ଟଙ୍କା ପାଇଁ ଭାଷା ଆନ୍ଦୋଳନକୁ ଛୁରୀ ମାରିଛନ୍ତି ପ୍ରଦ୍ୟୁମ୍ନ ଶତପଥୀ : ମୁଖ୍ୟମନ୍ତ୍ରୀ ସଫେଇ ରଖନ୍ତୁ – ଦ୍ଵାଦଶ ଭାଗ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ପଦାଧିକାରୀ ବର୍ଗରେ ନିମ୍ନତମ ସ୍ଥାନରେ ଥିବା ସୂର୍ଯ୍ୟ ନାରାୟଣ ମହାପାତ୍ର ଶ୍ରୀମତୀ ଷଡଙ୍ଗୀଙ୍କ ନଥିରେ ଟିପ ମାରିଲା ବେଳେ ତାଙ୍କ ସମ୍ମୁଖରେ ଥିଲା ୨୨.୬.୨୦୧୫ ତାରିଖରେ ଉଚ୍ଚ ଶିକ୍ଷା ବିଭାଗର ଉଚ୍ଚତମ ଅଧିକାରୀ ଜାରିକରିଥିବା ଆଦେଶ, ଯାହାକୁ ଆମେ କହିବା ‘ସରକାରୀ ଆଦେଶ’ ଓ ୨୨.୬.୨୦୧୮ ତାରିଖରେ ବିଭାଗୀୟ ଅତିରିକ୍ତ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ନିଷ୍ପତ୍ତି, ଯାହାକୁ ଆମେ କହିବା ‘କମିଟି ନିଷ୍ପତ୍ତି’ । ଏହି ‘କମିଟି ନିଷ୍ପତ୍ତି’ ଉପରେ ‘ସୁଚିନ୍ତିତ ମତ’ ଦେବା ଥିଲା ମହାପାତ୍ରଙ୍କ କାମ, ଯଦିଓ ତାହା ମଧ୍ୟ ଥିଲା କ୍ଷମତା ବହିର୍ଭୂତ ।

ଦୃଶ୍ୟପଟ

ଆଗକୁ ଯିବା ପୂର୍ବରୁ ପ୍ରଥମେ ଏହି ଦୃଶ୍ୟପଟ ପ୍ରତି ଦୃଷ୍ଟି ଦେବା । ସରକାରୀ ଆଦେଶକୁ ବ୍ୟର୍ଥ କରିବା ପାଇଁ ଶ୍ରୀମତୀ ଷଡଙ୍ଗୀ ଦ୍ଵିବିଧ ପଦକ୍ଷେପ ନେଇଥିଲେ – ଓଡ଼ିଶା ଉଚ୍ଚ ନ୍ୟାୟାଳୟକୁ ଯାଇଥିଲେ ଓ ଉଚ୍ଚ ଶିକ୍ଷା ବିଭାଗକୁ ଆବେଦନ କରିଥିଲେ । ଉଚ୍ଚ ନ୍ୟାୟାଳୟରେ ତତ୍କାଳ ଇଚ୍ଛାପୂର୍ତ୍ତୀ ସମ୍ଭବ ନ ହୋଇଥିବା ବେଳେ, ଭାଷା ଆନ୍ଦୋଳନକୁ ଭାଙ୍ଗିବା ସର୍ତ୍ତରେ ତାଙ୍କ ସ୍ଵାମୀ ପ୍ରଦ୍ୟୁମ୍ନ ଶତପଥୀ ଏପରି ଚାଲ୍ ଚଳାଇଲେ ଯେ, ସରକାରୀ ସ୍ତରରେ ତହିଁର ପୁନର୍ବିଚାର ପାଇଁ ଯୁଦ୍ଧକାଳୀନ ତତ୍ପରତା ଚହଟିଲା । ଫଳରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ମୌଖିକ ନିର୍ଦ୍ଦେଶରେ ଅତିରିକ୍ତ ଶାସନ ସଚିବ କୃପାସିନ୍ଧୁ ମିଶ୍ର ନିଜ ଅଧ୍ୟକ୍ଷତାରେ ନିଜେ ଏକ ପୁନର୍ବିଚାର କମିଟି ଗଢି ଶାସନ ସଚିବଙ୍କ ଠାରୁ ଅନୁମୋଦନ ଆଣି, ତଡିତ୍ ବେଗରେ ତହିଁର ନିଷ୍ପତ୍ତି ବି ନିର୍ମାଣ କଲେ । ପୂର୍ବରୁ ଦର୍ଶାଯାଇଛି ଯେ, ତାହା ଥିଲା ପ୍ରାୟତଃ ଶ୍ରୀମତୀ ଷଡଙ୍ଗୀଙ୍କ ସପକ୍ଷରେ । କିନ୍ତୁ, ତାଙ୍କର ଅନୁପସ୍ଥିତି ସମୟ କିପରି ଗୃହୀତ ହେବ ତାହା ସରକାର ଭବିଷ୍ୟତରେ ନିରୂପଣ କରିବେ ଓ ତାହା ମାନିବାକୁ ଶ୍ରୀମତୀ ଷଡଙ୍ଗୀ ଏକ ସ୍ଵୀକୃତି-ସତ୍ୟପାଠ ଦାଖଲ କରିବାକୁ ଏଥିରେ କୁହା ହୋଇଥିଲା । ଏପରି କୌଣସି ସତ୍ୟପାଠ ଦାଖଲ ହେବନି ଓ ଚାକିରିରେ ଯୋଗଦାନ ସମ୍ପୂର୍ଣ ନିସର୍ତ୍ତ ହେବ ବୋଲି ପ୍ରଦ୍ୟୁମ୍ନ ଶତପଥୀ ଅଡ଼ି ବସିଲେ । ମୁଖ୍ୟମନ୍ତ୍ରୀଙ୍କ ଦପ୍ତର କମ୍ପିଗଲା , କାରଣ ଶତପଥୀଙ୍କୁ ସନ୍ତୁଷ୍ଟ ନ କଲେ ଭାଷା ଆନ୍ଦୋଳନ ଭଣ୍ଡୁର ହୋଇପାରିବନାହିଁ ଓ ଭାଷା ଆନ୍ଦୋଳନ ଭଣ୍ଡୁର ନ ହେଲେ, ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ଵାଧିକାର ଭଙ୍ଗ ଅଭିଯୋଗ ଉଠିବାର ସମ୍ଭାବନାକୁ ଏଡାଇ ହେବନାହିଁ ବୋଲି ଜାଣି ତାଙ୍କ ସ୍ତ୍ରୀଙ୍କ ନିସର୍ତ୍ତ ଚାକିରି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ତାଙ୍କୁ ଦୃଢ ପ୍ରତିଶ୍ରୁତି ଦେଇଥିଲା । ୨୦୧୫ର ସରକାରୀ ଆଦେଶ ଅକାମି ହୋଇ ତାଙ୍କ ସ୍ତ୍ରୀ ଚାକିରିରେ ନିସର୍ତ୍ତ ଯୋଗଦାନ କଲେ ୧୦ ବର୍ଷର ପିଛିଲା ବେତନ ରୂପେ ସେ ପ୍ରାୟ ଦେଢ କୋଟି ଟଙ୍କା ପାଇବେ ବୋଲି ହିସାବ କରି ପ୍ରଦ୍ୟୁମ୍ନ ଶତପଥୀ ଭାଷା ଆନ୍ଦୋଳନର ତଣ୍ଟି ଚିପିବାକୁ କଥା ଦେଇଥିଲେ । ତେଣୁ, ଶ୍ରୀମତୀ ଷଡଙ୍ଗୀଙ୍କ ନିସର୍ତ୍ତ ନିଯୁକ୍ତି ପାଇଁ ତୁରନ୍ତ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଉଚ୍ଚ ଶିକ୍ଷା ସଚିବଙ୍କ ଉପରେ ଚାପ ପକାଇଲା । ଫଳରେ, କମିଟି ନିଷ୍ପତ୍ତିକୁ ଅନୁମୋଦନ ଦେବା ପରିବର୍ତ୍ତେ ତାକୁ ବଦଳାଇବାକୁ ମିଶ୍ରଙ୍କ ଉପରେ ଚାପ ପକାଇଲେ ଶାସନ ସଚିବ ।

ମିଶ୍ରଙ୍କ ପକ୍ଷେ ଏହା ସମ୍ଭବ ନ ଥିଲା । କାରଣ, ସେ ଭଲ ଭାବେ ଜାଣିଥିଲେ ଯେ, କମିଟିର ଅନ୍ୟ ଦୁଇଜଣ ସଭ୍ୟ , ବିଶେଷତଃ ଅଡ଼ଶପୁର କଲେଜ ଅଧ୍ୟକ୍ଷ ତହିଁରେ ସହଯୋଗ କରିବେ ନାହିଁ । ସମ୍ପୃକ୍ତ ଅନୁବିଭାଗ ଅଧିକାରୀ ବି ନଥି ଟ୍ୟାମ୍ପରିଂ ପାଇଁ ରାଜିହେବାର ସମ୍ଭାବନା ନ ଥିଲା । ଯଥାର୍ଥ କାରଣ ନ ଥାଇ ୨୨.୬.୨୦୧୫ର ସରକାରୀ ଆଦେଶକୁ ବାତିଲ କରିବା ଥିଲା ଅସମ୍ଭବ । ଅଥଚ ସେଥିପାଇଁ ଉପର ମହଲର ଚାପ ଏତେ ପ୍ରବଳ ଥିଲା ଯେ, ଅତିରିକ୍ତ ଶାସନ ସଚିବ ତହିଁରୁ ନିଷ୍କୃତି ପାଇବା ପାଇଁ ନିଜ ଅଧ୍ୟକ୍ଷତାରେ ନିଆହୋଇଥିବା ନିଷ୍ପତ୍ତି ଉପରେ ଅଧସ୍ତନ କର୍ମଚାରୀଙ୍କ “ସୁଚିନ୍ତିତ ମତ” ପାଇଁ ପ୍ରାର୍ଥନା କଲେ ! କି ଯେ ଅପମାନ !

