ବିଧାନସଭା// ରାଜ୍ୟପାଳଙ୍କ ହିନ୍ଦୀ ଭାଷଣ ଓଡ଼ିଆ ଅସ୍ମିତା ପ୍ରତି ଉପହାସ: ପ୍ରତିବାଦ ନକରି ନବୀନଙ୍କ ପଳାୟନ

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ନୂଆ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିବସ ଥିଲା ଓଡ଼ିଶା ପାଇଁ ଏକ ଅପମାନଜନକ ଦିବସ । ଏଦିନ ପ୍ରଥମଥର ପାଇଁ ହିନ୍ଦୀଭାଷାରେ ଶୁଣିବାକୁ ପଡ଼ିଥିଲା ରାଜ୍ୟପାଳଙ୍କ ପାରମ୍ପାରିକ ଭାଷଣ ! ଏହା ଓଡ଼ିଆ ଅସ୍ମିତା ପ୍ରତି ଥିଲା ଏକ ଉତ୍କଟ ଉପହାସ । ଏହାର ପ୍ରତିବାଦ ନକରି, ବିରୋଧୀ ଦଳ ନେତା ବନିଥିବା ନବୀନ ପଟ୍ଟନାୟକ ପଳାୟନ କରିବା ଥିଲା ତତୋଧିକ ଅପମାନଜନକ ଓଡ଼ିଆ ଜାତି ପାଇଁ ।    

ଇତିହାସ ଜାଣେ , ବ୍ରିଟିଶ ଶାସନ କାଳରେ ଓଡ଼ିଆ ଭାଷା ବିଲୋପ କରିବା ପାଇଁ ହିନ୍ଦୀ ଭାଷାଭାଷୀମାନେ ଜଘନ୍ୟ ଚକ୍ରାନ୍ତ ଚଳାଇଥିଲେ । ଓଡ଼ିଆ ଜାତି ଯଦି ସେ ଚକ୍ରାନ୍ତକୁ ପଣ୍ଡ କରିନଥାନ୍ତା, ସମଗ୍ର ସମ୍ବଲପୁର ଇଲାକା, ଯାହାକୁ ଏକ ଲାଭଲିପ୍ସୁ ଖବରକାଗଜ ସମ୍ବାଦ “ପଶ୍ଚିମ ଓଡ଼ିଶା” କହି ବିଷ ମଞ୍ଜି ବୁଣିଛି, ରହି ଯାଇଥାନ୍ତା ମଧ୍ୟପ୍ରଦେଶରେ । 

ଜାତି ଉପରେ ବିପତ୍ତି 

ବ୍ରିଟିଶ ବିରୁଦ୍ଧରେ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ କେବଳ ଓଡ଼ିଆ ଭାଷାଭାଷୀମାନେ ହିଁ କରିଥିଲେ (ସୁଭାଷ ଚନ୍ଦ୍ର ପଟ୍ଟନାୟକ, ଶ୍ରୀ ଜୟ ଦେବଙ୍କ ବାଇଶି ପାହାଚ, ଭାରତ ଭାରତୀ, କଟକ, ୨୦୦୫ ପୃଷ୍ଠା ୩୯ )।  ସେ ସଂଗ୍ରାମ ପ୍ରତ୍ଯକ୍ଷ କରିଥିବା ଜି. ଟୟନବୀ ଲେଖିଛନ୍ତି : ଆମେ ଏପରି ଏକ ଆକସ୍ମିକ ଝଡ଼ର ସମ୍ମୁଖୀନ ହୋଇଥିଲୁ ଯାହାର ଜଳନ୍ତା ନିଆଁ ପରି ଉତପ୍ତ ପ୍ରାଖର୍ଯ୍ୟ  ଆମକୁ ସମଗ୍ର ଓଡ଼ିଶାରୁ ନହେଲେ ମଧ୍ୟ ଖୁରୁଧା ମୁଲକରୁ ନିକାଲି ଦେଇ ପାରେ ବୋଲି ଆମ ମନରେ ଭୀତି ସଂଚାର ହୋଇଥିଲା  (“we had to encounter a storm which burst with so sudden furry as to threaten our expulsion, if not from the whole of Orissa, at least from the territory of Khurda” (G. Toynbee, A sketch of the history of Orissa). ବ୍ରିଟିଶ ଆଇନ ରକ୍ଷକ ଡବ୍ଲୁ ଫରେଷ୍ଟର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ, ଓଡ଼ିଆ ଲୋକଙ୍କ ମିଜାଜ ଏମିତି ବୀରତ୍ଵବ୍ୟଞ୍ଜକ ଯେ, ସୈନ୍ୟବଳ ବା ପୋଲିସ ପ୍ରୟୋଗ କରି ସେମାନଙ୍କୁ ବଶୀଭୂତ କରିହେବନି ( କମିଶନର ରବର୍ଟ କେରଙ୍କୁ ଫରେଷ୍ଟରଙ୍କ ରିପୋର୍ଟ, ତ। ୯.୯.୧୮୧୮) । କିପରି ଭାବେ ଏହି ଅସାଧାରଣ ବୀର ଜାତିକୁ ଆୟତ୍ତ କରିହେବ – ଏହି ଚିନ୍ତାରେ ପଡ଼ି ବ୍ରିଟିଶ ନାନା କୂଟକୌଶଳ ପ୍ରୟୋଗ କରିଥିଲା ।  ତନ୍ମଧ୍ୟରୁ ପ୍ରଧାନ ଥିଲା ଓଡ଼ିଆ ଭାଷାଭାଷୀ ଭୂଖଣ୍ଡର ବିଭାଜନ ଓ ବିଭାଜିତ ଓଡ଼ିଆ ଅଞ୍ଚଳର  ନିକଟସ୍ଥ ଅଣଓଡ଼ିଆ ପ୍ରଦେଶରେ ସଞ୍ଜୁକ୍ତିକରଣ । ତଦ୍ଦ୍ଵାରା ଓଡ଼ିଆଭାଷାଭାଷୀମାନେ ଅଣଓଡ଼ିଆ ପ୍ରଦେଶମାନଙ୍କରେ ସଂଖ୍ୟାଲଘୁ ହୋଇଗଲେ ଓ ଅପରାଜେୟ ଓଡ଼ିଆ ଜାତି ଭୟଙ୍କର ବିପତ୍ତିରେ ପଡ଼ିଗଲା । ଏ ବିପତ୍ତି ବଢିଗଲା, ଯେତେବେଳେ ସେହି ସେହି ପ୍ରଦେଶର ଭାଷା ମଧ୍ୟ କାର୍ଯ୍ୟାଳୟ- ଭାଷା ରୂପେ ଓଡ଼ିଆମାନଙ୍କ ଉପରେ ଲଦି ଦିଆଗଲା । 

ନିଜ ଭାଷା ପାଇଁ ନିଜ ରାଜ୍ୟ ଦାବି 

ଓଡ଼ିଆଙ୍କ ପ୍ରତିବାଦ ବିରୁଦ୍ଧରେ ବ୍ରିଟିଶର ଯୁକ୍ତି ଥିଲା,  ଯେଉଁ ପ୍ରଦେଶରେ ସଂଖ୍ୟାଧିକ ଲୋକଙ୍କ ଭାଷା ଯାହା ତାହା ହିଁ  ହେବ ସେହି ପ୍ରଦେଶର କାର୍ଯ୍ୟାଳୟ-ଭାଷା । ଏଥିରେ ହତାଶ ହୋଇ ନିଜ ଭାଷାକୁ କାର୍ଯ୍ୟାଳୟ- ଭାଷା କରିବା ସକାଶେ ଓଡ଼ିଆ ଭାଷାଭାଷୀ ଅଞ୍ଚଳସମୁଦୟକୁ ଏକତ୍ର କରି ଏକ ସ୍ଵତନ୍ତ୍ର ପ୍ରଦେଶ ଗଠନ ପାଇଁ ଓଡ଼ିଆ ଜାତି ଦାବି ତୋଳିଲା । ଏହା କରାଇ ନଦେବା ପାଇଁ ତେଲୁଗୁ, ବଙ୍ଗାଳୀ ହିନ୍ଦୀଭାଷୀମାନେ ପ୍ରବଳ ଷଡ଼ଯନ୍ତ୍ର କରିଥିଲେ । 

ହିନ୍ଦୀ ବିରୁଦ୍ଧରେ ସମ୍ବଲପୁରରେ ଓଡ଼ିଆ ଜାତୀୟତାର ଜାଗରଣ 

ଓଡ଼ିଆ ଜାତି ତେଲୁଗୁ ଓ ବଙ୍ଗାଳୀ ପ୍ରାଦୁର୍ଭାବକୁ ପ୍ରାୟତଃ ଅତିକ୍ରମ କରିଥିବା ବେଳେ, ସମ୍ବଲପୁର ଇଲାକାର କାର୍ଯ୍ୟାଳୟ-ଭାଷାଭାବେ ଓଡ଼ିଆ ସ୍ଥାନରେ ହିନ୍ଦୀ ପ୍ରଚଳନ ପାଇଁ ହିନ୍ଦୀ ଭାଷାଭାଷୀ କର୍ମଚାରୀମାନେ ମଧ୍ୟପ୍ରଦେଶର ବ୍ରିଟିଶ କମିସନରଙ୍କୁ ପ୍ରବର୍ତ୍ତାଇଲେ ।   ଏହାର ବର୍ଣ୍ଣନା କରି ସ୍ଵଭାବକବି ଗଙ୍ଗାଧର ମେହେର ‘ଉତ୍କଳ ଭାରତୀର କ୍ଷୋଭ’ ଶୀର୍ଷକରେ ଲେଖିଥିଲେ – 

“ସମ୍ବଲପୁରର ଅଧିବାସୀମାନେ ଉତ୍କଳ ଚିର ସନ୍ତାନ

ହିନ୍ଦୀ ଆଧିପତ୍ୟ ହୋଇବା ସେଠାରେ ଶୁଣି ସର୍ବେ ହତଜ୍ଞାନ ।”

