ସୁଭାଷ ଚନ୍ଦ୍ର ପଟ୍ଟନାୟକ
ରାଜ୍ୟପାଳଙ୍କ ଆଦେଶ ଉପରେ ବି ଉଚ୍ଚ ଶିକ୍ଷା ବିଭାଗ ଶୋଇରହିଥିଲା । କାରଣ, ୧.୩.୨୦୧୯ ତାରିଖରେ ୫୪୭୦ ସଂଖ୍ୟକ ପତ୍ର ମାଧ୍ୟମରେ ମାନସୀ ଷଡଙ୍ଗୀଙ୍କ ଅନୁପସ୍ଥିତି ସମ୍ପର୍କରେ ସାନି ଅନୁସନ୍ଧାନ କରି ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ୧୪.୨.୨୦୧୯ ତାରିଖରେ ଦେଇଥିବା ରିପୋର୍ଟ (ପତ୍ରାଙ୍କ ୬୩୫୮) ବଦଳାଇବାକୁ ତୃତୀୟ ମହଲା (ମୁଖ୍ୟମନ୍ତ୍ରୀଙ୍କ ଦପ୍ତର)ର ଚାପରେ ନୂଆ ନିର୍ଦ୍ଦେଶକ ରାଜି ହୋଇଯିବେ ବୋଲି ବିଶ୍ଵାସ କରାଯାଉଥିଲା । ଏହା କରିବାକୁ କୁଣ୍ଠିତ ହୋଇ ୪ ମାସରେ ଚାରି ଚାରି ଜଣ ଆଇ.ଏ.ଏସ୍. ଅଫିସର , ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ନିକଟ ବଳୟରେ ଥିବା ନିରଞ୍ଜନ ସାହୁ ଯେହେତୁ ନିର୍ଦ୍ଦେଶକ ପଦରୁ ବିଦା ହୋଇଯାଇଥିଲେ, ସେହେତୁ ନୂଆ ନିର୍ଦ୍ଦେଶକ (ଜଣେ ଓ. ଏ. ଏସ୍. ଅଫିସର) ସରକାରଙ୍କ ୧.୩.୨୦୧୯ ତାରିଖର ଆଦେଶ ପ୍ରତି ଅବଜ୍ଞା ପ୍ରଦର୍ଶନ କରିବାକୁ ସାହସ କରିବେ ନାହିଁ ବୋଲି ଭାବିଥିଲା ଏହି ବିଭାଗ ।
ହରଡ଼ଘଣାରେ ପଡ଼ିଲା ପରେ
ମାତ୍ର, ମୋ ଚିଠି ଉପରେ ରାଜ୍ୟପାଳ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତଦନୁଯାୟୀ କି କାର୍ଯ୍ୟାନୁଷ୍ଠାନ ହୋଇଛି ତାହା ଜାଣିବାକୁ ମୁଁ ସୂଚନା ଅଧିକାର ପ୍ରୟୋଗ କରିବା ପରେ ସଚିବଙ୍କ ନିଦ ଭାଙ୍ଗିଲା । ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ୧୪.୨.୨୦୧୯ ତାରିଖରେ ମାନସୀ ଷଡଙ୍ଗୀଙ୍କ ବିରୁଦ୍ଧରେ ଦେଇଥିବା ରିପୋର୍ଟ ବଦଳାଇବାକୁ ଆଦେଶ ଦିଆଯିବା ପରେ ତତ୍କାଳୀନ ସଚିବ ବିଷ୍ଣୁପଦ ସେଠୀଙ୍କ ସ୍ଥାନରେ ଶାଶ୍ଵତ ମିଶ୍ର ନୂଆ ସଚିବ ଭାବେ ବିଭାଗର ଦାୟିତ୍ଵ ନେଇଥିଲେ । ମୋ ସୂଚନା ଅଧିକାର ବିଭାଗକୁ ହରଡ଼ଘଣାରେ ପକାଇଲା ପରେ ସେ ଆଦେଶ ଦେଲେ :
