ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଅଧ୍ୟକ୍ଷ, ଭାଷା ଆଂଦୋଳନ , ଓଡିଶା

ବିଳମ୍ବରେ ହେଲେ ବି , ଭାଷା ଆନ୍ଦୋଳନ, ଓଡ଼ିଶାର ଦାବି ଫଳରେ ଓଡିଶା ସରକାର ଶାସ୍ତ୍ରୀୟ ମାନ୍ୟତା ଚୋରି ଅଭିଯୋଗ ଉପରେ ଖୋଳତାଡ଼ ଆରମ୍ଭ କରିଛନ୍ତି | ଏହା ଅବଗତ ହୋଇ ଏହି ଚୋରିରେ ଅଭିଯୁକ୍ତ ‘ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା’ ତାର ପ୍ରତ୍ୟେକ ସଦସ୍ୟ ଯେ କୌଣସି ତଦନ୍ତର ସମ୍ମୁଖୀନ ହେବାକୁ ସଦାସର୍ବଦା ପ୍ରସ୍ତୁତ” ବୋଲି ପ୍ରକାଶ କରିଛନ୍ତି (“ଶାସ୍ତ୍ରୀୟ ଓଡ଼ିଆ ପାଇଁ ପରବର୍ତ୍ତୀ କାର୍ଯ୍ୟ“, ସୁବ୍ରତ କୁମାର ପୃଷ୍ଟି ,ସୂର୍ଯ୍ୟପ୍ରଭା , 29.6.2017) |

ଓଡ଼ିଆ ଭାଷା ପାଇଁ ଶାସ୍ତ୍ରୀୟ ମାନ୍ୟତା ଦାବି ରଖିବାକୁ ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ବାରା ଓଡିଶା ସରକାର ଯେଉଁ ଯୁକ୍ତିପତ୍ର ଦଲିଲ ତିଆରି କରିଥିଲେ ତାହାକୁ ଉପରୋକ୍ତ ସଂସ୍ଥା କୌଶଳକ୍ରମେ ହଡ଼ଫ କରି ସାଂସଦ ରାମଚନ୍ଦ୍ର ଖୁଣ୍ଟିଆଙ୍କ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଦେଇ ନିଜକୁ ତହିଁର ପ୍ରସ୍ତୁତିକର୍ତ୍ତା ଓ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଲେଖକ ଦର୍ଶାଇ ଶାସ୍ତ୍ରୀୟ ମାନ୍ୟତା ଇତିହାସକୁ ବିଭ୍ରଷ୍ଟ କରିଛି ବୋଲି ଅଭିଯୋଗ ହୋଇଛି | ଦେବୀ ବାବୁଙ୍କ ମୁଖ୍ୟ ସହଯୋଗୀ ତଥା ଉପରୋକ୍ତ ଅଭିଯୁକ୍ତ ସଂସ୍ଥାର ସଦସ୍ୟ ସଚିବ ସୁବ୍ରତ କୁମାର ପୃଷ୍ଟି ଓଡ଼ିଆ ଭାଷା ପ୍ରତିଷ୍ଠାନ ଏପରି କୌଣସି ଦଲିଲ ପ୍ରସ୍ତୁତ କରିନଥିଲା ବୋଲି ଆସ୍ଫାଳନ କରିଛନ୍ତି (ଏଯନ) |

ଲେଖାଟି ଅନ୍ତ୍ରସଂଘାତରେ ଆକ୍ରାନ୍ତ ; କାରଣ ଏହି ଏକା ଲେଖାରେ ହିଁ ସେ ଲେଖିଛନ୍ତି ଯେ, ଏହି ଦଲିଲ ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ଯେଉଁ କମିଟି ଗଢ଼ିଥିଲେ ସେ ତହିଁରେ ଜଣେ ସଭ୍ୟ ଥିଲେ ଓ ଅଂଶଗ୍ରହଣ କରିଥିଲେ | ଯାହା ଦେଖାଯାଉଛି, ମିଛ କହି ମିଛକୁ ଘୋଡ଼ାଇବାକୁ ସେ ପୁନରପି ମିଛ କହିଛନ୍ତି |

ମିଛ ନମ୍ବର 1 :

ସେ ଲେଖିଛନ୍ତି , ରାଜ୍ୟ ସଂସ୍କୃତି ବିଭାଗ ଶାସ୍ତ୍ରୀୟ ମାନ୍ୟତା ପାଇଁ ରିପୋର୍ଟ ପ୍ରସ୍ତୁତ କରିବାକୁ ଯେଉଁ କମିଟି ଗଢ଼ିଥିଲେ ସେହି “କମିଟିର 16.2.13 ତାରିଖ ବୈଠକରେ ଭାଷା ପ୍ରତିଷ୍ଠାନକୁ ମିଳିଥିବା 7ଟି ପ୍ରବନ୍ଧ ପରୀକ୍ଷା କରି ରାଜକିଶୋର ମିଶ୍ର ମତ ଦେଲେ ଯେ, ଏହାକୁ ନେଇ ଭିତ୍ତିପତ୍ର ପ୍ରସ୍ତୁତ କରିବା ଅସମ୍ଭବ |” ଏହା ଏକ ମିଛ କଥା ଏଇଥିପାଇଁ ଯେ, ଭାଷା ପ୍ରତିଷ୍ଠାନର ଏହି ବୈଠକର ବିବରଣୀରେ ଏ କଥା ଆଦୌ ଉଲ୍ଲେଖ ନାହିଁ |

ମିଛ ନମ୍ବର 2 :

ପୃଷ୍ଟି ବାବୁ ଲେଖିଛନ୍ତି, “ଶାସ୍ତ୍ରୀୟତା ବହି ଲେଖକ ବୋଲି ଦାବି କରୁଥିବା ଜଣେ ସଦସ୍ୟ 6.3.13 ତାରିଖ ବୈଠକରେ ଓଡ଼ିଆରେ ଲିଖିତ 20 ପୃଷ୍ଠାର ଏକ ତଥ୍ୟାହୀନ ପ୍ରବନ୍ଧ ପାଠ କରିବା ପରେ ଏହାର ଅନାବଶ୍ୟକତାକୁ ଉପସ୍ଥିତ ସଂସ୍କୃତି ସଚିବ, ସାହିତ୍ୟ ଏକାଡେମୀ ସଭାପତିଙ୍କ ସମେତ ଅନ୍ୟ ସଦସ୍ୟ ଅନୁଭବ କଲେ | ଏହି ଦିନ କେନ୍ଦ୍ର ସାହିତ୍ୟ ଏକାଡେମୀକୁ ପୁର୍ବପ୍ରଦତ୍ତ ଭିତ୍ତିପତ୍ର ସୁବ୍ରତ ପୃଷ୍ଟି ପାଠ କଲେ | ଏହାକୁ ମୂଳ ଭିତ୍ତିପତ୍ର ଭାବରେ ଗ୍ରହଣ କରାଯାଇ ଏହାର ପରୀକ୍ଷା ନୀରିକ୍ଷା ପାଇଁ ଏକ ଉପସମିତି ଗଠିତ ହେଲା |” ଭାଷା ପ୍ରତିଷ୍ଠାନର ଏହି ବୈଠକର ବିବରଣୀ ମୁଁ ଅନୁଧ୍ୟାନ କଲି | ତହିଁରେ ଲେଖା ଅଛି , “ସଭାପତିଙ୍କ ଅନୁରୋଧ କ୍ରମେ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଓଡ଼ିଆ ଭାଷାର ଶାସ୍ତ୍ରୀୟତା ସମ୍ପର୍କରେ ତାଙ୍କ ପ୍ରସ୍ତୁତ ବିବରଣୀର ସାରାଂଶ ପାଠ କରିଥିଲେ ଏବଂ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ଦ୍ବାରା ପ୍ରସ୍ତୁତ ରିପୋର୍ଟ ଡ଼. ସୁବ୍ରତ କୁମାର ପୃଷ୍ଟି ପାଠ କରିଥିଲେ |” ଅତଏବ , ପୃଷ୍ଟି ମିଛ କହିଛନ୍ତି | “କେନ୍ଦ୍ର ସାହିତ୍ୟ ଏକାଡେମୀକୁ ପୁର୍ବପ୍ରଦତ୍ତ ଭିତ୍ତିପତ୍ର ସୁବ୍ରତ ପୃଷ୍ଟି ପାଠ କରିଥିଲେ” ବା ସେ ନାଁ ଲେଖିବାକୁ ସାହସ କରିନଥିବା ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ପ୍ରବନ୍ଧର “ଅନାବଶ୍ୟକତାକୁ ଉପସ୍ଥିତ ସଂସ୍କୃତି ସଚିବ, ସାହିତ୍ୟ ଏକାଡେମୀ ସଭାପତିଙ୍କ ସମେତ ଅନ୍ୟ ସଦସ୍ୟ ଅନୁଭବ କଲେ” ବୋଲି ଏହି ବିବରଣୀରେ ଆଦୌ ନାହିଁ |

