ଏୟାର୍ ଲିଫ୍ଟିଙ୍ଗ୍ ରେ ଚୈତନ


[ଉମାକାନ୍ତ ରାଉତ (ଅରୂପ) କେବଳ ସାମ୍ପ୍ରତିକ ଓଡ଼ିଶାର ଜଣେ ଯଶସ୍ଵୀ କବି ଓ ଗାଳ୍ପିକ ନୁହନ୍ତି, ସେ ମଧ୍ୟ ସୁବିଦିତ ଓଡ଼ିଆ ଜାତିର ଜଣେ ବିବେଳ ରକ୍ଷକ ଭାବେ  । କରୋନା କବଳିତ ଓଡ଼ିଶାର ଇଂରାଜୀ ଅପଢୁଆ ଓଡ଼ିଆଙ୍କୁ ଇଂରାଜୀରେ ଲିଖିତ କାରୋନା ନିୟମ ଉଲ୍ଲଂଘନ ଆଳରେ ଜେଲ ଜୋରିମନାର ଚକ୍ରବ୍ୟୁହରେ ପକାଉଥିବା ସରକାର ପୋଷାମନା ମେଡିଆ ସାହାଯ୍ୟରେ କିପରି ନିଜର ତ୍ରାଣକର୍ତ୍ତା ରୂପ ଜାରି କରିଚାଲିଛନ୍ତି ତାର ଏକ ଛାତିଛୁଆଁ  ଦୃଶ୍ୟପଟ ଆଙ୍କିଛନ୍ତି ଏହି ସାରସ୍ଵତ ବିପ୍ଳବୀ ]

ଦୁଇଦିନ ଗୁମସୁମ୍ ହୋଇ ବସିଲାପରେ ଏବେ ଟିକେ ରିଲାକ୍ସ ହେବାକୁ ତା’ ସେକେଣ୍ଡ୍ ହ୍ୟାଣ୍ଡ୍ ଟି.ଭି. ରିମୋର୍ଟ ଅନ୍ କଲା ଚୈତନ ।

ହେଲେ ରିଲାକ୍ସ୍ ହବ କ’ଣ ଟିଭିର ଲାଇଭ୍ ଟେଲିକାଷ୍ଟ ଓଲଟି ତା’ ଭିତରେ ଗଭୀର ପ୍ରତିକ୍ରିୟା ସୃଷ୍ଟି କଲା ।
ତାକୁ ଲାଗିଲା , ଯେମିତି ତା’ର ହୋସ୍ ଉଡିଯିବ !

ଚୈତନ କଥାଟା ଏଠି ପ୍ରସଙ୍ଗ ହୋଇଥିବାରୁ ଆପଣଙ୍କ ମନରେ ସ୍ୱତଃ ପ୍ରଶ୍ନ ଉଠୁଥିବ — ୟେ ଚୈତନ କିଏ ? ସିଏ କରେ କ’ଣ ?ତା’କଥା କୁହାହେଉଛି କାହିଁକି ? ତା ବିଷୟରେ ଜାଣି ଆମର ଲାଭ କ’ଣ ?……ଏମିତି କେତେ କ’ଣ ।ଉଠିବା ବି ସ୍ବାଭାବିକ । ତେଣୁ ଚୈତନ ସମ୍ପର୍କରେ ସଂକ୍ଷେପରେ ଆପଣମାନଙ୍କୁ ଜଣେଇ ନଦେଲେ ଏ ପ୍ରସଙ୍ଗକୁ ଆଗକୁ ବଢ଼େଇବା ଅପ୍ରାସଙ୍ଗିକ ହେବ ।

ଚୈତନ ଗୋଟେ ଥିଲାବାଲା ଘରର ପୁଅ ନୁହେଁ । କେଇ ଏକର ଚାଷଜମିକୁ ଛାଡ଼ିଦେଲେ କେଇଗୁଣ୍ଠ ଘରବାଡ଼ି ସମେତ କଚ୍ଚା ଘରଟି ହିଁ ତା’ର ସମ୍ବଳ ।ଅଭାବ ଅନାଟନ ଯୋଗୁଁ ଯେନତେନ ପ୍ରକାରେ ପ୍ଲସ୍ ଟୁ ପରେ ଗ୍ରାଜୁଏସନ୍ ପାଇଁ ଗାଆଁ ପାଖ କଲେଜରେ ନାଆଁ ଲେଖେଇଥିଲା ।ହେଲେ ପରୀକ୍ଷା ଫି ଦାଖଲ କରି ନପାରିବାରୁ ସେବର୍ଷ ପରୀକ୍ଷାରୁ ବଞ୍ଚିତ ହେଲା । ସେଇଠୁ ତା’ ପାଠପଢ଼ାରେ ଥୁକୁଲ୍ ପଡ଼ିଲା । ଏବେ ପରିବାର କହିଲେ ତା’ର ମାଆ ,ସିଏ , ତା’ର ସାତବର୍ଷର ପୁତୁରା ଆଉ ବିଧବା ଭାଉଜ ।

