ଟଙ୍କା ପାଇଁ ଭାଷା ଆନ୍ଦୋଳନକୁ ଛୁରୀ ମାରିଛନ୍ତି ପ୍ରଦ୍ୟୁମ୍ନ ଶତପଥୀ : ମୁଖ୍ୟମନ୍ତ୍ରୀ ସଫେଇ ରଖନ୍ତୁ – ଦ୍ଵାତ୍ରିଂଶ ଭାଗ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଶ୍ରୀମତୀ ମାନସୀ ଷଡଙ୍ଗୀ ଯଦି ଶୁଣାଣି ବେଳେ ନିଜ ରିଟ୍ ମାମଲାରୁ ନିଜେ ମୁହଁ ମୋଡ଼ି , ତାହାକୁ ହାଇକୋର୍ଟ ନିଜେ ବିଚାର ନକରି, ଉଚ୍ଚ ଶିକ୍ଷା ସଚିବଙ୍କୁ ଏକ ସମୟସୀମା ଭିତରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଅନୁରୋଧ କରିନଥାନ୍ତେ, ତେବେ ୨୨.୬.୨୦୧୫ର ସମ୍ପୂର୍ଣ ଆଦେଶ ଉପରେ ହାଇକୋର୍ଟ ବିଚାର କରିଥାନ୍ତେ , କେବଳ ତହିଁର ପ୍ରଥମ ଭାଗ ଉପରେ ନୁହେଁ । ତେଣୁ ହାଇକୋର୍ଟରୁ ତାଙ୍କ ନିଷ୍ପତ୍ତି ପାଇଁ ପ୍ରେରିତ ହୋଇଥିବା ସମଗ୍ର ଆଦେଶ ଉପରେ ହିଁ ଉଚ୍ଚ ଶିକ୍ଷା ସଚିବ ନିଷ୍ପତ୍ତି ନେବାକୁ ବାଧ୍ୟ ଥିଲେ । ସେ ପ୍ରଥମ ଭାଗଟି ଉପରେ ନିଷ୍ପତ୍ତି ନେଇଥିବା ବେଳେ ଶେଷ ଭାଗଟି ଉପରେ ନୀରବ ରହି ସାବ୍ୟସ୍ତ କରିଛନ୍ତି ଯେ, ହାଇକୋର୍ଟଙ୍କୁ ମୋହରା (pawn) ବନାଇଥିଲେ ମାନସୀ ଷଡଙ୍ଗୀ ତାଙ୍କ ରିଟ୍ ମାମଲାରେ, ଯେଉଁ ଷଡଯନ୍ତ୍ରରେ ସାମିଲ ହୋଇଥିଲେ ଉଚ୍ଚ ଶିକ୍ଷା ସଚିବ ଓ ଅନ୍ୟମାନେ ।

ଦଣ୍ଡବିଧାନ ଅପରିହାର୍ଯ୍ୟ

କ’ଣ ଥିଲା ଏହି ଶେଷ ଭାଗ ? ଏହା ଥିଲା – ୨.୭.୨୦୦୮ ତାରିଖରୁ ପିଛିଲା ବେତନ ଓ ପ୍ରମୋଶନ ଇତ୍ୟାଦି ଦାବି କରିବେ ନାହିଁ ବୋଲି ତାଙ୍କଠାରୁ ସତ୍ୟପାଠ ହାସଲ କଲା ପରେ ତାଙ୍କୁ ଏକ ନୂଆ କଲେଜରେ ନିୟୋଜିତ କରି, “ଓଡ଼ିଶା ଶିକ୍ଷା (ସରକାରୀ ସାହାଯ୍ୟ ପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଓ ଚାକିରି ସର୍ତ୍ତ) ନିୟମାବଳୀ, ୧୯୭୪ର ନିୟମ ୨୨ ବଳରେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ” ।

