ହନୁ ମଲାବେଳକୁ ସତ କହେ, ବିଜେଡ଼ି କେତେବେଳକୁ କହିବ?

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଓଡ଼ିଆ ଭାଷାକୁ ମରଣଆଘାତ ଦେଇଥିବା ଦୋଷରେ ନବୀନ ପଟ୍ଟନାୟକ ଗତ ନିର୍ବାଚନରେ ପ୍ରତ୍ୟାଖ୍ୟାତ ହେବା ପରେ ତାଙ୍କର ଉଚିତ ଥିଲା ବିଜେଡ଼ିର ସର୍ବନିୟନ୍ତା ପଦରୁ ଇସ୍ତଫା ଦେଇ ଦଳଟି ପ୍ରକୃତରେ ଯେଉଁମାନଙ୍କର ସେମାନଙ୍କ ହାତରେ ତା’ର ଭବିଷ୍ୟତ ଛାଡ଼ିଦେବା । ସେ ତାହା କଲେନି ।

ଏକ ରାଜନୈତିକ ଦଳର ସର୍ବନିୟନ୍ତା ହୋଇ ରହିବାର ମୋହ ତାଙ୍କର ଏତେ ପ୍ରଚଣ୍ଡ ଯେ, ଓଡ଼ିଆଭାଷାବିଦ୍ଵେଷ ପାଇଁ ନିର୍ବାଚନରେ ପ୍ରତ୍ୟାଖ୍ୟାତ ହୋଇଥିବା ସ୍ଵୀକାର କରିବା ପରିବର୍ତ୍ତେ, ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନକୁ ଅକର୍ମଣ୍ୟ କରିବାରେ ତାଙ୍କୁ ସହଯୋଗ କରିଥିବା କୁଖ୍ୟାତ କାର୍ତ୍ତିକେୟନ୍ ପାଣ୍ଡିଆନଙ୍କୁ ପୂର୍ଣ୍ଣ ସମର୍ଥନ କରି ଘର ପୋଡ଼ିଗଲା ପରେ ନିଦ ଭାଙ୍ଗିଥିବା ବିଜୁଆମାନଙ୍କୁ  ଚୁପ୍ କରାଇଦେଲେ ଓ ସେମାନଙ୍କୁ ଭୁଆଁ ବୁଲାଇବା ପାଇଁ ନିର୍ବାଚିତ ହୋଇପାରିଥିବା  ଅନୁଗତମାନଙ୍କ ଭିତରେ ଓଡ଼ିଶା ପ୍ରଶାସନର ବିଭିନ୍ନ ବିଭାଗ ବାଣ୍ଟି ପୋଷାମନା ମେଡ଼ିଆ ମାଧ୍ୟମରେ ଏପରି ପ୍ରଚାର କଲେ , ସତେ ଯେମିତି ସେ ନିଜେ ଭାରତର ସମ୍ବିଧାନଠୁ ଊର୍ଦ୍ଧ୍ଵତର ଓ ଭାରତରେ “ଛାୟା ମନ୍ତ୍ରୀମଣ୍ଡଳ” ପରି ଏକ ନୂଆ ବ୍ୟବସ୍ଥାର ପ୍ରବର୍ତ୍ତକ !

ଯେଉଁମାନେ ମନ୍ତ୍ରୀ ଥିବା ବେଳେ କର୍ମଚାରୀଙ୍କ ବୋଲକରା ସାଜିଥିଲେ, ଏବଂ ଏହା ଏପରି ଯେ, ଭାଷା ଆଇନରେ ଜାଲିଆତି ହୋଇଥିବା ସତ୍ତ୍ୱେ ପାଟି ଫିଟେଇବାକୁ ସାହସ କରିପାରୁନଥିଲେ, ସେମାନେ ପୁଣି କ୍ଷମତା ବାହାରେ ଛାୟା ମନ୍ତ୍ରୀ ସାଜି ନୂଆ ମନ୍ତ୍ରୀଙ୍କ ସାହାଯ୍ୟରେ ନୂଆ ପଦକ୍ଷେପ ନେବା ବେଳେ କେଉଁ କର୍ମନିର୍ବାହୀ କର୍ମଚାରୀ କେଉଁ ବିଭାଗର କେଉଁଠି ଝୁଣ୍ଟିଲେ, ତାହା ତଦ୍ବିର କରି ନୂଆ ମୁଖ୍ୟମନ୍ତ୍ରୀଙ୍କ ମଙ୍ଗ ସଳଖିବେ !

ଏପରି ଏକ ଆଦେଶ ଦେଇ ନବୀନବାବୁ  ତାଙ୍କ ଅନୁଗତମାନଙ୍କ ପାଖରେ ନିଜକୁ ବିଜେଡ଼ିର ସର୍ବନିୟନ୍ତା ବୋଲି ଜାରିକରିଥିଲେ ମଧ୍ୟ,  ବିଧାନସଭା ପାଇଁ ନିର୍ବାଚନ ଜିତିଥିବା ସବୁ ସଦସ୍ଯଙ୍କୁ ସେମାନଙ୍କ ଭିତରୁ କେଇଜଣ ଛାୟାମନ୍ତ୍ରୀ ହେବା ସହ୍ୟ ବି ହେଲାନି । ପାଣ୍ଡିଆନକୁ ଗମ୍ଭୀରାରେ ରଖି ନବୀନ ଚଳାଇଥିବା ନିର୍ବାଚନୋତ୍ତର ନାଟକରେ ଅତିଷ୍ଠ ହୋଇ ତାଙ୍କ ଦଳର ମମତା ମହାନ୍ତ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲା ପରେ ସେ  ଏକ ନୂଆ ଭେଳିକି ସୃଷ୍ଟି କରିଛନ୍ତି । ତାହା ହେଲା – ତାଙ୍କ ଦଳରେ “ସମନ୍ଵୟ ଓ କାର୍ଯ୍ୟାନ୍ବୟନ” ପାଇଁ ଏକ ୧୫ ଜଣିଆ କମିଟି । ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଜ ନିର୍ବାଚନମଣ୍ଡଳୀ ନରସିଂହପୁରର ଏକ ଜନସଭାରେ ସର୍ବପ୍ରଥମେ ଘୋଷଣା କରିଥିବା  ଦେବୀ ପ୍ରସାଦ ମିଶ୍ର ଏହି କମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଥିବା ଉଲ୍ଲେଖନୀୟ । 

ଆମ ପାଇଁ କୌତୁହଳର କଥା ହେଲା, ଏହି କମିଟିରେ କେତେକଙ୍କ ସଦସ୍ଯତା, ଯେଉଁମାନଙ୍କ କାପୁରୁଷତା ହେତୁ ନବୀନ ପଟ୍ଟନାୟକ କ୍ଷମତାରୁ ଅବଶେଷରେ ହଟିଲେ । ସେମାନେ ହେଲେ, ଦେବୀବାବୁଙ୍କ ସାଙ୍ଗକୁ ବାବୁ ଅରୁଣ କୁମାର ସାହୁ ଓ ବାବୁ ବିକ୍ରମ ଆରୁଖ । ଏହି ତିନିଜଣ ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ, ୧୯୫୪ର କାର୍ଯ୍ୟକରିତା ପାଇଁ ୨୦୧୫ରେ ନବୀନ ବାବୁ କବି ଗଜାନନ ମିଶ୍ରଙ୍କ ଆମରଣ ଅନଶନ ଚାପରେ ପଡ଼ି ଯେଉଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିଲେ ତହିଁରେ ସଦସ୍ୟ ଥିଲେ  । ସେହି କମିଟିର ଜଣେ ସଦସ୍ୟ ଭାବେ ମୁଁ ଭାଷା ଆଇନ ସଂଶୋଧନ ପାଇଁ ଯେଉଁ ପ୍ରସ୍ତାବ ଓ ଚିଠା ଦେଇଥିଲି ଏବଂ ତଦ୍ଦୃପ ଆଇନସଂଶୋଧନ ପରେ ବିଧିଭୁକ୍ତ ହେବା ପାଇଁ ନିୟମାବଳୀ ପ୍ରଣୟନ ପାଇଁ ପ୍ରସ୍ତାବ ସହ ତହିଁର ଯେଉଁ ଚିଠା ଦେଇଥିଲି ତାହାକୁ ସର୍ବସମ୍ମତିକ୍ରମେ ଗ୍ରହଣ କରିଥିଲା ଓ ତଦନୁଯାୟୀ ପଦକ୍ଷେପ ନେବାକୁ ଆଇନ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲା । ସମତାଳରେ ‘ଓଡ଼ିଆରେ ଶାସନ’ ନାମକ ଏକ ନଭମଞ୍ଚ (website) ଖୋଲାଯାଇ ତହିଁରେ ତାହାକୁ ସ୍ଥାନିତ କରାଯାଇଥିଲା । ବ୍ୟବସ୍ଥା ଥିଲା ଯେ, ଯେ କୌଣସି ଓଡ଼ିଆ ଭାଷା ଆଇନ ପ୍ରତି କୌଣସି କର୍ମଚାରୀ/ପଦାଧିକାରୀଙ୍କ ଅବଜ୍ଞା ଦେଖିଲେ ସେହି ନଭମଞ୍ଚରେ ତାହା ଉଲ୍ଲେଖ କରିପାରିବେ ଓ ତହିଁ ଉପରେ  କାର୍ଯ୍ୟାନୁଷ୍ଠାନ କରି ସରକାର ମଧ୍ୟ ସେହି ନଭମଞ୍ଚରେ ତାହା ସ୍ଥାନିତ କରିବେ । କିନ୍ତୁ ନବୀନବାବୁ ସେହି ମନ୍ତ୍ରୀସ୍ତରୀୟ କମିଟିକୁ ଲୋପ କରିଦେଲେ, ଭାଷା ଆଇନକୁ ସଂଶୋଧନ ବାହାନାରେ ଜାଲିଆତି ପ୍ରୟୋଗ ଦ୍ଵାରା ଅକର୍ମଣ୍ୟ କରିଦେଲେ । ୨୦୧୮ ସଂଶୋଧନ ସବୁ ଜଳିଆତିକୂ ଟପିଯାଇଥିଲା  । ଆଇନ ବିଭାଗର ପେନ୍ସିଲ ଭେଟିଙ୍ଗ ଅନୁସାରେ ଲିଖିତ ଯେଉଁ ବିଧେୟକକୁ ୧୪.୩.୨୦୧୮ ତାରିଖରେ ରାଜ୍ୟ କ୍ଯାବିନେଟ ଗ୍ରହଣ କରିଥିଲା ସେହି ବିଧେୟକକୁ ବିଧାନସଭା ନଥିରୁ ବାହାର କରିନେଇ ନବୀନବାବୁ ତହିଁ ସ୍ଥାନରେ ଏକ ଜାଲ୍ ବିଧେୟକ ରଖି ବିକ୍ରମ ଆରୁଖଙ୍କ ଦ୍ଵାରା ୧.୫.୨୦୧୮ ତାରିଖରେ ତାକୁ ବିଧାନସଭାରେ ପରୀତ କରାଇଲେ । ଏହା ବିକ୍ରମ ଆରୁଖ ଜାଣନ୍ତି । ଜାଲ୍  ବିଧେୟକକୁ ପାରିତ  କରାଇବାକୁ   ନବୀନ ବାବୁ ଏତେ ବ୍ଯଗ୍ର ଥିଲେ ଯେ, ତହିଁର  ଉପସ୍ଥାପନାଠୁ ବିତର୍କ ଶେଷ ପର୍ଯ୍ୟନ୍ତ ପ୍ରତି ପର୍ଯ୍ୟାୟରେ ଆରୁଖ କା’ଣ କହିବେ ତାହା ନବୀନଙ୍କ ଦପ୍ତର ତାଙ୍କୁ ଲେଖିକରି ଦେଇଥିଲା ଓ ସେ ସେହି ଲେଖାକୁ କାମିଜ ପକେଟରୁ ବାହାର କରି ପଢିବାକୁ ବାଧ୍ୟ ହୋଇଥିଲେ । ଆଇନ ବିଭାଗର ମନ୍ତ୍ରୀ ଭାବେ ଅରୁଣ ସାହୁ ନୀରବ ଦ୍ରଷ୍ଟା ସାଜି ବସିଥିଲେ । ଉପରୋକ୍ତ କ୍ଯାବିନେଟ ବୈଠକ ନବୀନ ପଟ୍ଟନାୟକଙ୍କ ସ୍କାମର ଶିକାର ହୋଇଥିଲା । ଏହି ତିନି ବ୍ୟକ୍ତି ଯଦି କାପୁରୁଷତା ପ୍ରଦର୍ଶନ କରିନଥାନ୍ତେ ଏପରି ଏକ କ୍ଯାବିନେଟ୍ ସ୍କାମ୍ ପାଇଁ ନବୀନ ସାହସ କରିପାରିନଥାନ୍ତେ କି ଓଡ଼ିଆ ଜାତିର ଏତେବଡ଼ କ୍ଷତି କେବେ ବି ଘଟିପାରିନଥାନ୍ତା । 

ଏ ପାପର ଫଳ ନବୀନ ପାଇଛନ୍ତି । ଏ ତଥାକଥିତ ସମନ୍ଵୟ କମିଟି ଯେତେ କାପ ପକା ପରିଶ୍ରମ କଲେ ମଧ୍ୟ ଆମ ଭାଷାଜନନୀର ଅଭିଶାପରେ ବିଜୁ ଜନତା ଦଳ ମୂଳପୋଛ ହେବାକୁ ଯାଉଛି, ଯେମିତି ହୋଇଥିଲା ବିଜୁଙ୍କ ଉତ୍କଳ କଂଗ୍ରେସ । 

ଆମ ଓଡ଼ିଆ ପୂର୍ବଜେ କାହିଁକି ଏହା କହିଥିଲେ ସେମାନେ ଜାଣନ୍ତି, ମାତ୍ର କଥାଟି ହେଲା, “ହନୁ ମଲା ବେଳକୁ ସତ କହେ ।” 

ମରଣମୁଖୀ ବିଜେଡ଼ିର ଜୀବନରକ୍ଷା ପାଇଁ ସମନ୍ଵୟ ଦାୟିତ୍ଵ ଗ୍ରହଣ କରିଥିବା ଉପରୋକ୍ତ ତିନି “ମନ୍ତ୍ରୀସ୍ତରୀୟ କମିଟି” ସଦସ୍ୟ ଏବେ ହେଲେ ସତ୍ୟ ସ୍ଵୀକାର କରନ୍ତେ ଓ ଓଡ଼ିଆ ଭାଷା ବିଦ୍ଵେଷୀ ନବୀନ ପଟ୍ଟନାୟକଙ୍କୁ ନିଜ ଦୋଷ ସ୍ଵୀକାର ପାଇଁ ପ୍ରବର୍ତ୍ତାନ୍ତେ ! କିଛି ତ ପାପ କ୍ଷୟ ହୁଅନ୍ତା ଓ ଓଡ଼ିଆ ଜାତିର ଭାଷା ଅଧିକାର ପଥରୁ ଅନ୍ତରାୟ କିଛି ପରିମାଣରେ ଅପସାରିତ ହୁଅନ୍ତା !

ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ – ୩

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବିଲାତି ଶାସନ ସଂକଳିତ ‘କୋରାପୁଟ ଗେଜେଟିଅର’ର ପୃଷ୍ଠା ୮୫ ରେ ଉଲ୍ଲେଖ ଅଛି:
“Sisti Karanas, originally Oriya, adopted Telugu language when Southern areas were lost to Oriyas.”

“କଚେରୀରେ ତେଲେଙ୍ଗା ବିଦ୍ୟା ପ୍ରଚାର ହେବାରୁ କ୍ରମେ କ୍ରମେ ଏ ଦେଶ ଲୋକଙ୍କର ଶ୍ରୀ ଚ୍ୟୁତ ହୋଇ ଯଶଃ ଶ୍ରୀ ବିଦ୍ୟା ବୁଦ୍ଧି ଲୋପ ହେବା ପ୍ରତ୍ୟକ୍ଷେ ସରକାରରୁ ନ୍ୟାୟ ଲଭିବାର ଦୁଷ୍କର ହୋଇଅଛି” ବୋଲି ଦର୍ଶାଇଥିଲା ଘୁମୁସରର ରସଲକୋଣ୍ଡା ଠାରେ ଦୀନବନ୍ଧୁ ପଟ୍ଟନାୟକଙ୍କ ଦ୍ଵାରା ଆୟୋଜିତ ଓଡ଼ିଆମାନଙ୍କର ପ୍ରଥମ ସମ୍ମିଳନୀ ୧୮୭୦ ସେପ୍ଟେମ୍ବର ୧୧ ତାରିଖରେ । ଓଡ଼ିଆ ଭାଷାକୁ ପୁନର୍ବାର ଦାପ୍ତରିକ ଭାଷା କରାଯାଉ, ନଚେତ ସବୁ ଓଡ଼ିଆ ଭାଷାଭାଷୀ ଅଂଚଳକୁ ଏକତ୍ର କରି ଗୋଟିଏ ଶାସନରେ ରଖାଯାଇ ସେଠାରେ ଓଡ଼ିଆକୁ ରାଜଭାଷା କରାଯାଉ ବୋଲି ଏହି ସମ୍ମିଳନୀରେ ଦାବି କରାଯାଇ ଏଥିରେ ସହଯୋଗ କରିବାକୁ “କଟକଜିଲ୍ଲା ଉତ୍କଳଦେଶୀୟ ମହାଶୟମାନଙ୍କୁ” ନିବେଦନ କରାହୋଇଥିଲା । ସେମାନଙ୍କୁ ଆହ୍ୱାନ ଦେଇ କୁହାହୋଇଥିଲା , “ଶାସ୍ତ୍ରାନୁସାରେ (ଅର୍ଥାତ୍ ସେମାନଙ୍କ ଭାଷା ସାହିତ୍ୟର ଭିତ୍ତି ଉପରେ) ଉତ୍କଳଦେଶ ସମଗ୍ର ଏକତ୍ର ହୋଇ ଓଡ଼ିଶା ଜିଲ୍ଲାରେ ରହିବା ଓ ସର୍ବତ୍ର ଉତ୍କଳ ଦେଶ ଅଦାଲତରେ ଉତ୍କଳ ବିଦ୍ୟା ପ୍ରଚଳ ହେବା ନିମିତ୍ତ ଭାରତବର୍ଷର ଶ୍ରୀଯୁକ୍ତ ରାଇଟ୍ ଅନରେବ୍ଲ ଗଭର୍ଣ୍ଣର ଜେନେରାଲ୍ ବାହାଦୁରଙ୍କ ହଜୁରରୁ ହୁକୁମ ହେବା କାରଣ କଟକ ଜିଲ୍ଲା ଉତ୍କଳ ଦେଶୀୟ ମହାଶୟମାନେ ଯଥୋଚିତ ତଦ୍ବିର କରି ଚିରସ୍ଥାୟୀ କୀର୍ତ୍ତି ରଖିବାର ଯଶଃ ପ୍ରକାଶ କରନ୍ତୁ ।”

ଅତଏବ ଓଡ଼ିଆ ଭାଷାରେ ଦପ୍ତର ଓ ଅଦାଲତଗୁଡ଼ିକ ନ ଚାଲି ଦକ୍ଷିଣ ଓଡ଼ିଶାରେ ତେଲୁଗୁ ଭାଷା ରାଜଭାଷା ହୋଇଯିବାରୁ ତଦ୍ଦ୍ଵାରା ଓଡ଼ିଆମାନଙ୍କର “ଯଶଃ ଶ୍ରୀ ବିଦ୍ୟା ବୁଦ୍ଧି ଲୋପ ହେବା” ଫଳରେ ନିଜ ମାତୃଭାଷା ଓଡ଼ିଆ ଯେପରି ଅଫିସ ଓ ଅଦାଲତମାନଙ୍କରେ ପୁନଃ ପ୍ରବର୍ତ୍ତିତ ହୁଏ ତା ପାଇଁ ଏକ ସ୍ୱତନ୍ତ ଓଡିଶା ପ୍ରଦେଶ ଗଠନ ପାଇଁ ଘୁମୁସର ସମ୍ମିଳନୀ ଆହ୍ୱାନ ଦେଇଥିଲା । ଏହା ଯଥୋଚିତ ବୋଲି ମତ ଦେଇ ଉତ୍କଳ ଦୀପିକା ସମ୍ପାଦକ ଲେଖିଥିଲେ:
“ବଙ୍ଗଳା ଓ ମଧ୍ୟପ୍ରଦେଶ ଅଧୀନରେ ଥିବା ଓଡ଼ିଆ ଭାଷାଭାଷୀ ଅଂଚଳରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ପ୍ରଚାର ଅଛି ……ଯେବେ ବଙ୍ଗଳା ଓ ମଧ୍ୟପ୍ରଦେଶରେ ଏପରି ହେଲା ତେବେ ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ଅନ୍ତର୍ଗତ ଓଡ଼ିଶାରେ କାହିଁକି ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟାଳୟମାନଙ୍କରେ କାର୍ଯ୍ୟ ନ ଚଳିବ?” (ଉତ୍କଳଦୀପିକା, ୨୨ । ୧୦ । ୧୮୭୦) । (କ୍ରମଶଃ)

ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ -୧

ଓଡ଼ିଶାର ଆବିର୍ଭାବ

ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଯଦି ଏକତ୍ର କରି ଗୋଟିଏ ପ୍ରଦେଶ ସୃଷ୍ଟି କରାନଯାଏ, ତେବେ କୌଣସି ଯଥାର୍ଥତା ନଥାଇ ଏପରି ଚାରି ଭାଗରେ ଭାଗ ଭାଗ ହୋଇରହିଥିଲେ ଏହି ସୂକ୍ଷ୍ମ ବୁଦ୍ଧିସମ୍ପନ୍ନ ଉତ୍କୃଷ୍ଟ ଜାତି ଯେଉଁ ସ୍ଵାଭାବିକ ଅଗ୍ରଗତି ପାଇଁ ହକଦାର, ହୁଏତ ତାହା ସମ୍ଭବ ହେବନାହିଁ ବୋଲି କହିଥିଲେ ମହାତ୍ମା ଗାନ୍ଧୀ ୧୯୨୦ ଫେବୃଆରୀ ୧୮ ତାରିଖରେ ୟଙ୍ଗ ଇଣ୍ଡିଆରେ (“This fine race cannot possibly make the natural advance which is its due, if it is split up into four divisions for no sound reason.” – Young India, 18 Feb.1920) । ସେ କହିଥିଲେ, ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଆନ୍ଦୋଳନ ଏକ ସାଧାରଣ ଆନ୍ଦୋଳନ ନୁହେଁ, ଭାରତରେ ଭାଷାଭିତ୍ତିକ ରାଜ୍ୟ ଗଠନର ବୃହତ୍ତର ପ୍ରସଙ୍ଗରେ ଏହା ଏକ ଯୁଗାନ୍ତକାରୀ ବିଭାବନା । (ଏଯନ) ।
କେଉଁ କାରଣ ହେତୁ ଓଡ଼ିଆ ଭାଷାଭାଷୀ ଭୂଖଣ୍ଡ ଏପରି ଚାରିଭାଗ ହୋଇଯାଇଥିଲା ? ‘ଓଡ଼ିଶା ପ୍ରଦେଶ ସୃଷ୍ଟିରେ ଗଣମାଧ୍ୟମ’ ବହିରେ ମୁଁ ଏହାର କାରଣ ଦର୍ଶାଇଛି । ଏହି କାରଣ ଥିଲା: ଭାରତକୁ ଦଖଲ କରିଥିବା ବ୍ରିଟିଶ ଅନୁପ୍ରବେଶକାରୀମାନଙ୍କ ମନରେ ଓଡ଼ିଆ ଲୋକଙ୍କ ମିଜାଜ ପ୍ରତି ଥିବା ଭୟଙ୍କର ଭୟ ।
ସେମାନେ କୂଟକୌଶଳ ଦ୍ଵାରା ଆମ ମାଟିରେ ଦଖଲଦାରୀ ଜାରି କଲାବେଳେ ଯେଉଁ ଭୟଙ୍କର ପ୍ରତିଘାତର ସମ୍ମୁଖୀନ ହେଲେ, ତାହାକୁ ଏକ ପ୍ରାଣାନ୍ତକ ଝଡ଼ ବୋଲି ବର୍ଣ୍ଣନା କରିଥିଲେ ସେମାନଙ୍କ ପ୍ରତ୍ୟକ୍ଷଦର୍ଶୀ ବିବରଣୀଲେଖକ ଜି. ଟୟନବୀ (“It was not long, however, before we had to encounter a storm which burst with so sudden fury as to threaten our expulsion, if not from the whole of Orissa, at least from the territory of Khurda.” – A sketch of the history of Orissa, G.Toynbee) । ଓଡ଼ିଶା ମାଟି ଏତେ ବୀରତ୍ୱବ୍ୟଞ୍ଜକ ଓ ଓଡ଼ିଆ ଲୋକଙ୍କ ମିଜାଜ ଏତେ କଡ଼ା ଯେ, ମିଲିଟାରୀ ବା ପୋଲିସ ବଳରେ ତାଙ୍କୁ ଆୟତ୍ତ କରି ହେବନି ଓ ବ୍ରିଟିଶ ବିରୁଦ୍ଧରେ ସେମାନଙ୍କ ସଂଘର୍ଷ ସବୁବେଳେ ଲାଗିରହିବ ବୋଲି ବିଚାରପତି ଡବ୍ଲ୍ୟୁ. ଫରେଷ୍ଟର ରିପୋର୍ଟ କରିଥିଲେ (“…..it is to be feared that, the nature of the country and the disposition of the inhabitants will always present formidable obstacles to the suppression of these disturbances either by military or police.” (Para 18 of W. Forrester’s Report to Commissioner Robert Ker, dt. 9.9.1818) । ଏହା ବ୍ରିଟିଶ ମନସ୍ତତ୍ତ୍ଵକୁ ଏପରି ଭୟାଛନ୍ନ କରି ରଖିଥିଲା ଯେ, କଳେ ବଳେ କୌଶଳେ ଓଡ଼ିଶା ଦଖଲ କଲା ପରେ, ଓଡ଼ିଆ ଜାତିର ଐକ୍ୟ ଉଜାଡ଼ି ଦେବାକୁ ଓଡ଼ିଆ ଭାଷାଭାଷୀ ଭୂଖଣ୍ଡକୁ ଭାଗଭାଗ କରିଦେଲେ କେବଳ ନୁହେଁ, ସେହି ବିଖଣ୍ଡିତ ଭାଗଗୁଡ଼ିକୁ ପଡ଼ୋଶୀ ପ୍ରଦେଶମାନଙ୍କରେ ମିଶାଇ ସେମାନଙ୍କ ଭାଷାର ଆଧିପତ୍ୟ ତଳେ ସଂଖ୍ୟାଲଘୁ ହୋଇପଡ଼ିଥିବା ଓଡ଼ିଆଙ୍କୁ ତଳିତଳାନ୍ତ କରିଦେଲେ । (କ୍ରମଶଃ)

ଓଡ଼ିଶାର ସ୍ଵର ହିଁ ଓଡ଼ିଆ : ମହାନ ଆମ ମାତୃଭାଷା ସଂଘ

ଓଡ଼ିଶାର ସବୁ ଗଡ଼ଜାତ ପରି ଗଡ଼ଜାତ ମିଶ୍ରଣ ପର୍ଯ୍ୟନ୍ତ ବଲାଙ୍ଗିରର ରାଜଭାଷା ଥିଲା ଓଡ଼ିଆ । ସେତେବେଳର ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବ ପରେ ଓଡ଼ିଆ ଭାଷାରେ କମ ନ କରୁଥିବା ସରକାରୀ କର୍ମଚାରୀଙ୍କୁ ଦଣ୍ଡ ବିଧାନ କରିବା ପାଇଁ ପ୍ରଥମ ବୈଧିକ ଆଦେଶ ପ୍ରଦାନ କରିଥିଲେ । ସେହି ବଲାଙ୍ଗୀରରେ ଗଢ଼ିଉଠିଛି ଓଡ଼ିଆ ଭାଷା ସାହିତ୍ୟର ଏକ ଅନୁପମ ସଙ୍ଗଠନ, ଯାହାର ନାମ – ମହାନ୍ ଆମ ମାତୃଭାଷା ସଙ୍ଘ । ବହୁବିଧ ପ୍ରତିଭାଧର ଯୁବ କବି ରାଜେଶ କୁମାର ଶତପଥୀ ଏହାର ପ୍ରତିଷ୍ଠାତା ।

ଏହାଙ୍କ ସଭାପତିତ୍ଵରେ ଗତ ୩ ତାରିଖରେ ନଭମଞ୍ଚ (internet) ଉପଯୋଗ କରି ଏହି ସଙ୍ଘର ନିୟମିତ ପାଠଚକ୍ର ଅନୁଷ୍ଠିତ ହୋଇଥିଲା । ସଂଘର ମ । ହିଳା ବିଭାଗର ସଚିବ ଦୀପାଳୀ ସାହୁ ଭିତ୍ତିପତ୍ର ଉପସ୍ଥାପନ କରି ଓଡ଼ିଆ ଭାଷା ହିଁ ଓଡ଼ିଶାର ସାମଗ୍ରିକ ସ୍ଵର ବୋଲି କହି ରାଜ୍ୟ ପରିଚାଳନାରେ ଏହାର ଉପଯୋଗ ନ ହେଉଥିବା କାରଣରୁ ଓଡ଼ିଶାର ବିକାଶ ଶତଧା ବାଧାପ୍ରାପ୍ତ ହେଉଥିବା ଦର୍ଶାଇଥିଲେ।

ସ୍ଵଭାବକବି ଗଙ୍ଗାଧର ମେହେର ଓ ତାଙ୍କ ସମସାମୟିକ ଲେଖକମାନେ କିପରି ପ୍ରଭୂତ ସାହିତ୍ୟ ରଚନା କରି ଓଡ଼ିଆ ଜାତିର ମାତୃଭାଷାକୁ ମହିମାମଣ୍ଡିତ କରି ଭାଷା ଭିତ୍ତିରେ ଓଡିଶା ପ୍ରଦେଶ ଗଠନର ମାର୍ଗ ସୁଗମ କରିଥିଲେ ତାହା ଅତି ଦକ୍ଷତାର ସହ ଦର୍ଶାଇ ଥିଲେ ସେ ଓ ସଭାପତି ରାଜେଶ କୁମାର ଶତପଥୀ ।

ଶ୍ରୀ ଜନ୍ମେଜୟ ପୁରୋହିତଙ୍କ ସଂଯୋଜନାରେ ପରିଚାଳିତ ଏହି ଭର୍ଚୁଆଲ ସମାବେଶରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୁଜୁରାଟରୁ ଶ୍ରୀସୁଶାନ୍ତ କୁମାର ମାହିଳୀ ଓ ପଶ୍ଚିମବଙ୍ଗର ଶାନ୍ତିନିକେତନରୁ ଶ୍ରୀଦେବେନ୍ଦ୍ର ମେହେର ଓଡ଼ିଆ ଭାଷାର ବୈଭବ ଉପରେ ବ୍ୟାପକ ଆଲୋଚନା କରିଥିଲେ । ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଥିଲେ ମୁଖ୍ୟ ଅତିଥି ।

ଭାଷା ସମ୍ପର୍କୀୟ ଆଲୋଚନା ପରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଯୋଗଦାନ କରି ଏହି ଭର୍ଚୁଆଲ ସମାବେଶରେ ସ୍ଵ ସ୍ଵ କବିତା ଅବୃତ୍ତି କରିଥିଲେ ସର୍ବଶ୍ରୀ ବିଶ୍ବଜିତ ସାହୁ. ଜୟଦେବ ଭୋଇ , ସରୋଜ କୁମାର ମହାନ୍ତି , ଶୁଭେନ ପାଣିଗ୍ରାହୀ , ରୋଶନ ସାହୁ , ଜନ୍ମେଜୟ ପୁରୋହିତ, ଅର୍ଜୁନ ମେହେର , ଭାଗ୍ୟବନ୍ତ ମହାଲିଙ୍ଗ , ସୁଶାନ୍ତ କୁମାର ମାହାଳୀ , ତୃପ୍ତିମୟୀ ପାତ୍ର , ସୁନୀତା ପଧାନ, ଦୀପାଳୀ ସାହୁ , ନାମାକ୍ଷୀ ପୁରୋହିତ ଓ ଲିଲିମା ହୋତା । ଅଧ୍ୟକ୍ଷ୍ୟତା କରୁଥିବା ଶ୍ରୀ ରାଜେଶ ଶତପଥୀ ଆମ ଭାଷାରେ ଇଂରାଜୀ ଶବ୍ଦର ଅଯଥା ପ୍ରଲେପନ ଉପରେ ଏକ ବ୍ୟଙ୍ଗାତ୍ମକ କୋଶଳୀ କବିତା ଆବୃତ୍ତି କରି କର୍ମସୂଚୀର ଏକ ହାସ୍ୟୋଜ୍ଜ୍ଵଳ ପରିସମାପ୍ତି ଘଟାଇଥିଲେ । ଦର୍ଶକ ହିସାବରେ ଶଶି କାନ୍ତ ପଣ୍ଡା ଯୋଗ ଦେଇଥିଲେ ।

ଶ୍ରୀ ବିଶ୍ଵଜିତ ସାହୁ ସ୍ଵାଗତ ଭାଷଣ ଦେଇଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀଲକ୍ଷ୍ମୀ ନାୟକ ।

ମୋ ଭାଷା-ମାଆ ସହ ମୁଁ , ପରିସ୍ଥିତି ଯାହା ବି ହେଉ : ଭାଷା ଆନ୍ଦୋଳନର ସପ୍ତାହନ୍ତ ପାଠଚକ୍ରର ସ୍ଵର

(ସୂତ୍ର: ଆମ ଭାଷା ଆମ ଅଧିକର)

ଭାଷା ଆନ୍ଦୋଳନର ଚତୁର୍ଥ ସପ୍ତାହନ୍ତ ପାଠଚକ୍ର ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି | ଏହି ପାଠଚକ୍ରରେ ପୁରୀରୁ ମହେନ୍ଦ୍ର ତ୍ରିପାଠୀ ପ୍ରଥମେ ଭାଷା ମାଆ ପାଇଁ ତାଙ୍କର କବିତା ଆବୃତ୍ତି କରିଥିଲେ | ପରେ ପରେ ରଂଜନ କୁମାର ସାହୁ ‘ଭାଷା ବନ୍ଦନା’ ଆବୃତ୍ତି କରିଥିଲେ | ପରିଶେଷରେ ଆଲୋଚ୍ୟ ବିଷୟ (ମୁଁ ଓ ମାତୃଭାଷା) ଉପରେ ସଦସ୍ୟମାନେ ନିଜ ନିଜର ମତ ରଖିଥିଲେ |

ରାୟଗଡ଼ାରୁ ସରୋଜ ମହାନ୍ତି ରାଜ୍ୟର ଅର୍ଥନୈତିକ ବିକାଶରେ ଭାଷାର ଭୂମିକା ଉପରେ ମତ ରଖିଥିଲେ | ବଲାଙ୍ଗୀରରୁ ରାଜେଶ ଶତପଥୀ ଯୋଗ ଦେଇ ପ୍ରତ୍ୟେକ ଓଡ଼ିଆ ନିଜ ମାତୃଭାଷା ପ୍ରତି ନିଜ ଦାୟିତ୍ୱ ନିର୍ବାହ କରିବାକୁ ଆହ୍ୱାନ ଦେଇଥିଲେ | ଶ୍ୟାମଘନ ମହାରଣା କହିଥିଲେ ଯେ ଭାଷାରେ ରାଜ୍ୟ ପରିଚାଳନା ହେଲେ ହିଁ ଭାଷା ନିରାପଦ ରହିବା ଓ ତାର ଉତ୍ତରୋତ୍ତର ଉନ୍ନତି ସମ୍ଭବ ହେବ ।  ଗୁଜୁରାଟରୁ ସୁଶାନ୍ତ କୁମାର ମାହାଳି କିଭଳି ଓଡ଼ିଶା ସରକାର ଓଡ଼ିଆ ଭାଷାକୁ ଅନ୍ୟ ରାଜ୍ୟ ଭଳି ସରକାରୀ ସ୍ତରରେ ପ୍ରାଧାନ୍ୟ ଦେବା ଆବଶ୍ୟକ ତାହା ଉପରେ ଆଲୋକପାତ କରିଥିଲେ | ଆଠଗଡ଼ରୁ ନିର୍ମଳ କୁମାର ଭାଗ ନେଇ ସରକାରଙ୍କ କରୋନା ସମ୍ପର୍କୀୟ ସୂଚନା ଓଡ଼ିଆରେ ପ୍ରଦାନ ନହେଉଥିବାରୁ ଏହାକୁ ନିନ୍ଦା କରିଥିଲେ | ଏହି ସଭାରେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ କଟକରୁ ରମାକାନ୍ତ ଭୂୟାଁ, ଯାଜପୁରରୁ ସୌଭାଗ୍ୟ ରାଉତ, ବାଲେଶ୍ୱରରୁ ତୃପ୍ତିମୟୀ ପାତ୍ର ଏହି ପାଠଚକ୍ରରେ ଯୋଗ ଦେଇ ରାଜ୍ୟସରକାରଙ୍କ ଇଂରାଜୀମନସ୍କତା ଓଡ଼ିଆ ଭାଷାର ଦୁର୍ଗତିର କାରଣ ବୋଲି କହି ଥିଲେ |

ସମସ୍ତେ ନିଜ ନିଜ ବକ୍ତବ୍ୟରେ ଯାହା ଯାହା କହିଥିଲେ, ତାର ସାରାଂଶ ହେଲା, ମୋ ମାତୃଭାଷା ମୋର ଏବଂ ତା ସହ ମୁଁ ଠିଆହେବି ପରିସ୍ଥିତି ଯାହା ହେଉ ନାଁ କାହିଁକି ।