ଗଲା ଚାରିମାସ ଭିତରେ କରୋନାରେ ଆଗପଛ ହୋଇ ସେମାନଙ୍କଠୁଁ ବିଦାୟ ନେଇଛନ୍ତି ତା’ର ବାପା ଓ ଦେବତାସମ ବଡ଼ଭାଇ ।ସେ ଦାରୁଣ ଧକ୍କାର ଦାଉ ଏବେ ତିଳ ତିଳ କରି ଦହି ଚାଲିଛି ବଞ୍ଚିଯାଇଥିବା ଏଇ ଚାରି ସଦସ୍ୟଙ୍କୁ ।

ଟିଭିରୁ ଶୁଭୁଥିଲା –
ଏଇ ଏବେ ମାତ୍ର ଦୁଇ ମିନିଟ୍ ମଧ୍ୟରେ ‘ଆଶ୍ୱସ୍ତି ‘ ହସ୍ପିଟାଲରୁ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଗ୍ରୀନ୍ କୋରିଡୋର୍ କରାଯାଇ ଇଞ୍ଜିନିୟର ମୃତ୍ୟୁଞ୍ଜୟଙ୍କୁ ନିଆଯିବ ଏରୋଡ୍ରମ୍ କୁ ।ସେଠାରୁ ଏୟାର୍ ଲିଫ୍ଟ୍ କରାଯିବ ହାଇଦ୍ରାବାଦ୍ । ସମସ୍ତ ପ୍ରସ୍ତୁତି ସରିଛି । ସେଠାରୁ ବିଶେଷଜ୍ଞ ଦଳ ଆସି ସବୁକିଛି ଅନୁଧ୍ୟାନ ଓ ନିୟନ୍ତ୍ରଣ କରୁଛନ୍ତି ।

କେଇଦିନ ତଳେ କରୋନା ସଂକ୍ରମିତ ହୋଇ ଏହି ଇଞ୍ଜିନିୟର୍ ବାବୁ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କରୋନା ନେଗେଟିଭ ହେଲାପରେ ବି ସଂକ୍ରମଣଜନିତ ପ୍ରଭାବରୁ ତାଙ୍କ ଫୁସ୍ ଫୁସ୍ କ୍ରମେ ଅଚଳ ହେବାକୁ ଲାଗିଲା ।ରକ୍ତକଣିକା ମଧ୍ୟକୁ ଅମ୍ଳଜାନ ଛାଣି ହୋଇ ଯାଇପାରିଲା ନାହିଁ । ତେଣୁ ପରିବାର ଲୋକେ ତାଙ୍କୁ ‘ଆଶ୍ୱସ୍ତି ” ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
ସେଠାରେ ଅବସ୍ଥାରେ କୌଣସି ସୁଧାର ନଆସି କ୍ରମେ ଜଟିଳ ଆଡ଼କୁ ଗତି କଲାରୁ ତାଙ୍କୁ ଏକମୋ ଚିକିତ୍ସା ପାଇଁ ହାଇଦ୍ରାବାଦ ନେବାର ଆବଶ୍ୟକତା ଉପୁଜିଲା । ଗଣମାଧ୍ୟମ , ବନ୍ଧୁବାନ୍ଧବ ,ପରିବାର ଏବଂ ବିଶେଷକରି ଗଣମାଧ୍ୟମରେ ଧର୍ମପତ୍ନୀଙ୍କର ଆକୁଳ ଆବେଦନ ଯୋଗୁଁ ଏବେ ସୁଦ୍ଧା ପ୍ରାୟ ଏକ କୋଟି ଟଙ୍କା ଯୋଗାଡ଼ ହୋଇପାରିଛି । ଏଠାରେ ସୁବିଧା ନଥିବାରୁ ଏଇ ଚିକିତ୍ସା ପାଇଁ ବାହାର ରାଜ୍ୟର ବେସରକାରୀ ଚିକିତ୍ସାଳୟରେ ପ୍ରାୟ ଦୁଇ କୋଟି ଟଙ୍କା ଖର୍ଚ୍ଚ ଲାଗିପାରେ ।

