ଓଡ଼ିଶାର ଶିଶୁମାନଙ୍କ ବିରୁଦ୍ଧରେ ସରକାରୀ ଷଡ଼ଯନ୍ତ୍ରର ନୂଆ ନାମ ‘ଶିଶୁଲେଖା’

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ପୁନର୍ଜୀବିତ ‘ଶିଶୁଲେଖା’ ପତ୍ରିକା ଓଡ଼ିଶାର ଶିଶୁମାନଙ୍କ ବିରୁଦ୍ଧରେ ସରକାରୀ ଷଡ଼ଯନ୍ତ୍ରର ନୂଆ ପ୍ରସ୍ଥ ପରି ଲାଗୁଛି ।

କରୋନା କାଳରେ କାୟିକତଃ ସ୍ଥଗିତ ଥିବା କଳାପତାକା ଅଭିଯାନ ଅନ୍ତର୍ଜାତିକ ମାତୃଭାଷା ଦିବସରୁ ପୁନଃ ଆରମ୍ଭ ହୋଇନଥିଲେ, ଅବୈଧ ଭାବେ ବନ୍ଦ ରହିଥିବା ‘ଶିଶୁଲେଖା’ ପୁଣି ଥରେ ପ୍ରକାଶିତ ହୋଇନଥାନ୍ତା ।

ଓଡ଼ିଆ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଓଡ଼ିଆଭାଷାଦ୍ରୋହୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ସାରସ୍ଵତ ନାଟକବାଜି ଆରମ୍ଭ କରିଛନ୍ତି । ତା  ନହେଲେ ପ୍ରଥମରୁ ଇଂରାଜୀ ଶିକ୍ଷା ଦେଇ ଓଡ଼ିଆ ଭାଷା ଶିକ୍ଷାକୁ ଗୁରୁତ୍ଵହୀନ କରିବାକୁ ଲାଗିପଡ଼ିଥିବା  ନବୀନ ପଟ୍ଟନାୟକଙ୍କ ଏପରି ଆକସ୍ମିତ ଭାଷା ପତ୍ରିକା ପ୍ରକାଶନ ପାଇଁ ତତ୍ପରତା କାହିଁକି? କିନ୍ତୁ ଏଥିରେ ବି ତାଙ୍କ ଛଳନା ସାନ୍ଧିହୋଇରହିଛି ଯେମିତି କୃଷ୍ଣଙ୍କୁ ଦୁଧ ପିଆଇବାରେ ପୁତନାର ଛଳନା ସାନ୍ଧିହୋଇରହିଥିଲା  । ସମ୍ପାଦକ ମଣ୍ଡଳୀ ତାର ପ୍ରମାଣ । 

ଦାଶ ବେହନୁରଙ୍କୁ ଛାଡ଼ିଦେଲେ ଏହାର ସମ୍ପାଦକ ମଣ୍ଡଳୀରେ ଯେଉଁମାନେ ଅଛନ୍ତି ସେମାନେ କେହି ବି ଶିଶୁ ସାହିତ୍ୟିକ ନୁହନ୍ତି । ଯଦି ଦାଶ ବେନହୁର ପତ୍ରିକାଟିର ସମ୍ପାଦକ ହେବାକୁ ରାଜି ହେଲେ, ତେବେ ସେ ହିଁ ଏକମାତ୍ର ସମ୍ପାଦକ ହେବା ଆବଶ୍ୟକ ଥିଲା । ତା ହୋଇଥିଲେ ପତ୍ରିକାଟି ପ୍ରଶାସନିକ ହସ୍ତକ୍ଷେପ କବଳରୁ ରକ୍ଷା ପାଇପାରିଥାନ୍ତା ଓ ଜଣେ କୃତବିଦ୍ୟ ଶିଶୁ ସାହିତ୍ୟିକଙ୍କ ସୁଯୋଗ୍ୟ ସମ୍ପାଦନାରେ ଓଡ଼ିଶାର ଶିଶୁ ସମାଜ ପାଇଁ ଶୁଭଂକର ହୋଇପାରିଥାନ୍ତା । କାହା ଉର୍ବର ମସ୍ତିଷ୍କରୁ ବାହାରିଲା ଯେ, ବିଷୁପଦ ସେଠୀ, ରଞ୍ଜନ କୁମାର ଦାସ ଓ ଭାଗ୍ୟଲିପି ମଲ୍ଲଙ୍କ ପରି ବିଭାଗୀୟ ମତ୍ତହସ୍ତୀମାନଙ୍କ ପାଶବିକ ଆବର୍ତ୍ତରେ ଦାଶ ବେନହୁରଙ୍କ ପରି ଜଣେ ପ୍ରକୃତ ଉତ୍ସର୍ଗୀକୃତ ଶିଶୁ ସାହିତ୍ୟିକଙ୍କୁ ସମ୍ପାଦକ ଭାବେ ଆବଦ୍ଧ କରାଗଲେ ତାଙ୍କ ସୃଜନଶୀଳତା ଅଧିକ ବୃଦ୍ଧି ପାଇବ ଓ ତାଙ୍କ ସମ୍ପାଦକୀୟ ଦକ୍ଷତା ବୃଦ୍ଧିପାଇବ, ତାହା ଭାଷା ନାମରେ ନାଟକବାଜି ଚଳାଇଥିବା ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ କହିବା ଦରକାର; କାରଣ ଏ ପ୍ରସଙ୍ଗର କେନ୍ଦ୍ରରେ ଆମ ପିଲାମାନେ ।

ଶିଶୁମାନଙ୍କ ପାଇଁ ଦାଶ ବେନହୁର ଲେଖିଥିବା ଲେଖାଗୁଡ଼ିକ ଯେଉଁ ଶୈଳୀରେ ଏବଂ ଯେଉଁ କିସମର ଶବ୍ଦରେ ସଜ୍ଜିତ, ତାକୁ ଆମ ଶିଶୁ ସାହିତ୍ୟର ମାନକ ମର୍ଯ୍ୟାଦା ଦେଇହୁଏ । ଓଡ଼ିଶାରେ ଅନେକ ଶିଶୁସାହିତ୍ୟିକ ଅଛନ୍ତି, ଯେଉଁମାନଙ୍କ ଲେଖାକୁ ଏହି ମାନକ ମର୍ଯ୍ୟାଦା ଦେଇହେବ । ଦାଶ ବେନହୁର ଯଦି ସମ୍ପାଦକୀୟ ସ୍ଵାଧୀନତା ପାଇଥାନ୍ତେ , ଆମ ଶିଶୁମାନେ ଆଜି ଶିଶୁସାହିତ୍ୟର ସେହି ମାନକ ମର୍ଯ୍ୟାଦା ସମ୍ପନ୍ନ ଲେଖାଗୁଡ଼ିକ ପାଇଥାନ୍ତେ, ପଢିଥାନ୍ତେ ଓ ବୁଝିଥାନ୍ତେ । ମାତ୍ର ବିଭାଗୀୟ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ତଥା ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଭାବେ ପତ୍ରିକାଟିର ପ୍ରକୃତ ମାଲିକାଣୀ ଭାଗ୍ୟଲିପି ମଲ୍ଲ ମୁଖ୍ୟ ସମ୍ପାଦକ ଓ ସମ୍ପାଦନା ମଣ୍ଡଳୀ ସଦସ୍ୟ ଥାଇ ସେମାନଙ୍କ ନିଜ ନିଜ ଲେଖାରେ ଭରିଛନ୍ତି ପତ୍ରିକାଟିକୁ । ବିଚରା ଦାଶ ବେନହୁର କେଉଁଠୁ ସାହସ ପାଇଥାନ୍ତେ ମନା କରିବାକୁ?

ଏଥିରେ ପ୍ରକାଶିତ ଲେଖାଗୁଡ଼ିକ ଯେହେତୁ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଶିଶୁସାହିତ୍ୟ ପଦବାଚ୍ୟ ହେବା ଅସମ୍ଭବ, ଏ ସରକାରୀ ମତ୍ତହସ୍ତୀମାନେ ଏଥିରେ ନିଜ ନିଜ ଲେଖା ସ୍ଥାପନର ଯଥାର୍ଥତା ଦର୍ଶାଇବାକୁ କହିଛନ୍ତି “ଆମର ମନ ‘ଶିଶୁଲେଖା’କୁ ଏକ ଶିଶୁ–କିଶୋର ପ୍ରିୟ ଖେଳଣା ପେଡ଼ିରେ ପରିଣତ କରିବା“ (ସମ୍ପାଦକୀୟ) । ଏପରି କରିବାକୁ ଏମାନଙ୍କୁ ଅଧିକାର ଦେଲା କିଏ? ଶିଶୁ ସାହିତ୍ୟ ଓ କିଶୋର ସାହିତ୍ୟ ଏକ କଥା ନୁହେଁ । ଯାହା ଶିଶୁ ସାହିତ୍ୟ ତାହା ଶିଶୁ ବୟସରେ ଥିବା ପିଲାଙ୍କ ପାଇଁ ଉଦ୍ଦିଷ୍ଟ ସାହିତ୍ୟ ; ଯାହା କିଶୋର ସାହିତ୍ୟ ତାହା ଶିଶୁ ବୟସରେ ନଥିବା ନବ ଯୁବକ ଓ ନବ ଯୁବତୀମାନଙ୍କ ପାଇଁ ଉଦ୍ଦିଷ୍ଟ ସାହିତ୍ୟ । ଭିନ୍ନ ଭାବେ କହିଲେ, ଯାହା ଶିଶୁସାହିତ୍ୟ ନୁହେଁ, ତାହା ଅଶିଶୁସାହିତ୍ୟ । ଏ ତିନିକଡ଼ା ମତ୍ତହସ୍ତୀ ଏମିତି ବହପ ପାଇଛନ୍ତି ଯେ, ଲେଖିଛନ୍ତି ଶିଶୁଲେଖାକୁ ‘ଅଶିଶୁଲେଖା’ କରିବା “ଆମର ମନ” (ସମ୍ପାଦକୀୟର ଉପରୋଦ୍ଧୃତ୍ତ ଭାଷା) । ସରକାରୀ ଚାକିରିଆଙ୍କର ଏ “ମନ” କେଉଁଠୁ ଆସିଲା?

କମ୍ପୁଟର ପରଦା ଆଡ଼େ ଅନାଇଁ ତହିଁରେ ଇଂରାଜୀ ବା ହିନ୍ଦୀ ଅକ୍ଷରରେ ଲିଖିତ ବାକ୍ୟ ପଢି, ସେହି ପରଅଇଁଠା ଓଗାଳି ନିଜକୁ ଓଡ଼ିଆ ଭାଷାଭାଷୀ ବୋଲି ଦେଖାଉଥିବା ଛଳନାଜୀବୀ ନବୀନ ପଟ୍ଟନାୟକ ଅନ୍ୟ କାହା ଦ୍ଵାରା ଲିଖିତ ଯେଉଁ “ବାର୍ତ୍ତା” ଏହି ପୁନଃ ପ୍ରକାଶନ ପାଇଁ ପ୍ରଦାନ କରିଛନ୍ତି, ତହିଁରେ ଏହି ପତ୍ରିକା କଣ ଓ କଣ ହେବ ତାହା ବି ନିର୍ଦ୍ଦେଶିତ ହୋଇଛି । ତହିଁରୁ ମୁଁ ଦୁଇଟି ବାକ୍ୟ ଉଦ୍ଧାର କରୁଛି : “ଶିଶୁଲେଖା’ ଶୈଶବର ବିକାଶ ପାଇଁ ଏକ ଅନନ୍ୟ ମାଧ୍ୟମ । ଏହା ଶୈଶବକୁ ଠିକ୍ ମାର୍ଗରେ ପରିଚାଳିତ ହେବା ପାଇଁ ପ୍ରୋତ୍ସାହିତ କରିବ , ହର୍ଷୋଲ୍ଲାସର ବାତାବରଣ ମଧ୍ୟରେ କୋମଳମତି ଶିଶୁଙ୍କ ଅଭିବୃଦ୍ଧି ପାଇଁ ଏକ ଆନନ୍ଦଦାଯକ ଅନୁଭୂତି ଆଣିଦେବ ।“ ଏହା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଏହି ନିର୍ଦ୍ଦେଶ ସତ୍ତ୍ୱେ ଏହି ତିନିକଡ଼ି ସରକାରୀ କର୍ମକର୍ତ୍ତା ଏହାକୁ “ଶିଶୁ-କିଶୋର ଖେଳଣା ପେଡ଼ି” ବନାଇବାକୁ ସାହସ କଲେ କିପରି? “ଆମର ମନ” ଆମେ ଏହା ହିଁ କରିବୁ , କହିଛନ୍ତି ଏହି ମତ୍ତହସ୍ତୀମାନେ ।

ଏହି ଆସ୍ଫାଳନ ପାଇଁ ନିଜକୁ ମୁଖ୍ୟ ସମ୍ପାଦକ ଭାବେ ଜାରିକରିଥିବା ବିଭାଗୀୟ ଶାସନ ସଚିବ ବିଷ୍ଣୁପଦ ସେଠିଙ୍କୁ ବୈଷୟିକତଃ ଦାୟୀ କରାଯିବ ।

