ଟଙ୍କା ପାଇଁ ଭାଷା ଆନ୍ଦୋଳନକୁ ଛୁରୀ ମାରିଛନ୍ତି ପ୍ରଦ୍ୟୁମ୍ନ ଶତପଥୀ : ମୁଖ୍ୟମନ୍ତ୍ରୀ ସଫେଇ ରଖନ୍ତୁ – ଶେଷ ଭାଗ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଅଡ଼ଶପୁର କଲେଜର ଶାସନ-ନିକାୟ (Governing Body) ଶ୍ରୀମତୀ ଷଡଙ୍ଗୀଙ୍କୁ ଚାକିରିରୁ ବହିସ୍କାର କରିବା ପାଇଁ ୯.୧୦.୨୦୧୩ ତାରିଖରେ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ଓଡ଼ିଶା ସରକାରୀ ସେବା (ବର୍ଗୀକରଣ , ନିୟନ୍ତ୍ରଣ ଓ ପୁନର୍ବିଚାର ପାଇଁ ଆବେଦନ) ନିୟମାବଳୀ, ୧୯୬୨(Orissa Govt. Service (Classification, Control and Appeal) Rules 1962)ର ନିୟମ ୭୨ ଉପରେ ଆଧାରିତ ଥିଲା । ସେ ସମ୍ପୂର୍ଣ ସରକାରୀ ଅନୁଦାନ ପ୍ରାପ୍ତ ଅଧ୍ୟାପିକା ହୋଇଥିବା ହେତୁ ଏହା ତାଙ୍କ ପାଇଁ ପ୍ରଯୁଜ୍ୟ ଥିଲା । ଏହା ହେଲା:

୧. କୌଣସି କର୍ମଚାରୀ ୫ ବର୍ଷରୁ ଅଧିକ ସମୟ ପାଇଁ କୌଣସି ଛୁଟି ପାଇପାରିବେ ନାହିଁ ;
୨. ଯଦି କୌଣସି କର୍ମଚାରୀ ନେଇଥିବା ଛୁଟି ପରେ କାମରେ ଯୋଗ ନଦିଅନ୍ତି ବା କର୍ମନିବୃତ୍ତ ହୋଇ ରହନ୍ତି ଯାହା ଛୁଟି ସମୟକୁ ମିଶାଇ ୫ ବର୍ଷରୁ ଅଧିକ ହୁଏ, ତେବେ କେଉଁ ଅସାଧାରଣ ପରିସ୍ଥିତିରେ ତାହା ଘଟିଲା ସେକଥା ବିଚାର କରି ସରକାର କୌଣସି ଭିନ୍ନ ନିଷ୍ପତ୍ତି ନ ନେଇଥିଲେ, ସେହି କର୍ମଚାରୀ ଛୁଟିରେଯାଇଥିବାଦିନଠାରୁ ଇସ୍ତଫା ଦେଇଥିବା ଧରିନିଆଯିବ ଓ ତାଙ୍କ ଚାକିରି ତଦ୍ଦୃପ ରଦ୍ଦ ହେବ।“