“ତା ୦୨.୦୭.୨୦୦୮ରିଖରୁ ୨୩.୦୭.୨୦୧୮ ତାରିଖ ପର୍ଯ୍ୟନ୍ତ (ଶ୍ରୀମତୀ ମାନସୀ ଷଡଙ୍ଗୀଙ୍କର ) ଅନଧିକୃତ ଭାବେ ଅନୁପସ୍ଥିତ ଥିବା ହେତୁ ଏହି ଗର୍ହାଜିରା ସମୟ ତାଙ୍କ ଚାକିରିକାଳରୁ ବାଦ୍ ପଡ଼ିବ । କାମ ନାହିଁ ତ ମଜୁରି ନାହିଁ ନୀତିରେ ସେ ସେହି ସମୟ ପାଇଁ କୌଣସି ବେତନ ବା ଆନୁଷଙ୍ଗିକ ଫାଇଦା ପାଇବେ ନାହିଁ । ଏହି କାଳଖଣ୍ଡ ତାଙ୍କ ପଦୋନ୍ନତି ବା ପେନସନ୍ ପାଇଁ ହିସାବକୁ ଯିବ ନାହିଁ“ (ଆଦେଶାଙ୍କ ୧୮୭୫୭, ତା. ୧୩.୯.୨୦୧୯) । କାରଣ , ଅନୁସନ୍ଧାନରୁ ଜଣା ପଡ଼ିଛି ଯେ, ଶ୍ରୀମତୀ ଷଡଙ୍ଗୀ ନିଜ ଇଚ୍ଛାରେ ୧୦ ବର୍ଷ ଧରି କର୍ମକ୍ଷେତ୍ରରୁ ଅନୁପସ୍ଥିତ ଥିଲେ ।
ବିଷ୍ଣୁପଦ କ’ଣ କହିଥିଲେ?
ଏପରି ଏକ ଆଦେଶ ଦେବାକୁ ଯେ ନୂଆ ସଚିବ ଶାଶ୍ଵତ ମିଶ୍ରଙ୍କ ପାଇଁ କାଠିକର ପଥ ହୋଇଥିବ ତାହା ଅକ୍ଳେଶ ଅନୁମେୟ । କାରଣ ଏହି ଆଦେଶ ଦେଇ ସେ ସାବ୍ୟସ୍ତ କରିଦେଲେ ଯେ, ତାଙ୍କ ପୂର୍ବବର୍ତ୍ତୀ ସଚିବ ବିଷ୍ଣୁପଦ ସେଠୀ ଦେଇଥିବା ଆଦେଶ ଥିଲା ଏକ ଭୁଲ ଆଦେଶ ଯାହାର ବାସ୍ତବତା ସହ କୌଣସି ସମ୍ପର୍କ ନଥିଲା ଓ ଯାହା ମିଛ ଉପରେ ଆଧାରିତ ଥିଲା । କ’ଣ ଥିଲା ସେହି ଆଦେଶ? ପ୍ରାସଙ୍ଗିକତା ଦୃଷ୍ଟିରୁ ପୁନରାୟ ଦେଖାଯାଉ:
“ତାଙ୍କୁ (ଶ୍ରୀମତୀ ମାନସୀ ଷଡଙ୍ଗୀଙ୍କୁ) ଯେଉଁ ଦିନ ଠାରୁ ନିକମା କରି ରଖାଯାଇଥିଲା ସେହିଦିନ ଠାରୁ ଅର୍ଥାତ୍ ୨.୭.୨୦୦୮ ତାରିଖଠାରୁ ସେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ଯୋଗଦେବା ପର୍ଯ୍ୟନ୍ତ ଅନ୍ତର୍ବର୍ତ୍ତୀ ସମୟ ପାଇଁ ନିର୍ଦ୍ଦେଶାଳୟର ଉପଯୁକ୍ତ ତଦନ୍ତ ଶେଷରେ ନିଷ୍ପତ୍ତି ନିଆଯିବ । (ଆଦେଶ ସଂଖ୍ୟା ୨୦୪୪୫, ତ। ୧୮.୭.୨୦୧୮) ।
ନୂଆ ସଚିବଙ୍କ ୧୩.୯.୨୦୧୯ ତାରିଖ ଆଦେଶରେ ସ୍ପଷ୍ଟ ହୋଇଯାଇଛି ଯେ, ମାନସୀ ଷଡଙ୍ଗୀ ନିଜ ଇଚ୍ଛାନୁଯାୟୀ ୧୦ ବର୍ଷ କାଳ କର୍ମକ୍ଷେତ୍ରରୁ ଅନୁପସ୍ଥିତ ନଥିଲେ, ବରଂ ତାଙ୍କୁ ନିକମା କରି ରଖା ହୋଇଥିଲା ବୋଲି ନିର୍ଣ୍ଣୟ ଦେଇ ବିଷ୍ଣୁପଦ ସେଠୀ ୧୮.୭.୨୦୧୮ରେ ଯେଉଁ ଆଦେଶ ଦେଇଥିଲା ତାହା ଇଚ୍ଛାକୃତ ମିଥ୍ୟା ଉପରେ ଆଧାରିତ ଥିଲା ।
ଦୁର୍ନୀତି ଓ ଦୁରାଚାର
ମୁଁ ପୂର୍ବରୁ ଦର୍ଶାଇଛି ଯେ, ଶାସନ ସଚିବଙ୍କ ଚାପରେ ନ ଦବି ଅନୁବିଭାଗୀୟ ଅଧିକାରୀ ମାନସୀଙ୍କ ବ୍ୟାପାରରେ ୨୨.୬.୨୦୧୫ ତାରିଖର ଆଦେଶ ପ୍ରତି ବାରମ୍ବାର ଦୃଷ୍ଟି ଆକର୍ଷଣ କରିବାରୁ ସେହି ଆଦେଶକୁ ମୂଲ୍ୟହୀନ କରାଇବା ପାଇଁ ଦାୟିତ୍ଵ ନେଇଥିଲେ ସୂର୍ଯ୍ୟ ନାରାୟଣ ମହାପାତ୍ର ନାମକ ଜଣେ ଅନୁଶାସନସଚିବ । ସେହି ବ୍ୟକ୍ତି କୌଣସି ଅନୁଧ୍ୟାନ ନ କରି ତାଙ୍କ ଟିପ୍ପଣୀରେ ଲେଖିଲେ, ମାନସୀ ଷଡଙ୍ଗୀଙ୍କ ଅନୁପସ୍ଥିତି ତାଙ୍କ ଇଚ୍ଛାକୃତ ନଥିଲା, ମନ୍ଦ ଉଦ୍ଦେଶ୍ୟରେ ତାଙ୍କୁ କାମରେ ଯୋଗଦେବାକୁ ନ ଦେଇ ନିକମା କରି ରଖା ହୋଇଥିଲା ଓ ସେ ବିନା ଦୋଷରେ ଦଣ୍ଡିତ ହୋଇଚାଲିଥିଲେ । ମହାପାତ୍ରଙ୍କ ଏହି ଗାଲୁକଳ୍ପକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବାଳକୃଷ୍ଣାନଙ୍କ ପର୍ଯ୍ୟନ୍ତ ସମଗ୍ର ପ୍ରଶାସନ ମାନିନେଲା ପରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅନନ୍ତ ଦାସଙ୍କ ଅନୁମୋଦନ କ୍ରମେ ୧୮.୭.