Posts from the Literature of the MOVEMENT Category

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ତଦନ୍ତ ରିପୋର୍ଟ ନିଷ୍କମ୍ପ କର୍ମ ସମ୍ପାଦନର ଏକ ଆଦର୍ଶ ହୋଇ ରହିବ । ସରକାରଙ୍କ ନୀତିଭ୍ରଷ୍ଟ ଆଭିମୁଖ୍ୟ ପ୍ରତି ଖାତିର ନ କରି ସେ ଯେଉଁ ତଦନ୍ତ କରି ଥିଲେ ତାହା ଯେପରି ନୀତିନିଷ୍ଠ ଥିଲା, ସେହି ପରି ନିର୍ବିଚଳିତ ଥିଲା ତହିଁର ନିଷ୍କର୍ଷ । ତାହାର କିୟଦଂଶ :-

“Smt. Sarangi had remained absent from duties un-authorizedly for a long period of 10 years. On perusal of all documents and records available and personal hearing, it is revealed that, there is a strong case for appropriate action under the relevant Rules against Smt. Sarangi for such long unauthorized absence from duty without valid reasons.”

ଅର୍ଥାତ୍ , ଶ୍ରୀମତୀ ଷଡଙ୍ଗୀ କର୍ମକ୍ଷେତ୍ରରୁ ଦୀର୍ଘ ୧୦ ବର୍ଷ କାଳ ଅନଧିକୃତ ଭାବେ ଅନୁପସ୍ଥିତ ଥାଇ ତାଙ୍କ କର୍ତ୍ତବ୍ୟ ସମ୍ପାଦନ କରିନଥିଲେ । ଉପଲବ୍ଧ ସମସ୍ତ ଦଳିଲ୍ ଦସ୍ତାବିଜ୍ ଓ ନଥିପତ୍ରର ଗଭୀର ଅନୁଧ୍ୟାନ ଏବଂ ବ୍ୟକ୍ତିଗତ ଶୁଣାଣିରୁ ଏହା ଦୃଢ ଭାବେ ସ୍ପଷ୍ଟ ଯେ, କୌଣସି ବିଧିମାନ୍ୟ କାରଣ ନ ଥାଇ ସେ ଏତେ ଦୀର୍ଘ କାଳ ଧରି କର୍ମକ୍ଷେତ୍ରରୁ ଅନୁପସ୍ଥିତ ଥିଲେ । ଏହି ଅନୁପସ୍ଥିତି ଥିଲା ଅନଧିକୃତ । ତେଣୁ ପ୍ରଯୁଜ୍ୟ ନିଯମାବଳୀ ଅନୁସାରେ ତାଙ୍କ ବିରୁଦ୍ଧରେ ସମୁଚିତ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ।

ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଏହି ତଦନ୍ତ ରିପୋର୍ଟ ସରକାରଙ୍କ ସବୁ ଫନ୍ଦିକୁ ଫସରଫସା କରିଦେଲା । ଏହା ସାବ୍ୟସ୍ତ କଲା ଯେ , ଶ୍ରୀମତୀ ଷଡଙ୍ଗୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ୨୨.୬.୨୦୧୫ ତାରିଖରେ ଯେଉଁ ଆଦେଶ ଦେଇଥିଲେ (ଆଦେଶ ପତ୍ରାଙ୍କ ୧୩୨୯୦) ତାହା ହିଁ ଥିଲା ଠିକ୍ ଓ ତାହାକୁ ବଦଳାଇବା ପାଇଁ ହୋଇଥିବା ପ୍ରଶାସନିକ ଉଦ୍ୟମ ସମ୍ପୂର୍ଣ ବେଠିକ୍ ।

ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଏହି ତଦନ୍ତ ରିପୋର୍ଟ ଯେଉଁ ଦିଗଗୁଡ଼ିକୁ ସ୍ପଷ୍ଟ କଲା ସେଗୁଡ଼ିକ ହେଲା :-

(୧)              ଶ୍ରୀମତୀ ମାନସୀ ଷଡଙ୍ଗୀ ଅନୁପସ୍ଥିତ ନଥିଲେ, ତାଙ୍କୁ ଅନୁପସ୍ଥିତ ରଖା ଯାଇଥିଲା ବୋଲି ଅନୁଶାସନସଚିବ ସୂର୍ଯ୍ୟନାରାୟଣ ମହାପାତ୍ର ଯେଉଁ ଟିପ୍ପଣୀ (ଟିପ୍ପଣୀ ସଂଖ୍ୟା ୧୧) ତାହା ଥିଲା ସମ୍ପୂର୍ଣ ଭିତ୍ତିହୀନ ଓ ଦୁରଭିସନ୍ଧି ପ୍ରଣୋଦିତ । କାରଣ, ସେ ସ୍ଵାସ୍ଥ୍ୟଗତ କାରଣରୁ ଅନୁପସ୍ଥିତ ଥିଲେ ବୋଲି ଶ୍ରୀମତୀ ଷଡଙ୍ଗୀ ତଦନ୍ତ ବେଳେ ପ୍ରକାଶ କରିଥିଲେ ଓ ତାହା ପ୍ରତିପାଦନ କରିବା ପାଇଁ ଡାକ୍ତରୀ ଚିଠା ଦେଖାଇଥିଲେ । ନିର୍ଦ୍ଦେଶକଙ୍କ ତଦନ୍ତ ରିପୋର୍ଟର ୨ୟ ଅନୁଚ୍ଛେଦରେ ଲେଖା ହୋଇଛି, “Appearing at the enquiry on the said date Smt. Sarangi submitted a written submission along with copy of some medical prescriptions and medical fitness certificate which she claimed justify her long absence from duty.” ଅର୍ଥାତ୍ , ଧାର୍ଯ୍ୟ ହୋଇଥିବା ତାରିଖରେ ଯୋଗ ଦେଇ ଶ୍ରୀମତୀ ଷଡଙ୍ଗୀ ତାଙ୍କର ସୁଦୀର୍ଘ ଅନୁପସ୍ଥିତି ସପକ୍ଷରେ ଲିଖିତ ବୟାନ ସମେତ କେତେକ ଡାକ୍ତରୀ ଚିଠା ଓ ସ୍ୱାସ୍ଥ୍ୟ ପ୍ରମାଣପତ୍ର ଦାଖଲ କରିଥିଲେ । ଏଗୁଡ଼ିକ ତାଙ୍କ ୧୦ ବର୍ଷରୁ ଉର୍ଦ୍ଧ୍ଵ ସୁଦୀର୍ଘ ଅନୁପସ୍ଥିତିର କୌଣସି ସନ୍ତୋଷଜନକ କାରଣ ଦର୍ଶାଇପାରିନଥିବା (do not reveal satisfactory reasons to justify long period of absence from duty for more than 10 years.) କହି, କର୍ମକ୍ଷେତ୍ରରୁ ତାଙ୍କୁ ଦୂରେଇ ରଖା ହୋଇଥିବା / ତାଙ୍କୁ କର୍ତ୍ତବ୍ୟ ସମ୍ପାଦନରେ ବାଧା ଦିଆହୋଇଥିବା କଥା ପ୍ରତ୍ୟୟଯୋଗ୍ୟତାବିହୀନ ;
(୨)               ଓଡ଼ିଶା ଶିକ୍ଷା (ସରକାରୀ ସାହାଯ୍ୟପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଓ ଚାକିରି ସର୍ତ୍ତ) ନିୟମାବଳୀ, ୧୯୭୪ର ନିୟମ ୨୨ ମୁତାବକ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବାକୁ ୨୨.୬.୨୦୧୫ରେ ସରକାର ଦେଇଥିବା ଅଲଙ୍ଘ୍ୟ ଆଦେଶ ଉପରେ ଗୁରୁତ୍ଵ ପ୍ରଦାନ ।

ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ କଳାପତାକାଧାରୀ ଯୋଗାଉଥିବା ପ୍ରଦ୍ୟୁମ୍ନ ଶତପଥୀଙ୍କ ସହ ମୁଖ୍ୟମନ୍ତ୍ରୀ ଯେଉଁ ସଉଦା କରିଥିଲେ ତଦନୁଯାୟୀ ତାଙ୍କ ସ୍ତ୍ରୀଙ୍କୁ ନିସର୍ତ୍ତ ନିଯୁକ୍ତି ଦେବା ଓ ତାଙ୍କ ଅନୁପସ୍ଥିତି ପାଇଁ ସେ ଦାୟୀ ନୁହନ୍ତି, କର୍ତ୍ତୃପକ୍ଷ ଦାୟୀ ବୋଲି ଦର୍ଶାଇ ତାଙ୍କର ଅନୁପସ୍ଥିତି କାଳକୁ ନିୟମିତ ଚାକିରି ଭାବେ ଗୃହୀତବ୍ୟ ବୋଲି ଦର୍ଶାଇ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ସ୍ତ୍ରୀଙ୍କ ପିଛିଲା ବେତନ ସୂତ୍ରରେ ପ୍ରାୟ ଦେଢକୋଟି ଟଙ୍କାର ଆୟ ଯୋଗାଇବା ପାଇଁ ମହାପାତ୍ର-ମିଶ୍ର-ବାଳକୃଷ୍ଣାନ ଗ୍ୟାଙ୍ଗ ୨୨.୬.୨୦୧୫ ତାରିଖର ଚୁଡାନ୍ତ ସରକାରୀ ଆଦେଶକୁ ଯେପରି ଗାଲିଚା ତଳେ କବର ଦେଇ ଶ୍ରୀମତୀ ଷଡଙ୍ଗୀଙ୍କୁ ଚାକିରିରେ ଯୋଗଦିଆଇ ଦେଇଥିଲେ, ତାର ବୈଧତା ଉପରେ ଭୟଙ୍କର ଭାବେ ପ୍ରଶ୍ନ ତୋଳିଲା ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଏହି ତଦନ୍ତ ରିପୋର୍ଟ । (କ୍ରମଶଃ)

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ପତ୍ନୀଙ୍କ ଚାକିରି ପାଇଁ ସରକାରୀ ଥୋପ ଗିଳିଲା ପର୍ଯ୍ୟନ୍ତ ପ୍ରଦ୍ୟୁମ୍ନ ଶତପଥୀ ମୋତେ ଦେଇଥିବା ବଚନ ମୁତାବକ କଳାପତାକା ଧରିବାକୁ ଆବଶ୍ୟକୀୟ ସାଥୀସଂଗ୍ରହ କରୁଥିଲେ ଓ ସେମାନଙ୍କୁ ମୁଁ କଳାପତାକା ଧରାଇଲା ପରେ ଦୈନିକ ଅଭିଯାନ ଆରମ୍ଭ ହେଉଥିଲା । ଦୈନିକ ବିବରଣୀ ଗଣମାଧ୍ୟମକୁ ପ୍ରତିଦିନ ପ୍ରେରଣ କରୁଥିଲେ ପବିତ୍ର ମହାରଥା । ଫଳରେ ନିରୁଦ୍ବିଘ୍ନ ଚିତ୍ତରେ ଆମ ଆନ୍ଦୋଳନର ବୌଦ୍ଧିକ ଦିଗ ସମ୍ଭାଳିବା ମୋ ପକ୍ଷେ ସମ୍ଭବ ହେଉଥିଲା । ଏହି ବ୍ୟବସ୍ଥା ଏତେ ସୁନ୍ଦର ଭାବେ ଚାଲିଥିଲା ଯେ, ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ସାଜିଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମତରେ, ପ୍ରବଳ ଅହଙ୍କାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ମୁଣ୍ଡ ନୂଆଇଁଥିଲେ ଓ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଦେଇଥିବା ପରାମର୍ଶ ମାନି ଆଇନ ସଂଶୋଧନ କରିଥିଲେ ।

