ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡିଶା ପ୍ରଦେଶ ସୃଷ୍ଟିରେ ସମ୍ବଲପୁରର ଅତୁଳନୀୟ ଅବଦାନର ଅବତାରଣା ମୁଁ କରିଛି ସାମ୍ପ୍ରତିକ ଓଡ଼ିଶାରେ ଓଡ଼ିଆ ଭାଷା ଅସ୍ମିତାର ପ୍ରଥମ ପୁସ୍ତକୀଭୂତ ପ୍ରତିବେଦନ ‘ସ୍ବତନ୍ତ୍ର ଓଡ଼ିଶା ସୃଷ୍ଟିରେ ଗଣମାଧ୍ୟମ’ ଶୀର୍ଷକ ମୋର ପୁସ୍ତକରେ । ବିଦେଶୀ ବିଲାତିଙ୍କ ଅଧସ୍ଥନ ଓଡ଼ିଶା ୧୯୩୬ରେ ଏକ ସ୍ବତନ୍ତ୍ର ପ୍ରଦେଶ ରୂପେ ଜନ୍ମ ନେଇଥିଲେ ମଧ୍ୟ ଏବର ଓଡ଼ିଶା ଜନ୍ମ ନେଇନଥିଲା । କାରଣ ଛବିଶ ଗଡ଼ଜାତ ଓ ସେମାନଙ୍କ ତେପନ କରଦ ଜମିଦାର ନିଆରା ଥିଲେ । ଢେଙ୍କାନାଳର ବୀର ବୈଷ୍ଣବ ଚରଣ ପଟ୍ଟନାୟକ , ଆଠଗଡର ବ୍ରଜକିଶୋର ପଟ୍ଟନାୟକ , ନୀଳଗିରିର ବନମାଳୀ ଦାସଙ୍କ ପରି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କେତେକ ତୀକ୍ଷ୍ନ ବିପ୍ଲବୀ ଗଡ଼ଜାତମାନଙ୍କରେ ରାଜନ୍ୟବାଦ ବିରୁଦ୍ଧରେ ଯେଉଁ ଭୀଷଣ ଆନ୍ଦୋଳନ ଆରମ୍ଭ କରିଥିଲେ ତାହାର ଅବଶ୍ୟମ୍ଭାବୀ ବିଜୟକୁ ଆଖିରେ ରଖି କିଛି ଅଣକମୁନିଷ୍ଟ ମଧ୍ୟ, ଯେଉଁମାନେ କି କଂଗ୍ରେସ ଓ ସମାଜବାଦୀ ଦଳରେ ନିଜ ନିଜ ପରିଚୟ ରଖିଥିଲେ, ରାଜଶାସନଵିରୋଧୀ ପ୍ରଜା ଆନ୍ଦୋଳନରେ ସାମିଲ ହୋଇଗଲେ । ଫଳରେ ରାଜତନ୍ତ୍ର ବିରୋଧୀ ଆନ୍ଦୋଳନ ଏତେ ସାର୍ବଜନୀନ ହୋଇଗଲା ଯେ, ଦେଶ ସ୍ଵାଧୀନ ହେବା ପରେ ପରେ ରାଜଗାଦି ଛାଡିବା ପାଇଁ ରାଜାମାନଙ୍କ ଉପରେ ଚାପ ପଡ଼ିଲା । ବୀର ବୈଷ୍ଣବଙ୍କ ନେତୃତ୍ବରେ ଏକ ସଶସ୍ତ୍ର କମ୍ୟୁନିଷ୍ଟ ସେନା ନିଜର ବଳ ପ୍ରୟୋଗ କରି ନୀଳଗିରିରେ ରାଜତନ୍ତ୍ର ଲୋପ ପାଇଁ ଆଗେଇଗଲେ । ଭୁବନେଶ୍ଵର ନିକଟସ୍ଥ ଘଞ୍ଚ ଜଙ୍ଗଲ ପରିଵୃତ୍ତ ମେଣ୍ଢାଶାଳରେ ପ୍ରତିଷ୍ଠିତ ହୋଇଥିଲା କମୁନିଷ୍ଟମାନଙ୍କ ସମର ଶିକ୍ଷା କେନ୍ଦ୍ର । ଅବସରପ୍ରାପ୍ତ ମେଜର ବିପୁଳ ଚୌଧୁରୀ ଥିଲେ ତାଲିମଦାତା । ବୀର ବୈଷ୍ଣବ ପଟ୍ଟନାୟକଙ୍କ ନେତୃତ୍ବରେ, ନନ୍ଦକିଶୋର ପଟ୍ଟନାୟକ (ଆଠଗଡ଼), ହରିହର ଦାସ (ଆସ୍କା), ସୟେଦ ଅବଦୁଲ କାଦର (ବାଲେଶ୍ଵର), ବେଣୁଗୋପାଳ ରାଓ (ବ୍ରହ୍ମପୁର) ଆଦି ହଜାରେ ସଶସ୍ତ୍ର କମ୍ୟୁନିଷ୍ଟ ରାଜତନ୍ତ୍ର କବଳରୁ ମାତୃଭୂମିକୁ ରକ୍ଷା କରିବା ପାଇଁ ମାଡିଗଲେ ନୀଳଗିରିଯାଏଁ । ସଶସ୍ତ୍ର ସଂଗ୍ରାମ ଦ୍ଵାରା ଓଡ଼ିଶାରେ ରାଜତନ୍ତ୍ର ଲୋପ ପାଇଁ କମ୍ୟୁନିଷ୍ଟମାନେ ଗରିଲାବାହିନୀ ତିଆରି କରିଥିବା ଜଣାପଡ଼ିଗଲା ପରେ କେନ୍ଦ୍ରର ପ୍ରଚଣ୍ଡ ଦକ୍ଷିଣପନ୍ଥୀ ସ୍ଵରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ପଟେଲ ସଶସ୍ତ୍ର କମ୍ୟୁନିଷ୍ଟ ବିପ୍ଲବର ସମ୍ପ୍ରସାରଣ ଅଟକାଇବାକୁ ଓଡ଼ିଶାର ରାଜାମହାରାଜାମାନେ କିପରି ଯଥାଶୀଘ୍ର ଓଡ଼ିଶାରେ ମିଶିଯିବେ ତା ପାଇଁ ଲାଗିପଡ଼ିଲେ ଓ ୧୯୩୬ରେ ଗଠିତ କ୍ଷୁଦ୍ରକାୟ ଉତ୍କଳର ପ୍ରଧାନମନ୍ତ୍ରୀ ଥିବା ଆଜନ୍ମ କମ୍ୟୁନିଷ୍ଟବିରୋଧୀ ହରେକୃଷ୍ଣ ମହତାବ ଏହି କାମରେ ପଟେଲଙ୍କ ମୁଖ୍ୟ ସହଯୋଗୀ ସାଜିଲେ । କମ୍ୟୁନିଷ୍ଟମାନଙ୍କ ନୀଳଗିରି ଆକ୍ରମଣ ଘଟଣାରେ ରାଜାମାନେ ଏତେ ଶଙ୍କାଗ୍ରସ୍ତ ହୋଇପଡ଼ିଥିଲେ ଯେ, ନିଜ ନିଜ ଜୀବନ ଓ ସମ୍ପତ୍ତି ବଞ୍ଚାଇବା ପାଇଁ ସେମାନେ ଓଡ଼ିଶାରେ ମିଶିଯିବାପାଇଁ ରାଜିହୋଇଗଲେ । ତା ୧୫.୧୨.୧୯୪୭ରେ ପ୍ରଥମ କିସ୍ତି ଚୁକ୍ତି ସ୍ଵାକ୍ଷର ହେଲା ଓ ୧.୧.୧୯୪୮ ବେଳକୁ ୨୫ଟି ଗଡ଼ଜାତ ରାଜ୍ୟ ଓଡ଼ିଶାରେ ମିଶିଯାଇଥିଲେ । ୧୯୪୯ ଜାନୁଆରୀ ପହିଲାରେ ମିଶିଲା ମୟୁରଭଞ୍ଜ । କିନ୍ତୁ ଏହା ମିଶିବା ସୁନିଶ୍ଚିତ ଥିବା ହେତୁ ସ୍ଵାଧୀନ ଭାରତର ପ୍ରଥମ ଉତ୍କଳ ଦିବସ – ୧୯୪୮ ଏପ୍ରିଲ ପହିଲା – ସୁଦ୍ଧା ଜନମାନସରେ ଏବର ଓଡ଼ିଶା ତାର ଅପାତତଃ ରୂପ ଧାରଣ କରିସାରିଥିଲା । ଉତ୍କଳ ପ୍ରଦେଶ ଗଡ଼ଜାତଗୁଡ଼ିକର ମିଶ୍ରଣ ଫଳରେ ହୋଇଯାଇଥିଲା ଓଡିଶା ।
ଜାତୀୟତାର ପ୍ରଶ୍ନ