ଆରମ୍ଭ ହେଲା ଅବୈଧ ତାଣ୍ଡବ

ଏହି ତଥାକଥିତ “ସୁଚିନ୍ତିତ ମତ” ଦେବାକୁ ନଥି ଭିତରକୁ ପ୍ରବେଶ କରି ଅନୁଶାସନସଚିବ ସୂର୍ଯ୍ୟ ନାରାୟଣ ମହାପାତ୍ର ଯାହା କଲେ ତାହା ଥିଲା ସମ୍ପୂର୍ଣ ଅବୈଧ ଏବଂ ଅଦୃଷ୍ଟପୂର୍ବ ।  ୨୨.୬.୨୦୧୮ର ଯେଉଁ ‘କମିଟି ନିଷ୍ପତ୍ତି’ ଉପରେ ସେ “ସୁଚିନ୍ତିତ ମତ” ଦେଇଥାନ୍ତେ ତା ଉପରେ ମହାପାତ୍ର ଦୃଷ୍ଟିପାତ ବି କଲେ ନାହିଁ କି କୌଣସି ମତ ବି ରଖିଲେ ନାହିଁ । ଓଲଟି , ସମ୍ପୂର୍ଣ ଅନଧିକୃତ ଭାବେ ୨୨.୬.୨୦୧୫ର ‘ସରକାରୀ ଆଦେଶ’ ବେଆଇନ ଥିଲା ବୋଲି କହି ତାକୁ ବାଏଁ ବାଏଁ ଉଡ଼ାଇଦେବାକୁ ଶବ୍ଦ ଭେଳିକି ଭିଆଇଲେ । ଏବେ ତାର କ୍ରମାଲୋଚନା କରିବା ।

ତାଙ୍କ ଟିପ୍ପଣୀର ୨ୟ ଅନୁଚ୍ଛେଦରେ ସେ ସରକାରୀ ଆଦେଶଟିକୁ ଉଦ୍ଧାର କରିଥିଲେ ମଧ୍ୟ ତାଙ୍କ ଅଭିସନ୍ଧିକୁ ନ ସୁହାଇଲା ପରି ଅଂଶକୁ ପରିହାର କରିଛନ୍ତି । ଉଦାହରଣ: ସରକାରୀ ଆଦେଶର ‘କାରଣ କଥନ’ରେ ଅଛି “Smt. Manasi Sarangi, Lecturer in Botany, U.N.(Auto) College of Science & Technology, Adaspur, Cuttack has not been performing her duties since 02.07.2008 in the said College. Therefore, the Government have decided to transfer and post her in any other College in and around Bhubaneswar on the following conditions.” (ଅଡ଼ଶପୁର କଲେଜର ଉଦ୍ଭିଦ୍ଦ ବିଜ୍ଞାନ ଅଧ୍ୟାପିକା ଶ୍ରୀମତୀ ମାନସୀ ଷଡଙ୍ଗୀ ସେହି କଲେକରେ ୨.୭.୨୦୦୮ ତାରିଖରୁ ତାଙ୍କ କର୍ତ୍ତବ୍ୟ ସମ୍ପାଦନ କରୁନାହାନ୍ତି । ତେଣୁ ନିମ୍ନ କାର୍ଯ୍ୟସାଧନ ସର୍ତ୍ତର ପରିପୂର୍ତ୍ତୀ ପାଇଁ ତାଙ୍କୁ ଭୁବନେଶ୍ଵର ବା ତନ୍ନିକଟ କୌଣସି କଲେଜକୁ ବଦଳି କରିବା ପାଇଁ ସରକାର ନିଷ୍ପତ୍ତି କରିଛନ୍ତି ।) । ମହାପାତ୍ର ସରକାରୀ ଆଦେଶକୁ ତାଙ୍କ ଟିପ୍ପଣୀରେ ଉଦ୍ଧାର କରିଥିଲେ ମଧ୍ୟ ଆଦେଶର ଏହି ଗୁରୁତ୍ଵପୂର୍ଣ ‘କାରଣ କଥନ’କୁ ଉଲ୍ଲେଖ କରିନାହାନ୍ତି । କାରଣ, ତହିଁର ନିମ୍ନରେ ଯେଉଁ ସବୁ କାର୍ଯ୍ୟସାଧନ ସର୍ତ୍ତ ଖୋଦେଇ ହୋଇଥିଲା ତା’ର ପରିପୂର୍ତ୍ତୀ ନୁହେଁ, ନିପାତୀକରଣ ହିଁ ଥିଲା ତାଙ୍କ ଅଭିସନ୍ଧି । ଏହି କାରଣରୁ ସରକାରୀ ଆଦେଶର ‘କାରଣ କଥନ’କୁ ଉଦ୍ଧାର ନ କରି, ଭଣ୍ଡୁର କରିବା ପାଇଁ ସେ ଭେଇଛନ୍ତି ଶବ୍ଦର ଭେଳିକି ; ଯଥା : ଶ୍ରୀମତୀ ଷଡଙ୍ଗୀ “ତାଙ୍କ କର୍ତ୍ତବ୍ୟ କରୁନାହାନ୍ତି” (not performing her duties) ବୋଲି ସରକାରଙ୍କ ନିର୍ଣୟକୁ ନଷ୍ଟ କରିବାକୁ ସେ ଲେଖିଛନ୍ତି ତାଙ୍କୁ “କର୍ତ୍ତବ୍ୟ ସମ୍ପାଦନରୁ ଦୂରେଇ ରଖା ହୋଇଛି ” (kept out of service) । ମାନସୀ ଷଡଙ୍ଗୀଙ୍କ ଦ୍ଵାରା ବା ପକ୍ଷରୁ ପ୍ରଭାବିତ ହୋଇ ସେ ଏହା କହିଥିଲେ କି ଉଚ୍ଚ କର୍ତ୍ତୁପକ୍ଷଙ୍କ ଚାପ ହେତୁ କହିଥିଲେ, ତାହା ସେ ନିଜେ ହିଁ କହିପାରିବେ । କିନ୍ତୁ ଯାହା କରିଥିଲେ ତାହା ଯେ ଦୁରଭିସନ୍ଧିପ୍ରସୂତ ତାହା ସୁସ୍ପଷ୍ଟ ।

ଦଣ୍ଡ ଗ୍ରହଣ ପାଇଁ 

ସରକାର ଯେହେତୁ ଏହି ସିଦ୍ଧାନ୍ତରେ ପହଞ୍ଚିଥିଲେ କି , ଶ୍ରୀମତୀ ଷଡଙ୍ଗୀ ୨.୭.୨୦୦୮ ତାରିଖରୁ କାମ କରୁନାହାନ୍ତି, ସେହେତୁ ଓଡ଼ିଶା ଶିକ୍ଷା (ସରକାରୀ ସାହାଯ୍ୟପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଓ ଚାକିରି ସର୍ତ୍ତ ) ନିୟମାବଳୀ, ୧୯୭୪ର ଧାରା ୨୨ ମୁତାବକ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ନିଷ୍ପତ୍ତି କରିଥିଲେ । ଏହି ନିୟମର କାର୍ଯ୍ୟକାରୀତା ତହିଁର ନିୟମ – ୨୦ (୧)ର (ଜ) ଓ (ଝ) ଦଫା ଦ୍ୱୟ ଉପରେ ଆଧାରିତ ହୋଇଥିବାରୁ ଶ୍ରୀମତୀ ଷଡଙ୍ଗୀ ତଦନ୍ତ ଶେଷରେ ଚାକିରୀରୁ ବିତାଡ଼ିତ ହେବା ସଙ୍ଗେ ସଙ୍ଗେ ଭବିଷ୍ୟତରେ ଅନ୍ୟ ଓ/ବା ଅନ୍ୟତ୍ର କୌଣସି ଚାକିରୀ ପାଇବା ଉପରେ ନିଷେଧାଦେଶ ଜାରି ହେବା ଆପାତତଃ ସୁନିଶ୍ଚିତ ଥିଲା ।

ଏହି ଦଣ୍ଡ ଗ୍ରହଣ କରିବା ପାଇଁ ଶ୍ରୀମତୀ ଷଡଙ୍ଗୀଙ୍କର ଅଡ଼ଶପୁର କଲେଜ ଭିନ୍ନ କୌଣସି ଏକ କଲେଜରେ ଯୋଗ ଦେବା ଆବଶ୍ୟକ ଥିଲା । କାରଣ, ସେହି କଲେଜର ପରିଚାଳନା କମିଟିର ଗୃହୀତ ନିଷ୍ପତ୍ତି ଅନୁସାରେ ସେଠାରେ କାର୍ଯ୍ୟତଃ ତାଙ୍କର ଆଉ ଚାକିରି ନ ଥିଲା । ଯେହେତୁ ଚାକିରିରେ ନ ଥାଇ ଚାକିରି ସମ୍ବନ୍ଧୀୟ ଦଣ୍ଡ ଗ୍ରହଣ କରାଯାଇ ନପାରେ, ସେହେତୁ ଆବଶ୍ୟକୀୟ ଦଣ୍ଡ ଗ୍ରହଣ କରିବାକୁ ତାଙ୍କୁ ଚାକିରିରେ ମୁତୟନ କରିବା ପାଇଁ ସରକାର ଆଦେଶ ଦେଇଥିଲେ ।

ମାତ୍ର ଥରେ ଚାକିରିରେ ମୁତୟନ ହୋଇଗଲେ ପିଛିଲା ତାରିଖରୁ ବେତନ ଓ ଆନୁଷଙ୍ଗିକ ଫାଇଦା ପାଇଁ ତାଙ୍କର ଏକ ହକ୍ ସୃଷ୍ଟି ହେବ ଓ ସେ ଯଦି ତାହା ହାସଲ କରନ୍ତି ତେବେ ତାହା ଦଣ୍ଡବିଧାନ ନ ହୋଇ ପୁରସ୍କାର ହୋଇଯିବ । ସୁତରାଂ ସେହି ଆଦେଶର ପ୍ରଥମ କାର୍ଯ୍ୟସାଧନ ସର୍ତ୍ତରେ ସରକାର ସ୍ପଷ୍ଟ କରିଦେଇଥିଲେ କି, ଶ୍ରୀମତୀ ଷଡଙ୍ଗୀ ୨.୭.୨୦୦୮ରୁ ନୂଆ ସ୍ଥାନରେ ଯୋଗ ଦେବା ପର୍ଯ୍ୟନ୍ତ ଚାକିରିରେ ନଥିଲେ ବୋଲି ଗ୍ରହଣ କରାଯିବ ଓ ତଦନୁଯାୟୀ ସେହି କାଳଖଣ୍ଡ ପାଇଁ ସେ କୌଣସି ବେତନ ଓ ଆନୁଷଙ୍ଗିକ ଫାଇଦା ଦାବି କରିବେ ନାହିଁ ବୋଲି ସ୍ଵୀକୃତିନାମାର ସତ୍ୟପାଠ ଦାଖଲ କରିବେ (୨ୟ କାର୍ଯ୍ୟସାଧନ ସର୍ତ୍ତ) । ଏବଂ ଏପରି ସତ୍ୟପାଠ ହାସଲ କଲା ପରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ତାଙ୍କୁ କୌଣସି ଏକ ଅନ୍ୟ କଲେଜରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାପାଇଁ ମୁତୟନ କରିବେ ବୋଲି ସରକାର ଆଦେଶ ଦେଇଥିଲେ ।

ଅଧିକାର ବହିର୍ଭୂତ ଆଚରଣ 

ଏହି ଆଦେଶ ଉପରେ ମହାପାତ୍ର କୌଣସି ଅଧିକାର ନ ଥାଇ ଜଣେ ଅପିଲୀୟ ଅଧିକାରୀ ପରି ଅବତୀର୍ଣ୍ଣ ହୋଇଥିବା ଦେଖିବାକୁ ମିଳେ । “ଶ୍ରୀମତୀ ଷଡଙ୍ଗୀ ୨.୭.୨୦୦୮ରୁ ତାଙ୍କ କର୍ତ୍ତବ୍ୟ ସମ୍ପାଦନ କରୁନାହାନ୍ତି” ବୋଲି ଲିପିବଦ୍ଧ ସରକାରୀ ନିର୍ଣୟକୁ ନିଷ୍ଫଳ କରିବା ମତଲବରେ ଏ ବାବୁ ଲେଖିଲେ, ସେହି ତାରିଖରୁ “ତାଙ୍କୁ କର୍ତ୍ତବ୍ୟ ସମ୍ପାଦନରୁ ଦୂରେଇ ରଖା ଯାଇଛି” । ଏହି କଥା କହିବାକୁ ସେ ୪.୧୨.୨୦୧୩ ତାରିଖରେ ଶ୍ରୀମତୀ ଷଡଙ୍ଗୀ ଦାଖଲ କରିଥିବା ସତ୍ୟପାଠର ଅବତାରଣା କରିଛନ୍ତି । ଅଥଚ ତାହାକୁ ସେ ପଢିଛନ୍ତି ବୋଲି ବିଶ୍ଵାସ ହେଉନି । କାରଣ ତହିଁରେ ଶ୍ରୀମତୀ ଷଡଙ୍ଗୀ ଲେଖିଛନ୍ତି “ପରିସ୍ଥିତି ଚାପରେ ମୁଁ ଛୁଟିରେ ଥିଲି” (“Under compelling circumstances, I was on leave.”) । ପରିସ୍ଥିତି ଚାପରେ ଯଦି ଶ୍ରୀମତୀ ଷଡଙ୍ଗୀ ଛୁଟିରେ ଥିଲେ, ତାଙ୍କୁ କର୍ତ୍ତବ୍ୟ ସମ୍ପାଦନରୁ ଦୂରେଇ ରଖାଯାଇଛି ବୋଲି ମହାପାତ୍ର ଯାହା କହିଛନ୍ତି ତାହା ଯେ କେବଳ ଅମୂଳକ ନୁହେଁ , ଅଭିସନ୍ଧିମୂଳକ – ଏଥିରେ ସନ୍ଦେହର ଅବକାଶ ନାହିଁ ।

ଫାଙ୍କିବା ଫନ୍ଦି 

ସେ ଲେଖିଛନ୍ତି ଶ୍ରୀମତୀ ଷଡଙ୍ଗୀ ଡାକ୍ତରୀ ସାର୍ଟିଫିକେଟ ସହ ୨୯.୪.୨୦୦୯ ତାରିଖରେ କାମରେ ଯୋଗ ଦେବାକୁ ଚାହିଁଥିଲେ । କଲେଜ କର୍ତ୍ତୃପକ୍ଷ କୌଣସି ଗୋପନ ଅଭିସନ୍ଧି ହେତୁ ତାହା କରାଇ ଦେଲେ ନାହିଁ । କି ଗୋପନ ଅଭିସନ୍ଧି ତାହା ସେ ଜାଣିବାକୁ ଚାହିଁ ନାହାନ୍ତି କି ଉଲ୍ଲେଖ କରିନାହାନ୍ତି । ସତ୍ୟକୁ ଫାଙ୍କିବା ପାଇଁ ଏହି ଫନ୍ଦି ସର୍ଜନ କରିଛନ୍ତି । ଅଥଚ, କଲେଜ ଅଧ୍ୟକ୍ଷଙ୍କ ବୟାନ, ଯାହା ସରକାରୀ ନଥିରେ ଅଛି ଓ ଯାହାକୁ ଶ୍ରୀମତୀ ଷଡଙ୍ଗୀ ସ୍ଵୀକାର ବି କରିଛନ୍ତି, ତାହା ହେଲା , ଶ୍ରୀମତୀ ଷଡଙ୍ଗୀ ଦେଇଥିବା ଡାକ୍ତରୀ ସାର୍ଟିଫିକେଟ ଗ୍ରହଣଯୋଗ୍ୟ ନ ଥିଲା । ଚିକିତ୍ସାଧୀନ ଥାଇ ଅଗତ୍ୟା ଅନୁପସ୍ଥିତ ଥିଲେ ବୋଲି କହି ସେ ଯେହେତୁ କାର୍ଯ୍ୟରେ ଯୋଗଦେବାକୁ ଡାକ୍ତରୀ ସାର୍ଟିଫିକେଟ ଦେଇଥିଲେ, ଏବଂ ଯେହେତୁ ସେହି ସାର୍ଟିଫିକେଟକୁ ଗ୍ରହଣ ନ କରିବା ତାଙ୍କ ପ୍ରତି ଘୋର ଅନ୍ୟାୟ ହୋଇଛି ବୋଲି ମହାପାତ୍ର ତାଙ୍କ ଟିପ୍ପଣୀରେ କହିଛନ୍ତି, ସେହେତୁ ତାଙ୍କର ଉଚିତ ଥିଲା ସେହି ସାର୍ଟିଫିକତର ବୈଧତା ସାବ୍ୟସ୍ତ କରିବା । ତାହା ସେ କରିନାହାନ୍ତି ।

ଜାଲ୍ ମେଡିକାଲ ସାର୍ଟିଫିକେଟ

ନଳିନୀକାନ୍ତ ଦାସ ନାମକ ଜଣେ ଡାକ୍ତର ୨୮.୪.୨୦୦୯ ତାରିଖରେ ଏହି ସାର୍ଟିଫିକେଟ ଦେଇ ୨୯.୪.୨୦୦୯ ତାରିଖରୁ ଶ୍ରୀମତୀ ଷଡଙ୍ଗୀ କାମ କରିବାକୁ ସକ୍ଷମ ବୋଲି କହିଛନ୍ତି । ଏହା ମୌଳିକତଃ ଅଗ୍ରାହ୍ୟ ; କାରଣ ଭବିଷ୍ୟତର କୌଣସି ଦିନରୁ ଜଣେ କର୍ମଚାରୀ କାମ କରିବାକୁ ସକ୍ଷମ ହେବେ ବୋଲି କୌଣସି ଡାକ୍ତର କହି ପାରିବେ ନହିଁ । ମଣିଷର ଦେହ ଏପରି ଯେ, ଦିନକ ପରେ ସେ ସୁସ୍ଥ ଥିବେ – ଏହା ଚିକିତ୍ସା ବିଜ୍ଞାନ ଯେହେତୁ କହି ନପାରେ ଏ ଡାକ୍ତର କିପରି କହିଲେ? ୨ୟତଃ ସେ ୨୮.୨.୨୦୦୯ ରୁ ୨୮.୪.୨୦୦୯ ପର୍ଯ୍ୟନ୍ତ ତାଙ୍କୁ ଚିକିତ୍ସା କରିଥିବା କହିଛନ୍ତି । ଶ୍ରୀମତୀ ଷଡଙ୍ଗୀ ୨.୭.୨୦୦୮ରୁ ଅନୁପସ୍ଥିତ ଥିଲେ । ସେ ଦିନ ଠାରୁ ୨୮.୨.୨୦୦୯ ପର୍ଯ୍ୟନ୍ତ ତାଙ୍କୁ କେଉଁ ଡାକ୍ତର ଚିକିତ୍ସା କରୁଥିଲେ ଏବଂ କି ରୋଗ ପାଇଁ ଚିକିତ୍ସା କରୁଥିଲେ ତାହା ଶ୍ରୀମତୀ ଷଡଙ୍ଗୀ ଦର୍ଶାଇ ନଥିଲେ ତାଙ୍କ ଯୋଗଦାନ ପତ୍ରରେ ଓ କୌଣସି ସହାୟକ ଡାକ୍ତରୀ ସାର୍ଟିଫିକେଟ ମଧ୍ୟ ଦେଇ ନଥିଲେ । ଡଃ ଦାସଙ୍କ ପ୍ରଦତ୍ତ ଡାକ୍ତରୀ ସାର୍ଟିଫିକେଟ ସଂଲଗ୍ନ କରି ସେ ଯେଉଁ ଯୋଗଦାନ ପତ୍ର (joining report) ଦେଇଥିଲେ ତାହା ନିମ୍ନରେ ଉଦ୍ଧୃତ୍ତ ହେଲା :

To
The Principal, U. N. College of Science & Technology,
Adaspur, Cuttack
Sub: Joining of self
Sir,
After expiry of my leave on 28.4.2009, I beg to report myself for duty. I enclose herewith original medical certificate in support of my leave, which may be accepted.
With regards,
Yours sincerely
Sd.
29.4.2009
Manasi Sarangi,
Lect. in Botany

ଅତଏବ, ଶ୍ରୀମତୀ ଷଡଙ୍ଗୀ ଯେଉଁ ଡାକ୍ତରୀ ସାର୍ଟିଫିକେଟ ଦେଇଥିଲେ, ତାହା ଥିଲା ନିର୍ଭେଜାଲ (“original”), ଯାହାକି ୨.୭.୨୦୦୮ରୁ ୨୮.୪.୨୦୦୯ ପର୍ଯ୍ୟନ୍ତ ପରିବ୍ୟାପ୍ତ ତାଙ୍କ ସମଗ୍ର “ଛୁଟି” ସମୟକୁ ସମର୍ଥନ କରୁଥିବା ସେ କହିଥିଲେ । ମାତ୍ର ତାହା ମିଥ୍ୟା , ଯେହେତୁ ତହିଁରେ କେବଳ ୨୮.୨.୨୦୦୯ରୁ ତାଙ୍କୁ ଚିକିତ୍ସା କରିଥିବା କଥା ସମ୍ପୃକ୍ତ ଡାକ୍ତର କହିଛନ୍ତି । ଏହି ଡାକ୍ତରୀ ସାର୍ଟିଫିକେଟ ମଧ୍ୟ ଦୁର୍ନୀତି ଗର୍ଭରୁ ବାହାରିଥିଲା । କାରଣ, ପ୍ରଥମତଃ ଏହା ଛୁଟି ନିୟମାବଳୀର ବିରୁଦ୍ଧାଚରଣ କରୁଥିଲା, ଯାହା ଦୁର୍ନୀତିଲିପ୍ତ ନ ହୋଇ କୌଣସି ଡାକ୍ତର କେବେ ବି ଦେଇପାରିନଥାନ୍ତେ । ଡାକ୍ତରୀ ସାର୍ଟିଫିକେଟର ଔପଚାରିକ ଫର୍ମ ବିଧିଭୁକ୍ତ ହୋଇ ରହିଛି । ସବୁ ଡାକ୍ତର ତାହା ମାନିବାକୁ ବାଧ୍ୟ । ଭିନ୍ନ ଭାବେ କହିଲେ ଏହି ଔପଚାରିକ ଫର୍ମରେ ଯେଉଁ ଡାକ୍ତରୀ ସାର୍ଟିଫିକେଟ ନ ଥିବ ତାହା ଆଇନ ସମ୍ମତ ନୁହେଁ ଓ ସେହେତୁ ଗ୍ରହଣୀୟ ନୁହେଁ । ଡାକ୍ତର ଦାସ ଏହି ଆଇନ ସମ୍ମତ ଔପଚାରିକ ଫର୍ମରେ ତାଙ୍କ ସାର୍ଟିଫିକେଟ ଦେଇନାହାନ୍ତି । ଏଥିରେ ଥିବା ଡାକ୍ତରଙ୍କ ସ୍ଵାକ୍ଷର ଯଦି ଠିକ୍, ତେବେ ସମ୍ପୃକ୍ତ ଡାକ୍ତର ଏପରି ଏକ ସାର୍ଟିଫିକେଟ ଦେବା ପାଇଁ ଜାଲିଆତିର ଆଶ୍ରୟ ନେଇଛନ୍ତି , କାରଣ ସ୍ଵାସ୍ଥ୍ୟଗତ କାରଣରୁ ଛୁଟି ନେବାକୁ ସେ ତାଙ୍କୁ ପରାମର୍ଶ ଦେଇଥିବାର କୌଣସି ଉଲ୍ଲେଖନ ଏଥିରେ ନାହିଁ ।

ଯଥାର୍ଥ ପ୍ରତ୍ୟାଖ୍ୟାନ 

ଏହି ଦୃଶ୍ୟମାନ ଅସଙ୍ଗଟି ହେତୁ ତଥାକଥିତ ଡାକ୍ତରୀ ସାର୍ଟିଫିକେଟ ବିଶ୍ୱାସଯୋଗ୍ୟ ନଥିଲା । ତେଣୁ ଶ୍ରୀମତୀ ଷଡଙ୍ଗୀଙ୍କ କଲେଜ ତାକୁ ଗ୍ରହଣ ନ କରି ଭୁଲ କଲା କିପରି? ମହାପାତ୍ର ଏହା ଉପରେ କୌଣସି ଆଲୋକପାତ ବି କରିନାହାନ୍ତି । ଶ୍ରୀମତୀ ଷଡଙ୍ଗୀ ତାଙ୍କ ସତ୍ୟପାଠରେ ମିଥ୍ୟାପାଠ ଦେଇଛନ୍ତି ; ଯଥା – “I was forced to send joining report dated 29.4.2013 along with medical fitness certificate dated 28.4.2013” ଯାହା ସମ୍ପୂର୍ଣ ମିଥ୍ୟା ଓ ଯାହା ସପକ୍ଷରେ ସେ କୌଣସି ପ୍ରମାଣ କେଉଁଠି ବି ଦାଖଲ କରିନାହାନ୍ତି । ଅପରପକ୍ଷେ ସେହି ସତ୍ୟପାଠରେ ସେ ପୁନଶ୍ଚ ଘୋଷଣା କରିଛନ୍ତି, I reported before Dr. S.N.Swain, specialist in medicine in Capital Hospital, Bhubaneswar on 21.7.2012, who declared me fit for duty.” ଶ୍ରୀମତୀ ଷଡଙ୍ଗୀଙ୍କ ସତ୍ୟପାଠରୁ ଜଣାଯାଏ, ଏହାକୁ ସେ ମେଡିକାଲ ସାର୍ଟିଫିକେଟ ଭାବେ ଦାଖଲ କରିଥିଲେ । କିନ୍ତୁ ଏହା ଆଦୌ ଆଇନସମ୍ମତ ମେଡିକାଲ ସାର୍ଟିଫିକେଟ ନଥିଲା । ସୁତରାଂ ଗ୍ରାହ୍ୟ ବି ନଥିଲା । ତେଣୁ ଏହାକୁ ଯଥାର୍ଥତଃ ପ୍ରତ୍ୟାଖ୍ୟାନ କରି, ତାଙ୍କ ଦୀର୍ଘ ଅନୁପସ୍ଥିତିକୁ ଅନଧିକୃତ ଓ ଅବୈଧ ବୋଲି ବିଚାରି, ଶ୍ରୀମତୀ ଷଡଙ୍ଗୀ ୨.୭.୨୦୦୮ ତାରିଖରୁ କାମ କରୁନାହାନ୍ତି ବୋଲି କହି, ରାଜ୍ୟ ସରକାର ସମ୍ପୃକ୍ତ କାଳଖଣ୍ଡ ପାଇଁ ତାଙ୍କ ପଦାସୀନତା ରଦ୍ଦକରି, ଶୃଙ୍ଖଳାଗତ ଶାସ୍ତି ବିଧାନର ସୀମିତ ଉଦ୍ଦେଶ୍ୟରେ ଏକ ଭିନ୍ନ କଲେଜରେ ତାଙ୍କୁ ସଂସ୍ଥିତ କରିବାକୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ଆଦେଶ ଦେଇଥିଲେ ।

ଇଚ୍ଛାକୃତ ବଳାତ୍କାର

ଏହି ଆଇନ ସମ୍ମତ ସରକାରୀ ଆଦେଶ ଉପରେ ନିଜକୁ ନିଜେ ପୁନର୍ବିଚାରକ ଅଧିକାରୀ (appellate authority) ଭାବେ ଜାରି କରି ମହାପାତ୍ର ଘୋଷଣା କରିଦେଲେ, “for none of her faults she is kept out of service and has not been allowed to join in duty and perform her duties for the cause of the college inspite of the directions of the Director, Higher Education. When she has obtained medical fitness certificate it was not also accepted at any level. Therefore, gross illegality has occurred in case of the applicant.” ଅର୍ଥାତ୍, ଶ୍ରୀମତୀ ଷଡଙ୍ଗୀ ଅନଧିକୃତ ଭାବେ ଅନୁପସ୍ଥିତ ନ ଥିଲେ, ତାଙ୍କୁ ଜୋର ଜବରଦସ୍ତ ନିକମା କରି ରଖା ହୋଇଥିଲା । ସେ ଡାକ୍ତରୀ ସାର୍ଟିଫିକେଟ ଦେଇଥିଲେ ମଧ୍ୟ କେହି ତାହାକୁ ଗ୍ରହଣ କରି ନଥିଲେ । ତେଣୁ ତାଙ୍କ ପ୍ରତି ଘୋର ଅନ୍ୟାୟ କରାହୋଇଛି ।

ଦୁର୍ନୀତିରେ ପହଁରିବାର ଦୁଃସାହସ ବା ଶାସନର ସର୍ବୋଚ୍ଚ ସ୍ତରରୁ ମିଳିଥିବା ସାହସ ଭିନ୍ନ ପ୍ରଶାସନିକ ପଦାନୁକ୍ରମରେ ନିମ୍ନତମ ସ୍ଥାନରେ ଥିବା କୌଣସି ପଦାଧିକାରୀ ପକ୍ଷେ ସରକାରୀ ଆଦେଶ ଉପରେ ଏପରି ଇଚ୍ଛାକୃତ ବଳାତ୍କାର ସମ୍ଭବ ହୋଇନଥାନ୍ତା । କେଉଁ ରହସ୍ୟ ଏହା ଉହାଡ଼ରେ ନିହିତ?

ଅନ୍ୟୁନ୍ୟ ପକ୍ଷେ ପୋଲିସର ଅପରାଧ ଅନୁସନ୍ଧାନ ଶାଖା (Crime Branch) ତଦନ୍ତ କରି ଏହାର ଉତ୍ତର ବାହାରକରିବା ଆବଶ୍ୟକ । କାରଣ ଏହାର ଛତ୍ରେ ଛତ୍ରେ ଖୁନ୍ଦି ହୋଇରହିଛି ପ୍ରଶାସନିକ ଦୁରାଚାରର ନମୂନା, ପ୍ରିୟାପ୍ରୀତି ତୋଷଣ ଓ ଦୁର୍ନୀତିର ଦୁର୍ଗନ୍ଧ, ପତ୍ନୀଙ୍କ ଚାକିରି ପାଇଁ ପ୍ରଦ୍ୟୁମ୍ନ ଶତପଥୀ ଭାଷା ଆନ୍ଦୋଳନକୁ ଛୁରୀ ମାରିଥିବାର ନେପଥ୍ୟ ଦୃଶ୍ୟ ଓ ତହିଁ ସହ ମୁଖ୍ୟମନ୍ତ୍ରୀଙ୍କ ଧୂର୍ତ୍ତ ସମ୍ପୃକ୍ତିର ବ୍ୟଥାଦାୟକ ଆଶଙ୍କା । (କ୍ରମଶଃ)

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.