ଏହି ନିୟମରେ କାର୍ଯ୍ୟାନୁଷ୍ଠାନ ହୋଇଥିଲେ କ’ଣ ହୋଇଥାନ୍ତା? ସେ ନିୟମ ୨୦ ଅନ୍ତର୍ଗତ ଦଣ୍ଡ ସମୂହ ଭିତରୁ କେଉଁ ଦଣ୍ଡରେ ଦଣ୍ଡିତା ହେବେ ତାହା ନିର୍ଦ୍ଧାରିତ ହେବା ପାଇଁ ତଦନ୍ତର ସମ୍ମୁଖୀନ ହୋଇଥାନ୍ତେ । କାରଣ, ଏପରି ତଦନ୍ତ ଭିନ୍ନ ନିୟମ ୨୦ (୧)ର ଦଫା (ଚ) ରୁ (ଝ) ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ହୋଇଥିବା ଦଣ୍ଡଗୁଡ଼ିକ ଦିଆଯାଇପରିବନି ବୋଲି ଏହି ନିୟମରେ କୁହା ହୋଇଛି । ଏହା ହେଲା –

22. (1) No order imposing any of the penalties specified in clauses (f) to (j) of sub-rule (1) of rule 20 shall be imposed except after an enquiry held as far as may be in the manner hereinafter provided.

ଅତଏବ, ଏହି ୨୨ ନିୟମଟି ଧାରା ୨୦ରେ ଥିବା ଦଣ୍ଡବିଧାନର ପଦ୍ଧତ୍ତି ପ୍ରଦାନ କରିଛି । ମାନସୀଙ୍କ ଅପରାଧପାଇଁ ପ୍ରଯୁଜ୍ୟ ଦଫା ହେଲା ୨୦ (ଜ) – ଭବିଷ୍ୟତ ଚାକିରି ପ୍ରତି ପ୍ରତିବନ୍ଧକ ନ ଲଗାଇ ତାଙ୍କୁ ଚାକିରିରୁ ବହିଷ୍କରଣ ଓ ୨୦ (ଝ) – ଭବିଷ୍ୟତ ଚାକିରି ପ୍ରତି ପ୍ରତିବନ୍ଧକ ଲଗାଇ ତାଙ୍କୁ ଚାକିରିରୁ ବରଖାସ୍ତିକରଣ । ଏଥିରୁ କେଉଁଟି ବା ଦୁଇଟିଯାକ ତାଙ୍କପ୍ରତି ପ୍ରଯୁକ୍ତ ହେବ କେବଳ ସେତିକି ନିର୍ଦ୍ଧାରଣ କରିବା ଥିଲା ଏହି ତଦନ୍ତର ଉଦ୍ଦେଶ୍ୟ । ଅତଏବ, ୨୨.୬.୨୦୧୫ ତାରିଖର ଆଦେଶଟି ମାନସୀ ଷଡଙ୍ଗୀଙ୍କୁ ତାଙ୍କ ଭୟଙ୍କର ଉଛୃଙ୍ଖଳ ଆଚରଣ ହେତୁ ଚାକିରିରୁ ବହିସ୍କାର ପାଇଁ ଉଦ୍ଦିଷ୍ଟ ଥିଲା, ତାଙ୍କୁ ନିୟମିତ ନିଯୁକ୍ତି ଦେବାକୁ ନୁହେଁ ।

ମାନସୀଙ୍କ ହିତରେ ବାବୁ ବିଷ୍ଣୁପଦ

ମାନସୀଙ୍କ ହିତରେ (to her benefit) ଏହି ଆଦେଶକୁ ୧୮.୭.୨୦୧୮ ଦିନ ବଦଳାଇ ଦିଆଯାଇଥିଲା ବୋଲି ଉଚ୍ଚ ଶିକ୍ଷା ସଚିବ ଶାଶ୍ଵତ ମିଶ୍ର ୧୩.୯.୨୦୧୯ରେ ୧୮୭୫୭ ଆଦେଶାଙ୍କରେ ସ୍ଵୀକାର କରିଛନ୍ତି । ଅତଏବ ସେ ସ୍ଵୀକାର କରିଛନ୍ତି ଯେ, ତାଙ୍କ ପୂର୍ବବର୍ତ୍ତୀ ସଚିବ ବିଷ୍ଣୁପଦ ସେଠି ରାଜ୍ୟ ହିତରେ ନୁହେଁ, ମାନସୀ ଷଡଙ୍ଗୀଙ୍କ ହିତରେ ୨୨.୬.୨୦୧୫ ତାରିଖର ଆଦେଶକୁ ବଦଳାଇ ଦେଇଥିଲେ ।

