ସୁଭାଷ ଚନ୍ଦ୍ର ପଟ୍ଟନାୟକ

ପ୍ରତି ଅପରାଧ ମୂଳରେ ଆପରାଧିକ ଅଭିସନ୍ଧି ଥାଏ । ଭାଷା ଆନ୍ଦୋଳନକୁ ଛୁରୀ ମାରିବା ମୂଳରେ ପ୍ରଦ୍ୟୁମ୍ନ ଶତପଥୀଙ୍କର କି ଆପରାଧିକ ଅଭିସନ୍ଧି ଥିଲା ତାହା ଠାବ କରିବାକୁ ମୁଁ ଚେଷ୍ଟା କରିଛି । ନିଜ ଅଧ୍ୟାପିକା ପତ୍ନୀଙ୍କ ଚାକିରି ଫେରିପାଇବାକୁ ପ୍ରତିଶ୍ରୁତ ହେଲା ପରେ, ପ୍ରାୟ ଦେଢ଼କୋଟି ଟଙ୍କା ନଗଦ ଆୟର ମୋହରେ ପଡ଼ି ସେ ଏହି ଅପରାଧ କରିଛନ୍ତି ।

ଶତପଥୀଙ୍କ ପତ୍ନୀ ଶ୍ରୀମତୀ ମାନସୀ ଷଡ଼ଙ୍ଗୀ ଏକ ଘରୋଇ କଲେଜରେ ଉଦ୍ଭିଦ ଅଧ୍ୟାପିକା ଥିଲେ ଓ କଲେଜ କର୍ତ୍ତୃପକ୍ଷଙ୍କୁ  ନ ଜଣାଇ ୨.୭.୨୦୦୮ ତାରିଖରେ କର୍ମକ୍ଷେତ୍ରରୁ କୁଆଡ଼େ ପଳାଇଲେ । ପରେ ଅସୁସ୍ଥଥିବା କାରଣ ଦର୍ଶାଇ ଏକ ଛୁଟି ଦରଖାସ୍ତ ପଠାଇଥିଲେ । ତାହାର ଅବଧି ସରିଗଲା ପରେ ଅନଧିକୃତ ଭାବେ ଅନୁପସ୍ଥିତ ରହିଲେ ।

ଚାକିରି ସର୍ତ୍ତାବଳୀ ଅନୁସାରେ କୌଣସି କର୍ମଚାରୀ ଯଦି ଅନଧିକୃତ ଭାବେ ୫ ବର୍ଷ କାଳ କର୍ମକ୍ଷେତ୍ରରେ ଅନୁପସ୍ଥିତ ରହନ୍ତି , ତେବେ ସେ ଅନୁପସ୍ଥିତ ଥିବା ଦିନ ଠାରୁ ଚାକିରି ତ୍ୟାଗ କରିଛନ୍ତି ବୋଲି ଧରି ନିଆଯିବ ଓ ସେହି ପିଛିଲା ତାରିଖରୁ ତାଙ୍କ ନିଯୁକ୍ତି ରଦ୍ଦ କରାଯିବ ।

ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷ ପିଛିଲା ତାରିଖରୁ ତାଙ୍କ ନିଯୁକ୍ତି ରଦ୍ଦ ପାଇଁ ନିଷ୍ପତ୍ତି ନେଇ ଓଡ଼ିଶା ଶିକ୍ଷା ଆଇନ ୧୯୬୯ର ଧାରା ୧୦ -(କ) ଅନୁସାରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ଅନୁମୋଦନ ଲୋଡ଼ିଥିଲେ  (କଲେଜ ପତ୍ରାଙ୍କ ୮୧୨/ତା ୨୮.୧୦୧୩) । ନିର୍ଦ୍ଦେଶକ ଅନୁମୋଦନ ଦେବା ବା ନଦେବା ପାଇଁ ଏହି ଆଇନର ଧାରା ୧୦-(ଖ) ସର୍ବୋଚ୍ଚ ୩ ମାସ ସମୟ ଦେଇଛି । ଅଥଚ ସେ କୌଣସି ନିଷ୍ପତ୍ତି ନେଲେନାହିଁ ।  ଫଳରେ ଶ୍ରୀମତୀ ଷଡ଼ଙ୍ଗୀଙ୍କ ସ୍ଥାନରେ ସେହି ଘରୋଇ କଲେଜଟି କୌଣସି ନୂଆ ଶିକ୍ଷକ ନିଯୁକ୍ତ କରିପାରୁନଥିଲା ଓ ଛାତ୍ରଛାତ୍ରୀମାନଙ୍କ ପାଠ୍ୟକ୍ରମ ଘୋର ସଙ୍କଟର ସମ୍ମୁଖୀନ ହୋଇଥିଲା । କଲେଜ ଅଧ୍ୟକ୍ଷ ୩.୯.୨୦୧୪ ତାରିଖରେ ଲିଖିତ ଅଭିଯୋଗ କଲେ ଯେ, ଶ୍ରୀମତୀ ଷଡ଼ଙ୍ଗୀଙ୍କ ନିଯୁକ୍ତି-ରଦ୍ଦ ପ୍ରସ୍ତାବ ଉପରେ ଶୋଇରହି ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ ଅଧିକାର ଉପରେ ଖେଳ ଖେଳୁଛନ୍ତି । ନିମ୍ନରେ ତହିଁର ଉଦ୍ଧୃତ୍ତାଂଶ:

“The College is suffering for the continuous absence of a lecturer for such a long time, which the undersigned is sure that the Director shall appreciate. Secondly the College is also losing a sanctioned post till the sanctioned post of the teacher is terminated or shifted.” Sd/ Principal.

ନିଯୁକ୍ତି ରଦ୍ଦ

ସରକାରଙ୍କୁ ଏହା ଅବଗତ କରାଗଲା ପରେ, ପ୍ରଶାସନର ସ୍ଵାଭାବିକ ପ୍ରକ୍ରିୟାରେ ସମସ୍ତ ଘଟଣାର ଅନୁଧ୍ୟାନ କରି ସରକାର ଶ୍ରୀମତୀ ଷଡ଼ଙ୍ଗୀଙ୍କ ଅନୁପସ୍ଥିତି ସମୟକୁ ତାଙ୍କ ନିଯୁକ୍ତି କାଳରୁ ରଦ୍ଦ କରିଦେଲେ ((The period of absence may be treated as breakage in service and she shall not claim any benefit for the said period.”) ଓ ଏଥିପାଇଁ ରାଜି ବୋଲି ସେ ଏକ ସତ୍ୟପାଠ ଦାଖଲ କରିବେ (“She will submit an undertaking in shape of an affidavit to this effect.”) ଏବଂ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଏହି ସତ୍ୟପାଠ ହାସଲ କଲା ପରେ ଭୁବନେଶ୍ବର ବା ଆଖପାଖର କୌଣସି କଲେଜରେ ତାଙ୍କୁ ଅବସ୍ଥାପିତ କରି ଅନଧିକୃତ ଭାବେ ଅନୁପସ୍ଥିତ ରହି ସେ ଛାତ୍ରଛାତ୍ରୀମାନଙ୍କର ଏବଂ କଲେଜ କର୍ତ୍ତୃପକ୍ଷଙ୍କର ଯେଉଁ କ୍ଷତି ଘଟାଇଛନ୍ତି ତା ପାଇଁ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଲେ (ଆଦେଶ ପତ୍ରାଙ୍କ ୧୩୨୯୦ ତା ୨୨.୬.୨୦୧୫) ।

ଅତଏବ, ଏହି ଆଦେଶ ୨.୭.୨୦୦୮ ତାରିଖରୁ ଶ୍ରୀମତୀ ଷଡ଼ଙ୍ଗୀଙ୍କ ନିଯୁକ୍ତି ରଦ୍ଦ ପାଇଁ  ଅନୁମୋଦନ ମାଗିଥିବା କଲେଜ ପତ୍ରାଙ୍କ ୮୧୨/ତା ୨୮.୧୦୧୩ର କାର୍ଯ୍ୟକାରୀତା ପାଇଁ ଉଦ୍ଦିଷ୍ଟ ଥିଲା । ଏହି ଆଦେଶକୁ ରଦ୍ଦ କରିବା ପାଇଁ ସେ କଳକୌଶଳ ପ୍ରୟୋଗ କରୁଥିଲେ ।

ଧରାଧରିର କରାମତି

ଏହି କଳକୌଶଳ ହେତୁ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟରେ ଏହି ଆଦେଶ ପଡ଼ିରହିଲା ଓ ନିର୍ଦ୍ଦେଶକଙ୍କୁ ବାରମ୍ବାର ଅନୁସ୍ମାରକ (reminder) ପଠାଇ ମଧ୍ୟ ଉଚ୍ଚଶିକ୍ଷା ବିଭାଗ କୌଣସି ଉତ୍ତର ପାଇଲାନାହିଁ ।

ଧରାଧରିର କରାମତି କେତେ ହୋଇପାରେ ତାହା ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟର ୩୦.୮.୨୦୧୯ରେ ନିର୍ଗତ ୩୩୯୨୦ ସଂଖ୍ୟକ ପତ୍ରରୁ ସ୍ପଷ୍ଟ ଧରାପଡ଼େ ।  ଏଥିରେ ସ୍ଵୀକାର କରାଯାଇଛି କି, ସରକାରଙ୍କ ଉପରୋକ୍ତ ଆଦେଶ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ (“On the basis of Govt. Letter No.13290/HE dt. 22.6.15, no action has been taken at this directorate level.”) । କାହିଁକି “କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ” ବୋଲି ମୁଁ ନିର୍ଦ୍ଦେଶାଳୟର ଜଣେ ପଦଧିକାରୀଙ୍କୁ ପଚାରିଲି । ତାଙ୍କ ଉତ୍ତର ଥିଲା – “ଧରାଧରି” ।

ଧରାଧରି କରି  ୨୨.୬.୨୦୧୫ ତାରିଖର ଏହି ସରକାରୀ ଆଦେଶକୁ କିଏ ଚାପିରଖିଥିଲେ ? ଏହାର ଉତ୍ତର ପାଇଁ ଆମେ ଆଉ ଏକ ପ୍ରଶ୍ନର ଆଶ୍ରୟ ନେବା । ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଏ ଆଦେଶଟିକୁ କାର୍ଯ୍ୟକାରୀ କରିଥିଲେ କାହାର କ୍ଷତି ହୋଇଥାନ୍ତା? ମାନସୀ ଷଡ଼ଙ୍ଗୀଙ୍କର । ଆଦେଶଟି କାର୍ଯ୍ୟକାରୀ ନ ହେଲେ କାହାର ଲାଭ ହେବାର ଥିଲା? ମାନସୀ ଷଡ଼ଙ୍ଗୀଙ୍କର ।  ତେଣୁ ଧରାଧରି କରି ଏ ଆଦେଶକୁ କିଏ ଚପାଇଦେଇଥିଲେ? ସ୍ଵାଭାବିକ ଯୁକ୍ତିରେ ଉତ୍ତର ହେଲା ମାନସୀ ଷଡ଼ଙ୍ଗୀ । କିନ୍ତୁ ଶ୍ରୀମତୀ ଷଡ଼ଙ୍ଗୀ ନିର୍ଦ୍ଦେଶାଳୟକୁ ଆସି କାହାକୁ ଧରାଧରି କରିବା ସହଜ ବ ସମ୍ଭବ ନ ଥିଲା । ତେଣୁ ସନ୍ଦେହ ହେବା ସ୍ଵାଭାବିକ ଯେ, ପ୍ରଦ୍ୟୁମ୍ନ ଶତପଥୀ ହିଁ ତାଙ୍କ ପତ୍ନୀଙ୍କ ପାଇଁ ଧରାଧରି କରୁଥିଲେ ।

ଧରାଧରିର ପୁରୁଣା ଅଭ୍ୟାସ

ଏହି ଧରାଧରି ଶ୍ରୀମତୀ ଷଡ଼ଙ୍ଗୀଙ୍କ କ୍ଷେତ୍ରରେ ଏକ ପୁରୁଣା ଅଭ୍ୟାସ । ଓଡ଼ିଶା ସେବା ସଂହିତାର ୭୨(୨) ଧାରା ୫ ବର୍ଷର ଅନୁପସ୍ଥିତି ପାଇଁ କର୍ମକ୍ଷେତ୍ରରୁ ଦୂରେଇ ରହିଥିବା ଦିନଠାରୁ ଚାକିରି ରଦ୍ଦ ହେବାର ବ୍ୟବସ୍ଥା କରିଥିବା ବେଳେ, ଓଡ଼ିଶା ଶିକ୍ଷା ଆଇନର  ୧୦-କ ଧାରା ଘରୋଇ କଲେଜ ଶିକ୍ଷକମାନଙ୍କ କ୍ଷେତ୍ରରେ ଏହି ରଦ୍ଦିକରଣକୁ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ  ଅନୁମୋଦନ ଉପରେ ନିର୍ଭରଶୀଳ କରାଇଛି । ଏଣୁ ସମ୍ପୃକ୍ତ କଲେଜ କର୍ତ୍ତୁପକ୍ଷ ୨୮.୧୦.୨୦୧୩ ତାରିଖରେ ୮୧୨ ସଂଖ୍ୟକ ପତ୍ର ଦ୍ଵାରା ଶ୍ରୀମତୀ ଷଡ଼ଙ୍ଗୀଙ୍କ ନିଯୁକ୍ତି ରଦ୍ଦିକରଣ ପାଇଁ  ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ  ଅନୁମୋଦନ ଲୋଡ଼ିଥିଲେ । ଏବଂ ଏହା ଉପରେ ବହୁବାର ଅନୁସ୍ମାରକ (reminder) ମଧ୍ୟ ଦେଇଥିଲେ । ଉଚ୍ଚଶିକ୍ଷା ନିର୍ଦେଶକଙ୍କୁ ବା ତାଙ୍କ ଅଫିସକୁ ଧରାଧରି କରି ଏହାକୁ ବି ଚପେଇ ଦିଆହୋଇଥିଲା ।  କାରଣ, ଓଡ଼ିଶା ଶିକ୍ଷା ଆଇନର  ୧୦-ଖ ଧାରା ଏପରି ଅନୁମୋଦନ ଦେବା ନ ଦେବା ପାଇଁ ନିର୍ଦ୍ଦେଶକଙ୍କୁ ସର୍ବୋଚ୍ଚ ତିନି ମାସ ସମୟ ଦେଇଥିଲେ ମଧ୍ୟ କଲେଜ କର୍ତ୍ତୁପକ୍ଷଙ୍କ ୨୮.୧୦.୨୦୧୩ ତାରିଖର ୮୧୨ ସଂଖ୍ୟକ ପତ୍ର ଉପରେ କୌଣସି ନିଷ୍ପତ୍ତି ନିଆ ହୋଇନି (“no decision has been taken”) ବୋଲି  ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ  ୩୦.୮.୨୦୧୯ ତାରିଖର ଉପରୋକ୍ତ ପତ୍ରରେ ସ୍ପଷ୍ଟ ହୋଇଯାଇଛି ।