ତେଣୁ , ପାଞ୍ଚ ବର୍ଷର ଅନୁପସ୍ଥିତି ଭିତ୍ତିରେ ୩.୭.୨୦୧୩ ତାରିଖରେ ହିଁ ଶାସନ-ନିକାୟ ମାନସୀଙ୍କ ଚାକିରିକୁ ୨.୭.୨୦୦୮ ତାରିଖରୁ ରଦ୍ଦ କରିପାରିଥାନ୍ତେ । କିନ୍ତୁ ଓଡ଼ିଶା ଶିକ୍ଷା ଆଇନ ଅନୁଦାନପ୍ରାପ୍ତ ଘରୋଇ କଲେଜର ଶିକ୍ଷକମାନଙ୍କ ଏତାଦୃଶ ଚାକିରିସମାପ୍ତିକୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଅନୁମୋଦନ ସାପେକ୍ଷ କରିଛି । ସୁତରାଂ ତାଙ୍କୁ ସମସ୍ତ ପ୍ରାକୃତିକ ନ୍ୟାୟ ଦେଇ ଶାସନ-ନିକାୟ ୯.୧୦.୨୦୧୩ରେ ପ୍ରସ୍ତାବ କଲେ କି, ୧୯୬୨ ନିୟମାବଳୀର ନିୟମ-୭୨ ଅନୁସାରେ ସେ ଅନୁପସ୍ଥିତ ଥିବା ଦିନରୁ ଚାକିରି ହରାଇବେ । ଓଡ଼ିଶା ଶିକ୍ଷା ଆଇନର ଧାରା ୧୦-କ (୧) ଅନୁସାରେ କଲେଜର ଅଧ୍ୟକ୍ଷ ଓଡ଼ିଶା ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଅନୁମୋଦନ ପାଇଁ ଏହି ନିକାୟ ପ୍ରସ୍ତାବକୁ ପଠାଇଥିଲେ ୨୮.୧୦.୨୦୧୩ର ୮୧୨ ସଂଖ୍ୟକ ପତ୍ରରେ । ଆଇନତଃ ୩ ମାସ ମଧ୍ୟରେ , ଅର୍ଥାତ୍ ୨୮.୧.୨୦୧୪ ସୁଦ୍ଧା ଅନୁମୋଦନ ଦେବା ବା ନ ଦେଉଥିବା ଜଣାଇବାକୁ ନିର୍ଦ୍ଦେଶକ ବାଧ୍ୟ । ମାତ୍ର ସେ ରହସ୍ୟଜନକ ଭାବେ ଶୋଇରହିବାରୁ ୯.୪.୨୦୧୪ (ପତ୍ରାଙ୍କ ୧୬୫)ରେ କଲେଜ ଅଧ୍ୟକ୍ଷ ନିର୍ଦ୍ଦେଶକଙ୍କୁ ଜଣାଇଲେ ଯେ, ଉପରୋକ୍ତ ଆଇନ ଦୃଷ୍ଟେ ମାନସୀ ଷଡଙ୍ଗୀ ୨.୭.୨୦୦୮ରୁ ଇସ୍ତଫା ଦେଇଛନ୍ତି ବୋଲି କଲେଜ କର୍ତ୍ତୃପକ୍ଷ ଗ୍ରହଣ କରି ସେହିଦିନଠାରୁ ତାଙ୍କ ଚାକିରି ରଦ୍ଦ ପାଇଁ ନିଷ୍ପତ୍ତି କରିଥିବାରୁ ତହିଁର ଅନୁମୋଦନ ନ କରି ସେ କଲେଜର ଶିକ୍ଷା କ୍ଷେତ୍ରରେ ଅଯଥା ସଙ୍କଟ ସୃଷ୍ଟି କରୁଛନ୍ତି । ଏହା ଉପରେ ମଧ୍ୟ ନିର୍ଦ୍ଦେଶକ ଆହୁରି ୪ ମାସ କାଳ ଶୋଇରହିଲେ । ଏହି ବିଶୃଙ୍ଖଳାର ଅନ୍ତ ପାଇଁ କଲେଜ କର୍ତ୍ତୃପକ୍ଷ ଅଡ଼ିବସିବାରୁ କଲେଜର ୮୧୨ ସଂଖ୍ୟକ ପତ୍ର ପାଇବାର ପ୍ରାୟ ୧୦ ମାସ ପରେ ସେ ମାନସୀଙ୍କ ବହିଷ୍କରଣ ପାଇଁ (“for taking a decision on approval of termination of services of Smt. Manasi Sarangi”) ଆବଶ୍ୟକୀୟ ପଦ୍ଧତ୍ତି ପରିପାଳିତ ହୋଇଥିଲା କି ନାହିଁ ତାହା ଜାଣିବାକୁ ଚାହିଁଥିଲେ (ପତ୍ରାଙ୍କ ୨୯୨୩୩, ୨୧.୮.୨୦୧୪ । କଲେଜ ଅଧ୍ୟକ୍ଷ ୩.୯.୨୦୧୪ ତାରିଖରେ ତାହାର ଉତ୍ତର ଦେଇ, ନିର୍ଦ୍ଦେଶକ ଚାହିଁଥିବା ସମସ୍ତ ତଥ୍ୟ ଓ ଦସ୍ତାବିଜ ୨୮.୧୦.୨୦୧୩ରେ ଦିଆ ସରିଥିଲେ ମଧ୍ୟ ମାନସୀଙ୍କ ବହିଷ୍କରଣ ପ୍ରସ୍ତାବ ଉପରେ ସେ ଏପରି ଟାଳଟୁଳ କରୁଥିବା ହେତୁ ଛାତ୍ରଛାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ କରିଥିଲେ । ସେ ସ୍ପଷ୍ଟତଃ ଲେଖିଥିଲେ, “The College is suffering for the continuous unauthorized absence of the lecturer for such a long time which the undersigned is sure that the Director shall appreciate. Secondly, the College is also losing a sanctioned post till the sanctioned post of the teacher is terminated or shifted.” ଏ ଚିଠି ପାଇଲା ପରେ ମଧ୍ୟ ନିର୍ଦ୍ଦେଶକ କୌଣସି କାର୍ଯ୍ୟାନୁଷ୍ଠାନ କରିନଥିବା ଯେତିକି ବିସ୍ମୟଜନକ ଥିଲା ସେତିକି ଶିକ୍ଷାବିରୋଧୀ ଥିଲା ।

ଗଗନ କୁମାର ଧଳଙ୍କ ସଚିବୀୟ ଆଦେଶ

ଏହି ପରିପ୍ରେକ୍ଷୀରେ ତଦାନୀନ୍ତନ ଉଚ୍ଚ ଶିକ୍ଷା ସଚିବ ଗଗନ କୁମାର ଧଳ ୨୨.୬.୨୦୧୫ ତାରିଖରେ ଦେଇଥିବା ଆଦେଶ ହେଲା:,
୧. କର୍ମକ୍ଷେତ୍ରରୁ ତାଙ୍କର (ଶ୍ରୀମତୀ ଷଡଙ୍ଗୀଙ୍କର) ଅନୁପସ୍ଥିତି କାଳ ଚାକିରି କାଳରୁ ବାଦ୍ ପଡ଼ିବ ଓ ସେ ସେହି ସମୟ ପାଇଁ କୌଣସି ବେତନ ବା ଫାଇଦା ଦାବି କରିବେ ନାହିଁ;
୨ . ଏଥିପାଇଁ ସ୍ଵୀକୃତିନାମାର ସେ ଏକ ସତ୍ୟପାଠ ଦାଖଲ କରିବେ ;
୩. ଏହି ସତ୍ୟପାଠ ହାସଲ କଲା ପରେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ତାଙ୍କୁ ଏକ ସମବର୍ଗୀୟ କଲେଜରେ ନିୟୋଜିତ କରିବେ;
୪. ସେ ସେଠାରେ ଯୋଗଦେବା ପରେ, ଓଡ଼ିଶା ଶିକ୍ଷା (ସରକାରୀ ସାହାଯ୍ୟ ପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଓ ଚାକିରି ସର୍ତ୍ତ) ନିୟମାବଳୀ, ୧୯୭୪ର ନିୟମ ୨୨ ବଳରେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭହେବ।