ଜନସାଧାରଣଙ୍କ ପ୍ରତିବାଦ ସତ୍ତ୍ୱେ ହିନ୍ଦୀଭାଷୀମାନେ ସେଠାରେ ହିନ୍ଦୀକୁ ରାଜଭାଷା କରାଇଦେଲେ । ପୂର୍ବରୁ ଧରଣିଧର ମିଶ୍ରଙ୍କ ନେତୃତ୍ବରେ ଏକ ବିଶାଳ ଜନସଭା ହୋଇ ସ୍ପଷ୍ଟ କରାହୋଇଥିଲା ଯେ, ବେପାରବଣିଜ ପାଇଁ ଆସିଥିବା ହିନ୍ଦୀଭାଷୀମାନେ ସମ୍ବଲପୁର ଜିଲ୍ଲାରେ ବସବାସ କରିଥିଲେ ମଧ୍ୟ ସେମାନଙ୍କ ସଂଖ୍ୟା ଶତକଡ଼ା ୫ ରୁ ଅଧିକ ନୁହେଁ । ଅଧିକନ୍ତୁ ଓଡ଼ିଆ ଭାଷା ସେମାନଙ୍କ ହିନ୍ଦୀ ଭାଷାକୁ ଏପରି ଗ୍ରାସ କରିଯାଇଛି ଯେ, ତହିଁରୁ ଯେଉଁ କାମଚଳା କଥିତ ଭାଷା ବାହାରିଛି ତାହା ‘ଲାରିୟା’ ଭାବେ ପରିଚିତ । ଅତଏବ, ସମ୍ବଲପୁର ଇଲାକାରେ ବେପାର କରୁଥିବା ହିନ୍ଦୀଭାଷୀଙ୍କ ମୂଳ ଭାଷା ଓଡ଼ିଆ ଭାଷା ପାଖରେ ନିଜ ଅସ୍ତିତ୍ଵ ସମର୍ପଣ କରି ଲାରିୟାରେ ପରିଣତ ହୋଇଛି ଓ ତାହାର ପରିବ୍ୟାପ୍ତି ଅତିବେଶୀରେ ପାଞ୍ଚ ଶତାଂଶ ଲୋକଙ୍କ ଭିତରେ ସୀମିତ। ଅବଶିଷ୍ଟ ଅନ୍ଯୁନ ୯୫ ଶତାଂଶ ଅଧିବାସୀଙ୍କ ଭାଷା ଓଡ଼ିଆ । ସୁତରାଂ ସେଠାରେ ଓଡ଼ିଆ ସ୍ଥାନରେ ହିନ୍ଦୀ ପ୍ରଚଳନ ଆଦୌ ଗ୍ରହଣୀୟ ନୁହେଁ । ତଥାପି ହିନ୍ଦୀଭାଷୀ କର୍ମଚାରୀମାନଙ୍କ ଷଡ଼ଯନ୍ତ୍ର ହେତୁ ମଧ୍ୟପ୍ରଦେଶ କମିଶନର ହିନ୍ଦୀକୁ ହିଁ ଓଡ଼ିଆ ମୂଳକରେ ବଳବତ୍ତର କରିଦେଲେ ।  ସ୍ଵଭାବକବି ଲେଖିଥିଲେ –

“ସମ୍ବଲପୁରରୁ ଓଡ଼ିଆ ନିର୍ମୂଳ ହେବାର କାରଣ ଏହି 

ରାଜକର୍ମଚାରୀ , ହିନ୍ଦୀ ବାନା ଧରି ମହାରାଷ୍ଟ୍ରୀ ଛନ୍ତି ରହି ।”

ଭାଷା ହିଁ ଅସ୍ତିତ୍ଵ । ନିଜ ଭାଷା ପ୍ରତି ଏହି ଭୟଙ୍କର ବିପଦରେ ନିରବ ନରହି ବ୍ରଜମୋହନ ପଟ୍ଟନାୟକ, ମଦନମୋହନ ମିଶ୍ର, ମହାନ୍ତ ବିହାରୀ ଦାସ ଓ ବଳଭଦ୍ର ସୁଆର  ବଡଲାଟ ଲର୍ଡ କର୍ଜନଙ୍କୁ ଏକ ସ୍ମାରକ ପତ୍ର ଦେଇ ଦାବି କଲେ, “ଯଦି ଏକ ପ୍ରଦେଶରେ ଗୋଟିଏ ଜିଲ୍ଲାର ଭାଷାକୁ ପ୍ରଦେଶର ରାଜଭାଷା କରିବା ସୁବିଧାଜନକ ହେଉନି, ତେବେ ଆମ ଜିଲ୍ଲାକୁ ଓଡ଼ିଶାକୁ ଫେରାଇ ଦିଆଯାଉ (“Once it is considered impossible to introduce Oriya in only one district of Central Provinces, our district should be returned to Orissa.”) ।   

ଲର୍ଡ କର୍ଜନ ମଧ୍ୟପ୍ରଦେଶ କମିଶନର ଆଣ୍ଡୃ ଫ୍ରେଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସମ୍ବଲପୁର ଜିଲ୍ଲା ଗସ୍ତ କରି ଓ ସରଜମିନ ତଦନ୍ତ କରି ଜିଲ୍ଲାଟିର  ଭାଷା ପ୍ରକୃତରେ କା’ଣ ତାହା ତାଙ୍କୁ ଜଣାଇବାକୁ । ଏକଥା ୧୨.୯.୧୯୦୧ ତାରିଖରେ ମଧୁବାବୁଙ୍କୁ ଜଣାଇ ସେ କହିଥିଲେ ଯେ, ସମ୍ବଲପୁର ମଧ୍ୟପ୍ରଦେଶରେ ରହିବ କି ଓଡ଼ିଶାକୁ ଫେରିବ ତାହା ନିର୍ଭର କରିବ ଫ୍ରେଜରଙ୍କ ରିପୋର୍ଟ ଉପରେ । ଫ୍ରେଜର ସରଜମିନ ତଦନ୍ତ କରି ଜଣାଇଥିଲେ ଯେ ଜିଲ୍ଲାଟିର ଭାଷା ଓଡ଼ିଆ । ସମ୍ବଲପୁର ଓଡ଼ିଶାକୁ ଫେରିଲା । 

