ଟଙ୍କା ପାଇଁ ଭାଷା ଆନ୍ଦୋଳନକୁ ଛୁରୀ ମାରିଛନ୍ତି ପ୍ରଦ୍ୟୁମ୍ନ ଶତପଥୀ : ମୁଖ୍ୟମନ୍ତ୍ରୀ ସଫେଇ ରଖନ୍ତୁ – ଊନତ୍ରିଂଶ ଭାଗ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ମୁଖ୍ୟମନ୍ତ୍ରୀ ତାଙ୍କ ନିଜ ଅତିରିକ୍ତ ସଚିବ ନିରଞ୍ଜନ ସାହୁଙ୍କୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ପଦରେ ଅଧିଷ୍ଠିତ କରିଥିଲେ କେବଳ ଗୋଟିଏ ମାତ୍ର ଉଦ୍ଦେଶ୍ୟରେ । ତାହା ଥିଲା, ମାନସୀ ଷଡଙ୍ଗୀଙ୍କ ସପକ୍ଷରେ ମହାପାତ୍ର-ମିଶ୍ର-ବାଳକୃଷ୍ଣନ ଗ୍ୟାଙ୍ଗ ଯେଉଁ ନିଷ୍ପତ୍ତି ନେଇଥିଲେ ତାହାକୁ ନିଷ୍କଣ୍ଟକ କରିବା ପାଇଁ ସେ ତାଙ୍କ ଅନୁପସ୍ଥିତି ସମୟ ଉପରେ ସାନି ତଦନ୍ତ କରି ଏକ ନୂଆ ରିପୋର୍ଟ ଦେବେ, ଯାହା
୧୪.୨.୨୦୧୯ରେ ପରମେଶ୍ଵରମ୍ ଦେଇଥିବା ରିପୋର୍ଟକୁ ବଦଳାଇଦେବ । ମାତ୍ର ଶ୍ରୀମତୀ ଷଡଙ୍ଗୀଙ୍କ ନିଜ ବୟାନ ଦୃଷ୍ଟିରୁ ଏହା ଏପରି ଅସମ୍ଭବ ଥିଲା ଯେ, ଷଡଙ୍ଗୀଙ୍କ ପାରିବାରିକ ବନ୍ଧୁ ହୋଇ ମଧ୍ୟ ନିରଞ୍ଜନ ସାହୁ ତତ୍କାଳ କିଛି କରିନପାରି କେଉଁ ଉପାୟରେ ତାଙ୍କୁ ସାହାଯ୍ୟ କରାଯାଇପାରେ ସେଥିପାଇଁ ମଥା ଖେଳାଉ ଖେଳାଉ ମାସେ ଗଡ଼ିଯାଇଥିଲା ।

ଏହି ମାସେ ବିଳମ୍ବ ବି ଥିଲା ଅସହ୍ୟ । ପ୍ରଦ୍ୟୁମ୍ନ ଶତପଥିଙ୍କ ବିଶ୍ଵାସଘାତକତା ସତ୍ତ୍ୱେ କଳା ପତାକା ଅଭିଯାନ ଚାଲିଥିଲା । ସେ କିନ୍ତୁ “ମାଇପ ଆଗରେ ପାଇକିପଣ” ଦେଖାଇଲା ପରି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ବାହାସ୍ଫୋଟ ମାରି କହିଚାଲିଥିଲେ ଯେ, ତାଙ୍କ ସ୍ତ୍ରୀଙ୍କ ଚାକିରି ୧୦ ବର୍ଷର ଅନୁପସ୍ଥିତି କାଳୀନ ବେତନ ସହ ନିୟମିତ ହେବା ପରେ ହିଁ ସେ ଏହି ଅଭିଯାନକୁ ପୂର୍ଣତଃ ବନ୍ଦ କରିଦେଇପାରିବେ । ଏବଂ, ସେଠାରେ ପ୍ରତ୍ୟୟ ସୃଷ୍ଟି ପାଇଁ ମୋ ସହ ଥିବା ଆନ୍ଦୋଳନକାରୀଙ୍କ ସଂଖ୍ୟାହ୍ରାସ ଓ ଜଣେ ଘନିଷ୍ଠ ସହକର୍ମୀଙ୍କ ଖୋଲା ବିଦ୍ରୋହକୁ ତାଙ୍କ କୃତିତ୍ଵ ବୋଲି ଦେଖାଉଥିଲେ ।

ଫଳରେ, ଏକଦା ବାବୁ ନିରଞ୍ଜନ ଯେଉଁ ଦପ୍ତରରେ ଅତିରିକ୍ତ ସଚିବ ଥିଲେ, ସେହି ଦପ୍ତରରୁ ତାଙ୍କୁ ଚାପ ଦିଆଯାଇଚାଲିଥିଲା କି, ପରମେଶରମ୍ ଦେଇଥିବା ରିପୋର୍ଟକୁ ସେ ଯଥାଶୀଘ୍ର ସମ୍ଭବ ବଦଳାନ୍ତୁ । ତାହା ସମ୍ଭବ ହେଲା ନାହିଁ । ଜୁନ ୨୦୧୯ରେ ନିର୍ଦ୍ଦେଶକ ହୋଇଥିବା ନିରଞ୍ଜନ ସାହୁ ମାତ୍ର ଏକ ମାସ ରହି ଜୁଲାଇ ୨୦୧୯ରେ ଦାୟିତ୍ଵ ହସ୍ତାନ୍ତର କଲେ ନୂଆ ନିର୍ଦ୍ଦେଶକ ଅଶ୍ଵିନୀ କୁମାର ମିଶ୍ରଙ୍କୁ । ନୂଆ ନିର୍ଦ୍ଦେଶକ ଦାୟିତ୍ଵ ନେଲା ବେକକୁ ମୁଁ ମାନସୀ ଷଡଙ୍ଗୀଙ୍କ ଅବୈଧ ପଦାସୀନତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ୨୨.୦୭.୨୦୧୯ରେ ରାଜ୍ୟପାଳଙ୍କୁ ଲେଖିଥିବା ଚିଠିର ନକଲ ତାଙ୍କ ପାଖରେ ପହଞ୍ଚି ସାରିଥିଲା ।

ଏହି ଚିଠିଟି ଉଚ୍ଚ ଶିକ୍ଷା ବିଭାଗର ଶାସନକଳକୁ ମହା ଅଡ଼ୁଆରେ ପକାଇଲା । କାରଣ, ଅକାଟ୍ୟ ପ୍ରାମାଣିକ ତଥ୍ୟ ଦେଇ, ଷଡଙ୍ଗୀଙ୍କ ଅବୈଧ ପଦାସୀନତା ଲୋପ କରିବାକୁ ରାଜ୍ୟପାଳଙ୍କ ନିକଟରେ ମୁଁ ଦାବି ରଖିଥିଲି ଓ ତହିଁ ଉପରେ କାର୍ଯ୍ୟାନୁଷ୍ଠାନ କରି ସେହି କାର୍ଯ୍ୟାନୁଷ୍ଠାନର ରିପୋର୍ଟ ମୋତେ ଦେଇ, ତାହା ତାଙ୍କ ଦପ୍ତରକୁ ଅବଗତ କରାଇବା ପାଇଁ ରାଜ୍ୟପାଳ ଆଦେଶ ଦେଇଥିଲେ (ଆଦେଶ ସଂଖ୍ୟା ୯୯୪୬, ତା ୨.୮.୧୯) । ଏଥିରେ ମୁଁ ଯେଉଁ ଯୁକ୍ତି ରଖିଥିଲି ତାହା ଖଣ୍ଡନ କରିବାକୁ ଶାସନ କଳର ଶକ୍ତି ନଥିଲା । ଫଳରେ, ହାଇକୋର୍ଟରେ ପ୍ରତିବାଦ ନକରି ମାନସୀ ଷଡଙ୍ଗୀଙ୍କୁ ଯଦ୍ଦୃଛା ସାହାଯ୍ୟ କରିବାକୁ ଅଖଣ୍ଡ କ୍ଷମତା ପାଇଥିଲେ ମଧ୍ୟ, ଉଚ୍ଚ ଶିକ୍ଷା ବିଭାଗର ଶାସନ ସଚିବ ୧୮.୭.୨୦୧୮ରେ ଦେଇଥିବା ୨୦୪୪୫ ସଂଖ୍ୟକ ଆଦେଶ ଏବଂ ତାହାକୁ ପରିପୁଷ୍ଟ କରିବା ପାଇଁ ୧.୩.୨୦୧୯ରେ ନିର୍ଦ୍ଦେଶକଙ୍କୁ ଦେଇଥିବା ୫୪୭୦ ସଂଖ୍ୟକ ଆଦେଶକୁ “ପକାଇଲା ଛେପ ଢୋକିବା” ପରି ନିଜେ ଢୋକି ୧୩.୯.୨୦୧୯ରେ ୧୮୭୫୭ ସଂଖ୍ୟକ ଆଦେଶ ଦେଲେ ।

ଏହି ଆଦେଶଟି କ’ଣ?

ଏହା ହେଲା, “ତା ୦୨.୦୭.୨୦୦୮ରିଖରୁ ୨୩.୦୭.୨୦୧୮ ତାରିଖ ପର୍ଯ୍ୟନ୍ତ (ଶ୍ରୀମତୀ ମାନସୀ ଷଡଙ୍ଗୀଙ୍କର ) ଅନଧିକୃତ ଅନୁପସ୍ଥିତି ସମୟ ତାଙ୍କ ଚାକିରିକାଳରୁ ବାଦ୍ ପଡ଼ିବ । କାମ ନାହିଁ ତ ମଜୁରି ନାହିଁ ନୀତିରେ ସେ ସେହି ସମୟ ପାଇଁ କୌଣସି ବେତନ ବା ଆନୁଷଙ୍ଗିକ ଫାଇଦା ପାଇବେ ନାହିଁ । ଏହି କାଳଖଣ୍ଡ ତାଙ୍କ ପଦୋନ୍ନତି ବା ପେନସନ୍ ପାଇଁ ହିସାବକୁ ଯିବ ନାହିଁ ।“

ପକାଇଲା ଛେପ ଢୋକିଲା କଥା

ପକାଇଲା ଛେପ ଢୋକିଲା ପରି ଉଚ୍ଚ ଶିକ୍ଷା ସଚିବ ତାଙ୍କର ଯେଉଁ ଆଦେଶ ଦୁଇଟିକୁ ଏହି ଆଦେଶ ଦ୍ଵାରା ଢୋକି ପକାଇଲେ, ସେ ଦୁଇଟି ଆଦେଶରେ ଥିଲା କ’ଣ?
ପ୍ରଥମଟି ଥିଲା –
୧. କ୍ଷମତାପନ୍ନ କର୍ତ୍ତୁପକ୍ଷଙ୍କଠାରୁ କାର୍ଯ୍ୟକ୍ଷମ ଥିବାର ଡାକ୍ତରୀ ପ୍ରମାଣପତ୍ର ସହ ଶ୍ରୀମତୀ ମାନସୀ ଷଡଙ୍ଗୀ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ଅବିଳମ୍ବେ ଯୋଗଦାନ ପତ୍ର ପ୍ରଦାନ କରିବେ, ଯାହା ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଦ୍ଵାରା ଗୃହୀତହେବ ;
୨. ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ କୌଣସି ସମବର୍ଗୀୟ କଲେଜରେ ସ୍ଥାନ ଠାବ କରି ତାଙ୍କୁ ସେଠାରେ ସ୍ଥାନିତ କରିବେ ;
୩. ତାଙ୍କୁ ଯେଉଁ ଦିନ ଠାରୁ କର୍ତ୍ତବ୍ୟ ସମ୍ପାଦନରୁ ଦୂରେଇ ରଖାଯାଇଥିଲା ସେହିଦିନ ଠାରୁ ଅର୍ଥାତ୍ ୨.୭.୨୦୦୮ ତାରିଖଠାରୁ ସେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ଯୋଗଦେବା ପର୍ଯ୍ୟନ୍ତ ଅନ୍ତର୍ବର୍ତ୍ତୀ ସମୟ ପାଇଁ ନିର୍ଦ୍ଦେଶାଳୟର ଉପଯୁକ୍ତ ତଦନ୍ତ ଶେଷରେ ନିଷ୍ପତ୍ତି ନିଆଯିବ । (ଆଦେଶ ସଂଖ୍ୟା ୨୦୪୪୫, ତ। ୧୮.୭.୨୦୧୮) ।
ଦ୍ଵିତୀୟଟି ଥିଲା –
ମାନସୀ ଷଡଙ୍ଗୀଙ୍କ ଚାକିରିକୁ ନେଇ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ୧୪.୨.୨୦୧୯ ତାରିଖରେ ଦେଇଥିବା ୬୩୫୮ ସଂଖ୍ୟକ ପତ୍ରରେ ୦୨.୦୭.୨୦୦୮ରୁ ୨୨.୦୭.୨୦୧୮ ପର୍ଯ୍ୟନ୍ତ ତାଙ୍କ ଅନୁପସ୍ଥିତି ସମ୍ପର୍କରେ ଯେଉଁ ମତ ଦେଇଛନ୍ତି ତହିଁର ପୁନର୍ବିଚାର କରନ୍ତୁ । (ଆଦେଶ ସଂଖ୍ୟା ୫୪୭୦ ତା ୧.୩.୨୦୧୯)

ଏ ଉଭୟ ଆଦେଶକୁ ମିଳାଇ ପଢିଲେ ଏହା ସ୍ପଷ୍ଟ ହୋଇଯାଏ ଯେ, ପ୍ରଥମ ଆଦେଶର ୩ୟ ବିନ୍ଦୁରେ ଥିବା ଗୋପନ ଅଭିସନ୍ଧିକୁ କାର୍ଯ୍ୟକାରୀ କରିବା ପାଇଁ ୨ୟ ଆଦେଶଟି ଦିଆ ହୋଇଥିଲା । ପ୍ରଥମ ଆଦେଶର ୩ୟ ବିନ୍ଦୁରେ ଶିକ୍ଷା ସଚିବ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିଜ ଅଭିସନ୍ଧି ଅବଗତ କରାଇଥିଲେ । ଭାବିଥିଲେ ଯେ, ସମ୍ପୃକ୍ତ ସମୟରେ ମାନସୀ ଷଡଙ୍ଗୀଙ୍କୁ କର୍ମକ୍ଷେତ୍ରରୁ ଦୂରେଇ ରଖା ଯାଇଥିଲା ବୋଲି ସେ ଯେହେତୁ କହିଛନ୍ତି, ସେହେତୁ ନିର୍ଦ୍ଦେଶକ ତାହାକୁ ଶିରୋଧାର୍ଯ୍ୟ ମନେକରି ତାଙ୍କ ଅନୁପସ୍ଥିତି କାଳକୁ ସବେତନ ଓ ନିରବଚ୍ଛିନ୍ନ ଚାକିରିକାଳ ଭାବେ ଘୋଷଣା କରିବାକୁ ସୁପାରିଶ କରିବେ । ନିର୍ଦ୍ଦେଶକ ପରମେଶ୍ଵରମ୍ ବିଗାଡ଼ି ଦେଲେ । ଏହି ଯୁବ ଆଇ.ଏ.ଏସ୍. ଅଫିସର୍ ଥିଲେ ଅତ୍ୟନ୍ତ ତେଜସ୍ଵୀ । ସେ ଏକାଧିକବାର ତଦନ୍ତ କରି ଦେଖିଲେ ଯେ, ମାନସୀ ଷଡଙ୍ଗୀଙ୍କୁ କେହି କର୍ମକ୍ଷେତ୍ରରୁ ଦୂରେଇ ରଖିନଥିଲେ, ବରଂ ସେ ନିଜେ ଅସୁସ୍ଥତାର ମିଛ ବାହାନା କରି ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ଵ କାଳ କର୍ମକ୍ଷେତ୍ରରୁ ଅନୁପସ୍ଥିତ ଥିଲେ । ଏହି ସତ୍ୟ ନିର୍ଦ୍ଧାରଣ କରି ସେ ତାଙ୍କ ବିରୁଦ୍ଧରେ ନିୟମାନୁମୋଦିତ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କଲେ, ଯାହା ଶାସନ ସଚିବଙ୍କର ତଥା ମହାପାତ୍ର-ମିଶ୍ର-ବାଳକୃଷ୍ଣାନ ଗ୍ୟାଙ୍ଗର ମୁଖା ଖୋଲିଦେଇଥିଲା । ସଚିବଙ୍କ ଉପର ଲିଖିତ ୨ୟ ଆଦେଶଟି ଥିଲା ପରମେଶ୍ଵରମ୍ ଦେଇଥିବା ତଦନ୍ତ ରିପୋର୍ଟ (ସଂଖ୍ୟା ୬୩୫୮, ତା. ୧୪.୨.୨୦୧୯)କୁ ବଦଳାଇଦେବା ପାଇଁ ଏକ କୁତ୍ସିତ ପ୍ରୟାସ ଯାହା ଚାରି ଚାରି ଜଣ ନିର୍ଦ୍ଦେଶକ ବଦଳି ହୋଇ ବି ବଦଳି ପାରିଲା ନାହିଁ ।

