ସୁଭାଷ ଚନ୍ଦ୍ର ପଟ୍ଟନାୟକ
ପ୍ରତିଷ୍ଠାତା, ଭାଷା ଆନ୍ଦୋଳନ, ଓଡିଶା

ଓଡ଼ିଶାରେ ଭାଷା ଆଇନ ଅର୍ଥ, ୧୯୫୪ରେ ପ୍ରଣୀତ ଓ ପ୍ରବର୍ତ୍ତିତ ହୋଇଥିବା ଓଡିଶା ସରକାରୀ ଭାଷା ଆଇନ, ଯାହା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ୬.୯.୧୯୫୪ ତାରିଖରେ ବିଧାସଭାରେ ଆଗତ କରିଥିଲେ ଓ ବିଧାନସଭାରେ ଗୃହୀତ ହୋଇ ରାଜ୍ୟପାଳଙ୍କ ସମ୍ମତି ପାଇ ୧୪.୧୦.୧୯୫୪ରେ ପ୍ରବର୍ତ୍ତିତ ହୋଇଥିଲା ।

କିନ୍ତୁ ଏହା ହିଁ ଭାଷା ଆଇନର ଆରମ୍ଭ ନୁହେଁ । ଆମ ଭାଷାରେ ଆମେ ସମସ୍ତ ସରକାରୀ ସେବା ପାଇବୁ – ଏଥିପାଇଁ ଆମ ଭାଷାଭାଷୀ ସମଗ୍ର ଅଞ୍ଚଳକୁ ନେଇ ଏକ ସ୍ବତନ୍ତ୍ର ପ୍ରଦେଶ ସୃଷ୍ଟି କରାଯାଉ ବୋଲି ଘୁମୁସରର ଦୀନବନ୍ଧୁ ପଟ୍ଟନାୟକ ୧୧.୯.୧୮୭୦ ତାରିଖରେ ଭିଆଇ ଥିବା ପ୍ରଥମ ଜନସମାବେଶରେ ଯେଉଁ ମତ ପ୍ରକାଶ ପାଇଥିଲା , ତାହା ତ ନିଶ୍ଚୟ ଆମ ପ୍ରଦେଶ ସୃଷ୍ଟିର ମୂଳାଧାର ଥିଲା; ମାତ୍ର ତାହା କୌଣସି ସରକାରୀ ଭାଷା ଆଇନର ପରିକଳ୍ପନା କରିନଥିଲା । ତହିଁ ପ୍ରଭାବରେ କାଳକ୍ରମେ ଯେଉଁ ଉତ୍କଳ ସମ୍ମିଳନୀ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଭୌଗୋଳିକ ଏକତ୍ରୀକରଣ ପାଇଁ ତଦାନୀନ୍ତନ ବ୍ରିଟିଶ ସରକାରକୁ ବାଧ୍ୟ କଲା ତାହା ବି ସରକାରୀ ଭାଷା ଆଇନ ପ୍ରଣୟନ ପାଇଁ କୌଣସି ଚିନ୍ତା ପ୍ରକଟ କରିନଥିଲା । ଘୁମୁସର ପ୍ରସ୍ତାବର ପ୍ରାୟ ଦୁଇ ଦଶନ୍ଧି ପରେ ଭାଷାଭିତ୍ତିକ ଜାତୀୟତାର ଯେଉଁ ଅନନ୍ୟ ପ୍ରସୂନ ପ୍ରସ୍ଫୁଟିତ ହେଲା ସମ୍ବଲପୁର ଅଞ୍ଚଳରେ, ଯାହାକୁ ଭାଷା ଭିତ୍ତିରେ ଓଡ଼ିଶା ପ୍ରଦେଶ ସୃଷ୍ଟିର ଶ୍ରେଷ୍ଠ ବୌଦ୍ଧିକ ଆଧାର ଭାବେ ଗ୍ରହଣ କରାଯାଏ, ତାହା ମଧ୍ୟ ସରକାରୀ ଭାଷା ଆଇନର ପରିକଳ୍ପନା କରିନଥିଲା । ତେବେ ଭାଷା ଆଇନ କଥା ଆସିଲା କେଉଁଠୁ ?

ପ୍ରଥମ ପ୍ରସ୍ତାବକ

ସମ୍ବଲପୁରର ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ହିଁ ଓଡ଼ିଆ ଭାଷାକୁ ଓଡ଼ିଶାର ସରକାରୀ ଭାଷା କରିବାକୁ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ ଦେଇଥିବା ପ୍ରଥମ ବ୍ୟକ୍ତି । ତାଙ୍କ ଓଡ଼ିଆ ଭାଷାପ୍ରେମ ହିଁ ତାଙ୍କ ମୃତ୍ୟୁର କାରଣ ହୋଇଥିଲା । ରାଜ୍ୟରେ ଜାରିହୋଇଥିବା ଅଣଓଡ଼ିଆ ଅଧ୍ୟୁଷିତ ପ୍ରଥମ ରାଷ୍ଟ୍ରପତି ଶାସନକାଳରେ ପଛରୁ ଛୁରାମାରି ତାଙ୍କୁ ହତ୍ୟା କରାହୋଇଥିଲା ଓ ସରକାରୀ ଚାପରେ ଓଡିଶା ରାଜ୍ୟ ପୋଲିସ ଏପରି ନାଟକ କରିଥିଲା ଯେ, ତାଙ୍କ ହତ୍ୟାକାରୀକୁ ଦଣ୍ଡିତ କରାହୋଇପାରିନଥିଲା ।