କିନ୍ତୁ ଆମ ଜାତୀୟ ସତ୍ତାକୁ  ସେହି ସର୍ବୋଚ୍ଚ ପାଞ୍ଚ ଶତାଂଶ ହିନ୍ଦୀଭାଷୀ ବେପାରୀ ଯେଉଁ କ୍ଷତି ପହଞ୍ଚାଇଥିଲେ , ତାହା ସେତେବେଳେ ବ୍ୟର୍ଥ ହୋଇଥିଲେ ମଧ୍ୟ ହିନ୍ଦୀଭାଷୀମାନେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଅଣଓଡ଼ିଆପ୍ରୀତିର ସୁଯୋଗ ନେଇ ସେ ମୁଖ୍ୟମନ୍ତ୍ରୀ ଥିବାବେଳେ ପୁଣି ଥରେ ପଶିମ ଓଡ଼ିଶାକୁ ଗ୍ରାସ କରି ସେଠାରେ ଓଡ଼ିଆ ଅସ୍ତିତ୍ଵ ଲୋପ କରିବା ପାଇଁ ମୁଖବ୍ୟାଦାନ କରିଛନ୍ତି । ପ୍ରଶାସନରେ ଇଂରାଜୀ ଆମପାଇଁ ଯେମିତି ବିପଦ, ଆମ ଭୌଗୋଳିକ ଓ ସାମାଜିକ ସତ୍ତାରେ ହିନ୍ଦୀ ସେମିତି ଆମ ପାଇଁ ଏକ ନୂଆ ବିପଦ ଭାବେ ଉଭା ହୋଇଛି । 

ହିନ୍ଦୀଭାଷୀ ରାଜ୍ୟପାଳ ଆମ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ ହିନ୍ଦୀରେ ଭାଷଣ ଦେଇ ଆମ ଜାତିର ଆତ୍ମସମ୍ମାନବୋଧକୁ ଉପହାସ କରିଛନ୍ତି । ଓଡ଼ିଆବିଦ୍ଵେଷୀତା ପାଇଁ କ୍ଷମତାରୁ ତଡ଼ା ଖାଇଥିବା ନବୀନ ପଟ୍ଟନାୟକ ବିରୋଧୀ ଦଳର ମୁଖ୍ୟ ଥାଇ, ରାଜ୍ୟପାଳଙ୍କ ଭାଷଣରେ ହିନ୍ଦୀ ବ୍ୟବହାରକୁ ନିନ୍ଦା କରିବା ପରିବର୍ତ୍ତେ ଅନ୍ୟ ଏକ ଆଳରେ କକ୍ଷ ତ୍ୟାଗ କରି ପଳାଇବା ଓଡ଼ିଆ ଜାତିର ମର୍ଯ୍ୟାଦା ପ୍ରତି ତାଙ୍କ ଅଭ୍ୟସ୍ତ ଅବମାନନା ଅକ୍ଷୁର୍ଣ୍ଣ ଥିବାର ଏକ ନୂଆ ପ୍ରମାଣ  ।       

ଭାଷା ଆନ୍ଦୋଳନ ସଫଳ ହେବ – ଏ ବିଶ୍ଵାସ ବିଫଳ ନହେବା ପରି ଲାଗୁଛି

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ସାନି ସଂଶୋଧନ ଦ୍ଵାରା ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନକୁ ନିର୍ଭୁଲ କରିବା ପାଇଁ ଭାଷା ଆନ୍ଦୋଳନର ଦାବି ସଫଳ ହେବାର ସମ୍ଭାବନା ଦେଖାଦେଇଛି । ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଲୋକ ସେବା ଭବନରେ ଆଜି ଔପଚାରିକ ଭାବେ ତାଙ୍କ ଆସନ ଗ୍ରହଣ କଲା ପରେ ଘୋଷଣା କରିଛନ୍ତି କି, ଓଡ଼ିଆ ଭାଷାରେ ଓଡ଼ିଶା ଏଥିପାଇଁ ଆବଶ୍ୟକୀୟ ଆଇନ ସଂଶୋଧନ ହେବ ।    

ପୂର୍ବବର୍ତ୍ତୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଷା ଆଇନକୁ ଅକର୍ମଣ୍ୟ କରିଦେବା ପାଇଁ ବିଧାନ ପ୍ରଣୟନ ପ୍ରକ୍ରିୟାରେ  ଜାଲିଆତି ପ୍ରୟୋଗ କରିଥିଲେ ଓ ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ମୋର ଦୁଇଜଣ ସହକର୍ମୀଙ୍କୁ ସୁପାରି ଦେଇ କିଣିଥିଲେ । କିନ୍ତୁ ଭାଷାପ୍ରାଣ ଓଡିଆ ଜାତି ନବୀନ ପଟ୍ଟନାୟକଙ୍କ ପୋଷାମନା  ଛଦ୍ମଘାତକମାନଙ୍କ ପ୍ରବଞ୍ଚନାକୁ ପ୍ରତ୍ୟାଖ୍ୟାନ କଲା ଓ କଳାପତାକା ଅଭିଯାନ ଆଗେଇ ଚାଲି ଭାଷା ଅସ୍ମିତାର ଫଲ୍ଗୁ ପ୍ରବାହିତ କଲା ସାରା ଓଡ଼ିଶାରେ, ଯାହା ଇତିହାସର ଅଳିଆ ଭିତରକୁ ନିକ୍ଷେପ କରିଛି  ନବୀନ ରାଜୁତିକୁ । ଆଜି ଏହି ମହାନ ଅଭିଯାନ ପହଞ୍ଚିଛି ନବମ ବର୍ଷର ତିନି ମାସ  ଚାରି ଦିନରେ ।  ଆଜି ହିଁ ଶ୍ରୀଯୁକ୍ତ ମାଝୀ ଭାଷା ଆଇନ ସଂଶୋଧନ ପାଇଁ ଏକ ସମ୍ଭାବନାମୟ ଘୋଷଣା କରିଛନ୍ତି । 

