ବୈଷ୍ଣବ ମହାନ୍ତି ଏକା ନୁହନ୍ତି

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶାର ସ୍ବନାମଧନ୍ୟ ସାହିତ୍ୟିକ ବୈଷ୍ଣବ ଚରଣ ମହାନ୍ତି ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସହକାରୀ ନିର୍ଦ୍ଦେଶକ ପଦରୁ  ଅବସର ଗ୍ରହଣ କରିବାର ପ୍ରାୟ ୧୨ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏଁ ତାଙ୍କ ପେନସନ ପାଇନାହାନ୍ତି – ଏହା ବିଶ୍ଵାସଯୋଗ୍ୟ ନହୋଇଥିଲେ ବି ସତ୍ୟ ।

ଏ ସମ୍ପର୍କରେ ନିଜ ଫେସବୁକ ପୃଷ୍ଠାରେ ଶ୍ରୀ ମହାନ୍ତି ଲେଖିଛନ୍ତି :

ମାନ୍ଯବର ହାଇକୋର୍ଟ ଦୁଇଦୁଇ ଥର ମୋ ପେନସନ ଦେଇଦେବାକୁ ନିର୍ଦ୍ଦେଶ ଦେବାପରେ ବି ମୋ ପ୍ରାପ୍ୟ ମୋତେ ମିଳୁନି ।  ଥରେ କହିଲେ ତିନିମାସ ଭିତରେ ଦେଇଦିଅ, ତିନିମାସ ଯାଇ ପାଞ୍ଚ ମାସ ଗଲା। ଅଦାଲତ ଅବମାନନା କେସ୍ କଲି। କୋର୍ଟ କହିଲେ ଦେଇନ, କିନ୍ତୁ ଏଥର ମାସକ ଭିତରେ ଦିଅ, ନ ହେଲେ ଜାଣିକି ଦେଉନ ବୋଲି ଧରାଯିବ। ଏ ଅର୍ଡର ଦେବାର ତିନିମାସ ପରେ ବି ମୋ ପେନସନ ଶିକ୍ଷାନିର୍ଦ୍ଦେଶାଳୟ ଓ ବିଦ୍ୟାଳୟ ଗଣଶିକ୍ଷାବିଭାଗ ଦେଉନାହିଁ।
ଶ୍ରୀ ମହାନ୍ତି ନିଜକୁ ଅତ୍ୟନ୍ତ ଅସହାୟ ଅନୁଭବ କରୁଛନ୍ତି । ଶିକ୍ଷା ନିର୍ଦ୍ଦେଶାଳୟରେ ସେ ୩୦ ବର୍ଷ କାମ କରିଛନ୍ତି । ଏହି ୩୦ ବର୍ଷ ଭିତରେ ତାଙ୍କ କର୍ତ୍ତବ୍ୟପରାୟଣତା ଦୃଷ୍ଟିରୁ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ତାଙ୍କୁ ଦିଆଯାଇଛି ଓ  ଆଦର୍ଶସ୍ଥାନୀୟ ନିଷ୍ଠା ସହ ସେହି ସମସ୍ତ ଦାୟିତ୍ଵ ସେ ନିର୍ବାହ କରିଛନ୍ତି । ଅଥଚ ଅବସର ଗ୍ରହଣ ପରେ ବିନା ଦୋଷରେ ଓ ସଂପୂର୍ଣ୍ଣ ଅନଧିକୃତ ଭାବେ ତାଙ୍କ ପେନ୍ସନ୍ ଅଟକାଇ ରଖାଯାଇଛି । 
 
“ସରକାର ମୋତେ ପେନ୍ସନ ଦେବାଠାରୁ ଏଯାଏଁ ନଦେଇଥିବାର କାରଣ ଜାଣିବା ମୋ ପାଇଁ ନିହାତି ଜରୁରୀ” ବୋଲି କହିଛନ୍ତି ଶ୍ରୀ ମହାନ୍ତି । 
 
ଓଡ଼ିଶା ଉଚ୍ଚ ଅଦାଲତଙ୍କ ଅପେକ୍ଷା ଗଣ ଶିକ୍ଷା ବିଭାଗ ନିଜକୁ ଅଧିକ ଶକ୍ତିଶାଳୀ ମନେ କରୁଥିବା ହେତୁ ଜନ ସମ୍ମୁଖରେ ସେ କର୍ତ୍ତୃପକ୍ଷଙ୍କଠାରୁ ଜାଣିବାକୁ ଚାହିଁଛନ୍ତି ଯେ, କେଉଁ କାରଣ ହେତୁ ଜନସାଧାରଣଙ୍କଠାରୁ ବେତନ ପାଇ ପେଟ ପୋଷୁଥିବା ବିଭାଗୀୟ ପଦାଧିକାରୀ ତାଙ୍କୁ ଆଇନତଃ ପ୍ରାପ୍ୟ ତାଙ୍କ ପେନ୍ସନ୍ ଦେଇନାହାନ୍ତି । ତାଙ୍କର ପ୍ରଶ୍ନ ହେଲା –   
 