ସେ ପୂର୍ବ-ବରଗଡ଼ର ପ୍ରତିନିଧିତ୍ବ କରୁଥିଲାବେଳେ ୧.୪.୧୯୪୮ ତାରିଖରେ ପ୍ରଥମଥର ପାଇଁ ସରକାରୀ ଭାଷା ଆଇନ ପ୍ରଣୟନ କରିବାକୁ ସରକାରଙ୍କୁ ଆହ୍ବାନ ଦେଇ ଏକ ପ୍ରସ୍ତାବ ଆଗତ କରିଥିଲେ ଯାହାର ଶୀର୍ଷକ ଥିଲା “Resolution regarding adoption of Oriya as the Provincial State Language of Orissa from the 1st June, 1948” । ଏହି ମହାନ ଦେଶପ୍ରେମୀ, ଯେ କି ଶିଶୁ ପରି ସରଳ ଅଥଚ ଆଦର୍ଶରେ ଏତେ ଅଟଳ ଥିଲେ ଯେ, ଜୀବନର ଅଧିକାଂଶ ସମୟ ବିତାଇଥିଲେ କାରାଗାରରେ ଓ ଯାହାଙ୍କୁ ସମ୍ବଲପୁରର ଗାନ୍ଧୀ ଭାବେ ଆଖ୍ୟାୟିତ କରିବା ବି ତାଙ୍କର ତ୍ୟାଗପୂତ ଜୀବନର ପ୍ରକୃତ ମୂଲ୍ୟାୟନ ଠାରୁ ଉଣା ହେବ , ଏହି ପ୍ରସ୍ତାବ ଆଗତ କଲାବେଳେ ସେଦିନ କହିଥିଲେ, “At the first instance, Sir, this may appear to be a controversial bit of proposition on my part inasmuch as the Government spokesman have abhorred that the introduction of Oriya, the only mother tongue of Oriyas, as the State Language, will ill-suit to the Secretariat and other branches of administration.” ଅତଏବ “ଓଡ଼ିଶାର ଏକମାତ୍ର ଭାଷା ଓଡ଼ିଆ”କୁ ସରକାରୀ ଭାଷା କରାଯିଵା ସଚିବାଳୟ ଓ ଅନ୍ୟ ପ୍ରଶାସନିକ ଦପ୍ତର ପାଇଁ ଗ୍ରହଣୀୟ ହେବନାହିଁ ବୋଲି ସରକାରୀ ମୁଖପତ୍ର ହିଁ କହିଥିଲେ । ପଣ୍ଡିତ ମିଶ୍ରଙ୍କ ଭାଷଣରୁ ବୁଝାଯାଏ , ଓଡ଼ିଶାରେ ଓଡ଼ିଆ ଭାଷା ପ୍ରଚଳନ ପାଇଁ ମହତାବଙ୍କ ରାଜନୈତିକ ସରକାର ଯେଉଁ ତାତ୍ସଲ୍ୟ ପ୍ରଦର୍ଶନ କରିଥିଲେ, ତାହା ହିଁ ତାଙ୍କୁ ଏହି ବୈଧାନିକ ପ୍ରସ୍ତାବ ଆଗତ କରିବାକୁ ବାଧ୍ୟ କରିଥିଲା । ପଣ୍ଡିତ ମିଶ୍ର କହିଥିଲେ, ଓଡ଼ିଆ ଭାଷାକୁ ସରକାରୀ ଭାଷା କରିବାପାଇଁ ସରକାର କି ପଦକ୍ଷେପ ନେଲେଣି ବୋଲି ମୁଁ ଯେଉଁଦିନ ପଚାରିଥିଲି, ସରକାର କହିଥିଲେ ତାଙ୍କ ପାଇଁ ଅନ୍ୟ କାମ ଅଧିକ ଗୁରୁତ୍ବପୂର୍ଣ । ଓଡ଼ିଆ ଭାଷା ପାଇଁ ଏହି ଅବଜ୍ଞା – ବସ୍ତୁତଃ ଆପରାଧୀକ ଅବଜ୍ଞା – ଓଡ଼ିଆ ଜାତିକୁ ତାର ସ୍ବରାଜ୍ୟାଧିକାରରୁ ବଞ୍ଚିତ କରିବ ବୋଲି କହି, ପଣ୍ଡିତ ମିଶ୍ର କହିଥିଲେ, “We are going to dupe our own men by making them bereft of their sacred and hallowed mother tongue in the Courts,in the Schools and other sphere of activities concerning the body politics.”

ଭାଷା ଆଇନର ଜନ୍ମ

ମହତାବଙ୍କ ସରକାର ପଣ୍ଡିତ ମିଶ୍ରଙ୍କୁ ବାଧ୍ୟ କରିଥିଲା ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରିନେବା ପାଇଁ । ଜଣେ ମନ୍ତ୍ରୀ ହୋଇଥିବା ହେତୁ, ମନ୍ତ୍ରୀମଣ୍ଡଳୀୟ ଶୃଙ୍ଖଳାରେ ଆବଦ୍ଧ ହୋଇ, ସେଠି ଅଗତ୍ୟା ନୀରବ ରହିଥିବା ନବକୃଷ୍ଣ ଚୌଧୁରୀ ଆତ୍ମଗ୍ଲାନିର ଚାପରେ ତିନି ସପ୍ତାହଠି ଉଭୟ ମନ୍ତ୍ରୀପଦ ଓ ବିଧାନସଭା ସଭ୍ୟପଦରୁ ଇସ୍ତଫା ଦେଇ ଚାଲିଯାଇଥିଲେ । ତେଣୁ, ସମ୍ବିଧାନ ଗୃହୀତ ହେବା ପରେ ଯେତେବେଳେ ସାର୍ବଜନୀନ ଭୋଟ ବଳରେ ପ୍ରଥମ ନିର୍ବାଚିତ ସରକାର ଗଠିତ ହେଲା, ସେତେବେଳେ ମହତାବ ନୁହନ୍ତି, ନବବାବୁ ହିଁ ଥିଲେ ସାରା ଓଡ଼ିଶାର ସର୍ବୋତ୍ତମ ପସନ୍ଦ ମୁଖ୍ୟମନ୍ତ୍ରୀ ପଦପାଇଁ । ପଣ୍ଡିତ ମିଶ୍ରଙ୍କ ପ୍ରତ୍ୟାହୃତ ପ୍ରସ୍ତାବ ତାଙ୍କପାଇଁ ଜୀବନ୍ତ ସ୍ମୃତି ହୋଇ ରହିଥିଲା । ସେହି ସ୍ମୃତିରୁ ହିଁ ଜନ୍ମ ନେଲା ଓଡିଶା ସରକାରୀ ଭାଷା ଆଇନ, ଯାହା ଏଯାଏଁ କାର୍ଯ୍ୟକାରୀ ହୋଇନାହିଁ ଓ ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରାୟ ହଜାରେ ଦିନ ହୋଇଗଲା ଚାଲିଛି କଳାପତାକା ଅଭିଯାନ ।

ଓଡ଼ିଶା ସୃଷ୍ଟିର ଉଦ୍ଦେଶ୍ୟ

ଭାରତର ପ୍ରଥମ ଭାଷା ଭିତ୍ତ୍ୱିକ ରାଜ୍ୟ ଭାବେ ଓଡିଶା ପରିଚିତ । ଏହି ସ୍ବତନ୍ତ୍ର ପରିଚୟର ଭିତ୍ତି ଉପରେ ମୁଁ ଯେତେବେଳେ ଗବେଷଣା କଲି, ସେତେବେଳେ ଏହି ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟ କଣ ଥିଲା ତାହା ଅନୁଧ୍ୟାନ କରିବା ଅପରିହାର୍ଯ୍ୟ ଥିଲା । ବିଶ୍ଵର ଅନ୍ୟତମ ଶ୍ରେଷ୍ଠ ପୁସ୍ତକ ମଞ୍ଚ scribd.comର https://www.scribd.com/doc/19216578/Role-of-Mass-Media-in-Creation-of-Orissaରେ ୨୯.୮.୨୦୦୯ ତାରିଖରେ ପ୍ରକାଶିତ ମୋର ନିବନ୍ଧରେ ମୁଁ ଦର୍ଶାଇଛି , କେବଳ ଓଡ଼ିଆ ଭାଷାରେ ହିଁ ସମସ୍ତ ସରକାରୀ ସେବା ପାଇବା ଉଦ୍ଦେଶ୍ୟରେ ଆମ ଜାତି ନାହିଁନଥିବା ଆନ୍ଦୋଳନ କରି ସୃଷ୍ଟି କରିଛି ଓଡ଼ିଶା । ଏବଂ ଏହି ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ପଣ୍ଡିତ ମିଶ୍ର ପ୍ରଥମେ ପ୍ରସ୍ତାବ ରଖିଥିଲେ ଓ ମୁଖ୍ୟମନ୍ତ୍ରୀ ହେବା ପରେ ମନୀଷୀ ନବକୃଷ୍ଣ ଭାଷା ଆଇନଟିର ପ୍ରଣୟନ କରିଥିଲେ ।

ଆଇନ ପ୍ରଣୟନର କାରଣ

ଆଇନଟି ଆରମ୍ଭ ହୋଇଛି ଏହିପରି: “Whereas it is expedient to provide for the adoption of Oriya as the language to be used for all or any of the official purposes of the State of Orissa; It is hereby enacted by the Legislature of the State of Orissa ….” ଅର୍ଥାତ, ଯେହେତୁ ସମସ୍ତ ଓ ପ୍ରତ୍ୟେକ ସରକାରୀ କର୍ମ ଓଡ଼ିଆ ଭାଷାରେ ହିଁ ହେବା ଆବଶ୍ୟକ, ସେହେତୁ ଏହି ଆଇନ ପ୍ରଣୀତ ହେବା ଆବଶ୍ୟକ ।

ଦୁଃଖର କଥା , ଏହି ଉଦ୍ଦେଶ୍ୟ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ନବବାବୁଙ୍କ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ମହତାବ ଏହାକୁ ଅବଜ୍ଞା ପ୍ରଦର୍ଶନ କଲେ ଓ ନବବାବୁଙ୍କ ଉପରେ ରାଗ ଶୁଝାଇବା ପାଇଁ ମହତାବଙ୍କ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହାକୁ ସଂଶୋଧନ କରି ୧୯୬୩ରେ ସମ୍ପୂର୍ଣ ବେଆଇନ ଶୈଳୀରେ ଇଂରାଜୀ ଭାଷାକୁ କବର ତଳୁ ଉଠାଇ ଓଡିଶା ବିଧାନସଭା ପରିସରରେ ସରକାରୀ ଭାଷା କରାଇଦେଲେ , ଯାହା ଫଳରେ ସାରା ଓଡିଶା ଇଂରାଜୀ ଭାଷାଧିପତ୍ୟ କବଳକୁ ଠେଲି ହୋଇଯାଇଛି ଏବଂ ଆମ ଭାଷା ଆଇନ ଅକାମି ହୋଇ ପଡିଛି ।

ମନ୍ତ୍ରୀସ୍ତରୀୟ କମିଟି

କବି ଗଜାନନ ମିଶ୍ରଙ୍କ ଅନଶନ ଧର୍ମଘଟ ପ୍ରେକ୍ଷାପଟରେ ୩୧.୭.୨୦୧୫ରେ ଏକ ବିଧିକ ସଂକଳ୍ପ ଜାରି କରି ଓଡ଼ିଶା ସରକାର ଆଇନଟିର କାର୍ଯ୍ୟକାରିତା ଉପରେ ପରାମର୍ଶ ଦେବାକୁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ଯହିଁରେ ଜଣେ ସଭ୍ୟ ଭାବେ ମୁଁ ସ୍ଥାନିତ ହେଲି ।

Scribd.comରେ ୨୯.୮.୨୦୦୯ ତାରିଖରେ ପ୍ରକାଶିତ ମୋର ନିବନ୍ଧ ରଚନା ବେଳେ ଭାଷା ଆଇନର ମୂଳ ନଥି ମୁଁ ଯେତେ ଖୋଜିଲେ ମଧ୍ୟ ମିଳି ନଥିଲା । ମନ୍ତ୍ରୀସ୍ତରୀୟ କମିଟିର ସଭ୍ୟ ହେବା ଫଳରେ ଏହି ପଦାଧିକାର ପ୍ରୟୋଗ କରି ସରକାରୀ ସିନ୍ଧୁକରେ ଲୁଚା ହୋଇରହିଥିବା ନଥିଟି ମୁଁ ଅନୁଧ୍ୟାନ କଲି ଓ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଅମଲାତନ୍ତ୍ର ପରିସୃଷ୍ଟ କି ପ୍ରବଳ ପ୍ରତିକୂଳ ପରିସ୍ଥିତିରେ ଆଇନଟିକୁ ତିଆରି କରିଥିଲେ ତାହା ଅନୁଭବ କଲି ।

ଆଜନ୍ମ ତ୍ରୁଟି ଓ ତାର ସଂଶୋଧନ ପ୍ରସ୍ତାବ

ଆଇନଟିରେ ଦୁଇଟି ଅଜନ୍ମ ତ୍ରୁଟି ଥିଲା, ଯାହା ପ୍ରତି ସେହି ବିଶେଷ ପରିସ୍ଥିତିରେ ନବବାବୁ ଆଖିବୁଜି ଦେଇଥିବା ସ୍ଵାଭାବିକ ବୋଲି ମୋର ମନେ ହେଲା । ସେ ଦୁଇଟି ହେଲା – (୧) ଆଇନଟିର ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଅନୁପସ୍ଥିତି ଓ (୨) ଦଣ୍ଡବିଧାନ ପାଇଁ ତଥା ଆଇନଟିକୁ କ୍ରିୟାଶୀଳ କରିବା ପାଇଁ ଯେଉଁ ନିୟମାବଳୀ ଆବଶ୍ୟକ ତାହା ପ୍ରଣୟନ ସକାଶେ ସରକାରଙ୍କ ଅସାମର୍ଥ୍ୟ । ତେଣୁ ଏଇ ଦୁଇଟି ଆଜନ୍ମ ତ୍ରୁଟି କବଳରୁ ଆଇନଟିକୁ ଉଦ୍ଧାର କରିବା ପାଇଁ ମୁଁ କେବଳ ପ୍ରସ୍ତାବ ଦେଲି, ତା ନୁହେଁ; ଆଇନ ସଂଶୋଧନର ଚିଠା ଓ ନିୟମାବଳୀର ଚିଠା ବି ଦାଖଲ କଲି ୩. ୯. ୨୦୧୫ ତାରିଖରେ ।

ଆଇନ ସଂଶୋଧନ ଚିଠାରେ ନୂଆ ଧାରା ସଂଯୋଜନ ପାଇଁ ମୁଁ ପ୍ରସ୍ତାବ ଦେଇଥିଲି । ତହିଁର ଶୀର୍ଷକ ଥିଲା, “ନାମ ପରିବର୍ତ୍ତନ ଓ ନିୟମାବଳୀ ପ୍ରଣୟନ” । ମୁଁ ଲେଖିଥିଲି ଯେ, ଓଡିଶା ସରକାରୀ ଭାଷା ଆଇନ,୧୯୫୪ରେ ଏକ ନୂତନ ଧାରା ଭାବେ ଧାରା – ୪ ଯୋଡ଼ା ଯାଉ ଓ ତାହା ଏହି ପରି ହେଉ :