୨୦୧୮ରେ ଏହି ଆଦେଶ ଦେଇଥିଲେ । ଏହି ଗାଲୁକଳ୍ପକୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ପରମେଶ୍ଵରମ୍ ନ ମାନି ତାଙ୍କ ଦଦନ୍ତ ରିପୋର୍ଟରେ ସତକଥା କହିବାରୁ ତାହାକୁ ବଦଳାଇବାକୁ ତାଙ୍କ ଉପରେ ଚାପ ପକାହୋଇଥିଲା ୧.୩.୨୦୧୯ର ୫୪୭୦ ସଂଖ୍ୟକ ପତ୍ର ମାଧ୍ୟମରେ । ଏହି ଗାଲୁକଳ୍ପ ଅନୁଯାୟୀ କାମ ନକରିବାରୁ ମାତ୍ର ୪ ମାସ ୬ ଦିନ ଭିତରେ ତାଙ୍କ ସମେତ କିପରି ୪ ଜଣ ନିର୍ଦ୍ଦେଶକ ଅନୁଚ୍ଚାରିତ ଦଣ୍ଡ ସ୍ୱରୂପ ବଦଳି ଆଦେଶର ଶିକାର ହୋଇଥିଲେ ତାହା ପୂର୍ବରୁ ଦର୍ଶାଯାଇଛି ।
ଯେହେତୁ ଏହି ଚାପ ପ୍ରଯୋଗରେ ନୂଆ ସଚିବଙ୍କର କୌଣସି ଭୂମିକା ନଥିଲା, ଏବଂ ସଚିବଙ୍କୁ ପଚାରି ନିର୍ଦ୍ଦେଶକଙ୍କ ବଦଳି ହୁଏନାହିଁ , ସେହେତୁ ଏହି ଗଣ୍ଡା ଗଣ୍ଡା ନିର୍ଦ୍ଦେଶକଙ୍କ ବଦଳି ମୁଖ୍ୟମନ୍ତ୍ରୀ ବା ତାଙ୍କ ଦପ୍ତର ହିଁ କରାଇଥିବା ସମ୍ଭବ ।
ମୁଁ ଯଦି ରାଜ୍ୟପାଳଙ୍କ ଦୃଷ୍ଟିକୁ କଥାଟିକୁ ଆଣିନଥାନ୍ତି ତେବେ ମାନସୀଙ୍କୁ ପଦାସୀନ କରାଇବାକୁ ଆଇନ କାନୁନର ଆଖିବୁଜା ଉଲ୍ଲଂଘନ କରିଥିବା ଗ୍ୟାଙ୍ଗ ୧୪.୨.୨୦୧୯ର ତଦନ୍ତ ରିପୋର୍ଟ ବଦଳାଇବାକୁ ହୁଏତ ୫ମ ନିର୍ଦ୍ଦେଶକଙ୍କୁ ବାଧ୍ୟ କରି ନପାରିଥିଲେ ୬ଷ୍ଠ ନିର୍ଦ୍ଦେଶକଙ୍କୁ ବାଧ୍ୟ କରିଥାନ୍ତେ ଓ ଭାଷା ଆନ୍ଦୋଳନ ପ୍ରତି ବିଶ୍ଵାସଘାତକତା କରିଥିବା ପ୍ରଦ୍ୟୁମ୍ନ ଶତପଥୀଙ୍କୁ ପୁରସ୍କାର ସ୍ୱରୂପ ତାଙ୍କ ସ୍ତ୍ରୀ ମାନସୀଙ୍କୁ ୧୦ ବର୍ଷର ସବେତନ ଚାକିରି ଦିଆଇ ବରିଷ୍ଠତା ସହ ତାଙ୍କ ଚାକିରି ନିୟମିତ କରିଥାନ୍ତେ । ତା ହୋଇଥିଲେ, ଏଇ ୧୦ ବର୍ଷର ପିଛିଲା ବେତନ ବାବଦରେ ସେ ପାଇଥାନ୍ତେ ପ୍ରାୟ ଦେଢକୋଟି ଟଙ୍କା ।
ମୋ ହେତୁ ହୁଏତ ରାଜ୍ୟ ଟ୍ରେଜେରୀର ଏହି ଲୁଟ ବନ୍ଦ ହୋଇଗଲା । ମାତ୍ର ଏହି ଲୁଟ ପାଇଁ ଏହି ଗ୍ୟାଙ୍ଗ ଯେଉଁ ଷଡଯନ୍ତ୍ର ଭିଆଇଥିଲା , ସେଥିପାଇଁ ଗ୍ୟାଙ୍ଗର ପ୍ରତ୍ୟେକ ସଦସ୍ୟ , ବିଶେଷତଃ ତତ୍କାଳୀନ ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ ଯେ ଦଣ୍ଡନୀୟ, ଏଥିରେ କ’ଣ କିଛି ସନ୍ଦେହ ରହିପାରେ? ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରମୁଖ ଶାସନ ସଚିବ ପଦକୁ ପଦୋନ୍ନତି ଦେଇ ଏହି ସମଗ୍ର ଉଦଗ୍ର ପ୍ରଶାସନିକ ଦୁର୍ନୀତି ଓ ଦୁରାଚାରରେ ନିଜ ସମ୍ପୃକ୍ତିର ଝଲକ ଦେଇଛନ୍ତି ।
ହାଇକୋର୍ଟରେ ଉଠିଥିବା ମାମଲାର ହାଲ୍
ଯେଉଁ ସରକାରୀ ଆଦେଶ ରଦ୍ଦ କରିବାକୁ ମାନସୀ ଷଡଙ୍ଗୀ ହାଇକୋର୍ଟକୁ ଯାଇଥିଲେ ସେ ଆଦେଶର ଆଦ୍ୟ ଭାଗ ହେଲା:-
“କର୍ମକ୍ଷେତ୍ରରୁ ତାଙ୍କର ଅନୁପସ୍ଥିତି କାଳ ତାଙ୍କ ଚାକିରି କାଳରୁ ବାଦ୍ ପଡ଼ିବ ଓ ସେ ସେହି ସମୟ ପାଇଁ କୌଣସି ବେତନ ବା କୌଣସି ଫାଇଦା ଦାବି କରିପାରିବେନାହିଁ “ (ପତ୍ରାଙ୍କ୧୩୨୯୦, ତା ୨୨.୬.୨୦୧୫) ।
ଅତଏବ, ଏହି ଯେଉଁ ଆଦେଶକୁ ସମ୍ପୂର୍ଣତଃ ରଦ୍ଦ କରିବା ପାଇଁ ଉଚ୍ଚ ଶିକ୍ଷା ସଚିବ ମାନସୀଙ୍କ ସହ ହାତ ମିଳାଇଥିଲେ ତାଙ୍କ ରିଟ ମାମଲାରେ, ସେହି ଆଦେଶ ଠିକ୍ ଥିଲା ବୋଲି ୧୩.୯.୨୦୧୯ ତାରିଖର ଆଦେଶରେ ଉଚ୍ଚ ଶିକ୍ଷା ବିଭାଗର ନୂଆ ସଚିବ ସ୍ଵୀକାର କରିଛନ୍ତି ।
ଏତଦ୍ୱାରା ସେ ଏକଥା ବି ସ୍ଵୀକାର କରିଛନ୍ତି ଯେ, ମାନସୀଙ୍କର କୌଣସି ଦୋଷ ନଥାଇ ତାଙ୍କୁ ନିକମା କରି ରଖାଯାଇଥିବାରୁ ତାଙ୍କ ବିରୁଦ୍ଧରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବନାହିଁ ଓ ସେ ଏକ ନୂଆ କଲେଜରେ କାମ କରିବେ ବୋଲି ଅନୁଶାସନସଚିବ ସୂର୍ଯ୍ୟ ନାରାୟଣ ମହାପାତ୍ର, ଅତିରିକ୍ତ ଶାସନ ସଚିବ କୃପାସିନ୍ଧୁ ମିଶ୍ର ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍. ବାଳକୃଷ୍ଣାନଙ୍କ ଗ୍ୟାଙ୍ଗ ସହ ମିଶି ତଦାନୀନ୍ତନ ସଚିବ ବିଷ୍ଣୁପଦ ସେଠୀ ଓ ମନ୍ତ୍ରୀ ଅନନ୍ତ ଦାସଙ୍କ ଅନୁମୋଦନରେ ୧୮.୭.୨୦୧୮ ତାରିଖରେ ଯେଉଁ ଆଦେଶ ଜାରି ହୋଇଥିଲା, ତାହା କେବଳ ଗାଲୁକଳ୍ପ ଥିଲା ଏବଂ ଥିଲା ଅତି ଜଘନ୍ୟ ପ୍ରଶାସନିକ ଉଚ୍ଛୃଙ୍ଖଳା ଓ ମାନସୀ ଷଡଙ୍ଗୀଙ୍କୁ ଓଡ଼ିଶା ରାଜକୋଷରୁ ଅତି ଅବୈଧ ଭାବେ ପ୍ରାୟ ଦେଢକୋଟି ଟଙ୍କା ଲୁଟ କରିବାରେ ସାହାଯ୍ୟ କରିବା ପାଇଁ ସରକାରୀ ପଦରେ ଥିବା ଏକ ଶକ୍ତିଶାଳୀ ଗ୍ୟାଙ୍ଗର ଅପରାଧିକ ଷଡ଼ଯନ୍ତ୍ର ।
ଏହା ଭିନ୍ନ କଥା ଯେ, ମୋ ହେତୁ ଏହି ଷଡ଼ଯନ୍ତ୍ର ଫସରଫାଟି ଯାଇଛି ଓ ଆମ ରାଜକୋଷରୁ ପ୍ରାୟ ଦେଢକୋଟି ଟଙ୍କା ଲୁଟ ହେବା ଏଯାଏଁ ସମ୍ଭବ ହୋଇନାହିଁ । ଭାଷା ଆନ୍ଦୋଳନକୁ ଛୁରୀ ମାରି ଏହି ଅବୈଧ ଆୟ ହାସଲ ପାଇଁ ବିଷକୁମ୍ଭପୟୋମୁଖ ପ୍ରଦ୍ୟୁମ୍ନ ଶତପଥୀ ଯେଉଁ ଜାଲ ବିଛାଇଥିଲେ ତାହା ଏତଦ୍ଦୃଷ୍ଟିରୁ ଆଂଶିକ ଭାବେ ବିଫଳ ହୋଇଛି ।
କିନ୍ତୁ, ଭାଷା ଆନ୍ଦୋଳନକୁ ଛୁରୀ ମାରିବାକୁ ସରକାରୀ ଷଡଯନ୍ତ୍ର ସହ ସାମିଲ ହୋଇଥିବା ପ୍ରଦ୍ୟୁମ୍ନ ଶତପଥୀଙ୍କୁ ତାଙ୍କ ସ୍ତ୍ରୀଙ୍କ ପିଛିଲା ବେତନ ବାବଦରେ ପ୍ରାୟ ଦେଢକୋଟି ଟଙ୍କା ଓଡ଼ିଶା ରାଜକୋଷରୁ ଦିଆଇ ଦେବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିବା ଅଣଓଡ଼ିଆ ଆଇ. ଏ. ଏସ୍. ଅଫିସର ଆର୍. ବାଳକୃଷ୍ଣାନ, ଅତିରିକ୍ତ ଶାସନ ସଚିବ କୃପାସିନ୍ଧୁ ମିଶ୍ର ଓ ଅନୁଶାସନସଚିବ ସୂର୍ଯ୍ୟ ନାରାୟଣ ମିଶ୍ରଙ୍କ ସହ ମିଶି ଉଚ୍ଚ ଶିକ୍ଷା ସଚିବ ବିଷ୍ଣୁପଦ ସେଠି ଯେଉଁ ଅପରାଧିକ ଷଡଯନ୍ତ୍ର ସୃଷ୍ଟି କରିଥିଲେ, ସେହି ଷଡ଼ଯନ୍ତ୍ର ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଏ ଯାଏଁ ଅନୁଷ୍ଠିତ ହୋଇନଥିବା ହେତୁ ମାନସୀ ଷଡଙ୍ଗୀଙ୍କୁ ତାଙ୍କ ନିଯୁକ୍ତିଦାତାଙ୍କ ଆପତ୍ତି ସତ୍ତ୍ୱେ ଏକ ନୂଆ କଲେଜରେ ଯୋଗଦିଆ କରାଇ ପ୍ରତିମାସରେ ଅଧଲକ୍ଷରୁ ଅଧିକ ଟଙ୍କା ଆମ ରାଜକୋଷରୁ ବ୍ୟୟ କରାଯାଉଛି । ହାଇକୋର୍ଟଙ୍କ ନାମ ବ୍ୟବହାର କରି ଏହି ବେଆଇନ କାମ ଚାଲିଛି । ଏହା ହିଁ ମାନସୀଙ୍କ ରିଟ୍ ମାମଲାର ଉପସ୍ଥିତ ହାଲ୍ ।
କ୍ରୀଡ଼ାକନ୍ଦୁକ ହାଇକୋର୍ଟ!
ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ ଯେ, ଏହି ବେଆଇନ କମ ପାଇଁ ଉଚ୍ଚ ଶିକ୍ଷା ବିଭାଗ ଓଡ଼ିଶା ହାଇକୋର୍ଟଙ୍କୁ ମଧ୍ୟ ନିଜର କ୍ରୀଡ଼ାକନ୍ଦୁକ ବନାଇଛି । ହାଇକୋର୍ଟଙ୍କୁ ଚିତାକଟିବା ପାଇଁ ନିଜେ ପକ୍ଷଭୁକ୍ତ ହୋଇଥିଲେ ମଧ୍ୟ ନିଜ ପକ୍ଷ ନ ରଖି, ଏହି ବିଭାଗ କୌଶଳକ୍ରମେ ଛଡ଼ାଇ ଆଣିଛି ମାନସୀଙ୍କ ମାମଲାକୁ ହାଇକୋର୍ଟଙ୍କ ବିଚାର ବଳୟରୁ ଓ ତାହାପରେ ତାହା ହିଁ କରିଛି, ଯାହା ହାଇକୋର୍ଟ ହୁଏତ କେବେ ବି କରିନଥାନ୍ତେ ।
ଏହାଙ୍କ ଚାଲ୍ ଭିତରକୁ ପଶି ନପାରି, ଗତ ୩.୪.୨୦୧୯ ତାରିଖରେ ମାନସୀଙ୍କ ଆବେଦନ କ୍ରମେ ଉଚ୍ଚ ଶିକ୍ଷା ସଚିବଙ୍କ ପାଖକୁ ମାମଲାଟିକୁ ପଠାଇ ହାଇକୋର୍ଟ ଆଦେଶ ଦେଇଥିଲେ କି, ୨୨.୬.୨୦୧୫ ତାରିଖର ସରକାରୀ ଆଦେଶ ରଦ୍ଦ ପାଇଁ ମାନସୀଙ୍କ ଆବେଦନ ଉପରେ ସେ ୩ ମାସ ମଧ୍ୟରେ ଉପଯୁକ୍ତ ନିଷ୍ପତ୍ତି ନିଅନ୍ତୁ । ଏହି ସମୟସୀମାକୁ ବିଭାଗୀୟ ବାବୁମାନେ ସମ୍ପୂର୍ଣ ବେଖାତିର କରିଥିଲେ , ଯଦିଓ ହାଇକୋର୍ଟଙ୍କ ନିର୍ଦ୍ଧାରିତ ସମୟସୀମାକୁ ବେଖାତିର କରିବା ହାଇକୋର୍ଟଙ୍କ ଅବମାନନା ଭିନ୍ନ କିଛି ନୁହେଁ । ମାନସୀଙ୍କ କର୍ତ୍ତବ୍ୟ ଥିଲା ଏହି ଅବମାନନା ପ୍ରତି ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିବା ଓ ସଚିବଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ଦାଏର କରିବା । ସେ ତାହା କରିନଥିଲେ, କାରଣ ସେ ଜାଣିଥିଲେ ଯେ, ନିର୍ଦ୍ଦେଶକଙ୍କ ୧୪.୨.୨୦୧୯ ତାରିଖର ରିପୋର୍ଟ ବଦଳିଗଲେ ସମ୍ପୂର୍ଣତଃ ତାଙ୍କ ସପକ୍ଷରେ ଏକ ଆଦେଶ ଦେବାକୁ ସଚିବ ସକ୍ଷମ ହେବେ, ଏବଂ ଏଥିପାଇଁ ଯେତେ ବିଳମ୍ବ ହେଲେ ବି ତାଙ୍କ ନିଜର ହିଁ ଲାଭ ହେବ । ମାମଲାଟିକୁ ସମାପ୍ତ କରିସାରିଥିବା ହେତୁ ହାଇକୋର୍ଟ ମଧ୍ୟ ଏହି ଭୟଙ୍କର କାରସାଦି ସମ୍ପର୍କରେ କିଛି ଜାଣିପାରିବେ ନାହିଁ । ତେଣୁ ଏହାହିଁ କୁହାଯାଇ ପାରିବ ଯେ, ହାଇକୋର୍ଟରେ ରିଟ୍ ମାମଲା ଦାଖଲ କରି ଏହି ପ୍ରଶାସନିକ ଉଚ୍ଛୃଙ୍ଖଳାକୁ ନିରଙ୍କୁଶ କରିବା ପାଇଁ ହାଇକୋର୍ଟଙ୍କୁ କ୍ରୀଡ଼ନକ କରାଯାଇଥିଲା ।
ଯେହେତୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ତଦନ୍ତ ରିପୋର୍ଟ ବଦଳାଯାଇ ପାରିଲାନି, କାରଣ ରାଜ୍ୟପାଳଙ୍କ ନିକଟରେ ମୋ ଅଭିଯୋଗ ତହିଁର ପଥ ଓଗାଳିଲା, ଉଚ୍ଚ ଶିକ୍ଷା ସଚିବ ନିରୂପାୟ ଅବସ୍ଥାରେ ୨୨.୬.୨୦୧୫ର ସରକାରୀ ଆଦେଶର ଆଦ୍ୟଭାଗ ଅନୁଯାୟୀ ତାଙ୍କ ୧୩.୯.୨୦୧୯ ତାରିଖର ଆଦେଶ ପ୍ରଦାନ କରିଛନ୍ତି । କିନ୍ତୁ ହାଇକୋର୍ଟଙ୍କ ଦ୍ଵାରା ପ୍ରେରିତ ହୋଇଥିବା ସେହି ଆଦେଶର ପ୍ରାନ୍ତଭାଗକୁ ସେ ଅନଧିକୃତ ଭାବେ କବର ଦେଇଛନ୍ତି, ଯାହା ଓଡ଼ିଆ ଜାତୀୟ ସ୍ଵାର୍ଥର ପରିପନ୍ଥୀ ଓ ହାଇକୋର୍ଟଙ୍କ ଆଦେଶର ବିରୁଦ୍ଧାଚରଣ । (କ୍ରମଶଃ)