କନକ ନ୍ୟୁଜ୍ ବିରୁଦ୍ଧରେ କ୍ରାଇମ୍ ବ୍ରାଞ୍ଚ୍ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଅତୀତରେ ଭାଷା ଆନ୍ଦୋଳନ ଉପରେ ନାନା ବିଭ୍ରାନ୍ତିକର ଅପପ୍ରଚାର କରିଥିବା କନକ ନ୍ୟୁଜ୍ ଜଣେ ଓଡ଼ିଆ ଝିଅର ଇଜ୍ଜତ ଉପରେ ସେପ୍ଟେମ୍ବର ୪ ତାରିଖରେ ଯେଉଁ କୁତ୍ସିତ ଖେଳ ଖେଳିଛି ତାହା ଓଡ଼ିଆ ଅସ୍ମିତା ପ୍ରତି ଅବମାନନା ପ୍ରଦର୍ଶନ କେବଳ ନୁହେଁ, କ୍ରାଇମ୍ ବ୍ରାଞ୍ଚ୍ ତଦନ୍ତର କାର୍ଯ୍ୟ ଧାରା ଉପରେ କୁଠାରଘାତ ମଧ୍ୟ । କ୍ରାଇମ୍ ବ୍ରାଞ୍ଚ୍ ନିରବଦ୍ରଷ୍ଟା ହୋଇ ନରହି, ତାର ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିଥିବା ଏହି ସାମ୍ବାଦିକୀୟ ସୀମା ଲଙ୍ଘନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ଦରକାର ।

ଗତ କେଇଦିନ ତଳେ ଏକ ସ୍ଵେଚ୍ଛାସେବୀ ସଂଗଠନର ପ୍ରତିଷ୍ଠାତାଙ୍କ ମୃତ ଦେହ ଭୁବନେଶ୍ଵରର ଏକ ରେଳ ଷ୍ଟେସନ ଇଲାକାରେ ରେଳ ଧାରଣାରୁ ଜବତ ହୋଇଥିଲା । ତାହା ଆତ୍ମହତ୍ୟାଜନିତ କି ହତ୍ୟାଜନିତ ତହିଁର ନିରୂପଣ ପାଇଁ ଓ କିଏ ସେଥିପାଇଁ ଦାୟୀ ଠାବ କରିବା ପାଇଁ ରାଜ୍ୟ କ୍ରାଇମ୍ ବ୍ରାଞ୍ଚ୍ ତଦନ୍ତ କରୁଛି । କନକ ନ୍ୟୁଜ୍ ଚ୍ୟାନେଲ ଏହି ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବାପରି କାମ କରିଛି ସିଧା ପ୍ରସାରିତ ଏକ ଖୋଲା ଜେରାରେ, ଯାହା ନିମ୍ନସ୍ଥ ସଂଯୋଗ ସରଣୀ (link) ଆପଣଙ୍କୁ ଅବଗତ କରାଇବ । କ୍ରାଇମ୍ ବ୍ରାଞ୍ଚ୍ ଅପରାଧିକ ନ୍ୟାୟ ବ୍ୟବସ୍ଥାର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଅଙ୍ଗ, ଯାହାର ନିରୂପଣ ଅଦାଲତକୁ ସାହାଯ୍ୟ କରିଥାଏ ଅପରାଧୀକୁ ଦଣ୍ଡ ଦେଇ ଜନସମାଜକୁ ନିଶଙ୍କ ରଖିବାରେ । ଏହି ଚ୍ୟାନେଲ ତହିଁରେ ହସ୍ତକ୍ଷେପ କରିଛି ।

ମୃତ ସ୍ଵେଚ୍ଛାସେବୀଙ୍କ ସହ ନୈକଟ୍ୟ ଥିବା ଦର୍ଶାଇ ଜଣେ ଯୁବତୀଙ୍କୁ ଏହା ସିଧା ପ୍ରସାରିତ କାର୍ଯ୍ୟକ୍ରମରେ ଏପରି ସବୁ ପ୍ରଶ୍ନ ପଚାରିଛି ଯାହା ତାଙ୍କର ବ୍ୟକ୍ତିଗତ, ଗୋପନୀୟ ଜୀବନରେ ଅନଧିକୃତ ହସ୍ତକ୍ଷେପ ଓ ସାମ୍ବାଦିକୀୟ ସ୍ଵାଧୀନତାର ଅବାଞ୍ଛିତ ଅପପ୍ରୟୋଗ ଭିନ୍ନ କିଛି ନୁହେଁ ।  

