Posts tagged Pradyumna Satapathy

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୋର ଦୁଇ ଘନିଷ୍ଠ ଅଥଚ ଅର୍ଥଲୋଲୁପ ସହକର୍ମୀ ପ୍ରଦ୍ୟୁମ୍ନ  ଶତପଥୀ ଓ ପବିତ୍ର ମହାରଥାଙ୍କୁ ବ୍ୟବହାର କରି ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ ଅବ୍ୟାହତ ରଖିଥିଲେ । ସେ କଥା ତ ଏହି ନଭମଞ୍ଚରେ ମୁଁ ସପ୍ରମାଣ ଆଲୋଚନା କରିଛି ଓ ଜନସାଧାରଣ ସବୁ କଥା ଜାଣିବା ପର୍ଯ୍ୟନ୍ତ ଅଧିକରୁ ଅଧିକ ତଥ୍ୟ ସହ ମୁଁ ଆଗକୁ ବି ଆଲୋଚନା କରିବି । ଏହି କ୍ରମରେ ସଂଯୁକ୍ତ ଶାବ୍ଦିକ ଭିଡ଼ିଓଟି ପ୍ରଣିଧାନଯୋଗ୍ୟ ।

ମୁଖ୍ୟମନ୍ତ୍ରୀଙ୍କ ପ୍ରିତ୍ୟର୍ଥେ ବୈଷ୍ଣବ ଚରଣ ପରିଡ଼ାଙ୍କ ଉପରେ ଏହି ଦୁଷ୍ଟ ଗୋଷ୍ଠୀ ଯେଉଁଭଳି ଗାଳିବର୍ଷଣ କରିଥିଲେ ତାହା ଏଥିପୂର୍ବରୁ ମୁଁ ଦର୍ଶାଇଛି । ଠିକ୍ ସେହିପରି ସାଙ୍ଗରେ ପବିତ୍ର ଓ ଗୋଟେ ଅଜ୍ଞାତକୁଳଶୀଳ ଗ୍ୟାଙ୍ଗକୁ ଧରି ଏହି ଏକା ପ୍ରଦ୍ୟୁମ୍ନ ଶତପଥୀ ଗତ ୫.୯.୨୦୧୮ ସନ୍ଧ୍ୟାରେ ମୋ ବିରୁଦ୍ଧରେ ଏକ ଭିଡ଼ିଓ ଜାରିକରିଥିଲେ ଭୂବନେଶ୍ଵରର କୌଣସି ଏକ ରାସ୍ତା କଡ଼ରେ । NNS-Odia ନାମକ ଏକ ଚ୍ୟାନେଲ ତାହାକୁ ସିଧା ପ୍ରସାରଣ କରିଥିଲା, ଯାହା ଥିଲା ତହିଁ ପୂର୍ବଦିନ ମୋ ବୟାନର ପ୍ରସାରଣକର୍ତ୍ତା । ଭାଷା ଆଇନ ସଂଶୋଧନ କ୍ଷେତ୍ରରେ ଓଡ଼ିଆ ଜାତିକୁ ପ୍ରତାରିତ କରିଥିବା ହେତୁ ଓ ବିଧାନସଭାକୁ ଦ୍ଵିତୀୟ ଥର ମିଛ କହି ୧.୫.୨୦୧୮ ତାରିଖରେ ଏକ ହାନିକାରକ ଧାରା ଖଞ୍ଜି ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡ ପାଇଁ ଷଡ଼ଯନ୍ତ୍ର କରିଥିବା ହେତୁ ବିଧାନସଭା ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ସ୍ଵାଧିକାର ଭଙ୍ଗ ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ମୁଁ ସେହି ସାମ୍ବାଦିକ ସମ୍ମିଳନୀରେ କହିଥିଲି । ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବିଦ୍ୟୁତ୍ ବେଗରେ ଚାପ ପକାଇ ମୋ ବୟାନକୁ ସେଦିନ ଚାପି ଦେଇଥିଲେ ମଧ୍ୟ ୟୁଟ୍ୟୁବ୍ ସହ ଜଡ଼ିତ ଏହି ଚ୍ୟାନେଲଟି ଯେହେତୁ ସିଧା ପ୍ରସାରଣ କରିଥିଲା ତାହା ଉପରେ କଳାଢାଙ୍କୁଣୀ (blackout) କାଇଦା କାମ କରିନଥିଲା । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଚାହିଁଲା କି, ମୁଖ୍ୟମନ୍ତ୍ରୀଙ୍କ ସୁପାରିଖିଆ ପ୍ରଦ୍ୟୁମ୍ନ ଶତପଥୀ ଯେପରି ବୈଷ୍ଣବ ପରିଡ଼ାଙ୍କୁ  ଗାଳି ଦେଇଥିଲେ ସେହିପରି ସେହି ଏକା ଚାନେଲରେ ମୋତେ ବି ଗାଳିଦିଅନ୍ତୁ ଯାହା ସିଧା ପ୍ରସାରଣ ହେବ ଏବଂ ପ୍ରଚାରିତ ହେବ ମୁଁ ଉଠାଇଥିବା ଅଭିଯୋଗର ଜବାବ ଭାବେ ।

କିଛିଦିନ ପରେ କଥାଟି ମୋ କାନରେ ବାଜିଲା । ମୁଁ ଭିଡ଼ିଓଟିକୁ ଦେଖିଲି । ଅତ୍ୟନ୍ତ ଅରୁଚିକର ଅଶ୍ଳୀଳ ଶବ୍ଦର ଗର୍ଜନ । ଉତ୍ତମ ପିତାମାତାଙ୍କଠାରୁ ଜନ୍ମ ହୋଇଥିବା ବ୍ୟକ୍ତି ପକ୍ଷେ ଏପରି ଅଶ୍ଳୀଳ ଗର୍ଜନ କେବେ ବି ସମ୍ଭବ ନୁହେଁ । ଦୁଃଖ ଲାଗିଲା ଯେ, ଏହିପରି ଲୋକକୁ ମୁଁ ମୋର ସହକର୍ମୀଭାବେ ନେଇ ମୁଁ ପ୍ରତିଷ୍ଠା କରିଥିବା ଆଂଦୋଳନର ସଞ୍ଚାଳକ ଓ ପରେ ସଭାପତି କରାଇଥିଲି । ମୁଁ ନିଷ୍ପତ୍ତି କଲି ଯେ, ଏହାକୁ ଆଇନ ହାତରେ  ଟେକିଦେବା ଉଚିତ ହେବ । ମାତ୍ର ଏ ଲୋକ ଏତେ ଧୂର୍ତ୍ତ ଯେ, ସମଗ୍ର ଭିଡ଼ିଓରେ କେଉଁଠି ବି ମୋ ନାମ ନିଆ ହୋଇନଥିଲା । ଚ୍ୟାନେଲଟି ଯଦି ଏହାର ଶୀର୍ଷକରେ ଲେଖିନଥାନ୍ତେ, “ଭାଷା ଆଂଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଣିଥିବା ଅଭିଯୋଗର ଜବାବ ରଖିଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ”, ତେବେ ଏହି ଅଶ୍ଳୀଳ ଶବ୍ଦବାଣ ଯେ ସେ ମୋ ଉପରେ ପ୍ରହାର କରିଛନ୍ତି, ତାହା ମୁଁ ବିଶ୍ଵାସ କରିନଥାନ୍ତି । ଏପରି ଅଶ୍ଳୀଳତା ପାଇଁ ଦଣ୍ଡବିଧାନ ଆବଶ୍ୟକ । ମାତ୍ର ଯେହେତୁ ସେ ମୋ ନାମ ନେଇନଥିଲେ, ଚ୍ୟାନେଲଟି ମୋ ନାମ ଉଲ୍ଲେଖ କରିଥିଲେ ମଧ୍ୟ ତାହା ଶୁଣାକଥା (hearsay) ଭାବେ ମନେହେବ । ତେଣୁ, ପ୍ରକୃତ କଥା ଜାଣିବା ପାଇଁ ମୁଁ ପ୍ରଦ୍ୟୁମ୍ନ ବାବୁଙ୍କୁ ଇ-ମେଲ କଲି । ସମ୍ପୃକ୍ତ ଚ୍ୟାନେଲକୁ ବି ପଚାରିଲି, ଭିଡ଼ିଓଟିରେ ମୋ ନାମ ନଥିବା ବେଳେ ତହିଁର ପ୍ରସାରକ ମୋ ନାମ କାହିଁକି ଲେଖିଛନ୍ତି ? ସେ କହିଲେ, ଯେହେତୁ ମୋ ବୟାନ ୪.୯.୨୦୧୮ରେ ଚ୍ୟାନେଲଟି ସିଧା ପ୍ରସାରଣ କରିଥିଲେ, ସେହେତୁ ସେ ତାର ହବାବ ଦେବା ପାଇଁ ଚ୍ୟାନେଲଟିକୁ ସେହିପରି ବ୍ୟବହାର କରିବାକୁ ଚାହାନ୍ତି ବୋଲି କହିଥିବାରୁ ଶୀର୍ଷକତି ତଦ୍ଦୃପ ହୋଇଥିଲା । ବିପଦ ଆସନ୍ନ ଜାଣି ସେହି ଅପମାନଜନକ ଭିଡ଼ିଓକୁ ଲୁଚାଇଦିଆଗଲା  ପରେ, ପ୍ରଦ୍ୟୁମ୍ନ ଶତପଥୀ ମୋ ଇ-ମେଲର ଉତ୍ତର ଦେଇ ଲେଖିଥିଲେ, “କାହିଁ କେଉଁ ଭିଡ଼ିଓ?”