ଏତିକିବେଳେ ଟିଭି ପରଦାରେ ଫୁଟିଉଠିଲା ଜଣେ ସ୍ତ୍ରୀ ଲୋକର କରୁଣ କ୍ରନ୍ଦନ ଓ କେଇଜଣଙ୍କର ଆକୁଳ ନିବେଦନ ।
ଜଣେ ଉପସ୍ଥାପିକା ବାହାରି ଆସି ଖୁବ୍ ନାଟକୀୟ ଢଙ୍ଗରେ ଉପସ୍ଥାପନ କଲେ – ଆପଣମାନେ ଜାଣିଥିବେ କେମିତି ସତ୍ୟବାନଙ୍କୁ ଯମ କବଳରୁ ଛଡେଇ ଆଣିଥିଲେ ସାବିତ୍ରୀ । କେମିତି ସାତରାତିକୁ ସପତ ରାତି କରିଦେଇଥିଲେ ସତୀ ଅନୁସୂୟା । ଆଜି ଦେଖନ୍ତୁ ଆଉଜଣେ ସାବିତ୍ରୀଙ୍କୁ ….ଆଉ ଜଣେ ଅନୁସୂୟାଙ୍କୁ । ଶୁଣନ୍ତୁ ତାଙ୍କର ଆକୁଳ କ୍ରନ୍ଦନ , କରୁଣ ନିବେଦନ ।ତାଙ୍କ ସ୍ବାମୀଙ୍କୁ ଫେରେଇ ଆଣିବାକୁ ଆପଣମାନେ ସାମର୍ଥ୍ୟମତେ ଦାନ କରିବାପାଇଁ ତାଙ୍କର କୋହଭରା ନିବେଦନ । ଏହାକୁ ଏକ୍ସକ୍ଲୁସିଭ୍ ରିପୋର୍ଟ ଭାବେ ପ୍ରଦର୍ଶନ କରିବାକୁ କେବଳ ଆମ ଚ୍ୟାନେଲ୍ ର ନିରନ୍ତର ପ୍ରୟାସ ଜାରି ରହିଛି । ଆପଣମାନଙ୍କ ପାଇଁ ଆପଣମାନଙ୍କର ପ୍ରିୟ ଏହି ଚ୍ୟାନେଲ୍ ସବୁବେଳେ ଆପଣମାନଙ୍କ ସହ ଆପଣମାନଙ୍କ ସେବାରେ ଲାଗି ରହିଛି ।

ଏମିତି କେତେ କଥା କେତେ ବ୍ୟଥା ।
ଖବର ପରିବେଷଣ ଅପେକ୍ଷା ଏସବୁ ବେଶି ବେଶି ଯାତ୍ରା ସଂଳାପର ପ୍ରତିଯୋଗିତା ଭଳି ଲାଗୁଥିଲା । ଏମିତି ନାଟକୀୟ ଉପସ୍ଥାପନାର ମଝିରେ ହଠାତ୍ ଶୁଣାଗଲା ଆମ୍ବୁଲାନ୍ସର ବିକଟାଳ ଶବ୍ଦ….କୁ..ଉଁ..ଉଁ…ଉଁ…ଉଁ…ଉଁ…..( ଏବଂ ସେଥି ସହ ଆମ୍ବୁଲେନ୍ସ୍ ର ଦୃଶ୍ୟ )

ଏଇ ଦେଖନ୍ତୁ ଏକ୍ସକ୍ଲୁସିଭ୍ ରିପୋର୍ଟ । ଆଗରେ ଏସକର୍ଟ ଗାଡ଼ି , ପଛରେ ଆଉ ଦୁଇଟି ପୋଲିସ୍ ଗାଡ଼ି ।ଆଉ ଗୋଟେ ଗାଡ଼ିରେ ଡାକ୍ତରୀ ଦଳ ଏବଂ ପଛ ଗାଡିରେ ଫୋର୍ସ ।ଏବେ ଆପଣ ଆମ ଚ୍ୟାନେଲ୍ ମାଧ୍ୟମରେ ସ୍ପଷ୍ଟ ଦେଖିପାରୁଥିବେ ଆମ୍ବୁଲେନ୍ସ୍ ଭିତରେ ଥିବା ମୃତ୍ୟଞ୍ଜୟଙ୍କ ଫୁସ୍ଫୁସ୍ ସଂକ୍ରମିତ ଶରୀର ।ଏୟାର୍ ଆମ୍ବୁଲାନ୍ସରେ ଏୟାର୍ ଲିଫ୍ଟ୍ ପାଇଁ ବିମାନ ବନ୍ଦରକୁ ସଫଳ ଯାତ୍ରାର ଲାଇଭ୍ ଟେଲିକାଷ୍ଟ ।