ଏହି ପ୍ରେକ୍ଷାପଟରେ ୧୮.୭.୨୦୧୮ରେ ବାବୁ ବିଷ୍ଣୁପଦ ଦେଇଥିବା ଆଦେଶର ଓଡ଼ିଆ ଭାଷାନ୍ତର ଦେଖାଯାଇପାରେ । ଏହା ହେଲା –

୧. କ୍ଷମତାପନ୍ନ କର୍ତ୍ତୁପକ୍ଷଙ୍କଠାରୁ କାର୍ଯ୍ୟକ୍ଷମ ଥିବାର ଡାକ୍ତରୀ ପ୍ରମାଣପତ୍ର ସହ ଶ୍ରୀମତୀ ମାନସୀ ଷଡଙ୍ଗୀ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ଅବିଳମ୍ବେ ଯୋଗଦାନ ପତ୍ର ପ୍ରଦାନ କରିବେ, ଯାହା ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଦ୍ଵାରା ଗୃହୀତହେବ ;
୨. ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ କୌଣସି ସମବର୍ଗୀୟ କଲେଜରେ ସ୍ଥାନ ଠାବ କରି ତାଙ୍କୁ ସେଠାରେ ସ୍ଥାନିତ କରିବେ ;
୩. ତାଙ୍କୁ ଯେଉଁ ଦିନ ଠାରୁ କର୍ତ୍ତବ୍ୟ ସମ୍ପାଦନରୁ ଦୂରେଇ ରଖାଯାଇଥିଲା ସେହିଦିନ ଠାରୁ ଅର୍ଥାତ୍ ୨.୭.୨୦୦୮ ତାରିଖଠାରୁ ସେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ଯୋଗଦେବା ପର୍ଯ୍ୟନ୍ତ ଅନ୍ତର୍ବର୍ତ୍ତୀ ସମୟ ପାଇଁ ନିର୍ଦ୍ଦେଶାଳୟର ଉପଯୁକ୍ତ ତଦନ୍ତ ଶେଷରେ ନିଷ୍ପତ୍ତି ନିଆଯିବ । (ଆଦେଶ ସଂଖ୍ୟା ୨୦୪୪୫, ତ। ୧୮.୭.୨୦୧୮) ।

ଏହି ଆଦେଶ ବଳରେ ମାନସୀଙ୍କ ହିତରେ ଦିଆଯାଇଥିଲା ବୋଲି ବର୍ତ୍ତମାନର ଉଚ୍ଚ ଶିକ୍ଷା ସଚିବ ସ୍ଵୀକାର କରିଛନ୍ତି, କାରଣ ଏତଦ୍ଦ୍ଵାରା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କବଳରୁ, ଅର୍ଥାତ୍ ଓଡ଼ିଶା ଶିକ୍ଷା (ସରକାରୀ ସାହାଯ୍ୟ ପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଓ ଚାକିରି ସର୍ତ୍ତ) ନିୟମାବଳୀ, ୧୯୭୪ର ଧାର୍ଯ୍ୟ ଦଣ୍ଡବିଧାନରୁ ତାଙ୍କୁ ବଞ୍ଚାଇ ଦିଆ ହୋଇଥିଲା:

“This order modified the condition inposed vide letter No, 13290 dt. 22.06.2015, the impunged order, to her benefit, as the direction to initiate disciplinary proceeding against her was dropped.”

ତେଣୁ, ମାନସୀ ହାଇକୋର୍ଟକୁ ଯାଇଥିଲେ କାହିଁକି ଓ ଯଦି ଗଲେ, ଆଦେଶକୁ କୋର୍ଟଙ୍କ ନଜରରୁ ଲୁଚେଇରଖିବାକୁ ବ୍ୟଗ୍ର ଥିଲେ କାହିଁକି?

କୌତୁହଳର କଥା ଯେ, ଏହି ଆଦେଶ ବଳରେ ୨୨.୬.୨୦୧୫ ତାରିଖର ସରକାରୀ ଆଦେଶକୁ କାର୍ଯ୍ୟତଃ ରଦ୍ଦ କରାଇ ସେ ବାଲିପାଟଣାରେ ଥିବା ଶିଶୁ ଅନନ୍ତ ମହାବିଦ୍ୟାଳୟରେ ଜଣେ ନିୟମିତ ଅଧ୍ୟାପିକା ଭାବେ ଯୋଗଦେଇଥିଲେ ଓ ତହିଁର ପ୍ରାୟ ସାଢେ ଚାରିମାସ ପରେ କାର୍ଯ୍ୟତଃ ରଦ୍ଦ ହୋଇସାରିଥିବା ୨୨.୬.୨୦୧୫ ତାରିଖର ସରକାରୀ ଆଦେଶକୁ ରଦ୍ଦ କରାଯାଉବୋଲି ହାଇକୋର୍ଟରେ ରିଟ୍ ମାମଲା କରିଥିଲେ । ପୁଣି କ’ଣ ହେଲା ଯେ, ମାମଲାଟିରେ ପ୍ରତିପକ୍ଷ ଥିବା ଉଚ୍ଚ ଶିକ୍ଷା ସଚିବ ସରକାରଙ୍କ ପକ୍ଷ ନରଖିଥିବା ବେଳେ, ସେହି ସଚିବ ଯେଉଁ ନିଷ୍ପତ୍ତି ନେବେ ତାହା ତାଙ୍କ ପାଇଁ ଗ୍ରହଣୀୟ ହେବ ବୋଲି କହି ସେ ଏ ମାମଲାଟିକୁ ସଚିବଙ୍କ ପାଖକୁ ପଠାଯାଉ ବୋଲି ହାଇକୋର୍ଟଙ୍କୁ କହିଲେ?

ପଶାପାଲିର ଗୋଟି ବନିଗଲେ ହାଇକୋର୍ଟ

ତାଙ୍କ ହିତରେ ତ ୧୮.୭.୨୦୧୮ର ଆଦେଶ ତ ଦିଆ ହୋଇଥିଲା । ଓଡ଼ିଶା ଶିକ୍ଷା (ସରକାରୀ ସାହାଯ୍ୟ ପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଓ ଚାକିରି ସର୍ତ୍ତ) ନିୟମାବଳୀ, ୧୯୭୪ର ଦଣ୍ଡବିଧାନ ବ୍ୟବସ୍ଥାରୁ ତ ସେ ମୁକ୍ତ ହୋଇଯାଇଥିଲ୍ଲେ ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ତାଙ୍କ ସ୍ଵାମୀ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ଅଘୋଷିତ ବିଶ୍ଵାସଘାତକ ଜାଗିରି ଅନୁରୂପେ । ସେ ଅନୁପସ୍ଥିତ ନଥିଲେ, କର୍ତ୍ତବ୍ୟ ସମ୍ପାଦନରୁ ତାଙ୍କୁ ଦୂରେଇ ରଖାଯାଇଥିଲା ବୋଲି ଏହି ଆଦେଶରେ ସ୍ପଷ୍ଟ କରା ହୋଇଥିବା ହେତୁ ତାଙ୍କ ଅନୁପସ୍ଥିତି କାଳ ପାଇଁ ସେ ତ ସମସ୍ତ ପିଛିଲା ବେତନ ପାଇବା ସୁନିଶ୍ଚିତ ଥିଲା । ଏ ସବୁ ସତ୍ତ୍ୱେ ସେ ପୁଣି କାହିଁକି ୨୨।୬।୨୦୧୫ର ଆଦେଶକୁ ରଦ୍ଦ କରାଯାଉ ବୋଲି ପ୍ରାର୍ଥନା କରି ହାଇକୋର୍ଟରେ ମାମଲା ଦାଏର କରିଥିଲେ?