ନିର୍ଦ୍ଦେଶାଳୟର ଅଳିନ୍ଦରେ

ଦୀର୍ଘ ତିନିବର୍ଷ ଧରି ଏହି ଆଦେଶର ଅବମାନନା କରିଚାଲିଥିଲେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ , କାରଣ ସରକାରଙ୍କ ବାରମ୍ବାର ତାଗିଦା ସତ୍ତ୍ୱେ ନିର୍ଦ୍ଦେଶାଳୟର ସମ୍ପୃକ୍ତ କର୍ମଚାରୀ ଧରାଧରି ହେତୁ ଏହି ସରକାରୀ ଆଦେଶକୁ ନିର୍ଦ୍ଦେଶକଙ୍କ ପାଖରେ ପେଶ୍ କରୁନଥିଲେ । କରିଥିଲେ, ଶ୍ରୀମତୀ ଷଡଙ୍ଗୀ ଉପରୋକ୍ତ ନିୟମାବଳୀ ଅନୁସାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଭୋଗିଥାନ୍ତେ ଓ ୨.୭.୨୦୦୮ ତାରିଖରୁ ଚାକିରିରୁ ତଡ଼ା ଖାଇଥାନ୍ତେ କେବଳ ନୁହେଁ, ନିୟମାବଳୀର ୨୦(୧)(ଝ) ବଳରେ ଅନ୍ୟତ୍ର ଚାକିରି କରିବାର ଯୋଗ୍ୟତା ବି ହରାଇଥାନ୍ତେ । ତେଣୁ, ମଉକା ଦେଖି ସରକାରଙ୍କ ଦ୍ଵାରା ଏହି ଆଦେଶକୁ ବଦଳାଇବା ପର୍ଯ୍ୟନ୍ତ ଏହା ଉପରେ ଯେପରି କାର୍ଯ୍ୟାନୁଷ୍ଠାନ ନ ହୁଏ, ସେଥିପାଇଁ ନିର୍ଦ୍ଦେଶାଳୟର ସମ୍ପୃକ୍ତ କର୍ମଚାରୀଙ୍କୁ ଆପ୍ୟାୟିତ କରି ଏହି ଆଦେଶକୁ ଚପାଇ ରଖାହୋଇଥିଲା । ଖୋଦ ନିର୍ଦ୍ଦେଶାଳୟ ଏହା ସ୍ଵୀକାର କରି କହିଛି, ସରକାରଙ୍କ ୨୨.୬.୨୦୧୫ତାରିଖର ୧୨୩୯୦ ସଂଖ୍ୟକ ଆଦେଶ ଉପରେ ନିର୍ଦ୍ଦେଶାଳୟରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ( “On the basis of the Govt. letter No.12390/HE dtd. 22.6.2015, no action has been taken at this directorate level”) (ନିର୍ଦ୍ଦେଶକଙ୍କ ପତ୍ରାଙ୍କ ୩୩୯୨୦ ତା. ୩୦.୮.୨୦୧୯) ।

ଭାଷା ଆନ୍ଦୋଳନରୁ ମିଳିଗଲା ମଉକା

ଏହି ଚପେଇ ରଖା ହୋଇଥିବା ଆଦେଶକୁ ବଦଳାଇଦେବାର ମଉକା ମାନସୀଙ୍କୁ ସେତେବେଳେ ମିଳିଗଲା, ଯେତେବେଳେ ଭାଷା ଆନ୍ଦୋଳନକୁ ଭାଙ୍ଗିବା ସର୍ତ୍ତରେ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ତାଙ୍କ ସ୍ତ୍ରୀଙ୍କ ଚାକିରିରେ ସବେତନ ପୁନର୍ବସତିର ପ୍ରତିଶ୍ରୁତି ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଷା ମନାଇଲେ ।

ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଚାପରେ କିପରି ଲଙ୍ଗଳାମୁକୁଳା ହୋଇ ଲାଗିପଡ଼ିଥିଲା ଉଚ୍ଚ ଶିକ୍ଷା ବିଭାଗ ଯେକୌଣସି ପ୍ରକାରେ ବି ମାନସୀଙ୍କୁ ଯୋଗଦାନ କରାଇବାକୁ , ତାହା ମୁଁ ଆଗରୁ ଦର୍ଶାଇଛି ଏବଂ ଏହି କ୍ରମିକ ଉପସ୍ଥାପନାର ପ୍ରତି ଭାଗର ଶୀର୍ଷକରେ ମୁଖ୍ୟମନ୍ତ୍ରୀ ସଫେଇ ରଖନ୍ତୁ ବୋଲି ଦାବି କରୁଛି । ମୁଖ୍ୟମନ୍ତ୍ରୀ ଏହି ଆହ୍ଵାନ ଗ୍ରହଣ କରିବାକୁ ଅସମର୍ଥ ।

ସ୍ପଷ୍ଟ ଅଭିଯୋଗ

ମୋର ସ୍ପଷ୍ଟ ଅଭିଯୋଗ ଯେ, ଓଡ଼ିଆ ଜାତିକୁ ତାର ଭାଷା ଅଧିକାରରୁ ବଞ୍ଚିତ କରି ରଖିବା ପାଇଁ ଭାଷା ଆନ୍ଦୋଳନକୁ ଛୁରୀ ମାରିବା ସକାଶେ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ବ୍ୟବହାର କରିବା ମତଲବରେ ମୁଖ୍ୟମନ୍ତ୍ରୀ ଶିକ୍ଷା ବିଭାଗର ପ୍ରଶାସନକୁ ଏପରି କଳୁଷିତ କରିଛନ୍ତି । ଏହାର ସତ୍ୟାସତ୍ୟ ଯାଞ୍ଚ ପାଇଁ ମୁଖ୍ୟମନ୍ତ୍ରୀ ଯଦି ନିଜ ଆଡୁ ଏକ ଉଚ୍ଚ କ୍ଷମତାସମ୍ପନ୍ନ ତଦନ୍ତ ନ କରାନ୍ତି, ପରିପାର୍ଶ୍ଵିକ ପ୍ରମାଣ ଆଧାରରେ ସେ ସବୁଦିନ ପାଇଁ ସନ୍ଦିଗ୍ଧ ହୋଇରହିବେ । ଏବଂ ହୁଏତ ଆଇନ ଅଦାଲତରେ ଅପଦସ୍ତ ହେବେ । କାରଣ, ଓଡ଼ିଆ ଜାତି ତା ଭାଷା ବିରୁଦ୍ଧରେ କ୍ଷମତାଚକ୍ରର ଏହି ଦୁଷ୍କର୍ମକୁ କେବେ ବି ବରଦାସ୍ତ କରିବ ନାହିଁ ।

ମୁଖ୍ୟମନ୍ତ୍ରୀଙ୍କ ଚୈତନ୍ୟ ଉଦୟ ହେଉ ଓ ମୁଁ ଉପସ୍ଥାପିତ କରିଆସିଥିବା ପରିପାର୍ଶ୍ଵିକ ପ୍ରମାଣଗୁଡ଼ିକ ତାଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି ଯଦି ସେ ଦର୍ଶାଇବାକୁ ଚାହାନ୍ତି ତେବେ କାଳ କ୍ଷୟ ନ କରି ୨୨.୬.୨୦୧୫ ତାରିଖର ଆଦେଶକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ତହିଁର ରହିତକରଣ (“in supersession of”) କରି ନିମ୍ନୋକ୍ତ ଆଦେଶ ଦେଇଥିବା ତଦାନୀନ୍ତନ ଉଚ୍ଚ ଶିକ୍ଷା ସଚିବ ବିଷ୍ଣୁପଦ ସେଠୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରନ୍ତୁ । ତାଙ୍କ ବିରୁଦ୍ଧରେ ପ୍ରଯୁଜ୍ୟ ଦଣ୍ଡବିଧାନ ଦଫାଗୁଡ଼ିକୁ ମୁଁ ପୂର୍ବ ଅଧ୍ୟାୟରେ ଉଲ୍ଲେଖ କରିଛି । ମୁଖ୍ୟମନ୍ତ୍ରୀ ଓ ତାଙ୍କ ପରିଷଦବର୍ଗଙ୍କ ନଗଦ ଜ୍ଞାନ ପାଇଁ ବିଷ୍ଣୁପଦ ଦେଇଥିବା ସେହି ଧୂର୍ତ୍ତ ଆଦେଶକୁ ମୁଁ ପୁନର୍ବାର ଉପସ୍ଥାପନ କରୁଛି ।

ବିଷ୍ଣୁପଦ ସେଠୀଙ୍କ ସଚିବୀୟ ଆଦେଶ

୧. କ୍ଷମତାପନ୍ନ କର୍ତ୍ତୁପକ୍ଷଙ୍କଠାରୁ କାର୍ଯ୍ୟକ୍ଷମ ଥିବାର ଡାକ୍ତରୀ ପ୍ରମାଣପତ୍ର ସହ ଶ୍ରୀମତୀ ମାନସୀ ଷଡଙ୍ଗୀ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ଅବିଳମ୍ବେ ଯୋଗଦାନ ପତ୍ର ପ୍ରଦାନ କରିବେ, ଯାହା ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଦ୍ଵାରା ଗୃହୀତହେବ ;
୨. ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ କୌଣସି ସମବର୍ଗୀୟ କଲେଜରେ ସ୍ଥାନ ଠାବ କରି ତାଙ୍କୁ ସେଠାରେ ସ୍ଥାନିତ କରିବେ ;
୩. ତାଙ୍କୁ ଯେଉଁ ଦିନ ଠାରୁ କର୍ତ୍ତବ୍ୟ ସମ୍ପାଦନରୁ ଦୂରେଇ ରଖାଯାଇଥିଲା ସେହିଦିନ ଠାରୁ ଅର୍ଥାତ୍ ୨.୭.୨୦୦୮ ତାରିଖଠାରୁ ସେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ଯୋଗଦେବା ପର୍ଯ୍ୟନ୍ତ ଅନ୍ତର୍ବର୍ତ୍ତୀ ସମୟ ପାଇଁ ନିର୍ଦ୍ଦେଶାଳୟର ଉପଯୁକ୍ତ ତଦନ୍ତ ଶେଷରେ ନିଷ୍ପତ୍ତି ନିଆଯିବ । (ଆଦେଶ ସଂଖ୍ୟା ୨୦୪୪୫, ତ। ୧୮.୭.୨୦୧୮) ।

ଦଣ୍ଡ ପରିବର୍ତ୍ତେ ପଦୋନ୍ନତି

ଏହି ଆଦେଶ ତିଆରି କରିବା ପାଇଁ ଉପରୋକ୍ତ ମହାପାତ୍ର-ମିଶ୍ର-ବାଳକୃଷ୍ଣାନ ଗ୍ୟାଙ୍ଗ ସହ ମିଶି ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀ ଯେଉଁ ଗାଲୁକଳ୍ପ ପ୍ରୟୋଗ କରିଥିଲେ ତାହା ଓଡ଼ିଶାର ସ୍ଵାର୍ଥରେ ନୁହେଁ , ମାନସୀଙ୍କ ସ୍ଵାର୍ଥ ସାଧନ ପାଇଁ ତିଆରି ହୋଇଥିଲା ବୋଲି ପରବର୍ତ୍ତୀ ଶାସନ ସଚିବ ଶାଶ୍ଵତ ମିଶ୍ର ତାଙ୍କ ୧୩.୯.୨୦୧୯ରେ ୧୮୭୫୭ ସଂଖ୍ୟକ ଆଦେଶର ମୁଖଶାଳାରେ ସ୍ଵୀକାର କରିଥିବା ହେତୁ ସେଠୀଙ୍କ ବିରୁଦ୍ଧରେ କଠିନ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ଥିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ପଦୋନ୍ନତି ଦେଇଛନ୍ତି । ମିଶ୍ର ଦେଇଥିବା ଆଦେଶ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ଦୃଷ୍ଟିପାତ କରନ୍ତୁ ।