ଗତ ପହିଲାରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଦେଇ ନବୀନବାବୁ ଭାଷା ଆଇନରେ ଜାଲିଆତି ଦ୍ଵାରା ଖଞ୍ଜିଥିବା ଧାରା ୪ , ଧାରା ୪କ ଓ ଧାରା ୫ ବିଲୁପ୍ତ କରିବାକୁ ଭାଷା ଆନ୍ଦୋଳନ ପକ୍ଷରୁ ମୁଁ ଦାବି କରିଥିଲି ଏବଂ ସାନି ସଂଶୋଧନ ଦ୍ଵାରା ତାକୁ ନିର୍ଭୁଲ କରିବାକୁ ଅନୁରୋଧ ଜଣାଇଥିଲି । ଆଶା କରୁଛି ଯେ, ନୂଆ ବିଧାନସଭାର ଆଗାମୀ ଅଧିବେଶନରେ ଭାଷା ଆଇନ ସଂଶୋଧନ ହେବ ଏବଂ ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପଥରୁ ସମସ୍ତ ଅନ୍ତରାୟ ଅପସାରିତ ହେବ । 

ଭାଷା ଆନ୍ଦୋଳନର ଲକ୍ଷ୍ୟ ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ କଳାପତାକା ଅଭିଯାନ ଯଥାରୀତି ଚାଲିବ । 

ଉଠୁ ଏ ଜାତି ନାଶି ଅରାତି ପାହିବ ରାତି ଦିନେ

କୈଲାଶ ଚନ୍ଦ୍ର ସାହାଣୀ

[ଓଡ଼ିଶା ପରିଚାଳନାରେ ଓଡ଼ିଆଭାଷାଜନନୀର ଅପରିହାର୍ଯ୍ୟତା  ପାଇଁ ଆମ କବି ଓ ସାହିତ୍ୟିକମାନେ କଲମ ଚାଳନା କରିବାକୁ ଆମେ ଦେଇଥିବା ଡକରା ଯେଉଁ କତିପୟଙ୍କ ଚେତନାରେ ପ୍ରତିଧ୍ଵନିତ ହୋଇଥିଲା, ତନ୍ମଧ୍ୟରେ ଅଧ୍ୟାପକ କବି କୈଲାଶ ଚନ୍ଦ୍ର ସାହାଣୀ ଅନ୍ୟତମ । ଗତବର୍ଷ ଏଇଦିନେ ଏହା ସାମାଜିକ ଗଣମାଧ୍ୟମ ଫେସବୁକର ପୃଷ୍ଠାମଣ୍ଡନ କରିଥିଲା । ]

ଉଠୁ ଏ ଜାତି ନାଶି ଅରାତି
ପାହିବ ରାତି ଦିନେ,
ଓଡ଼ିଆ ଭାଷା ବଢିଆ ଆମ
ପଡୁ ନାହିଁକି ମନେ ।
କେତେ ମହାନ ମାଟି ସନ୍ତାନ
କହିଲେ କାନେ କାନେ ,
ମାଆର ଭାଷା ମମତା ଭରା
ଶୁଭଇ କୁହୁ ତାନେ !

ଆସରେ ଭାଇ ଏକାଠି ହୋଇ
ଲଢ଼ିବା ଭାଷା ପାଇଁ,
ଆମ ଭାଷାରେ ଶାସନ ହେବ
ପଢ଼ିବା ମନ ଦେଇ ।

କଚେରୀଠାରୁ ବିଧାନସଭା
ଓଡ଼ିଆ ଲେଖା ହେଉ ,
ସବୁରି ଘରେ ଓଡ଼ିଆ ବହି
ଥାକରେ ଶୋଭା ପାଉ ।

ଆମ ଭାଷାକୁ ମାରିବା ପାଇଁ
କାନ୍ତି ଚନ୍ଦ୍ରର ଟାଣ,
ଭାଙ୍ଗିଲେ ଦିନେ ସେନାପତି ଏ
ଫୁଟାଇ ଶବ୍ଦ ବାଣ !

ଶାସ୍ତ୍ରୀୟ ଆମ ଓଡ଼ିଆ ଭାଷା
ଭାଷାଭିତ୍ତିକ ରାଜ୍ୟ,
କେତେ ପ୍ରାଚୀନ ଭାଷା ଏ ମୋର
କରିବା ନାହିଁ ଭାଜ୍ୟ ।


ସ୍ଵେଦ ଲହୁରେ ଆଣିଛୁ କ୍ରାନ୍ତି
ମନେ ନ ଆଣ ଭ୍ରାନ୍ତି ,
ଆମର ଦାବୀ ପୂରଣ ହେଉ
ରାଇଜେ ଆସୁ ଶାନ୍ତି ।