ମୋ ଚିଠି ଉପରେ ରାଜ୍ୟପାଳ ହସ୍ତକ୍ଷେପ କରି ଉଚ୍ଚ ଶିକ୍ଷା ସଚିବଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ପରେ ଶାସନ ସଚିବ ନିଜ ଛେପ ନିଜେ ଢୋକି ଆଦେଶ ଦେବାକୁ ବାଧ୍ୟ ହୋଇଛନ୍ତି ଯେ, “ତା ୦୨.୦୭.୨୦୦୮ରିଖରୁ ୨୩.୦୭.୨୦୧୮ ତାରିଖ ପର୍ଯ୍ୟନ୍ତ (ଶ୍ରୀମତୀ ମାନସୀ ଷଡଙ୍ଗୀଙ୍କର ) ଅନଧିକୃତ ଅନୁପସ୍ଥିତି ସମୟ ତାଙ୍କ ଚାକିରିକାଳରୁ ବାଦ୍ ପଡ଼ିବ । କାମ ନାହିଁ ତ ମଜୁରି ନାହିଁ ନୀତିରେ ସେ ସେହି ସମୟ ପାଇଁ କୌଣସି ବେତନ ବା ଆନୁଷଙ୍ଗିକ ଫାଇଦା ପାଇବେ ନାହିଁ । ଏହି କାଳଖଣ୍ଡ ତାଙ୍କ ପଦୋନ୍ନତି ବା ପେନସନ୍ ପାଇଁ ହିସାବକୁ ଯିବ ନାହିଁ ।“

ଦେଢକୋଟି ଟଙ୍କା ବଞ୍ଚିଗଲା

ମୁଁ ଖୁସି ଯେ, ଭାଷା ଆନ୍ଦୋଳନକୁ ଛୁରୀ ମାରିବା ସର୍ତ୍ତରେ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ତାଙ୍କ ସ୍ତ୍ରୀଙ୍କ ବିପୂଳ ବେତନ ରୂପକ ଯେଉଁ ବିଶ୍ଵାସଘାତକ ଜାଗିରି ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ, ଆନ୍ଦୋଳନର ପ୍ରତିଷ୍ଠାତା ଭାବେ ତହିଁରେ ନୀତିନିଷ୍ଠ ହସ୍ତକ୍ଷେପ କରି ଭାଷାଜନନୀଙ୍କ ସନ୍ତାନମାନଙ୍କ ରାଜକୋଷରୁ ପ୍ରାୟ ଦେଢକୋଟି ଟଙ୍କାର ଲୁଣ୍ଠନକୁ ମୁଁ ବନ୍ଦ କରିଦେଇପାରିଛି । ଭାଷା ଆନ୍ଦୋଳନରେ ଯୋଗ ଦେଇ, ଭାଷା ଆନ୍ଦୋଳନ ହେତୁ ପରିଚିତି ଅର୍ଜନ କରି, ଅର୍ଥଲୋଭରେ ଭାଷା ଆନ୍ଦୋଳନକୁ ଛୁରୀ ମାରିଥିବା ପ୍ରଦ୍ୟୁମ୍ନ ଶତପଥୀ ସେହି କିସମର ବ୍ୟକ୍ତି, ଯେଉଁ କିସମର ବ୍ୟକ୍ତିମାନଙ୍କ ହେତୁ ଏପରି ଏକ ସାମାଜିକ ଆନ୍ଦୋଳନ ପ୍ରତି ସାଧାରଣ ଲୋକର ବିଶ୍ଵାସ ଭାଙ୍ଗିଯାଇପାରେ । ତେଣୁ ଏହି କିସମର ଲୋକଙ୍କ ଉପରୁ ପର୍ଦ୍ଦା ଅପସାରଣ ଏକ ସାମାଜିକ ଦାୟିତ୍ଵ । ଏହା ହିଁ କାରଣ , ଯେଉଁଥିପାଇଁ ମୋତେ ଏହି ଆଲୋଚନା ରଖିବାକୁ ପଡ଼ିଛି, ଯଦିଓ ଶ୍ରୀମତୀ ଷଡଙ୍ଗୀ ମୋର ଭଗ୍ନୀତୁଲ୍ୟା ଓ ଭାଷା ଆନ୍ଦୋଳନକୁ ତାଙ୍କ ସ୍ଵାମୀ ଛୁରୀ ନମାରି , ନ୍ୟାୟିକ ସଂଘର୍ଷରେ ସେ ଚାକିରି ଫେରି ପାଇଥିଲେ ମୁଁ ଯେଉଁ ଆନନ୍ଦ ଅନୁଭବ କରିଥାନ୍ତି ତାହାର ସୀମା କଳନା କରାଯାଇପାରିନଥାନ୍ତା । (କ୍ରମଶଃ)

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.