ଏହି ତିନି ଜଣ ଯଦି ନିଜ ନିଜ ବ୍ୟକ୍ତିଗତ ଅଭିସନ୍ଧି ହେତୁ ଆମ ଆନ୍ଦୋଳନ ପ୍ରତି ବିଶ୍ଵାସଘାତକତା କରିନଥାନ୍ତେ, ତେବେ ୩.୯.୨୦୧୫ରେ ମୁଁ ଦେଇଥିବା ସରକାରୀ ଭାଷା ସମ୍ପର୍କୀୟ ଚିଠା ବିଧାନ ସଂପୂର୍ଣ୍ଣତଃ ଗୃହୀତ ହୋଇସାରିଥାନ୍ତା ଓ ସରକାରୀ ଭାଷା ଭାବେ ଓଡ଼ିଆ ଭାଷା ଅଲଙ୍ଘ୍ୟ ହୋଇସାରିଥାନ୍ତା । ଏ ସମ୍ପର୍କରେ ଭବିଷ୍ୟତରେ ସବିଶେଷ ଆଲୋଚନା କରିବା । ବର୍ତ୍ତମାନ ଦେଖିବା , ପ୍ରଦ୍ୟୁମ୍ନ ଶତପଥୀଙ୍କୁ ପୋଷାମନାଇବା ପାଇଁ ତାଙ୍କ ପତ୍ନୀଙ୍କୁ ଚାକିରି ପ୍ରଦାନ କରିବାକୁ ରାଜ୍ୟ ସରକାର ଉଚ୍ଚ ଶିକ୍ଷା ବିଭାଗର ଯେଉଁ ଅନୁଶାସନସଚିବଙ୍କ ଗାଲୁକଲ୍ପକୁ ଉପଯୋଗ କରିଥିଲେ ତାହା ପ୍ରକୃତରେ ଗ୍ରାହ୍ୟ ଥିଲା କି?

ଅଗ୍ରାହ୍ୟ ଗାଲୁକଳ୍ପ

ଅନୁଶାସନସଚିବ ସୂର୍ଯ୍ୟନାରାୟଣ ମହାପାତ୍ରଙ୍କ ପୂର୍ବାଲୋଚିତ ଗାଲୁକଳ୍ପ ଥିଲା ସଂକ୍ଷେପରେ ଏହିପରି :

(୧) ତାଙ୍କ ମତରେ, ଶ୍ରୀମତୀ ମାନସୀ ଷଡଙ୍ଗୀ ୨.୭.୨୦୦୮ ତାରିଖରୁ ତାଙ୍କ କର୍ତ୍ତବ୍ୟ କରିନଥିଲେ ବୋଲି ସରକାର ଯେଉଁ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ତାହା ଭୁଲ ଥିଲା ; କାରଣ ତାଙ୍କୁ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଦିଆହୋଇନଥିଲା (“she was kept out of service”) । (୨) ଏହି କାରଣ ହେତୁ ସେ ତାଙ୍କ ଚାକିରିରେ ନିସର୍ତ୍ତ ଯୋଗଦେବେ ଓ ଅନ୍ତର୍ବର୍ତ୍ତୀ ସମୟ ତାଙ୍କ ଚାକିରିକାଳରୁ ବାଦ୍ ପଡ଼ିବ ବୋଲି ସରକାର ଦେଇଥିବା ଆଦେଶ କାର୍ଯ୍ୟକାରୀ ନହୋଇ ସେ କାମ ନ କରିଥିବା ସମୟକୁ ତାଙ୍କ ଚାକିରିକାଳରେ ମିଶାଇ ନିୟମିତ କରିବା ପାଇଁ ପନ୍ଥାନୁସନ୍ଧାନ କରାଯିବ ।

ଏହାର ପ୍ରଥମ ଭାଗକୁ ଅତିରିକ୍ତ ଶାସନ ସଚିବ ଗ୍ରହଣ କରିଥିବା ବେଳେ , ଦ୍ଵିତୀୟ ଭାଗକୁ ପୂର୍ଣତଃ ଗ୍ରହଣ ନକରି, ନିୟମିତିକରଣ କଥାଟିକୁ ଶ୍ରୀମତୀ ଷଡଙ୍ଗୀଙ୍କ ଅନୁପସ୍ଥିତି ସମ୍ପର୍କରେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ତଦନ୍ତସାପେକ୍ଷ କରାଇଥିଲେ । ସରକାର ତହିଁରେ ରାଜିହୋଇ ତଦନୁଯାୟୀ ଆଦେଶ ଦେଇଥିଲେ ; କାରଣ, ସରକାର ଜାଣିଥିଲେ ଯେ, “ତାଙ୍କୁ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଦିଆହୋଇନଥିଲା” ବୋଲି ସରକାରଙ୍କ ପରିବର୍ତ୍ତିତ ସିଦ୍ଧାନ୍ତ ଅବଗତ ହେବା ପରେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ତାଙ୍କ ଚାକିରି ନିୟମିତ କରାଯିବାକୁ ମତ ଦେବାକୁ ବାଧ୍ୟ ହେବେ ।

ମାତ୍ର ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ତାଙ୍କ ତଦନ୍ତରେ ଏହି ଗାଲୁକଳ୍ପକୁ ଅଗ୍ରାହ୍ୟ କରିଦେଇଥିଲେ ।

ପ୍ରଶାସନିକ ଦୁରାଚାର

ଶ୍ରୀମତୀ ଷଡଙ୍ଗୀଙ୍କ ଚାକିରି ନିୟମିତିକରଣ ସପକ୍ଷରେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ପୂର୍ବଧାରଣାଗ୍ରସ୍ତ (prejudiced) କରିବାକୁ ଉଚ୍ଚ ଶିକ୍ଷା ବିଭାଗର ଚେଷ୍ଟା ପ୍ରଶାସନିକ ଦୁରାଚାର(administrative improbity)ର ସବୁ ସୀମା ଟପିଯାଇଥିଲା । ଏହା ଜାଣିବାରେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ସରକାରଙ୍କ ଅତିରିକ୍ତ ଶାସନ ସଚିବ ୧୮.୭.୨୦୧୮ ତାରିଖରେ ଦେଇଥିବା ସରକାରୀ ଆଦେଶ ସଂଖ୍ୟା ୨୦୪୪୫/ଉ.ଶି. ସାହାଯ୍ୟ କରେ । ଦସ୍ତାବିଜୀୟ ଗୁରୁତ୍ଵ ଦୃଷ୍ଟିରୁ ନିମ୍ନରେ ତାହା ଉଦ୍ଧୃତ୍ତ ହେଲା –

To:
The Director, Higher Education, Odisha,
Bhubaneswar.

Sub: Regarding joining of Smt. Manasi Sarangi , Lecturer in Botany, U.N.(Auto) College of Science & Technology, Adaspuur, Cuttack.

Sir,
In supersession of this Department letter No. 13290/HE dated 22.6.2015 on the above noted subject, I am directed to say that, after careful consideration Government have been pleased to decide the joining of Smt. Manasi Sarangi, Lecturer in Botany, U.N.(Auto) College of Science & Technology, Adaspuur, Cuttack as below:-
1 Smt. Sarangi may be allowed to report her joining in the Directorate of Higher Education with immediate effect producing medical certificate of fitness obtained from competent authority which would be accepted by the Director, Higher Education.
2 The Director, Higher Education after looking into vacancy in any other identical college may post her to perform her duties.
3 The intervening period from the day she was kept out of service from 2.7.2008 till she joins in the Directorate shall be decided after due enquiry made at the level of the Directorate.

Yours Faithfully

Addl. Secretary to Government

ଶ୍ରୀମତୀ ଷଡଙ୍ଗୀଙ୍କ ଅନୁପସ୍ଥିତି କାଳର ଭବିତବ୍ୟ ପାଇଁ ତଦନ୍ତ କରିବାକୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟକୁ ଦାୟିତ୍ଵ ଦେବା ବେଳେ ସରକାର ଯଦି କୁହନ୍ତି ଯେ, ୨୨.୬.୨୦୧୫ ତାରିଖର ୧୩୨୯୦ ସଂଖ୍ୟକ ସରକାରୀ ଆଦେଶକୁ ଅଧିକ୍ରମଣ କରାଯାଇଛି ଓ ସେ ସେବାଦାନ କରୁନଥିଲେ ନୁହେଁ, ବରଂ ତାଙ୍କୁ ସେବାଦାନକ୍ଷେତ୍ରରୁ ଦୂରେଇ ଦିଆଯାଇଥିଲା (she was kept out of service), ତେବେ ବିଚରା ନିର୍ଦ୍ଦେଶାଳୟ ତାଙ୍କ ପ୍ରତି ଅନ୍ୟାୟ ହୋଇଥିବା କହି, ତାଙ୍କ ଅନୁପସ୍ଥିତି ସମୟକୁ ଚାକିରିରେ ଥିବା ସମୟ ଭାବେ ଗଣତି କରି ତାଙ୍କ ଚାକିରି ନିୟମିତ କରିବାକୁ ପନ୍ଥାନୁସନ୍ଧାନ କରିବା ଭିନ୍ନ କଣ ବା ଆଉ କରିପାରିଥାନ୍ତା?

