । ଏହାର ଅଙ୍ଗ ସଂକୋଚନ ପାଇଁ କେତେକ ଓଡ଼ିଆ ଯେଉଁ ଉଦ୍ୟମ କରୁଛନ୍ତି ସେତେବେଳେ ମଧ୍ୟ ଅଣଓଡ଼ିଆମାନଙ୍କର କିଛି ଅନୁଗତ ସେପରି ଉଦ୍ୟମ କରିଥିଲେ, ଯାହା ପ୍ରବଳ ଜନବିରୋଧ ହେତୁ ବ୍ୟର୍ଥ ହୋଇଯାଇଥିଲା । ହିନ୍ଦୀଭାଷୀ ଅମଲାମାନଙ୍କ କେତେଜଣ ବୋକଚାବୁହା ସମ୍ବଲପୁରର ବହୁ ବାସିନ୍ଦା ଓଡ଼ିଆ ନୁହନ୍ତି ବୋଲି କହି ମଧ୍ୟପ୍ରଦେଶରେ ସମ୍ବଲପୁର ଇଲାକାର ସ୍ଥାୟୀ ମିଶ୍ରଣ ପାଇଁ ଚତୁର ଉଦ୍ୟମ ଚଳାଇଥିଲେ । ଧରଣୀଧର ମିଶ୍ରଙ୍କ ସଭାପତିତ୍ଵରେ ୧୩.୬.୧୮୯୫ ତାରିଖରେ ଏକ ପ୍ରଭାବଶାଳୀ ଜନସଭା ଅନୁଷ୍ଠିତ ହୋଇ ନିମ୍ନ ଲିଖିତ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହିତ ହୋଇ ହିନ୍ଦୀ ଭାଷାର ଆଫିସୀୟ ପ୍ରୟୋଗ ପ୍ରତ୍ୟାହାର କରାଯାଇ ଓଡ଼ିଆ ଭାଷାର ପୁନରପ୍ରଚଳନ ପାଇଁ ବଡ଼ଲାଟଙ୍କ ପାଖକୁ ପ୍ରେରିତ ହୋଇଥିଲା । ଏଥିରେ କୁହାହୋଇଥିଲା –
“ଓଡ଼ିଆ ସମ୍ବଲପୁରର ଏକମାତ୍ର ଭାଷା ନୁହେଁ ସତ୍ୟ, ମାତ୍ର ତାହା ଯେ ଏଠିକାର ମୁଖ୍ୟ ଭାଷା ତାହା ସର୍ବବାଦୀସମ୍ମତ । ହିନ୍ଦୀ ଏଠିକାର ଏକ ପଞ୍ଚମାଂଶ ଲୋକଙ୍କ ଭାଷା ବୋଲି କଥିତ ହୋଇଅଛି, କିନ୍ତୁ ଏ କଥା ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ଏକ-ପଞ୍ଚମାଂଶ ଲୋକଙ୍କ ଭାଷା ଗୋଟିଏ ଅଚିହ୍ନିତ ଲାରିଆ ନାମକ ସ୍ଥାନୀୟ ଭାଷା । ଏହି ଲାରିଆ ଭାଷା ଯେ ହିନ୍ଦୀ ଓ ଓଡ଼ିଆ ଭାଷାର ମିଶ୍ରଣରେ ଉତ୍ପନ୍ନ ତାହା ସମସ୍ତଙ୍କୁ ଜଣାଅଛି । ହିନ୍ଦୀଭାଷୀ ଲୋକମାନେ ଏଠାକୁ ବହୁଳ ପରିମାଣରେ ଆସି ବାସ କରି ସ୍ଵୀୟ ଭାଷା ଅକ୍ଷୁର୍ଣ ରଖିପାରିନାହାନ୍ତି । ବରଂ ଓଡ଼ିଆ ଶବ୍ଦ ଓ କଥନ ପ୍ରଣାଳୀ ଗ୍ରହଣକରିଅଛନ୍ତି । ଏଥିରୁ ଓଡ଼ିଆ ଭାଷାର ପ୍ରାଧାନ୍ୟ ଅନାୟସରେ ବୁଝିପାରାଯାଏ ।”
କହିବା ବାହୁଲ୍ୟ ଯେ, ଏହି ପ୍ରସ୍ତାବ ପରେ ଫ୍ରେଜର ସାହେବ ଘଟଣାସ୍ଥଳ ପରିଦର୍ଶନ କରି ସମଗ୍ର ଜିଲ୍ଲାଟିର ଭାଷା ଓଡ଼ିଆ ବୋଲି ନିର୍ଣୟ କରିଥିଲେ ।
