କେମିତି ହେବ ଭାଷାମାଆ ପାଇଁ ସାହିତ୍ଯ ଶିବିର ?

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶାର ରାଜ୍ଯଭାଷା ଓଡ଼ିଆରେ ସରକାରୀ ବେସରକାରୀ ସମସ୍ତ କାର୍ଯ୍ୟାଳୟ ଚାଲିବ, ବାଧାଦାତାକୁ ଦିଆଯିବ ଦଣ୍ଡ – ଏହି ଦାବି ସପକ୍ଷରେ ପ୍ରତିଷ୍ଠିତ ଭାଷା ଆନ୍ଦୋଳନ ୬ ବର୍ଷ ଟପିଲା ଏପ୍ରିଲ ପହିଲାରେ ଏବଂ କଳାପତାକା ଅଭିଯାନ ଆସନ୍ତା ୧୩ ତାରିଖରେ ତପିବ ୬ ବର୍ଷ ।

ଆମ୍ଭ ଦାବିର ଯଥାର୍ଥତା ବାରମ୍ବାର ସ୍ଵୀକାର କରିଥିଲେ ମଧ୍ୟ , ଏହି ୬ ବର୍ଷରେ ଓଡ଼ିଆ ଭାଷାକୁ ମାରିଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାନା ଅପଚେଷ୍ଟା କରିଛନ୍ତି । କଳା ପତାକା ଅଭିଯାତ୍ରୀମାନଙ୍କ ମଧ୍ୟରୁ ପେଟପାଟଣାବାଦୀମାନଙ୍କୁ ଠାବ କରି ସୁପାରି ଦେଇ ଭାଷା ଆନ୍ଦୋଳନକୁ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି, କ୍ଯାବିନେଟ ସ୍କାମ୍ ଘଟାଇଛନ୍ତି , ବିଧି ବିଭାଗ ଦ୍ଵାରା ପ୍ରସ୍ତୁତ ବିଧେୟକକୁ ଗାୟେବ୍ କରି ତା ସ୍ଥାନରେ ରାଜ୍ୟପାଳଙ୍କ ପାଖକୁ ଜାଲ୍ ଚିଠା ପଠାଇ ସେହି ଜଳିଆତିକୁ ଅଧ୍ୟାଦେଶ ବଳରେ ଆଇନ ରୂପ ଦିଆଇଛନ୍ତି ୨୦୧୬ରେ ଏବଂ ୨୦୧୮ରେ ମଧ୍ୟ ଜାଲ୍ ବିଧେୟକ ଦ୍ଵାରା ଆଇନତଃ ପ୍ରସ୍ତୁତ ବିଧେୟକକୁ ବିଧାନସଭାରେ ବଦଳାଇ ଭାଷା ଆଇନର ଅପସଂଶୋଧନ କରିଛନ୍ତି ।

ଯେଉଁ ଭାଷା କାର୍ଯ୍ୟାଳୟର ଭାଷା ନହୁଏ ସେ ଭାଷା ଜନସାଧାରଣଙ୍କ ପାଇଁ ତାର ବ୍ୟବହାର୍ଯ୍ୟତା ହରାଏ ଓ କାଳକ୍ରମେ ମରଣ ବରଣ କରେ ବୋଲି ସବୁ ସଚେତନ ସାହିତ୍ୟିକ ଜାଣନ୍ତି । ଅଥଚ ଓଡ଼ିଶାର ସାହିତ୍ଯିକମାନେ ନୀରବ ରହିଛନ୍ତି । ନିଜ ଫାଇଦା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରାଇବାକୁ ଅନେକ ସାହିତ୍ୟିକ ଏତେ ବ୍ଯଗ୍ର ଯେ, ଓଡ଼ିଆ ଭାଷା ସ୍ଵାର୍ଥ ପାଇଁ ୬ ବର୍ଷ ଧରି ଚାଲିଥିବା ଆଦର୍ଶନିଷ୍ଠ କଳାପତାକା ଅଭିଯାନ ପ୍ରତି ସେମାନଙ୍କ ସମର୍ଥନ କେବେ ବି ଅନୁଭୂତ ହୋଇନାହିଁ ।

ବସ୍ତୁତଃ, ଓଡ଼ିଶାରେ ଗୋଟିଏ ଦୃଶ୍ୟପଟ ସୁସ୍ପଷ୍ଟ । ତାହା ହେଲା ସ୍ବାର୍ଥପାଇଁ ସାହିତ୍ଯ । ଅର୍ଥ ପାଇଁ, ଯଶ ପାଇଁ, ପୁରସ୍କାର ପାଇଁ, ଆଖିଝଲସା ପଦପଦବୀ ପାଇଁ, କିଛି ନହେଲେ ଯୌନ ଆବେଦନ ଭରା ପ୍ରେମପାଇଁ ଆମ ଶବ୍ଦବଣିଆମାନେ ଆମ ଭାଷାକୁ ବ୍ୟବହାର କରି ସାହିତ୍ଯ ସୃଷ୍ଟି କରୁଛନ୍ତି । ତେଣୁ ଏହି ଶବ୍ଦବଣିଆମାନେ ସେମାନଙ୍କ ନିଜ ନିଜ ସ୍ଵାର୍ଥ ପାଇଁ ଆମ ଭାଷାର ଉପଯୋଗ କରୁଛନ୍ତି । ଏହି ଦୃଶ୍ୟପଟ ବଦଳିବା ଦରକାର । ଆମ ଭାଷା ପାଇଁ ସାହିତ୍ଯ ସୃଷ୍ଟି ହେବା ଆବଶ୍ୟକ ।

ଆମ କବିମାନେ ଗଙ୍ଗାଧର ମେହେର ହେବା ଦରକାର, ଯାହାଙ୍କ ‘ଉତ୍କଳ ଭାରତୀଙ୍କ ରୋଦନ’ ନିଜ ଭାଷାରେ ନିଜ ରାଜ୍ୟ ପାଇଁ ଜଗାଇ ଦେଇଥିଲା ଓଡ଼ିଆ ଜାତିକୁ ।

ଆମ ସାହିତ୍ଯିକମାନେ ଫକୀରମୋହନ ସେନାପତି ହେବା ଦରକାର, ଯାହାଙ୍କ ‘ଡାକମୁନ୍ସି’ ଇଂରାଜୀ ମାୟାରୁ ମୁକ୍ତି ପାଇଁ ପ୍ରତି ଓଡ଼ିଆ ଛାତିରେ ଖେଳାଇ ଦେଇଥିଲା ଚେତନା ।

ଆମ ସାହିତ୍ଯିକମାନେ ବୀର ବିକ୍ରମ ସିଂହ ହେବା ଦରକାର, ଯାହାଙ୍କ ନାଟକ ‘ଉତ୍କଳ ଦୁର୍ଦ୍ଦଶା’ ସନ୍ଦୀପିତ କରିଥିଲା ଭାଷା ଜାତୀୟତାର ଜିବନ୍ତ ଶିଖା ଓଡ଼ିଆ ଜାତିର ଶାୟିତ ସତ୍ତାରେ ।

ଆମ ସାହିତ୍ଯିକମାନେ କୁଳବୃଦ୍ଧ ମଧୁସୂଦନ ହେବା ଦରକାର ତୋଳିବାକୁ ପୁନର୍ବାର ସେଇ ଲେଲିହାନ ପ୍ରଶ୍ନ “ତୁ ପରା ବୋଲାଉ ଉତ୍କଳ ସନ୍ତାନ ତେବେ କିମ୍ପା ତୁହି ଭୀରୁ? ତୋହର ଜନନୀ ରୋଦନ କରିଲେ କହିବାକୁ କିମ୍ପା ଡରୁ?”

ଏଥିପାଇଁ ଆବଶ୍ୟକ ଏକ ନୂଆ ସାହିତ୍ୟି ମଞ୍ଚ , ଯାହା ‘ସ୍ଵାର୍ଥ ପାଇଁ ସାହିତ୍ଯ’ ପରିବର୍ତ୍ତେ ‘ଭାଷା ପାଇଁ ସାହିତ୍ଯ’ ସୃଷ୍ଟି କରିବ । ତାହାର ନାମ ରହିବ – ‘ଭାଷାମାଆ ପାଇଁ ସାହିତ୍ଯ ଶିବିର’

ଓଡ଼ିଶାର ଯେଉଁ ଭାଷାପ୍ରେମୀମାନେ ଏହି ଶିବିରରେ ଯୋଗ ଦେଇ ଓଡ଼ିଆଭାଷାଜନନୀଙ୍କୁ ବିପଦମୁକ୍ତ କରିବାକୁ ରାଜି, ସେମାନେ ମୋତେ bhashaandolan@gmail.com ଠିକଣାରେ ସମ୍ମତି ଜଣାଇବାକୁ ଅନୁରୋଧ।

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.