ସୁଭାଷ ଚନ୍ଦ୍ର ପଟ୍ଟନାୟକ

ପରମୁଖାପେକ୍ଷୀ ସାମୟିକ ପତ୍ରିକା ‘ସୁବାର୍ତ୍ତା’ର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ ମୁଁ ପ୍ରତିଷ୍ଠା କରିଥିବା ‘ଭାଷା ଆନ୍ଦୋଳନ’ର ଜଣେ ସକ୍ରିୟ ସମର୍ଥକ ଥିଲେ ଓ ମୋ ଆଦର୍ଶର ଅନୁଗାମୀ ବ୍ୟକ୍ତିଭାବେ ନିଜକୁ ପରିଚିତ କରାଉଥିଲେ ।

କିନ୍ତୁ ମୋ ଆଦର୍ଶ ପ୍ରତି ଏହାଙ୍କର ବସ୍ତୁତଃ କୌଣସି ଅନୁରକ୍ତି ନ ଥିଲା ।

ଥରେ ମୋ ନାମ ବ୍ୟବହାର କରି ସମ୍ବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଠାରୁ ଏ ପ୍ରାୟ ଅଧଲକ୍ଷ ଟଙ୍କା ଚାନ୍ଦା ଆଣିଥିବା ଜଣା ପଡିଥିଲା ଷୌମ୍ୟବାବୁଙ୍କ ସୌଜନ୍ୟରୁ । କଥାଟି ଏହିପରି –

ଭାଷା ଆନ୍ଦୋଳନର ସାହିତ୍ୟ ମୁଁ ସୃଷ୍ଟି କରିଚାଲିଥିଲି ଓ ସମ୍ବାଦ ସମେତ ବିଭିନ୍ନ ଖବରକାଗଜରେ ମୋର ଲେଖାଗୁଡ଼ିକ ପ୍ରକାଶିତ ହେଉ ଜନସଚେତନତା ସୃଷ୍ଟି କରୁଥିଲା । ଯେତେବେଳେ ମୁଁ ଭାବୁଥିଲି କି , ଲେଖାଟି ସମ୍ବାଦରେ ପ୍ରକାଶପାଉ ଓ ତୁରନ୍ତ , ସେତେବେଳେ ସୌମ୍ୟବାବୁଙ୍କ ଘରକୁ ଯାଇ ତାଙ୍କ ହାତରେ ତାହା ଦେଉଥିଲି । ସେହି ଆବେଗରେ ଦିନେ ସକାଳେ ଏକ ଲେଖା ସହ ତାଙ୍କ ଘରକୁ ଯାଇଥିଲି ପବିତ୍ର ମହାରଥାଙ୍କ ସହ । ୧୯୯୦ ଦଶକରୁ ସମ୍ବାଦରେ ମୋର ସିଂହବାଲୋକନ ସ୍ତମ୍ଭ ପ୍ରକାଶପାଉଥିବା ସମୟରୁ ଯେବେ ବି ସୌମ୍ୟବାବୁଙ୍କ ସହ ଦେଖା ହୋଇଛି ସର୍ବଦା ହିଁ ତାହା ଆନ୍ତରିକ ଓ ସମ୍ମାନଜନକ ହୋଇ ଆସିଛି । ସେଦିନ ପ୍ରଥମଥର ପାଇଁ ଏକ ବ୍ୟତିକ୍ରମ ଅନୁଭବ କଲି ।

ସବୁଥର ପରି ଉଷ୍ଣସ୍ଵାଗତ ନ ଥିଲା ; ଥିଲା ବିରକ୍ତିବ୍ୟଞ୍ଜକ ଶୀତଲତା ।

ସବୁଥର ପରି ପବିତ୍ର ମୋ ଲେଖାଟି ଧରିଥିଲେ । ସୌମ୍ୟବାବୁଙ୍କ ଭାବଭଙ୍ଗୀ ଦେଖି ଲେଖାଟି ତାଙ୍କୁ ନ ଦେବା ପାଇଁ ମୁଁ ପବିତ୍ରଙ୍କୁ ଠାରି ଦେଲି । ତା ପରେ ଆରମ୍ଭ ହେଲା ପବିତ୍ର ଉପରେ ସୌମ୍ୟବାବୁଙ୍କ ପ୍ରଶ୍ନବର୍ଷା । ନିଜ ମୋବାଇଲ ଫୋନର ସ୍କ୍ରୀନ ତନଖି ତାଙ୍କପାଖକୁ ଆସିଥିବା ଫଟୋଗୁଡିକ ଦେଖି ଦେଖି ସେ ପବିତ୍ରଙ୍କୁ ପଚାରିଚାଲିଲେ – ଇଏ କାହିଁକି ଆସିନଥିଲେ , ସିଏ କାହିଁକି ଆସିନଥିଲେ – ଇତ୍ୟାଦି ଇତ୍ୟାଦି । ପବିତ୍ର କହିଚାଲିଥିଲେ – ସାର୍ , ସେ ସିନା ସେକଥା କହିବେ, ମୋତେ ପଚାରିଲେ ମୁଁ କଣ କହିବି ? ସୌମ୍ୟବାବୁ ଗର୍ଜିଉଠି କହିଲେ ପଇସା ନେବା ପୂର୍ବରୁ ତ ଏଥିପାଇଁ ପ୍ରସ୍ତୁତ ହେବାର ଥିଲା । ପରିସ୍ଥିତି ଅଧିକ ଅଶ୍ଵସ୍ତିକର ହେଲା । ମୁଁ ବାଧ୍ୟ ହୋଇ ପଚାରିଲି – କଥା କଣ ? ସୌମ୍ୟବାବୁ କିଛି କହିବା ପୂର୍ବରୁ ପବିତ୍ର କହିଲେ – ସେ ପ୍ରଦ୍ୟୁମ୍ନଭାଇନାଙ୍କ କଥା ; ଚାଲନ୍ତୁ, ମୁଁ ଆପଣଙ୍କୁ ବାଟରେ କହିବି ।