୧ .ମୋ ନାଆଁରେ କିଛି ସରକାରୀ ଅର୍ଥ ତୋଷରପାତର ଅଭିଯୋଗ ଅଛି କି?
୨.ଅଡିଟ୍ ଅବଜେକସନ୍ ଅଛି କି ?
୩. ଅଫିସିଆଲ ପ୍ରୋସିଡିଙ୍ଗ୍ ଅଛି କି ?
୪.ପୋଲିସ କେସ୍, ଭିଜିଲାନ୍ସ କେସ୍ ଅଛି କି ?
ଏହି ଏକା ପ୍ରଶ୍ନ ଉଚ୍ଚ ଅଦାଲତ ମଧ୍ୟ ଶ୍ରୀ ମହାନ୍ତିଙ୍କ ମକଦ୍ଦମା (W.P.(C) (OAC) No.1248 of 2019)ରେ ସରକାରଙ୍କୁ ପଚାରିଥିଲେ । ଉତ୍ତର ଥିଲା – ନା, ଏପରି କୌଣସି ଅଭିଯୋଗ ବା ମାମଲା ଶ୍ରୀ ମହାନ୍ତିଙ୍କ ବିରୁଦ୍ଧରେ ନାହିଁ । ତେବେ କାହିଁକି ତାଙ୍କ ପେନ୍ସନ୍ ଦିଆଯାଇନି ବୋଲି ପଚାରିଥିଲେ ଅଦାଲତ । ଯେଉଁ ଉତ୍ତର ମିଳିଲା, ତାହା ଥିଲା ଅତ୍ୟନ୍ତ ହାସ୍ୟାସ୍ପଦ ଓ ଅମୂଳକ ବୋଲି ନିର୍ଣ୍ଣୟ ଦେଇ, ୧୦ ଅକ୍ଟୋବର ୨୦୨୩ ତାରିଖରେ ବିଚାରପତି ଆଦେଶ ଦେଇଥିଲେ କି, ଆଦେଶ ମିଳିବାର ୩ ମାସ ମଧ୍ୟରେ ଶ୍ରୀ ମହାନ୍ତିଙ୍କର ପେନ୍ସନ୍ ଓ ଅବସରୋତ୍ତର ଅନ୍ଯାନ୍ଯ ସମସ୍ତ ପ୍ରାପ୍ୟ ସୁଧ ସହ ତାଙ୍କୁ ପ୍ରଦାନ କରାଯାଉ । 
 
କିନ୍ତୁ ସେତେବେଳକୁ ନବୀନ ପଟ୍ଟନାୟକ ଯେଉଁ ଅରାଜକତା ଚଳାଇଥିଲେ ସେହି ଅରଜକତାର ଆବର୍ତ୍ତରେ  ଅଦାଲତଙ୍କ ଏହି ଆଦେଶ ନଥି ଥାକରେ ପୋତି ହୋଇଯାଇଥିଲା । ସେତେବେଳର ମହାଧିବକ୍ତା ନବୀନଙ୍କ ଦ୍ଵାରା ନିଯୁକ୍ତ ହୋଇଥିବା ହେତୁ ଅରାଜକତାବାଦୀ ନବୀନ ପଟ୍ଟନାୟକଙ୍କୁ ବା ତାଙ୍କ ସରକାରର ସମ୍ପୃକ୍ତ ବିଭାଗକୁ ଅଦାଲତଙ୍କ ଆଦେଶର ଅପରିହାର୍ଯ୍ୟତା ସମ୍ପର୍କରେ ଅବଗତ ବି କରାଇଲେ ନାହିଁ । ଫଳରେ ଅଦାଲତ ଅବମାନନା ହେଲା । 
 