ଓଡ଼ିଆ ଜାତୀୟ ସ୍ଵାର୍ଥ ଦୃଷ୍ଟିରୁ ଦେଖିଲେ ଏହା ଓଡ଼ିଆ ସାମାଜିକ କୃଷ୍ଟି ପ୍ରତି ଘୋର ତାତ୍ସଲ୍ୟ ପ୍ରଦର୍ଶକ । ଯେଉଁ ଭୟପ୍ରଦ କଣ୍ଠରେ ଉତ୍ତରଗର୍ଭିତ ପ୍ରଶ୍ନମାନ ପଚରାଯାଇଛି ତାହା ଝିଅଟିର ମାନବିକ ଅଧିକାରକୁ ମଧ୍ୟ ଘୋର ସଙ୍କଟଗ୍ରସ୍ତ କରିଛି । ଝିଅଟି ଏପରି କିଛି କଥା ଖୋଲିବାକୁ ବାଧ୍ୟ ହୋଇଛି, ଯାହା ସେ ନିଜ ସପକ୍ଷରେ କ୍ରାଇମ୍ ବ୍ରାଞ୍ଚ୍ ତଦନ୍ତରେ ବା ଅଦାଲତରେ ଦୃଢ ଭାବେ ବ୍ୟବହାର କରିପାରିଥାନ୍ତା । ମୋ ମତରେ ମାନବିକ ଅଧିକାର କମିଶନ ନିଜ ଆଡୁ ଏଥିରେ ହସ୍ତକ୍ଷେପ କରି ଝିଅଟିର ମାନବିକ ଅଧିକାର ବିପର୍ଯ୍ୟସ୍ତ କରିଥିବା ହେତୁ କନକ ନ୍ୟୁଜ୍ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ଉଚିତ । ଏ ସମ୍ପର୍କରେ orissamatters.com ପୃଷ୍ଠାରେ ମୁଁ ଯେଉଁ ଅଲୋଚନା କରିଛି ଏବଂ ଏଥିପାଇଁ ମୋ ଫେସବୁକ ଟାଇମ୍ ଲାଇନ୍ ଉଲ୍ଲେଖନ ଯେଉଁ ପ୍ରତିକ୍ରିୟା ଅର୍ଜନ କରିଛି ତାହା ପ୍ରଣିଧାନଯୋଗ୍ୟ । ଆମେ ଓଡ଼ିଆଏ ଯଦି ନିଜ କୃଷ୍ଟିର ରକ୍ଷା ନିଜେ ନକରିବା କିଏ ଆଉ କରିବ ?

ଏବେ କନକ ନ୍ୟୁଜ୍ ଆମ ସାମାଜିକ ସୌନ୍ଦର୍ଯ୍ୟବୋଧ ଉପରେ ଯେଉଁ କଦର୍ଯ୍ୟ ଖେଳ ଖେଳିଛି ଓ  କ୍ରାଇମ୍ ବ୍ରାଞ୍ଚ୍ ତଦନ୍ତକୁ ବାଟବଣା କରିବାକୁ ସମ୍ବାଦିକୀୟ ସ୍ଵାଧୀନତାର ଯେଉଁ ଦୁରୁପଯୋଗ କରିଛି ତାହା ଅନୁଧ୍ୟାନ କରାଯାଉ ।

କନକ ନ୍ୟୁଜରେ ‘ରହସ୍ୟମୟୀ’ ମହିଳା

#KanakNews_Exclusive #BigNews କନକ ନ୍ୟୁଜରେ ‘ରହସ୍ୟମୟୀ’ ମହିଳାଆଦିତ୍ୟଙ୍କ ସହ କିଭଳି ଥିଲା ସଂପର୍କ?ଚିହ୍ନୟୀ ମହାପାତ୍ରLIVE

Posted by Kanak News on Friday, September 4, 2020