ଶାଶ୍ଵତ ମିଶ୍ରଙ୍କ ସଚବୀୟ ଆଦେଶ

“ତା ୦୨.୦୭.୨୦୦୮ରିଖରୁ ୨୩.୦୭.୨୦୧୮ ତାରିଖ ପର୍ଯ୍ୟନ୍ତ (ଶ୍ରୀମତୀ ମାନସୀ ଷଡଙ୍ଗୀ) ଅନଧିକୃତ ଭାବେ ଅନୁପସ୍ଥିତ ଥିବା ହେତୁ ଏହି ଗର୍ହାଜିରା ସମୟ ତାଙ୍କ ଚାକିରିକାଳରୁ ବାଦ୍ ପଡ଼ିବ । କାମ ନାହିଁ ତ ମଜୁରି ନାହିଁ ନୀତିରେ ସେ ସେହି ସମୟ ପାଇଁ କୌଣସି ବେତନ ବା ଆନୁଷଙ୍ଗିକ ଫାଇଦା ପାଇବେ ନାହିଁ । ଏହି କାଳଖଣ୍ଡ ତାଙ୍କ ପଦୋନ୍ନତି ବା ପେନସନ୍ ପାଇଁ ହିସାବକୁ ଯିବ ନାହିଁ“ (ଆଦେଶାଙ୍କ ୧୮୭୫୭, ତା. ୧୩.୯.୨୦୧୯) ।

ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଯଦି ସଚିବଙ୍କ ୧୮.୭.୨୦୧୮ ଆଦେଶର ୩ୟ ଭାଗର ଅଭିସନ୍ଧି ଅନୁରୂପ ସାନି ତଦନ୍ତ କରି, ଏଥିପାଇଁ ତାଙ୍କୁ ୧.୩.୨୦୧୯ ତାରିଖରେ ଲିଖିତ ଭାବେ ଦିଆଯାଇଥିବା ହୁକୁମ ଅନୁସାରେ, ଜଣାଇ ପାରିଥାନ୍ତେ ଯେ, ମାନସୀଙ୍କୁ କର୍ତ୍ତବ୍ୟ ସମ୍ପାଦନରୁ ଦୂରେଇ ରଖାଯାଇଥିଲା, ତେବେ ୧୩.୯.୨୦୧୯ ଆଦେଶଟି ଏପରି ନ ହୋଇ ୧୮.୭.୨୦୧୮ ଆଦେଶ କାଏମ ରଖି ସମସ୍ତ ପିଛିଲା ବେତନ (idle salary) ସହ ତାଙ୍କ ଯୋଗଦାନ ସମୟର ପରିବର୍ଦ୍ଧନ (extension of joining time) ମଞ୍ଜୁର କରାଯାଇ ଅର୍ଥ ବିଭାଗର ୯.୧୦.୨୦୦୨ ତାରିଖର ୪୭୩୫୨ ସଂଖ୍ୟକ ନିର୍ଦ୍ଦେଶରେ ଅପରିହାର୍ଯ୍ୟ କରାହୋଇଥିବା ସତ୍ୟସ୍ଵୀକୃତିନାମା (Certificate) ମଧ୍ୟ ସଚିବ ଶାଶ୍ଵତ ମିଶ୍ର ପ୍ରଦାନ କରିଥାନ୍ତେ ଓ ଭାଷା ଆନ୍ଦୋଳନକୁ ଛୁରୀ ମାରିବା ପାଇଁ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଅଘୋଷିତ ବିଶ୍ଵାସଘାତକ ଜାଗିରି ପୂର୍ଣତଃ କାର୍ଯ୍ୟକାରୀ ହୋଇଥାନ୍ତା । କିନ୍ତୁ ଭୟଙ୍କର ବଦଳି ଛାଟ ଭୋଗିବାକୁ ପଡ଼ିଥିଲେ ମଧ୍ୟ ପାଞ୍ଚ ପାଞ୍ଚ ଜଣ ନିର୍ଦ୍ଦେଶକଙ୍କ ଭିତରୁ କେହି ଜଣେ ହେଲେ ଏପରି ଡାହାମିଛ କହି ସଚିବ ବା ସରକାରଙ୍କୁ ଏହି ଜାଲିଆତିରେ ସାହାଯ୍ୟ କଲେନାହିଁ ଓ ମୋ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳ ଦେଇଥିବା ଆଦେଶ ସମ୍ପର୍କରେ ମୋର ସୂଚନା ଅଧିକାର ପ୍ରୟୋଗହିଁ ୧୩.୯.୨୦୧୯ରେ ଉପରୋକ୍ତ ଆଦେଶ ଦେଇ ଅବସ୍ଥା ସମ୍ଭାଳିବାକୁ ସଚିବଙ୍କୁ ବାଧ୍ୟ କଲା ।