ମାତ୍ର ୩୫ ମିନିଟ୍ ମଧ୍ୟରେ ଅତିକ୍ରମ କରାହେବ ୬୫ କିଲୋମିଟର ରାସ୍ତା ।ଏଇ ଦେଖନ୍ତୁ ଛକମାନଙ୍କରେ କେମିତି କଡା ପୋଲିସ୍ ପହରାର ଅଭିନବ ବ୍ୟବସ୍ଥା କରାଯାଇଛି । କେମିତି ଶୂନଶାନ୍ କରିଦିଆଯାଇଛି ଅତିକ୍ରମ କରିବାକୁ ଥିବା ସମଗ୍ର ରାସ୍ତା ।
ଏଇ ଦେଖନ୍ତୁ , ଇଚ୍ଛାପୁର ଛକ ପାଶ୍ କଲା ପରେ ପରେ ସବୁ ଗାଡ଼ି ଗୁଡ଼ିକ ଏବେ ପୁରୁଣାହାଟ ଛକ ପାଶ୍ କରୁଛନ୍ତି । ପ୍ରତିଟି ଛକ , ମୋଡ ଓ ପତିଟି ମୁହୂର୍ତ୍ତର ନିଖୁଣ ଦୃଶ୍ୟ ଆପଣମାନଙ୍କୁ ପରଷିଦେବ ଆପଣଙ୍କର ଏହି ପ୍ରିୟ ଚ୍ୟାନେଲ୍ । ୟା ପରେ ଆପଣମାନେ ଦେଖିପାରିବେ ଏୟାର୍ ଲିଫ୍ଟିଂର ଜୀବନ୍ତ ଦୃଶ୍ୟ ।

ସତେ ଯେମିତି ଜଗନ୍ନାଥଙ୍କର ପହଣ୍ଡିବିଜେ ଯାତ୍ରା !

ସତେ ଯେମିତି ସେଇ ଦୃଶ୍ୟର ସଫଳ ପ୍ରଦର୍ଶନ କରିବାଦ୍ୱାରା ଫୁସଫୁସ୍ ଅଚଳ ସଂକଟର ଏକ ଚିରସ୍ଥାୟୀ ସମାଧାନ ନିଶ୍ଚିତଭାବେ ସମ୍ଭବ !

ଚୈତନର ମୁହଁରୁ ଅଜାଣତରେ ବାହାରିପଡ଼ିଲା – ହ୍ୟାଟ୍ !

ଟିଭି ରିମୋର୍ଟକୁ ଅଫ୍ ମୋଡ୍ କୁ ଆଣି ଦୁଇହାତର ପାପୁଲିରେ ଥୋଡିକୁ ଥୋଇ ସାମ୍ନା ଟେବୁଲ୍ ଉପରେ ଦୁଇ କହୁଣୀକୁ ଭରା ଦେଇ କିଛି ସମୟ ଅନ୍ୟମନସ୍କ ହେଇଗଲା ଚୈତନ ।

ପୁଣି ଥରେ ଟିପିଦେଲା ରିମୋର୍ଟ୍ ର ଅନ୍ ବୋତାମକୁ ।
କୁ…ଉଁ…ଉଁ… ଉଁ… ଉଁ…. ଉଁ…………..

ପୁଣି ସେଇ ସାଇରନ୍ ର ବିକଟାଳ ଶବ୍ଦ ! ଏଥର ଥିଲା ଏୟାରଲିଫ୍ଟ୍ ହେବାକୁ ଯାଉଥିବା ଜଣେ ଉଚ୍ଚପଦସ୍ଥ ସରକାରୀ ବ୍ୟକ୍ତିଙ୍କର ଦୃଶ୍ୟ । ସମଗ୍ର ସରକାରୀ କଳ କେମିତି ନିଷ୍ଠା ଓ ଶୃଙ୍ଖଳାର ସହିତ ଏପରି କର୍ତ୍ତବ୍ୟର ସୂଚାର ସମ୍ପାଦନା କରୁଛନ୍ତି ଏବଂ ଏହି ଆମ୍ବୁଲାନ୍ସ ଯାତ୍ରାଟି କିଭଳିଭାବେ ପ୍ରଶାସନିକ ସଫଳତାର ସୂଚକଭାବେ ଉଭାହୋଇଛି , ତାହାର ଏକ ଜୀବନ୍ତ ବର୍ଣ୍ଣନା କରିବାକୁ ଯେମିତି ପ୍ରତିଯୋଗିତା କରିଚାଲିଥିଲେ ଉପସ୍ଥାପକ ଓ ଉପସ୍ଥାପିକା !