ଏହାର ଉତ୍ତର ନିହିତ ଅଛି ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ୯.୧୦.୨୦୦୨ ତାରିଖର ୪୭୩୫୨ ସଂଖ୍ୟକ ନିର୍ଦ୍ଦେଶରେ । ଅର୍ଥ ବିଭାଗର ଓ. ଏମ୍. ୫୭୧୧/୫.୨.୧୯୮୦ ସଂଖ୍ୟକ ନିର୍ଦ୍ଦେଶର ଅଲଙ୍ଘ୍ୟତା ଉପରେ ଗୁରୁତ୍ଵ ଦେଇ ଏହି ନିର୍ଦ୍ଦେଶ ସ୍ପଷ୍ଟ କରିଛି ଯେ, ଅନୁପସ୍ଥିତି ପରେ କୌଣସି କର୍ମଚାରୀଙ୍କ ଯୋଗଦାନ କାଳ ୬୦ ଦିନରୁ ଯଦି ଅଧିକ ହୋଇଥାଏ , ତେବେ ଅର୍ଥବିଭାଗର ଅନୁମତି / ଅନୁମୋଦନ ବ୍ୟତୀତ ତାହା ମଞ୍ଜୁର ହୋଇପାରିବ ନାହିଁ । ଏଥିପାଇଁ ସମ୍ପୃକ୍ତ ପ୍ରଶାସନିକ ବିଭାଗ କେଉଁ ପରିସ୍ଥିତିରେ ସମ୍ପୃକ୍ତ କର୍ମଚାରୀ ୬୦ ଦିନରୁ ଅଧିକ ସମୟ ଅନୁପସ୍ଥିତ ଥିଲେ ଓ ତାଙ୍କ ବିଳମ୍ବିତ ଯୋଗଦାନ କାହିଁକି ଯଥାର୍ଥ ତାହା ଓ. ଏମ୍. ୫୭୧୧/୫.୨.୧୯୮୦ରେ ଆବଶ୍ୟକୀୟ ସମସ୍ତ ଦସ୍ତାବିଜ ସହ ପଇଠ କରିବେ ଏବଂ କେବଳ ସେତିକି ନୁହଁ, ସେ ସମସ୍ତ ଦସ୍ତାବିଜକୁ ସମ୍ପୁର୍ଣ୍ଣ ଯତ୍ନ ଓ ନିୟମନିଷ୍ଠତା ସହ ଯାଞ୍ଚ କରାଯାଇ ତାହା ଠିକ୍ ଥିବା ହେତୁ ଯୋଗଦାନ ସମୟର ପରିବର୍ଦ୍ଧନ ପାଇଁ ସୁପାରିଶ କରାଯାଇଥିବା ଲିଖିତ ଭାବେ ପ୍ରମାଣୀକୃତ ବି କରିବେ । ଏହି ନିର୍ଦ୍ଦେଶନାମାର ଆବଶ୍ୟକୀୟ ଅଂଶ ଉଦ୍ଦୃତ୍ତ ହେଲା –

The Administrative Departments are, therefore, requested to scrupulously follow the instruction contained in Finance Department O.M.No.5711 dt.5.2.80 refered to above and furnish proposal to the Finance Department ffor sanction of joining time beyond 60 days with supporting documents in respect of each item as enumerated therein. While submitting the proposal the recommending authority may give a Certificate as under.

“Certified that instructions contained in Finance Department O.M.No.5711 dt. 5.2.80 have been  scrupulously followed and supporting documents have been furnished in support of the issue in question.”