ମୁଖ୍ୟମନ୍ତ୍ରୀଙ୍କୁ ଇଏ ବାଳପ୍ରମାଣେ ଖାତିର ନା କରିବା ଲୋକ । କାରଣ, ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ସେତେବେଳେ ମୋର ଏକ ନମ୍ବର ସହାୟକ ଥିବା ପ୍ରଦ୍ୟୁମ୍ନ ଶତପଥୀଙ୍କୁ ଯେଉଁ ସୁପାରି ପ୍ରଦାନର ବ୍ୟବସ୍ଥା କରିଥିଲେ ଏହି ବିଷ୍ଣୁପଦ ସେଠି ତହିଁରେ ଥିଲେ ତାଙ୍କ ମୁଖ୍ୟ ହତିଆର । ଓଡ଼ିଶା ରାଜକୋଷରୁ କୋଟିକରୁ ଅଧିକ ଟଙ୍କା ପ୍ରଦ୍ୟୁମ୍ନଙ୍କୁ ମିଳିବାର ପଥ ଏହି ବିଷ୍ଣୁପଦ ସେଠି ହିଁ ଜାଲିଆତି ଦ୍ଵାରା ପରିଷ୍କାର କରିଥିଲେ । ପଦୋନ୍ନତି ପାଇ ଏ ଏବେ ଏଇଠି ପହଞ୍ଚିଛନ୍ତି ।

ଭାଷା ଆନ୍ଦୋଳନକୁ ଭାଙ୍ଗିବାକୁ ମୁଖ୍ୟମନ୍ତ୍ରୀଙ୍କ ଚକ୍ରାନ୍ତର ଗୁମର ଏହି ବିଷ୍ଣୁପଦ ସେଠି ହିଁ ଖୋଲିଦେଇପାରିବେ । ତେଣୁ ମୁଖ୍ୟମନ୍ତ୍ରୀ ଏଙ୍କୁ ଡରିବାର ଅଛି, ଏ ମୁଖ୍ୟମନ୍ତ୍ରୀଙ୍କୁ ଡରିବାର କୌଣସି କାରଣ ନାହିଁ । ଏହି ହେତୁ, ଏ ସାହସ କରିପାରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବାଳ ପ୍ରମାଣେ ଖାତିର ନ କରି ଶିଶୁଲେଖାକୁ ‘ଅଶିଶୁଲେଖା’ କରିବା ପାଇଁ ଓ ତାହା “ଆମର ମନ” ବୋଲି ଘୋଷଣା କରିବା ପାଇଁ ।

ଏହି ଉଦ୍ଦତ୍ତ ଉଦ୍ଘୋଷଣ ସହ ଯେଉଁ ସାହିତ୍ୟିକମାନଙ୍କ ଲେଖା ବିଷ୍ଣୁପଦ ସେଠିଙ୍କ ମୁଖ୍ୟ ସମ୍ପାଦନାରେ ଏହିରେ ପ୍ରକାଶ ପାଇଛି  ସେହି ସାହିତ୍ୟିକମାନେ ନିଜେ ନିଜ ଲେଖାକୁ ଶିଶୁ ସାହିତ୍ୟ ବୋଲି ଦର୍ଶାଇପାରିବେ କି? ପରିବେନି । କାରଣ, ପ୍ରକାଶିତ ଲେଖାଗୁଡ଼ିକ କୌଣସି “କୋମଳମତି ଶିଶୁ” ପାଇଁ ବୋଧଗମ୍ୟ ନୁହେଁ ।

ଅତଏବ ଓଡ଼ିଶାର ଶିଶୁମାନଙ୍କ ବିରୁଦ୍ଧରେ ସରକାରୀ ଷଡ଼ଯନ୍ତ୍ରର ନୂଆ ନାମ ହିଁ ‘ଶିଶୁଲେଖା’ ।

ବିଷ୍ଣୁପଦ ସେଠିଙ୍କ ସହ ଭାଷାଦ୍ରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଭାଗୀତାର ଯେଉଁ ସୂଚନା ମୁଁ ଉପରେ ଦେଲି, ତାହା ଯଦି ଅସତ୍ୟ, ମୁଖ୍ୟମନ୍ତ୍ରୀ ତାହା କହନ୍ତୁ ଓ ଏହି ଶିଶୁଲେଖାକୁ ‘ଅଶିଶୁଲେଖା’ କରାଇଥିବା ହେତୁ ବିଷ୍ଣୁପଦ ସେଠିଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ କରନ୍ତୁ । ଶିଶୁଲେଖା ନାମରେ ପ୍ରକାଶିତ ଏହି ‘ଅଶିଶୁଲେଖା’କୁ ବାତିଲ କରି ତହିଁରେ ଖର୍ଛ ହୋଇଥିବା ସମସ୍ତ ଅର୍ଥ ସେଠିଙ୍କ ଠାରୁ ଆଦାୟ କରାଯାଉ ଓ ପତ୍ରିକାଟିର ପ୍ରକୃତ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ଓଡ଼ିଶାର ପ୍ରକୃତ ଶିଶୁ ସାହିତ୍ୟିକମାନଙ୍କ ଠାରୁ ଲେଖା ସଂଗ୍ରହ କରାଯାଇ ସାନି ପ୍ରକାଶିତ ହେଉ ।