ଓଡ଼ିଆ ଭାଷା ଲେଖି ନପାରି
ଅମଲା କାମ କଲେ,
ଦଣ୍ଡିତ ହେବା ନିଶ୍ଚିନ୍ତ ହେବ
ଆଇନ ହୋଇ ଗଲେ ।


ଗୋରା ସାହେବ ଶାସନ କାଳେ
ଭାଷା ମୋ ବଞ୍ଚିଥିଲା ,
କଳା ସାହେବ ଶାସନେ ଆଜି
ଭାଷା ମୋ ହଜି ଗଲା ।

ଆସରେ ଆସ ଓଡ଼ିଆ ଜାତି
ମନରୁ ତେଜ ଭୟ,
ସଂଗ୍ରାମ ଆଜି ହୋଇନି ଶେଷ
ଲଭିନେ ପରାଜୟ ।

କଳାପତାକା ଅଭିଯାନର
ହୋଇନି ଅନ୍ତ ଆଜି ,
ସଫଳ ଦିନେ ହେବାରେ ଆମେ
କଷଣ ଯିବ ଭାଜି ।

ମନରୁ ତେଜ ହୀନମନ୍ୟତା
ତୋଷାମଦର କଳା,
ପ୍ରାଚୀ ନଭରେ ନବୀନ ସୂର୍ଯ୍ୟ
ବଉଦ ଭେଳା ମେଳା ।

ଅନ୍ଧାର ନାଶି ଉଇଁବ ଶଶୀ
ଦିଶିବ ଧରା ତୋରା,
ଆମରି ପଣ ଅକାଟ୍ୟ ଜାଣ
ଆସୁ ଛାଇ ବା ଖରା ।

ଓଡ଼ିଆ ଜାତି ମନରେ ଆସୁ
ଶତ ସିଂହର ବଳ ,
ଏକତା ଦିନେ ଭାଙ୍ଗି ପାରିବ
ଅହଂକାରୀର କଳ ।

ଓଡ଼ିଆ ଜାତି ଛାତିରେ କାତି
ସହିବୁ କେତେ କହ ?
ଶାର୍ଦ୍ଧୃଳ ହୋଇ ଶୃଗାଳ ହେବା
ଘାରିଛି କେଉଁ ମୋହ !

ଓଡ଼ିଆ ଭାଷା ମାଟିର ଭାଷା
ସକଳ ଓଠେ ଖେଳୁ ,
ଲେଖା ପଢ଼ାରେ ଗପ ଗୀତରେ
ଓଡ଼ିଆ ଜାତି ମିଳୁ !

ଜୀବନ ଧନ ଅଢେଇ ଦିନ
ବଡେଇ କାହିଁ ପାଇଁ,
ପାଣି ଫୋଟକା ଯିବ ମିଳାଇ
ମିଛରେ ହାଇଁ ପାଇଁ ।


ଆସୁ ସୁଦିନ ଏ ଅଭିମାନ
ଟିକିଏ ବଞ୍ଚିଥାଉ ,
ଓଡ଼ିଆ ବୋଲି ଗର୍ବ ଆମର
ଅଛନ୍ତି ମହାବାହୁ !!

ତା ୨୫,୦୮,୨୦୨୨ @କୈଳାସ ଚନ୍ଦ୍ର ସାହାଣୀ

ବ୍ୟାସନଗର: ଭାଷଜନନୀର ଜୈତ୍ରଧ୍ଵଜା ସହ ମଧୁ ଜୟନ୍ତୀ

ବିଶେଷ ପ୍ରତିନିଧି

କୁଳବୃଦ୍ଧ ମଧୁସୂଦନଙ୍କ ଜୟନ୍ତୀ ଭାଷା ଆଂଦୋଳନର ପାବନପୀଠ ବ୍ୟାସନଗରରେ ଓଡ଼ିଆ ଭାଷାଜନନୀଙ୍କ ଜୈତ୍ରଧ୍ଵଜା – କଳାପତାକା ସହ ମହାସମାରୋହରେ ପାଳିତ ହୋଇଯାଇଛି । ସହିଦ ଭଗତ ସିଂହ ଯୁବକ ସଂଘର ଅନ୍ଯତମ ତୁଙ୍ଗ ନେତା ବିଶିଷ୍ଟ ସମାଜସେବୀ ହେମନ୍ତ ଧୀରଙ୍କ ନେତୃତ୍ବରେ ଭାଷାପ୍ରାଣ ଅଞ୍ଜନ ସାହୁ ,ସୌମ୍ଯରଞ୍ଜନ ନାୟକ ଓ ଜିତେନ୍ଦ୍ର ପଲାଇ ଏହି କଳାପତାକାର ଲହରେ ଲହରେ ଜାରିକରିଛନ୍ତି ଓଡ଼ିଆ ଜାତିର ଅନାହତ ଦାବି – କାର୍ଯ୍ୟାଳୟର ଭାଷା ହେଉ ଓଡ଼ିଆ ।

ସହରର ଅଗ୍ରଣୀ ସାମାଜିକ ତଥା ସେବା ଅନୁଷ୍ଠାନ ସହୀଦ ଭଗତ ସିଂ ଯୁବକ ସଂଘ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶୁଭ ଜୟନ୍ତୀ ଓଡ଼ିଆ ଜାତିର ସ୍ୱାଭିମାନ ଦିବସ ଭାବେ ପାଳିତ ହୋଇଥାଏ ।  ସୁତରାଂ ସକାଳ ୮ ଘଟିକା ସମୟରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପରିସରରେ କୁଳବୃଦ୍ଧଙ୍କ ପ୍ରତିମୂର୍ତ୍ତିରେ ସଭାପତି ରାଜେନ୍ଦ୍ର ବିଶ୍ଵାଳ, କବି ନାରାୟଣ ଚନ୍ଦ୍ର ନାୟକ ପ୍ରମୁଖ ସଂଘର ସଭ୍ୟମାନେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ନିବେଦନ କରିଥିଲେ ।