ଏଥର କାହାର ସାହାଯ୍ୟ ସହାନୁଭୂତି ନୁହେଁ , ସମ୍ପୂର୍ଣ୍ଣ ସରକାରୀ ଖର୍ଚ୍ଚ ଓ ତତ୍ତ୍ୱାବଧାନରେ ହୋଇଥିଲା ସରକାରୀ ବାବୁଙ୍କର ଚିକିତ୍ସାର ବ୍ୟବସ୍ଥା । ପୁଣି ମଝିରେ ମଝିରେ ସରକାରଙ୍କର ଏ ଲିଫ୍ଟିଙ୍ଗ୍ ସଫଳତାକୁ ପ୍ରଶଂସା କରି , କରୋନାକ୍ରାନ୍ତ ପଦାଧୀକାରୀଙ୍କୁ ସମବେଦନା ଜଣାଇ ଏବଂ ତାଙ୍କର ଆଶୁ ଆରୋଗ୍ୟ କାମନା କରି ପରଦାରେ ଭାସିଉଠୁଥିଲା ନେତା , ବଡ଼ ବଡ଼ ଅଫିସର , ସମାଜସେବୀ ଓ କେତେକ ସାମ୍ବାଦିକଙ୍କର ସମ୍ବେଦନାଭରା ବାଇଟ୍ ।

ଏସବୁ ଲାଇଭ୍ କମେଣ୍ଟ୍ରିକୁ ଦେଖି ଚୈତନକୁ ଲାଗିଲା , ଯେମିତି ଜଟିଳ ସ୍ବାସ୍ଥ୍ୟାବସ୍ଥା କାରଣରୁ ବିପଦସଂକୁଳ ହୋଇପଡିଥିବା ରୋଗୀଟିଏ ନୁହେଁ ; କ୍ରିକେଟ୍ ଫାଇନାଲ୍ ମ୍ୟାଚ୍ ଖେଳିବାକୁ ଇଣ୍ଡିଆନ ଟିମ୍ ଯାଉଛନ୍ତି ନ୍ୟୁଜିଲାଣ୍ଡ କି ଅଷ୍ଟ୍ରେଲିଆ ଅବା ମ୍ୟାଚ୍ ଜିତିସାରି ଫେରୁଛନ୍ତି ଇଣ୍ଡିଆ !

ସେ ପରିବେଷଣର ଢଙ୍ଗରେ ରୋଗୀର ଜଟିଳ ଅବସ୍ଥା ଓ ତା’ର ଚିକିତ୍ସା ଅପେକ୍ଷା ବେଶି ବେଶି ଫୁଟି ଦିଶୁଥିଲା ତାକୁ ପରିବହନ କରାଯିବାର ରୋମାଞ୍ଚ । ଚିକିତ୍ସାର ପରିଣାମ ଯାହା ହେଉ ପଛେ ଏସବୁ ହିଁ ପ୍ରତୀୟମାନ ହେଉଥିଲା ଅସଲ ସଫଳତା ! ଯେଯିତି ଏହାହିଁ ସରକାରଙ୍କ ସ୍ବାସ୍ଥ୍ୟ ପରିପ୍ରେକ୍ଷୀରେ ସରକାରୀ ସଫଳତାର ଜ୍ୱଳନ୍ତ ସ୍ବାକ୍ଷର…..ଚରମ ପ୍ରଦର୍ଶନ !

ଏପରି ସଫଳତାର ଶ୍ରେୟକୁ ଆହୁରି ମହିମାନ୍ୱତ କରୁଥିଲା ସ୍ମିତହାସ୍ୟ ବଦନରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ତୃପ୍ତିସୂଚକ ବିବୃତି ।

ଆଉଥରେ ସାଇରନ୍ ଶବ୍ଦ ଶୁଣିବା ଆଗରୁ ଟିଭି ବନ୍ଦ କରିସାରିଥିଲା ଚୈତନ ।

ତାକୁ କେହିଜଣେ କହୁଥିଲା — ତୁ ସିଆଡେ ଦେଖେନା….ଦେଖେନା ରେ ବାବୁ । ସେସବୁ ତୋ’ପାଇଁ ନୁହେଁ ରେ । ସେଇ ଭାଗ୍ୟ ନେଇ ଆସିଥିଲେ ତୁ ସେଇଠି ଜନ୍ମ ନ ହୋଇ ମୁଣ୍ଡ ଝାଳ ତୁଣ୍ଡରେ ମାରୁଥିବା ୟେ ମାଧବ ନାଏକର କଚ୍ଚା ଘରେ କାହିଁକି ଜନ୍ମିଥାନ୍ତୁ ରେ ?

ତୋ’ ବାପ ମଲା ସେଇ ଫୁସ୍ ଫୁସ୍ ସଂକ୍ରମଣରେ । ଦେବତାସମ ତୋର ରୋଜଗାରିଆ ଜୁଙ୍ଘା ଭାଇଟା ମଲା ସେଇ ଫୁସ୍ ଫୁସ୍ ଅକାମି ହେବା କାରଣରୁ । ତୋ ମାଉସୀପୁଅ ଭାଇ ମଲା ସେଇଥିରେ ।ତୋ ଦାଦାପୁଅ ରମୁର ବି ସେଇ ଦଶା ହେଲା । ଆହାରପଦାର ନରି ପୁଅ କାହ୍ନା , ହାତକଟାର ମନୁମଉସା ପୁଅ ମକୁ , ଅନ୍ନପାଳର କୁନିଦେଇ ଝିଅ ଲବଙ୍ଗ କିଏ କେତେ ସଫା ହେଇଗଲେଣି ୟା ଭିତରେ ।

ବାପ ପାଇଁ ତୋ ଦ୍ଵାରା ଅକ୍ସିଜେନ୍ ଟିକିଏ ଯୋଗାଡ଼ କରିବା ସମ୍ଭବ ହେଇପାରିଲା ନାହିଁ । ମାଆର କାନଫୁଲଟା ବିକି ଭାଇ ପାଇଁ ଅକ୍ସିଜେନ୍ ର ବ୍ୟବସ୍ଥା କରିଦେଲୁ ସତ : ସମ୍ବଳ ଅଭାବରୁ ତାକୁ କ’ଣ ବଡ଼ ହସ୍ପିଟାଲ୍ କୁ ନେଇପାରିଲୁ ? ଏତିକି ତ ପାରିଲୁ ନାହିଁ , ଏତେ ସବୁ କଥା କରିପାରିଥାନ୍ତୁ କେମିତି ?

ସେଦିନ ବାଉଳି ଚାଉଳି ହୋଇ ତୋର ମଥାପିଟି କାନ୍ଦିବାର ଦୃଶ୍ୟ ମୁଁ ଦେଖିଛି ରେ । କେଇଜଣ ସରକାରୀ ବଡ଼ବାବୁ ଓ ସାମ୍ବାଦିକଙ୍କୁ ନେହୁରା ହେବାର ଦୃଶ୍ୟ ବି ଦେଖିଛି । ଏଇ ଟିଭିରୁ ତୁମ୍ଭମାନଙ୍କର ଆର୍ତ୍ତନାଦ ଓ ଛାଟିପିଟି ହେବାର କରୁଣ ଦୃଶ୍ୟକୁ ଦେଖି ସେଇ ସମାନ ଫୁସ୍ ଫୁସ୍ ଅକାମି କାରଣରୁ ତୋ’ ଭଳି ହଜାର ହଜାର ପରିବାରର ସର୍ବନାଶର ଦୃଶ୍ୟକୁ ମନ ଭିତରେ ଆଙ୍କିଛି ରେ । ସମ୍ବାଦ ପରିବେଷଣର ସଫଳତାରେ ବିଭୋର ହେବା ଛଡା ଏ ସମ୍ବାଦ ସରବରାହ ସଂସ୍ଥାମାନେ କଲେ ବା କ’ଣ ? ତୁ କେଉଁ ବଡ଼ ମଣିଷଟେ ଯେ ? ତୋର କ’ଣ ବା ବ୍ୟାକିଂ ଟ୍ୟାକିଂ ଅବା ସେମିତି କିଛି ପାରଙ୍ଗମତା ଅଛି ଯେ ସେମାନେ ତୋ କଥାକୁ ବିଶେଷ ଢଙ୍ଗରେ ଦେଖାଇଥାଆନ୍ତେ ? ତୋ’ ଭାଇ ଓ ବାପ ଭଳି ସାଧାରଣ ମାମୁଲି ମଣିଷମାନଙ୍କର ଫୁସ୍ ଫୁସ୍ ଅଚଳ କଥା ପ୍ରସାରଣ କରି ସେମାନେ ତାଙ୍କ ଟି.ଆର.ପି. ରେ ବାଧା ସୃଷ୍ଟି କରିଥାନ୍ତେ କାହିଁକି ?

ଜୀବନକୁ କିଛି ସମୟ ଅଟକେଇ ରଖିବାପାଇଁ ଏୟାର୍ ଟିକେ ଯୋଗାଡ଼ କରିପାରୁନଥିବା ତୋ ଭଳି ଲୋକଟା ପାଇଁ ଏୟାର୍ ଲିଫ୍ଟ୍ ତ ଆକାଶ କଇଁଆ ଚିଲିକା ମାଛ ପରି କଥା ; ସେ ଦୃଶ୍ୟ ଦେଖିବାର ଅଧିକାର ବା କେଉଁଠୁ ଆଇଲା ? ତୁ ଏସବୁ ଦେଖେନା ରେ ବାବୁ , ଏସବୁ ଦେଖେନା……..

ଗରିବର ମାଇପଠାରୁ ସାବିତ୍ରୀ ହେବାର ଯୋଗ୍ୟତା କେବେ ଆଶା କରାଯାଇପାରେନା । ପୁତ୍ରହରା ଗରିବର ମାଆ କେବେ ଅନୁସୂୟା ହୋଇପାରେନା ।

ଓହୋଃ ….ତୁ ତୋର ଗଣତାନ୍ତ୍ରିକ ମୌଳିକ ଅଧିକାରର କଥା ଭାବୁଛୁ ? ଭୋଟଦେଇ ଗଢିଥବା ବାପମାଆ ବୋଲି ଧାରଣା ଥିବା ସରକାରଙ୍କ ଦାୟିତ୍ଵ କଥା ଭାବୁଚୁ ??

ସେସବୁ ମନରୁ ସମୂଳେ ପୋଛି ଦେଏ ରେ । ତୋର କାମ ହେଲା ଖାଲି ଭୋଟ୍ ଦେବା । ଭୋଟ୍ ଦେଇ ସରକାର ଗଢ଼ିବା ।
ବାର ବାର ଭୋଟ୍ ଦେଇ ପାଳିରୁ ପାଳି କେତେ ପାଳି କାର୍ଯ୍ୟକାଳ ଦେବାର ସୁଫଳ , ଆଦୌ ଭୋଟ୍ ଦେଇ ନଥିବା ସରକାରୀ ବାବୁ , ନେତା ଆଦିଙ୍କର ଏୟାର୍ ଲିଫ୍ଟିଙ୍ଗ୍ ରେ ତୁ କ’ଣ ଖୁସି ନୁହଁ ?

ଦେଶବିଦେଶର ଗଣମାଧ୍ୟମମାନଙ୍କରେ ଆମ ଗ୍ରୀନ୍ କୋରିଡର୍ , ଏୟାର୍ ଲିଫ୍ଟ୍ , ଏୟାର ଆମ୍ବୁଲାନ୍ସର ଆଦିର ଶୃଙ୍ଖଳିତ ଦୃଶ୍ୟ ଓ ସେସବୁ ଆୟୋଜନର ସଫଳତାରେ ଫୁଟିଉଠୁଥିବା ଆମର ଗୌରବ ଓ ଆଭିଜାତ୍ୟ କଥାରେ ତୋତେ କ’ଣ ଗର୍ବ ଅନୁଭବ ହେଉନାହିଁ ? ଏୟାର ଲିଫ୍ଟ୍ କ’ଣ କମ୍ ଗୌରବର କଥା ?

ତୁ ବାଛିଥିବା ମୁଖିଆ ଯଦି ଏଠାରେ ଏକମୋ ଚିକିତ୍ସାର ସୁବିଧା କରିଥାନ୍ତେ , ଆମେ ସଫଳଭାବେ ଗ୍ରୀନ୍ କୋରିଡର୍ ଦେଇ ଏୟାର୍ ଲିଫ୍ଟ୍ ସଫଳତାରେ ଗୌରବମଣ୍ଡିତ ହୋଇପାରିଥାନ୍ତେ କି ? ଚ୍ୟାନେଲ୍ ମାନେ ଚିକିତ୍ସାର ବ୍ୟବସ୍ଥାକୁ ବିଶେଷ ଗୁରୁତ୍ବ ନଦେଇ ଏୟାରଲିଫଟିଂର ଲାଇଭ୍ ଦୃଶ୍ୟକୁ ଚିତ୍ତାକର୍ଷକ ଢଙ୍ଗରେ ଏକ ସଫଳ ଯୁଦ୍ଧ ଦୃଶ୍ୟପରି ପ୍ରତୀୟମାନ କରାଇପାରିଥାନ୍ତେ କି ?

ଅବିକଳ ସେଇ ସମାନ କାରଣ ପାଇଁ ମରଣକୁ ବରଣ କରିନେଇଥିବା ହଜାର ହଜାର ଗରିବଗୁରୁବା , ସାଧାରଣ ମଣିଷଙ୍କର ସୁଲଭ ଚିକିତ୍ସା ହେଲେ ବଡ଼ ବଡୁଆଙ୍କ ଚିକିତ୍ସାର ଗୁରୁତ୍ୱ ଓ ମହତ୍ତ୍ଵ କିଛି ବୁଝା ପଡନ୍ତା କି ? କୁଡିଆ ଯୋଜନାଠାରୁ କୋଢିଆ କରି ଛାଡିଲାଯାଏଁ ଛତରଖିଆ ଯୋଜନାଗୁଡିକୁ ପ୍ରଦର୍ଶନ କରି ସଫଳତା ଶ୍ରେୟର ଡେଙ୍ଗୁରାପିଟାର ଆୟୋଜନ କରିହେଇପାରିଥାନ୍ତା କି ?

ସୁତରାଂ , ରେ ଚୈତନ !
ପରବର୍ତ୍ତୀ ପାଳି ପାଇଁ ଭୋଟ ଦେଇ ତୁ ତୋ ସରକାରଙ୍କୁ କହ — ” ମାଲିକେ , ଏଥର ବି ଦେଉଛି । ହେଲେ ଗୋଟିଏ ସର୍ତ୍ତରେ । ଜୋତା ଠାରୁ ଛତା ଯାଏଁ ଯେତେ ଯାହା ମାଗଣା କରୁଛ କର ; ହେଲେ କସ୍ମିନ୍ କାଳେ ଏଠି ଏକମୋ ଚିକିତ୍ସା ବ୍ୟବସ୍ଥା କରିବ ନାହିଁ ।
ହେ ମୋର ବାପମାଆ !
ସେମିତି ହେଲେ ଗ୍ରୀନ୍ କୋରିଡୋର୍ , ଏୟାର୍ ଲିଫ୍ଟ୍ ଆଦି ସଫଳତାର ଶ୍ରେୟ ପାଣି ଫୋଟକା ହୋଇଯିବ ।

ଖୁବ୍ ଜୋରରେ ଠୋ’ କିନା ଆବାଜ୍ ଶୁଣି ଏକସଙ୍ଗେ ଘରୁ ଦୌଡ଼ି ଆସିଲେ ମାଆ , ଭାଉଜ ଓ ପୁତୁରା ।
ଦେଖିଲେ , ଭୋ ଭୋ ହୋଇ କାନ୍ଦୁ କାନ୍ଦୁ ସାମ୍ନା କାନ୍ଥରେ ଟଙ୍ଗା ହୋଇଥିବା ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ହାତଯୋଡି ଚୈତନ ଆକୁଳ ପ୍ରାର୍ଥନା କରି କହୁଛି –
‘ହେ ପ୍ରଭୂ ! ତୁ ପରମ ଦୟାଳୁ ।ତୁ କୃପା ସାଗର ।ଏୟାର ଲିଫ୍ଟ୍ କରାଯାଇଥିବା ସବୁ ବାବୁମାନଙ୍କୁ ସହି ସଲାମତ୍ ଭଲ କରି ଫେରେଇ ଆଣ । କାହାକୁ ପୁତ୍ରହରା କରେନା , କାହାକୁ ବୈଧବର ଯନ୍ତ୍ରଣା ଦେଏନା । ସେ ଯନ୍ତ୍ରଣାର ଜ୍ୱ।ଳା କେଡ଼େ ନିର୍ମମ ଓ ଅସହ୍ୟ ତାହା ଆମେ ବୁଝୁଛୁ ।’

ଆରେ ଚୈତନ , ସେ ଟିଭିଟାକୁ ଭାଙ୍ଗିଦେଲୁ କାହିଁକି ?

ତା ବୋଉ କାନ୍ଧରେ ମଥା ରଖି ତାକୁ ଜାବ ପକେଇଦେଇ ଦବିଯାଇଥିବା ଅସହାୟ ଗଳାରେ ଚୈତନ ଉତ୍ତାରି ପକେଇଲା ତାର ସବୁତକ କୋହ —
‘ ବୋଉ , ବୋଉ ଲୋ …ଏ ଟିଭିଟା ମୋତେ ମାରିଦବ !
ମୁଁ ମରିଗଲେ , ତୁ , ଆମ ପୁଅ ଆଉ ଭାଉଜ ବଞ୍ଚିବେ କେମିତି ??

                                                                                                               ଭ୍ରାମ୍ୟଭାଷ : ୯୪୩୭୨୬୭୧୨୫
                                                                                                               ଗ୍ରାମ : ବିଜେଗଙ୍ଗାଧର, ହାତିସାହି 
                                                                                                               ପୋଷ୍ଟ : ମଉଦା
                                                                                                               ଜିଲ୍ଲା : ଭଦ୍ରକ

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.