ଗଡ଼ଜାତ, ମୋଗଲବନ୍ଦୀ ଓ ଆଦିମ ଅଧିବାସୀ ଅଧ୍ୟୁଷିତ ମାଳାଞ୍ଚଳରେ ବିଭକ୍ତ ଥିବା ହେତୁ ଯେଉଁ ଭୂଖଣ୍ଡରେ ଭିନ୍ନ ଭିନ୍ନ ଭୌଗୋଳିକ ଜାତୀୟତା ଲୋକଙ୍କୁ ଲୋକଙ୍କଠାରୁ ଭିନ୍ନ କରିରଖିଥିଲା, ସେହି ଭୂଖଣ୍ଡରେ ଏକ ଅଖଣ୍ଡ ସାଂସ୍କୃତିକ ଜାତୀୟତା ତହିଁର ସମସ୍ତ ଅଧିବାସୀମାନଙ୍କୁ ଏକ ଓ ଅଭିନ୍ନ ମଧ୍ୟ କରିଥିଲା । ଏହି ସାଂସ୍କୃତିକ ଜାତୀୟତାର ଜନ୍ମଭୂମି ଥିଲା ଉଡ୍ଡୀୟାନ, ଯାହା ଥିଲା ଆଧୁନିକ ସମ୍ବଲପୁର ଓ ସୋନପୁର ।
ସମ୍ବଲପୁରର ତଦାନୀନ୍ତନ ମୁଖ୍ୟ, ସିଦ୍ଧ ମହାତ୍ମା ଇଂଦ୍ରଭୂତି ବଜ୍ରଯାନ ସୃଷ୍ଟିକରି ବୁଦ୍ଧଙ୍କୁ ଜଗନ୍ନାଥ ରୂପ ଦେଇଥିଲେ ଓ ତାଙ୍କ ଭଉଣୀ , ସୋନପୁରର ତଦାନୀନ୍ତନ ରାଣୀ ଲକ୍ଷ୍ମୀଙ୍କରା ସହଜଯାନ ସୃଷ୍ଟିକରି ବଜ୍ରଯାନକୁ କେବଳ ସଶକ୍ତିକୃତ କରିଥିଲେ ତା ନୁହେଁ, ସମଗ୍ର ସୃଷ୍ଟି ହିଁ ମାତୃକୈନ୍ଦ୍ରିକ ବୋଲି ସାବ୍ୟସ୍ତ କରି ବୌଦ୍ଧ ମାତୁରାଧିକାରର ରୁପକଳ୍ପ ଭାବେ ଜଗନ୍ନାଥଙ୍କୁ ଜନପ୍ରିୟ କରାଇଥିଲେ ।
ସୋନପୁରରେ ପରିସୃଷ୍ଟ ସହଜଯାନ ତତ୍ତ୍ଵର ଗଭୀରତାରେ ବଜ୍ରଯାନ ପରିସୃଷ୍ଟ ଶ୍ରୀଜଗନ୍ନାଥଙ୍କୁ ନିମଜ୍ଜିତ ଓ ପରିମାର୍ଜିତ କରାହୋଇଥିବା ହେତୁ ସୋନପୁରରେ ଜଗନ୍ନାଥ ପାତାଳି ହୋଇଥିବା କଥା କୁହାଯାଏ । ତେଣୁ ଜଗନ୍ନାଥ ତତ୍ତ୍ଵ ହେଉଛି ଉଡ୍ଡୀୟାନ ତତ୍ତ୍ଵ ଯାହା ଉଡ୍ଡୀୟାନ ତନ୍ତ୍ର ଭାବେ ବି ବିଦିତ ।
ଏହି ତନ୍ତ୍ରାନୁସାରେ ଏବେ ବି ଜଗନ୍ନାଥ ପରିପୂଜିତ ଓ ଏଥିର ମୈଥୁନବାଦ ହିଁ ମହାପ୍ରସାଦ ପ୍ରସ୍ତୁତିର ମୂଳାଧାର ।
ଯେଉଁ ଯେଉଁ ଅଂଚଳର ବାସିନ୍ଦାମାନେ ଏହି ମୈଥୁନବାଦ ବା ଉଡ୍ଡୀୟାନ ତନ୍ତ୍ର ମାନୁଥିଲେ , ସେହି ସେହି ଅଂଚଳ ଭିନ୍ନ ଭିନ୍ନ ଭୌଗୋଳିକ ଜାତୀୟତା ସତ୍ତ୍ବେ ଗୋଟିଏ ଅଭିନ୍ନ ସାଂସ୍କୃତିକ ଜାତୀୟତା ସୂତ୍ରରେ ସମୃଦ୍ଧ ଥିଲା ଓ ସେମାନେ ଉଡ୍ଡୀୟାନ ତନ୍ତ୍ର ଅନୁସାରେ ନିଜକୁ ଓଡ଼ିଆ ବୋଲି ଚିହ୍ନିତ କରୁଥିଲେ ଓ ଯେଉଁ ଭାଷା କହୁଥିଲେ ତାହା ପ୍ରତ୍ନ ଓଡ଼ିଆ ଭାବେ ବିଦିତ, ଯହିଁରୁ ଆଧୁନିକ ଓଡ଼ିଆ ଭାଷାର ଉଭୁତ୍ତି ।
ଆମ ଭୌଗୋଳିକ ଜାତୀୟତାର ବିଭିନ୍ନତା ନେଇ ଯେତେବେଳେ ଧୂର୍ତ୍ତ ଵିଲାତିଏ ଆମ ଏହି ସାଂସ୍କୃତିକ ଜାତୀୟତାରେ ହସ୍ତକ୍ଷେପ କଲେ , ଆମକୁ ଭିନ୍ନ ଭାଷାଭାଷୀ ପଡ଼ୋଶୀ ପ୍ରଦେଶରେ ଖୁନ୍ଦି ଦେଇ ସେଠାରେ ଭାଷା ଭିତ୍ତିରେ ଆମକୁ ସଂଖ୍ୟାଲଘୁ କରାଇଦେଲେ ଓ ସେମାନଙ୍କ ଅଣଓଡ଼ିଆ ଭାଷାରେ ଚାଲିଥିବା ଶାସନର ଜୁଲୁମ ସହିବାକୁ ଆମକୁ ବାଧ୍ୟ କରାଗଲା , ଆମ ସୁନ୍ଦର ଭାଷା ସମ୍ମୁଖୀନ ହେଲା ଏକ ନାହିଁନଥିବା ସଙ୍କଟର , ସେତେବେଳେ ଆମ ଭାଷାର ବୈଶିଷ୍ଟ୍ୟ ରକ୍ଷା କରିବା ପାଇଁ ଆମ ଭାଷାରେ ଆମ ପ୍ରଶାସନିକ କର୍ମନିର୍ବାହ ସକାଶେ ଆମ ପୁର୍ବପୁରୁଷେ ଦାବିକଲେ । ଏ ଦାବି ଗଞ୍ଜାମର ଘୁମୁସରରେ ଦୀନବନ୍ଧୁ ପଟ୍ଟନାୟକଙ୍କ ନେତୃତ୍ବରେ ପ୍ରଥମେ ଉତ୍ଥାପିତ ହୋଇଥିବା ବେଳେ, ସମ୍ବଲପୁର ହୋଇଉଠିଥିଲା ଓଡ଼ିଆ ଭାଷା ଜାତୀୟତାର ପ୍ରାଣକେନ୍ଦ୍ର । କୁଳଗୌରବ ମଧୁସୂଦନ ଦାସଙ୍କୁ ଶକ୍ତି ଯୋଗାଇଥିଲା ସମ୍ବଲପୁର । ଭାଷା ଜାତୀୟତାର ମହାପ୍ଲାବନ ଖେଳିଯାଇଥିଲା ସମଗ୍ର ଓଡ଼ିଆ ଭାଷାଭାଷୀ ଅଂଚଳରେ ଓ ନାନାବିଧ ପ୍ରଶାସନିକ ଅନୁସନ୍ଧାନ ଓ ନିର୍ଣ୍ଣୟ ଶେଷରେ ସୃଷ୍ଟି ହୋଇଥିଲା ଭାରତର ପ୍ରଥମ ଏଇ ଭାଷା ଭିତ୍ତିକ ରାଜ୍ୟ ।
ଏଇଠି ଉଲ୍ଲେଖ କରାଯାଇପାରେ ଯେ, ଓଡ଼ିଆ ଭାଷା ଜାତୀୟତାର ପରିସ୍ଫୁଟନ ବେଳକୁ ଓଡ଼ିଆ ଭାଷାଭାଷୀମାନେ ବିଲାତି ଶାସନକୁ ମାନିନେଇ ସାରିଥିଲେ ଓ ବିଲାତ ରାଣୀଙ୍କୁ ନିଜ ଶାସନକର୍ତ୍ତ୍ରୀ ବୋଲି ବି ଗ୍ରହଣ କରିସାରିଥିଲେ । ଏହା ଥିଲା ଆମ ଲୋକଙ୍କ ଲୌକିକ ଅଭ୍ୟାସ ଅନୁରୂପ । ଇତିହାସର ସଠିକ ପଠନ ପାଇଁ ତହିଁ ପ୍ରତି ସାମାନ୍ୟ ଦୃଷ୍ଟିପାତ କରାଯାଇପାରେ ।
ଯେ ବି ଶାସକ ହେଉ ମଣିଷ ପ୍ରଜା