ଏହି ଅବସରରେ ସହରର କୌଣସି ଏକ ଗୁରୁତ୍ୱ ପୂର୍ଣ୍ଣ ସ୍ଥାନରେ ମଧୁବାବୁଙ୍କର ଏକ ପ୍ରତିମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ମଲ୍ଲିକଙ୍କୁ ଯୁବକ ସଂଘ ଏକ ଦାବିପତ୍ର ପ୍ରଦାନ କରିଥିଲେ ଏବଂ ନିର୍ବାହୀ ଅଧିକାରୀ ଏ ଦିଗରେ କାର୍ଯ୍ୟକରିବା ପାଇଁ ପ୍ରତିଶୃତି ଦେଇଥିଲେ ।

ସକାଳ ୯ ଘଟିକା ସମୟରେ ବ୍ୟାସଶ୍ରୀ କଳାନିକେତନ ସଭାଗୃହରେ  ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ଏଥିରେ ସଭାପତିତ୍ୱ କରିଥିଲେ ସଂଘର ଉପଦେଷ୍ଟା ନାରାୟଣ ଚନ୍ଦ୍ର ନାୟକ, ନନ୍ଦକିଶୋର ମହାନ୍ତି ବ୍ୟାଙ୍ଗକବି ବାଇଧର ମାଝୀ, ସଭ୍ୟ ମହେଶ୍ୱର ନାୟକ, ଜନ୍ମେଜୟ ରାଉତ, ଦୀପକ ଦାଶ, ନୀଳମଣି ଜେନା, ଟୁଲୁ ଟୁଲୁ ମୋହନ ଜେନା, ସେକଉଦ୍ଦିନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇ ମହାପୁରୁଷଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।  ସଂଘର ସମ୍ପାଦକ ଶ୍ରୀ ହେମନ୍ତ କୁମାର ଧୀର ଧନ୍ୟବାଦ ଅର୍ପଣ କରିଥିଲେ

ଆମ ଭାଷା ଶାସ୍ତ୍ରୀୟ ବୋଲି ସ୍ବୀକୃତ ହେଲା, ମାତ୍ର ଆମ ଭାଷା ଏବେ କେଉଁଠି?

ତୁଷାରକାନ୍ତ ଶତପଥୀ 

ସନ ୨୦୧୪ ମସିହା ଆଜିର ଦିନରେ ” ଓଡିଆ ଏକ ଶାସ୍ତ୍ରୀୟ ଭାଷା” ବୋଲି କେନ୍ଦ୍ର ସରକାରଙ୍କ ତରଫରୁ ମାନ୍ୟତାପ୍ରାପ୍ତ ହୋଇଥିଲା।ଏହି ଅବସରରେ, ଆମ ଭାଷାକୁ ଏପରି ସମ୍ମାନ ପ୍ରଦର୍ଶନ ମୂଳରେ ଯେଉଁମାନଙ୍କର ପରିଶ୍ରମ ଓ ଅବଦାନ ରହିଛି, ସେମାନଙ୍କ ଉଦ୍ଦେଶ୍ୟରେ ଶତକୋଟି ପ୍ରଣାମ ଅର୍ପଣ କରୁଛି ।

ଏ ବାବଦରେ ଭାରତ ସରକାରଙ୍କ ତା୧୧.୩.୨୦୧୪ରିଖର ଗେଜେଟ ଇସ୍ତାହାରରେ ଅଂଗ୍ରେଜୀରେ “xx the Govt of India here by declare Odia as a Classical Language ” ଓ ହିନ୍ଦିରେ ” ଭାରତ ସରକାର ଏତଦଦ୍ୱାରା ଓଡିଆ କୋ ‘ପ୍ରାଚୀନ ଭାଷା’ କେ ଋପ ମେଁ ଘୋଷିତ କରତା ହୈ ” ବୋଲି ଉଲ୍ଲେଖ ଅଛି ।ଏଥିରେ କୌଣସି ଠାରେ “ଶାସ୍ତ୍ରୀୟ ଭାଷା” ବୋଲି ଉଲ୍ଲେଖ ନଥିଲେ ମଧ୍ୟ ଆମ ଓଡିଶା ସରକାର ଏହାକୁ “ଶାସ୍ତ୍ରୀୟ ଭାଷା” ବୋଲି ଘୋଷଣା କରିଛନ୍ତି,ଯାହା ବୁଝିବା ସାଧାରଣ ଲୋକଙ୍କ ପକ୍ଷେ ଦୁରୁହ । 
ହୁଏତ ” ପ୍ରାଚୀନ ଭାଷା” ଋପେ ଚିହ୍ନିତ କରାଯାଇଥିଲେ,ତାହା ଅଧିକ ବୋଧଗମ୍ୟ ହୋଇଥାଆନ୍ତା ।

ଶହେଟଙ୍କିଆ ନୋଟରେ ଓଡିଆରେ ” ଏକ ଶହ ଟଙ୍କା” ଓ ହିନ୍ଦିରେ ” ଏକ ଶୌ ରୁପୟେ” ଲେଖାଥିବା ସ୍ଥଳେ
ପାଞ୍ଚଶହଟଙ୍କିଆ ନୋଟରେ ” ପାଞ୍ଚ ଶତ ଟଙ୍କା” କିନ୍ତୁ ହିନ୍ଦିରେ ଶହେଟଙ୍କିଆ ଭଳି ” ପାଞ୍ଚ ଶୌ ରୁପୟେ” ଲେଖା ଅଛି। ଦୁଇଟି ନୋଟରୁ ଶାସ୍ତ୍ରୀୟ ଓଡିଆ କେଉଁଠି?