ବସ୍ତୁତଃ “କେନ୍ଦ୍ର ସାହିତ୍ୟ ଏକାଡେମୀକୁ ପୁର୍ବପ୍ରଦତ୍ତ ଭିତ୍ତିପତ୍ର” ଶୀର୍ଷକ କୌଣସି ଭିତ୍ତିପତ୍ର ଓଡ଼ିଆ ଭାଷା ପ୍ରତିଷ୍ଠାନ ସମ୍ମୁଖରେ ନ ଥିଲା | ଯେଉଁ ଭିତ୍ତିପତ୍ରଗୁଡିକ ଥିଲା ସେଗୁଡିକ ସଂଖ୍ୟାରେ ସତର | ଯଥା : (1) ଶାସ୍ତ୍ରୀୟ ଭାଷା ଅଧିସୂଚନା ମାନ୍ୟତାରେ ଓଡ଼ିଆ ଭାଷାର ଶାସ୍ତ୍ରୀୟତା , ଲେଖକ – ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର (ପୃଷ୍ଠା ସଂଖ୍ୟା 28) , (2) ଭରତମୁନିଙ୍କ ନାଟ୍ୟ ଶାସ୍ତ୍ରର ଉଡ୍ର ବିଭାଷା ହିଁ ଓଡ଼ିଆ ଭାଷା , ଲେଖକ – କୀର୍ତ୍ତନ ନାରାୟଣ ପାଢ଼ୀ (ପୃଷ୍ଠା ସଂଖ୍ୟା 28), (3) ଓଡ଼ିଆ ଭାଷା :ଐତିହ୍ୟ ଓ ଇତିହାସ , ଲେଖକ – ଡ଼. ବସନ୍ତ କୁମାର ପଣ୍ଡା (ପୃଷ୍ଠା ସଂଖ୍ୟା 21), (4) ଓଡ଼ିଆ ଭାଷାର ବୈଶିଷ୍ଟ୍ୟ (ଧ୍ବନୀ ,ରୂପ ,ବାକ୍ୟ , ଲୋକକଥା) ଲେଖକ – ଡ଼. କୈଳାସ ଚନ୍ଦ୍ର ଟୀକାୟତରାୟ (ପୃଷ୍ଠା ସଂଖ୍ୟା 13), (5) ଜଗନ୍ନାଥ ମନ୍ଦିରରେ ପ୍ରଚଳିତ ଓଡ଼ିଆ ଭାଷାର ପ୍ରାଚୀନତା , ଲେଖକ – ଡ଼. ବିଜୟ ପ୍ରସାଦ ମହାପାତ୍ର (ପୃଷ୍ଠା ସଂଖ୍ୟା 21) ଇତ୍ୟାଦି | ଦୁଇ ସଂଖ୍ୟକ ପୃଷ୍ଠା ଥିବା ଅନ୍ୟ ଭିତ୍ତିପତ୍ରଗୁଡ଼ିକର ଲେଖକମାନେ ଥିଲେ ଡ଼. ସଦାନନ୍ଦ ନାୟକ, ଡ଼. ଦଧିବାମନ ମିଶ୍ର , ଡ଼. ଆଶୁତୋଷ ପଟ୍ଟନାୟକ ଓ ସୁବ୍ରତ କୁମାର ପୃଷ୍ଟି | ଏକକ ସଂଖ୍ୟକ ପୃଷ୍ଠା ଥିବା ଭିତ୍ତିପତ୍ର ଗୁଡ଼ିକର ଲେଖକମାନେ ଥିଲେ ଉଦୟନାଥ ସାହୁ, ଡ଼. ଖଗେଶ୍ବର ମହାପାତ୍ର, ଡ଼.ବସନ୍ତ କୁମାର ପଣ୍ଡା, ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ଡ଼. ନଟବର ଶତପଥୀ | ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ନିବନ୍ଧଟି ମାତ୍ର ତିନି ପୃଷ୍ଠାର ଥିଲା, ଯାହାକୁ ତାଙ୍କ ତରଫରୁ ପାଠ କରିଥିଲେ ସୁବ୍ରତ କୁମାର ପୃଷ୍ଟି |

ଅତଏବ, ଶାସ୍ତ୍ରୀୟ ମାନ୍ୟତା ପାଇଁ ବ୍ୟବହୃତ ଏହି ନିବନ୍ଧଗୁଡ଼ିକ ମଧ୍ୟରୁ ଦେବୀ ବାବୁଙ୍କ ନିବନ୍ଧ ଗୋଟିଏ |

“ଶାସ୍ତ୍ରୀୟ ମାନ୍ୟତା ବିଷୟକ ଗବେଷଣା କମିଟି ସଦସ୍ୟ” ଭାବେ 26.10.2012 ତାରିଖରେ ଯେଉଁମାନଙ୍କ ନାମ ଘୋଷଣା କରିଥିଲା ଭାଷା ପ୍ରତିଷ୍ଠାନ, ସେମାନଙ୍କ ଭିତରେ ଦେବୀ ବାବୁ ନ ଥିଲେ | ଏପରିକି ସମ୍ପାଦନା ମଣ୍ଡଳୀରେ ବି ତାଙ୍କ ନାମ ନ ଥିଲା | ଅଧ୍ୟାପକ ହରିହର କାନୁନଗୋଙ୍କୁ ପ୍ରତିଷ୍ଠାନର ନିର୍ଦ୍ଦେଶକ ପଦରୁ ରାତି ଅଧିଆ ବଦଳି କରାଯାଇ ପ୍ରତିଷ୍ଠାନର ଜଣେ କର୍ମଚାରୀଙ୍କୁ ତାଙ୍କ ସ୍ଥାନରେ ରଖାଗଲା ପରେ ଏହି କମିଟୀରୁ ଡ଼. ନଟବର ଶତପଥୀଙ୍କୁ ବିଦା କରାଯାଇ ଦେବୀ ବାବୁଙ୍କୁ ନିଆଗଲା | ନଟବର ବାବୁଙ୍କ ଆଶଙ୍କା ଯେ , ତାଙ୍କୁ ଜାଣିଶୁଣି ବିଦା କରିଦିଆଗଲା କମିଟୀରୁ | ତହିଁର କାରଣ ଯେ ତାଙ୍କୁ ଜଣା ନାହିଁ ତା ନୁହେଁ | ଯେଉଁମାନଙ୍କ ଷଡ଼ଯନ୍ତ୍ର ହେତୁ ସେ ଏହି କମିଟୀରୁ ବାଦ ପଡ଼ିଗଲେ , ସମୟର କୂଟଚକ୍ରରେ ପଡ଼ି ସେହିମାନଙ୍କ ସଂସ୍ଥାରେ ସେ ମୁତୟନ ଅଛନ୍ତି | ତେଣୁ ସେ ଅନେକ କଥା ଓ ବ୍ୟଥା ଲୁଚାଇ ରଖିଛନ୍ତି | ବିଧିବଦ୍ଧ ତଦନ୍ତ ହେଲେ ତାହା ପଦାକୁ ଆସିପାରେ |

ସେ କହିଛନ୍ତି ଯେ, ଶାସ୍ତ୍ରୀୟ ମାନ୍ୟତା କଥା କାହା ମୁଣ୍ଡରେ ଢୁକିବା ପୂର୍ବରୁ, ସେ ପ୍ରଥମେ ସେଥିପାଇଁ ଉଦ୍ୟମ କରିଥିଲେ | ତାଙ୍କ ପ୍ରଚେଷ୍ଟାରେ ସମାଜ କାଗଜର ତଦାନୀନ୍ତନ ସମ୍ପାଦକଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବରରେ ଏକ ବୈଠକ ବସି ଶାସ୍ତ୍ରୀୟ ମାନ୍ୟତା ବିଷୟରେ ଏକ ପ୍ରାଥମିକ ରିପୋର୍ଟ ତିଆରି କରିବାକୁ ନିଷ୍ପତ୍ତି ହୋଇଥିଲା | ତଦନୁଯାୟୀ ସୁବ୍ରତ ଓ ସେ ମିଶି ଯେଉଁ ରିପୋର୍ଟ କରିଥିଲେ, ତହିଁର ଗୁରୁତ୍ବ ଥିବା ହେତୁ , ଭାଷା ପ୍ରତିଷ୍ଠାନ କମିଟିର ସଭ୍ୟ ହୋଇଥିଲେ ମଧ୍ୟ ସେ ସମ୍ପର୍କରେ ସେ କାହାକୁ କିଛି କହି ନଥିଲେ (“ପୂର୍ବରୁ ସୁବ୍ରତ ଓ ମୁଁ ଯେଉଁ ଲେଖା ପ୍ରସ୍ତୁତ କରିଥିଲୁ ସେ ବିଷୟ କାହାରିକୁ ସୂଚାଇ ନଥିଲୁ”- ନଟବର ଶତପଥୀ,ସାହିତ୍ୟ ମନ୍ଥନ, ସଂ. ଅସିତ ମହାନ୍ତି ପୃ. 166) | ସେ ପୁଣି କହିଛନ୍ତି, “ଅକସ୍ମାତ ଦିନେ ରାମଚନ୍ଦ୍ର ଖୁଣ୍ଟିଆ ସୁବ୍ରତ ସହ ଦେଖା ହେଲେ ଓ ସୁବ୍ରତ ଠାରୁ ଆମର ଲେଖା ବିଷୟ ଶୁଣି ତା ମାଧ୍ୟମରେ ମୋତେ ଡକାଇଲେ | ମୁଁ ଓ ସୁବ୍ରତ ପହଂଚି ତାଙ୍କୁ 80 ପୃଷ୍ଠାର ଲେଖାଟି ଦେଲୁ, ଦେଖିବା ପାଇଁ | ସେ ଆମକୁ ନ ଜଣାଇ ସେଇଟି କେନ୍ଦ୍ର ସରକାରଙ୍କ ପାଖରେ ପହଙ୍ଚାଇଲେ ଓ ପରେ ପରେ ବାରମ୍ବାର ବିଭିନ୍ନ ସ୍ତରରେ ପ୍ରଶ୍ନ ଉଠାଇଲେ | ସେ ଦାଖଲ କରିଥିବା ଲେଖାଟି ଥିଲା ଅସଂପୁର୍ଣ, ଆବଶ୍ୟକ ତଥ୍ୟ ବିହୀନ | ମୋର ଯାହା ଧାରଣା , ତାକୁ ହିଁ ଭିତ୍ତିକରି କେନ୍ଦ୍ର ସରକାର (ଏକାଡେମୀ) ରାଜ୍ୟ ସରକାରଙ୍କୁ ପତ୍ର ଲେଖିଲେ |” (ଏଯନ) | ଏଥିରୁ ଏହା ହିଁ ଜାଣି ହୁଏ ଯେ , “ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ଦ୍ବାରା ପ୍ରସ୍ତୁତ ରିପୋର୍ଟ ଡ଼. ସୁବ୍ରତ କୁମାର ପୃଷ୍ଟି ପାଠ କରିଥିଲେ” ବୋଲି 6.3.13 ତାରିଖର ଭାଷା ପ୍ରତିଷ୍ଠାନ ବିବରଣୀରେ ଯାହା ଲେଖା ହୋଇଛି ତାହା ଯଦି ଦେବୀ ବାବୁଙ୍କ ଉପରୋକ୍ତ ତିନି ପୃଷ୍ଠିଆ ଲେଖାଟି ବଦଳରେ, ସୁବ୍ରତ ପୃଷ୍ଟିଙ୍କ ଭାଷାରେ “କେନ୍ଦ୍ର ସାହିତ୍ୟ ଏକାଡେମୀକୁ ପୁର୍ବପ୍ରଦତ୍ତ ଭିତ୍ତିପତ୍ର” ହୋଇ ଥାଏ , ତେବେ ତାହା ଦେବୀ ବାବୁଙ୍କ ଦ୍ବାରା ଲିଖିତ ଲେଖା ନୁହେଁ, ନଟବର ଶତପଥୀଙ୍କ ଦ୍ବାରା ତାଙ୍କ କମ୍ପୁଟରରେ ଲିଖିତ ଲେଖା (“ମୋ କମ୍ପୁଟରରେ ତାହା ଏବେ ମଧ୍ୟ ରହିଛି” – ନଟବର ଶତପଥୀ -ଏଯନ) | ଦେବୀ ବାବୁଙ୍କ ଦ୍ବାରା ଏପରି ଏକ ସାଂସ୍କୃତିକ ରାହାଜାନିର ଆଶଙ୍କା ହୁଏତ କରୁଥିଲେ ନବବର ଶତପଥୀ ; କାରଣ ସେ ସ୍ପଷ୍ଟତଃ ଲେଖିଛନ୍ତି , “ମୁଁ ସୁବ୍ରତକୁ ବରାବର ମନା କଲି , ଦେବୀ ବାବୁ ଯେଉଁ ରିପୋର୍ଟ କଥା କହୁଛନ୍ତି ସେଇଟି ଦେବା ଅନୁଚିତ | ତୁ ଆଦୌ ରାଜି ହେବୁନାହିଁ , ବା ତୋ ପାଖରେ ଥିବା କପି ଦେବୁନାହିଁ ” (ଏଯନ, ପୃ – 167) | ଏ ସମସ୍ତ ତଥ୍ୟ ସର୍ବାଗ୍ରେ ଉଦ୍ଧୃତ୍ତ “ଶାସ୍ତ୍ରୀୟ ଓଡ଼ିଆ ପାଇଁ ପରବର୍ତ୍ତୀ କାର୍ଯ୍ୟ” ଲେଖାରେ ତହିଁର ଲେଖକ ରଖିଥିବା ନମ୍ବର-2 ମିଛ ପ୍ରତି ଅଂଗୁଳି ନିର୍ଦ୍ଦେଶ କରୁଛି ଅତି ସୁଦୃଢ଼ ଭାବେ |

ମିଛ ନମ୍ବର 3 :

ସୁବ୍ରତ ବାବୁଙ୍କ ନିବନ୍ଧରେ ଲେଖା ଅଛି , “ସାଂସଦ ଶ୍ରୀଯୁକ୍ତ ଖୁଣ୍ଟିଆ ନିଜ ବ୍ୟସ୍ତ ବହୁଳ ରାଜନୈତିକ କାର୍ଯ୍ୟକ୍ରମ ଭିତରେ 8.5.13ରେ ଦଳମତ ନିର୍ବିଶେଷରେ 16 ଜଣ ସାଂସଦଙ୍କ ସ୍ବାକ୍ଷରରେ ପୂର୍ଣ୍ଣାଙ୍ଗ ଭିତ୍ତିପତ୍ରରୁ 5ଟି ବହି କେନ୍ଦ୍ର ସାହିତ୍ୟ ଏକାଡେମୀକୁ ପ୍ରଦାନ କଲେ |”

ଶ୍ରୀ ରାମଚନ୍ଦ୍ର ଖୁଣ୍ଟିଆ Classical Odia ନାମକ ଯେଉଁ ବହିଟି KIS Foundation ଦ୍ବାରା ପ୍ରକାଶ କରିଛନ୍ତି , ଯହିଁରେ ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ସୁବ୍ରତ କୁମାର ପୃଷ୍ଟିଙ୍କ ମିଳିତ ମୁଖ୍ୟ ତତ୍ତ୍ବାବଧାନରେ ତାହା ଓଡ଼ିଆ ଅଧ୍ୟୟନ ଓ ଗବେଷଣା ପ୍ରତିଷ୍ଠାନ ଦ୍ବାରା ପ୍ରସ୍ତୁତ ଓ ଡ଼.ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ଦ୍ବାରା ଲିଖିତ ବୋଲି କୁହା ହୋଇଛି , ତହିଁର 335 ପୃଷ୍ଠାରୁ 370 ପୃଷ୍ଠା ପର୍ଯ୍ୟନ୍ତ ସେ ପାର୍ଲିଆମେଣ୍ଟରେ ଉଠାଇଥିବା ପ୍ରଶ୍ନ ଓ କେନ୍ଦ୍ର ସାହିତ୍ୟ ଏକାଡେମୀରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନଙ୍କୁ ତଥା ପ୍ରଧାନ ମନ୍ତ୍ରୀଙ୍କୁ ଏ ବିଷୟରେ ଦେଇଥିବା ଓ ସେମାନଙ୍କ ଠାରୁ ପାଇଥିବା ସବୁ ଚିଠିର ଫଟୋଚିତ୍ର ସ୍ଥାନିତ ହୋଇଛି | ମାତ୍ର ତନ୍ମଧ୍ୟରେ 16 ଜଣ ସାଂସଦଙ୍କ ସ୍ବାକ୍ଷରରେ ସାହିତ୍ୟ ଏକାଡେମୀକୁ ଦିଆହୋଇଥିବା ପତ୍ରର ଚିହ୍ନବର୍ଣ୍ଣ ନାହିଁ | ଯଦି ପୃଷ୍ଟିଙ୍କ କଥା ସତ ହୋଇଥାନ୍ତା ତେବେ ସେପରି ଏକ ଗୁରୁତ୍ବପୂର୍ଣ ଦସ୍ତାବିଜ ଏ ବହିରେ ସୁନିଶ୍ଚିତ ସ୍ଥାନିତ ହୋଇଥାନ୍ତା | 8.5.13 ତାରିଖରେ ଶ୍ରୀ ଖୁଣ୍ଟିଆ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ସଚିବଙ୍କୁ ଦେଇଥିବା ଚିଠିଟିକୁ ଯଦି ପ୍ରକୃତ (genuine) ବୋଲି ଧରାଯାଏ, ତେବେ ଏହି ଚିଠିରେ ପାଞ୍ଚୋଟି କାଗଜ ସଂଲଗ୍ନକ ଓ ଫଟୋ ଦାଖଲ ହୋଇଥିଲା, “ପୂର୍ଣ୍ଣାଙ୍ଗ ଭିତ୍ତିପତ୍ରର 5ଟି ବହି” ନୁହେଁ | ଅତଏବ ସୁବ୍ରତ କୁମାର ପୃଷ୍ଟି ଉପରେ ଯାହା କହିଛନ୍ତି ତାହା ମିଛ |

ହାତ ସଫେଇ

ସୁବ୍ରତ ବାବୁ ଲେଖିଛନ୍ତି, “ଜୁନ 2 ତାରିଖରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଭୁବନେଶ୍ବର ଆସୁଥିବାରୁ ସେହିଦିନ ଏହି ଭିତ୍ତିପତ୍ର ପ୍ରଦାନ କରି ରାଜ୍ୟ ସରକାର ଶାସ୍ତ୍ରୀୟ ମାନ୍ୟତା ଦାବି କରିବେ ବୋଲି ନିଷ୍ପତ୍ତି ନିଆଗଲା | ମାତ୍ର ଏହାକୁ ମୁଦ୍ରଣ କରିବା ଦାୟିତ୍ବ ନେଇଥିବା ଏକ ପ୍ରକାଶନ ସଂସ୍ଥା ଭୁଲ ଭାବରେ ମୁଦ୍ରଣ କରିବାରୁ ମାନ୍ୟବର ରାଜ୍ୟ ସଂସ୍କୃତି ମନ୍ତ୍ରୀ ଏହି ବହିକୁ ଲୋକାର୍ପଣ କଲେ ସତ , ମାତ୍ର ତାହା ଆଉ କେନ୍ଦ୍ର ମନ୍ତ୍ରୀଙ୍କୁ ଦିଆ ଗଲା ନାହିଁ |” ଏ ବହି ସବୁ କୁଆଡେ ଗଲା ? ଏଇଠି ରହିଛି ହାତ ସଫେଇ |

କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଚନ୍ଦରେଶ କୁମାରୀ କାଟୋଚ ଶ୍ରୀ ଖୁଣ୍ଟିଆଙ୍କ ଠାରୁ 10.6.2013ରେ ଶାସ୍ତ୍ରୀୟ ମାନ୍ୟତା ଯୁକ୍ତିପତ୍ର/ବହି ପାଇ ତାହାକୁ କେନ୍ଦ୍ର ସାହିତ୍ୟ ଏକାଡେମୀକୁ ପଠାଇ ଦେଇଥିବା D.O. No. 8-85/2012-Akademies ଦ୍ବାରା 3.7.13 ତାରିଖରେ ଜଣାଇଥିଲେ | ଜୁନ 2ର ହାତ ସଫେଇ ଜୁନ 10ର ପୁସ୍ତକ ପଇଠିକରଣରେ ରାମଚନ୍ଦ୍ର ଖୁଣ୍ଟିଆଙ୍କୁ ସାହାଯ୍ୟ କରିଛି |

ସିବିଆଇ ତଦନ୍ତରେ ଏହା ସଂପୂର୍ଣ୍ଣତଃ ପଦାକୁ ଆସିବ | ଅପରାଧ କରିଥିବା ଲୋକ ଯେତେ ଯୋର ଦେଇ କହିଲେ ବି ମିଛ କେବେ ସତ ହେବନାହିଁ | ଏବଂ ସତ୍ୟ ହେଲା : ଶାସ୍ତ୍ରୀୟ ଓଡ଼ିଆ ଦଲିଲ ଚୋରି ହୋଇଛି | ଏହା ଧରାହେବା ଦରକାର |

Comments

No comments yet.

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS

This site uses Akismet to reduce spam. Learn how your comment data is processed.