ପବିତ୍ର ଯାହା କହିଲେ ତାହା ଚମକପ୍ରଦ । ଏକ ଦିନିକିଆ ମଦବିରୋଧୀ ସମାବେଶ ସକାଶେ ସୌମ୍ୟବାବୁଙ୍କ ଠାରୁ ଚାନ୍ଦା ମାଗିଥିଲେ ପ୍ରଦ୍ୟୁମ୍ନ ଶତପଥୀ । ମୋ ସମେତ ସାମାଜିକ ଆନ୍ଦୋଳନ କ୍ଷେତ୍ରରେ ଜଣାଶୁଣା କିଏ କିଏ ସେହି ସମାବେଶକୁ ଆସିବେ ତାହା କହି ତହିଁର ଆୟୋଜନରେ ଅନ୍ୟୁନ୍ୟ ଅଧଲକ୍ଷ ଟଙ୍କା ଲାଗିଯିବ ବୋଲି ସେ କହିଥିଲେ । ସମୟ ନେଇଥିଲେ ସୌମ୍ୟବାବୁ । ତହିଁ ପର ଦିନ ପ୍ରଦ୍ୟୁମ୍ନବାବୁ ପବିତ୍ରଙ୍କୁ ପଠାଇଲେ ଏହା ହିଁ କହି ଯେ, ସୌମ୍ୟବାବୁ ୩୫ ହଜାର ତାଙ୍କ ଦେବେ ବୋଲି କହିଛନ୍ତି , ତମେ ଯାଇ ନେଇ ଆସ । ପବିତ୍ର ସେ ଟଙ୍କା ସୌମ୍ୟବାବୁଙ୍କ ଠାରୁ ନେଇ ପ୍ରଦ୍ୟୁମ୍ନବାବୁଙ୍କୁ ଦେଇଥିଲେ ବୋଲି କହିଲେ । ଯେହେତୁ ଏହି ଫନ୍ଦିରେ ମୋ ନାମ ବ୍ୟବହୃତ ହୋଇଥିଲା ବୋଲି ଜଣା ପଡ଼ିଲା, ସେହେତୁ ମୁଁ ପବିତ୍ର ଗାଡ଼ିରୁ ହିଁ ଏହାର ସତ୍ୟାସତ୍ୟ ସମ୍ପର୍କରେ ପ୍ରଦ୍ୟୁମ୍ନ ବାବୁଙ୍କୁ ପଚାରିଲି ଓ ଏହି ଧନ୍ଦାରେ ମୋ ନାମ ବ୍ୟବହାର କରିବାକୁ ସେ କେଉଁଠୁ ଅଧିକାର ପାଇଲେ ବୋଲି ଜାଣିବାକୁ ଚାହିଁଲି । ସେ ମୋ ଘରକୁ ଆସି କାନମୋଡ଼ିହୋଇ ଚାପୁଡ଼ା ମାରିହେଲେ ଓ ଏପରି କାମ ଆଉ ଦିନେ କରିବେ ନାହିଁ ବୋଲି କହିଥିଲେ ଏବଂ କହିଥିଲେ କି , ଟଙ୍କାଟି ସେ ଧାର ମାଗିଥିଲେ , ଫେରେଇ ଦେବେ ।

ଫେରେଇ ଦେଲେ କି ନାହିଁ ସେକଥା ସେ ଓ ସୌମ୍ୟବାବୁ କହିବେ । କିନ୍ତୁ ଟଙ୍କା ପାଇଁ ଆସକ୍ତ ମାନସିକତା ଯେ ଭାଷା ଆନ୍ଦୋଳନରେ ସଙ୍କଟ ସୃଷ୍ଟି ପାଇଁ ଦାୟୀ ନୁହେଁ , କିଏ କହିବ?

Comments

No comments yet.

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS