ନବୀନ ଶାସନ: ଆଦର୍ଶ ମହାବିଦ୍ୟାଳୟରେ ନାହିଁ ଓଡ଼ିଆ ସମ୍ମାନ

ସୁଭାଷ ଚନ୍ଦ୍ର ପଟ୍ଟନାୟକ



ଏହି ସରକାରୀ ଆଦେଶରେ ସ୍ବାକ୍ଷରକାରୀ ପଦାଧିକାରୀ ଅବଶ୍ୟ ଜଣେ ଅଣଓଡ଼ିଆ । ମାତ୍ର ଏ ଆଦେଶ ତ ହେଉଛି ଓଡ଼ିଶା ସରକାରଙ୍କର, ଯାହାର ଶ୍ରୀ ନବୀନ ପଟ୍ଟନାୟକ ହିଁ ମୁଖିଆ !

ଏହି ଆଦେଶଟିରେ ଦେଖାଯାଏ,  ଉଚ୍ଚ ଶିକ୍ଷାରେ ଏକାନ୍ତ ଅନୁନ୍ନତ ଆଠୋଟି ଜିଲ୍ଲାରେ ଥିବା  ଆଠୋଟି ଉପାଧି ମହାବିଦ୍ୟାଳୟ (Degree College)ରେ ଛାତ୍ରଛାତ୍ରୀମାନେ ସମ୍ମାନ ସହ ସ୍ନାତକ ଉପାଧି ଯେପରି ଅର୍ଜନ କରିପାରିବେ, ତାହାର ବ୍ୟବସ୍ଥା ଖଞ୍ଜାହୋଇଛି ; କିନ୍ତୁ କୌଣସି ଛାତ୍ର ଛାତ୍ରୀ  ଓଡ଼ିଆ ଭାଷାରେ ଯେପରି ଏହି ସମ୍ମାନ ଅର୍ଜନ କରିନପରାନ୍ତି , ତାହା ପାଇଁ  ଷଡ଼ଯନ୍ତ୍ର ବି ହୋଇଛି । 

ଏହି ଆଦେଶ ଅନୁସାରେ ଛାତ୍ରଛାତ୍ରୀମାନେ ଅର୍ଥନୀତି, ରାଜନୀତି ବିଜ୍ଞାନ, ଶିକ୍ଷା, ସମାଜବିଜ୍ଞାନ, ଏବଂ ନୃତତ୍ତ୍ଵରେ ସସମ୍ମାନ ସ୍ନାତକ ପାଠ୍ୟକ୍ରମରେ (Honors Degree Course ) ନାମ ଲେଖାଇ ପାରିବେ ; ମାତ୍ର ଓଡ଼ିଆରେ ସମ୍ମାନ ସହ ସ୍ନାତକ ଉପାଧି ପାଇଁ ନୁହେଁ । 

ଉଲ୍ଲେଖନୀୟ, ଏହି ମହାବିଦ୍ୟାଳୟଗୁଡ଼ିକ ମାଲକାନଗିରି, ନୂଆପଡ଼ା , ନବରଙ୍ଗପୁର, ନୟାଗଡ଼, ବୌଦ, ସୋନପୁର, ରାୟଗଡ଼ ଓ ଦେଓଗଡ଼ରେ ଅବସ୍ଥିତ ଓ ଆଦର୍ଶ ମହାବିଦ୍ୟାଳୟ ଭାବେ  ସଜ୍ଞାୟିତ । ମହାବିଦ୍ୟାଳୟଗୁଡ଼ିକ ଯଦି “ଆଦର୍ଶ”, ତେବେ ତହିଁରେ ଓଡ଼ିଆ ଛାତ୍ରଛାତ୍ରୀମାନେ ଓଡ଼ିଆରେ ସମ୍ମାନ ସହ ସ୍ନାତକ ଉପାଧି ଅର୍ଜନ କରିବାରେ ବାଧା କାହିଁକି ?

ବାଧା- ମୁଖ୍ୟମନ୍ତ୍ରୀଙ୍କ ମାନସିକତାରେ ।

ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆବିଦ୍ଵେଷୀ ମାନସିକତା ଶାସନକଳକୁ କିପରି ଓଡ଼ିଆ ଭାଷା ବିରୁଦ୍ଧରେ ଷଡ଼ଯନ୍ତ୍ର କରିବାକୁ ପ୍ରବର୍ତ୍ତାଇ ଥାଏ ତାହାର ପ୍ରମାଣ ବିଜୁ ପଟ୍ଟନାୟକଙ୍କ ବେଳେ ଆଇନ ବିଭାଗରେ ଦେଖିବାକୁ ମିଳିଥିଲା ।

ପ୍ରଶାସନିକ ଶବ୍ଦକୋଷର ଏକ ନିର୍ଭୁଲ ସଂସ୍କରଣ ପ୍ରକାଶ କରିବାକୁ ଓଡ଼ିଆ ଭାଷାରେ ଶାସନ ଉପରେ ଗୁରୁତ୍ଵ ଦେଉଥିବା ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଡଃ ବଂଶୀଧର ମହାନ୍ତିଙ୍କ ଅଧ୍ୟଷତାରେ ଏକ କମିଟି ଗଠନ କରିଥିଲେ । ପାଣ୍ଡୁଲିପି ପ୍ରସ୍ତୁତି ସାରିବା ପୂର୍ବରୁ ଡଃ ମହାନ୍ତିଙ୍କର କାଳ ହୋଇଗଲା । ଡଃ ଖଗେଶ୍ଵର ମହାପାତ୍ରଙ୍କ ଅଧକ୍ଷତାରେ କମିଟି ପୁନର୍ଗଠିତ ହୋଇ ପାଣ୍ଡୁଲିପି ଚୁଡାନ୍ତ କରି ତହିଁର ରିପୋର୍ଟ ଦେଲାବେଳକୁ ଜାନକୀବାବୁ  ଆଉ କ୍ଷମତାରେ ନଥିଲେ । ମୁଖ୍ୟମନ୍ତ୍ରୀ ହୋଇଯାଇଥିଲେ ଓଡ଼ିଆ ଭାଷାକୁ ୧୯୬୩ ରେ ଏକ ଅବୈଧ ସଂଶୋଧନଦ୍ବାରା ଅଚଳ କରାଇଦେଇଥିବା ବିଜୁ ପଟ୍ଟନାୟକ ।

ପ୍ରଶାସନିକ ଶବ୍ଦକୋଷର ସେହି ଚୁଡାନ୍ତ ପାଣ୍ଡୁଲିପି ମୁଦ୍ରଣ କରିବାପାଇଁ ସରକାରୀ ଛାପାଖାନାକୁ ପଠାଇବାକୁ ଯେତେବେଳେ ନଥି ସହାୟକ ପ୍ରସ୍ତାବ ପଇଠ କଲେ, ଆଇନ ବିଭାଗର ଉପଶାସନ ସଚିବ ପ୍ରଫୁଲ୍ଲ କୁମାର  ପଟ୍ଟନାୟକ ତହିଁ ଉପରେ ଟିପ୍ପଣୀ ଦେଇ କହିଲେ – ବିଜୁବାବୁ ଓଡ଼ିଆ ଭାଷା ପ୍ରତି ବିଦ୍ଵେଷପୂର୍ଣ୍ଣ ଥିବାହେତୁ ଓଡ଼ିଆରେ ଶାସନର ସମ୍ଭାବନା ନାହିଁ। ତେଣୁ, ପ୍ରଶାସନ ଶବ୍ଦକୋଷର ପାଣ୍ଡୁଲିପିକୁ ମୁଦ୍ରଣ ପାଇଁ ପଠାଇବାର ଆବଶ୍ୟକତା ନାହିଁ । ତାହାକୁ ନଥିଥାକରେ  ରଖିଦିଆଯାଉ ।

ବିଜୁ ଓଡ଼ିଶାର ଜନସାଧାରଣଙ୍କ ଦ୍ଵାରା କ୍ଷମତାରୁ ବିତାଡ଼ିତ ହୋଇ ଜାନକୀବାବୁ ପୁଣି ମୁଖ୍ୟମନ୍ତ୍ରୀ ହେଲାବେଳକୁ ସେହି ଏକା ପ୍ରଫୁଲ୍ଲ କୁମାର ପଟ୍ଟନାୟକ ସେହି ଏକା ପଦବୀରେ ତଥାପି ଥିଲେ । ସେ ତୁରନ୍ତ ନଥିଥାକରୁ ସେହି ଶବ୍ଦକୋଷଟିର ପାଣ୍ଡୁଲିପିକୁ ବାହାର କରି ତହିଁରେ ଲେଖିଲେ, ” (ବିଶେଷଜ୍ଞ କମିଟି ଶବ୍ଦକୋଷ  ଚୂଡ଼ାନ୍ତ ହୋଇଥିବାର ରିପୋର୍ଟ ୭.୫.୧୯୯୧ରେ ଦାଖଲ କଲା ବେଳକୁ) ସରକାର ବଦଳିଯାଇଥିଲେ ଏବଂ (ବିଜୁବାବୁଙ୍କ ନେତୃତ୍ବରେ) ନୂଆ କରି ଦାୟିତ୍ଵ ନେଇଥିବା ସରକାରଙ୍କ ଭାଷା ନୀତି କେବଳ ଯେ ସୁସ୍ପଷ୍ଟ ନଥିଲା ତାହା ନୁହେଁ, ବରଂ ଓଡ଼ିଆକୁ ସରକାରୀ ଭାଷା ଭାବରେ ବ୍ୟବହାର କରିବାକୁ ସେମାନେ  ଅନାଗ୍ରହ ଥିଲେ । ତତ୍କାଳୀନ ମନ୍ତ୍ରୀ ମହୋଦୟ ନଥିରେ ଏପରି ଆଦେଶ ଦେଲେ ଯାହାର ପରିଣାମ ସ୍ଵରୂପ ଏହି କାର୍ଯ୍ୟ ବର୍ଷ ବର୍ଷ ଧରି ଶୀତଳଭଣ୍ଡାରରେ ପଡ଼ିରହିଲା । ମୁଦ୍ରଣ ନିଷ୍ପତ୍ତି ଏପରି ବିଳମ୍ବିତ ହେଲା ଯେ, (ଜାନକୀବାବୁଙ୍କ ନେତୃତ୍ବରେ ଗଠିତ ) ବର୍ତ୍ତମାନର ସରକାର ଦାୟିତ୍ଵ ଗ୍ରହଣ କଲା ପର୍ଯ୍ୟନ୍ତ କୌଣସି ଫଇସଲା ହେଲାନାହିଁ ।” (ନଥି ପ୍ରୁଷ୍ଠା ୧୨୬) । 

ବିଜୁ ପଟ୍ଟନାୟକଙ୍କ ଓଡ଼ିଆବିଦ୍ଵେଷୀ ମାନସିକତା ଯେପରି ଶାସନକଳକୁ ଓଡ଼ିଆ ଭାଷା ବିରୁଦ୍ଧରେ ପ୍ରଭାବିତ କରିଥିବାର ଉପରୋକ୍ତ ପ୍ରମାଣ ସ୍ପଷ୍ଟ କରେ ଠିକ୍ ସେହିପରି ନବୀନ ପଟ୍ଟନାୟକଙ୍କ ଓଡ଼ିଆବିଦ୍ଵେଷୀ ମାନସିକତା ୨୦୧୬ର ସନ୍ନିହିତ ଆଦେଶରେ ଶାସନକଳକୁ ବାଧ୍ୟକରିଛି ଉପରୋକ୍ତ ଅଠୋଟି ଅନୁନ୍ନତ ଜିଲ୍ଲାରେ ଥିବା “ଆଦର୍ଶ ମହାବିଦ୍ୟାଳୟ”ମାନଙ୍କରେ ଓଡ଼ିଆ ଭାଷାରେ ସମ୍ମାନ ପାଠ୍ୟକ୍ରମ ନରଖିବା ପାଇଁ । 

ସେହିସବୁ ଜିଲ୍ଲାର ସର୍ବଜ୍ଞାତ ଭାଷା ହେଉଛି ଓଡ଼ିଆ । ଓଡ଼ିଆ ଭାଷାରେ ସମ୍ମାନ ପାଠ୍ୟକ୍ରମ (Honors Courses ) ଥିଲେ, ସେହି ଜିଲ୍ଲାମାନଙ୍କରୁ ସମ୍ମାନ ସହ ସ୍ନାତକ ଉପାଧିଧାରୀଙ୍କ ସଂଖ୍ୟା ଅଧିକ ହୋଇଥାନ୍ତା । ଓଡ଼ିଶା ସରକାର ଅଭିସନ୍ଧିମୂଳକଭାବେ ତହିଁରେ ବାଧା ଦେଇଛନ୍ତି । 

ସରକାର ନିଜକୁ ସୁଧାରନ୍ତୁ ଓ ଅବିଳମ୍ବେ ସେହି ମହାବିଦ୍ୟାଳୟମାନଙ୍କରେ ଓଡ଼ିଆ ସମ୍ମାନ (Oriya Honors ) ପାଠ୍ୟକ୍ରମ ଖୋଲନ୍ତୁ । 

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.