ସତ୍ୟପାଠ ତଲବ

ମାତ୍ର, ୨୨.୬.୨୦୧୫ ତାରିଖର ସରକାରୀ ଆଦେଶକୁ  ସମ୍ପୂର୍ଣ ଉଡ଼େଇଦେବା ନିର୍ଦ୍ଦେଶାଳୟ ପକ୍ଷେ ସମ୍ଭବ ହେଲାନାହିଁ  । ସତ୍ୟପାଠ ଦାଖଲ ପାଇଁ ଅବଶେଷରେ ତାଙ୍କୁ ତଲବ କରାଗଲା । ସେ ଏହାକୁ ନ ମାନି ଅଧିକ ଶୃଙ୍ଖଳାଭଙ୍ଗ କରିଛନ୍ତି ବୋଲି ଉଚ୍ଚଶିକ୍ଷା ନିର୍ଦ୍ଦେଶକ ୧୪.୨.୨୦୧୯ ତାରିଖରେ ସରକାରଙ୍କୁ ଦେଇଥିବା ରିପୋର୍ଟରେ ଉଲ୍ଲେଖ ଅଛି ।

ଭାଷା ଆନ୍ଦୋଳନ ଉପରେ ସଉଦା

ଏହି ତଲବ ପାଇବା ପରେ ତହିଁରୁ ନିଷ୍କୃତି ପାଇବା ପାଇଁ ଶ୍ରୀମତୀ ଷଡ଼ଙ୍ଗୀ ଉଚ୍ଚ ଶିକ୍ଷା ସଚିବଙ୍କ ଶରଣାପନ୍ନ ହୋଇଥିଲେ । ସଚିବ ଥିଲେ ଓଡ଼ିଆ ଜାତିର ଓ ଭାଷାର ଘୋର ବିରୋଧୀ ଆଇ॰ଏ॰ଏସ॰ ଅଫିସର ଜି॰ଭି॰ଭି॰ଶର୍ମା । ସେ ହିଁ ମୁଁ ଦେଇଥିବା ଚିଠା ବିଧାନକୁ ବିରୋଧ କରି ନଥିଟିକୁ ଗାଏବ କରିଦେଇଥିଲେ । ତାହା ଜଣାପଡ଼ିଲା ପରେ ତାଙ୍କୁ ଓଡ଼ିଶାରୁ ହଟାଇବା ପାଇଁ ମୁଁ ଦାବି କରିଥିଲି । ଭାଷା ଆନ୍ଦୋଳନକୁ ଭାଙ୍ଗିବାରେ ସରକାରଙ୍କୁ ସାହାଯ୍ୟ କଲେ ସେ ଶ୍ରୀମତୀ ଷଡଙ୍ଗୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରାଇଦେବେ ବୋଲି କହି ଶର୍ମା ତାଙ୍କ ସ୍ଵାମୀ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ଥୋପ ଗିଳାଇଲେ । ଏବଂ ବିଲେଇ କପାଳକୁ ଶିକା ଛିଡ଼ିଲା ପରି ଏ ସୁଯୋଗ ପାଇ ସରକାରଙ୍କ ସହ ଭାଷା ଆନ୍ଦୋଳନର ସଉଦା କରିବାକୁ ରାଜି ହୋଇଗଲେ ଶତପଥୀ ।

