ସୁଭାଷ ଚନ୍ଦ୍ର ପଟ୍ଟନାୟକ
ପ୍ରତିଷ୍ଠାତା, ଭାଷା ଆନ୍ଦୋଳନ, ଓଡ଼ିଶା
ଓଡ଼ିଆ ଅସ୍ମିତା ଆଳରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ବାବୁ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ଉଚ୍ଚ ଶିକ୍ଷାର ପ୍ରଥମ ଓ ଶ୍ରେଷ୍ଟ ପୀଠଟିକୁ ରେଭେନ୍ସା-ମୁକ୍ତ କରିବାକୁ ସର୍ବସାଧାରଣ ସମ୍ମୁଖରେ ଏକ ପ୍ରସ୍ତାବ ଦେଇଛନ୍ତି । ଭାଷା ଆନ୍ଦୋଳନ, ଓଡ଼ିଶା ତାଙ୍କ ପ୍ରସ୍ତାବକୁ ସମ୍ପୂର୍ଣ୍ଣତଃ ପ୍ରତ୍ୟାଖ୍ୟାନ କରୁଛି ଓ ଏହି ଐତିହାସିକ ଶିକ୍ଷା ପୀଠ ଉପରେ ରାଜନୈତିକ ଆକ୍ରମଣକୁ ନିନ୍ଦା କରୁଛି ।
ଇଂରେଜ ଶାସନ କାଳରେ ଓଡ଼ିଆ ଜାତି ଘୋର ଦୁର୍ଦ୍ଦିନ କବଳରେ ପଡ଼ି ପରିଚୟ ସଙ୍କଟର ସମ୍ମୁଖୀନ ହୋଇଥିବା ବେଳେ, ତା ସୌଭାଗ୍ୟକୁ ଓଡ଼ିଶା ଡିଭିଜନରେ କମିଶନର ଭାବେ ପଦାସୀନ ହୋଇଥିଲେ ଥୋମାସ ଏଡୱାର୍ଡ ରେଭେନ୍ସା (Thomas Edward Ravenshaw)। ଆମ ଜାତିର ଭାଷା ଜାତୀୟତାର ପୁନର୍ଜୀବନର ସେ ଥିଲେ ମୂଳ ଉତ୍ସ । ବ୍ୟାସକବି ଫକୀର ମୋହନଙ୍କ ଭାଷାରେ ଓଡ଼ିଆ ଜାତିର “ମା ବାପ” ।
ସେ ଓଡ଼ିଶା ଡିଭିଜନର ଦାୟିତ୍ଵ ନେଲାବେଳକୁ ନ’ଙ୍କ ଦୁର୍ଭିକ୍ଷ ତାଙ୍କ କର୍ତ୍ତୃତ୍ଵାଧୀନ ବାଲେଶ୍ୱର, କଟକ ଓ ପୁରୀଜିଲ୍ଲାକୁ ଗ୍ରାସ କରିସାରିଥିଲା । ସେ ଲୋକଙ୍କୁ ତତ୍କାଳ ସାହାଯ୍ୟ କରିବା ପାଇଁ ଓ ଭବିଷ୍ୟତରେ ଯେପରି ଏପରି ଦୁର୍ଭିକ୍ଷ ପୁନଶ୍ଚ ମୁଖବ୍ୟାଦାନ ନକରେ ତା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନେଇଥିଲେ ।
ଅପରପକ୍ଷେ ସେ ଅନୁଭବ କରିଥିଲେ ଯେ, ବଙ୍ଗ ରାଜ୍ୟରୁ ଆସି ଓଡ଼ିଶା ଭୂଖଣ୍ଡରେ ଚାକିରି କରୁଥିବା ବଙ୍ଗାଳିମାନେ ଓଡ଼ିଆ ବିଦ୍ଵେଷୀ ହୋଇଥିବା ହେତୁ ଓଡ଼ିଆ ଲୋକଙ୍କ ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡିଛି , ସେମାନେ ଦୁର୍ଭିକ୍ଷ କବଳକୁ ଠେଲି ହୋଇଯାଇଛନ୍ତି । ତହିଁର ପ୍ରତିକାର ପାଇଁ ସେ କ’ଣ କରିଥିଲେ ଏବଂ ନିଜ ଭୂଖଣ୍ଡର ଉପଯୁକ୍ତ ପରିଚାଳନା ପାଇଁ ସେମାନଙ୍କୁ ସମର୍ଥ କରାଇବା ସକାଶେ ସେ କ’ଣ କରିଥିଲେ ତହିଁର ପରମାଣିକ ଆଲୋଚନା ନିମ୍ନ ମତେ ଦୁଇ କିସ୍ତିରେ ପ୍ରକାଶ ପାଇଛି ।
ଭାଷା ଆନ୍ଦୋଳନ ତାହାକୁ ପୂର୍ଣ୍ଣତଃ ସମର୍ଥନ କରିବା ସଙ୍ଗେ ସଙ୍ଗେ ରେଭେନ୍ସାଙ୍କ ନାମକୁ ନେଇ ରାଜନୈତିକ ଖେଳ ନଚଳାଇବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ପରାମର୍ଶ ଦେଇଛି ।
କୃତଜ୍ଞତା ହିଁ ଅସ୍ମିତାର ପରିଚାୟକ, କୃତଘ୍ନତା ନୁହେଁ, ପ୍ରିୟ ଧର୍ମେନ୍ଦ୍ରବାବୁ ! ରେଭେନ୍ସା ନାମ ରାଜନୀତିର ଖେଳ ପଡ଼ିଆ ନହେଉ (ଭାଗ ୧ )
କୃତଜ୍ଞତା ହିଁ ଅସ୍ମିତାର ପରିଚାୟକ, କୃତଘ୍ନତା ନୁହେଁ, ପ୍ରିୟ ଧର୍ମେନ୍ଦ୍ରବାବୁ ! ରେଭେନ୍ସା ନାମ ରାଜନୀତିର ଖେଳ ପଡ଼ିଆ ନହେଉ (ଭାଗ ୨)