ସୂର୍ଯ୍ୟ ନାରାୟଣ ମହାପାତ୍ର ନାମକ ଜଣେ ଦୁର୍ନୀତିପ୍ରବଣ ତଳିଆ ପଦଧିକାରୀଙ୍କ ଖଳବୁଦ୍ଧିର ଉପଯୋଗ କରି ଉଚ୍ଚ ଶିକ୍ଷା ବିଭାଗର ନିୟନ୍ତାମାନେ ସିନା ମାନସୀ ଷଡଙ୍ଗୀ ନିଜ ଆଡ଼ୁ ଅନୁପସ୍ଥିତ ନଥିଲେ, ବରଂ ତାଙ୍କୁ ନିକମା କରି ରଖା ହୋଇଥିଲା ବୋଲି ଗାଲୁକଳ୍ପ ସହାୟତାରେ ପିଛିଲା ବେତନ ପାଇଁ ତାଙ୍କର ହକ୍ ସୃଷ୍ଟି କରାଇଥିଲେ, କିନ୍ତୁ ଅର୍ଥ ବିଭାଗର ଉପରୋକ୍ତ ନିର୍ଦ୍ଦେଶ ମୁତବକ ଏପରି ଏକ ସାର୍ଟିଫିକେଟ ଦେବା ଶାସନ ସଚିବଙ୍କ ପକ୍ଷେ ସମ୍ଭବ ନ ଥିଲା । ତେଣୁ ବହୁ ଭାବିଛିନ୍ତି ଓଡ଼ିଶା ହାଇକୋର୍ଟଙ୍କୁ ମୋହରା (ପଶାପାଲିର ଗୋଟି) ବନାହୋଇଥିଲା ମାନସୀଙ୍କ ଟିଟ୍ ମାମଲାରେ । ତଦନୁଯାୟୀ ୧୮.୭.୨୦୧୮ର ଆଦେଶକୁ ପ୍ରଶ୍ନାତୀତ କରି ରଖି ୨୨.୬.୨୦୧୫ର ଆଦେଶକୁ ରଦ୍ଦ କରିବାକୁ ରିଟ୍ ଦାଖଲ ହୋଇଥିଲା । ତହିଁରେ ପ୍ରତିପକ୍ଷ ଥାଇ ମଧ୍ୟ ଶାସନ ସଚିବ ମୁହଁ ଖୋଲି ନଥିଲେ । ଯୋଜନା ମୁତାବକ ସେହି ମାମଲାରେ ନିର୍ବିବାଦ ଶୁଣାଣି ଆରମ୍ଭ ହେବା ପରେ, ସରକାରଙ୍କର ଯେହେତୁ ଆପତ୍ତି ନାହିଁ , ସେହେତୁ ନିର୍ଦ୍ଦିଷ୍ଟ ସମୟ ଭିତରେ ଆପତ୍ତିର ସମାଧାନ କରିବାକୁ ସଚିବଙ୍କୁ କୁହାଯାଉ ବୋଲି କହି ହାଇକୋର୍ଟଙ୍କୁ ପ୍ରବର୍ତ୍ତା ଯାଇଥିଲା ମାମଲାଟିକୁ ଶିକ୍ଷା ସଚିବଙ୍କ ପାଖକୁ ପଠାଇଦେବା ପାଇଁ ଓ ତାହା ହୋଇଥିଲା । ଏତଦ୍ଦ୍ଵାରା ଶିକ୍ଷା ସଚିବ ଯେଉଁ ଆଦେଶ ଦେବେ ତାହା ହାଇକୋର୍ଟଙ୍କ ଦ୍ଵାରା ଅଧିକୃତ ଆଦେଶ ବୋଲି ବିଚାରି ଅର୍ଥ ବିଭାଗ ତାହାକୁ ଅନୁମୋଦିତ କରିବେ ବୋଲି ସୁନିଶ୍ଚିତ ଥିଲେ ମାନସୀ ଓ ଶିକ୍ଷା ସଚିବ । ତେଣୁ ଜାଣିଶୁଣି ସେମାନେ ରାଜକୋଷ ଲୁଟ ପାଇଁ ହାଇକୋର୍ଟଙ୍କୁ ସେମାନଙ୍କ ପଶାପାଲିର ଗୋଟି ବନାଇଥିଲେ ଓ ସେମାନଙ୍କ ଚକ୍ରାନ୍ତ ବୁଝି ନପାରି ଓଡ଼ିଶା ହାଇକୋର୍ଟ ମଧ୍ୟ ୩.୪.୨୦୧୮ରେ ମାମଲାଟିକୁ ହସ୍ତାନ୍ତର କରିଦେଇଥିଲେ ଶିକ୍ଷା ସଚିବଙ୍କୁ, ଯିଏ ମାନସୀଙ୍କ “ହିତ ପାଇଁ” ବିବାଦିତ ଆଦେଶର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଭାବନାକୁ ନିଶ୍ଚିହ୍ନ କରାଯାଇଥିବା ସ୍ଵୀକାର କରିଛନ୍ତି । ମାନସୀଙ୍କ ରିଟ୍ ମାମଲାକୁ ପୁନରୁଜ୍ଜୀବିତ କରି ହାଇକୋର୍ଟ ଯଦି ତାର ବିଧିବଦ୍ଧ ବିଚାର ନକରନ୍ତି, ତେବେ ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ଉଚ୍ଚ ଶିକ୍ଷା ସଚିବ ଓ ମାନସୀ ଷଡଙ୍ଗୀଙ୍କ ପଶାପାଲିର ଗୋଟି ବନିଥିବା ଆଶଙ୍କା ବଳବତ୍ତର ହେବ ।

ଅପରାଧିକ ଷଡ଼ଯନ୍ତ୍ର ,ବିଶ୍ଵାସଘାତକତା ଓ ଦୁର୍ନୀତି

ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ପ୍ରୟୋଗ କରି ତାଙ୍କୁ ବିଶ୍ଵାସଘାତକ ଜାଗିରି  ସ୍ୱରୂପ ମାନସୀଙ୍କ ଚାକିରି ଉପହାର ଦିଆ ହୋଇଥିବା ହେତୁ ଓ ଏହି ଉପହାର ଦେବା ପାଇଁ ସବୁ ନିୟମକାନୁନର ସମ୍ପୂର୍ଣ ଉଲ୍ଲଂଘନ କରାହୋଇଥିବା ହେତୁ ରାଜ୍ୟପାଳ ହସ୍ତକ୍ଷେପ କରନ୍ତୁ ବୋଲି ମୁଁ ଦେଇଥିବା ଚିଠି ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳଙ୍କ ଆଦେଶ ଅବଶ୍ୟ ଓଡ଼ିଶା ରାଜକୋଷରୁ ପ୍ରାୟ ଦେଢକୋଟି ଟଙ୍କାର ଲୁଣ୍ଠନ ( ଅର୍ଥ ବିଭାଗ ଭାଷାରେ idle salary)  ଅଟକାଇ ଦେଇ ପାରିଲା , ମାତ୍ର ଗର୍ହାଜିରା ପୂର୍ବରୁ ଅଡ଼ଶପୁର କଲେଜରେ ମାସିକ ୮,୯୦୦ ଟଙ୍କା ବେତନ ପାଇଥିବା ମାନସୀ ଷଡଙ୍ଗୀ ବାଲିପାଟଣା କଲେଜରେ ଯୋଗ ଦେଇ ତାର ୫ ଗୁଣରୁ ଅଧିକ (ପ୍ରାୟ ଅଧ ଲକ୍ଷ ) ଟଙ୍କା ସର୍ବନିମ୍ନ ହାରରେ ଦରମା ବାବଦକୁ ପ୍ରତିମାସରେ ପାଉଛନ୍ତି, ଯାହା ଆମ ରାଜକୋଷର କ୍ରମାଗତ ଲୁଣ୍ଠନ ଭାବେ ବିବେଚ୍ୟ । ତେଣୁ ଏହା ହିଁ କୁହାଯିବା ଯଥାର୍ଥ ଯେ, ଆମ ରାଜକୋଷ ଲୁଣ୍ଠନରେ ମାନସୀ ଷଡଙ୍ଗୀଙ୍କ ସହ ଉଚ୍ଚ ଶିକ୍ଷା ବିଭାଗର ତଦାନୀନ୍ତନ ଅନୁଶାସନ ସଚିବ ସୂର୍ଯ୍ୟ ନାରାୟଣ ମହାପାତ୍ର, ଅତିରିକ୍ତ ଶାସନ ସଚିବ କୃପାସିନ୍ଧୁ ମିଶ୍ର, ଶାସନ ସଚିବ ବିଷ୍ଣୁପଦ ସେଠୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍. ବାଳକୃଷ୍ଣନ୍, ଓ ବର୍ତ୍ତମାନର ଶାସନ ସଚିବ ଶାଶ୍ଵତ ମିଶ୍ର ତଥା ସେତେବେଳର ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଏକତ୍ର ଓଡ଼ିଶା ରାଜକୋଷର ଲୁଣ୍ଠନ ପାଇଁ ଅପରାଧିକ ଷଡଯନ୍ତ୍ରରେ ଲିପ୍ତ ଓ ସେମାନେ ସମସ୍ତେ ବେତନପ୍ରାପ୍ତ ଲୋକସେବକ ସେବକ ହୋଇଥିବା ହେତୁ ଓଡ଼ିଶାର ଲୋକଙ୍କ ପ୍ରତି ବିଶ୍ଵାସଘାତକତା କରିଥିବା ଅପରାଧରେ ଅପରାଧୀ । ଏହା ମଧ୍ୟ ସେମାନଙ୍କ ଯୌଥ ଦୁର୍ନୀତି ପର୍ଯ୍ୟାୟଭୁକ୍ତ । ଭାରତୀୟ ଦଣ୍ଡ ସଂହିତାଡ଼ ୧୨୦ଖ, ୪୦୯, ୫୧୧ ଆଦି ଦଫାରେ ଏହି ସମସ୍ତେ ଦଣ୍ଡନୀୟ । ଅଧିକନ୍ତୁ ଏମାନଙ୍କ ପାଇଁ ଦୁର୍ନୀତି ନିବାରଣ ଆଇନର ୭(ଗ) , ୭କ ଓ ୮(୧) ଆଦି ଧାରା ବି ପ୍ରଯୁଜ୍ୟ, ଯେହେତୁ ୧୮.୭.୨୦୧୮ ତାରିଖର ଆଦେଶରେ ଗାଲୁକଳ୍ପ ପ୍ରୟୋଗ କରି ମାନସୀ ଷଡଙ୍ଗୀଙ୍କ ନଥିକୁ ତାଙ୍କ ସ୍ଥାୟୀ ଆୟପନ୍ଥା ଆଡ଼କୁ ମୁହାଁଇ ନେଇଥିବା ଅନୁଶାସନସଚିବ ସୂର୍ଯ୍ୟ ନାରାୟଣ ମହାପାତ୍ର ଓ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କୁ ଏକା ମୁଖ୍ୟମନ୍ତ୍ରୀଙ୍କ ରାଜୁତିରେ ଉପର ପାହ୍ୟାକୁ ପଦୋନ୍ନତି ଦିଆ ଯାଇଛି ଓ ପଦୋନ୍ନତି ଆଶାରେ ସେମାନେ ଏପରି ଦୁର୍ନୀତିମୂଳକ କାମ କରିଥିବାର ଆଶଙ୍କା କରାଯାଉଛି ।

ମାନସୀଙ୍କ ରିଟ୍ ମାମଲା ପୁନର୍ଜୀବିତ ହେଉ

ଏହି ସବୁ ଅପରାଧରେ ଜଡ଼ିତ ଥିବା ଉପରନାମିତ ସମସ୍ତ  ପଦଧିକାରୀ ଅନୁଭୂତି ସମ୍ପନ୍ନ କର୍ମଚାରୀ ଓ ପ୍ରଶାସନିକ ବିଧିବ୍ୟବସ୍ଥା ସମ୍ପର୍କରେ ଅଭିଜ୍ଞ । ସେମାନେ ପ୍ରଚୁର ଚାପ କବଳରେ ପଡ଼ି ନଥିଲେ, ଜଣେ ନିର୍ଦ୍ଦିଷ୍ଟ ମହିଳାଙ୍କ ପାଇଁ ଏତେଗୁଡ଼େ ବେଆଇନ କାମ କାହିଁକି କରିଥାନ୍ତେ? ଏହି ପ୍ରଶ୍ନର ଉତ୍ତର ପାଇବାରେ ଓଡ଼ିଶା ହାଇକୋର୍ଟ ଆମକୁ ସାହାଯ୍ୟ କରନ୍ତୁ , କାରଣ ଏପରି ଅପରାଧିକ ପଦକ୍ଷେପ ନେଇ ଏହି ବ୍ୟକ୍ତିମାନେ ତାକୁ କାର୍ଯ୍ୟକାରୀ କରିବା ପାଇଁ, ପୂର୍ବ ଆଲୋଚନାମତେ, ହାଇକୋର୍ଟଙ୍କୁ ମୋହରା ବନାଇଥିବା ଦୃଶ୍ୟମାନ ହେଉଛି । ହାଇକୋର୍ଟଙ୍କ ସମ୍ମାନ ଦୃଷ୍ଟିରୁ ମାନସୀଙ୍କ ରିଟ୍ ମାମଲା ପୁନର୍ଜୀବିତ ହେବା ଦରକାର ଓ ତହିଁରେ ନିଜ ପକ୍ଷ ରଖିବାକୁ ଉଚ୍ଚ ଶିକ୍ଷା ସଚିବଙ୍କୁ ତଥା ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ବାଧ୍ୟ କରାଯିବା ଦରକାର । ଭାଷା ଆନ୍ଦୋଳନକୁ ଛୁରୀ ମାରିବା ପାଇଁ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯେଉଁ ଅଘୋଷିତ ବିଶ୍ଵାସଘାତକ ଜାଗିରି ଦେଇଛନ୍ତି , ତାହାର ସମ୍ପୂର୍ଣ ବିବସ୍ତ୍ରୀକରଣ ପାଇଁ ମାନସୀଙ୍କ ଟିଟ୍ ମାମଲାର ପୁନର୍ଜୀବନ ଅପରିହାର୍ଯ୍ୟ  । (କ୍ରମଶଃ)

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.