ମୁଁ ତମ ପଛ ଆଉଁସୁଛି, ତମେ ମୋ ପଛ ଆଉଁସ: The Intellectsର “ପ୍ରବାସୀ ଭାଷା ସମ୍ମାନ -୨୦୨୧”

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୁଁ ତମ ପଛ ଆଉଁସୁଛି, ତମେ ମୋ ପଛ ଆଉଁସ । ଯେଉଁ ଇଂରାଜୀ ଅପଭାଷା (slang)ରୁ ମୁଁ ଏହା ଆମଦାନୀ କରିଛି, ତାର ଆକ୍ଷରିକ ଅର୍ଥ ମୁଁ ଦେଇପାରୁନି, କାରଣ ତାହା ମୋ ବିଚାରରେ ଅତି ଅଶ୍ଳୀଳ । ମୁଁ କିନ୍ତୁ ଯାହା ଲେଖିବାକୁ ଯାଉଛି ତାହା ଏହି ଅବଧାରଣା ଉପରେ ଆଧାରିତ ।

ଦିଲ୍ଲୀରେ ଥିବା The Intellects ନାମକ ଗୋଷ୍ଠୀର ଅଧ୍ୟକ୍ଷ ଶ୍ରୀ ଦେବେନ୍ଦର ନାଥ ରାଉତ (Debendera Nath Rout)ଙ୍କଠାରୁ ମୁଁ ଏକ ପତ୍ର ପାଇଛି ଯହିଁରୁ ଜଣାଯାଏ – “ଓଡ଼ିଆ ଭାଷା ପ୍ରତି ପ୍ରତିବଦ୍ଧିତ” ହୋଇଥିବା ହେତୁ “ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦ୍ୟୁମ୍ନ ଶତପଥି”ଙ୍କୁ “ପ୍ରବାସୀ ଭାଷା ସମ୍ମାନ -୨୦୨୧” ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି । ସଂଗଠନର ଅଧ୍ୟକ୍ଷ ଶ୍ରୀ ଦେବେନ୍ଦର ନାଥ ରାଉତଙ୍କ ଆବାହକତ୍ଵରେ ଡଃ ଭଗବାନ ପ୍ରକାଶ, ଶ୍ରୀ ଅମରେନ୍ଦ୍ର ଖଟୁଆ ଓ ପ୍ର.ଉଦୟନାଥ ସାହୁଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀ ଏହି ଚୟନ କରିଛନ୍ତି ଓ ବିଶ୍ଵ ଓଡିଆ ସଂସ୍ଥାନ ତଥା ଓଡିଆ ସୋସାଇଟି ଅଫ ଆମେରିକାର ଅଧ୍ୟକ୍ଷା ଶ୍ରୀମତୀ କୁକୁ ଦାସ, ଦିଲ୍ଲୀ ବିଶ୍ଵବିଦ୍ୟାଳୟର ପ୍ରାଧ୍ୟାପିକା ଡଃ ସୁବାସିନୀ ବାରିକ ଓ ସଂଗଠନର ସମ୍ପାଦକ ଶ୍ରୀ ଶ୍ୟାମାନୁଜ ଦାସଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆ ହୋଇଛି । ଏହି ଚୟନକାରୀମାନଙ୍କ ମଧ୍ୟରେ ଏପରି କିଛି ବ୍ୟକ୍ତି ଅଛନ୍ତି ଯାହାଙ୍କ ଚରିତ୍ର ପ୍ରଶ୍ନାତୀତ ନୁହେଁ । ଭବିଷ୍ୟତରେ ତାହା ଆଲୋଚିତ ହେବ ।

ମାତ୍ର ଯେଉଁମାନେ ଏପରି ସମ୍ମାନ ପ୍ରଦାନର ବ୍ୟବସାୟ ଚଳାଇଛନ୍ତି, ସେମାନେ ଓଡ଼ିଆ ଭାଷା ନାମରେ ଏ ବ୍ୟବସାୟ କଲାବେଳେ ଭାଷାକୁ କ୍ଷତି ପହଞ୍ଚାଇଥିବା କୌଣସି ବ୍ୟକ୍ତିକୁ “ଭାଷା ପ୍ରତି ପ୍ରତିବଦ୍ଧିତ” ବୋଲି କହି ସମ୍ବର୍ଦ୍ଧନା ଜଣାଇବା ଓଡ଼ିଆ ଜାତିର ଜାତୀୟ ଅସ୍ମିତା ଉପରେ ଯେ ଅତ୍ୟନ୍ତ କୁତ୍ସିତ ପଦାଘାତ, ତାହା ପ୍ରଶ୍ନାତୀତ ।

