ପ୍ରସଙ୍ଗ : ମଦମୁକ୍ତି, ପତ୍ନୀ ଓ ପ୍ରଦ୍ୟୁମ୍ନ ଶତପଥୀ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଟଙ୍କା ପାଇଁ ଭାଷା ଆନ୍ଦୋଳନକୁ ଛୁରା ମାରିଥିବା ପ୍ରଦ୍ୟୁମ୍ନ ଶତପଥୀ ପ୍ରଚାର ଚଳାଇଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ସେ ଏକ ଖୋଲା ଚିଠି ଦେଇଛନ୍ତି ଯହିଁରେ ଅନ୍ୟ କେତେକ ପ୍ରସଙ୍ଗର ଅବତାରଣା କରିଥିବା ବେଳେ ଓଡ଼ିଶାକୁ ମଦମୁକ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି । ଏହା ମୋତେ ମନେ ପକାଇଦେଉଛି ୨୦୧୭ର ଏକ ସକାଳର କଥା । ତାରିଖ ଥିଲା ନଭେମ୍ବର ୨୫ ।

ସୌମ୍ୟ ପଟ୍ଟନାୟକଙ୍କ ଚାନ୍ଦା

ସେତେବେଳେ ସଂବାଦ ସମ୍ପାଦକ ବାବୁ ସୌମ୍ୟରଞ୍ଜନ ପଟ୍ଟନାୟକ ଭାଷା ଆଂଦୋଳନର ଜଣେ ଦୃଢ ସମର୍ଥକ ଥାନ୍ତି । କଳାପତାକାଧାରୀମାନଙ୍କ ଫଟୋଚିତ୍ର ତାଙ୍କ କାଗଜରେ ସବୁଦିନ ବାହାରୁଥାଏ ଓ ଆନ୍ଦୋଳନ ସପକ୍ଷରେ ମୁଁ ଯେଉଁ ତାତ୍ତ୍ଵିକ ଆଲୋଚନା ରଖେ ତହିଁରୁ ଅଧିକାଂଶ ମଧ୍ୟ ସେହି କାଗଜରେ ପ୍ରକାଶ ପାଉଥାଏ । ମୋ ଲେଖାଗୁଡ଼ିକ ମୁଁ ସବୁବେଳେ ସୌମ୍ୟବାବୁଙ୍କୁ ଦେଇଥାଏ । ସେଦିନ ସକାଳେ ପ୍ରାୟ ସାଢେ ଆଠଟା ବେଳେ ମୁଁ ତାଙ୍କ ଘରକୁ ଯାଇଥିଲି; ପବିତ୍ର ମହାରଥା ମୋ ଲେଖାଟିକୁ ହାତରେ ଧରିଥାନ୍ତି ତାଙ୍କୁ ଦେବା ପାଇଁ । ୧୯୯୦ ଦଶକରୁ ସେ ପର୍ଯ୍ୟନ୍ତ ତାଙ୍କ ସହ ମୋର ଦେଖା ସବୁବେଳେ ଥିଲା ମର୍ଯ୍ୟାଦାସମ୍ପନ୍ନ । ମାତ୍ର ପ୍ରଥମଥର ସେଦିନ ମୁଁ ଅପଦସ୍ତ ଅନୁଭବ କରିଥିଲି । ସବୁଥର ପରି ସେ ମୋତେ ସ୍ଵାଗତ କରିନଥିଲେ , ଗମ୍ଭୀର ହୋଇ ନିଜ ଆସନରେ ବସିଥିଲେ । ମୁଁ ପବିତ୍ରକୁ ଇସାରା ଦେଲି ଲେଖାଟି ନଦେବା ପାଇଁ । ତା ପରେ ସେ ବିନ୍ଧିଚାଲିଲେ ପବିତ୍ରକୁ ପ୍ରଶ୍ନବାଣ । ହ୍ଵାଟ୍ସଆପରୁ ଫଟୋ ଦେଖୁଥାନ୍ତି, ପବିତରକୁ ପଚାରୁଥାନ୍ତି – ଅମକ ଲୋକ କାହିଁକି ଆସିନଥିଲେ, ସମକଲୋକ କାହିଁକି ଆସିନଥିଲେ ଇତ୍ୟାଦି । ପବିତ୍ର ମୁଁହ ତଳକୁ କରି ଚୁପ୍ଚାପ ବସିଥାନ୍ତି । ଟଙ୍କା ନେବାବେଳକୁ ତ ନେଇଯିବ, କାମ କାହିଁକି ସେ ଅନୁସାରେ ହେବ ନାହିଁ ?- ବୋଲି ତୀକ୍ଷ୍ନ କଣ୍ଠରେ ପଚାରିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ତା ପରେ ପବିତ୍ର ପାଟି ଖୋଲିଲେ । “ଆପଣ ମୋତେ କାହିଁକି ପଚାରୁଛନ୍ତି? ପ୍ରଦ୍ୟୁମ୍ନ ଶତପଥୀ ଆପଣଙ୍କ ସହ କଣ କଥା ହୋଇଥିଲେ ତା ତ ମୁଁ ଜାଣିନି । ସେ ମୋତେ କହିଲେ, ସୌମ୍ୟବାବୁ ୩୫ ହଜାରେ ଟଙ୍କା ଦେବାକୁ କହିଛନ୍ତି , ତୁ ଯାଇ ନେଇ ଆ । ମୋତେ ଆପଣ ସେ ଟଙ୍କା ଦେଲେ, ମୁଁ ନେଇ ତାଙ୍କୁ ଦେଲି । କିଏ ଆସିଲେ ନ ଆସିଲେ ମୋତେ ପଚାରିଲେ ମୁଁ କଣ କହିବି?” ସୌମ୍ୟବାବୁ ପବିତ୍ରକୁ କହିଲେ – ତମ ଉପସ୍ଥିତିରେ ଆଲୋଚନା ହୋଇଥିଲା । ପବିତ୍ର କହିଲେ ମୁଁ ଉପସ୍ଥିତ ଥିଲି, କଣ କଥା ହୋଇଥିଲା ମୁଁ ଜାଣି ନାହିଁ । ଦୀକ୍ଷିତ ବାବୁଙ୍କ ସହ ମୁଁ କଥା ହେଉଥିଲି ଯେତେବେଳେ ଆପଣ ପ୍ରଦ୍ୟୁମ୍ନ ବାବୁଙ୍କ ସହ କଥା ହେଉଥିଲେ । ଅସ୍ଵସ୍ତି ସହିବାର ସୀମା ମୋର ଟପିଥିଲା । ମୁଁ ଉଠିଲି । ପବିତ୍ର ବି ମୋ ସହ ଉଠିଲେ ।

“କଥା କଣ?”- ଗାଡ଼ିରେ ବସି ମୁଁ ପଚାରିଲି ପବିତ୍ରକୁ । ସେ କହିଲେ – ନବବାବୁଙ୍କ ଜନ୍ମଦିନରେ ମଦମୁକ୍ତି ସମ୍ମିଳନୀ କରିବାକୁ ପ୍ରଦ୍ୟୁମ୍ନବାବୁ ସୌମ୍ୟବାବୁଙ୍କଠାରୁ ୩୫ ହଜାର ଟଙ୍କା ନେଇଥିଲେ ଓ କିଏ କିଏ ସେହି ସମ୍ମିଳନୀରେ ଯୋଗ ଦେବେ ତାକୁ ଆଖିଆଗରେ ରଖି ସୌମ୍ୟବାବୁ ସେ ଟଙ୍କା ଦେଇଥିଲେ । ସେମାନେ ନ ଆସିବାରୁ ସେ ବିଗୁଡୁଛନ୍ତି ।

ମୁଁ ସେହି ଗାଡ଼ିରୁ ପ୍ରଦ୍ଯୁମ୍ନ ଶତପଥୀଙ୍କୁ ଫୋନ କଲି ଓ ଯେହେତୁ ସେ ଭାଷା ଆନ୍ଦୋଳନରେ ଅଛନ୍ତି ଏପରି ଭାବେ କାହାଠୁ କଣ୍ଟ୍ରାକ୍ଟ ନେବା ବା ଚାନ୍ଦା ନେବା କେତେଦୂର ଉଚିତ ବୋଲି ପଚାରିଲି । “ଆପଣ କେଉଁଠି ଅଛନ୍ତି?” – ସେ ପଚାରିଲେ । ମୁଁ କାର୍ ଭିତରେ ଅଛି ବୋଲି କହିଲି । “ଘରେ କେତେବେଳେ ପହଞ୍ଚିବେ?” ବୋଲି ସେ ପଚାରିଲେ । “୫ ମିନିଟରେ” ବୋଲି ମୁଁ ଉତ୍ତର ଦେଲି ।

ମୁଁ ଘରେ ପହଞ୍ଚୁ ପହଞ୍ଚୁ ସେ ଆସି ପହଞ୍ଚିଲେ । ମୁଁ କିଛି କହିବା ପୂର୍ବରୁ କାନ ଧରି ବସ୍ ଉଠ୍ ହେଲେ ଓ ଆଉ ଦିନେ ହେଲେ ଏପରି ଭୁଲ କରିବେ ନାହିଁ ବୋଲି କହିଲେ । ଏବଂ କହିଥିଲେ, “ମୁଁ ଦି ଚାରି ଦିନରେ ସେ ପଇସା ତାଙ୍କୁ ଫେରାଇ ଦେବି।“

ଫେରେଇଛନ୍ତି କି ନାହିଁ ସେ କଥା ସୌମ୍ୟବାବୁ କହିବା ଉଚିତ ।

କିନ୍ତୁ ସେଦିନଠୁ ଆଜିଯାଏଁ ମଦ ବିରୁଦ୍ଧରେ ନୀରବ ଥିବା ପ୍ରଦ୍ୟୁମ୍ନ ଶତପଥୀ ହଠାତ୍ ମୁଖ୍ୟମନ୍ତ୍ରୀଙ୍କୁ ଏ ଖୋଲା ଚିଠି ଲେଖିଛନ୍ତି କାହିଁକି ? ଦୁଇଟି ସମ୍ଭାବ୍ୟ କାରଣ ମନକୁ ଆସୁଛି । ହୁଏତ ସୌମ୍ୟବାବୁ ବା ତାଙ୍କପରି କେହି ଏଥିପାଇଁ ତାଙ୍କୁ କିଛି ଚାନ୍ଦା ଦେଇଥାଇପାରନ୍ତି; ବା ହୁଏତ ସରକାରୀକଳରୁ କେହି ତାଙ୍କୁ ଏଥିପାଇଁ ଧରି ଥାଇ ପାରନ୍ତି । ୨ୟ କାରଣଟି ଅଧିକ ସମ୍ଭାବନା ବହନ କରୁଛି ।

ନିଶାମୁକ୍ତି ବିରୁଦ୍ଧରେ ଷଡଯନ୍ତ୍ର ?

ବସ୍ତୁତଃ, ବର୍ଷୀୟାନ ସ୍ଵାଧୀନତା ସଂଗ୍ରାମୀ ଓ ପ୍ରାକ୍ତନ ବିଧାୟକ ପଦ୍ମଚରଣ ନାୟକଙ୍କ ନେତୃତ୍ବରେ ବହୁବର୍ଷ ଧରି ଚାଲିଥିବା ମଦମୁକ୍ତି ଆନ୍ଦୋଳନ ସରକାରଙ୍କୁ ନାକେଦମ କଲାଣି । ମଦ ଓ ଅନ୍ୟ ନିଶାଦ୍ରବ୍ୟ କବଳରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ ଓଡ଼ିଶାରେ କାର୍ଯ୍ୟରତ ୧୧୧ଟି ସଂଗଠନ ଏକତ୍ର ହୋଇ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (MONA) ଗଠନ କରିଛନ୍ତି, ଯାହାର ମୁଖ୍ୟ ପଦ୍ମଚରଣବାବୁ । ଏହି ସଂଗଠନ ଭାରତ ସରକାରଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରିପାରିଛି ଏବଂ ଭାରତର ଦୁଇଟି ପ୍ରଦେଶରେ ମଦମୁକ୍ତି ପାଇଁ ସରକାରୀ ପଦକ୍ଷେପ ଯେ ନିଆଯାଇପାରିଛି ତା ମୂଳରେ MONA ଏକ ଆଦର୍ଶ ଆଧାର ଭାବେ ବିବେଚିତ ହେଉଛି । ତେଣୁ ଏହି ଆନ୍ଦୋଳନ ମଦପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ବଡ଼ ଅଡ଼ୁଆରେ ପକାଇଛି ଓଡ଼ିଶାରେ । ଏହି କାରଣରୁ ହୁଏତ ଏହାକୁ ଦୁର୍ବଳ କରିବା ପାଇଁ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ପୁଣି ଥରେ ପୋଷାମନେଇ ପ୍ରୟୋଗ କରୁଥାଇପାରନ୍ତି ମୁଖ୍ୟମନ୍ତ୍ରୀ । ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ଏହାଙ୍କୁ ପ୍ରୟୋଗ କରିପାରିଥିବା ହେତୁ, ମୁଖ୍ୟମନ୍ତ୍ରୀଙ୍କ ପକ୍ଷେ ଏହା ହୁଏତ ସହଜ ହୋଇଛି । ଏହି ମଉକାରେ ଶତପଥି ଠିକ୍ ସେହି ଚାଲ୍ ଖେଳିଛନ୍ତି ଯେଉଁ ଚାଲ୍ ୨୦୧୮ ମଇ ମାସରୁ ଜୁଲାଇ ଯାଏଁ ସେ ଖେଳିଥିଲେ । ସେତେବେଳେ ସେ ଯେପରି ସରକାରୀ କ୍ଵାଟର ଓ ସ୍ତ୍ରୀଙ୍କ ଚାକିରି କଥା ଉଠାଇଥିଲେ, ମଦମୁକ୍ତି ଆନ୍ଦୋଳନ କଥା କହି ଠିକ୍ ସେହିପରି ସରକାରୀ କ୍ଵାଟର ଓ ସ୍ତ୍ରୀଙ୍କ ୧୦ ବର୍ଷର ଦରମା ପ୍ରସଙ୍ଗ ଉଠାଇଛନ୍ତି ।

