ଭାଷା ଆଇନରେ ଜାଲିଆତି: ପ୍ରାମାଣିକ ପୁସ୍ତକ ‘ଭର୍ତ୍ସନୀୟ ବିଧାନସଭା’ ଲୋକାର୍ପିତ

ନ୍ଯୁଜ ସିଣ୍ଡିକେଟ୍

ଓଡ଼ିଶା ରାଜ୍ଯଭାଷା ଆଇନ, ୧୯୫୪ (The Orissa Official Language Act, 1954)କୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ତହିଁରେ  ଅପସଂଶୋଧନ କରି ତାକୁ ଅକର୍ମଣ୍ୟ କରିଦିଆଯାଇଛି ଓ ଏହା କରିବା ପାଇଁ ବିଧାନ ପ୍ରଣଯନ ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଲିଆତି ପ୍ରୟୋଗ କରିଛନ୍ତି । ଏହାର ପ୍ରାମାଣିକ ପୁସ୍ତକ – ‘ଭର୍ତ୍ସନୀୟ ବିଧାନସଭା – ଜୁଲାଇ ୧୭ ସନ୍ଧ୍ୟା ୭ଟାରେ ଲୋକାର୍ପିତ କରିଛନ୍ତି ପୁସ୍ତକର ଲେଖକ ସୁଭାଷ ଚନ୍ଦ୍ର ପଟ୍ଟନାୟକ ସାମାଜିକ ଗଣମାଧ୍ୟମ ଫେସବୁକ୍ ମଞ୍ଚରେ ସିଧା ପ୍ରସାରଣ ଶୈଳୀରେ । 

ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ପାଇଁ  ୧୯୫୪ରୁ ଆଇନ ଥିଲେ ମଧ୍ୟ ଇଂରାଜୀମାନସ୍କ୍କ ଲୋକେ କ୍ଷମତାରେ ରହି ଅତି ଅବୈଧ ଭାବେ ଇଂରାଜୀକୁ ହିଁ  କାର୍ଯ୍ୟାଳୟର ଭାଷା ବନାଇରଖିଛନ୍ତି ଓଡ଼ିଶାରେ ।  ଏହି ଆଇନର ଆଜନ୍ମ ଦୁର୍ବଳତା ଦୂରକରି ଏହାକୁ ଅଲଙ୍ଘ୍ଯ କରିବା ପାଇଁ ଏଥିପାଇଁ ଗଠିତ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ଶ୍ରୀ ପଟ୍ଟନାୟକ ୨୦୧୫ରେ ଆବଶ୍ୟକୀୟ ଆଇନ ସଂଶୋଧନର ପ୍ରସ୍ତାବ ଦେଇଥିଲେ । ଯେହେତୁ ସେହି ପ୍ରସ୍ତାବରେ ଆଇନ ଉଲଙ୍ଘନକାରୀକୁ ଦଣ୍ଡବିଧାନ ଅନ୍ତର୍ଭୁକ୍ତ ଥିଲା, ସେହେତୁ ତାହାକୁ ଆଲିଆଗଡକୁ ଫିଙ୍ଗିଦେଇଥିଲେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀସ୍ତରୀୟ କମିଟିକୁ ପବନରେ ଉଡାଇ ଦେଇଥିଲେ । ଏହାର ପ୍ରତିବାଦରେ ଶ୍ରୀ ପଟ୍ଟନାୟକ ପ୍ରତିଷ୍ଠା କରିଥିଲେ ଭାଷା ଆନ୍ଦୋଳନ ଓ ମୁଖ୍ୟମନ୍ତ୍ରୀଙ୍କ ଷଡଯନ୍ତ୍ର ସମ୍ପର୍କରେ ଜନାବଗତି ତଥା ଜନସାଧାରଣଙ୍କ ଭାଷା ଅଧିକାର ପ୍ରାପ୍ତି ପାଇଁ ଜନଜାଗୃତି ଉଦ୍ଦେଶ୍ୟରେ ତାଙ୍କ ଉଦ୍ଭାବିତ ‘ନୀରବ କଳାପତାକା ଅଭିଯାନ’ ଆଂଦୋଳନର କ୍ରିୟାତ୍ମକ ଅବେଗରେ ଆଗେଇଚାଲିଲା । 

ଏହି ଅଭିଯାନ ପ୍ରଭାବରୁ ମୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ଆଇନ ସଂଶୋଧନର କୁଝ୍ହଟିକା ତିଆରି କରି ଆଇନଟିର ଅପସଂଶୋଧନ କରିଛନ୍ତି ଓ ଏଥିପାଇଁ ବିଧାନ ପ୍ରଣୟକ ପ୍ରକ୍ରିୟାରେ ଜାଲିଆତି ପ୍ରୟୋଗ କରିଛନ୍ତି । 

ପୁସ୍ତକଟିକୁ ଲୋକାର୍ପିତ କରି ଶ୍ରୀ ପଟ୍ଟନାୟକ ଏଥିର  ସୂଚନା ଦେଇ  କହିଥିଲେ ଯେ, ତାଙ୍କ ପ୍ରସ୍ତାବ ଅନୁରୂପେ ଆଇନ ବିଭାଗ ଆଇନତଃ ପ୍ରସ୍ତୁତ କରିଥିବା  ଚିଠା ସଂଶୋଧନ-ବିଧେୟକକୁ ନଥିରୁ ଗାୟେବ କରି ତା ସ୍ଥାନରେ ଜାଲିଆତିପ୍ରସୂତ ଚିଠା ବିଧେୟକ ରଖି ବିଧାନସଭାରେ ଭାଷା ଆଇନର ଭୁଲ ସଂଶୋଧନ କରାଯାଇଛି ଏବଂ ଏପରି ବିଧାୟକୀୟ ଦୁରାଚାର ସମ୍ପର୍କରେ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ଯଙ୍କୁ ତଥା ବିଧାନସଭାର ସମସ୍ତ ସଦସ୍ଯକୁ ଲିଖିତରୂପେ ସେ ଆଗୁଆ ସୂଚନା ଦେଇଥିଲେ ମଧ୍ୟ ପଞ୍ଚଦଶ ବିଧାନସଭାର ସଦସ୍ୟମାନେ ନିଜ ନିଜର ବିଧାୟକୀୟ ବିଜ୍ଞତା ପ୍ରୟୋଗ କରିବାରୁ ନିବୃତ୍ତ ରହିଯିବା ହେତୁ ଓଡ଼ିଶା ରାଜ୍ଯଭାଷା ଆଇନ ଅକର୍ମଣ୍ୟ ହୋଇଯାଇଛି । 

ଜନସାଧାରଣଙ୍କ ସ୍ଵାର୍ଥ ରକ୍ଷା ପାଇଁ ବିଧାନ ପ୍ରଣୟନ  ହିଁ ବିଧାନସଭାର ଦାୟିତ୍ଵ । ଯେଉଁ ବିଧାନସଭା ଏହି ଦାୟିତ୍ଵ ନିର୍ବାହ ନକରେ ତାହା ଭର୍ତ୍ସନାଯୋଗ୍ୟ । ସେହେତୁ ଓଡ଼ିଶାର ପଞ୍ଚଦଶ ବିଧାନସଭା ଭର୍ତ୍ସନୀୟ ବୋଲି  କହିଥିଲେ ଶ୍ରୀ ପଟ୍ଟନାୟକ । 

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.