କବି ଗଙ୍ଗାଧରଙ୍କ ଲେଖନୀକୁ ଆଶ୍ରୟ କରି ଓଡ଼ିଆ ଭାଷାଜନନୀ ତାର ବିଭାଜନବାଦୀ ସନ୍ତାନମାନଙ୍କୁ ସେଦିନ କହିଥିଲେ,
“ଛନ୍ଦ ବାବୁ ମୋର କୋମଳ ବସନ ଅଙ୍ଗକୁ ଯହିଁରେ ନହେବ ପୀଡ଼ା
ଦେବା ହେଲେ ଦିଅ ଏମନ୍ତ ଭୂଷଣ ଯାହା ଘେନି ମୋର ନ ହେବ ବ୍ରୀଡ଼ା ।
ଅଙ୍ଗ ଚାହିଁ ଦିଅ ଯୋଗ୍ୟ ପରିଚ୍ଛଦ ପରିଚ୍ଛଦ ଯୋଗୁ ନ କାଟ ଦେହ
କଟା ହେଲେ ହେବ ଜୀବନ ବିପଦ ନ କର ମାତାକୁ ସେପରି ସ୍ନେହ ।
ରୋଗ ଥିଲେ ଦେହେ ପ୍ରତିକାର କର ପ୍ରକୃତିସ୍ଥ ହେଉ ଜୀବନ ମୋର
ଭିନ୍ନ ବର୍ଣେ ଯଦି ରଞ୍ଜ କଳେବର ହେବ ମାତ୍ର ତାହା ବିଭତ୍ସ ଘୋର ।
ତୁମେ ମୋତେ ଯେଉଁ ବେଶେ ସଜାଇବ ସେ ବେଶ ଦେଖିବେ ଜଗତ ଜନେ
ତୁମେ ମୋତେ ଯଦି ଯତନେ ମାଜିବ ମାର୍ଜିତ ଉଜ୍ଜ୍ଵଳ ହେବ ଭୁବନେ ।
ଦେଉଁ ଦେଉଁ ମୋର ନୟନେ ଅଞ୍ଜନ ମୁଖ ଯଦି ହେବ କଳିମାମୟ
ପୋଛ ଗଣ୍ଡ କାଳି ନ ଦେଇ ଗଞ୍ଜନ ହେବ ମନୋହର କାନ୍ତି ଉଦୟ ।
ପାଇଥିଲେ ଦିଅ ବିଦେଶୀ ପ୍ରସୂନ ଥାଏ ଯଦି ତହିଁ କିଛି ସୌରଭ
ସୌରଭ ନ ଥିଲେ, କାନ୍ତିରେ ନିଉନ ନଥିଲେ ବଢ଼ିବ ସିନା ଗୌରବ !
ମସ୍ତକେ ମୋ ଟୋପି ନଦେବ ବାବାରେ ନ କାଢ଼ିବ ମୋର କରୁ କଙ୍କଣ
ସିନ୍ଦୁର ବିନ୍ଦୁ ମୋ ଭାଲେ ରଖିବରେ ନିରନ୍ତର ମନେ ଥିବ ସ୍ମରଣ ।“
ଆଜି ଯେଉଁମାନେ ଓଡ଼ିଆ ଭାଷା ଜନନୀଙ୍କ ଏହି ଉକ୍ତିର ଅମର୍ଯ୍ୟାଦା କରିବାକୁ ଅଣଓଡ଼ିଆମାନଙ୍କ ପୁରୁଣା ଚକ୍ରାନ୍ତର ତାଳେ ତାଳେ ବାକ୍ ବିତଣ୍ଡା କରୁଛନ୍ତି ସେମାନେ ନିଜ ଅସ୍ତିତ୍ଵର, ନିଜ ମାତୃଭୂମିର, ମାତୃଭାଷାର, ଜାତିର, ଓଡ଼ିଆ ପୂର୍ବପୁରୁଷଙ୍କର, ଓ ସର୍ବୋପରି ସ୍ଵଭାବ କବି ଗଙ୍ଗାଧରଙ୍କର ଅପମାନ କରୁଛନ୍ତି । ଏପରି ହେଉ ନ ଥାନ୍ତା, ଯଦି ରାଜ୍ୟ ମୁଖ୍ୟମନ୍ତ୍ରୀ ଓଡ଼ିଶା ଦାପ୍ତରିକ ଭାଷା ଆଇନର ଅବମାନନା କରୁନଥାନ୍ତେ ।
(ଏହା ଗତ ୯.୮.୨୦୨୦ ତାରିଖରେ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ କରି ମହାନ ଆମ ମାତୃଭାଷା ସଂଘ, ବଲାଙ୍ଗୀର ଗୁଗୁଲ ମାଧ୍ୟମରେ ସିଧାପ୍ରସାରୀତ କରିଥିବା ମୋ ଭାଷଣର କିୟଦଂଶ ।)