ନିମକହାରାମ ଜାଗିରି

“ଟଙ୍କା ପାଇଁ ଭାଷା ଆନ୍ଦୋଳନକୁ ଛୁରୀ ମାରିଛନ୍ତି ପ୍ରଦ୍ୟୁମ୍ନ ଶତପଥୀ: ମୁଖ୍ୟମନ୍ତ୍ରୀ ସଫେଇ ରଖନ୍ତୁ” ଶୀର୍ଷକରେ ଏହି ପୃଷ୍ଠାମାନଙ୍କରେ ମୁଁ ୩୩ଟି ପ୍ରାମାଣିକ ତଥ୍ୟସମ୍ପନ୍ନ ନିବନ୍ଧ ପ୍ରକାଶ କରିଛି ଯାହା ମୁଖ୍ୟମନ୍ତ୍ରୀଙ୍କ ଜାଣିବା ପାଇଁ ଇଂରାଜୀ ଭାଷାରେ ORISSA MATTERS ପୃଷ୍ଠାରେ ବି କେତେକ ନିବନ୍ଧରେ ରହିଛି । ମୁଖ୍ୟମନ୍ତ୍ରୀ ନିଜେ ସେହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ସନ୍ଦେହ ଅଲଙ୍ଘ୍ୟଥିବା ହେତୁ ମୁଁ ରାଜ୍ୟପାଳଙ୍କ ହସ୍ତକ୍ଷେପ  ଦାବି କରିଥିଲି । ମୁଖ୍ୟମନ୍ତ୍ରୀଙ୍କ ସୁପାରି ପରି ତାଙ୍କ ସ୍ତ୍ରୀ ୧୦ ବର୍ଷର ସୌଖୀନ ଅନୁପସ୍ଥିତି ସତ୍ତ୍ୱେ ଚାକିରିରେ ପୁନଃସଂସ୍ଥିତ ହୋଇଥିବାବେଳେ ଏବଂ ଏହି ବେଆଇନ କାମରେ ସାହାଯ୍ୟକରିଥିବା ସବୁ ଅଫିସର ପଦୋନ୍ନତି ପାଇଥିବା ବେଳେ, ରାଜ୍ୟପାଳଙ୍କ ହସ୍ତକ୍ଷେପ ହେତୁ ସେହି ୧୦ ବର୍ଷ ପାଇଁ ତାଙ୍କ ସ୍ତ୍ରୀଙ୍କ ବେତନ ପ୍ରଦାନ ବନ୍ଦ ହୋଇଯାଇଛି । ମାତ୍ର ଆଇନତଃ ତାଙ୍କ ସ୍ତ୍ରୀ ଫେରିପାଇଥିବା ଚାକିରି ବାତିଲ ହେବାକୁ ବାଧ୍ୟ । ମୁଖ୍ୟମନ୍ତ୍ରୀ ତାହା କରିନାହାନ୍ତି ଏଯାଏଁ । ଓଡ଼ିଆ ଭାଷାସ୍ଵାର୍ଥକୁ ଛୁରୀ ମାରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ନିମକହାରାମ ଜାଗିରି ସ୍ୱରୂପ ପ୍ରତିମାସରେ ପ୍ରାୟ ଲକ୍ଷେ ଟଙ୍କା  “ସାରା ବିଶ୍ଵରେ ବିଶ୍ଵାଏ ଭୂମିର ମଳିକାନଗିରି” ନଥିବା ପ୍ରଦ୍ୟୁମ୍ନ ଶତପଥୀ  ରୋଜଗାର କରୁଛନ୍ତି ସ୍ତ୍ରୀଙ୍କ ବେଆଇନ ନିଯୁକ୍ତି ମାଧ୍ୟମରେ ।

ଧୂର୍ତ୍ତ ଅଭିସନ୍ଧି

ତେଣୁ, ପଦ୍ମଚରଣ ନାୟକଙ୍କ ନେତୃତ୍ଵାଧୀନ ନିଶାମୁକ୍ତି ଅଭିଯାନକୁ ଦୁର୍ବଳ କରିବା ପାଇଁ ମଦପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ସହାୟତା ଦେବା ସକାଶେ ହୁଏତ ସିଏମଓ ବା ସୌମ୍ୟବାବୁଙ୍କ ଦ୍ଵାରା ଆହୁତ ହେବା ପରେ ସେ ସେହି ପୁରୁଣା ଚାଲ୍ ଚଳାଇ ତାଙ୍କ ସ୍ତ୍ରୀଙ୍କ ନିଷିଦ୍ଧ କରାହୋଇଥିବା ୧୦ ବର୍ଷର ପିଛିଲା ବେତନ ପ୍ରାୟ ଦେଢକୋଟି ଟଙ୍କା ପ୍ରଦାନ କରାଯିବା ଦୁହା ତୋଳିଛନ୍ତି ଓ ସରକାରୀ ଘର ହାତେଇବା ପାଇଁ ଅଧାରେ ରହିଯାଇଥିବା ମିଶନକୁ ଅଙ୍କୁରିତ କରିଛନ୍ତି ।

ଭାଷା ଆନ୍ଦୋଳନକୁ ନେଇ କ୍ଵାଟର ସଉଦା

ସରକାରୀ ଘର (କ୍ଵାଟର) ପାଇବା ପାଇଁ ସେ ଭାଷା ଆନ୍ଦୋଳନକୁ ଛୁରୀ ମାରିବାକୁ କିପରି ପ୍ରସ୍ତୁତ ଥିଲେ ତାହା ତାଙ୍କ ଅନୁଗତ ବନିଥିବା ପବିତ୍ର ମହାରଥା ଓ କମ୍ମ୍ୟୁନିଷ୍ଟ ପାର୍ଟି ଛାଡ଼ି ନବୀନ ପଟ୍ଟନାୟକଙ୍କ ପାଖଲୋକ ବନିଥିବା ସୁବାସ ସିଂ ଓଡ଼ିଆ ଜାତିର ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ପ୍ରକାଶ କରିଦେବା ଊଚିତ । ଘଟଣାଟି ଥିଲା ଏହିପରି :

ପିଏମଜି ଛକରେ ଥିବା ଏକ ଚା ଦୋକାନରେ ନିତିଦିନ ସକାଳେ ଖଟି କରୁଥିବା ପ୍ରଦ୍ୟୁମ୍ନ ଶତପଥୀ ସୁବାସ ସିଂଙ୍କ ସହ ଗଭୀର ଆଲୋଚନାରେ ଲିପ୍ତ ଥାଇ ଜାଣିପାରୁନଥିଲେ ଯେ, ସେହି ଖଟିରେ ପ୍ରତିଦିନ ହାଜରା ପକାଉଥିବା ପବିତ୍ର ମହାରଥା ତାଙ୍କ ପଛପଟେ ଠିଆ ହୋଇ ସବୁକଥା ଶୁଣୁଥିଲେ । ଶେଷ କଥୋପକଥନ ଥିଲା ଦିଆନିଆର କଥା ।

ସିଂ କହିଲେ, “ଆପଣ ଭାଷା ଆନ୍ଦୋଳନକୁ ଯେମିତି ହେଲେ ଭାଙ୍ଗନ୍ତୁ, ଆପଣଙ୍କୁ କ୍ଵାଟର ମିଳିବା ଦାୟିତ୍ଵ ମୋର ।“ ଶତପଥୀ କହିଲେ, “ତାହା ମୋର ବାମ ହାତର ଖେଳ । ମୁଁ ଲୋକ ଯୋଗଉଛି ବୋଲି ଆନ୍ଦୋଳନ ଚାଲିଛି । ମୁଁ ଯଦି ଲୋକ ନ ଯୋଗାଏ ସୁଭାଷ ପଟ୍ଟନାୟକ କଣ କରିବେ?”

କଥୋପକଥନ ପରେ ଯେତେବେଳେ ସିଂ ଉଠିଲେ, ସେତେବେଳେ ସେଠାରେ ପବିତ୍ରଙ୍କୁ ଦେଖି ଉଭୟେ ଚମକି ପଡ଼ିଥିଲେ । ପବିତ୍ର ସେହି ସଙ୍ଗେ ସଙ୍ଗେ ଆସିଥିବା କହି କିଛି ନଶୁଣିଥିବାର ଧାରଣ ତିଆରି କରାଇଥିଲେ , କିନ୍ତୁ ତାହାକୁ ହଜମ କରିବାକୁ ସକ୍ଷମ ନ ହୋଇ ସେ କଥାଟି କହିଦେଇଥିଲେ ବିଶିଷ୍ଟ ସାମ୍ବାଦିକ ଓ ସଂସ୍କୃତି ଆଲୋଚକ ଡଃ ଅସିତ ମହାନ୍ତିଙ୍କୁ ପ୍ରାୟତଃ ତୁରନ୍ତ “ଆମ ଓଡ଼ିଶା” ଅଫିସରେ । ଡଃ ମହାନ୍ତି ତାଙ୍କୁ ପଚାରିଥିଲେ, “ସୁଭାଷବାବୁଙ୍କୁ ଏହା କହିଛ?” “ସେ ଘରେ ନାହାନ୍ତି, ବାହାରକୁ ଯାଇଛନ୍ତି” ବୋଲି କହିଥିଲେ ପବିତ୍ର । ବସ୍ତୁତଃ ସେଦିନ ମୁଁ ସକାଳୁ ସକାଳୁ ଢେଙ୍କାନାଳ ଯାଇଥିଲି । ଫେରିଲା ପରେ ଅସିତବାବୁ ମୋତେ ଏହା କହିଥିଲେ ଓ ସନ୍ଧ୍ୟାବେଳେ କଳାପତାକା ଆରମ୍ଭ ପୂର୍ବରୁ ପବିତ୍ର ବି କହିଥିଲେ ।

ଭାଷା ଆନ୍ଦୋଳନ ବିରୁଦ୍ଧରେ ଥୋପଗିଳା

ପ୍ରଦ୍ୟୁମ୍ନ ଶତପଥୀ ନିଜ ସ୍ଵାର୍ଥ ପାଇଁ ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବାକୁ ସମ୍ମତ ବୋଲି ସୁବାସ ସିଂଙ୍କଠାରୁ ଅବଗତ ହେଲା ପରେ ତାଙ୍କୁ ପୋଷାମନେଇବାକୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବ୍ୟଗ୍ର ହୋଇଉଠିଥିଲା । ଯୋଗକୁ ତାଙ୍କ ସ୍ତ୍ରୀଙ୍କ ବିରୁଦ୍ଧରେ ଶିକ୍ଷା ବିଭାଗ ଦେଇଥିବା ଶେଷ ଆଦେଶର ପୁନର୍ବିଚାର ପାଇଁ ଶ୍ରୀମତୀ ଶତପଥୀ (ମାନସୀ ଷଡଙ୍ଗୀ) ଦେଇଥିବା ଦରଖାସ୍ତ ଶିକ୍ଷା ସଚିବ ଜି॰ ଭି॰ ଭି॰ ଶର୍ମାଙ୍କ ପରି ଓଡ଼ିଆବିଦ୍ଵେଷୀ ଅଫିସରଙ୍କ ହାତରେ ଥିଳା । ଭାଷା ଆନ୍ଦୋଳନକୁ ଭାଙ୍ଗିଦେଲେ ସେ ତାଙ୍କ ସ୍ତ୍ରୀଙ୍କୁ ସାହାଯ୍ୟ କରିବେ ବୋଲି ପଦ୍ୟୁମ୍ନ ଶତପଥୀଙ୍କୁ ଥୋପ ଗିଲାଇଲେ ଓ ତା ପରେ ଯାହା ହେଲା, ସେ ସମସ୍ତ ମୁଁ ଉପର ସୂଚିତ ନିବନ୍ଧମାନଙ୍କରେ ସପ୍ରମାଣ ଉଲ୍ଲେଖ କରିଛି ।