ଶତପଥୀଙ୍କ ସ୍ଥିତି

ଶତପଥୀ ଯେତେବେଳେ ଚାହିଁବେ ସେତେବେଳେ ଭାଷା ଆନ୍ଦୋଳନ ବନ୍ଦ ହୋଇଯିବ ବୋଲି ଏକ ଭ୍ରାନ୍ତ ଧାରଣା ବହୁଲୋକଙ୍କର ଥିଲା । କାରଣ କଳାପତାକା କିଏ କେଉଁ ଦିନ ଧରିବେ ତାର ଦାୟିତ୍ଵ ମୁଁ ତାଙ୍କୁ ହିଁ  ଦେଇଥିଲି । ପବିତ୍ରଙ୍କ ଦାୟିତ୍ଵ ଥିଲା ଆମ ଅଭିଯାନର ଖବର ପ୍ରତିଦିନ ଗଣମାଧ୍ୟମକୁ ପଠାଇବା । ଫଳରେ ସରକାରଙ୍କ ସହ ବୌଦ୍ଧିକ ଲଢେଇ, ରଣକୌଶଳ ରଚନା ଓ ଆନ୍ଦୋଳନର ସାହିତ୍ୟ ସୃଷ୍ଟି ପାଇଁ ମୋତେ ସମୟ ମିଳୁଥିଲା । ବସ୍ତୁତଃ ଏହି ସର୍ତ୍ତରେ ମୁଁ ତାଙ୍କୁ ଭାଷା ଆଂଦୋଳନର ସଭାପତି ଭାବେ ନିଯୁକ୍ତ କରିଥିଲି ଓ ସେ ତାହା ପାଳନ ବି କରୁଥିଲେ । ଯେହେତୁ ସେ ଲୋକ ଯୋଗାଉଥିଲେ ଓ ପବିତ୍ର ଖବର ପ୍ରସାରଣ କରୁଥିଲେ, ସେହେତୁ ଶର୍ମାଙ୍କ ପରି ଅଫିସର ଓ ଶଶି ବେହେରା ଏବଂ ଅନନ୍ତ ଦାସଙ୍କ ପରି ମନ୍ତ୍ରୀ ଭାବୁଥିଲେ ଯେ, ପ୍ରଦ୍ୟୁମ୍ନ ଶତପଥୀ ପତାକା ଧରିବାକୁ ଲୋକ ନ ଆଣିଲେ ଆନ୍ଦୋଳନ ନିଶ୍ଚୟ ଭାଙ୍ଗିଯିବ । ତେଣୁ ତାଙ୍କୁ ପୋଷା ମନେଇବାକୁ ଶର୍ମା ତାଙ୍କ ପତ୍ନୀଙ୍କ ପୁନଃ ନିଯୁକ୍ତିକୁ ଥୋପ ପରି ବ୍ୟବହାର କଲେ ।

ତାଙ୍କୁ ଥୋପ ଗିଳାଇବାକୁ ଶର୍ମା ସାହସ କରିବାର ଅନ୍ୟ ଏକ କାରଣ ବି ଥିଲା ।

ଖଟିରେ ସନ୍ଧି

ଭାଷା ଆନ୍ଦୋଳନ ଉପରେ ସଉଦା କରିବାକୁ ଶତପଥୀ ଅମଙ୍ଗ ହେବେନି ବୋଲି ଏକ ପୂର୍ବବର୍ତ୍ତୀ ଘଟଣାରୁ ଶର୍ମା ଜାଣିଥିଲେ । ବସ୍ତୁତଃ ଖଣ୍ଡେ ସରକାରୀ କ୍ଵାର୍ଟର ପାଇଁ କଳାପତାକା ଅଭିଯାନରୁ ଓହରି ଯିବାକୁ ଶତପଥୀ ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ ସୁବାସ ସିଂହଙ୍କ ସହ ସେ ଖଟିରେ ସନ୍ଧି କରିଥିବା କଥା ତାଙ୍କୁ ଜଣାଥିଲା ।

ଶତପଥୀ ସବୁଦିନ ସକାଳୁ ଘରୁ ପଳାଇଆସି ଇନ୍ଦିରାଗାନ୍ଧୀ ପାର୍କ ସମ୍ମୁଖରେ ଗୋଟେ ଚା ଦୋକାନରେ ଖଟି କରନ୍ତି । ପବିତ୍ର ମହାରଥା ବି ସେଠିକି ସବୁଦିନ ଯାଆନ୍ତି । ଦିନେ ପବିତ୍ର ପହଞ୍ଚିଲା ବେଳକୁ ସୁବାସ ସିଂହ ଓ ଶତପଥୀ ଆଲୋଚନାରେ ମଗ୍ନ ଥିଲେ । ପବିତ୍ରଙ୍କ ଉପସ୍ଥିତି ଜାଣିପାରିଲେନି । ସରକାରୀ କ୍ଵାର୍ଟର ପାଇଁ କଳାପତାକା ଅଭିଯାନରୁ ଓହରି ଯିବାକୁ ସେ ସୁବାସ ସିଂହଙ୍କୁ ଯେଉଁ ବଚନ ଦେଲେ ତାହା ପବିତ୍ର ସମଗ୍ରତଃ ଶୁଣିଥିଲେ । ଆଲୋଚନା ଅନ୍ତେ ଶତପଥୀ ଯେତେବେଳେ ପବିତ୍ରଙ୍କୁ ଦେଖିଲେ, ଚମକିପଡ଼ିଥିଲେ । ପବିତ୍ର ତତ୍କାଳ ପହଞ୍ଚିଥିବା କହି ସହଜ କରିଦେଇଥିଲେ ପରିସ୍ଥିତିକୁ । କିନ୍ତୁ କଥାଟାକୁ ହଜମ କରି ନ ପାରି ସେ ସେଦିନ ଅସିତ ମହାନ୍ତିଙ୍କୁ କଥାଟିକୁ କହିଦେଇଥିଲେ । ଅସିତବାବୁ ତାଙ୍କୁ ପଚାରିଲେ, ସୁଭାଷବାବୁଙ୍କୁ କହିଛ? ସେ କହିଲେ, ସେ ନାହାନ୍ତି । ବସ୍ତୁତଃ ମୁଁ ସେଦିନ ନ ଥିଲି । ସକାଳୁ ସକାଳୁ ଯାଇଥିଲି ଢେଙ୍କାନାଳ । ଅସିତବାବୁଙ୍କ ଠାରୁ ଫୋନ ଯୋଗେ କଥାଟି ଶୁଣିଥିଲି ଓ ତହିଁ ପରଦିନ ପବିତ୍ର ମୋତେ ସବିଶେଷ ବିବରଣୀ ଦେଇଥିଲେ ।

ସୁବାସ ସିଂହ ମଧ୍ୟ ଏପରି ଏକ ସର୍ତ୍ତରେ ଭାଷା ଆନ୍ଦୋଳନ ଭାଙ୍ଗିବା ପାଇଁ ଶତପଥୀଙ୍କୁ ମଣେଇ ପାରିଛନ୍ତି ବୋଲି ବାହାଦୁରୀ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଏହା ଅବଗତ କରାଇଥିଲେ ଓ ଶତପଥୀଙ୍କ ପାଇଁ କ୍ଵାର୍ଟର ଖୋଜିବାକୁ ସାଧାରଣ ପ୍ରଶାସନ ବିଭାଗକୁ କୁହା ହୋଇଥିଲା । ଅବଲୀଳାକ୍ରମେ  ତାହା ଶର୍ମାଙ୍କ ଅବଗତିକୁ ଆସିଥିଲା ଏବଂ ସେ ଜାଣିଯାଇଥିଲେ ଯେ, ଶତପଥୀ ଜଣେ ସ୍ଵାର୍ଥାନ୍ଵେଷୀ ବ୍ୟକ୍ତି ଯେ କି ନିଜ ଫାଇଦା ପାଇଁ ଭାଷା ଆନ୍ଦୋଳନକୁ ସଉଦା କରିପାରନ୍ତି । ତେଣୁ ସେ ଥୋପ ପକାଇଲେ ଓ ସେ ଥୋପରେ ଶତପଥୀ ପଡ଼ିଗଲେ ।  (କ୍ରମଶଃ)

 

 

 

 

 

Comments

No comments yet.

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS

This site uses Akismet to reduce spam. Learn how your comment data is processed.