ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଦୁର୍ନୀତିର ସ୍ରୋତରେ ପହଁରିବାକୁ କୁଣ୍ଠା ନ କରି, ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବା ପାଇଁ, ମହାପାତ୍ର-ମିଶ୍ର-ବାଳକୃଷ୍ଣନ ଗ୍ୟାଙ୍ଗ ଭାଷା ଆନ୍ଦୋଳନ ଭାଙ୍ଗିବା ସକାଶେ ପ୍ରଦ୍ୟୁମ୍ନ ଶତପଥୀ ରଖିଥିବା ସର୍ତ୍ତ ପୂରଣ କରିବାକୁ ଯାଇ ଯେ ସମ୍ପୂର୍ଣ ବେଆଇନ ଓ ଜାଲିଆ କାମ କରିଥିଲେ , ତାହା ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ତଦନ୍ତ ରିପୋର୍ଟ ସ୍ପଷ୍ଟ କରିଦେଇଥିଲା । ତାହାକୁ ମାନିଲେ ମଲେ , ନ ମାନିଲେ ମଲେ – ଏହି ଅବସ୍ଥା ସୃଷ୍ଟି ହୋଇଥିଲା ଏହି ଗ୍ୟାଙ୍ଗର ।

ମିଥ୍ୟାବାଦୀ ଗ୍ୟାଙ୍ଗର ବ୍ୟର୍ଥ କୌଶଳ

ଏମାନେ ଗାଲୁକଳ୍ପ ପ୍ରୟୋଗ କରି ୨୨.୬.୨୦୧୫ ତାରିଖର ସରକାରୀ ଆଦେଶକୁ ସମ୍ପୃକ୍ତ ନଥିରେ ସମ୍ପୂର୍ଣ କବର ଦେଇ ଦେଇଥିଲେ ମଧ୍ୟ ଏବଂ ଏମାନଙ୍କ ଏହି ଅପକର୍ମ ଶିକ୍ଷାମନ୍ତ୍ରୀ ଅନନ୍ତ ଦାସଙ୍କ ସ୍ଵାକ୍ଷର ବଳରେ ସରକାରୀ ଆଦେଶରେ ପରିଣତ ହୋଇଥିଲେ ମଧ୍ୟ , ସରକାର ୨୦୧୫ର ଉପରୋକ୍ତ ଆଦେଶକୁ ରଦ୍ଦ କରିନଥିଲେ କି ପ୍ରତ୍ୟାହାର କରିନଥିଲେ । ଏମାନଙ୍କ ଭିତରୁ କୃପାସିନ୍ଧୁ ମିଶ୍ରଙ୍କ ସ୍ଵାକ୍ଷରରେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ୧୮.୭.୨୦୧୮ରେ ଯାଇଥିବା ନିର୍ଦ୍ଦେଶରେ ଅବଶ୍ୟ କୁହାହୋଇଥିଲା ଯେ, ଉପରୋକ୍ତ ସରକାରୀ ଆଦେଶ ଅଧିକ୍ରାନ୍ତ କରାଯାଇ (“In supersession of this department letter No. 13290 dated 22.06.2015”) ଏହି ଆଦେଶ ଦିଆଯାଇଛି । ମାତ୍ର ଏହାକୁ ଅଧିକ୍ରାନ୍ତ କରାଗଲା ବୋଲି ସରକାର କୌଣସି ଆଦେଶ ଦେଇନଥିଲେ । ବରଂ ଏଥିପାଇଁ ପ୍ରସ୍ତାବ ଦେଇଥିବା ଅତିରିକ୍ତ ଶାସନ ସଚିବ ମିଶ୍ରଙ୍କ ଟିପ୍ପଣୀ (ଟିପ୍ପଣୀ ସଂଖ୍ୟା ୯) ଗୃହୀତବ୍ୟ ନହେବାରୁ ତହିଁ ଉପରେ ସେ ନିଜେ ତଳିଆ ଅମଲାତନ୍ତ୍ରର “ସୁଚିନ୍ତିତ ମତ” (ଟିପ୍ପଣୀ ସଂଖ୍ୟା ୧୦) ପାଇଁ ଅନୁରୋଧ କରିଥିଲେ ଏବଂ “ସୁଚିନ୍ତିତ ମତ” ଦେଇ ଅନୁଶାସନସଚିବ ମହାପାତ୍ର ଯେଉଁ ଗାଲୁକଳ୍ପ ପ୍ରୟୋଗ କଲେ ତହିଁରେ ମିଶ୍ରଙ୍କ ଟିପ୍ପଣୀ ସମ୍ପୂର୍ଣ ଅଧିକ୍ରାନ୍ତ ହୋଇଗଲା ଓ ତାହା ହିଁ ଶେଷ ପର୍ଯ୍ୟନ୍ତ କାଏମ ରହିଲା ।

