ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଉପରେ ଭାଷା ଆନ୍ଦୋଳନ ଓଡ଼ିଶାର ସିଂହାବଲୋକନ: ସାଂସ୍କୃତିକ ଅସଦାଚରଣ ପାଇଁ ଦାୟୀ ବ୍ୟକ୍ତିଙ୍କୁ କଠିନ ଦଣ୍ଡବିଧାନ ଦାବି

ଦି ନ୍ୟୁଜ୍ ସିଣ୍ଡିକେଟ୍

ଏ ପର୍ଯ୍ୟନ୍ତ ହିସାବ ସରିନଥିବା ସରକାରୀ ‘ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ’ ଓଡ଼ିଶା କାର୍ଯ୍ୟ ନିୟମାବଳୀ ଦ୍ଵାରା ସମର୍ଥିତ ହୋଇ ନଥିବା ହେତୁ, ତହିଁର ସମଗ୍ର ଖର୍ଚ୍ଚ ଉପରେ ସାମାଜିକ ଯାଞ୍ଚ (social audit ) ପାଇଁ ଭାଷା ଆନ୍ଦୋଳନ ଓଡିଶା ଦାବି କରିଛି ।

ସୁବିଦିତ ପରିବେଶବିତ୍ ଓ ଚାଟାର୍ଡ ଆକାଉଟାଣ୍ଟ ବିଶ୍ଵଜିତ ମହାନ୍ତିଙ୍କ ସଭାପତିତ୍ଵରେ  ଭାଷା ଆନ୍ଦୋଳନର ମାତୃଭାଷାପ୍ରେମୀ ସମ୍ମିଳନୀ -୩ ଅନୁଷ୍ଠିତ ହୋଇଯାଇଛି ଫେବୃଆରୀ ୦୭ ତାରିଖ ଅପରାହ୍ନରେ ଭୁବନେଶ୍ୱରସ୍ଥ ଲୋହିଆ ଆକାଡ଼େମୀ ସଭାକକ୍ଷରେ । ଏହି ସମ୍ମିଳନୀରେ ଓଡ଼ିଆ ଭାଷା ଉପରେ ଦେଖାଦେଇଥିବା ବିପଦ ସମ୍ପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ ଭାଷା ଆନ୍ଦୋଳନ ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ, କବି ଶଙ୍କର୍ଷଣ ପରିଡ଼ା , ଭାଷାତତ୍ତ୍ଵବିତ୍ ପ୍ରଫେସର ମନୋରଞ୍ଜନ ଦାସ, ଭାଷାତତ୍ତ୍ଵବିତ୍ ଡଃ ସୁବ୍ରତ ପୃଷ୍ଟି , ସୂଚନା ଅଧିକାର ଅଭିଯାନର ମୁଖ୍ୟ ପ୍ରଦୀପ ପ୍ରଧାନ, ଭାଷା ଆନ୍ଦୋଳନର ଅନ୍ୟତମ ତୁଙ୍ଗ ନେତା ଅଶୋକ ପରିଡ଼ା, ଅଖିଳ ଭାରତୀୟ ଛାତ୍ର ସଂଘର ଜାତୀୟ ଉପସଭାନେତ୍ରୀ ସଙ୍ଘମିତ୍ରା ଜେନା,  ଛତ୍ରମଣ୍ଡଳରୁ  ମନୋଜ କୁମାର କର,ଯୁବମଣ୍ଡଳରୁ ଦେବବ୍ରତ ବେହେରା, କୃଷକ ମଣ୍ଡଳରୁ କୃଷକ ନେତା ଅଜୟ କୁମାର  ପ୍ରମୁଖ । ଅଂଶ ଗ୍ରହଣ କରିଥିଲେ ବିଶିଷ୍ଟ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ, ସାମ୍ବାଦିକ କିଶାନ ବରାଇ, ଆଡଭୋକେଟ ଇଲା ମହାରଣା, ଶ୍ଵେତା ମିଶ୍ର, ବୈଜ୍ଞାନିକ ଡଃ ଅଶୋକ ମିଶ୍ର, ତପନ ପାଢୀ, ଜେନାମଣି ଦିଲ୍ଲୀପ କୁମାର ରାୟ , ଆମର କବି ଶତପଥୀ , ନିହାର ଶତପଥୀ , ପି. କେ. ନନ୍ଦ, ଅନିଲ କୁମାର ସାହୁ, ସନ୍ତୋଷ କୁମାର ମୁଦୁଳି, ଭକ୍ତି ରଞ୍ଜନ ପଳାଇ, ରଜନୀକାନ୍ତ ଲେଙ୍କା, ପ୍ରକାଶ ଦାସ, ବିଭୁତି ଭୂଷଣ ଚଉଧୁରୀ, ପ୍ରଦୀପ କୁମାର ସ୍ଵାଇଁ,  ଦେବ ପ୍ରସାଦ ପରିଡ଼ା, ସଚ୍ଚିକାନ୍ତ ପ୍ରଧାନ  ଇତ୍ୟାଦି । 