ଚ୍ୟାନେଲଟିର ସଞ୍ଚାଳକ ଶ୍ରୀରାମ ଦାସଙ୍କୁ ମୁଁ ଫୋନ୍ କରିଥିଲି ପ୍ରଦ୍ୟୁମ୍ନ ଶତପଥୀଙ୍କ  ଅପରାଧର ପିଣ୍ଡ (corpus dilicti)କୁ  ନଲୁଚାଇ ପୁନଃ ପ୍ରକାଶ କରିବାକୁ । ସେ ସେଥିପାଇଁ ରାଜି ହୋଇଥିଲେ ଓ ତହିଁର ଏକ ନକଲ ମୋ ପାଖକୁ ପଠାଇବାକୁ ବି ପ୍ରତିଶ୍ରୁତି ଦେଇଥିଲେ । ଆଜି ଯାଏଁ ସେ ତାହା ପଠାଇ ନାହାନ୍ତି । ତାଙ୍କ ସହ ମୋ ଫୋନ୍ ଆଳପକୁ ମୁଁ ଏଥିସହ ପ୍ରକାଶ କରୁଛି । ଆଂଦୋଳନର ସ୍ମରଣିକା ଅର୍ଜିତ ପାଣ୍ଠି ତୋଷରପାତ କରିଥିବା ପବିତ୍ର ମହାରଥା ସହ ଶ୍ରୀରାମ ବାବୁଙ୍କ ଆଲୋଚନାର ସାରାଂଶ ମଧ୍ୟ ତାଙ୍କ କଣ୍ଠରେ ଏହି ଶବ୍ଦ-ଭିଡ଼ିଓରେ ଅଛି । ଭାଷା ଆଂଦୋଳନର ନିର୍ଭୁଲ ଆକଳନ ପାଇଁ ଏହାର ଗୁରୁତ୍ଵ ଅନସ୍ଵୀକାର୍ଯ୍ୟ ।

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଜଣେ ଅପରାଧୀ ଅପରାଧ କରିବାରେ ସଫଳ ହୁଏ , ମାତ୍ର ସେହି ସଫଳତା ତା ମନରେ ଯେଉଁ ଭୟ ଭରିଦିଏ, ତହିଁରୁ ମୁକୁଳିବା ତା ପକ୍ଷେ ସମ୍ଭବ ହୁଏନାହିଁ ।

ପ୍ରଦ୍ୟୁମ୍ନ ଶତପଥିଙ୍କର ଏହା ହିଁ ହୋଇଛି ।

ବହୁ ଦିନ ଧରି ସେ ମୋର ଚାଟୁକାର ଥିଲେ । ମୁଁ ପ୍ରତିଷ୍ଠା କରିଥିବା ଭାଷା ଆଂଦୋଳନର ଜଣେ “ସଞ୍ଚାଳକ” ଭାବେ ସେ ନିଜର ପରିଚୟ ଦେଉଥିଲେ ।

ସେହେତୁ ବହୁ ବନ୍ଧୁ ଆଶ୍ଚର୍ଯ୍ୟ ହୋଇଗଲେ, ଯେତେବେଳେ ଦେଖାଗଲା ଯେ, ମୋ ଉପରେ ସେ ଅତି କୁତ୍ସିତ ଶବ୍ଦରେ ଗାଳିବର୍ଷଣ କରିଛନ୍ତି ଏକ ଭିଡ଼ିଓରେ । ସେମାନଙ୍କଠାରୁ ଅବଗତ ହୋଇ ମୁଁ ଭିଡ଼ିଓଟିକୁ  ଦେଖିଲି । ସେହି ଭିଡ଼ିଓର ପ୍ରସାରଣକାରୀ NNS ଯଦି ତାର thumbnailରେ ଲେଖିନଥାନ୍ତେ କି, ମୋ ଅଭିଯୋଗର ଜବାବ ସେ ତହିଁରେ ଦେଇଛନ୍ତି, ତେବେ ତାଙ୍କ ଚାଟୁକାରୀତାର ସାକ୍ଷୀ ଥିବା ମୋ ବନ୍ଧୁମାନେ ବିଶ୍ଵାସ କରିପାରିନଥାନ୍ତେ ଯେ,  ତାଙ୍କ ଗନ୍ଧରା ବାନ୍ତି ମୋ ପ୍ରତି ନିକ୍ଷିପ୍ତ । କାରଣ, ତହିଁରେ ସେ  ମୋ ନାମ ଧରିବାକୁ ସାହସ କରିନାହାନ୍ତି ।

କାହିଁକି ସାହସ କରିନାହାନ୍ତି?

ଭୟ ।

କାହିଁକି ଭୟ?

କାରଣ ସେ ଅପରାଧୀ ।

କି ଅପରାଧ ସେ କରିଛନ୍ତି?

ଅର୍ଥଲୋଭରେ ଭାଷା ଆନ୍ଦୋଳନକୁ ଛୁରି ମାରିଛନ୍ତି ।

ଏହି ଅପରାଧର ମୁଖଶାଳାରେ ମୁଁ ସାମାନ୍ୟ ପଦାଘାତ କରିଥିଲି ୪.୯.୨୦୧୮ ତାରିଖ ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ । NNS ତାହାର ସିଧା ପ୍ରସାରଣ କରିଥିଲା ୟୁ ଟ୍ୟୁବ୍ ମାଧ୍ୟମରେ । ତହିଁରେ ପ୍ରଦ୍ୟୁମ୍ନ ଓ ତାଙ୍କ ଗ୍ୟାଙ୍ଗ ସାଙ୍ଗକୁ ମୁଖ୍ୟମନ୍ତ୍ରୀ ବି ଚମକି ଥିଲେ; କାରଣ, ମୁଁ ବିଧାନସଭାକୁ ଆହ୍ଵାନ ଦେଇଥିଲି କି, ୧.୫.୨୦୧୮ରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାରୀ ଭାଷା ଆଇନରେ ଓଡ଼ିଆଜାତିର ସ୍ଵାର୍ଥ ବିରୋଧୀ ଯେଉଁ ସଂଶୋଧନ କରିଛନ୍ତି , ତାହା ବିଧାନସଭାକୁ ମିଛ କହି ଓ ପ୍ରତାରିତ କରି କରାହୋଇଥିବା ହେତୁ ତାଙ୍କ ବିରୁଦ୍ଧରେ ତୁରନ୍ତ ଗୃହ ଅବମାନନା ଓ ସ୍ଵାଧିକାର ଭଙ୍ଗ ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେଉ । ଏହି ଅଭିଯୋଗକୁ ଖଣ୍ଡନ କରିବା ପାଇଁ NNSର ଶରଣାପନ୍ନ ହୋଇଥିଲେ ସରକାରଙ୍କ ନୂଆ ଦଲାଲ ପ୍ରଦ୍ୟୁମ୍ନ ଶତପଥୀ ।

ମୁଁ ତାଙ୍କୁ ଏକ ଇ-ମେଲ ପଠାଇଲି । ନିମ୍ନରେ ତାହାର ନକଲ:

Subhas Chandra Pattanayak 

Sep 14, 2018, 1:08 PM
to Pradyumna

Dear Sri  Pradyumna Satpathy

I am giving below the link to a highly offensive video that  carries your vitriol allegedly upon me, as the reporter, who took the record, published  and circulated in public has mentioned. This is it:

https://www.facebook.com/nnsodia/videos/259228898264197/

I would like to know if the same is true.

ସେ ଏତେ ଭୟ କରିଗଲେ ଯେ, NNS ଦାୟିତ୍ଵ ତୁଲାଉଥିବା ଶ୍ରୀରାମ ଦାସଙ୍କ ଗୋଡ଼ ତଳେ ପଡ଼ିଲେ ଭିଡ଼ିଓଟିକୁ ନିଶ୍ଚିହ୍ନ କରିଦେବାକୁ । ତାହା ସମ୍ପନ୍ନ ହେଲା ପରେ, ମୋ ଇ-ମେଲର ଉତ୍ତର ଦେଇ ସେ ଲେଖିଲେ :

Pradyumna Satpathy 

Sep 15, 2018, 2:08 PM

to me

Mr. Subhas chandra pattanaik ,

where is video ?

You have not  enclosed any vedio here.

ଇଏ ହେଲେ ପ୍ରଦ୍ୟୁମ୍ନ ଶତପଥୀ, ଯାହାଙ୍କୁ ବିଶ୍ଵାସ କରି ମୁଁ ମୋ ଆଂଦୋଳନର “ସଞ୍ଚାଳକ” ପଦରୁ ସଭାପତି ପଦକୁ ଉନ୍ନୀତ କରିଥିଲି । ଏହାଙ୍କ ମୁହଁ ଇସ୍ପାତ, କିନ୍ତୁ ପଛ ସନ୍ନିପାତ । ଯେକୌଣସି ସାମାଜିକ ଆନ୍ଦୋଳନ ପ୍ରତି ଏହି କିସମର ଲୋକ ମହା ବିପଦ ।

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଟଙ୍କା ପାଇଁ ଭାଷା ଆନ୍ଦୋଳନକୁ ଛୁରା ମାରିଥିବା ପ୍ରଦ୍ୟୁମ୍ନ ଶତପଥୀ ପ୍ରଚାର ଚଳାଇଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ସେ ଏକ ଖୋଲା ଚିଠି ଦେଇଛନ୍ତି ଯହିଁରେ ଅନ୍ୟ କେତେକ ପ୍ରସଙ୍ଗର ଅବତାରଣା କରିଥିବା ବେଳେ ଓଡ଼ିଶାକୁ ମଦମୁକ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି । ଏହା ମୋତେ ମନେ ପକାଇଦେଉଛି ୨୦୧୭ର ଏକ ସକାଳର କଥା । ତାରିଖ ଥିଲା ନଭେମ୍ବର ୨୫ ।

ସୌମ୍ୟ ପଟ୍ଟନାୟକଙ୍କ ଚାନ୍ଦା

ସେତେବେଳେ ସଂବାଦ ସମ୍ପାଦକ ବାବୁ ସୌମ୍ୟରଞ୍ଜନ ପଟ୍ଟନାୟକ ଭାଷା ଆଂଦୋଳନର ଜଣେ ଦୃଢ ସମର୍ଥକ ଥାନ୍ତି । କଳାପତାକାଧାରୀମାନଙ୍କ ଫଟୋଚିତ୍ର ତାଙ୍କ କାଗଜରେ ସବୁଦିନ ବାହାରୁଥାଏ ଓ ଆନ୍ଦୋଳନ ସପକ୍ଷରେ ମୁଁ ଯେଉଁ ତାତ୍ତ୍ଵିକ ଆଲୋଚନା ରଖେ ତହିଁରୁ ଅଧିକାଂଶ ମଧ୍ୟ ସେହି କାଗଜରେ ପ୍ରକାଶ ପାଉଥାଏ । ମୋ ଲେଖାଗୁଡ଼ିକ ମୁଁ ସବୁବେଳେ ସୌମ୍ୟବାବୁଙ୍କୁ ଦେଇଥାଏ । ସେଦିନ ସକାଳେ ପ୍ରାୟ ସାଢେ ଆଠଟା ବେଳେ ମୁଁ ତାଙ୍କ ଘରକୁ ଯାଇଥିଲି; ପବିତ୍ର ମହାରଥା ମୋ ଲେଖାଟିକୁ ହାତରେ ଧରିଥାନ୍ତି ତାଙ୍କୁ ଦେବା ପାଇଁ । ୧୯୯୦ ଦଶକରୁ ସେ ପର୍ଯ୍ୟନ୍ତ ତାଙ୍କ ସହ ମୋର ଦେଖା ସବୁବେଳେ ଥିଲା ମର୍ଯ୍ୟାଦାସମ୍ପନ୍ନ । ମାତ୍ର ପ୍ରଥମଥର ସେଦିନ ମୁଁ ଅପଦସ୍ତ ଅନୁଭବ କରିଥିଲି । ସବୁଥର ପରି ସେ ମୋତେ ସ୍ଵାଗତ କରିନଥିଲେ , ଗମ୍ଭୀର ହୋଇ ନିଜ ଆସନରେ ବସିଥିଲେ । ମୁଁ ପବିତ୍ରକୁ ଇସାରା ଦେଲି ଲେଖାଟି ନଦେବା ପାଇଁ । ତା ପରେ ସେ ବିନ୍ଧିଚାଲିଲେ ପବିତ୍ରକୁ ପ୍ରଶ୍ନବାଣ । ହ୍ଵାଟ୍ସଆପରୁ ଫଟୋ ଦେଖୁଥାନ୍ତି, ପବିତରକୁ ପଚାରୁଥାନ୍ତି – ଅମକ ଲୋକ କାହିଁକି ଆସିନଥିଲେ, ସମକଲୋକ କାହିଁକି ଆସିନଥିଲେ ଇତ୍ୟାଦି । ପବିତ୍ର ମୁଁହ ତଳକୁ କରି ଚୁପ୍ଚାପ ବସିଥାନ୍ତି । ଟଙ୍କା ନେବାବେଳକୁ ତ ନେଇଯିବ, କାମ କାହିଁକି ସେ ଅନୁସାରେ ହେବ ନାହିଁ ?- ବୋଲି ତୀକ୍ଷ୍ନ କଣ୍ଠରେ ପଚାରିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ତା ପରେ ପବିତ୍ର ପାଟି ଖୋଲିଲେ । “ଆପଣ ମୋତେ କାହିଁକି ପଚାରୁଛନ୍ତି? ପ୍ରଦ୍ୟୁମ୍ନ ଶତପଥୀ ଆପଣଙ୍କ ସହ କଣ କଥା ହୋଇଥିଲେ ତା ତ ମୁଁ ଜାଣିନି । ସେ ମୋତେ କହିଲେ, ସୌମ୍ୟବାବୁ ୩୫ ହଜାରେ ଟଙ୍କା ଦେବାକୁ କହିଛନ୍ତି , ତୁ ଯାଇ ନେଇ ଆ । ମୋତେ ଆପଣ ସେ ଟଙ୍କା ଦେଲେ, ମୁଁ ନେଇ ତାଙ୍କୁ ଦେଲି । କିଏ ଆସିଲେ ନ ଆସିଲେ ମୋତେ ପଚାରିଲେ ମୁଁ କଣ କହିବି?” ସୌମ୍ୟବାବୁ ପବିତ୍ରକୁ କହିଲେ – ତମ ଉପସ୍ଥିତିରେ ଆଲୋଚନା ହୋଇଥିଲା । ପବିତ୍ର କହିଲେ ମୁଁ ଉପସ୍ଥିତ ଥିଲି, କଣ କଥା ହୋଇଥିଲା ମୁଁ ଜାଣି ନାହିଁ । ଦୀକ୍ଷିତ ବାବୁଙ୍କ ସହ ମୁଁ କଥା ହେଉଥିଲି ଯେତେବେଳେ ଆପଣ ପ୍ରଦ୍ୟୁମ୍ନ ବାବୁଙ୍କ ସହ କଥା ହେଉଥିଲେ । ଅସ୍ଵସ୍ତି ସହିବାର ସୀମା ମୋର ଟପିଥିଲା । ମୁଁ ଉଠିଲି । ପବିତ୍ର ବି ମୋ ସହ ଉଠିଲେ ।

“କଥା କଣ?”- ଗାଡ଼ିରେ ବସି ମୁଁ ପଚାରିଲି ପବିତ୍ରକୁ । ସେ କହିଲେ – ନବବାବୁଙ୍କ ଜନ୍ମଦିନରେ ମଦମୁକ୍ତି ସମ୍ମିଳନୀ କରିବାକୁ ପ୍ରଦ୍ୟୁମ୍ନବାବୁ ସୌମ୍ୟବାବୁଙ୍କଠାରୁ ୩୫ ହଜାର ଟଙ୍କା ନେଇଥିଲେ ଓ କିଏ କିଏ ସେହି ସମ୍ମିଳନୀରେ ଯୋଗ ଦେବେ ତାକୁ ଆଖିଆଗରେ ରଖି ସୌମ୍ୟବାବୁ ସେ ଟଙ୍କା ଦେଇଥିଲେ । ସେମାନେ ନ ଆସିବାରୁ ସେ ବିଗୁଡୁଛନ୍ତି ।

ମୁଁ ସେହି ଗାଡ଼ିରୁ ପ୍ରଦ୍ଯୁମ୍ନ ଶତପଥୀଙ୍କୁ ଫୋନ କଲି ଓ ଯେହେତୁ ସେ ଭାଷା ଆନ୍ଦୋଳନରେ ଅଛନ୍ତି ଏପରି ଭାବେ କାହାଠୁ କଣ୍ଟ୍ରାକ୍ଟ ନେବା ବା ଚାନ୍ଦା ନେବା କେତେଦୂର ଉଚିତ ବୋଲି ପଚାରିଲି । “ଆପଣ କେଉଁଠି ଅଛନ୍ତି?” – ସେ ପଚାରିଲେ । ମୁଁ କାର୍ ଭିତରେ ଅଛି ବୋଲି କହିଲି । “ଘରେ କେତେବେଳେ ପହଞ୍ଚିବେ?” ବୋଲି ସେ ପଚାରିଲେ । “୫ ମିନିଟରେ” ବୋଲି ମୁଁ ଉତ୍ତର ଦେଲି ।

ମୁଁ ଘରେ ପହଞ୍ଚୁ ପହଞ୍ଚୁ ସେ ଆସି ପହଞ୍ଚିଲେ । ମୁଁ କିଛି କହିବା ପୂର୍ବରୁ କାନ ଧରି ବସ୍ ଉଠ୍ ହେଲେ ଓ ଆଉ ଦିନେ ହେଲେ ଏପରି ଭୁଲ କରିବେ ନାହିଁ ବୋଲି କହିଲେ । ଏବଂ କହିଥିଲେ, “ମୁଁ ଦି ଚାରି ଦିନରେ ସେ ପଇସା ତାଙ୍କୁ ଫେରାଇ ଦେବି।“

ଫେରେଇଛନ୍ତି କି ନାହିଁ ସେ କଥା ସୌମ୍ୟବାବୁ କହିବା ଉଚିତ ।

କିନ୍ତୁ ସେଦିନଠୁ ଆଜିଯାଏଁ ମଦ ବିରୁଦ୍ଧରେ ନୀରବ ଥିବା ପ୍ରଦ୍ୟୁମ୍ନ ଶତପଥୀ ହଠାତ୍ ମୁଖ୍ୟମନ୍ତ୍ରୀଙ୍କୁ ଏ ଖୋଲା ଚିଠି ଲେଖିଛନ୍ତି କାହିଁକି ? ଦୁଇଟି ସମ୍ଭାବ୍ୟ କାରଣ ମନକୁ ଆସୁଛି । ହୁଏତ ସୌମ୍ୟବାବୁ ବା ତାଙ୍କପରି କେହି ଏଥିପାଇଁ ତାଙ୍କୁ କିଛି ଚାନ୍ଦା ଦେଇଥାଇପାରନ୍ତି; ବା ହୁଏତ ସରକାରୀକଳରୁ କେହି ତାଙ୍କୁ ଏଥିପାଇଁ ଧରି ଥାଇ ପାରନ୍ତି । ୨ୟ କାରଣଟି ଅଧିକ ସମ୍ଭାବନା ବହନ କରୁଛି ।

ନିଶାମୁକ୍ତି ବିରୁଦ୍ଧରେ ଷଡଯନ୍ତ୍ର ?

ବସ୍ତୁତଃ, ବର୍ଷୀୟାନ ସ୍ଵାଧୀନତା ସଂଗ୍ରାମୀ ଓ ପ୍ରାକ୍ତନ ବିଧାୟକ ପଦ୍ମଚରଣ ନାୟକଙ୍କ ନେତୃତ୍ବରେ ବହୁବର୍ଷ ଧରି ଚାଲିଥିବା ମଦମୁକ୍ତି ଆନ୍ଦୋଳନ ସରକାରଙ୍କୁ ନାକେଦମ କଲାଣି । ମଦ ଓ ଅନ୍ୟ ନିଶାଦ୍ରବ୍ୟ କବଳରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ ଓଡ଼ିଶାରେ କାର୍ଯ୍ୟରତ ୧୧୧ଟି ସଂଗଠନ ଏକତ୍ର ହୋଇ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (MONA) ଗଠନ କରିଛନ୍ତି, ଯାହାର ମୁଖ୍ୟ ପଦ୍ମଚରଣବାବୁ । ଏହି ସଂଗଠନ ଭାରତ ସରକାରଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରିପାରିଛି ଏବଂ ଭାରତର ଦୁଇଟି ପ୍ରଦେଶରେ ମଦମୁକ୍ତି ପାଇଁ ସରକାରୀ ପଦକ୍ଷେପ ଯେ ନିଆଯାଇପାରିଛି ତା ମୂଳରେ MONA ଏକ ଆଦର୍ଶ ଆଧାର ଭାବେ ବିବେଚିତ ହେଉଛି । ତେଣୁ ଏହି ଆନ୍ଦୋଳନ ମଦପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ବଡ଼ ଅଡ଼ୁଆରେ ପକାଇଛି ଓଡ଼ିଶାରେ । ଏହି କାରଣରୁ ହୁଏତ ଏହାକୁ ଦୁର୍ବଳ କରିବା ପାଇଁ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ପୁଣି ଥରେ ପୋଷାମନେଇ ପ୍ରୟୋଗ କରୁଥାଇପାରନ୍ତି ମୁଖ୍ୟମନ୍ତ୍ରୀ । ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ଏହାଙ୍କୁ ପ୍ରୟୋଗ କରିପାରିଥିବା ହେତୁ, ମୁଖ୍ୟମନ୍ତ୍ରୀଙ୍କ ପକ୍ଷେ ଏହା ହୁଏତ ସହଜ ହୋଇଛି । ଏହି ମଉକାରେ ଶତପଥି ଠିକ୍ ସେହି ଚାଲ୍ ଖେଳିଛନ୍ତି ଯେଉଁ ଚାଲ୍ ୨୦୧୮ ମଇ ମାସରୁ ଜୁଲାଇ ଯାଏଁ ସେ ଖେଳିଥିଲେ । ସେତେବେଳେ ସେ ଯେପରି ସରକାରୀ କ୍ଵାଟର ଓ ସ୍ତ୍ରୀଙ୍କ ଚାକିରି କଥା ଉଠାଇଥିଲେ, ମଦମୁକ୍ତି ଆନ୍ଦୋଳନ କଥା କହି ଠିକ୍ ସେହିପରି ସରକାରୀ କ୍ଵାଟର ଓ ସ୍ତ୍ରୀଙ୍କ ୧୦ ବର୍ଷର ଦରମା ପ୍ରସଙ୍ଗ ଉଠାଇଛନ୍ତି ।

ନିମକହାରାମ ଜାଗିରି

“ଟଙ୍କା ପାଇଁ ଭାଷା ଆନ୍ଦୋଳନକୁ ଛୁରୀ ମାରିଛନ୍ତି ପ୍ରଦ୍ୟୁମ୍ନ ଶତପଥୀ: ମୁଖ୍ୟମନ୍ତ୍ରୀ ସଫେଇ ରଖନ୍ତୁ” ଶୀର୍ଷକରେ ଏହି ପୃଷ୍ଠାମାନଙ୍କରେ ମୁଁ ୩୩ଟି ପ୍ରାମାଣିକ ତଥ୍ୟସମ୍ପନ୍ନ ନିବନ୍ଧ ପ୍ରକାଶ କରିଛି ଯାହା ମୁଖ୍ୟମନ୍ତ୍ରୀଙ୍କ ଜାଣିବା ପାଇଁ ଇଂରାଜୀ ଭାଷାରେ ORISSA MATTERS ପୃଷ୍ଠାରେ ବି କେତେକ ନିବନ୍ଧରେ ରହିଛି । ମୁଖ୍ୟମନ୍ତ୍ରୀ ନିଜେ ସେହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ସନ୍ଦେହ ଅଲଙ୍ଘ୍ୟଥିବା ହେତୁ ମୁଁ ରାଜ୍ୟପାଳଙ୍କ ହସ୍ତକ୍ଷେପ  ଦାବି କରିଥିଲି । ମୁଖ୍ୟମନ୍ତ୍ରୀଙ୍କ ସୁପାରି ପରି ତାଙ୍କ ସ୍ତ୍ରୀ ୧୦ ବର୍ଷର ସୌଖୀନ ଅନୁପସ୍ଥିତି ସତ୍ତ୍ୱେ ଚାକିରିରେ ପୁନଃସଂସ୍ଥିତ ହୋଇଥିବାବେଳେ ଏବଂ ଏହି ବେଆଇନ କାମରେ ସାହାଯ୍ୟକରିଥିବା ସବୁ ଅଫିସର ପଦୋନ୍ନତି ପାଇଥିବା ବେଳେ, ରାଜ୍ୟପାଳଙ୍କ ହସ୍ତକ୍ଷେପ ହେତୁ ସେହି ୧୦ ବର୍ଷ ପାଇଁ ତାଙ୍କ ସ୍ତ୍ରୀଙ୍କ ବେତନ ପ୍ରଦାନ ବନ୍ଦ ହୋଇଯାଇଛି । ମାତ୍ର ଆଇନତଃ ତାଙ୍କ ସ୍ତ୍ରୀ ଫେରିପାଇଥିବା ଚାକିରି ବାତିଲ ହେବାକୁ ବାଧ୍ୟ । ମୁଖ୍ୟମନ୍ତ୍ରୀ ତାହା କରିନାହାନ୍ତି ଏଯାଏଁ । ଓଡ଼ିଆ ଭାଷାସ୍ଵାର୍ଥକୁ ଛୁରୀ ମାରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ନିମକହାରାମ ଜାଗିରି ସ୍ୱରୂପ ପ୍ରତିମାସରେ ପ୍ରାୟ ଲକ୍ଷେ ଟଙ୍କା  “ସାରା ବିଶ୍ଵରେ ବିଶ୍ଵାଏ ଭୂମିର ମଳିକାନଗିରି” ନଥିବା ପ୍ରଦ୍ୟୁମ୍ନ ଶତପଥୀ  ରୋଜଗାର କରୁଛନ୍ତି ସ୍ତ୍ରୀଙ୍କ ବେଆଇନ ନିଯୁକ୍ତି ମାଧ୍ୟମରେ ।

ଧୂର୍ତ୍ତ ଅଭିସନ୍ଧି

ତେଣୁ, ପଦ୍ମଚରଣ ନାୟକଙ୍କ ନେତୃତ୍ଵାଧୀନ ନିଶାମୁକ୍ତି ଅଭିଯାନକୁ ଦୁର୍ବଳ କରିବା ପାଇଁ ମଦପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ସହାୟତା ଦେବା ସକାଶେ ହୁଏତ ସିଏମଓ ବା ସୌମ୍ୟବାବୁଙ୍କ ଦ୍ଵାରା ଆହୁତ ହେବା ପରେ ସେ ସେହି ପୁରୁଣା ଚାଲ୍ ଚଳାଇ ତାଙ୍କ ସ୍ତ୍ରୀଙ୍କ ନିଷିଦ୍ଧ କରାହୋଇଥିବା ୧୦ ବର୍ଷର ପିଛିଲା ବେତନ ପ୍ରାୟ ଦେଢକୋଟି ଟଙ୍କା ପ୍ରଦାନ କରାଯିବା ଦୁହା ତୋଳିଛନ୍ତି ଓ ସରକାରୀ ଘର ହାତେଇବା ପାଇଁ ଅଧାରେ ରହିଯାଇଥିବା ମିଶନକୁ ଅଙ୍କୁରିତ କରିଛନ୍ତି ।