ନୀତିନିଷ୍ଠ ନିର୍ଦ୍ଦେଶକ

କିନ୍ତୁ ଯେଉଁ ବ୍ୟକ୍ତି ସେତେବେଳେ ନିର୍ଦ୍ଦେଶକ ଥିଲେ, ସେ ଜଣେ ନୀତିନିଷ୍ଠ ବ୍ୟକ୍ତି ଥିଲେ, ଯେ କି ଉପରୋଦ୍ଧୃତ୍ତ ଆଦେଶର ଭୂମିକା ଦ୍ଵାରା ପ୍ରଭାବିତ ହେବାକୁ ବା ତହିଁର ୩ୟ ନିର୍ଦ୍ଦେଶ ଦ୍ଵାରା ପୂର୍ବଧାରଣାଗ୍ରସ୍ତ ହେବାକୁ ନିଜକୁ ଅନୁମତି ଦେଲେ ନାହିଁ ।

ଶ୍ରୀମତୀ ଷଡଙ୍ଗୀଙ୍କ ୧୦ ବର୍ଷରୁ ଅଧିକ ଅନୁପସ୍ଥିତି ପାଇଁ ସେ ତଦନ୍ତ ଆରମ୍ଭ କଲେ ।

ନିର୍ଦ୍ଦେଶାଳୟ ପତ୍ରାଙ୍କ ୩୮୮୫୩ ଦ୍ଵାରା ୧୭.୧୨.୨୦୧୮ତାରିଖରେ ଶ୍ରୀମତୀ ଷଡଙ୍ଗୀଙ୍କୁ ତାଙ୍କ ଦଶନ୍ଧିବ୍ୟାପୀ ଅନୁପସ୍ଥିତିର ଯଥାର୍ଥତା ସାବ୍ୟସ୍ତ କରିବା ପାଇଁ ସମସ୍ତ ପ୍ରମାଣପତ୍ର ସହ ୨୧.୧୨.୨୦୧୮ ତାରିଖରେ ହେବାକୁ ଥିବା ତଦନ୍ତରେ ହାଜିର ହେବାକୁ ନିର୍ଦ୍ଦେଶ ଦିଆଗଲା ।

ସେ ସେଦିନ ତଦନ୍ତରେ ଯୋଗଦେଲେ, କିନ୍ତୁ କୌଣସି ଗ୍ରହଣଯୋଗ୍ୟ ପ୍ରମାଣପତ୍ର ଦେଖାଇନପାରି ମହଲତ ଚାହିଁଲେ । ତାଙ୍କୁ ତାଙ୍କ କହିବା ଅନୁସାରେ ମହଲତ ଦିଆଗଲା ।

ସେହି ନୂଆ ତାରିଖରେ ମଧ୍ୟ ଶ୍ରୀମତୀ ଷଡଙ୍ଗୀ ନିଜ ସପକ୍ଷରେ କୌଣସି ଗ୍ରହଣଯୋଗ୍ୟ ପ୍ରମାଣପତ୍ର ପ୍ରଦାନ କରିପାରିଲେନାହିଁ ।

ତଦନ୍ତ ଶେଷ କରି ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ୧୪.୨.୨୦୧୯ରେ ସରକାରଙ୍କୁ ତାଙ୍କ ରିପୋର୍ଟ ଦେଲେ (No.2M-105-III/2012/6358) । ଏହା ମହାପାତ୍ରଙ୍କ ଗାଲୁକଳ୍ପ ତଥା ମିଶ୍ରଙ୍କ ପେଞ୍ଚକୁ ତଥା ଉପରୋଦ୍ଧୃତ୍ତ ସରକାରୀ ଆଦେଶରେ ନିହିତ ଥିବା ପ୍ରଶାସନିକ ଦୁରାଚାରକୁ ଫୁଙ୍ଗୁଳା କରିଦେଲା ଏବଂ ଶ୍ରୀମତୀ ଷଡଙ୍ଗୀଙ୍କ ବିରୁଦ୍ଧରେ ଉପଯୁକ୍ତ ଦଣ୍ଡବିଧି କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କଲା । (କ୍ରମଶଃ)

ପ୍ରଦ୍ୟୁମ୍ନ ଶତପଥୀ ୧୬.୭.୨୦୧୮ ସନ୍ଧ୍ୟାରେ “ଭାଷା ଆଂଦୋଳନର ନିଷ୍ପତ୍ତିକ୍ରମେ ବିଧାନସଭାର ବର୍ଷାକାଳୀନ ଅଧିବେଶନ (ସରିବା) ଯାଏଁ କଳା ପତାକା ଅଭିଯାନ ସ୍ଥଗିତ ରହିଲା ବୋଲି କରିଥିବା ଘୋଷଣା ଅନଧିକୃତ ଓ ଅମୂଳକ ଥିଲା ବୋଲି ସେହି ଅଭିଯାନ କ୍ରମାଗତ ଚାଲିଲା ହେତୁ ସାବ୍ୟସ୍ତ ହୋଇଗଲା ପରେ ଭାଷା ଆଂଦୋଳନର ପାଣ୍ଠି ତୋଷରପାତରେ ତାଙ୍କ ସାହାଯ୍ୟପ୍ରାପ୍ତ ପବିତ୍ର ମହାରଥା ଏପରି କଥା କହିଲେ ଓ ଏପରି ଆଚରଣ କଲେ ଯହିଁରୁ ମନେହେଲା ସତେ ଯେମିତି ଭାଷା ଆନ୍ଦୋଳନ ଭାଙ୍ଗିବା ପାଇଁ ଏ ଦୁହେଁ ସରକାରଙ୍କ ଠାରୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ମାଧ୍ୟମରେ ସୁପାରି ନେଇଛନ୍ତି । ଯଥା ସମୟରେ ସେ ସମ୍ପର୍କରେ ଅଲୋଚନା କରିବା । କିନ୍ତୁ ସରକାରଙ୍କ ନୂଆ ଭାଷା ମୁଖପାତ୍ର ଭାବେ ପ୍ରଦ୍ୟୁମ୍ନ ଶତପଥିଙ୍କ ନୂଆ ଚେହେରା ଦେଖିବାକୁ ବର୍ତ୍ତମାନ କେବଳ ଗୋଟିଏମାତ୍ର ଦୃଷ୍ଟାନ୍ତ ଦୃଷ୍ଟି ପଡୁ ।

ଓଡ଼ିଶା ସରକାରୀ ଭାଷା ଆଇନରେ ୨୦୧୮ ସଂଶୋଧନ ବିରୁଦ୍ଧରେ ମୋ ଯୁକ୍ତି ସହ ଏକମତ ହୋଇ ବୈଷ୍ଣବ ପରିଡ଼ା କହିଥିଲେ କି, ମୁଖ୍ୟମନ୍ତ୍ରୀ ପଦରେ ନବୀନ ପଟ୍ଟନାୟକଙ୍କ ଅବସ୍ଥିତି ହିଁ ଓଡ଼ିଆ ଭାଷା ଆଇନର ନିର୍ଭୁଲ ସଂଶୋଧନ ପ୍ରତି ଅସଲ ଅନ୍ତରାୟ । ବିଜୁ ଜନତା ଦଳ ଯଦି ଓଡ଼ିଆ ଭାଷାକୁ ମାରିଦେବାକୁ ନ ଚାହୁଁଥାଏ, ତେବେ କାମରାଜ ଯୋଜନାରେ ଯେମିତି ବିଜୁବାବୁ ଯାଇଥିଲେ, ସେମିତି ମୁଖ୍ୟମନ୍ତ୍ରୀ ପଦରୁ ନବୀନବାବୁଙ୍କୁ ବିଦାୟ ଦେବା ଉଚିତ ।

ତେଣୁ ମୁଖ୍ୟମନ୍ତ୍ରୀଙ୍କ ପ୍ରୀତ୍ୟର୍ଥେ ବୈଷ୍ଣବବାବୁଙ୍କୁ ଆକ୍ରମଣ କରିବା ପାଇଁ ଆଗେଇଆସିଲେ ପ୍ରଦ୍ୟୁମ୍ନ ଶତପଥି । ସବୁ ପ୍ରଶାସନିକ ସଙ୍ଗତିକୁ ପଦଦଳିତ କରି ୧୬.୭.୨୦୧୮ ତାରିଖରେ ତାଙ୍କ ସ୍ତ୍ରୀ ମାନସୀ ଷଡ଼ଙ୍ଗୀଙ୍କୁ ଚାକିରିରେ ପୁନଃ ସଂସ୍ଥିତ କରିବାକୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ନଥିରେ ଦସ୍ତଖତ କରିଥିଲେ ମଧ୍ୟ ଆବଶ୍ୟକୀୟ ବିଜ୍ଞପ୍ତି ଜାରୀ ହୋଇନଥିଲା । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରି ରଖିବା ଥିଲା ଶତପଥୀଙ୍କ ପାଇଁ ଅତ୍ୟନ୍ତ ଜରୁରୀ । ସୁତରାଂ , ନବୀନବାବୁଙ୍କ କୌଣସି ସହଯୋଗୀ ମନ୍ତ୍ରୀ ବ ତାଙ୍କ ଦଳର କୌଣସି ନେତା ବୈଷ୍ଣବବାବୁଙ୍କ ବିରୁଦ୍ଧରେ ପାଟି ଖୋଲିନଥିବା ବେଳେ, ଏହି ବ୍ୟକ୍ତି କୌଣସି ଏକ ପୋଷାମନା ଟିଭି ଚ୍ୟାନେଲକୁ ଡାକି ଏହି ଭିଡିଓ ବିବୃତ୍ତି ଜାରି କରିଥିଲେ ବୈଷ୍ଣବବାବୁଙ୍କ ବିରୁଦ୍ଧରେ ଓ ପବିତ୍ର ମହାରଥା ତାହାକୁ ତାଙ୍କ ଫେସ ବୁକ ପୃଷ୍ଠାରେ ସମ୍ପ୍ରସାରିତ ବି କରିଥିଲେ । ଏହାକୁ ଅନୁଧ୍ୟାନ ପାଇଁ ଏଠାରେ ସ୍ଥାନିତ କରାଯାଉଛି ।

ବୈଷ୍ଣବବାବୁ ସେତେବେଳେ ଭୟାନକ କ୍ୟାନ୍ସର ସହ ଶେଷ ସଂଗ୍ରାମରେ ରତ । ସାପ ପାଟିରେ ପଡ଼ିଥିବା ବେଙ୍ଗ କିପରି ରାଧାନାଥ ରାୟଙ୍କ କବିତାରେ କଙ୍କି ଖାଇବାଲୁ ଲାଳାୟିତ ଥିଲା ତାହା ଆବୃତ୍ତି କରି ମୃତ୍ୟୁ ଆଡ଼େ ଧାଉଁଥିବା ବୈଷ୍ଣବ ପରିଡ଼ା ନବୀନଙ୍କୁ ତଡ଼ି ମୁଖ୍ୟମନ୍ତ୍ରୀ ହେବା ଲାଳସାରେ ଜର୍ଜରୀତ ବୋଲି ସେ ଆକ୍ଷେପ କରିଥିଲେ । ଏହିଥିରୁ ତାଙ୍କର ରୁଗ୍ଣ ମାନସିକତା ଓ ଉଗ୍ର ସୁବିଧାବାଦୀ ଚରିତ୍ରର ଚିତ୍ର ମିଳିଯାଏ । ଅଧିକ ଦୃଷ୍ଟାନ୍ତ ପରେ ଦେଖିବା । ବୈଷ୍ଣବବାବୁଙ୍କୁ ଏପରି ଅମାନୁଷିକ ଗାଳି ଦେଇ, ଏଥିରେ ସେ କହିଛନ୍ତି , କଳା ପତାକା ଅଭିଯାନ ସ୍ଥଗିତ ଥିଲେ ମଧ୍ୟ ଆନ୍ଦୋଳନ ଚାଲିଛି ଓ କେବଳ ଗୋଟିଏ ଶବ୍ଦ ବଦଳି ଗଲେ ଆଇନଟି ନିର୍ଭୁଲ ହୋଇଯିବ, ଯାହା କରିବା ପାଇଁ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଅଥଚ ସେ ଶବ୍ଦଟି କଣ ଓ କାହିଁକି ତାର ପରିବର୍ତ୍ତନ ଦରକାର, ତାହା ଶତପଥୀଏ କହିନାହାନ୍ତି, କାରଣ ତାହା ବି ତାଙ୍କୁ ଜଣା ନଥିଲା । ଭାଷା ଆନ୍ଦୋଳନ କ’ଣ ଓ କେଉଁ ଦାବି ଉପରେ ତାହା ଆଧାରିତ, ତାହା ବି ତାଙ୍କୁ ଜଣା ନଥିଲା । କାରଣ ତାଙ୍କରି ଭାଷାରେ ଭାଷା ଆନ୍ଦୋଳନ ଥିଲା ସୁଭାଷ ଚନ୍ଦ୍ର ପଟ୍ଟନାୟକ ମାନସପ୍ରସୂତ ଏବଂ ସେ ଓ ପବିତ୍ର ଓଗେର ଥିଲେ କେବଳ ତାର ସଞ୍ଚାଳକ ।

ମୋ “ପ୍ର୍ଜ୍ଞାଜ” ଆନ୍ଦୋଳନକୁ ସଞ୍ଚାଳିତ କରିବା ପାଇଁ ମୁଁ ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥାଙ୍କୁ ଦାୟିତ୍ଵ ଦେଇଥିଲି । ଅର୍ଥ ଲୋଭରେ ପଡ଼ି ଏହି ଉଭୟେ ମୋତେ ଓ ଭାଷା ଆନ୍ଦୋଳନ ପ୍ରତି ବିଶ୍ବାସଘାତକତ କରିଛନ୍ତି ଏବଂ ଓଡ଼ିଆ ଜାତିର ଭାଷା ଅଧିକାରକୁ ଅଣଓଡ଼ିଆ କର୍ମଚାରୀଙ୍କ ମର୍ଜିଭୁକ୍ତ କରାଇଛନ୍ତି । ଏମାନଙ୍କ ଅର୍ଥଲୋଭର ଲାଭ ଉଠାଇଛନ୍ତି ଓଡ଼ିଆ ବିଦ୍ଵେଷୀ ନବୀନ ପଟ୍ଟନାୟକ ଓ ଅଣଓଡ଼ିଆ / ଦେଶୀଇଂରାଜିଆ ଅମଲା ଗୋଷ୍ଟୀ । (କ୍ରମଶଃ)

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦିଷ୍ଟ ଘଟଣା ଉପରେ କାହିଁକି ସ୍ପଷ୍ଟୀକରଣ ଦେବା ଉଚିତ ତାହା ଆମେ ଧୀରେ ଧୀରେ ଦେଖିବା । ଉପର ଆଲୋଚନାରେ ସ୍ପଷ୍ଟ ହୋଇସାରିଛି କି ମହାପାତ୍ରଙ୍କ ଧୂର୍ତ୍ତ ଅଭିମତକୁ ଅଧିକାଂଶତଃ ଅଗ୍ରାହ୍ୟ କରିଥିଲେ ମଧ୍ୟ ଅତିରିକ୍ତ ଶାସନ ସଚିବ ତାଙ୍କ ପରିସୃଷ୍ଟ ଅସଲ ପେଞ୍ଚକୁ ସମର୍ଥନ କରି , ଶ୍ରୀମତୀ ମାନସୀ ଷଡଙ୍ଗୀ କର୍ମକ୍ଷେତ୍ରରୁ ଅନୁପସ୍ଥିତ ନଥିଲେ, ବରଂ କର୍ମକ୍ଷେତ୍ରରୁ ତାଙ୍କୁ ବାହାର କରି ରଖାହୋଇଥିଲା ବୋଲି କହିଥିଲେ । ଏବଂ “ଓଡ଼ିଶା ଶିକ୍ଷା (ସରକାରୀ ସାହାଯ୍ୟପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଓ ଚାକିରି ସର୍ତ୍ତ) ନିୟମାବଳୀ, ୧୯୭୪ର ନିୟମ ୨୨ ମୁତାବକ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ” ବୋଲି ଥିବା ସରକାରୀ ଆଦେଶକୁ କବର ଦେବା ପାଇଁ ଏହି ଉଭୟଙ୍କ ଚକ୍ରାନ୍ତ ସଂଶୋଧିତ ଟିପ୍ପଣୀରେ (ଟିପ୍ପଣୀ ୧୨, ତା ୧୨.୭.୨୦୧୮, ସମୟ ଦିପହର ୧୨ଟା ୧ ମିନିଟ) କାଏମ ରହି ନଥି ପହଞ୍ଚିଥିଲା ବିଭାଗୀୟ ଶାସନ ସଚିବଙ୍କ ପାଖରେ, ଯେ କି ଆଦୌ ମଥା ନ ଖେଳେଇ ଦିନ ୩ଟା ୧୭ ମିନିଟ ୧୪ ସେକେଣ୍ଡରେ ତହିଁରେ ଉଲ୍ଲେଖ କଲେ, “ସଦୟ ଆଦେଶ ନିମନ୍ତେ ପେଶ କରାଗଲା” (ଟିପ୍ପଣୀ ୧୩) ଓ ନଥିଟି ଅତିରିକ୍ତ ମୁଖ୍ୟ ଶାସନ ସଚିବ ବି. ବାଳକୃଷ୍ଣନଙ୍କ ପାଖକୁ ଚାଲିଲା ।

ଶାସନ ସଚିବଙ୍କ ସାଲିସ

ଶାସନ ସଚିବ ବିଷ୍ଣୁପଦ ସେଠି ଯଦି ନଥିଟିରେ ମଥା ଖେଳେଇଥାନ୍ତେ ତେବେ ଉପରୋକ୍ତ ମହାପାତ୍ର-ମିଶ୍ର ଯୋଡ଼ି ପ୍ରଦ୍ୟୁମ୍ନ ଶତପଥିଙ୍କ ସ୍ତ୍ରୀଙ୍କୁ କାର୍ଯ୍ୟତଃ ଲୋପ ହୋଇସାରିଥିବା ଏକ ପଦବୀରେ ଯୋଗ ଦେବା ପାଇଁ ପଥ ସୁଗମ କରିବା ମତଲବରେ ଏହି ଯେଉଁ ଅଧିକାର ବହିର୍ଭୂତ କୌଶଳ ପ୍ରୟୋଗ କରିଥିଲେ ତାହା ତାଙ୍କ ଦୃଷ୍ଟିରେ ପଡ଼ିଥାନ୍ତା ଓ ତାଙ୍କ ସ୍ତରରେ ତାହା ସଂଶୋଧିତ ହୋଇଯାଇପାରିଥାନ୍ତା । ତାହା ହେଲାନାହିଁ । କାରଣ, ସେ ଜାଣିଥିଲେ ଯେ, ଉପରୁ ଆସୁଥିବା ଆଦେଶ ସହ ତାଙ୍କୁ ସାଲିସ କରିବାକୁ ହେବ, ତଳ ଅମଲାତନ୍ତ୍ର ତିଆରିକରିଥିବା ପ୍ରଶାସନିକ ପେଞ୍ଚକୁ ପ୍ରତ୍ୟାଖ୍ୟାନ ନ କରି ସ୍ଵାଗତ କରିବାକୁ ହେବ । ଭାଷା ଆନ୍ଦୋଳନକୁ ପଛରୁ ଛୁରି ମାରିବାକୁ ପ୍ରଦ୍ୟୁମ୍ନ ଶତପଥିଙ୍କ ସର୍ତ୍ତକୁ ମୁଖ୍ୟମନ୍ତ୍ରୀ ମାନିନେଲା ପରେ ୧୮.୫.୨୦୧୮ରେ ଶ୍ରୀମତୀ ମାନସୀ ଷଡଙ୍ଗୀଙ୍କ ଲୋପ ହୋଇଥିବା ଚାକିରିରେ ଯୋଗଦାନ ପାଇଁ ନଥି ସୃଷ୍ଟି ହେବାର ମୂଳ କାରଣ ତ ଥିଲା ଏହା ହିଁ !

ଆମେ ପୂର୍ବରୁ ଦେଖିଛେ ଯେ, ଅତିରିକ୍ତ ଶାସନ ସଚିବ କୃପାସିନ୍ଧୁ ମିଶ୍ରଙ୍କୁ ପ୍ରୟୋଗ କରାଯାଇ ତାଙ୍କ ଅଧ୍ୟକ୍ଷତାରେ ଯେଉଁ କମିଟି ଗଠନ ଓ ନିଷ୍ପତ୍ତି ନିର୍ମାଣ ହୋଇଥିଲା ତାହା ପ୍ରଦ୍ୟୁମ୍ନ ଶତପଥିଙ୍କ ଅଭିସନ୍ଧିକୁ ପୂର୍ଣତଃ ସୁହାଇ ନ ଥିବା ହେତୁ ତାଙ୍କ ନିଜ ନିଷ୍ପତ୍ତି ଉପରେ ତଳିଆ ଅମଲାତନ୍ତ୍ରର “ସୁଚିନ୍ତିତ ମତ” ଲୋଡ଼ିବାକୁ ତାଙ୍କୁ ବାଧ୍ୟ କରାହୋଇଥିଲା ଓ ସେହି ଅପମାନ ସହିଯିବାକୁ ସେ ବାଧ୍ୟ ବି ହୋଇଥିଲେ । ଏପରି ପରିସ୍ଥିତିରେ ସାଲିସ ନକରି ଶାସନ ସଚିବ ବିଷ୍ଣୁପଦ ସେଠି କଣ ବା କରିଥାନ୍ତେ? ତେଣୁ ସେ ଲେଖିଲେ, “ସଦୟ ଆଦେଶ ନିମନ୍ତେ ପେଶ କରାଗଲା” (ପୂର୍ବୋଦ୍ଧୃତ୍ତ ଟିପ୍ପଣୀ ୧୩)।

ଯଥା ସଂଶୋଧିତ

ଅଣଓଡ଼ିଆ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବି. ବାଳକୃଷ୍ଣନ ତାଙ୍କ ଟିପ୍ପଣୀ (ଟିପ୍ପଣୀ ୧୪, ସେହି ଏକାଦିନ ସମୟ ସନ୍ଧ୍ୟା ୬ଟା ୨୫ ମିନିଟ ୩୬ ସେକେଣ୍ଡ)ରେ କେବଳ ୨ଟି ଶବ୍ଦ ଲେଖିଲେ – “ଯଥା ସଂଶୋଧିତ” । ଏହି ଦୁଇଟି ଶବ୍ଦ ସ୍ପଷ୍ଟ କରିଦେଲା ଯେ, ସେ ସମଗ୍ର ନଥିଟି ଗଭୀର ଭାବେ ଅନୁଧ୍ୟାନ କରିଛନ୍ତି ଓ ମାନସୀ ଷଡଙ୍ଗୀଙ୍କ ଉପରେ ଜାରି ହୋଇଥିବା ୨୦୧୫ର ସରକାରୀ ଆଦେଶକୁ କବର ଦେବା ପାଇଁ ଯେତେ ସବୁ ଟିପ୍ପଣୀ-ପ୍ରତିଟିପ୍ପଣୀ , କମିଟି ନିଷ୍ପତ୍ତି-ପୁନର୍ନିଷ୍ପତ୍ତି ହୋଇ ୧୨ ନମ୍ବର ଟିପ୍ପଣୀରେ ଚୁଡାନ୍ତ ସଂଶୋଧନ ହୋଇଛି, ସେ ସବୁ ହିଁ ଏହି ଅଣଓଡ଼ିଆ ଆଇ.ଏ.ଏସ୍. ଅଫିସରଙ୍କ ନିର୍ଦ୍ଦେଶରେ ହୋଇଛି, ଯେହେତୁ ଓଡ଼ିଆ ଭାଷାକୁ ଓଡ଼ିଶାର ସରକାରୀ ଭାଷା ଭାବେ ଅଲଙ୍ଘ୍ୟ କରାଯିବା ଦାବି ଏହି ଅଣଓଡ଼ିଆମାନଙ୍କ ପକ୍ଷେ ଅସହ୍ୟ ଓ ଏହି ଦାବିକୁ ଛୁରା ମାରିବା ପାଇଁ ପ୍ରଦ୍ୟୁମ୍ନ ଶତପଥୀ ପଦକ୍ଷେପ ନେଇଥିବା ସେ ଜାଣନ୍ତି । ଏହା ଯଦି ମିଥ୍ୟା ହୋଇଥାନ୍ତା , ସେ କେବେ ବି ଲେଖିନଥାନ୍ତେ “ଯଥା ସଂଶୋଧିତ” । ଅତଏବ ସେତେବେଳେ ଉଚ୍ଚ ଶିକ୍ଷା ସଚିବ ଥିବା ଅଣଓଡ଼ିଆ ଆଇ.ଏ.ଏସ୍. ଅଫିସର ଜି. ଭି. ଭି. ଶର୍ମା ଭାଷା ଆନ୍ଦୋଳନକୁ ଛୁରି ମାରିବା ସର୍ତ୍ତରେ ପ୍ରଦ୍ୟୁମ୍ନ ଶତପଥିଙ୍କ ପତ୍ନୀଙ୍କ ପରିତ୍ୟକ୍ତ ଓ ସେହେତୁ କାର୍ଯ୍ୟତଃ ରଦ୍ଦ ହୋଇସାରିଥିବା ପଦରେ ତାଙ୍କୁ ପୁନଃ ମୁକରିର କରିବା ପାଇଁ ଯେଉଁ କୂଟକୌଶଳ ଆରମ୍ଭ କରିଥିଲେ , ସେହି ବିଭାଗ ଦାୟିତ୍ଵରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିବା ଆଉ ଜଣେ ଅଣଓଡ଼ିଆ ଆଇ.ଏ.ଏସ୍. ଅଫିସର ବି. ବାଳକୃଷ୍ଣନ ତାକୁ ପ୍ରଶାସନିକ ସହଯୋଗୀତାର ଶେଷ ପର୍ଯ୍ୟାୟରେ ପହଞ୍ଚାଇଲେ ୧୨.୭.୨୦୧୮ ତାରିଖର ସନ୍ଧ୍ୟା ୬ଟା ୨୫ ମିନିଟ ୩୬ ସେକେଣ୍ଡରେ ୧୪ ନମ୍ବର ଟିପ୍ପଣୀରେ ।

ଯଥା ପ୍ରସ୍ତାବିତ

ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଜଣେ ପୂର୍ବତନ ସରକାରୀ କର୍ମଚାରୀ । ସେ ୧୨.୭.୨୦୧୮ ସନ୍ଧ୍ୟାରେ ନଥିଟି ପାଇଥିଲେ ମଧ୍ୟ ତାହାକୁ ମଞ୍ଜୁର କରିବା ପୂର୍ବରୁ ଅର୍ଥ ବିଭାଗର ମତ ନିଆଯିବା ଦରକାର କି ନାହିଁ ତହିଁ ଉପରେ ଭାଳିହେଲେ । ୧୬ ତାରିଖ ହୋଇଗଲା । ସେଦିନ ଯଦି ସେ ନଥିଟିରେ ସ୍ଵାକ୍ଷର ନ କରନ୍ତି, ତେବେ କଳାପତାକା ଅଭିଯାନ ଆରମ୍ଭ ହୋଇଯିବ ଓ ଆରମ୍ଭ ହୋଇଗଲା ପରେ ସେ ତାକୁ ଅଟକାଇବା ସମ୍ଭବ ହେବ ନହିଁ ବୋଲି ପ୍ରଦ୍ୟୁମ୍ନ ବାବୁ ୩ୟ ମହଲାକୁ ଅବଗତ କରାଇଲେ । ୩ୟ ମହଲା ଚାପରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଅନନ୍ତବାବୁଙ୍କୁ ତାଙ୍କ ବିଭାଗ ସମ୍ପର୍କରେ ଅଭୟ ବାଣୀ ଶୁଣାଇବାରୁ ସେ ତହିଁରେ ୧୬.୭.୨୦୧୮ ଦିନ ୨ତା ୧୧ ମିନିଟ ୬ ସେକେଣ୍ଡରେ ଲେଖିଲେ, “ଯଥା ପ୍ରସ୍ତାବିତ” ।

ପଞ୍ଜୁରୀ ଭିତରର ଶୁଆ

ତଳୁ ଯାହା ପ୍ରସ୍ତାବ ଆସିଲା ତାହା ଯଦି ବାସ୍ତବ କ୍ଷେତ୍ରରେ ଉପରୁ ଆସି ନଥାନ୍ତା, ତେବେ ସରକାରୀ ଚାକିରିରେ ଅଭିଜ୍ଞାତା ଥିବା ମନ୍ତ୍ରୀ ଅନନ୍ତ ଦାସ କେବେ ବି ଲେଖିନଥାନ୍ତେ “ଯଥା ପ୍ରସ୍ତାବିତ”। ସେ ପ୍ରସ୍ତାବଟିକୁ ନିଶ୍ଚୟ ଅନୁଧ୍ୟାନ କରିଥାନ୍ତେ, ୨୦୧୫ର ସରକାରୀ ଆଦେଶ ସହ ମିଳାଇ ତର୍ଜମା କରିଥାନ୍ତେ, ଏପରି ଆଦେଶ ରାଜ୍ୟ ରାଜକୋଷ ଉପରେ ପ୍ରବଳ ଚାପ ପକାଇବା ସୁନିଶ୍ଚିତ ଥିବା ହେତୁ ଅର୍ଥ ବିଭାଗର ମନ୍ତ୍ରୀଙ୍କ ବାଚନିକ ପ୍ରତିଶ୍ରୁତିରେ ନ ଫସି ସେହି ବିଭାଗର ମତ ଲୋଡ଼ିଥାନ୍ତେ ଏବଂ ତାହା ମିଳିଲା ପରେ, ଯେହେତୁ “ଓଡ଼ିଶା ଶିକ୍ଷା (ସରକାରୀ ସାହାଯ୍ୟପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଓ ଚାକିରି ସର୍ତ୍ତ) ନିୟମାବଳୀ, ୧୯୭୪ର ନିୟମ ୨୨” ପ୍ରୟୋଗ ପାଇଁ ରାଜ୍ୟ ସରକାର ୨୨.୬.୨୦୧୫ରେ ଜାରି କରିଥିବା ଆଦେଶ ଏହି ନୂତନ ପ୍ରସ୍ତାବ ଦ୍ଵାରା ଆକ୍ରାନ୍ତ ହେବାର ଥିଲା ସେହେତୁ ତହିଁ ଉପରେ ବିଧି ବିଭାଗର ମତ ମଧ୍ୟ ଲୋଡ଼ିଥାନ୍ତେ । କିନ୍ତୁ ଏପରି କୌଣସି ପଦକ୍ଷେପ ନ ନେଇ ( ଯାହା ନିଆଯିବା ଅପରିହାର୍ଯ୍ୟ ବୋଲି ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଭାବେ ତାଙ୍କୁ ଜଣା ଥିଲା) ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଏହି ବେଆଇନ ପ୍ରସ୍ତାବକୁ ଅନୁମୋଦନ ଦେବାକୁ ବାଧ୍ୟ ହୋଇଥିଲେ । ଏ କ୍ଷେତ୍ରରେ ତାଙ୍କ ଆଚରଣ ପଞ୍ଜୁରୀ ଭିତରର ଶୁଆ ସଦୃଶ ଥିଲା ବୋଲି କୁହାଯାଇ ପାରେ ।

ଯଦି ଏହି ପ୍ରସଙ୍ଗ କେବେ କୌଣସି ଅଦାଲତର ସମ୍ମୁଖକୁ ଆସେ , ତେବେ ଧରାପଡ଼ିଯିବ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସୁପାରିଶ “ଯଥା ସଂଶୋଧିତ” ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଆଦେଶ “ଯଥା ପ୍ରସ୍ତାବିତ” ଭିତରେ ଲୁକ୍କାୟିତ ହୋଇରହିଥିବା ପ୍ରଶାସନିକ ଅସାଧୁତାର ଜଘନ୍ୟ ରୂପ ।

ଓଡ଼ିଶା ପ୍ରଦେଶର ବାସିନ୍ଦାମାନଙ୍କୁ ସେମାନଙ୍କ ଭାଷା ଅଧିକାରରୁ ବଞ୍ଚିତ କରି ରଖିବାକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ତାଙ୍କ ଉପରେ ପ୍ରଭାବ ବିସ୍ତାର କରିଥିବା ପଲେ ଅଣଓଡ଼ିଆ ଆଇ.ଏ.ଏସ୍. ଅଫିସର ଯେଉଁ ଷଡଯନ୍ତ୍ର କରିଛନ୍ତି , ତାହାର ସ୍ୱରୂପ ଲୁଚି ରହିଛି ଏହି ଦୁଇଟି ଶବ୍ଦପୁଞ୍ଜରେ ।

ଭିତିରି ବ୍ୟାକୁଳତା

ମନ୍ତ୍ରୀଙ୍କ ଆଚରଣ ପ୍ରଶାସନିକ ସାଧୁତାର ପରିପନ୍ଥୀ ହୋଇଥିଲେ ମଧ୍ୟ, ସେ ସ୍ଵାକ୍ଷର କରିସାରିଲା ପରେ ନଥିଟି ନିୟମତଃ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବାଟ ଦେଇ ଶାସନ ସଚିବଙ୍କ ପାଖକୁ ଆସିବା କଥା । ମାତ୍ର ଭିତିରି ବ୍ୟାକୁଳତା (shenanigans) ଏତେ ପ୍ରଖର ଥିଲା ଯେ, ତାହା ସିଧା ସଳଖ ଆସିଲା ଶାସନ ସଚିବଙ୍କ ପାଖକୁ ଓ ସେ ସନ୍ଧ୍ୟା ୫ଟା ୫୪ ମିନିଟ ୩୯ ସେକେଣ୍ଡରେ ଶ୍ରୀମତୀ ପ୍ରଦ୍ୟୁମ୍ନ ଶତପଥିଙ୍କ ନିଯୁକ୍ତିନାମାର ଚିଠା ପ୍ରସ୍ତୁତ କରିବାକୁ ଅତିରିକ୍ତ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଲେ । ସେଦିନ କଳାପତାକା ଅଭିଯାନରେ ଅଂଶ ଗ୍ରହଣ ନ କରି, ମୁଖ୍ୟମନ୍ତ୍ରୀଙ୍କ ସହ ଭିତିରି ଚୁକ୍ତି ମୁତାବକ ସନ୍ଧ୍ୟା ୭ଟାରେ ଆଉ ୬ ଜଣ ପୋଷାମନା ଲୋକଙ୍କୁ ଧରି ପ୍ରଦ୍ୟୁମ୍ନ ଶତପଥି ଗଣମାଧ୍ୟମରେ ସମ୍ପୂର୍ଣ ଅନଧିକୃତ ଭାବେ ଘୋଷଣା କଲେ, “ଭାଷା ଆଂଦୋଳନର ନିଷ୍ପତ୍ତି କ୍ରମେ କଳାପତାକା ଅଭିଯାନ ସ୍ଥଗିତ ରହିଲା” ଏବଂ ପରେ ପରେ ଉତ୍ତରଦାୟିତ୍ଵ ନଥିବା ସାମାଜିକ ଗଣମାଧ୍ୟମରେ ମୋ ଉପରେ ଅତି ଗର୍ହିତ ଶବ୍ଦ ପ୍ରୟୋଗ ଚାଲିଲା ଓ ଶତପଥୀ ଭାଷା ବ୍ୟାପାରରେ ସରକାରଙ୍କ ମୁଖପାତ୍ର ପରି କାମ କଲେ । ଏ ସବୁ କଥା ସତ କି ମିଛ ମୁଖ୍ୟମନ୍ତ୍ରୀ କହନ୍ତୁ । (କ୍ରମଶଃ)

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଭାଷା ଆଇନ ସଂଶୋଧନରେ ମୁଖ୍ୟମନ୍ତ୍ରୀଙ୍କ ଦୃଶ୍ୟମାନ ଜାଲିଆତି ବିରୁଦ୍ଧରେ ବିଧାନସଭା ତଥା ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟିକରିବାକୁ ୧.୭.୨୦୧୮ରୁ କଳାପତାକା ଅଭିଯାନ ପୁନଃ ଆରମ୍ଭ ହେବ ବୋଲି ଆମେ ଘୋଷଣା କରିଥିଲୁ । କିନ୍ତୁ ଆମ ଆନ୍ଦୋଳନକୁ ଭାଙ୍ଗି ପତ୍ନୀଙ୍କ ଚାକିରି ପକ୍କା କରିବାକୁ ଭିତରେ ଭିତରେ ସରକାରଙ୍କ ସହ ହାତ ମିଳାଇଥିବା ପ୍ରଦ୍ୟୁମ୍ନ ଶତପଥୀ ଦେଖିଲେ, ତାଙ୍କ ପତ୍ନୀଙ୍କ ସପକ୍ଷରେ ଆରମ୍ଭ ହୋଇଥିବା ନଥି କାମ ୨୫.୬.୨୦୧୮ ତାରିଖରୁ ଚାପ ପ୍ରୟୋଗ ସତ୍ତ୍ୱେ ଆଉ ଆଗେଇ ନାହିଁ । ତେଣୁ ତାଙ୍କ ଗୁପ୍ତ ଅଭିସନ୍ଧି କାର୍ଯ୍ୟକାରୀ ହେବା ପାଇଁ ସରକାରଙ୍କୁ ଆଉ ଦି ସପ୍ତାହ ସମୟ ଦେବା ମତଲବରେ ୧.୭.୨୦୧୮ ତାରିଖରେ ଆରମ୍ଭ ନ କରି ୧୬.୭.୨୦୧୮ ପର୍ଯ୍ୟନ୍ତ କଳାପତାକା ଅଭିଯାନକୁ ସ୍ଥଗିତ ରଖିବାକୁ ସେ କିପରି ଆମକୁ ପ୍ରଭାବିତ କରିଥିଲେ , ତାହା ଏଥିପୂର୍ବରୁ ମୁଁ କହିସାରିଛି । କିନ୍ତୁ ଆମେ ଯେ ଏହି ତାରିଖରୁ କଳା ପତାକା ଅଭିଯାନ ପୁନଃ ଚାଲିବ ବୋଲି ମୁଖ୍ୟ ଶାସନ ସଚିବଙ୍କୁ କୌଣସି ଆବଶ୍ୟକତା ନ ଥାଇ ୨.୭.୨୦୧୮ ତାରିଖରେ ଏକ ଚରମ ପତ୍ର ଦେଲୁ , ତାହା ଦେଇଥିଲୁ କାହିଁକି? କାହିଁକି ପ୍ରଦ୍ୟୁମ୍ନ ଶତପଥୀ ଯିଦ କରିଥିଲେ ଏପରି ଏକ ଚରମ ପତ୍ର ଦେବାକୁ, ଯଦିଓ ଆମ ମୂଳ ଚରମ ପତ୍ର କାଏମ ଥିଲା ଓ କଳାପତାକା ଅଭିଯାନ ପ୍ରତ୍ୟାହୃତ ହୋଇନଥିଲା?

ବୁଢିଆଣୀ ଅବତାର

ନଥି ବିଶ୍ଳେଷଣରୁ ମୁଁ ଏବେ ଅନୁଭବ କରୁଛି କି, ତାଙ୍କ ପତ୍ନୀଙ୍କ ନିଯୁକ୍ତି ନଥିଟି ଚାପ ପ୍ରୟୋଗ ସତ୍ତ୍ୱେ ୨୫.୬.୨୦୧୮ ତାରିଖରୁ ଯେହେତୁ ନାଲିଫିତା କବଳରେ ପଡ଼ି ରହିଥିଲା, ସେହେତୁ ସରକାରଙ୍କ ଉଚ୍ଚସ୍ତରକୁ ପୁନଶ୍ଚ ଚମକାଇ ୧୬.୭.୨୦୧୮ ସୁଦ୍ଧା ନିଯୁକ୍ତି ଆଦେଶ ପକ୍କା କରିବାକୁ ଚରମ ଚାପ ପ୍ରୟୋଗ ସକାଶେ ସେ ଏଇ ଚରମ ପତ୍ରର ପରିକଳ୍ପନା କରିଥିଲେ । ଏହା ଅନୁଧ୍ୟାନ କରି ମୋର ହୃଦ୍ ବୋଧ ହୋଇଛି ଯେ, ଜାଲ ବିଛାଇବାରେ ପ୍ରଦ୍ୟୁମ୍ନ ଶତପଥୀ ବୁଢିଆଣୀ ପରି ପାରଙ୍ଗମ ।

ଯଦି ଆମେ ଏହି ଚରମ ପତ୍ର ନ ଦେଇଥାନ୍ତୁ , ଅନୁଶାସନସଚିବ ସୂର୍ଯ୍ୟ ନାରାୟଣ ମହାପାତ୍ର ‘ସାତ ଖୁନ୍ ମାଫ୍’ ଶକ୍ତି ନେଇ ନଥି ଭିତରକୁ ପଶିପାରି ନଥାନ୍ତେ କି ସରକାରୀ ଆଦେଶକୁ ଖତମ୍ କରିଦେବା ପାଇଁ ଗାଲୁକଳ୍ପ ପ୍ରୟୋଗ କରିପାରିନଥାନ୍ତେ ।

ଗାଲୁକଳ୍ପ

ଏହି ଗାଲୁକଳ୍ପର ୪ ଗୋଟି ଉପାଦାନ ତୁରନ୍ତ ଆଖିରେ ପଡ଼େ । ଯଥା:-
(୧) କମିଟି ନିଷ୍ପତ୍ତି (୨୨.୬.୨୦୧୮) ଉପରେ “ସୁଚିନ୍ତିତ ମତ” ରଖିବାକୁ ନଥିପ୍ରବେଶ କରି ତାହା ପ୍ରତି ଭ୍ରୂକ୍ଷେପ ନ କରି ସରକାରୀ ଆଦେଶ (୨୨.୬.୨୦୧୫) ଉପରେ ଅନଧିକୃତ ଆକ୍ରମଣ ଓ ତହିଁର ନିପାତିକରଣ;
(୨) ଶ୍ରୀମତୀ ଷଡଙ୍ଗୀ ତାଙ୍କ କାମ କରୁନାହାନ୍ତି (she is not performing her duties) ବୋଲି ସରକାରୀ ସିଦ୍ଧାନ୍ତ ସ୍ଥାନରେ , ବିନା ଦୋଷରେ ତାଙ୍କୁ ନିକମା କରି ରଖା ହୋଇଛି (for none of her faults she is kept out of service) ବୋଲି କର୍ତ୍ତୃପକ୍ଷଙ୍କ ଉପରେ ଦୋଷାରୋପଣ ;
(୩) ସତ୍ୟପାଠ ଜଞ୍ଜାଳରୁ ମୁକ୍ତିଦେଇ ଶ୍ରୀମତୀ ଷଡଙ୍ଗୀଙ୍କୁ କାର୍ଯ୍ୟତଃ ରଦ୍ଦ ହୋଇଥିବା ପଦବୀରେ ନିସର୍ତ୍ତ ଯୋଗଦାନର ଭିତ୍ତି ଯୋଗାଣ ; ଓ
(୪) ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ , ତାଙ୍କ ଅନୁପସ୍ଥିତି କାଳ ଚାକିରି କାଳରୁ ଉଚ୍ଛେଦ ନ ହୋଇ ନିୟମିତ ହେବା ସକାଶେ ପନ୍ଥାନୁସନ୍ଧାନ କରିବାକୁ ମତ ପ୍ରଦାନ ।
କଳାପତାକା ଅଭିଯାନର ସ୍ଥଗିତ ସ୍ଥିତି ସରିବା ପାଇଁ ଆଉ ମାତ୍ର ଚାରିଦିନ ବାକିଥାଇ, ୧୧.୭.୨୦୧୮ ତାରିଖରେ କର୍ମ ଦିବସ ସରିବା ପରେ, ଘଣ୍ଟାଏ ଆଠ ମିନିଟରୁ ଅଧିକ କାଳ ଅଫିସରେ ଅଟକି ରହି, ଅନୁଶାସନସଚିବ ଏହି ଯେଉଁ ଗାଲୁକଳ୍ପ ତିଆରି କଲେ, ତାହା ଶାସନ କଳକୁ ଚାତକକୁ ବର୍ଷା ଜଳ ପରି ଲାଗିଲା । ତା ନ ହୋଇଥିଲେ, ସରକାରୀ ଆଦେଶ ଉପରେ ଅନଧିକୃତ ଅନୁପ୍ରବେଶ ପାଇଁ ମହାପାତ୍ରଙ୍କ “ସୁଚିନ୍ତିତ ମତ”କୁ ତତ୍କାଳ ପ୍ରତ୍ୟାଖ୍ୟାନ କରାହୋଇଥାନ୍ତା ଓ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇପାରିଥାନ୍ତା ।

ତଥାପି ଏହାକୁ ଉପରକୁ ପଠାଇଲା ବେଳେ , ମହାପାତ୍ରଙ୍କ ଗାଲୁକଳ୍ପକୁ ପୂର୍ଣତଃ ସମର୍ଥନ କରିବାକୁ ଅତିରିକ୍ତ ଶାସନ ସଚିବ କୃପାସିନ୍ଧୁ ମିଶ୍ର ସାହସ କଲେ ନାହିଁ । ସେ ଯାହା ଲେଖିଲେ, ତାହାକୁ ମହାପାତ୍ରଙ୍କ ସୁପାରିଶ ସହ ମିଳାଇ ଦେଖିଲେ ଏ ଗାଲୁକଳ୍ପର ସ୍ୱରୂପ ଅଧିକ ସ୍ପଷ୍ଟ ହେବ ।

ମହାପାତ୍ରଙ୍କ ସୁପାରିଶ

1. She may be allowed to report her joining in the Directorate of Higher Education at the immediate effect which would be accepted by the Director, Higher Education. (ସେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ଅବିଳମ୍ବେ ଯୋଗଦାନ ପତ୍ର ଦାଖଲ କଲେ ତାହା ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଦ୍ଵାରା ଗୃହୀତ ହେବ ।)
2. The Director, Higher Education after looking to vacancy in any other identical College may post her to perform her duties. (ଅନ୍ୟ କୌଣସି ସମତୁଲ କଲେଜରେ ଶୂନ୍ୟ ସ୍ଥାନ ଠାବ କରି ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ସେଠାରେ କାମ କରିବାକୁ ତାଙ୍କୁ ଅବସ୍ଥାପିତ କରିବେ ।)
3. The intervening period from the date she was kept out of service from 02.07.2008 till she joins in the Directorate shall be decided for counting the same towards regular service later on after making due inquiry. (ତାଙ୍କୁ ନିକମା କରି ରଖା ଯାଇଥିବା ୦୨.୦୭.୨୦୦୮ ତାରିଖରୁ ସେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ଯୋଗ ଦେବା ପର୍ଯ୍ୟନ୍ତ ପରିବ୍ୟାପ୍ତ ସମୟକୁ ତାଙ୍କ ଚାକିରି କାଳରେ  ମିଶାଇ ନିୟମିତ କରିବା ଉଦ୍ଦେଶ୍ୟରେ ପନ୍ଥାନୁସନ୍ଧାନ କରି ନିଷ୍ପତ୍ତି ନିଆ ହେବ )

ମିଶ୍ରଙ୍କ ଅଭିମତ

1. Smt. Sadangi may be allowed to report her joining in the Directorate of Higher Education with immediate effect producing medical certificate of fitness obtained from competent authority which would be accepted by the Director, Higher Education. (ଶ୍ରୀମତୀ ଷଡଙ୍ଗୀ କ୍ଷମତାପନ୍ନ ଅଧିକାରୀଙ୍କ ଠାରୁ ସୁସ୍ଥତା ପ୍ରମାଣପତ୍ର ସହ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ଅବିଳମ୍ବେ ଯୋଗଦାନ ପତ୍ର ଦାଖଲ କଲେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ତାହା ଗ୍ରହଣ କରିବେ ।)
2. The Director, Higher Education after looking to vacancy in any other identical college may post her to perform her duties. (ଅନ୍ୟ କୌଣସି ସମତୁଲ କଲେଜରେ ଶୂନ୍ୟ ସ୍ଥାନ ଠାବ କରି ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ସେଠାରେ କାମ କରିବାକୁ ତାଙ୍କୁ ଅବସ୍ଥାପିତ କରିବେ ।)
3. The intervening period from the date she was kept out of service from 02.07.2008 till she joins in the Directorate shall be decided after due enquiry made at the level of Directorate. (ତାଙ୍କୁ ନିକମା କରି ରଖା ଯାଇଥିବା ୦୨.୦୭.୨୦୦୮ ତାରିଖରୁ ସେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ଯୋଗ ଦେବା ପର୍ଯ୍ୟନ୍ତ ପରିବ୍ୟାପ୍ତ ସମୟକୁ କିପରି ଗ୍ରହଣ କରାଯିବ ତାହା ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ତଦନ୍ତ ରିପୋର୍ଟ ପାଇଲା ପରେ ଧାର୍ଯ୍ୟ ହେବ ।)

ଦଫାୱାରୀ ତୁଳନା

ଏବେ ଆମେ ଏହି ଉଭୟର ଏକ ତୁଳନାତ୍ମକ ଅଧ୍ୟୟନ କରିବା ।

୧. ମହାପାତ୍ର:  “ସେ (ଶ୍ରୀମତୀ ଷଡଙ୍ଗୀ) ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ଅବିଳମ୍ବେ ଯୋଗଦାନ ପତ୍ର ଦାଖଲ କଲେ ତାହା ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଦ୍ଵାରା ଗୃହୀତ ହେବ” ।
ମିଶ୍ର:  “ଶ୍ରୀମତୀ ଷଡଙ୍ଗୀ କ୍ଷମତାପନ୍ନ ଅଧିକାରୀଙ୍କ ଠାରୁ ସୁସ୍ଥତା ପ୍ରମାଣପତ୍ର ସହ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ଅବିଳମ୍ବେ ଯୋଗଦାନ ପତ୍ର ଦାଖଲ କଲେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ତାହା ଗ୍ରହଣ କରିବେ” ।
ନିଷ୍କର୍ଷ:  ଶ୍ରୀମତୀ ଷଡଙ୍ଗୀଙ୍କ ନିସର୍ତ୍ତ ଯୋଗଦାନ ପାଇଁ ମହାପାତ୍ରଙ୍କ ସୁପାରିଶ ଦୋଷାକ୍ରାନ୍ତ ଥିବାରୁ ମିଶ୍ର ତହିଁରେ କ୍ଷମତାପନ୍ନ ଅଧିକାରୀଙ୍କ ପ୍ରଦତ୍ତ ସୁସ୍ଥତା ପ୍ରମାଣପତ୍ର ସଂଲଗ୍ନ କରାଯିବାର ସର୍ତ୍ତ ସନ୍ନିହିତ କରିଛନ୍ତି ।

୨. ମହାପାତ୍ର:  “ଅନ୍ୟ କୌଣସି ସମତୁଲ କଲେଜରେ ଶୂନ୍ୟ ସ୍ଥାନ ଠାବ କରି ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ସେଠାରେ କାମ କରିବାକୁ ତାଙ୍କୁ ଅବସ୍ଥାପିତ କରିବେ” ।
ମିଶ୍ର:  “ଅନ୍ୟ କୌଣସି ସମତୁଲ କଲେଜରେ ଶୂନ୍ୟ ସ୍ଥାନ ଠାବ କରି ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ସେଠାରେ କାମ କରିବାକୁ ତାଙ୍କୁ ଅବସ୍ଥାପିତ କରିବେ” ।
ନିଷ୍କର୍ଷ:  ଆଇନର ସୀମା ସରହଦ ଭୁଲି ଏ ଉଭୟେ ସମାନ ଅନଧିକୃତ ଓ ଅବୈଧ ମତ ଦେଇ ସରକାରଙ୍କୁ ବିଭ୍ରାନ୍ତ କରିଛନ୍ତି ବା ଶାସନର ସର୍ବୋଚ୍ଚସ୍ତରର ନେପଥ୍ୟ ନିର୍ଦ୍ଦେଶରେ ଏପରି କରିଛନ୍ତି । ଏ ସମ୍ପର୍କରେ ପରେ ଆମେ ଆଲୋଚନା କରିବା ।

୩. ମହାପାତ୍ର:  “ତାଙ୍କୁ ନିକମା କରି ରଖା ଯାଇଥିବା ୦୨.୦୭.୨୦୦୮ ତାରିଖରୁ ସେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ଯୋଗ ଦେବା ପର୍ଯ୍ୟନ୍ତ ପରିବ୍ୟାପ୍ତ ସମୟକୁ ତାଙ୍କ ଚାକିରି କାଳରେ  ମିଶାଇ ନିୟମିତ କରିବା ଉଦ୍ଦେଶ୍ୟରେ ପନ୍ଥାନୁସନ୍ଧାନ କରି ନିଷ୍ପତ୍ତି ନିଆ ହେବ”  ।
ମିଶ୍ର:  “ତାଙ୍କୁ ନିକମା କରି ରଖା ଯାଇଥିବା ୦୨.୦୭.୨୦୦୮ ତାରିଖରୁ ସେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ଯୋଗଦେବା ପର୍ଯ୍ୟନ୍ତ ପରିବ୍ୟାପ୍ତ ସମୟକୁ କିପରି ଗ୍ରହଣକରାଯିବ ତାହା ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ତଦନ୍ତ ରିପୋର୍ଟ ପାଇଲାପରେ ଧାର୍ଯ୍ୟ ହେବ”।
ନିଷ୍କର୍ଷ:  ମହାପାତ୍ର ତଦନ୍ତର ସ୍ଵାଧୀନତା ବାରଣ କରି କେବଳ ଶ୍ରୀମତୀ ଷଡଙ୍ଗୀଙ୍କ ଅନୁପସ୍ଥିତି ସମୟ ସହ ତାଙ୍କ ଚାକିରି କାଳ ନିୟମିତ କରିବାକୁ ପନ୍ଥାନୁସନ୍ଧାନ ହେବ ବୋଲି କହିଥିବା ବେଳେ , ମିଶ୍ର ତହିଁରେ ରାଜି ହୋଇ ନାହାନ୍ତି । ସେ କହିଛନ୍ତି ଯେ, ଷଡଙ୍ଗୀଙ୍କ ଅନୁପସ୍ଥିତି କାଳ ତାଙ୍କ ଚାକିରି କାଳ ଭାବେ ଗଣା ହେବ କି ସରକାରୀ ଆଦେଶ ଅନୁରୂପେ ନିଯୁକ୍ତି ରଦ୍ଦିକରଣ (breakage of service) ଭାବେ ଗୃହୀତ ହେବ, ତାହା ନିର୍ଭର କରିବ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ତଦନ୍ତ ରିପୋର୍ଟ ଉପରେ । କିନ୍ତୁ ଏହା କେବଳ ଧର୍ମକୁ ଆଖିଠାର । କାରଣ ମିଶ୍ରେ ମହାପାତ୍ରଙ୍କ ଗାଲୁକଳ୍ପର ୧ମ ଉପାଦାନ ଆପଣାଇ, ଶ୍ରୀମତୀ ଷଡଙ୍ଗୀଙ୍କୁ “କାମ କରୁନଥିବା” ଅଭିଯୋଗରୁ ମୁକ୍ତ କରିବା ପାଇଁ ତାଙ୍କୁ “କାମରୁ ଦୂରେଇ ରଖାଯାଇଥିବା” କଥା ଯେ କହିଛନ୍ତି, ତାର ଉଦ୍ଦେଶ୍ୟ ହେଲା, ତାଙ୍କୁ ନିର୍ଦ୍ଦୋଷ ଦେଖାଇବା ଓ ସେହେତୁ ତାଙ୍କ ଅନୁପସ୍ଥିତି ତାଙ୍କ ଦୋଷ ନୁହେଁ ବୋଲି କହି ସେହି କାଳକୁ ତାଙ୍କ ଚାକିରି କାଳରେ ଗଣା କରାଇବୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଠାରୁ ଏକ ଅନୁକୂଳ ତଦନ୍ତ ରିପୋର୍ଟ ଉଦ୍ଗତ କରାଇବା । ଏହା ହୋଇପାରିଥିଲେ ପିଛିଲା ଦରମା ବାବଦକୁ ଓଡ଼ିଶା ରାଜକୋଷରୁ ଶ୍ରୀମତୀ ପ୍ରଦ୍ୟୁମ୍ନ ଶତପଥୀ ପାଇଥାନ୍ତେ ପ୍ରାୟ ଦେଢ କୋଟି ଟଙ୍କା ।

ଦାନାର ତୋବଡ଼ା

ଅତିରିକ୍ତ ଶାସନ ସଚିବ କୃପାସିନ୍ଧୁ ମିଶ୍ର ତାଙ୍କ ଉପରୋକ୍ତ ସୁପାରିଶକୁ ସରକାରଙ୍କ ଅନୁମୋଦନ ପାଇଁ ପଠାଇଲେ ୧୨.୭.୨୦୧୮ ଦିପହର ୧୨ଟାରେ । ସେ ଦିନ ଅପରାହ୍ନ ୩ଟା ୧୭ ମିନିଟରେ ଶାସନ ସଚିବ ବିଷ୍ଣୁପଦ ସେଠୀ ଏହା ଉପରେ କୌଣସି ମତ ନ ଦେଇ ଉଚ୍ଚ କର୍ତ୍ତୁପକ୍ଷଙ୍କ ଆଦେଶ ପାଇଁ ନଥିଟି ଦେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍. ବାଳକୃଷ୍ଣନଙ୍କୁ ଏବଂ “ଯଥା ସଂଶୋଧିତ” ବୋଲି ଲେଖି ସେ ସେଦିନ ସନ୍ଧ୍ୟା ୬ଟା ୨୫ ମିନିଟ୍ ୩୬ ସେକଣ୍ଡରେ ତାହାକୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କ ପାଖକୁ ପଠାଇଲେ । ନଥିଟି ସେଇଠି ପଡ଼ିରହିଲା ୧୬.୭.୨୦୧୮ ଯାଏଁ । କାରଣ ଥିଲା, ପିଛିଲା ଦରମା ବାବଦରେ ଏପରି ବହୁ ପରିମାଣର ଟଙ୍କା ବ୍ୟୟର ଆଶଙ୍କା ଥିବା ଘଟଣାରେ ଅର୍ଥ ବିଭାଗ ବଳବତ୍ତର କରିଥିବା ପ୍ରତିବନ୍ଧକ । ତେଣୁ ନଥିଟିକୁ ଅର୍ଥ ବିଭାଗକୁ ପଠାଇବାକୁ ଅନନ୍ତ ଦାସଙ୍କ ଘରୋଇ ସଚିବ ତାଙ୍କୁ ଅନୌପଚାରିକ ପରାମର୍ଶ ଦେଇଥିଲେ । ଅର୍ଥ ବିଭାଗକୁ ନଥିଟି ଯାଇଥିଲେ ହୁଏତ ଗୋଳମାଳ ହୋଇଯାଇଥାନ୍ତା । ତେଣୁ ତାକୁ ସେଇଠି ଅଟକାଇ ରଖି ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରାଙ୍କ ସହ ଆଲୋଚନା ଚାଲିଲା । ୧୬ ତାରିଖ ହୋଇଗଲା । ସନ୍ଧ୍ୟା ୫ରେ କଳା ପତାକା । ତା ଆଗରୁ ଶ୍ରୀମତୀ ଷଡଙ୍ଗୀଙ୍କ ନଥିରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଦସ୍ତଖତ ନ କଲେ କଳାପତାକା ଅଭିଯାନ ଅଟକାଇ ହେବନି ବୋଲି ପ୍ରଦ୍ୟୁମ୍ନ ଶତପଥୀ ତୃତୀୟ ମହଲାକୁ ଜଣାଇଲେ । ଅର୍ଥମନ୍ତ୍ରୀଙ୍କୁ କୁହାଗଲା ସମସ୍ୟାର ଆଶୁ ସମାଧାନ ପାଇଁ । ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କୁ କହିଲେ : ଆପଣ ଦସ୍ତଖତ କରିଦିଅନ୍ତୁ ; ଅର୍ଥ ବିଭାଗ କଥା ମୁଁ ପରେ ବୁଝିବି । ଦିନ ୨ଟା ୧୧ ମିନିଟ ୬ ସେକେଣ୍ଡରେ ଅନନ୍ତ ବାବୁ ନଥିରେ ଲେଖିଲେ “ଯଥା ପ୍ରସ୍ତାବିତ” ।

କଳାପତାକା ଅଭିଯାନକୁ ନ ଆସି ପ୍ରଦ୍ୟୁମ୍ନ ଶତପଥୀ ସାଙ୍ଗରେ ଆଉ ତିନିଜଣ ବ୍ୟକ୍ତିଙ୍କୁ ଧରି ଶଶୀ ବେହେରାଙ୍କ ସଚିବାଳୟ ପ୍ରକୋଷ୍ଠକୁ ଗଲେ । ସେଠାରେ ଚତୁରେ ଚତୁର କୋଳାକୋଳି ହୋଇ ଜାଣିଗଲେ ଯେ, ଅନନ୍ତ ଦାସ ଦସ୍ତଖତ କରିସାରିଛନ୍ତି ଓ ନଥି ଫେରୁଛି ଶାସନ ସଚିବଙ୍କ ପାଖକୁ । ଶାସନ ସଚିବ ନଥିଟି ପାଇ ଅତିରିକ୍ତ ଶାସନ ସଚିବ କୃପାସିନ୍ଧୁ ମିଶ୍ରଙ୍କୁ ଶ୍ରୀମତୀ ଷଡଙ୍ଗୀଙ୍କ ଯୋଗଦାନ ପାଇଁ ଆଦେଶ ଚିଠା କରି ପଠାଇବାକୁ ସନ୍ଧ୍ୟା ୫ଟା ୫୪ ମିନିଟ ୩୯ ସେକେଣ୍ଡରେ ନିର୍ଦ୍ଦେଶ ଦେଲେ । ଚିଠା ପ୍ରସ୍ତୁତ କରିବାକୁ ଅନୁବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଅତିରିକ୍ତ ଶାସନ ସଚିବ ମିଶ୍ର ସନ୍ଧ୍ୟା ୬ଟା ୨୧ ମିନିଟ ୨୦ ସେକେଣ୍ଡରେ ।

ସର୍ତ୍ତ ଥିଲା, ପତ୍ନୀଙ୍କ ଚାକିରିରେ ଯୋଗଦାନ ପାଇଁ ଚିଠା ପ୍ରସ୍ତୁତି ସକାଶେ ସଚିବାଳୟରେ ଆଦେଶ ହେବ, ସଚିବାଳୟ ବାହାରେ ପ୍ରଦ୍ୟୁମ୍ନ ଶତପଥୀ ଭାଷା ଆଂଦୋଳନର ସଭାପତି ପଦବୀ ବ୍ୟବହାର କରି କଳାପତାକା ଅଭିଯାନ ବନ୍ଦ ରହିଲା ବୋଲି ଘୋଷଣା କରିବେ । ତେଣୁ ଶଶୀ ବେହେରାଙ୍କ ପାଖରୁ ଫେରି ମୋ ଅନୁପସ୍ଥିତିରେ ସେ ତାହା ଘୋଷଣା କରିଦେଲେ ସନ୍ଧ୍ୟା ୭ଟାରେ ; ଯେପରି “କୁଳ ଗୌରବ ବାରି ନ ପାରନ୍ତି ଆତୁରେ ସଫରିନୟନା”, ଠିକ୍ ସେହିପରି !

ଆନ୍ଦୋଳନ ମୁଁ ସ୍ଥାପନ କରିଥିଲି ଓ ତାହା ମୋ ଦାବି ସପକ୍ଷରେ ଚାଲିଥିଲା । ପ୍ରଦ୍ୟୁମ୍ନ ବାବୁ ମୋତେ ସାହାଯ୍ୟ କରୁଥିଲେ, ପ୍ରତିଦିନ କଳାପତାକା ଧାରଣ କରିବାକୁ ସାଥି ମେଳଉ ଥିଲେ । ସେ ଏପରି ଛୁରା ମାରିଦେବେ ନିଜର ଅର୍ଥଲୋଲୁପତା ପାଇଁ , ତାହା ମୁଁ କେବେ କଲ୍ପନା କରିନଥିଲି ।

କୁଳବୃଦ୍ଧ ମଧୁସୂଦନ କହିଯାଇଛନ୍ତି “ ଜାତି ନନ୍ଦିଘୋଷ ଚାଲିବ କି ଭାଇ ସ୍ଵାର୍ଥକୁ ସାରଥି କଲେ? ଟାଣେ କିରେ ଗାଡି ଦାନାର ତୋବଡା ଘୋଡା ମୁହିଁ ବନ୍ଧା ଥିଲେ ?” ଏହାଙ୍କ ମୁହଁରେ ଦାନାର ତୋବଡ଼ା ବାନ୍ଧିଦେଲେ ଭାଷା ଆନ୍ଦୋଳନ ଦ୍ଵାରା ଅଡୁଆରେ ପଡ଼ିଥିବା ମୁଖ୍ୟମନ୍ତ୍ରୀ । ଜାତି ନନ୍ଦିଘୋଷ ତୁଲ୍ୟ ଭାଷା ଆନ୍ଦୋଳନ ସେହି ୧୬.୭.୨୦୧୮ ସନ୍ଧ୍ୟାରେ ଅଚଳ ହୋଇ ପଡ଼ିଥିଲା। କିନ୍ତୁ ଓଡ଼ିଆ ଜାତି ଏମାନଙ୍କ ଦ୍ଵାରା ପ୍ରତାରିତ ନ ହେବାକୁ ନିଷ୍ପତ୍ତି କଲା । ଫଳରେ ଏ ଅଭିଯାନ ଆଜିଯାଏଁ ଚାଲିଛି । ଆମ ଇଂରାଜିଆ ମୁଖ୍ୟମନ୍ତ୍ରୀ ଏ ସବୁ କଥା ଜାଣିବା ପାଇଁ ମୁଁ orissamatters.comରେ ଇଂରାଜୀରେ ଲେଖିଛି । ତାଙ୍କ ଅନ୍ଧ ଅନୁଗାମୀମାନେ ଜାଣିବା ପାଇଁ ଏଠାରେ ଓଡ଼ିଆ ଭାଷାରେ ରଖିଲି । ମାନ୍ୟବର ଏହା ଉପରେ ଚାହିଁଲେ ସ୍ପଷ୍ଟୀକରଣ ଦେଇପାରନ୍ତି । (କ୍ରମଶଃ)