ଆଗେ ସ୍ଵାର୍ଥସର୍ବସ୍ଵ ନୃଶଂସ ଲୋକେ ଜନସାଧାରଣରେ ସଂତ୍ରାସ ସୃଷ୍ଟି କରି ନିଜ ନିଜକୁ ରାଜା ମହାରାଜା ବୋଲାଉଥିଲେ ଓ ସେମାନଙ୍କ ପାଳିତ ବାହୁବଳୀମାନେ ସେହି ତଥାକଥିତ ଶାସନକର୍ତ୍ତାଙ୍କ କବଳରୁ ମୁକ୍ତି ପାଇଁ ଉଦ୍ୟମ କରୁଥିବା ଲୋକଙ୍କୁ ଭୟଙ୍କର ନିର୍ଯ୍ୟାତନା ଦେଇ, କାରାଗାରରେ ନିକ୍ଷେପ କରି, ଅଥବା ହତ୍ୟା କରି ଶାସନ ବ୍ୟବସ୍ଥାକୁ କାଏମ ରଖୁଥିଲେ । ଏହି ରାଜନ୍ୟ ବ୍ୟବସ୍ଥା ଭିତରେ ଜମିଦାରୀ ବ୍ୟବସ୍ଥା ବି ମୁଣ୍ଡ ଟେକିଥିଲା ଯେଉଁଠି ନିର୍ଦ୍ଦିଷ୍ଟ ଜମିଦାର ନିର୍ଦ୍ଦିଷ୍ଟ ଇଲାକାର ବାସିନ୍ଦାମାନଙ୍କଠାରୁ ମନ ଇଛା କର ଟିକସ ଆଦାୟ କରି ତହିଁର ନିର୍ଦ୍ଦିଷ୍ଟ ଅଂଶ ରାଜା ବା ମହାରାଜାଙ୍କୁ ଦେଇ ଅବଶିଷ୍ଟ ନିଜେ ରଖି ଆଖିଝଲସା ଜୀବନ ଯାପନ କରୁଥିଲା । ଏହି ରାଜା ବା ଜମିଦାରଙ୍କ ଭିନ୍ନ ଅନ୍ୟ ସମସ୍ତେ ଥିଲେ ପ୍ରଜା ।
ପ୍ରଜାମାନଙ୍କ ଭିତରେ ଯଦି କେହି କାହା ଉପରେ ଅତ୍ୟାଚାର କଲା, ତେବେ ଅତ୍ୟାଚାରୀକୁ କଠିନ ଦଣ୍ଡ ଦିଆଯାଉଥିଲା । ଫଳରେ ଅତ୍ୟାଚାରିତ ଲୋକ ଭାବୁଥିଲା କି , ରାଜା ବା ଜମିଦାରଙ୍କ ହେତୁ ସେ ନିରାପଦ ଅଛି ଓ ସେହି ଶାସନତନ୍ତ୍ରର ପ୍ରଜା ହୋଇରହିବାକୁ ପସନ୍ଦ କରୁଥିଲା ।
କିନ୍ତୁ ଅତ୍ୟାଚାରୀ ପ୍ରଜାକୁ ଦଣ୍ଡଦେବା ମୂଳରେ ଥିଲା ସେହି ଅତ୍ୟାଚାରୀ ପ୍ରଜା ପାଇଁ ରାଜାର ଭୟ ।
ସାଧାରଣତଃ ଦେହବଳୁଆ ଲୋକେ ଦୁର୍ବଳ ଲୋକ ଉପରେ ଅତ୍ୟାଚାର କରିଥାନ୍ତି । ତେଣୁ ଅତ୍ୟାଚାରୀ ପ୍ରଜାକୁ କଠିନ ଦଣ୍ଡ ନ ଦେଲେ କାଳେ ସେ କେତେବେଳେ ନିଜ ବାହୁବଳରେ ରାଜଗାଦି ଦାଖଲ କରିନେବ – ଏହି ଭୟ ଥିଲା ଅତ୍ୟାଚାରୀ ପ୍ରଜା ଉପରେ ଦଣ୍ଡବିଧାନର ଏକମାତ୍ର କାରଣ । ଅତ୍ୟାଚାରୀ ଓ ଅତ୍ୟାଚାରିତ – ଉଭୟଙ୍କଠାରୁ ଟିକସ ଆଦାୟକରି ସେହି ପଇସାରେ ମୌଜମଜଲିସ କରିବା ଓ ନିଜ ସମ୍ପତ୍ତି ବଢାଇବା ଥିଲା ରାଜା ଜମିଦାରଙ୍କର ଏକମାତ୍ର ଲକ୍ଷ୍ୟ ।
ଏଥିପାଇଁ ପ୍ରତିଦ୍ବନ୍ଦିତା ଚାଲି ରାଜ୍ୟ ଦଖଲ ବା ରାଜ୍ୟ ବିସ୍ତାର ହେଉଥିଲା । ଏହି ପ୍ରଣାଳୀରେ ଶାସନକର୍ତ୍ତା ବଦଳିଯାଉଥିଲେ, କିନ୍ତୁ ସାଧାରଣ ଲୋକେ ଯଥା ପୂର୍ବଂ ତଥା ପରଂ ପ୍ରଜା ହୋଇ ରହୁଥିଲେ ଓ ଅଧିକରୁ ଅଧିକ ଟିକସ ଦେଇ ରାଜ୍ୟାଧିପତିଙ୍କ ରାଜକୋଷ ପୁଷ୍ଟ କରିଚାଲିଥିଲେ ।