“ଧାରା – ୪ (୧) ଓଡିଶା ସରକାରୀ ଭାଷା ଆଇନ ୧୯୫୪ର ନାମ ପରିବର୍ତ୍ତିତ ହୋଇ ଓଡିଶା ଲୋକଭାଷା ଆଇନ, ୧୯୫୪ ହେବ ;

(୨) ଏହି ଆଇନଟିକୁ ତାର ସମସ୍ତ ବା ଯେ କୌଣସି ଉଦ୍ଦେଶ୍ୟରେ ପ୍ରୟୋଗ କରିବା ପାଇଁ , ଆଇନଟିର ଯେ କୌଣସି ବା ସମସ୍ତ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ପାଇଁ , ଆଇନଟିର ପରିସର ବା ଉଦ୍ଦେଶ୍ୟ ପରିବର୍ଦ୍ଧନ ପାଇଁ , ଆଇନଟିର କୌଣସି ବ୍ୟବସ୍ଥାର ଲଙ୍ଘନ ବିରୁଦ୍ଧରେ ଦଣ୍ଡ ବିଧାନ ପାଇଁ , ସରକାର ନିୟମାବଳୀ ପ୍ରଣୟନ କରିବେ ।”

ପୂର୍ବରୁ କହିଛି ଯେ, ଉପଧାରା (୧)କୁ ମନ୍ତ୍ରୀସ୍ତରୀୟ କମିଟି ଗ୍ରହଣ ନ କରିବା ଫଳରେ ତାହା ସରକାରଙ୍କ ବିଚାର ବଳୟକୁ ଯାଇ ନଥିଲା । ଉପଧାରା ୨) ଥିଲା ଗୁରୁତ୍ଵପୂର୍ଣ୍ଣ । ଏଥିରେ ଥିବା ମୋର ଦୁଇଟିଯାକ ପ୍ରସ୍ତାବକୁ ସରକାର ଦୁଇ ଥାକରେ ବିଧିକ ରୂପ ଦେଇଛନ୍ତି । ପ୍ରଥମତଃ , ନିୟମାବଳି ପ୍ରଣୟନ ପ୍ରସ୍ତାବଟିକୁ କାର୍ଯ୍ୟକାରୀ କରିବା ପାଇଁ ୨୧.୫.୨୦୧୬ ତାରିଖରେ ଅଧ୍ୟାଦେଶ ଜାରି କରି “The State Government may make Rules to carry out the purposes of the Act” ବୋଲି କହିଛନ୍ତି ଓ ୨୮.୯.୨୦୧୬ ତାରିଖରେ ଏହି ଅଧ୍ୟାଦେଶକୁ ବିଧାନସଭାରେ ପାରିତ କରାଇ ରାଜ୍ୟପାଳଙ୍କ ସମ୍ମତି ବି ପାଇଛନ୍ତି । ଦ୍ବିତୀୟତଃ , ଦଣ୍ଡବିଧାନ ପ୍ରସ୍ତାବଟିକୁ କାର୍ଯ୍ୟକାରୀ କରିବାକୁ ୧.୫.୨୦୧୮ ତାରିଖରେ ଆଇନଟିର ସଂଶୋଧନ କରି ୪-କ ନାମକ ନୂଆ ଧାରା ଖଞ୍ଜି ତହିଁରେ କରିଥିବା ଗୁରୁତର ପ୍ରମାଦକୁ ମୁଁ ରାଜ୍ୟପାଳଙ୍କୁ ଦେଇଥିବା ପତ୍ର ଭିତ୍ତିରେ ସୁଧାରିବାକୁ ଚେଷ୍ଟା କରି ୧୯.୯.୨୦୧୮ ତାରିଖରେ ପୁନଃ ସଂଶୋଧନ ବି କରିଛନ୍ତି , ଯହିଁ ଅନୁସାରେ ୪-କ ଧାରାର ଚୂଡାନ୍ତ ଭାଷା ହେଲା : “ସରକାର ସରକାରୀ ଭାଷା ରୂପେ ଓଡ଼ିଆର ବ୍ୟାପକ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ବା ଉଭୟଙ୍କୁ ଦଣ୍ଡବିଧାନ କରିବା ସକାଶେ ନିୟମାବଳୀରେ ଉପଯୁକ୍ତ ବ୍ୟବସ୍ଥାମାନ ବିହିତ କରିପାରିବେ ।”

ଏତଦ୍ଦୃଷ୍ଟେ ଏହା ହିଁ କୁହାଯାଇ ପାରିବ ଯେ, ୩. ୯. ୨୦୧୫ ତାରିଖରେ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ମୁଁ ଯେଉଁ ଦୁଇଟି ପ୍ରସ୍ତାବ ଦେଇଥିଲି ସେ ଦୁଇଟିଯାକ ପ୍ରସ୍ତାବକୁ ଗ୍ରହଣ କରି ସରକାର ଦୁଇ ଖେପାରେ ଭାଷା ଆଇନ ସଂଶୋଧନ କରିଛନ୍ତି । ତେବେ, ଏହି ଦୁଇ ପରାମର୍ଶ ସପକ୍ଷରେ ଚାଲିଥିବା କଳାପତାକା ଅଭିଯାନ ବନ୍ଦ ନ ହୋଇ ଆଜିଯାଏଁ ଚାଲିଛି କାହିଁକି ? ସରକାରୀ ଚଞ୍ଚକତା ହିଁ ଏହାର କାରଣ ।