ସଚିବଙ୍କ ଭୟଙ୍କର ଭୁଲ୍

କିନ୍ତୁ ସଚିବ ଶାଶ୍ଵତ ମିଶ୍ର ଏହି ଆଦେଶ ଦେଇ ହାଇକୋର୍ଟଙ୍କୁ ଆଖିମିଟିକା ମାରିଥିବା ସାଙ୍ଗକୁ ଆଉ ତିନୋଟି ଭୟଙ୍କର ଭୁଲ୍ କରିଛନ୍ତି ।

ପ୍ରଥମତଃ , ଓଡ଼ିଶା ଶିକ୍ଷା (ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କ ନିଯୁକ୍ତି ଓ ଚାକିରି ସର୍ତ୍ତ) ନିଯମାବଳୀ, ୧୯୭୪ (The Orissa Education (Recruitment and Conditions of Service of Teachers and Members of the Staff of Aided Educational Institutions) Rules, 1974) ଏପରି ଏକ ଆଦେଶ ଦେବା ପାଇଁ ଉଚ୍ଚ ଶିକ୍ଷା ବିଭାଗର ଶାସନ ସଚିବଙ୍କୁ ଆଦୌ କ୍ଷମତା ଦେଇନାହିଁ ।

ଏହି ବିଧାନର ନିୟମ ୨୧ର ଉପନିୟମ (୨)(ଖ) ଅନୁସାରେ କଲେଜ କର୍ତ୍ତୃପକ୍ଷ ହେଉଛନ୍ତି ଶାସ୍ତିପ୍ରଦାନକାରୀ ପ୍ରାଧିକାରୀ (Disciplinary Authority); ସଚିବ ନୁହନ୍ତି । ତେଣୁ “କାମ ନାହିଁ ତ ବେତନ ନାହିଁ “ ପରି ଏକ ଶାସ୍ତି ପ୍ରଦାନ କରି ସଚିବ ଶାଶ୍ଵତ ମିଶ୍ର ଏହି ବିଧାନର ଉଲ୍ଲଙ୍ଘନ କରିଛନ୍ତି ଓ ସମ୍ପୂର୍ଣ ଅନଧିକୃତ କମ କରିଛନ୍ତି । ତାଙ୍କର କର୍ତ୍ତବ୍ୟ ଥିଲା , ହାଇକୋର୍ଟଙ୍କ ଆଦେଶର ନକଲ ପାଇବା ପରେ ସେ ସମଗ୍ର ବିଷୟକୁ ତର୍ଜମା କରିଥାନ୍ତେ, ଓଡ଼ିଶା ଶିକ୍ଷା (ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କ ନିଯୁକ୍ତି ଓ ଚାକିରି ସର୍ତ୍ତ) ନିଯମାବଳୀ, ୧୯୭୪ର ଉଲ୍ଲଂଘନ କରି ସଚିବ ଗଗନ କୁମାର ଧଳ ୨୨.୬.୨୦୧୫ ତାରିଖରେ ଦେଇଥିବା ଅନଧିକୃତ ଆଦେଶକୁ କଲେଜ ଅଧ୍ୟକ୍ଷଙ୍କ ୮.୭.୨୦୧୫ ତାରିଖର ଆପତ୍ତି ଭିତ୍ତିରେ ରଦ୍ଦ କରି ସମାନ କାରଣ ହେତୁ ସଚିବ ବିଷ୍ଣୁପଦ ସେଠୀଙ୍କ ୧୮.୭.୨୦୧୮ ତାରିଖର ଆଦେଶକୁ ମଧ୍ୟ ବାତିଲ କରିଥାନ୍ତେ ଓ ନିଯମାବଳୀ ୧୯୭୪ ଅନୁସାରେ ମାନସୀଙ୍କ ଉପରେ ଦଣ୍ଡ ଧାର୍ଯ୍ୟ କରିବାକୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ଦାୟିତ୍ଵ ଫେରାଇଥାନ୍ତେ । ହାଇକୋର୍ଟଙ୍କ ଆଦେଶ ଏଥିପାଇଁ ତାଙ୍କୁ ସୁଯୋଗ ଦେଇଥିଲା ; ମାତ୍ର ଯେଉଁ ଚାପର ବଶବର୍ତ୍ତୀ ହୋଇ ବିଷ୍ଣୁପଦ ସେଠୀ ୧୮.୭.୨୦୧୮ରେ ମାନସୀଙ୍କ ହିତ ପାଇଁ (“to her benefit”) ଉପର ଲିଖିତ ଆଦେଶ ଦେଇଥିଲେ, ସେହି ଚାପ ପ୍ରଭାବରେ ମାନସୀଙ୍କ ଅବୈଧ ପୁନର୍ବସତିକୁ କାଏମ ରଖିବା ପାଇଁ ସେ ୧୩.୯.୨୦୧୯ର ଆଦେଶ ଜାରିକଲେ, ଏହା ଜାଣି ବି ଯେ, ୧୯୭୪ର ନିୟମାବଳୀ ତାଙ୍କୁ ସେ କ୍ଷମତା ଦେଇନାହିଁ ।

ଶ୍ରୀମତୀ ଷଡଙ୍ଗୀ ଏହି ନିୟମାବଳୀର ନିୟମ ୧୧(୧)ର ଦଫା (କ)ରେ ଅନୁବନ୍ଧନ କରାଯାଇଥିବା ଚାକିରି ସର୍ତ୍ତର ସମ୍ପୂର୍ଣ ଉଲ୍ଲଂଘନ କରିଥିବା ହେତୁ ନିୟମ ୨୨(୧୨) ଅନୁସାରେ କଲେଜ ଅଧ୍ୟକ୍ଷ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କଠାରୁ ପରାମର୍ଶ ମାଗିଥିଲେ । ଏହାର ଉତ୍ତରରେ ନିର୍ଦ୍ଦେଶକ ୧୯.୩.୨୦୧୩ ତାରିଖରେ ୧୨୯୩୪ ସଂଖ୍ୟକ ପତ୍ରରେ ତାଙ୍କୁ ପରାମର୍ଶ ଦେଇଥିଲେ କି, ଏପରି ଦୀର୍ଘକାଳୀନ ଅନଧିକୃତ ଅନୁପସ୍ଥାନ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସେ କଲେଜର ଶାସନ-ନିକାୟ ସମ୍ମୁଖରେ ସମସ୍ୟାଟି ତୁରନ୍ତ ରଖନ୍ତୁ । ଫଳରେ ଶାସନ-ନିକାୟ ୯.୧୦.୨୦୧୩ ତାରିଖରେ ଓଡ଼ିଶା ସରକାରୀ ସେବା (ବର୍ଗୀକରଣ , ନିୟନ୍ତ୍ରଣ ଓ ପୁନର୍ବିଚାର ପାଇଁ ଆବେଦନ) ନିଯମାବଳୀ, ୧୯୬୨ ଅନୁଯାୟୀ ୨.୭.୨୦୦୮ ତାରିଖରୁ ମାନସୀଙ୍କ ଚାକିରି ରଦ୍ଦ ପାଇଁ ପ୍ରସ୍ତାବ ଗ୍ରହଣ କଲେ (ପ୍ରସ୍ତାବ -୩) । ଏବଂ ସେହି ପ୍ରସ୍ତାବକୁ ଓଡ଼ିଶା ଶିକ୍ଷା ଆଇନର ଧାରା ୧୦-କ (୧) ଅନୁଯାୟୀ ଅନୁମୋଦନ ଦେବାକୁ ନିର୍ଦ୍ଦେଶକଙ୍କ ପାଖକୁ ସମସ୍ତ ସହାୟକ ଦସ୍ତାବିଜ ସହ ୨୮.୧୦.୨୦୧୩ ତାରିଖରେ ପଠାଗଲା (ପତ୍ରାଙ୍କ ୮୧୨) । ନିର୍ଦ୍ଦେଶକ ୩ ମାସ ମଧ୍ୟରେ ଅନୁମୋଦନ ଦେବେ ବା ନ ଦେବାର କାରଣ ଦର୍ଶାଇ କଲେଜକୁ ନିଜ ନିଷ୍ପତ୍ତି ଅବଗତ କରାଇବେ ବୋଲି ଶିକ୍ଷା ଆଇନର ଧାରା ୧୦-କ (୨)ରେ ଧାର୍ଯ୍ୟ କରାହୋଇଛି । ଏହି ଦଫାରେ ଶିକ୍ଷା ନିର୍ଦ୍ଦେଶକ ଯଦି ମାନସୀଙ୍କ ଚାକିରି ସମାପ୍ତି ପାଇଁ କଲେଜର ପ୍ରସ୍ତାବ ଉପରେ କିଛି ଆଦେଶ ଦେଇଥାନ୍ତେ, ତେବେ ନିୟମାବଳୀର ୨୨(୧୪) ଅନୁସାରେ କଲେଜର ଶାସ୍ତିପ୍ରଦାନକାରୀ ପ୍ରାଧିକାରୀ (disciplinary authority) ମାନସୀଙ୍କୁ ତଦନୁଯାୟୀ ବହିସ୍କାର କରିଥାନ୍ତେ ବା ବହିସ୍କାର ପ୍ରସ୍ତାବ ପ୍ରତ୍ୟାହାର କରିଥାନ୍ତେ । ଏଠି ଶାସନ ସଚିବ ମଥା ଖେଳାଇବାର ଅଧିକାର ନାହିଁ । ଶାସନ ସଚିବଙ୍କୁ ଏହି ବିଧାନ କେବଳ ଗୋଟିଏ ସ୍ତରରେ ହସ୍ତକ୍ଷେପ କରିବାର ଅଧିକାର ଦେଇଛି । ଯଦି ମାନସୀଙ୍କ ପ୍ରତି ନିର୍ଦ୍ଦେଶକ ସ୍ଵୟଂ କୌଣସି ଦଣ୍ଡ ବିଧାନ କରିଥାନ୍ତେ, ତେବେ ହିଁ କେବଳ ସେହି ଦଣ୍ଡବିଧାନ ବିରୁଦ୍ଧରେ ସେ ସରକାରଙ୍କ ନିକଟରେ ଅପିଲ୍ କରିଥାନ୍ତେ ଓ ସଚିବ ସେ କ୍ଷେତ୍ରରେ ହସ୍ତକ୍ଷେପ କରିଥାନ୍ତେ (ନିୟମ ୨୨(୧୫)ର ପରନ୍ତୁକ) । ନିର୍ଦ୍ଦେଶକ ଯେହେତୁ ଏପରି କୌଣସି ଆଦେଶ ଦେଇ ନଥିଲେ, ସେହେତୁ ମାନସୀଙ୍କ ପକ୍ଷରୁ କୌଣସି ଅପିଲ୍ ମଧ୍ୟ ନଥିଲା । ଏହି ଭିତ୍ତିରେ ସଚିବ ଗଗନ କୁମାର ଧଳଙ୍କ ୨୨.୬.୨୦୦୮ର ଆଦେଶ ଯେମିତି ଥିଲା ଅଧିକାର ବହିର୍ଭୂତ ସଚିବ ବିଷ୍ଣୁପଦ ସେଠୀଙ୍କ ୧୮.୭.୨୦୧୮ର ଆଦେଶ ବି ସେମିତି ଥିଲା ଅବୈଧ । ତଫାତ୍ ଏତିକି ଯେ, ସଚିବ ଗଗନ କୁମାର ଧଳଙ୍କ ଆଦେଶରେ କୌଣସି ଦୁରଭିସନ୍ଧି ନଥିବା ବେଳେ, ସଚିବ ବିଷ୍ଣୁପଦ ସେଠୀଙ୍କ ଆଦେଶ ଥିଲା ଦୁରଭିସନ୍ଧିପ୍ରସୂତ ।