ବିଧାନ ପ୍ରଣୟନ ପ୍ରକ୍ରିୟାରେ ଜାଲିଆତି ପ୍ରୟୋଗ କରି ମୁଖ୍ୟମନ୍ତ୍ରୀ ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନକୁ ଏପରି ଅକର୍ମଣ୍ୟ କରିଦେଇଛନ୍ତି ଯେ, ଓଡ଼ିଆରେ କେଉଁଠି ବି କୌଣସି କାମ ହେଉନି । ଓଡ଼ିଆ ଭାଷା ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଏହି ଷଡଯନ୍ତ୍ର ପ୍ରତିବାଦରେ ଓ ରାଜ୍ୟ ଭାଷା ଓଡ଼ିଆରେ ଓଡ଼ିଶାର ସାମଗ୍ରିକ ପରିଚାଳନା ସୁନିଶ୍ଚିତ କରାଯିବା ଦାବିରେ ଭାଷା ଆନ୍ଦୋଳନର କଳା ପତାକା ଅଭିଯାନ ନିରବଚ୍ଛିନ୍ନ ଚାଲିଛି । ଏହି ଆନ୍ଦୋଳନ ହେତୁ ସମଗ୍ର ଓଡ଼ିଶାରେ ଫଲ୍ଗୁ ଧାରା ପରି ଚହଟି ଚାଲିଛି ଭାଷା ଅସ୍ମିତା, ଯାହା ଓଡ଼ିଶା ପ୍ରଦେଶ ସୃଷ୍ଟି ପରଠାରୁ ଏପର୍ଯ୍ୟନ୍ତ କେବେ ଏପରି ଘଟି ନଥିଲା । ଏହି ଅସାଧାରଣ ସ୍ଥିତିରେ ନିଜକୁ ଓଡ଼ିଆ ଭାଷାପ୍ରେମୀ ବୋଲି ପ୍ରଚାର କରାଇବା ପାଇଁ ରାଜକୋଷରୁ ବିପୁଳ ପାଣ୍ଠି ଉଡ଼ାଇ ମୁଖ୍ୟମନ୍ତ୍ରୀ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ କରିଥିଲେ, ଯାହା ୦୩.୦୨.୨୦୨୪ ତାରିଖରୁ ଆରମ୍ଭ ହୋଇ ୦୫.୦୨.୨୦୨୪ ପର୍ଯ୍ୟନ୍ତ ଚାଲିଥିଲା । ଅଥଚ ଦେଖାଗଲା, ଏହି ସମ୍ମିଳନୀ ଥିଲା ଓଡ଼ିଆ ଭାଷା ଉପରେ ପ୍ରଶାସନିକ ପ୍ରବଞ୍ଚନାର ଏକ ଗ୍ଲାନୀକର  ଖେଳ ।

ଏ ସମ୍ପର୍କରେ ସୁବିସ୍ତିର୍ଣ୍ଣ ଆଲୋଚନା ଶେଷରେ ନିମ୍ନ ପ୍ରସ୍ତାବଗୁଡ଼ିକ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା :

ପ୍ରସ୍ତାବ -୧

ଏହି ସମ୍ମିଳନୀ ଅନୁଭବ କରୁଛି କି ଓଡ଼ିଶା ରାଜ୍ୟ ସରକାର ଫେବୃଆରୀ ୦୩ ରୁ ୦୫ ପର୍ଯ୍ୟନ୍ତ ଯେଉଁ ପ୍ରଥମ ବିଶ୍ଵ ଓଡ଼ିଆଭାଷା ସମ୍ମିଳନୀ ଆୟୋଜନ କରି ରାଜକୋଷରୁ ବିପୁଳ ଅର୍ଥ ବ୍ୟୟ କରିଛନ୍ତି, ତାହା ଓଡ଼ିଶା କାର୍ଯ୍ୟ ନିୟମାବଳୀ (Rules of Business ଦ୍ଵାରା ସମର୍ଥିତ ନୁହେଁ । ଏତଦ୍ଦୃଷ୍ଟିରୁ ଏହି ମାତୃଭାଷାପ୍ରେମୀ ସମ୍ମିଳନୀ ଦାବି କରୁଛି କି, ତଥାକଥିତ ବିଶ୍ଵ ସମ୍ମିଳନୀରେ ଅନଧିକୃତ ଭାବେ ହୋଇଥିବା ବିପୁଳ ବ୍ୟୟର ସାମାଜିକ ଯାଞ୍ଚ (social audit ) କରାଯାଉ ଓ ଅନିୟମିତତା ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉ ।

ପ୍ରସ୍ତାବ -୨

ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀରେ ଓଡ଼ିଆ ଭାଷାର ମୌଳିକ ଅକ୍ଷର ସମ୍ଭାର ତଥା ଉଚ୍ଚାରଣ ବୈଶିଷ୍ଟ୍ୟ ବିପର୍ଯ୍ୟସ୍ତ କରି ଓଡ଼ିଆ ଜାତି ପ୍ରତି ତାତ୍ସଲ୍ୟ ପ୍ରଦର୍ଶନ କରିଥିବା ହେତୁ ଓ ତାହା ସମ୍ମିଳନୀ ପ୍ରବାହରେ ବାରମ୍ବାର ଘଟିଥିବା ହେତୁ ଏହି ମାତୃଭାଷାପ୍ରେମୀ ସମ୍ମିଳନୀ ତାହା ରାଜ୍ୟସରକାରଙ୍କ ସଂସ୍କୃତିକ ଅସଦାଚରଣ ବୋଲି ଅନୁଭବ କରି, ସରକାରଙ୍କୁ ଭର୍ତ୍ସନା କରୁଅଛି ଓ ଓଡ଼ିଆ ଭାଷାର ମୌଳିକତାର ଅବମାନନା କରିଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କଠିନ ଦଣ୍ଡବିଧି କାର୍ଯ୍ୟାନୁଷ୍ଠାନ ଦାବି କରୁଛି ।

ପ୍ରସ୍ତାବ -୩

ଏହି ମାତୃଭାଷାପ୍ରେମୀ ସମ୍ମିଳନୀ ଅନୁଭବ କରୁଛି କି, ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପାଇଁ ୨୦୧୬ ଏପ୍ରିଲରୁ ଚାଲିଥିବା ଭାଷା ଆନ୍ଦୋଳନ ଓଡ଼ିଶାରେ ସର୍ବତ୍ର ଭାଷା ଜାତୀୟତାର ଫଲ୍ଗୁ ପ୍ରବାହିତ କରିଥିବା ହେତୁ, ଓଡ଼ିଆ ଜାତିର  ରାଜନୈତିକ ନେତୃତ୍ଵ ନିଜର ଓଡ଼ିଆବିଦ୍ଵେଷ କାଳିମା ଉପରୁ ଜନ ରୋଷ ଅପସାରଣ ପାଇଁ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଆହୁତ କରିଥିଲେ, ଯାହା ଓଡ଼ିଆ ଭାଷାର ବ୍ୟବହାର୍ଯ୍ୟତା ସୁନିଶ୍ଚିତ କରିବାପାଇଁ  କୌଣସି ଭୂମିକା ନିର୍ବାହ କରିନାହିଁ । ଏପରି ହଟଚମଟ ପରିବର୍ତ୍ତେ ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ ଅଲଙ୍ଘ୍ୟ କରିବା ପାଇଁ  ରାଜ୍ୟସରକାର ୧୪.୦୩.୨୦୧୮ ତାରିଖର ମନ୍ତ୍ରୀମଣ୍ଡଳ ପ୍ରସ୍ତାବ ଅନୁଯାୟୀ ତୁରନ୍ତ ତହିଁର ସଂଶୋଧନ କରନ୍ତୁ ଓ ଅତ୍ୟନ୍ତ ଅନଧିକୃତ ଭାବେ ନିଷିଦ୍ଧ କରାଯାଇଥିବା “ଓଡ଼ିଆରେ ଶାସନ’ ଶୀର୍ଷକ ୱେବସାଇଟକୁ ସକ୍ରିୟ କରାଯାଇ ଓଡ଼ିଶାର ଜନ ସାଧାରଣ ନିଜ ରାଜ୍ୟଭାଷାରେ ରାଜ୍ୟ ପରିଚାଳନା ଅଲଙ୍ଘ୍ୟ କରିବାକୁ ଯେପରି ସକ୍ଷମ ହେବେ, ତାହା  ସୁନିଶ୍ଚିତ କରନ୍ତୁ । 

ପ୍ରସ୍ତାବ -୪ 

ଓଡ଼ିଆ ଭାଷାର ଆର୍ଯ୍ୟପୂର୍ବ ପ୍ରାଚୀନତା ଓ ମୌଳିକତା ଦୃଷ୍ଟେ ଏହି ଭାଷାକୁ ସର୍ବତ୍ର “ଆଦିମଭାଷା” ନାମରେ ପରିଚିତ ଓ ଉପସ୍ଥାପିତ କରିବା ପାଇଁ ଏହି ସମ୍ମିଳନୀ ରାଜ୍ୟ ତଥା ଭାରତ ସରକାରଙ୍କୁ ଏବଂ ଭାଷାତତ୍ତ୍ଵବିତ୍ ସମୁଦାୟଙ୍କୁ ତଥା ଶିକ୍ଷାୟତନମାନଙ୍କୁ ନିବେଦନ କରୁଛି ଓ ଓଡ଼ିଶାର ଆଦିମ ଜନଜାତିମାନଙ୍କ ମାତୃଭାଷାକୁ ରାଜ୍ୟର ଭାଷା ଭାବେ ସ୍ଵୀକୃତି ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି । 

ପ୍ରସ୍ତାବ -୫ 

ରାଜକୋଷରୁ ପ୍ରଚୁର ଅର୍ଥବ୍ୟୟ କରି ସରକାରୀ ସ୍ତରରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ କରାଯାଇଥିଲେ ମଧ୍ୟ ଓଡ଼ିଆ ଭାଷା ଉପରେ ଭାଷାତାତ୍ତ୍ଵିକ ଗବେଷଣା କରିଥିବା ଓ ଦିଗଦର୍ଶନ ଦେଇଥିବା ଓଡ଼ିଶାର ବିଶିଷ୍ଟ ଭାଷାବିଜ୍ଞାନୀମାନଙ୍କୁ ଏହି ଭାଷା ସମ୍ମିଳନୀରେ ସ୍ମରଣ ଓ ସମ୍ମାନ ପ୍ରଦର୍ଶନ କରାଯାଇନଥିବା ଘଟଣାରେ ଏହି ମାତୃଭାଷାପ୍ରେମୀ ସମ୍ମିଳନୀ ଘୋର ଉଦ୍ବେଗ ପ୍ରକାଶ କରୁଛି ଓ ଯେଉଁ ପଦଧିକାରୀଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ହେତୁ ଏହା ଘଟିଲା, ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କଠିନ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛି । 

ଭାଷା ଆନ୍ଦୋଳନକୁ ବ୍ୟାପକ ଓ ଶକ୍ତିଶାଳୀ କରିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଏକ କେନ୍ଦ୍ରୀୟ ସମିତି ଗଠନ କରାଯିବା ସଙ୍ଗେ ସଙ୍ଗେ କାର୍ଯ୍ୟ ନିର୍ବାହରେ ପରାମର୍ଶ ପାଇଁ ଏକ ଉପଦେଷ୍ଟା ମଣ୍ଡଳୀ ମଧ୍ୟ ପ୍ରସ୍ତାବିତ ହୋଇଛି । 

ସୁଖର କଥା, ଓଡ଼ିଶାର ଭାଷାପ୍ରେମୀ ଜନସାଧାରଣ ସରକାରୀ ଭାଷା ସମ୍ମିଳନୀ ଦ୍ଵାରା ପ୍ରତାରିତ ହୋଇନାହାନ୍ତି ଓ ସାମାଜିକ ଗଣମାଧ୍ୟମ ତଥା ମୁଦ୍ରିତ ଗଣମାଧ୍ୟମରେ ତହିଁର ତୀବ୍ର ସମାଲୋଚନା ଦୃଷ୍ଟିଗୋଚର ହେଉଛି । 

ସାଧାରଣ ଲୋକେ ବିଚାରୁଛନ୍ତି, ବିଶ୍ଵ ଭାଷା ସମ୍ମିଳନୀ ପରି ପ୍ରହେଳିକା ପ୍ରଦର୍ଶନ ପରିବର୍ତ୍ତେ ଓଡ଼ିଆ ଭାଷାରେ କିପରି ଓଡ଼ିଶାର ପରିଚାଳନା ଅଲଙ୍ଘ୍ୟ ହେବ, ତା ପାଇଁ ସରକାର ଭାଷା ଆଇନର ଅପସଂଶୋଧନ ପ୍ରତ୍ୟାହାର କରି, ତହିଁର ସାନି ସଂଶୋଧନ କରନ୍ତୁ , ଯହିଁରେ ଓଡ଼ିଆରେକାମ ନକଲେ , କଠିନ ଦଣ୍ଡବିଧାନ ସୁନିଶ୍ଚିତ ହେବ । 

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.