(A classical language is a language with an independent literary tradition and a large and ancient body of written literature. Classical languages are typically dead languages, or show a high degree of diglossia  as the spoken varieties of the language diverge further away from the classical written language over time.)

ତେବେ ସେ ଯାହା ହେଉ, ଏଭଳି ମାନ୍ୟତା ମିଳିବା ପରେ ସରକାରଙ୍କ ଦ୍ୱାରା ଓଡିଆ ଭାଷାକୁ ସମ୍ମାନ ଦିଆଯିବା ଉପରେ ବ୍ୟକ୍ତିଗତ ଅନୁଭୂତିରୁ ଘଟଣାଟିଏର ବର୍ଣ୍ଣନା କରୁଛି।

“ସୂଚନା ଅଧିକାର ଆଇନ” ଜରିଆରେ ଆମ ରାଜ୍ୟର ପଞ୍ଚାୟତରାଜ ବିଭାଗକୁ ଓଡିଆଭାଷାରେ ମଗାଯାଇଥିବା ତଥ୍ୟଟିଏର ଉତ୍ତର ନିରୋଳା ଅଂଗ୍ରେଜୀ ଭାଷାରେ ମିଳିଥିଲା, ଯଦିଓ ସେତେବେଳକୁ ” ଓଡିଶାର ଶାସନ ଓଡିଆରେ ଚାଲିବ” ଭଳି ବିଜ୍ଞପ୍ତି ପ୍ରକାଶିତ ହୋଇ ସାରିଥିଲା। ଭାରତ ସରକାରଙ୍କ ସରକାରୀ ଭାଷା ବିଭାଗ- (Official Languages Dept)ର ନିୟମ ହେଉଛି “ଚିଠି ଯେଉଁ ଭାଷାରେ ଥାଏ, ଉତ୍ତର ସେଇ ଭାଷାରେ ଦିଆଯିବ” ।

ଆଜି ” ପ୍ରାଚୀନ ଭାଷା ଘୋଷଣା ଦିବସ ” ଅବସରରେ ଓଡିଶାରେ ଓଡିଆ ଭାଷାର ଅବସ୍ଥାକୁ ଅନୁଧ୍ୟାନ କଲାବେଳେ ମନେ ପଡ଼ିଯାଉଛି କବିସୂର୍ଯ୍ଯ ବଳଦେବ ରଥଙ୍କ କଟୂ କଟାକ୍ଷ :

“ସମଝଇ ନାହିଁ ସ୍ୱଦେଶୀ ଭାଷା
କହିଲେ ସେ ହୁଅଇ ଲୋକହସା
ଜଡ଼ ମୁଁ ବୋଲି ନ ଜନ୍ମ ନିର୍ବେଦ
ଷଡ଼ଦଶୀ ତୁଲେ କଲେ ବିବାଦ
ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ।” 

 ମନେ ପଡ଼ିଯାଉଛି କୁଳବୃଦ୍ଧ ମଧୁସୂଦନ ଦାସଙ୍କ “ଜାତିର ଉନ୍ନତି ହେବ କିରେ ଭାଇ ସ୍ୱାର୍ଥକୁ ଜଗତ ମଣି?
ଗୋଦରଗୋଡରେ ମାଉଁସ ଲାଗିଲେ ଦେହର କି ଶୁଭ ଗଣି!” ।

ମନେ ବି ପଡ଼ିଯାଉଛି ଓଡ଼ିଆ ତୁଣ୍ଡରେ  ଘନଘନ ପ୍ରସାରିତ  ଭକ୍ତଚରଣ ଦାସଙ୍କ “ଚିତ୍ର ପ୍ରତିମା ପ୍ରାୟ ଦିଶେ ସୁନ୍ଦର,
ଚିରି ଭିତର ଦେଖ କି ନାରଖାର”  ।

କାର୍ଯ୍ୟରେ ନହେଉ ପଛେ, ” ଓଡିଶା ଶାସନ ଓଡିଆରେ” ଭଳି ସରକାରଙ୍କ ଘୋଷଣା ପଛରେ ଏହି ଅକିଞ୍ଚନ ତାର ଗୁଣ୍ଡୁଚିମୂଷାର ଦାୟିତ୍ୱ ତୁଲାଇ ମାଟିମା’ ଋଣର କିଞ୍ଚିତ ଅଂଶ ପରିଶୋଧ କରିବାର ସୁଯୋଗ ପାଇଛି, ଯଦିଓ ଆହୁରି ବହୁତ କିଛି କରିବାର ଥିଲା, ଯେଉଁଥି ପାଇଁ ପରିସ୍ଥିତିକୁ ଦେଖି ଆଉ ଆଗ୍ରହ ନଥିଲା।
ଏବେ ତ ଘୋର ଅସୁସ୍ଥତା ଯୋଗୁ ଗୃହବନ୍ଦୀ ଅବସ୍ଥାରେ ।

ଦେଖାଯାଉ, ଓଡିଆ ଭାଷାର ଅବସ୍ଥା କ’ଣ ହେଉଛି ।

“ବନ୍ଦେ ଉତ୍କଳ ଜନନୀ,ଜୟ ହେଉ ଓଡିଆ ଭାଷାର”