ସୁଭାଷ ଚନ୍ଦ୍ର ପଟ୍ଟନାୟକ,
ପ୍ରତିଷ୍ଠାତା ଅଧ୍ୟକ୍ଷ , ଭାଷା ଆନ୍ଦୋଳନ, ଓଡ଼ିଶା
ପାଠପଢା ଛାଡି ଏକସମୟରେ ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଏକାଶ୍ରେଣୀରେ ପଢୁଥିବା ଏପରି ତିନିଜଣ ଛାତ୍ର, ଯେଉଁମାନେ ପରବର୍ତ୍ତୀ କାଳରେ ଓଡ଼ିଶାର ରାଜନୈତିକ ନଭରେ ଜ୍ୟୋତିଷ୍କ ସାଜିଥିଲେ ମଧ୍ୟ ମାତୃଭାଷା ଓଡ଼ିଆକୁ କେନ୍ଦ୍ରକରି ପରସ୍ପରଠାରୁ କାର୍ଯ୍ୟତଃ ଦୂରେଇ ଯାଇଥିଲେ । ସେମାନେ ହେଲେ, ହରେକୃଷ୍ଣ ମହତାବ, ନିତ୍ୟାନନ୍ଦ କାନୁନଗୋ ଓ ନବକୃଷ୍ଣ ଚୌଧୁରୀ । ତିନିହେଁ ୧୯୪୬ରେ ଗଠିତ ସ୍ଵାଧୀନତା ପୂର୍ବବର୍ତ୍ତୀ ବିଧାନସଭାରେ ସଦସ୍ୟ ଥିଲେ କେବଳ ନୁହେଁ, ଓଡ଼ିଶାର ଶାସନ ଭାର ଗ୍ରହଣ କରିଥିଲେ । ମହତାବ ହୋଇଥିଲେ ପ୍ରଧାନମନ୍ତ୍ରୀ, କାନୁନଗୋ ହୋଇଥିଲେ ଆଇନ ମନ୍ତ୍ରୀ ଓ ଚୌଧୁରୀ ହୋଇଥିଲେ ରାଜସ୍ୱ ମନ୍ତ୍ରୀ ।
ସେମାନେ ଏହିପରି କ୍ଷମତାରେ ଥିଲାବେଳେ ୧୯୪୭ ଅଗଷ୍ଟ ୧୪ ମଧ୍ୟୋତ୍ତର ରାତ୍ରିରେ ଭାରତ ସ୍ଵାଧୀନ ହେଲା । ସୁତରାଂ ୧୯୪୮ ଏପ୍ରିଲ ପହିଲା ଥିଲା ସ୍ଵାଧୀନ ଭାରତରେ ପ୍ରଥମ ଉତ୍କଳ ଦିବସ । ବିଧାନସଭା ଚାଲିଥାଏ । ଓଡ଼ିଶାର ଅନ୍ୟତମ ଶେଷ୍ଠ ସ୍ଵାଧୀନତା ସଂଗ୍ରାମୀ, ସମ୍ବଲପୁର ନିବାସୀ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ସେଦିନ ଓଡ଼ିଆ ଭାଷାକୁ ଓଡ଼ିଶାର ସରକାରୀ ଭାଷା କରିବା ପାଇଁ ରାଜ୍ୟ ସରକାର ଆଇନ ପ୍ରଣୟନ କରନ୍ତୁ ବୋଲି ବିଧାନସଭାରେ ଏକ ପ୍ରସ୍ତାବ ଆଗତ କଲେ । ଏବଂ ଏପରି ପ୍ରସ୍ତାବ ଆଗତ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ । ବାଚସ୍ପତି ପାଟିଫିଟାଇବା ପୂର୍ବରୁ ଅଣଓଡ଼ିଆ ସଦସ୍ୟ ରାଜକୃଷ୍ଣ ବୋଷ ପଣ୍ଡିତ ମିଶ୍ରଙ୍କ ଉପରେ ଚଳାଇଲେ ଅତ୍ୟନ୍ତ ତାତ୍ସଲ୍ୟଭରା ବାଚନିକ ଆକ୍ରମଣ । ପରେ ପରେ ଆଇନମନ୍ତ୍ରୀ ହୋଇଥିବା କାନୁନଗୋ ତାଙ୍କୁ ଆହୁରି ଅଧିକ ତୀବ୍ର ଶୈଳୀରେ ପ୍ରତ୍ୟାଖ୍ୟାନ କରି ସେହି ପ୍ରସ୍ତାବ ସେ ପ୍ରତ୍ୟାହାର କରିନେବାକୁ ବାଧ୍ୟ କରିଥିଲେ । ଏବଂ ପଣ୍ଡିତ ମିଶ୍ର ତାହା ପ୍ରତ୍ୟାହାର କଲାବେଳେ ବିଧାନଗତ ବୟାନ ଦେଉଥିବା ବେଳେ ତାଙ୍କୁ ଅତି କର୍କଶ କଣ୍ଠରେ ପଚରା ଯାଇଥିଲା, “ପ୍ରତ୍ୟାହାର କଲ କି ନାହିଁ?” ପଣ୍ଡିତ ମିଶ୍ର ଆଖିର ଲୁହ ଓଠରେ ପିଆଇ କହିଥିଲେ, “ମୁଁ ପ୍ରତ୍ୟାହାର କଥାଟି ବହୁତର କହିଛି , ମାନ୍ୟବର ଅଧ୍ୟକ୍ଷ ମଧ୍ୟ ଶୁଣିଛନ୍ତି “ (କେତେ ଆଉ କହିବି?) ।
ଗୃହରେ ନୀରବରେ ବସିଥିବା ରାଜସ୍ଵମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ନିଜ ଦୁଇ ସହପାଠୀ ମହତାବ ଓ କାନୁନଗୋଙ୍କ ଆଚରଣ ଦେଖି ଲଜ୍ଜାରେ ନୂଆଇଁ ଦେଇଥିଲେ ମଥା । ମାତୃଭାଷାପ୍ରାଣ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କୁ ଯେଉଁ ସରକାର ଏପରି ଅପମାନ ଦେଇ ଭାଷା ଆଇନ ପ୍ରଣୟନ ପ୍ରସ୍ତାବକୁ ପ୍ରତ୍ୟାହାର କରିବାକୁ ବାଧ୍ୟ କଲା, ସେହି ସରକାରରେ ମନ୍ତ୍ରୀ ହୋଇରହିବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା । ତେଣୁ ସେ ମନ୍ତ୍ରୀ ପଦ ତ୍ୟାଗ କରିବାକୁ ମନସ୍ଥ କରି ତାଙ୍କ ଦାୟିତ୍ବରେ ଥିବା ସରକାରୀ କାର୍ଯ୍ୟଗୁଡ଼ିକ ସାରିବା ପାଇଁ ଲାଗିଗଲେ । ପ୍ରାୟ ତିନି ସପ୍ତାହ ଲାଗିଗଲା । ଏପ୍ରିଲ ୨୩ ତାରିଖରେ ମନ୍ତ୍ରୀ ପଦରୁ ତଥା ବିଧାନସଭାର ସଭ୍ୟ ପଦରୁ ଇସ୍ତଫା ଦେଇ ଶାନ୍ତିରେ ନିଃଶ୍ଵାସ ମାରିଥିଲେ ମନୀଷୀ ନବକୃଷ୍ଣ, ଯାହାଙ୍କ ଜନ୍ମଦିନ ଭାବେ ନଭେମ୍ବର ୨୩ ଓଡ଼ିଆ ଜାତିର ନମସ୍ୟ ଦିବସ ହୋଇ ରହିଛି ।
ସମ୍ବିଧାନ ପ୍ରଣୟନ ପରେ ଯେତେବେଳେ ସ୍ଵାଧୀନତା ପରବର୍ତ୍ତୀ ପ୍ରଥମ ବିଧାନସଭା ନିର୍ବାଚନ ହେଲା, ଓଡ଼ିଶାର ନେତୃତ୍ଵ ନେବାକୁ ସମସ୍ତଙ୍କ ପସନ୍ଦ ଥିଲେ ନବକୃଷ୍ଣ । ଏବଂ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ଉଦ୍ୟମକୁ ଉଦ୍ଜୀବିତ କରାଇ ସେ ପ୍ରଣୟନ କଲେ ଓଡ଼ିଶା ସରକାରୀ ଭାଷା ଆଇନ, ଯାହା ଓଡ଼ିଆ ଭାଷାକୁ ଓଡ଼ିଶାର ସମସ୍ତ ଓ ଯେକୌଣସି କାମ ପାଇଁ ସରକାରୀ ଭାଷା ଭାବେ ବିଧିକୃତ କଲା । ପ୍ରାଦେଶିକ ଭାଷାକୁ ସରକାରୀ ଭାଷା କରାଇବାରେ ସାରା ଭାରତରେ ଏହା ଥିଲା ପ୍ରଥମ ଆଇନ । ଏ ଆଇନ କାହିଁକି ହେଲା ତାହା ନବବାବୁ ବିଧେୟକଟିର ପ୍ରାରମ୍ଭରେ ହିଁ ସ୍ପଷ୍ଟ କରିଦେଇଥିଲେ । ତାହା ସମସ୍ତଙ୍କ ପ୍ରଣିଧାନଯୋଗ୍ୟ । “Whereas it is expedient to provide for the adoption of Oriya as the Language to be used for all or any of the official purposes of the State of Orissa; it is hereby enacted by the Legislature of the State of Orissa…..” ବୋଲି କହି ଆଇନ ପ୍ରଣୟନର କାରଣ ଦର୍ଶାଇଥିଲେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ମନୀଷୀ ନବକୃଷ୍ଣ ।
ଏହି ଆଇନଟିକୁ କାର୍ଯ୍ୟକାରୀ କରାଇ ନ ଦେବା ପାଇଁ କେତେ ଷଡଯନ୍ତ୍ର ଚାଲିଛି ତହିଁର ସବିଶେଷ ବର୍ଣନା bhashaandolan.com ପୃଷ୍ଠାରେ ଉପଲଭ୍ୟ ଥିବାରୁ ଏଠାରେ ଉଲ୍ଲେଖର ଅବକାଶ ନାହିଁ । ଓଡ଼ିଆ ଜାତି ଚାହେଁ ନବବାବୁ ଦେଇଯାଇଥିବା ଆଇନର ସଶକ୍ତିକରଣ । ତାଙ୍କ ଶୁଭ ଜନ୍ମଦିନରେ ଏହାହିଁ ସମସ୍ତଙ୍କ କାମ୍ୟ ହେଉ ।
ଓଡ଼ିଶାର ଅନ୍ୟତମ ଜନପ୍ରିୟ ସମ୍ବାଦପତ୍ର ‘ସର୍ବସାଧାରଣ’ ଆଜି ତାର ଦୈନିକ ସଂସ୍କରଣରେ ଏହି ଲେଖାଟି ପ୍ରକାଶ କରିଛନ୍ତି । ସମ୍ପାଦକଙ୍କୁ ଧନ୍ୟବାଦ ସହ ତାହାକୁ ଏଠାରେ ଦସ୍ତାବିଜଭୁକ୍ତ କରାଗଲା :