ଭାଷା ଆନ୍ଦୋଳନ

ଏହି ଚଞ୍ଚକତା ପାଇଁ ସରକାର ସାହସ କରିପାରିନଥାନ୍ତେ, ଯଦି ଭାଷା ଆନ୍ଦୋଳନରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ କରିଥିବା ଦୁଇଜଣ ବ୍ୟକ୍ତି – ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା – ଆନ୍ଦୋଳନ ପ୍ରତି ବିଶ୍ଵାସଘାତକତା କରି ସରକାରଙ୍କ ସହ ହାତ ମିଳାଇନଥାନ୍ତେ ।

ଭାଷା ଆନ୍ଦୋଳନ ଏକ ଅନନ୍ୟ ଆନ୍ଦୋଳନ, ଯାହା ମୋ ପରିସୃଷ୍ଟ ନୀରବ କଳାପତାକା ଅଭିଯାନର ସାଙ୍ଗଠନିକ ନାମ । ଗତ ଶତାବ୍ଦୀର ଅଶୀ ଦଶକରେ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନିର୍ବାଚନକାଳୀନ ପ୍ରତିଶୃତି ଭଙ୍ଗ ସମ୍ପର୍କରେ ଜନଚେତନା ଜାଗରଣ ପାଇଁ ତାଙ୍କ ନିର୍ବାଚନମଣ୍ଡଳୀ ଆଠଗଡ଼-ତିଗିରିଆର ବାସିନ୍ଦା ଭାବେ ମୁଁ ଏହି ଅନନ୍ୟ ପଦ୍ଧତ୍ତି ସୃଷ୍ଟି ଓ ପ୍ରୟୋଗ କରିଥିଲି ଯାହା ସାବ୍ୟସ୍ତ କରିଥିଲା କି, ନୀରବତା କୌଣସି ପ୍ରତିବାଦକାରୀର ଦୁର୍ବଳତା ନୁହେଁ , ତାର ଦୂର୍ବରତା । ଏହି ଆନ୍ଦୋଳନ ଆଇନର ଚଉସୀମା ଭିତରେ ରହି ଆଇନ ସପକ୍ଷରେ କାମ କରିବାକୁ ଏକ ଆଇନବିମୁଖୀ ସରକାରଙ୍କୁ ବାଧ୍ୟ କରିବା ପାଇଁ ସମ୍ପୂର୍ଣ ଶାନ୍ତିପୂର୍ଣ ଭାବେ ନୀରବ ସଂଗ୍ରାମର ଏହା ଏକ ପରୀକ୍ଷଣ, ଯାହାର ଯାହାର ଵିଶିଷ୍ଟ୍ୟ ଓ ସଫଳତା ଉପରେ ନିମ୍ନ ଦୁଇଟି ଉଦ୍ଧୃତି ଆଲୋକପାତ କରେ :
(୧) “ବରେଣ୍ୟ ସୁଭାଷ ପଟ୍ଟନାୟକଙ୍କ ପ୍ରଜ୍ଞାଜ ଏହି ଦର୍ଶନର ଆମେ ସମସ୍ତେ ସଂଚାଳକ ।” ଏହା ମଇ ୧୨, ୨୦୧୬ ସମେତ ବିଭିନ୍ନ ଦିବସରେ ନିଜ ଫେସ ବୁକ ପୃଷ୍ଠାରେ ଲେଖିଥିଲେ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଶତପଥୀ ଯେ କି ନିଜ କୁତ୍ସିତ ଅଭିସନ୍ଧି ହେତୁ ଏହି ଆନ୍ଦୋଳନ ବିରୁଦ୍ଧରେ ସରକାରଙ୍କ ସହ ହାତ ମିଳାଇଛନ୍ତି ।
(୨) “ସର୍ବପ୍ରଥମେ ସମସ୍ତେ ଜାଣିବା ଦରକାର ଯେ, ଏହି ଆନ୍ଦୋଳନ ଯଦି ମୁଣ୍ଡ ଟେକି ଉଠିପାରିଲା ଓ ଏତେ ବାଟ ଆଗେଇପାରିଛି, ତାର ଶ୍ରେୟ ଆପଣମାନଙ୍କ ପାଖକୁ ତ ଯିବ ହିଁ ଯିବ, କିନ୍ତୁ ସର୍ବାଗ୍ରେ ଯିବ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କୁ । ତାର କାରଣ ହେଲା, ତାଙ୍କରି ହେତୁ ହିଁ ଉତ୍ସବ ମନାଇବାର ସୁଯୋଗ ଆମକୁ ମିଳିଛି । ୧୯୫୪ ମସିହାର ଗୋଟିଏ ଆଇନକୁ କାହିଁକି ୨୦୧୬ ମଇ ୨୧ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେଲା ସାମାନ୍ୟ ଗୋଟିଏ ସଂଶୋଧନ ପାଇଁ ?ଆମେ ଯେଉଁମାନେ ଓଡ଼ିଶା ସମ୍ପର୍କରେ ଆଲୋଚନା କରୁ – ମୋ ମନକୁ ଏହି ପ୍ରଶ୍ନ ଆନ୍ଦୋଳିତ କରୁଛି – ୧୯୫୪ ମସିହାରେ ତ ଆଇନଟି ହୋଇଥିଲା – ଓଡ଼ିଶାରେ ଏତେ ବୁଦ୍ଧିଜୀବୀ ଥିଲେ, ଏତେ ବିଜ୍ଞ ଲୋକ ଥିଲେ, କେହି କ’ଣ ଜାଣିପାରିଲେଣି ଯେ, ଏହି ଆଇନଟି ସଂଶୋଧନ ନ କଲା ପର୍ଯ୍ୟନ୍ତ ଏହା ଦ୍ଵାରା ସରକାରୀ ଭାଷା ବ୍ୟବହାର ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ?ଏ ପ୍ରଶ୍ନର ଉତ୍ତର ପାଇଁ ଆଜି ମୁଁ ଯଦି ଟିକେ ଚିନ୍ତା କରୁଛି, ତାର କାରଣ ହେଲେ ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ । ସେ ସମସ୍ତ ବିଷୟକୁ ଗବେଷଣା କରି ଆମ ଆଖି ଖୋଲି ଦେଇଛନ୍ତି । ସେ ଦେଖେଇ ଦେଇଛନ୍ତି – କେଉଁଠାରେ, କେଉଁ ନିର୍ଦ୍ଦିଷ୍ଟ ବିନ୍ଦୁରେ ଆଘାତ ଦେଲେ କଥାଟି ପରିସ୍କାର ହେବ ଏବଂ ତାର ଶଙ୍କର ଓ ପରିବର୍ତ୍ତନ ପାଇଁ ବାଟ ଫିଟିବ ।” ଏହା କହିଥିଲେ , ସମ୍ବାଦ ସମ୍ପାଦକ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ ୨୧.୫.୨୦୧୬ ଦିନ ଭାଷା ଆନ୍ଦୋଳନ ପାଖରେ ମୁଣ୍ଡ ନୁଆଇଁ ସରକାର ମୋ ପ୍ରଦତ୍ତ ପ୍ରସ୍ତାବର ଏକାଂଶ ଅଧ୍ୟାଦେଶ ବଳରେ କାର୍ଯ୍ୟକାରୀ କରିଥିବା ହେତୁ ଭାଷା ଆନ୍ଦୋଳନକାରୀମାନଙ୍କ ବିଜୟ ଉତ୍ସବ ପାଳନ ଅବସରରେ । ସୌମ୍ୟବାବୁ ଏବେ ସରକାରୀ ଦଳରେ ଯୋଗ ଦେଇ ରାଜ୍ୟସଭାର ସଭ୍ୟ ହୋଇଛନ୍ତି ।

ଭାଷା ଆନ୍ଦୋଳନ ଓଡ଼ିଶାର ଚଳନ୍ତି ଇତିହାସର ଏକ ଅବିସ୍ମରଣୀୟ ଅଧ୍ୟାୟ । ସାଫଲ୍ୟର ଔଜ୍ୱଲ୍ୟ ଯେପରି ଏହାର ପୃଷ୍ଠା ମଣ୍ଡନ କରିଛି , ହୀନମନ୍ୟତା ଭୋଗୁଥିବା ମୋର ମୁଷ୍ଟିମେୟ ସହକର୍ମୀଙ୍କ ବିଶ୍ଵାସଘାତକତା ଓ ଅର୍ଥନୈତିକ ଅସାଧୁତା ସେହିପରି ଏକ କୁଟିଳ ରାବଣଛାୟାରେ ଏହାକୁ ଆଚ୍ଛନ୍ନ କରିଛି ।

ପ୍ରଥିତଯଶା ବ୍ୟକ୍ତିମାନଙ୍କଠାରୁ ଆରମ୍ଭ କରି ସାଧାରଣ ଅଖ୍ୟାତ ଓଡ଼ିଆ ଭାଇଭଉଣୀମାନେ ଏହି ଆନ୍ଦୋଳନରେ ଝାସ ଦେଇ ମୋ ପ୍ରସ୍ତାବିତ ସଂଶୋଧନ ପାଇଁ ସରକାରଙ୍କୁ ବାଧ୍ୟ କରିଛନ୍ତି । କିନ୍ତୁ ଲକ୍ଷ୍ୟ ଆହୁରି ଦୁରେଇ ଯାଇଛି ।

ଭାଷା ଆଇନଟି ପ୍ରତି ସରକାରୀ ବିମୁଖତା ସତ୍ତ୍ଵେ ଓଡ଼ିଶାର ସର୍ବତ୍ର, ସମସ୍ତ ଓ ପ୍ରତ୍ୟେକ ସରକାରୀ କାମ ଓଡ଼ିଆ ଭାଷାରେ ହିଁ ହେବ – ଏହା ସୁନିଶ୍ଚିତ ହୋଇ ଆସୁଥିବା ବେଳେ ବ୍ୟକ୍ତିଗତ ସ୍ବାର୍ଥଲିପ୍ସା ଆନ୍ଦୋଳନର ଏପରି କେତେକଙ୍କୁ କବଳିତ କରିଛି ଯେ, ସେମାନଙ୍କ ସହାୟତାରେ ଓଡ଼ିଆ ଭାଷା ଆଇନକୁ ସବୁଦିନ ସକାଶେ ଅକାମି କରିଦେବା ପାଇଁ କ୍ୟାବିନେଟ ସ୍କାମ ପରି ଚଞ୍ଚକତା କରିପାରିଛନ୍ତି ସ୍ଵୟଂ ମୁଖ୍ୟମନ୍ତ୍ରୀ ।