ହାଇକୋର୍ଟ ନାମରେ ବି ମିଛ 

ମୁଁ ଉଠାଇଥିବା ପ୍ରମାଣସିଦ୍ଧ ଅଭିଯୋଗ ଉପରେ ଅନେକ ମାସ ଆଲେଜିଆ ହୋଇ ପଡ଼ିରହି ପ୍ରଦ୍ୟୁମ୍ନ ଶତପଥୀ ଲୋକଙ୍କୁ ଜଣାଇବାକୁ ଚେଷ୍ଟା କରିଛନ୍ତି ଯେ, ହାଇକୋର୍ଟଙ୍କ ଆଦେଶ ବଳରେ ତାଙ୍କ ସ୍ତ୍ରୀ ଚାକିରି ଫେରି ପାଇଛନ୍ତି ଓ ସମସ୍ତ ପିଛିଲା ଦରମା ସହ ତାଙ୍କ ସ୍ତ୍ରୀଙ୍କୁ (ମାନସୀ ଷଡଙ୍ଗୀଙ୍କୁ) ପୁନଃସଂସ୍ଥିତ କରିବାକୁ ହାଇକୋର୍ଟ ରାୟ ଦେଇଥିଲେ ମଧ୍ୟ ସରକାର ତାଙ୍କ ପିଛିଲା ଦରମା ଦେଇନାହାନ୍ତି । ମିଛ କଥା । ହାଇକୋର୍ଟ ସେପରି କୌଣସି ରାୟ ଦେଇନାହାନ୍ତି । ତାର ସବିଶେଷ ବିବରଣୀ ମୁଁ ସୂଚିତ କରିଥିବା ନିବନ୍ଧମାଳାରେ ପ୍ରକାଶିତ ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ନୀରବତା ହିଁ ତାଙ୍କ ଦୋଷ ବଖାଣେ

ଭାଷା ଆନ୍ଦୋଳନ ବିରୁଦ୍ଧରେ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ସୁପାରି ସ୍ୱରୂପ ତାଙ୍କ ସ୍ତ୍ରୀ ପୁନଃସଂସ୍ଥିତା ହୋଇଥିବା ଚାକିରି ଅବିଳମ୍ବେ ରଦ୍ଦ କରିବାକୁ ମୁଁ ତୋଳିଥିବା ଦାବି ଉପରେ ମୁଖ୍ୟମନ୍ତ୍ରୀ କାହିଁକି ଶୋଇରହିଛନ୍ତି ତାହା ତାଙ୍କ ଦପ୍ତର ସର୍ବ ସମ୍ମୁଖରେ ରଖୁ । ତାଙ୍କ ନୀରବତା ହିଁ ତାଙ୍କ ଦୋଷ ବଖାଣୁଛି ।

ମୁଖ୍ୟମନ୍ତ୍ରୀଙ୍କ ପାଖଲୋକମାନେ ତାଙ୍କୁ କହନ୍ତୁ ଯେ, ପ୍ରଦ୍ୟୁମ୍ନ ଶତପଥୀଙ୍କ ପତ୍ନୀଙ୍କୁ ନିଷିଦ୍ଧ କରାହୋଇଥିବା ପିଛିଲା ବେତନ ତ ଦୂରର କଥା, ତାଙ୍କୁ ଦିଆହୋଇଥିବା ଅବୈଧ ନିଯୁକ୍ତିକୁ ଯଦି ସେ ରଦ୍ଦ ନକରନ୍ତି ତେବେ ତାହା କରିବାକୁ ମୁଁ ତାଙ୍କୁ ବାଧ୍ୟ କରିବି । କାରଣ, ଆମ ଭାଷାକୁ ଛୁରୀ ମାରିଥିବା ମାୟାବୀର ସ୍ଵାର୍ଥସିଦ୍ଧି କାରସାଦିକୁ ବରଦାସ୍ତ କରିବା ଭାଷା ଆନ୍ଦୋଳନ ପ୍ରତି ଅନ୍ୟାୟ ହେବ ।