ଏହି ସମ୍ମାନ ଘୋଷଣା ପ୍ରେକ୍ଷାପଟରେ ଓଡ଼ିଆ ଭାଷାର ଗୋଛି କାଟୁଥିବା ଅଣଓଡ଼ିଆମାନେ ପରସ୍ପରକୁ ନିଶ୍ଚୟ ମଉଜମଉଜରେ କହୁଥିବେ : “ହେଇରେ ଦେଖ, ଓଡ଼ିଆ ଭାଷା ଆନ୍ଦୋଳନକୁ ସରକାରଙ୍କ ସୁପାରି ଖାଇ ଯିଏ ଛୁରୀ ମାରିଲା, ଦିଲ୍ଲୀ ଓ ବିଦେଶବାସୀ ପଲେ ଓଡ଼ିଆ ତାକୁ ଭାଷା ପାଇଁ ପ୍ରତିବଦ୍ଧତା କାରଣରୁ ସମ୍ମାନିତ କରୁଛନ୍ତି !” ଲଜ୍ଜା ! ଲଜ୍ଜା ! ଲଜ୍ଜା !

ଆମ ଭାଷାରେ ଆମ ରାଜ୍ୟ ପରିଚାଳନା ପାଇଁ ମୁଁ ଦେଇଥିବା ଆଇନ ସଂଶୋଧନ ପ୍ରସ୍ତାବ ଅନୁଯାୟୀ ବିଧେୟକ ପ୍ରସ୍ତୁତ କରିବାକୁ ରାଜ୍ୟ ମନ୍ତ୍ରୀମଣ୍ଡଳ ୧୪.୩.୨୦୧୮ ତାରିଖରେ ନିଷ୍ପତ୍ତି ନେଲା ପରେ ସେହି ପ୍ରସ୍ତାବ ଅନୁସାରେ ପ୍ରସ୍ତୁତ ଚିଠା ବିଧେୟକକୁ  ହଡଫ କରି ଏକ ଚିଠା ବିଧେୟକ ତା ସ୍ଥାନରେ ରଖି ୧.୫.୨୦୧୮ ତାରିଖରେ ସେହି ଜାଲ୍ ବିଧେୟକକୁ ସଂଖ୍ୟାଗରିଷ୍ଠତା ବଳରେ ପାରିତ କରାଇ ୪କ ନାମକ ଏପରି ଏକ କ୍ଷତିକାରକ ବ୍ୟବସ୍ଥା ଭାଷା ଆଇନରେ ଖଞ୍ଜିଦେଲେ ଆମ ମୁଖ୍ୟମନ୍ତ୍ରୀ ଯେ, ବିଧାନସଭା ତାଙ୍କ ବିରୁଦ୍ଧରେ ସ୍ଵାଧିକାର ଭଙ୍ଗ ବିଚାର କରୁବୋଲି ମୁଁ ସର୍ବ ସମ୍ମୁଖରେ ଦାବି କରିଥିଲି । ତେଣୁ, ଫୁଙ୍ଗୁଳା ହୋଇଯିବା ପୂର୍ବରୁ ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବା ପାଇଁ ସେ ଓ ତାଙ୍କ ଅଣଓଡ଼ିଆ ଅମଲାପଲ ଷଡ଼ଯନ୍ତ୍ର ଚଳାଇଲେ । ଭାଷା ଆନ୍ଦୋଳନର ଯେଉଁ କଳାପତାକାଧାରୀମାନେ ତାଙ୍କ ଥୋପ ଗିଳିଲେ, ସେମାନଙ୍କ ଅଗ୍ରଗଣ୍ୟ ଆତତାୟୀ ଥିଲେ ପ୍ରଦ୍ୟୁମ୍ନ ଶତପଥି ।

ସେ ମୋର ଜଣେ ପୁରୁଣା ବନ୍ଧୁ ଓ ପ୍ରଶଂସକ ଥିଲେ । ଏହି କାରଣରୁ ମୁଁ ତାଙ୍କୁ ମୋ ପ୍ରତିଷ୍ଠିତ ଭାଷା ଆନ୍ଦୋଳନର ସଭାପତି ପଦ ଦେଇଥିଲି । ଏହି ପଦବି ବ୍ୟବହାର କରି ଭାଷା ଆନ୍ଦୋଳନ ବନ୍ଦ ହୋଇଗଲା ବୋଲି ସେ ଘୋଷଣା କଲେ, ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଜାଲିଆତି କବଳରୁ ଆମ ଭାଷାମାଆକୁ ରକ୍ଷା କରିବା ପାଇଁ ଆମକୁ ଆନ୍ଦୋଳନର ଚରମ ପର୍ଯ୍ୟାୟ ଆରମ୍ଭ କରିବାର ଥିଲା । ଆମ ଭାଷା ପ୍ରତି ଏପରି ବିଶ୍ଵାସଘାତକତା ଓଡ଼ିଶା ଇତିହାସରେ କେବେ ବି ଘଟିନାହିଁ । ମୁଁ ଏହି ସମସ୍ତ ତଥ୍ୟ ରାଜ୍ୟପାଳଙ୍କ ସମ୍ମୁଖରେ ରଖିଲା ପରେ ସେ ପାଇବାକୁ ଯାଉଥିବା କୋଟିଏରୁ ଉର୍ଦ୍ଧ୍ଵ ଟଙ୍କା ଅବଶ୍ୟ ଅଟକିଥିଲା । ତହିଁର ଶେଷ ସ୍ଥିତି ଜାଣିବାକୁ ମୁଁ ରାଜ୍ୟପାଳଙ୍କୁ ଲେଖିଛି ।

ଭାଷା ଆନ୍ଦୋଳନକୁ ଛୁରୀ ମାରି ପ୍ରଦ୍ୟୁମ୍ନ ଶତପଥୀ ଅବୈଧ ଶୈଳୀରେ ହାତେଇଥିବା ପାରିବାରିକ ଅର୍ଥାଗମର ଯେଉଁ ତଥ୍ୟ ମୁଁ ରାଜ୍ୟପାଳଙ୍କୁ ଦେଇ ତାଙ୍କର ହସ୍ତକ୍ଷେପ ଚାହିଁଥିଲି, ତାହା ସେତେବେଳେ ମୋ ନଭମଞ୍ଚରେ ପ୍ରକାଶିତ ହୋଇ ଓଡ଼ିଆ ଜାତି ଭିତରେ ସୁବିସ୍ତୃତ ପ୍ରସାରିତ ହୋଇଥିଲା । ତାହାକୁ ମୁଁ ଏଠାରେ ସଂଯୁକ୍ତ କରୁଛି । ବିଶ୍ଵାସ କରୁଛି, The Intellects ପରି ଇଂରାଜୀ ପରିଚୟସମ୍ପନ୍ନ ଓଡ଼ିଆଗୋଷ୍ଠୀ ଏହା ଅନୁଧ୍ୟାନ କରିବେ ଓ ଏଥିରେ ଥିବା ଅଭିଯୋଗକୁ ପାରିବେ ଯଦି ଖଣ୍ଡନ କରିବେ । ତା ନହେଲେ, ଓଡ଼ିଆ ଭାଷାଜନନୀର ସୁପାରି-ଆତତାୟୀ ପ୍ରଦ୍ୟୁମ୍ନ ଶତପଥୀଙ୍କୁ “ଓଡ଼ିଆ ଭାଷା ପ୍ରତି ପ୍ରତିବଦ୍ଧିତ” ଘୋଷଣା କରିଥିବାରୁ ଓଡ଼ିଆ ଜାତି ପାଖରେ କ୍ଷମା ଭିକ୍ଷା କରିବେ ।

ତାଙ୍କୁ ଚୟନ କରିଥିବା ବ୍ୟକ୍ତିଙ୍କ ଭିତରେ ଡଃ ଭଗବାନ ପ୍ରକାଶ ଅଛନ୍ତି, ଯେ ଜଣେ ସୁବିଦିତ ଓଡ଼ିଆ । ଓଡ଼ିଶା ସରକାରୀ ଭାଷା ଆଇନର କାର୍ଯ୍ୟକାରୀତା ପାଇଁ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ମୋ ପରି ସେ ବି ଜଣେ ସଦସ୍ୟ ଥିଲେ । ଥରକ ପାଇଁ କମିଟି ବୈଠକରେ ଯୋଗ ଦେଇନଥିଲେ କି ସରକାରଙ୍କୁ କମିଟି ଜ୍ଞାତସାରରେ କୌଣସି ପରାମର୍ଶ ଦେଇନଥିଲେ । କିନ୍ତୁ ସେ ଜଣେ ଗଣ୍ୟମାନ୍ୟ ଓଡ଼ିଆ । ମୁଁ ଆଶା କରିବି, ଏପରି ଅବାଞ୍ଛିତ ସମ୍ମାନ ବାଣ୍ଟିବାରେ ତାଙ୍କ ହାତ ଥିବା ହେତୁ, ଏଠି ସଲଗ୍ନ ଲେଖାଟି ପାଠ କରି, ଏବଂ ଟଙ୍କା ପାଇଁ ଭାଷା ଆନ୍ଦୋଳନକୁ ଛୁରୀ ମାରିଛନ୍ତି ପ୍ରଦ୍ୟୁମ୍ନ ଶତପଥୀ : ମୁଖ୍ୟମନ୍ତ୍ରୀ ସଫେଇ ରଖନ୍ତୁ ଶୀର୍ଷକରେ ପ୍ରକାଶିତ ମୋର ୩୩ଟି ପ୍ରାମାଣିକ ନିବନ୍ଧ ପଢି ସେ ନିଜର ଭୁଲ ଅନୁଭବ କରିବେ ବା ନିଜ ଭୁଲ ସପକ୍ଷରେ ଯୁକ୍ତି ବାଢି ନିଜର ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରଖିବେ ।

ମନେ ରଖିବାକୁ ହେବ ଯେ, ସରକାରଙ୍କଠାରୁ ସୁପାରି ନେଇ ଭାଷା ଆନ୍ଦୋଳନକୁ ଛୁରୀ ମାରିଥିବା ପ୍ରଦ୍ୟୁମ୍ନ ଶତପଥୀଙ୍କୁ ଭାଷା ପାଇଁ ପ୍ରତିବଦ୍ଧତାର ସମ୍ମାନ ପ୍ରଦାନ କରିବା ଆମ ଭାଷା ସ୍ଵାର୍ଥରେ ଆଦୌ ଗ୍ରହଣୀୟ ନୁହେଁ । ଯଦି ଏଥିରେ ନାମିତ ଲୋକମାନଙ୍କର ଅଣୁ ପ୍ରମାଣେ ଭାଷାପ୍ରେମ ଥାଏ ଓ ପରମାଣୁ ପ୍ରମାଣେ ମୁଖଲଜ୍ଜା ଥାଏ, ଅଣଓଡ଼ିଆଙ୍କ ଆଖିରେ ଓଡ଼ିଆ ଜାତିକୁ ଉପହସିତ କରାଇବାର ଏହି କୁତ୍ସିତ କୌଶଳ ପ୍ରତ୍ୟାହୃତ ହେବ । ଏହା ଉପରେ କେହି ଯଦି ବିତର୍କ କରନ୍ତି ମୁଁ ସ୍ଵାଗତ କରିବି ।

ସମ୍ମାନ ପ୍ରଦାନ ଯଦି ମୁଁ ତମ ପଛ ଆଉଁସୁଛି, ତମେ ମୋ ପଛ ଆଉଁସର କଳାକୌଶଳ ହୁଏ, ଏ ଜାତି ପାଇଁ ତା’ଠୁ ବଳି ଲଜ୍ଜାକର ଆଉ କିଛି ବି ହେବନି ।