କ୍ୟାବିନେଟ ସ୍କାମ

ଭାଷା ଆଇନ ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନ ପାଇଁ ଆଇନ ସଂଶୋଧନ ସକାଶେ ୧୪.୩.୨୦୧୮ ତାରିଖରେ ରାଜ୍ୟ କ୍ୟାବିନେଟ ଯେଉଁ ପ୍ରସ୍ତାବ ଗ୍ରହଣ କରିଥିଲା , ସେହି ପ୍ରସ୍ତାବକୁ ସମ୍ପୂର୍ଣ ଅନ୍ତର୍ଦ୍ଧାନ କରାଇଦେଇ ୧.୫.୨୦୧୮ ତାରିଖରେ ଗୃହୀତ ସଂଶୋଧନ ବିଧେୟକକୁ ୨୬.୧୨.୨୦୧୭ ତାରିଖର କ୍ୟାବିନେଟ ପ୍ରସ୍ତାବ ଉପରେ ଆଧାରିତ କରାହୋଇଛି । ଏବଂ ସଂଶୋଧନର “ଉଦ୍ଦେଶ୍ୟ ଓ କାରଣ କଥନ”ରେ ଏହା ଲିପିବଦ୍ଧ କରାଯାଇ ଏପରି ବିଧିକ ଅଭିଳାଷ ସହ ତାହାକୁ ଅବିଛେଦ୍ୟ କରାଯାଇଛି ଯେ, ଆଇନଟି ଓଡ଼ିଶାର ସର୍ବତ୍ର କାର୍ଯ୍ୟକାରୀ ହେବନାହିଁ ଏବଂ ଓଡ଼ିଶାରେ ସମସ୍ତ ଓ ପ୍ରତ୍ୟେକ ସରକାରୀ କାମ ଓଡ଼ିଆ ଭାଷାରେ ହେବନାହିଁ । ଅଧିକନ୍ତୁ, ଅମଲାତନ୍ତ୍ରର ଦୟା ଉପରେ ନିର୍ଭର କରିବ ଭାଷା ଆଇନର ସୀମା ଓ ସ୍ବରୂପ ।

ତେଣୁ, ଏହି ୪-କ ଧାରାକୁ ବିଲୋପ କରାଯାଇ ନବକୃଷ୍ଣ ଚୋଧୁରୀଙ୍କ ପ୍ରଣୀତ ଓଡିଶା ସରକାରୀ ଭାଷା ଆଇନ,୧୯୫୪କୁ ଅକ୍ଷୁର୍ଣ୍ଣ ରଖି ତହିଁର ଉଲ୍ଲଙ୍ଘନ ବିରୁଦ୍ଧରେ ୩. ୯. ୨୦୧୫ ତାରିଖରେ ଦିଆଯାଇଥିବା ପ୍ରସ୍ତାବ ଅନୁସାରେ ସ୍ପଷ୍ଟତଃ ଉଚ୍ଚାରିତ କଠିନ ଦଣ୍ଡବିଧାନ ବ୍ୟବସ୍ଥା ସହ ସାନି ସଂଶୋଧନ ଦାବିରେ ଚାଲିଛି କଳାପତାକା ଅଭିଯାନ । ଏହି ଦାବି ହାସଲ ହୋଇନପାରିଲେ, ଭାଷା ଆଇନଟି ଲକ୍ଷ୍ୟଭ୍ରଷ୍ଟ ହୋଇ ଓଡ଼ିଆ ଜାତିର ଭାଷା ଅଧିକାରକୁ ଭୟଙ୍କର ଭାବେ କ୍ଷୁର୍ଣ୍ଣ କରିବ ଏବଂ ଓଡିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟକୁ ବି ପଣ୍ଡ କରିବ ।

ତେଣୁ, ଆଜି ଏପରି ଏକ ଅବସ୍ଥାରେ ଆମେ ଉପନୀତ, ଯେଉଁଠି କେବଳ ସରକାରୀ ଷଡ଼ଯନ୍ତ୍ର ନୁହେଁ , ସ୍ଵାର୍ଥ ହାସଲ ପାଇଁ ଇଂରାଜୀମନସ୍କ ଓ ଓଡ଼ିଆବିରୋଧୀ ସରକାରଙ୍କ ଦଲାଲି କରୁଥିବା ଓଡ଼ିଆ ଭାଷାମାଫିଆମାନଙ୍କ ଚକ୍ରାନ୍ତର ସାମ୍ନା ଆମକୁ କରିବାକୁ ହେବ । ତା ନ ହେଲେ ନିଷ୍ଫଳ ହୋଇଯିବ ଆମ ଓଡିଶା ସରକାରୀ ଭାଷା ଆଇନ ।

Comments

No comments yet.

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS