ଏହି କୁଶାସନ ଯେତେଶ୍ରୀଘ୍ର ପ୍ରତ୍ୟାଖାତ ହୁଏ , ରାଜ୍ୟ ପାଇଁ ସେତେ ମଙ୍ଗଳ: ସୂଚନା ଅଧିକାର ଅଭିଯାନ

ଓଡ଼ିଶା ରାଜ୍ୟ ସୂଚନା ଅଧିକାର ଅଭିଯାନର ମୁଖ୍ୟ ପ୍ରଦୀପ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଓଡ଼ିଆଭାଷାମାରଣ ଆଚରଣର ଏକ ଲେଲିହାନ ଦୃଷ୍ଟନ ଦେଇ “ଏହି କୁଶାସନକୁ ଯେତେଶ୍ରୀଘ୍ର ପ୍ରତ୍ୟାଖାତ କରାଯିବ, ରାଜ୍ୟ ପାଇଁ ସେତେ ମଙ୍ଗଳ” ବୋଲି କହିଛନ୍ତି । ତାଙ୍କ ବିବୃତ୍ତିକୁ ନିମ୍ନରେ ଦିଆଗଲା ।  

ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷାକୁ ବହୁତ ଭଲ ପାଆନ୍ତି ଓ ରାଜ୍ୟରେ ଓଡ଼ିଆ ଭାଷାରେ ଶାସନ ବ୍ୟବସ୍ଥା କୁ ସେ ତ୍ଵରାନ୍ବିତ କରିଛନ୍ତି , ଏହି କଥା ବାରମ୍ବାର ବିଭିନ୍ନ ଗଣ ମାଧ୍ୟମରେ ପ୍ରଚାର ହୋଇଛି । ଏହା ମଧ୍ୟ ପ୍ରଚାର ହୋଇଛି ଯେ ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି । 2018 ମସିହାରେ ଏହି ଘୋଷଣା ହୋଇ ପୁରୀ ଜିଲ୍ଲାର ସତ୍ୟବାଦୀରେ ଶୁଭ ଦିଆଯାଇଥିଲେ ମଧ୍ୟ , ଏ ପର୍ଯ୍ୟନ୍ତ ଏହାର ରୂପରେଖ କିଛି ନାହିଁ ।

ସାଧାରଣତଃ ଗୋଟିଏ ଭାଷାକୁ କିପରି ଗୁରୁତ୍ୱ ଦିଆଯାଏ , ତାହା ରାଜ୍ୟର ଶିକ୍ଷାଦାନ ବ୍ୟବସ୍ଥା ରେ ବୁଝିହୁଏ । ଅର୍ଥାତ ସ୍କୁଲ, କଲେଜ ଓ ବିଶ୍ୱ ବିଦ୍ୟାଳୟ ରେ ଭାଷାକୁ ଗୁରୁତ୍ୱ , ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି , ପର୍ଯ୍ୟାପ୍ତ infrastructure ବ୍ୟବସ୍ଥା , ଭାଷାର ବିକାଶ ପାଇଁ ଗବେଷଣା ଇତ୍ୟାଦି ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଏ ।

ମୁଖ୍ୟମନ୍ତ୍ରୀ କିପରି ଓଡ଼ିଆ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ଏବଂ ବିଭିନ୍ନ ମହା ବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ରେ କେତେ ଅଧ୍ୟାପକ ଓ ପ୍ରଫେସର ଅଛନ୍ତି , ଓଡ଼ିଆ ଚେୟାର କିପରି କାମ କରୁଛି , ଏହାର ତଥ୍ୟ ସୂଚନା ଆଇନରେ ମଗାଯାଇଥିଲା । ଏହି ତଥ୍ୟରୁ ଜଣାପଡିଥିଲା ଯେ, ବିଭିନ୍ନ ମହା ବିଦ୍ୟାଳୟ ଓ ବିଶ୍ଵ ବିଦ୍ୟାଳୟ ରେ ଏକାଧିକ ଅଧ୍ୟାପକ ଓ ପ୍ରଫେସର ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ିଛି । ଏ ସମ୍ପର୍କରେ ମୁଁ ଆଗରୁ ଲେଖିଥିଲି ।

କିନ୍ତୁ ଏ ସମ୍ପର୍କରେ ଆଉ ଏକ ତଥ୍ୟ ମୋତେ ଅଧିକ ହତୋତ୍ସାହ କରିଛି । ରାଜ୍ୟ ସରକାର କିପରି ମିଛ ପ୍ରଚାର କରି ରାଜ୍ୟବାସୀ ଭୁଆଁ ବୁଲାଉଛନ୍ତି , ଏହା ଦିନକୁ ଦିନ ସ୍ପଷ୍ଟ ହେବାରେ ଲାଗିଛି ।

ସୂଚନା ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ, ରମା ଦେବୀ ବିଶ୍ୱ ବିଦ୍ୟାଳୟ ରେ ଓଡ଼ିଆ ପ୍ରଫେସର ପଦବୀ -୧ , Associate Professor ପଦବୀ -୨ ଓ Assistant Professor ପଦବୀ -୩ ଅଛି । କିନ୍ତୁ ଦୀର୍ଘ ବର୍ଷ ଧରି Professor ଓ Associate Professor ପଦବୀ ଖାଲି ପଡ଼ିଛି । କିନ୍ତୁ ୫ଟିAssistant Professor ପଦବୀରୁ ମାତ୍ର ଜଣେ ଅଛନ୍ତି । ଓଡ଼ିଆ ଭାଷା କିପରି ପଢ଼ା ହେଉ ଥିବ ସ୍ପଷ୍ଟ ଅନୁମେୟ । 

ସେହିପରି ରମାଦେବୀ କଲେଜରେ ୫ ଟି ଅଧ୍ୟାପକ ପଦବୀ ଅଛି । 2018 ମସିହାରୁ ୩ ଟି ପଦବୀ ଖାଲି , 2019ରେ ଗୋଟିଏ ପଦବୀ ଖାଲି ଓ 2021 ରୁ ଗୋଟିଏ ପଦବୀ ଖାଲି ଅର୍ଥାତ ସମସ୍ତ ପଦବୀ ଖାଲି । ଓଡ଼ିଆ ଶିକ୍ଷାଦାନ କିପରି ଚାଲୁଥିବ ଓ ଛାତ୍ରଛାତ୍ରୀ ମାନେ କିପରି ପଢୁଥିବେ , ଏହା ସ୍ପଷ୍ଟ ଅନୁମେୟ ।

ଗୋଟିଏ ପଟେ କଲେଜ ଓ ବିଶ୍ଵ ବିଦ୍ୟାଳୟ ରେ ଓଡ଼ିଆ ଭାଷା କୁ systematically ବରବାଦ କରି ଆମ୍ଭକୁ କିପରି ଓଡ଼ିଆ ବିଶ୍ୱ ବିଦ୍ୟାଳୟ ସ୍ଥାପନ ର କଥା କହି ଭ୍ରମିତ କରାଯାଉଛି , ଏହା ସମସ୍ତ ଭାଷାପ୍ରେମୀ ବୁଝିବା ଆବଶ୍ୟକ ।

ନବୀନଙ୍କ ଶାସନରେ ରାଜ୍ୟର ଅର୍ଥନୀତି , ପ୍ରଶାସନିକ ବ୍ୟବସ୍ଥା ଯେ ଭୁଶୁଡିପଡିଛି ତାହା ନୁହେଁ , ଓଡ଼ିଆ ଭାଷା ମଧ୍ୟ ବରବାଦ । ଏହି କୁଶାସନ କୁ ଯେତେଶ୍ରୀଘ୍ର ପ୍ରତ୍ୟାଖାତ କରାଯିବ , ରାଜ୍ୟ ପାଇଁ ସେତେ ମଙ୍ଗଳ ।