ଅଦାଲତ ଅବମାନନା ମକଦ୍ଦମା (CONTC No. 1593 of 2024)ରେ ଯେଉଁ ରାୟ ପ୍ରକାଶ ପାଇଛି ମାର୍ଚ୍ଚ ୧୮ ତାରିଖରେ ତାହା ସରକାରଙ୍କ ଆଚରଣକୁ ଗର୍ହିତ ବୋଲି ଦର୍ଶାଇଛି । W.P.(C) (OAC) No.1248 of 2019ମକଦ୍ଦମାରେ ୧୦ ଅକ୍ଟୋବର ୨୦୨୩ ତାରିଖରେ ପ୍ରଦତ୍ତ ଆଦେଶକୁ ମାସକ ଭିତରେ ଯଦି ସମ୍ପୂର୍ଣ୍ଣତଃ କାର୍ଯ୍ୟକାରୀ କରା ନଯାଏ, ତେବେ ତାହା ଇଚ୍ଛାକୃତ ଅଦାଲତ ଅବମାନନା (deliberate violation of the Court’s Order) ଭାବେ ଗୃହୀତ ହେବ ବୋଲି ଅଦାଲତ ନିର୍ଣ୍ଣୟ ଦେଇଛନ୍ତି । ଏହା ସତ୍ତ୍ଵେ ସରକାର ଏଯାଏଁ ଶ୍ରୀ ମହାନ୍ତିଙ୍କ ପ୍ରାପ୍ୟ ଦେଇନାହାନ୍ତି । ଏପରିକି ଜଣେ କର୍ମଚାରୀ ଭାବେ ନିଜ ଆପତ୍କାଳୀନ ପାଣ୍ଠି (General Provident Fund) ଜମାଖାତାରେ ସରକାରଙ୍କ ହେପାଜତରେ ଯେଉଁ ବେତନାଂଶ ଜମାଇରଖିଥାନ୍ତି , ତାହା ସମୂଳସୁଧ ତାଙ୍କୁ ଅବସର ଗ୍ରହଣ ପରେ ପରେ ତୁରନ୍ତ ଦେଇଦେବାକୁ ନିର୍ଦ୍ଦିଷ୍ଟ ଓ ଅଲଙ୍ଘ୍ୟ ଆଇନ ଥିଲେ ମଧ୍ୟ  ଶ୍ରୀ ମହାନ୍ତିଙ୍କୁ ତାହା ଏଯାଏଁ ପ୍ରଦାନ କରାଯାଇନି । 
 
ଅଣଓଡ଼ିଆଙ୍କ ପ୍ରେମପାଗଳ ନବୀନ ପଟ୍ଟନାୟକ ଅରାଜକତାର ଯେଉଁ ଖାଣ୍ଡବବନରେ ଓଡ଼ିଶାକୁ ରୂପାନ୍ତରିତ କରିଥିଲେ, ତହିଁରେ ଏପରି କେଉଁ ନରଘାତକ ତକ୍ଷକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ରାଜୁତି କରୁଥିଲା ଓ କରୁଛି ଯେ, ବୈଷ୍ଣବ ଚରଣ ମହାନ୍ତିଙ୍କ ପରି ଜଣେ ଶ୍ରେଷ୍ଠ ଓଡ଼ିଆଙ୍କ ହକ୍ ପ୍ରାପ୍ୟ ଅଦାଲତ ଆଦେଶ ଓ ଆଇନର  ନିର୍ଦ୍ଦେଶ ସତ୍ତ୍ୱେ ତାଙ୍କୁ ଏପର୍ଯ୍ୟନ୍ତ ମିଳିନାହିଁ – ତାହା ମୋହନ ଚରଣ ମାଝିଙ୍କ ସରକାର ତୁରନ୍ତ ଠାବ କରି ସେ ତକ୍ଷକ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ଦରକାର । ଗତ ୧୨ ବର୍ଷ ଭିତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଯେଉଁମାନେ ଶାସନସଚିବ ଓ ନିର୍ଦ୍ଦେଶକ ଥିଲେ ଓ ରହିଛନ୍ତି , ସେ ସମସ୍ତଙ୍କ ବିରୁଦ୍ଧରେ ଦଣ୍ଡବିଧାନ ଆବଶ୍ୟକ ।  
 
ସରକାର ମନେ ରଖନ୍ତୁ ଯେ, ବୈଷ୍ଣବ ଚରଣ ମହାନ୍ତି ଏକା ନୁହନ୍ତି । ଓଡ଼ିଆ ଭାଷା ଅସ୍ମିତାର ଅନ୍ଯତମ ତୁଙ୍ଗ କର୍ଣ୍ଣଧାର ହେଉଛନ୍ତି ଶ୍ରୀ ବୈଷ୍ଣବ ଚରଣ ମହାନ୍ତି । ଓଡ଼ିଆ ଭାଷାତତ୍ତ୍ଵର ପ୍ରୟୋଗାତ୍ମକ ବିଶ୍ଳେଷଣ କରି ସେ ଆମ ଭାଷାର ମୌଳିକତାକୁ ଯେଉଁ ଜାଜୁଲ୍ୟମାନତା ଦେଇଛନ୍ତି ତାହା ଅନନ୍ୟ । ତାଙ୍କୁ ନ୍ୟାୟ ଦେବା ପାଇଁ ଆମେ ଓଡ଼ିଆମାନେ ତାଙ୍କ ସହ ନିଶ୍ଚୟ ରହିବୁ । 

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.