ଏହି ଧାରା ଓଡ଼ିଶାରେ ବି ବଳବତ୍ତର ଥିଲା । ଓଡ଼ିଆଭାଷାଭାଷୀ ଭୂଖଣ୍ଡର ଲୋକେ ରାଜା ଜମିଦାରଙ୍କୁ ଟିକସ ଦେଉଥିଲେ, ମୋଗଲଙ୍କୁ ଦେଉଥିଲେ, ମରହଟ୍ଟାଙ୍କୁ ଦେଉଥିଲେ ଓ ବ୍ରିଟିଶକୁ ଦେଉଥିଲେ । ଯିଏ ଯେତେବେଳେ ଯେଉଁଠି ଶାସନକର୍ତ୍ତା ହେଲା ତାକୁ ତା ଦାବି ଅନୁସାରେ ଟିକସ ଦେଉଥିଲେ ଓ ଶାସନକର୍ତ୍ତାଙ୍କ ଅନୁବର୍ତ୍ତୀ ହୋଇ ଭାଗ୍ୟ ଆଦରି ପଡ଼ିଥିଲେ । ଯେ କୌଣସି ଶାସକର କ୍ଷମତା ବଳୟରେ ଥିବା ଭୂଖଣ୍ଡରେ ରହିଲେ ବି ଏହି ଏକା ଦଶା ଅଲଂଘ୍ୟ ଥିଲା , ଏବେ ବି ଅଛି ।
ଏହି ଚିରସ୍ଥାୟୀ ଦଶା ଯେତେବେଳେ ଯେ କୌଣସି ଶାସନରେ ଅପରିବର୍ତ୍ତନୀୟ, ସେତେବେଳେ ଓଡ଼ିଶା ପ୍ରଦେଶ ସୃଷ୍ଟି ପାଇଁ ଓଡ଼ିଆ ଲୋକେ ଏତେ ଆନ୍ଦୋଳନ କରିଥିଲେ କାହିଁକି ?
ଓଡ଼ିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟ
ଶାସନକର୍ତ୍ତା ଯିଏ ବି ହୁଅନ୍ତୁ, ଶାସନର ଭାଷା ହେଉ ଓଡ଼ିଆ – କେବଳ ଏହି ଗୋଟିକମାତ୍ର ଉଦ୍ଦେଶ୍ୟରେ ହିଁ ସେହି ଆନ୍ଦୋଳନ ହୋଇଥିଲା । ଓଡିଶା ସୃଷ୍ଟିର ଅନ୍ୟ କୌଣସି ଉଦ୍ଦେଶ୍ୟ ନଥିଲା ।
ସ୍ଵାଧୀନତା ପରେ ଏହି ଏକମାତ୍ର ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଆ ଭାଷାକୁ ଓଡ଼ିଶାର ସରକାରୀ ଭାଷା କରିବା ସକାଶେ ଆଇନ ପ୍ରଣୟନ ହେଉ ବୋଲି ପୂର୍ବ-ବରଗଡ଼ର ପ୍ରତିନିଧିତ୍ବ କରୁଥିବା ସମ୍ବଲପୁରନିବାସୀ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ସ୍ଵାଧୀନତା ପରବର୍ତ୍ତୀ ପ୍ରଥମ ଉତ୍କଳ ଦିବସ – ୧୯୪୮ ଏପ୍ରିଲ ପହିଲା – ଦିନ ହିଁ ବିଧାନସଭାରେ ପ୍ରସ୍ତାବ ଦେଇଥିଲେ । ଭାଷା ଭିତ୍ତିକ ଓଡ଼ିଆ ଜାତୀୟତାର ପାବନପୀଠ ଥିଲା ସମ୍ବଲପୁର ଏବଂ ଜଣେ ସମ୍ବଲପୁରବାସୀ ଭାବେ ଏହି ପ୍ରସ୍ତାବ ରଖିବା ଥିଲା ପଣ୍ଡିତ ମିଶ୍ରଙ୍କର ଜାତୀୟ ଆବେଗର ଏକ ସ୍ବଭାବିକ ପରିସ୍ଫୁଟନ ।
ଆଦ୍ୟ ଉଦ୍ୟୋକ୍ତାକୁ ସରକାରୀ ପ୍ରହାର
ସେତେବେଳେ ହରେକୃଷ୍ଣ ମହତାବ ‘ପ୍ରଧାନମନ୍ତ୍ରୀ’ ଓ ନିତ୍ୟାନନ୍ଦ କାନୁନଗୋ ଥିଲେ ଆଇନମନ୍ତ୍ରୀ । ଓଡ଼ିଶାରେ ଅଣଓଡ଼ିଆମାନେ ମଧ୍ୟ ଅଛନ୍ତି ବୋଲି ଦର୍ଶାଇ କାନୁନଗୋ ପଣ୍ଡିତ ମିଶ୍ରଙ୍କୁ ଯେପରି ବିରୋଧ କଲେ ତାହା ତାଙ୍କ ବ୍ୟକ୍ତିଗତ ମତ ବୋଲି ସେ କହିଥିଲେ ମଧ୍ୟ ସରକାରୀ ମତ ଭାବେ ଅନୁଭୂତ ହୋଇଥିଲା ଏବଂ ପଣ୍ଡିତ ମିଶ୍ର ନିଜ ପ୍ରସ୍ତାବକୁ ପ୍ରତ୍ୟାହାର କରିନେବାକୁ ବାଧ୍ୟ ହୋଇଥିଲେ । ଆଖିର ଲୁହକୁ ଆଖିରେ ମାରି, ସେ ନିଜ ପ୍ରସ୍ତାବକୁ ପ୍ରତ୍ୟାହାର କଲାବେଳେ କହିଥିଲେ, “ଓଡ଼ିଶା ଗୋଟିଏ ଷ୍ଟେଟ୍ (State) , ଏହି Stateର ସ୍ବତନ୍ତ୍ର ଭାଷା ଅଛି । ସେଟା ବଙ୍ଗଳା ନୁହେଁ, ସେଟା ତେଲୁଗୁ ନୁହେଁ କି ମାଲାୟାଲାମ ନୁହେଁ । ସେଟା ଓଡ଼ିଆ – ସେଟା ପୁଣ୍ୟଶ୍ଳୋକ ମଧୁସୂଦନଙ୍କ ଓଡ଼ିଆ, ଉତ୍କଳମଣି ଗୋପବନ୍ଧୁଙ୍କ ଓଡ଼ିଆ ଏବଂ ଆଦିକବି ଶାରଳା ଦାସଙ୍କ ଓଡ଼ିଆ” (ବିଧାନସଭା ବିବରଣୀ , ଏପ୍ରିଲ ୧, ୧୯୪୮) ।
ଏହି “ସାର ସତ୍ୟ ପ୍ରତି ବାରମ୍ବାର ସକରୁଣ ଦୃଷ୍ଟିପାତ କରିବାକୁ” ସେ ଓଡ଼ିଶାର ତତ୍କାଳୀନ ବିଧାୟକମାନଙ୍କୁ ଅନୁରୋଧ କରି ନିଜ ବକ୍ତବ୍ୟ ସାଙ୍ଗ କରିବା ପୂର୍ବରୁ କହିଥିଲେ, “ଏ ପ୍ରସ୍ତାବ ଗୃହୀତ ହେଉ ବା ନ ହେଉ, ପରାଭୁତ ପଛକେ ହେଉ, କିନ୍ତୁ ଯେଉଁମାନେ ଏ ବନ୍ଧୁର ପଥରେ ଗଭୀର ଅନ୍ଧକାର ଭିତରେ ଓ ଅନ୍ଧତ୍ତମ ରଜନୀରେ ଆଲୋକବର୍ତ୍ତିକା ନଥାଇ ପ୍ରବଳ ପରାକ୍ରାନ୍ତ ପ୍ରତାପୀ ବିଦେଶୀ ସରକାର ସହିତ ଯୁଦ୍ଧ କରି ମାତୃଭୂମିକୁ ପରାଧୀନତାରୁ ବିମୁକ୍ତ କଲେ ସେହିମାନେ ଯଦି ରାଷ୍ଟ୍ରଭାଷାର ଅସ୍ତିତ୍ବ ନ ରଖନ୍ତି ତେବେ ରାଷ୍ଟ୍ରର ଅସ୍ତିତ୍ବ ସମ୍ପୂର୍ଣ୍ଣ ଅସମ୍ଭବ” (ଏଜନ)।
ଦୁର୍ଭାଗ୍ୟ, ଏହି ଅତୁଳନୀୟ ସ୍ଵାଧୀନତା ସଂଗାମୀଙ୍କ ସହଯୋଦ୍ଧାମାନେ ବିଧାନସଭାରେ ବସିଥିଲାବେଳେ ଓ ସେମାନଙ୍କ ଭିତରୁ ଜଣେ ପ୍ରଧାନମନ୍ତ୍ରୀ ଥିଲାବେଳେ, ଓଡ଼ିଆ ଜାତିର ମାତୃଭାଷାକୁ ଶାସନର ଭାଷା କରିବାପାଇଁ ପଣ୍ଡିତ ମିଶ୍ରଙ୍କ ଏହି ଆଦ୍ୟ ଉଦ୍ୟମ “ନାନାପ୍ରକାରର ଟୀକ୍କା ଟିପ୍ପଣ”ର ଝଡ଼ରେ ଝାଉଁଳିଗଲା ଓ ଶେଷରେ ସେ “ପ୍ରତ୍ୟାହାର କରୁଛ କି ନାହିଁ ?” ପରି ଋକ୍ଷ ଧମକର ଉତ୍ତରରେ ଜଣେ ପରାଜିତ ସୈନିକର ଗ୍ଳାନୀ ନେଇ, ଅଶ୍ରୁ ସମ୍ଭରଣ କରି କହିଥିଲେ, ପ୍ରତ୍ୟାହାର କଥାଟି ବହୁବାର ତ କହିଛି, କେତେ ଆଉ କହିବି ?
ଆଜି ଯେତେବେଳେ ଆମ ପ୍ରାଣପ୍ରିୟ ମାତୃଭାଷାର ପ୍ରାଣରକ୍ଷା ପାଇଁ ଆମେ ଭାଷା ଆନ୍ଦୋଳନ କରୁଛୁଁ , ଭାଷା ଜନନୀର ସେହି ମହାନ ସନ୍ତାନଙ୍କ ଅଶ୍ରୁଭିଜା ଉଦ୍ଘୋଷଣ ମନେ ପଡୁଛି , ଯେଉଁମାନେ “ପ୍ରତାପୀ ବିଦେଶୀ ସରକାର ସହିତ ଯୁଦ୍ଧ କରି ମାତୃଭୂମିକୁ ପରାଧୀନତାରୁ ବିମୁକ୍ତ କଲେ ସେହିମାନେ ଯଦି ରାଷ୍ଟ୍ରଭାଷାର ଅସ୍ତିତ୍ବ ନ ରଖନ୍ତି ତେବେ ରାଷ୍ଟ୍ରର ଅସ୍ତିତ୍ବ ସମ୍ପୂର୍ଣ୍ଣ ଅସମ୍ଭବ ।”
(ହେ ପରମ ପୂଜ୍ୟ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ! ତମକୁ କୋଟି କୋଟି ପ୍ରଣାମ , କୋଟି କୋଟି ପ୍ରଣାମ । ଏହି ଅନନ୍ୟ ଭାଷାପ୍ରେମ ହେତୁ ରେଳଗାଡିରେ ଯାଉଥିବାବେଳେ ତମକୁ ଓଡ଼ିଆଭାଷାଵିଦ୍ଵେଷୀମାନେ ପଛରୁ ଛୁରାମାରି ହତ୍ୟାକରିଥିଲେ ଓ ହତ୍ୟାକାରୀ ଦଣ୍ଡିତ ହେଲେନାହିଁ , ଯଦିଓ ସମସ୍ତଙ୍କ ସନ୍ଦେହର କମ୍ପାସ କଣ୍ଟା ସରକାର ଚଳାଉଥିବା ଲୋକଙ୍କ ଆଡ଼େ ମୁହାଁଇ ରହିଥିଲା । ତେଣୁ, ହେ ମହାତ୍ମା ! ତମରି ସ୍ବପ୍ନକୁ ସାକାର କରିବାକୁ ଯେଉଁ ଭାଷା ଆନ୍ଦୋଳନ ଚାଲିଛି, ତାହା ସମ୍ବଲପୁର ସହରରେ ଯେଉଁଦିନ ଆରମ୍ଭ ହେଲା , ସେଦିନ କିପରି ତମରି ନୀରବ ଆଶିଷ ନିର୍ଝରରେ ଏ ଜାତି ମୃତ୍ୟୁମୁଖରେ ବି ଅମୃତ ପାଇଗଲା ତାହା ବର୍ଣନା କରିବାକୁ ଶବ୍ଦମାନେ ସମର୍ଥ ନୁହନ୍ତି । ହେ ଅନିର୍ବାଣ୍ୟ ଆଲୋକଦାତା ! ତମକୁ କୋଟି କୋଟି ପ୍ରଣାମ ।)