ଭାଷା ଆନ୍ଦୋଳନକୁ ନେଇ କ୍ଵାଟର ସଉଦା

ସରକାରୀ ଘର (କ୍ଵାଟର) ପାଇବା ପାଇଁ ସେ ଭାଷା ଆନ୍ଦୋଳନକୁ ଛୁରୀ ମାରିବାକୁ କିପରି ପ୍ରସ୍ତୁତ ଥିଲେ ତାହା ତାଙ୍କ ଅନୁଗତ ବନିଥିବା ପବିତ୍ର ମହାରଥା ଓ କମ୍ମ୍ୟୁନିଷ୍ଟ ପାର୍ଟି ଛାଡ଼ି ନବୀନ ପଟ୍ଟନାୟକଙ୍କ ପାଖଲୋକ ବନିଥିବା ସୁବାସ ସିଂ ଓଡ଼ିଆ ଜାତିର ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ପ୍ରକାଶ କରିଦେବା ଊଚିତ । ଘଟଣାଟି ଥିଲା ଏହିପରି :

ପିଏମଜି ଛକରେ ଥିବା ଏକ ଚା ଦୋକାନରେ ନିତିଦିନ ସକାଳେ ଖଟି କରୁଥିବା ପ୍ରଦ୍ୟୁମ୍ନ ଶତପଥୀ ସୁବାସ ସିଂଙ୍କ ସହ ଗଭୀର ଆଲୋଚନାରେ ଲିପ୍ତ ଥାଇ ଜାଣିପାରୁନଥିଲେ ଯେ, ସେହି ଖଟିରେ ପ୍ରତିଦିନ ହାଜରା ପକାଉଥିବା ପବିତ୍ର ମହାରଥା ତାଙ୍କ ପଛପଟେ ଠିଆ ହୋଇ ସବୁକଥା ଶୁଣୁଥିଲେ । ଶେଷ କଥୋପକଥନ ଥିଲା ଦିଆନିଆର କଥା ।

ସିଂ କହିଲେ, “ଆପଣ ଭାଷା ଆନ୍ଦୋଳନକୁ ଯେମିତି ହେଲେ ଭାଙ୍ଗନ୍ତୁ, ଆପଣଙ୍କୁ କ୍ଵାଟର ମିଳିବା ଦାୟିତ୍ଵ ମୋର ।“ ଶତପଥୀ କହିଲେ, “ତାହା ମୋର ବାମ ହାତର ଖେଳ । ମୁଁ ଲୋକ ଯୋଗଉଛି ବୋଲି ଆନ୍ଦୋଳନ ଚାଲିଛି । ମୁଁ ଯଦି ଲୋକ ନ ଯୋଗାଏ ସୁଭାଷ ପଟ୍ଟନାୟକ କଣ କରିବେ?”

କଥୋପକଥନ ପରେ ଯେତେବେଳେ ସିଂ ଉଠିଲେ, ସେତେବେଳେ ସେଠାରେ ପବିତ୍ରଙ୍କୁ ଦେଖି ଉଭୟେ ଚମକି ପଡ଼ିଥିଲେ । ପବିତ୍ର ସେହି ସଙ୍ଗେ ସଙ୍ଗେ ଆସିଥିବା କହି କିଛି ନଶୁଣିଥିବାର ଧାରଣ ତିଆରି କରାଇଥିଲେ , କିନ୍ତୁ ତାହାକୁ ହଜମ କରିବାକୁ ସକ୍ଷମ ନ ହୋଇ ସେ କଥାଟି କହିଦେଇଥିଲେ ବିଶିଷ୍ଟ ସାମ୍ବାଦିକ ଓ ସଂସ୍କୃତି ଆଲୋଚକ ଡଃ ଅସିତ ମହାନ୍ତିଙ୍କୁ ପ୍ରାୟତଃ ତୁରନ୍ତ “ଆମ ଓଡ଼ିଶା” ଅଫିସରେ । ଡଃ ମହାନ୍ତି ତାଙ୍କୁ ପଚାରିଥିଲେ, “ସୁଭାଷବାବୁଙ୍କୁ ଏହା କହିଛ?” “ସେ ଘରେ ନାହାନ୍ତି, ବାହାରକୁ ଯାଇଛନ୍ତି” ବୋଲି କହିଥିଲେ ପବିତ୍ର । ବସ୍ତୁତଃ ସେଦିନ ମୁଁ ସକାଳୁ ସକାଳୁ ଢେଙ୍କାନାଳ ଯାଇଥିଲି । ଫେରିଲା ପରେ ଅସିତବାବୁ ମୋତେ ଏହା କହିଥିଲେ ଓ ସନ୍ଧ୍ୟାବେଳେ କଳାପତାକା ଆରମ୍ଭ ପୂର୍ବରୁ ପବିତ୍ର ବି କହିଥିଲେ ।

ଭାଷା ଆନ୍ଦୋଳନ ବିରୁଦ୍ଧରେ ଥୋପଗିଳା

ପ୍ରଦ୍ୟୁମ୍ନ ଶତପଥୀ ନିଜ ସ୍ଵାର୍ଥ ପାଇଁ ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବାକୁ ସମ୍ମତ ବୋଲି ସୁବାସ ସିଂଙ୍କଠାରୁ ଅବଗତ ହେଲା ପରେ ତାଙ୍କୁ ପୋଷାମନେଇବାକୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବ୍ୟଗ୍ର ହୋଇଉଠିଥିଲା । ଯୋଗକୁ ତାଙ୍କ ସ୍ତ୍ରୀଙ୍କ ବିରୁଦ୍ଧରେ ଶିକ୍ଷା ବିଭାଗ ଦେଇଥିବା ଶେଷ ଆଦେଶର ପୁନର୍ବିଚାର ପାଇଁ ଶ୍ରୀମତୀ ଶତପଥୀ (ମାନସୀ ଷଡଙ୍ଗୀ) ଦେଇଥିବା ଦରଖାସ୍ତ ଶିକ୍ଷା ସଚିବ ଜି॰ ଭି॰ ଭି॰ ଶର୍ମାଙ୍କ ପରି ଓଡ଼ିଆବିଦ୍ଵେଷୀ ଅଫିସରଙ୍କ ହାତରେ ଥିଳା । ଭାଷା ଆନ୍ଦୋଳନକୁ ଭାଙ୍ଗିଦେଲେ ସେ ତାଙ୍କ ସ୍ତ୍ରୀଙ୍କୁ ସାହାଯ୍ୟ କରିବେ ବୋଲି ପଦ୍ୟୁମ୍ନ ଶତପଥୀଙ୍କୁ ଥୋପ ଗିଲାଇଲେ ଓ ତା ପରେ ଯାହା ହେଲା, ସେ ସମସ୍ତ ମୁଁ ଉପର ସୂଚିତ ନିବନ୍ଧମାନଙ୍କରେ ସପ୍ରମାଣ ଉଲ୍ଲେଖ କରିଛି ।

ହାଇକୋର୍ଟ ନାମରେ ବି ମିଛ 

ମୁଁ ଉଠାଇଥିବା ପ୍ରମାଣସିଦ୍ଧ ଅଭିଯୋଗ ଉପରେ ଅନେକ ମାସ ଆଲେଜିଆ ହୋଇ ପଡ଼ିରହି ପ୍ରଦ୍ୟୁମ୍ନ ଶତପଥୀ ଲୋକଙ୍କୁ ଜଣାଇବାକୁ ଚେଷ୍ଟା କରିଛନ୍ତି ଯେ, ହାଇକୋର୍ଟଙ୍କ ଆଦେଶ ବଳରେ ତାଙ୍କ ସ୍ତ୍ରୀ ଚାକିରି ଫେରି ପାଇଛନ୍ତି ଓ ସମସ୍ତ ପିଛିଲା ଦରମା ସହ ତାଙ୍କ ସ୍ତ୍ରୀଙ୍କୁ (ମାନସୀ ଷଡଙ୍ଗୀଙ୍କୁ) ପୁନଃସଂସ୍ଥିତ କରିବାକୁ ହାଇକୋର୍ଟ ରାୟ ଦେଇଥିଲେ ମଧ୍ୟ ସରକାର ତାଙ୍କ ପିଛିଲା ଦରମା ଦେଇନାହାନ୍ତି । ମିଛ କଥା । ହାଇକୋର୍ଟ ସେପରି କୌଣସି ରାୟ ଦେଇନାହାନ୍ତି । ତାର ସବିଶେଷ ବିବରଣୀ ମୁଁ ସୂଚିତ କରିଥିବା ନିବନ୍ଧମାଳାରେ ପ୍ରକାଶିତ ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ନୀରବତା ହିଁ ତାଙ୍କ ଦୋଷ ବଖାଣେ

ଭାଷା ଆନ୍ଦୋଳନ ବିରୁଦ୍ଧରେ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ସୁପାରି ସ୍ୱରୂପ ତାଙ୍କ ସ୍ତ୍ରୀ ପୁନଃସଂସ୍ଥିତା ହୋଇଥିବା ଚାକିରି ଅବିଳମ୍ବେ ରଦ୍ଦ କରିବାକୁ ମୁଁ ତୋଳିଥିବା ଦାବି ଉପରେ ମୁଖ୍ୟମନ୍ତ୍ରୀ କାହିଁକି ଶୋଇରହିଛନ୍ତି ତାହା ତାଙ୍କ ଦପ୍ତର ସର୍ବ ସମ୍ମୁଖରେ ରଖୁ । ତାଙ୍କ ନୀରବତା ହିଁ ତାଙ୍କ ଦୋଷ ବଖାଣୁଛି ।

ମୁଖ୍ୟମନ୍ତ୍ରୀଙ୍କ ପାଖଲୋକମାନେ ତାଙ୍କୁ କହନ୍ତୁ ଯେ, ପ୍ରଦ୍ୟୁମ୍ନ ଶତପଥୀଙ୍କ ପତ୍ନୀଙ୍କୁ ନିଷିଦ୍ଧ କରାହୋଇଥିବା ପିଛିଲା ବେତନ ତ ଦୂରର କଥା, ତାଙ୍କୁ ଦିଆହୋଇଥିବା ଅବୈଧ ନିଯୁକ୍ତିକୁ ଯଦି ସେ ରଦ୍ଦ ନକରନ୍ତି ତେବେ ତାହା କରିବାକୁ ମୁଁ ତାଙ୍କୁ ବାଧ୍ୟ କରିବି । କାରଣ, ଆମ ଭାଷାକୁ ଛୁରୀ ମାରିଥିବା ମାୟାବୀର ସ୍ଵାର୍ଥସିଦ୍ଧି କାରସାଦିକୁ ବରଦାସ୍ତ କରିବା ଭାଷା ଆନ୍ଦୋଳନ ପ୍ରତି ଅନ୍ୟାୟ ହେବ ।

 

 

 

‘ସମ୍ପର୍କ ମିଡ଼ିଆ’ ପକ୍ଷରୁ ଜୟ ଦେବ ଭବନ (ସୂଚନା ଭବନ) ସମ୍ମିଳନୀ କକ୍ଷରେ ଗତ ରବିବାର ଭାଷା ଆନ୍ଦୋଳନ, ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କୁ “କୁଳ ତିଳକ” ଉପାଧିରେ ଭୂଷିତ କରାଯାଇଛି ∣

ଏହି ଉପାଧିର ମାନପତ୍ରରେ ଲେଖା ଅଛି :

ମହାଶୟ, ଆପଣ ସାମ୍ବାଦିକତାକୁ ଜୀବନର ବ୍ରତ କରି, କଲମ ମୁନରେ ବିଂଦୁଏ ସତ୍ୟର ଠିକଣା ଅଙ୍କିବାରେ ବାରମ୍ବାର ଯେଉଁ ଦୁଃସାହାସୀକତାର ପରିଚୟ ଦେଇଛନ୍ତି, ତା’ର ପଟାନ୍ତର ନାହିଁ ∣ ସତ୍ୟ, ନ୍ୟାୟ , ସାହସ , ପରୋପକାର, ସମାଜ ସେବା ଓ ଓଡ଼ିଆ ଭାଷାର ସୁରକ୍ଷା ଦିଗରେ ଆପଣ ନିଷ୍ଠାପରତାର ସହ ଉଦ୍ୟମ କରି ଆମ ମାତୃଭାଷାକୁ ସୁରକ୍ଷା କରିବାରେ ଆମ ପାଇଁ ଯେଉଁ ସଫଳତା ଆଣି ଦେଇଛନ୍ତି , ତାହା ନିଶ୍ଚିତ ଏ ଜାତିର କପାଳରେ ଭାଗ୍ୟରେଖାଟିଏ ହୋଇରହିବ ∣ ସର୍ବ ଗୁଣର ସମାହାର , ସର୍ବ ଜ୍ଞାନର ସଂଯୋଗ , ସବୁ ପ୍ରତିଭା ସମଷ୍ଟିର ଅନନ୍ୟ ଉଦାହରଣ ଆପଣ ∣ ଆପଣ ତ୍ୟାଗପୂତ ଜୀବନ ଯାପନ ପୂର୍ବକ ମାନବ ଜାତିର ମଙ୍ଗଳ କାମନା କରିବାରେ ସାମାନ୍ୟତମ ଅବହେଳା ମଧ୍ୟ କରିନାହାନ୍ତି ∣ ଜଣେ ସୁସଂଗଠକ, ପରୋପକାରୀ, ସଂସ୍କୃତିପ୍ରେମୀ, ସମାଜସେବୀ ଓ ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ବିନ୍ଧାଣୀ ଭାବେ ଦୀର୍ଘଦିନ ଧରି ଅନେକ ଘାତ-ପ୍ରତିଘାତକୁ ସାମ୍ନା କରି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା କବଚଟିଏ ହୋଇ ରହିଛନ୍ତି ସୌର୍ଯ୍ୟ ,ତିତିକ୍ଷା ଓ ଆର୍ଯ୍ୟବକୁ ବ୍ରତ କରି ∣
ସାମ୍ପ୍ରତିକ ସମାଜରେ କାଳଜୟୀ ବୈପ୍ଲବିକ ପରିବର୍ତ୍ତନ ଆଣିବାର ଯେଉଁ ନିଷ୍ଠା ଏବଂ ପ୍ରତିବଦ୍ଧତା ସହିତ ଆପଣଙ୍କର ସେହି ପ୍ରଭାବମୟ ପ୍ରତିଭାର ପ୍ରତିଶ୍ରୁତି ଓ ସ୍ମରଣୀୟ ସେବା ଓ ସାଧନାକୁ ସମ୍ମାନ ଜଣାଇ ‘କୁଳ ତିଳକ’ ଉପାଧିରେ ଭୂଷିତ କରି ‘ସମ୍ପର୍କ ମିଡ଼ିଆ’ ପରିବାର ନିଜକୁ ଗୌରବାନ୍ବିତ ମନେକରୁଛି ∣”

ପ୍ରତିକ୍ରିୟାରେ ଶ୍ରୀ ପଟ୍ଟନାୟକ କହିଛନ୍ତି , “ମୋ ନିଜସ୍ଵ ନୀତି ଦୃଷ୍ଟିରୁ କୌଣସି ସମ୍ବାଦ ସଂସ୍ଥା ପ୍ରଦାନ କରୁଥିବା ସମ୍ମାନ ଓ / ବା କୌଣସି ସାମ୍ବାଦିକଙ୍କ ନାମରେ ନାମିତ ସମ୍ମାନ ଭିନ୍ନ ମୁଁ କୌଣସି ସମ୍ମାନ ଗ୍ରହଣ କରେ ନାହିଁ ∣ ତେଣୁ ଓଡ଼ିଆମାନଙ୍କ ଭିତରେ ପ୍ରଥମ କର୍ମଜୀଵୀ ସମ୍ପାଦକ ନୀଳମଣି ବିଦ୍ୟାରତ୍ନଙ୍କ ନାମରେ ନାମିତ ସମ୍ମାନକୁ ମୁଁ ସମ୍ମାନର ସହ ଗ୍ରହଣକରିଥିଲି ଓ ସାଇତି ରଖିଛି ∣ ସେହିପରି ‘ଗଡ଼ଜାତ ପରିକ୍ରମା’ ଦ୍ଵାରା ପ୍ରବର୍ତ୍ତିତ ‘ଗଡଜାତ ସମ୍ମାନ’ ମୁଁ ଗ୍ରହଣ କରିଛି ଓ ସାଇତି ରଖିଛି ∣ ଏକମାତ୍ର ବ୍ୟତିକ୍ରମ ମୋ ଜନ୍ମମାଟିର ‘ଚମ୍ପକ ଦ୍ଵାଦଶୀ ସମ୍ମାନ’କୁ ଛାଡିଦେଲେ , ଅନ୍ୟ ଯେଉଁ ସମ୍ମାନଗୁଡିକୁ ମୁଁ ଶ୍ରଦ୍ଧା ଓ ସମ୍ମାନ ସହ ଗ୍ରହଣକରି ସାଇତି ରଖିଛି , ସେ ସମସ୍ତ କେବଳ ଗଣମାଧ୍ୟମ ସମ୍ପର୍କିତ, ଯାହା ଭିତରେ ଉଲ୍ଲେଖନୀୟ ହେଲେ : ‘ଜାନକୀବଲ୍ଲଭ ସାମ୍ବାଦିକ ସମ୍ମାନ’ , ‘ସୁବାର୍ତ୍ତା ସମ୍ମାନ’ ଓ ‘ଜନତନ୍ତ୍ର ସମ୍ମାନ’ ଏବଂ ଏହି କ୍ରମରେ ‘ସମ୍ପର୍କ ମିଡିଆ’ ପ୍ରଦତ୍ତ “କୁଳ ତିଳକ” ଉପାଧି ∣”

ସେ ପୁନଶ୍ଚ କହିଛନ୍ତି , “ଏଥିର ଅଳଂକାରଗୁଡ଼ିକ ପାଇଁ ମୁଁ ପ୍ରକୃତରେ ଯୋଗ୍ୟ କି ନୁହେଁ ଜାଣେନି ∣ ମାତ୍ର ସାମ୍ବାଦିକତା ଯେ ମୋ ପାଇଁ ଏକ “ବ୍ରତ” ଏହି ମିଡ଼ିଆ ସ୍ବୀକୃତି ଏଥିରେ ପ୍ରତିଫଳିତ ହୋଇଥିବାରୁ ଓ ଆମେ ଚଳାଇଥିବା ଭାଷା ଆନ୍ଦୋଳନ ପ୍ରତି ଦୃଢ଼ ସମର୍ଥନ ଓ ସ୍ବୀକୃତି ବିଘୋଷିତ ହୋଇଥିବାରୁ ମୁଁ ‘ସମ୍ପର୍କ ମିଡ଼ିଆ’ ପରିବାରକୁ କୃତଜ୍ଞତା ଜଣାଉଛି ∣”

ଏହି ଅବସରରେ ଭାଷା ଆନ୍ଦୋଳନର ସଭାପତି , ବରିଷ୍ଠ ସାମ୍ବାଦିକ ଓ ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ଅଧ୍ୟକ୍ଷତା କରିବାକୁ ଓ ଆନ୍ଦୋଳନର ଅନ୍ୟତମ ଶ୍ରେଷ୍ଠ କଳାପତାକା ଅଭିଯାତ୍ରୀ ତଥା ପୂର୍ବତନ ମନ୍ତ୍ରୀ , ସ୍ଵାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ  ନିବେଦନ କରି ସଂସ୍ଥାର ଅଧ୍ୟକ୍ଷ କବି ସନ୍ତୋଷ କୁମାର ସାହୁ ଭାଷା ଆନ୍ଦୋଳନ ପ୍ରତି ସୁଦୃଢ ସମର୍ଥନ ଜ୍ଞାପନ କରିଥିଲେ ∣

ଭାଷା ଆନ୍ଦୋଳନର ଆବାହକ ପବିତ୍ର ମୋହନ ମହାରଥାଙ୍କ ସମେତ ଡ଼. ଅସିତ ଦାସ, ଡମ୍ବରୁଧର ହରଣସିଂହ, ନବକିଶୋର ପ୍ରଧାନ, ନାରାୟଣ ଖୁଣ୍ଟିଆ, ଉମାଚରଣ ମହାନ୍ତି , ମଦନମୋହନ ହରିଚନ୍ଦନ ମହାପାତ୍ର, ଦାଶରଥି ଗୁମାନସିଂହ, ଉପେନ୍ଦ୍ରନାଥ ସାମନ୍ତ ସିଂହାର, ଲକ୍ଷ୍ମଣ ଦାଶ, ଇଂ.ସୁବୋଧ ଧଳ ଚିତ୍ତରଞ୍ଜନ ମିଶ୍ର , ଇଂ.ଚକ୍ରଧର ମହାନ୍ତ, ସାରଦା ପ୍ରସାଦ ମହାପାତ୍ର, ଜାନକୀଶ ବଡ଼ପଣ୍ଡା , ପ୍ରଣବ କିଶୋର ନନ୍ଦୀ ପ୍ରମୁଖ ଏକନିଷ୍ଠ ଭାଷା-ମୁକ୍ତି-ଯୋଦ୍ଧାମାନଙ୍କୁ ନିମନ୍ତ୍ରଣ କରି ଉପସ୍ଥିତ ସର୍ଜନଶୀଳ ଓ ଶାଣୀତ କାବ୍ୟରସ ପ୍ରଦାତା ସାହିତ୍ୟସାଧକମାନଙ୍କ ସମ୍ମୁଖରେ ଭାଷା ଆନ୍ଦୋଳନର ଗାରିମା ଓ ଗୁରୁତ୍ବ ପ୍ରତି ଅର୍ପିତ ହୋଇଥିଲା ସଚେତନ ସମ୍ମାନ ∣

ଉପାଧି ଗ୍ରହଣ କରି ଶ୍ରୀ ପଟ୍ଟନାୟକ ଭାଷା ଆନ୍ଦୋଳନ ପ୍ରତି ଏହି ସାଂସ୍କୃତିକ, ସାହିତ୍ୟିକ ଓ ସାମ୍ବାଦିକୀୟ ସମର୍ଥନପାଇଁ ସମ୍ପର୍କ ମିଡ଼ିଆର ସାମାଜିକ ପ୍ରତିବଦ୍ଧତାର ଭୁୟସୀ ପ୍ରସଂଶା କରିଥିଲେ ∣