ଅତଏବ, ୨୨.୬.୨୦୧୫ର ସରକାରୀ ଆଦେଶ ଅଧିକ୍ରାନ୍ତ ହୋଇ ଶ୍ରୀମତୀ ଷଡଙ୍ଗୀଙ୍କ ଯୋଗଦାନ ପାଇଁ ସରକାର ହୁକୁମ କରିଥିବା, ଯାହା ୧୮.୭.୧୮ର ଆଦେଶରେ କୁହା ହୋଇଛି, ତାହା ଥିଲା ସମ୍ପୂର୍ଣ ବିତ୍ତିହୀନ । ଆଇନତଃ, ଏହି ଆଦେଶ ସତ୍ତ୍ୱେ ୨୨.୬.୨୦୧୫ର ସରକାରୀ ଆଦେଶ ଅଧିକ୍ରାନ୍ତ ନହୋଇ କାଏମ ଥିଲା । ତେଣୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ତଦନ୍ତ ରିପୋର୍ଟ ପାଇ, ମହାପାତ୍ର-ମିଶ୍ର-ବାଳକୃଷ୍ଣାନ ଗ୍ୟାଙ୍ଗଙ୍କ ଅକଲ ଗୁଡୁମ ହୋଇଗଲା । ଏମାନେ ନାଲିଆଖି ଦେଖାଇ ନିର୍ଦ୍ଦେଶକଙ୍କୁ ତାଙ୍କ ରିପୋର୍ଟ ବଦଳାଇବାକୁ ଚେଷ୍ଟା କରିଥିଲେ । ମିଶ୍ରଙ୍କ ସ୍ଵାକ୍ଷରରେ ୧.୩.୨୦୧୯ ତାରିଖରେ ନିର୍ଦ୍ଦେଶକଙ୍କୁ କୁହା ହୋଇଥିଲା କି , ୨.୭.୨୦୦୮ ତାରିଖରୁ ୨୨.୭.୨୦୧୮ ତାରିଖ ପର୍ଯ୍ୟନ୍ତ ମାନସୀ ଷଡଙ୍ଗୀଙ୍କ ଅନୁପସ୍ଥିତି ଉପରେ ସେ ଦେଇଥିବା ମତ ବଦଳାନ୍ତୁ ଓ ସେ ଅନୁପସ୍ଥିତ ନଥିଲେ, ବରଂ ଅନୁପସ୍ଥିତ ରହିବାକୁ ତାଙ୍କୁ ବାଧ୍ୟ କରାହୋଇଥିଲା ବୋଲି ସାନି ମତ ଦେଇ, ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ କରିଥିବା ସୁପାରିଶ ମଧ୍ୟ ବଦଳାନ୍ତୁ । ଦସ୍ତାବିଜୀୟ ଗୁରୁତ୍ଵ ଦୃଷ୍ଟିରୁ ଚିଠିଟି ପଠିତବ୍ୟ । ତହିଁରେ ଲେଖା ହୋଇଛି :-

“In inviting a reference to your letter No.6358 dated 14.2.2019 on the above noted subject, I am directed to say that the period of absence of Smt. Manasi Sarangi, lecturer in Botany, S. A. Mahabidyalaya, Balipatna, Khorda w.e.f. 02.07.2008 to 22.7.2018 may be reexamined at your level as per the relevant Rules.” (ଚିଠି ସଂଖ୍ୟା ୫୪୭୦, ତା ୧.୩.୨୦୧୯) । କିନ୍ତୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଏହି ଅବାନ୍ତର ଆଦେଶ ପ୍ରତି କାଣିଚାଏ ଗୁରୁତ୍ଵ ବି ଦେଲେନାହିଁ ।

ଗାଁ ଲୋକେ ପଣସ ଖାଇ ….

ମହାପାତ୍ର-ମିଶ୍ର-ବାଳକୃଷ୍ଣାନ ଗ୍ୟାଙ୍ଗ ଭଲଭାବେ ଜାଣିଥିଲେ ଯେ, ଶ୍ରୀମତୀ ମାନସୀ ଷଡଙ୍ଗୀଙ୍କ ବିରୁଦ୍ଧରେ ୨୨.୬.୨୦୧୫ରେ ରାଜ୍ୟ ସରକାର ଯେଉଁ ଆଦେଶ ଜାରି କରିଥିଲେ ତାହା ଥିଲା ଏକ ନିର୍ଦ୍ଧାରକ ଆଦେଶ (speaking order) ଯାହା ଆଇନତଃ ଏତେ ସୁଦୃଢ ଥିଲା ଯେ, କୌଣସି ଯୁକ୍ତି ବଳରେ ବି ତାକୁ ଅକାମି କରିବା ସମ୍ଭବ ନଥିଲା । ଦୁର୍ନୀତି ସହ ସହବାସପ୍ରବଣତା ସାଙ୍ଗକୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଚାପରେ ପ୍ରଦ୍ୟୁମ୍ନ ଶତପଥିଙ୍କ ସ୍ତ୍ରୀଙ୍କୁ ଚାକିରିରେ ଯୋଗଦାନ ପାଇଁ ପଥ ପରିଷ୍କାର କରିବା ମତଲବରେ ସେମାନେ ବାଟକୀଳ ନ ମାନି ମାଡ଼ିଯାଇଥିଲେ ଓ ସେହି ପ୍ରକ୍ରିୟାରେ ସେହି ସରକାରୀ ଆଦେଶଟିକୁ ଗାଲିଚା ତଳେ ଚାପିଦେଇଥିଲେ । ଗାଁ ଲୋକେ ପଣସ ଖାଇ ଭଣ୍ଡାରୀ ମୁଣ୍ଡରେ ଅଠା ବୋଳିଲା ପରି ଏହି ଗ୍ୟାଙ୍ଗ ନିଜର ଏହି ବେଆଇନ କାମ ପାଇଁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ମୁଣ୍ଡରେ ଅଠା ଲଗାଇ ଖସିଯିବା ଉଦ୍ଦେଶ୍ୟରେ ମାନସୀଙ୍କ ଅନୁପସ୍ଥିତି କାଳ କିପରି ଗୃହୀତ ହେବ ତାହା ତାଙ୍କରି ତଦନ୍ତ ଉପରେ ନିର୍ଭର କରିବ ବୋଲି କହି, ତଦନ୍ତର ନିର୍ଣୟ କଣ ହେବା ସରକାରଙ୍କ ଇଚ୍ଛା ସେ ସମ୍ପର୍କରେ ତାଙ୍କୁ ପୂର୍ବଧାରଣାଗ୍ରସ୍ତ କରାଇବାକୁ ଚେଷ୍ଟା କରିଥିଲେ ଏହା ହିଁ କହି ଯେ, ଶ୍ରୀମତୀ ଷଡଙ୍ଗୀ ନିଜେ ଇଚ୍ଛାକରି ଅନୁପସ୍ଥିତ ନ ଥିଲେ , ତାଙ୍କର କୌଣସି ଭୁଲ ନ ଥାଇ ସୁଦ୍ଧା ସମ୍ପୃକ୍ତ କର୍ତ୍ତୃପକ୍ଷ ତାକୁ କର୍ମ ସମ୍ପାଦନରୁ ଦୂରେଇ ରଖିଥିଲେ (“for none of her faults she is kept out of service and has not been allowed to join in duty and perform her duties”) ଓ “Therefore, gross illegality has occurred in (her) case” (ସେହେତୁ ତାଙ୍କ କ୍ଷେତ୍ରରେ ଘୋର ବେଆଇନ କାମ ହୋଇଛି ) । ମାତ୍ର ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ପୂର୍ବଧାରଣାଗ୍ରସ୍ତ ହେବାକୁ ନିଜକୁ ଅନୁମତି ଦେଲେନାହିଁ । ପୋଲିସ କ’ଣ କରିବାକୁ ଯାଉଛି, ତା ଉପରେ ଧୂର୍ତ୍ତ ଅପରାଧୀ ଯେପରି ନଜର ରଖିଥାଏ, ନିର୍ଦ୍ଦେଶକ କ’ଣ କରିବାକୁ ଯାଉଛନ୍ତି ତା ଉପରେ ପ୍ରଦ୍ୟୁମ୍ନ ଶତପଥୀ ସେମିତି  ନଜର ରଖିଥିଲେ ।

ମନ ଜାଣେ ପାପ

ଓଡ଼ିଆରେ ଗୋଟିଏ ଢଗ ଅଛି : “ମା ଜାଣେ ବାପ, ମନ ଜାଣେ ପାପ” । ପ୍ରଦ୍ୟୁମ୍ନ ଶତପଥିଙ୍କ ମନ ତାଙ୍କ ପାପ ଜାଣିଥିଲା । ଭାଷା ଆନ୍ଦୋଳନକୁ ବନ୍ଦ କରିଦେବା ସର୍ତ୍ତରେ ସ୍ତ୍ରୀଙ୍କ ପାଇଁ ଚାକିରି କରାଇ, ପିଛିଲା ଦରମା ବାବଡକୁ ପ୍ରାୟ ଦେଢକୋଟି ଟଙ୍କା ପାଇବା ପଥ ସେ ପରିଷ୍କାର କରାଇଥିଲେ ।

ସେ ସୁନିଶ୍ଚିତ ଥିଲେ ଯେ, କଳାପତାକା ଧରିବାକୁ ସେ ଯଦି ଲୋକ ଯୋଗାଇ ନ ଦିଅନ୍ତି ତେବେ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଯେତେ ବୌଦ୍ଧିକ କସରତ କଲେ ମଧ୍ୟ ଭାଷା ଆନ୍ଦୋଳନ ଚଳାଇ ପାରିବେ ନାହିଁ । କିନ୍ତୁ ତାଙ୍କ ହିସାବ ଭୁଲ ହୋଇଗଲା । ସେ ଓ ପବିତ୍ର ଏବଂ ତାଙ୍କ ଗ୍ୟାଙ୍ଗ ଯେତେ ଜଘନ୍ୟ ଉଦ୍ୟମ କଲେ ମଧ୍ୟ କଳାପତାକା ଅଭିଯାନକୁ ଅଟକାଇ ପାରିଲେ ନାହିଁ । ଭାଷା ଆନ୍ଦୋଳନ ଅତୁଟ ରହିଲା ।

ସେ ତାଙ୍କ ପାପକୁ ତାଙ୍କ ଗ୍ୟାଙ୍ଗଠୁ ଲୁଚେଇ ରଖିଥିଲେ ମଧ୍ୟ ନିଜେ ତ ଜାଣିଥିଲେ ଯେ, ଯେଉଁ ଉଦ୍ଦେଶ୍ୟରେ ସରକାର ତାଙ୍କ ସ୍ତ୍ରୀଙ୍କୁ ଚାକିରିରେ ଯୋଗ ଦେବାକୁ ଆଦେଶ ଦେଇଥିଲେ ସେ ଉଦ୍ଦେଶ୍ୟ ଯଦି କାର୍ଯ୍ୟକାରୀ ନ ହୁଏ, ତେବେ ନିର୍ଦ୍ଦେଶକଙ୍କୁ ଦିଆଯାଇଥିବା ତଦନ୍ତର ପରିଣତି ହୁଏତ ତାଙ୍କ ପ୍ରତିକୂଳରେ ବି ଯାଇପାରେ ଓ ୨୨.୬.୨୦୧୫ତାରିଖର ସରକାରୀ ଆଦେଶର ବୈଧତା ଓ ଅଲଙ୍ଘ୍ୟତା ଉପରେ ଗୁରୁତ୍ଵ ଦେଇପାରେ, କାରଣ ସେପରି ନ କରିବା ପାଇଁ ହୁଏତ ଭାଷା ଆଂଦୋଳନର ଅତୁଟତା ହେତୁ ବିରକ୍ତ ତୃତୀୟ ମହଲା ଆଉ ଚାପ ପ୍ରୟୋଗ ନକରିପାରେ ।

ଦୋଷରା ଚାଲ୍

ଯେଉଁ ସରକାରୀ ଆଦେଶ ବଳରେ ଶ୍ରୀମତୀ ଷଡଙ୍ଗୀ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଦପ୍ତରରେ ଯୋଗ ଦେଲେ, ସେଥିରେ କୁହା ହୋଇଥିଲା, “The intervening period from the date she was kept out of service from 2.7.2008 till she joins in the Directorate shall be decided after due enquiry made at the level of the Directorate.” (ନିର୍ଦ୍ଦେଶାଳୟ ସ୍ତରରେ ତଦନ୍ତ ହୋଇ ଶ୍ରୀମତୀ ଷଡଙ୍ଗୀଙ୍କ ଅନୁପସ୍ଥିତିକୁ କିପରି ଗ୍ରହଣ କରାଯିବ ତାହା ନିଷ୍ପତ୍ତି ହେବ) । ତଦନ୍ତ ଯେ ତାଙ୍କ ବିରୁଦ୍ଧରେ ଯିବ ଏଥିରେ ଶ୍ରୀମତୀ ଷଡଙ୍ଗୀ ଓ ତାଙ୍କ ସ୍ଵାମୀ ପ୍ରଦ୍ୟୁମ୍ନ ଶତପଥିଙ୍କର କୌଣସି ସନ୍ଦେହ ନଥିଲା , କାରଣ ସେମାନେ ଜାଣିଥିଲେ ଯେ, ତାଙ୍କ ଅନୁପସ୍ଥିତି ସମ୍ପୂର୍ଣ ଅଯଥା ଓ ଅନଧିକୃତ ଥିଲା । ଏହି ଆଶଙ୍କା ହେତୁ ସେ ଏକ ଦୋଷରା ଚାଲ୍ ଚଳାଇଲେ । (କ୍ରମଶଃ)

Comments

No comments yet.

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS

This site uses Akismet to reduce spam. Learn how your comment data is processed.