ଏହି ଦୁରଭିସନ୍ଧିର ତୋଢ଼ ଏମିତି ଯେ, , ମାନସୀ ଷଡଙ୍ଗୀ ସଚିବ ବିଷ୍ଣୁପଦ ସେଠୀଙ୍କ ଆଦେଶକୁ ବି ଉଲ୍ଲଂଘନ କରି ଚାକିରିରେ ପୁନଃ ସଂସ୍ଥିତ ହୋଇଛନ୍ତି ।

ଆଦେଶଟିର ପ୍ରଥମ ନିର୍ଦ୍ଦେଶ ଥିଲା, “କ୍ଷମତାପନ୍ନ କର୍ତ୍ତୁପକ୍ଷଙ୍କଠାରୁ କାର୍ଯ୍ୟକ୍ଷମ ଥିବାର ଡାକ୍ତରୀ ପ୍ରମାଣପତ୍ର ସହ ଶ୍ରୀମତୀ ମାନସୀ ଷଡଙ୍ଗୀ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟରେ ଅବିଳମ୍ବେ ଯୋଗଦାନ ପତ୍ର ପ୍ରଦାନ କରିବେ, ଯାହା ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଦ୍ଵାରା ଗୃହୀତହେବ” । ଏହି ନିର୍ଦ୍ଦେଶ ସମ୍ପୂର୍ଣ ଖିଲାପ କରିଛନ୍ତି ମାନସୀ ଷଡଙ୍ଗୀ । ସେ ଦେଇଥିବା ସ୍ୱାସ୍ଥ୍ୟ ପ୍ରମାଣପତ୍ର କ୍ଷମତାପନ୍ନ କର୍ତ୍ତୁପକ୍ଷଙ୍କଠାରୁ ପ୍ରାପ୍ତ ଆଇନାନୁମୋଦିତ ଡାକ୍ତରୀ ପ୍ରମାଣପତ୍ର ନୁହେଁ । ଡାକ୍ତରୀ ପ୍ରମାଣପତ୍ରରେ ଜାଲିଆତି ବନ୍ଦ କରିବା ପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗର ୧୩.୩.୨୦୧୮ ତାରିଖର ୭୯୮୧ ସଂଖ୍ୟକ ଅଧିସୂଚନା (Notification)ରେ ଯେଉଁ ଅଲଙ୍ଘ୍ୟ ଆଦେଶ ଦେଇଛନ୍ତି ମାନସୀ ଦେଇଥିବା ଡାକ୍ତରୀ ପ୍ରମାଣପତ୍ର ତହିଁର ସମ୍ପୂର୍ଣ ଉଲ୍ଲଂଘନ ଓ ଜାଲ୍ ପ୍ରମାଣପତ୍ର ଭାବେ ବିବେଚ୍ୟ । ଯେହେତୁ ସେ ଚାକିରିରେ ଯୋଗଦାନ ପାଇଁ କ୍ଷମତାପନ୍ନ କର୍ତ୍ତୁପକ୍ଷଙ୍କଠାରୁ ପ୍ରାପ୍ତ ଡାକ୍ତରୀ ପ୍ରମାଣପତ୍ର ଦାଖଲ ନ କରି ମଧ୍ୟ ଧରାଧରି କରି ଚାକିରିରେ ଯୋଗ ଦେଇଛନ୍ତି ସେହେତୁ ସେହି ଯୋଗଦାନକୁ ଅସିଦ୍ଧ ଘୋଷଣା କରିବା ଥିଲା ସଚିବ ଶାଶ୍ଵତ ମିଶ୍ରଙ୍କର ସର୍ବନିମ୍ନ ଦାୟିତ୍ଵ , ଯେଉଁ ଦାୟିତ୍ଵ ସେ ତୁଲାଇ ନାହାନ୍ତି ।

ଏହି ବିଧିକ ବାସ୍ତବତା ଦୃଷ୍ଟିରୁ, ଉପରୋକ୍ତ ଉଭୟ ଆଦେଶକୁ ବାତିଲ କରି, ହାଇକୋର୍ଟଙ୍କ ଆଦେଶର ମର୍ଯ୍ୟାଦା ରଖି , ମାନସୀଙ୍କ ବିରୁଦ୍ଧରେ ଅଡ଼ଶପୁର କଲେଜର ଶାସନ-ନିକାୟ ନେଇଥିବା ପ୍ରସ୍ତାବ ଉପରେ ଉପଯୁକ୍ତ ଆଦେଶ ପ୍ରଦାନ ପାଇଁ ସଚିବ ଶାଶ୍ଵତ ମିଶ୍ର ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ଆଦେଶ ଦେବା ଥିଲା ତାଙ୍କ କର୍ତ୍ତବ୍ୟ ଏବଂ ତାହା ହିଁ ହୋଇଥାନ୍ତା ସମୁଚିତ ଆଦେଶ । ତାହା ନ କରି, ୧୩.୯.୨୦୧୯ରେ ସେ ଯେଉଁ ଆଦେଶ ଦେଇଛନ୍ତି ତାହା ସମସ୍ତ ପ୍ରଯୁଜ୍ୟ ଅଧିନିୟମ (Act), ନିଯମାବଳୀ (Rules), ଅଧିସୂଚନା (Notification) ଓ ପରିପତ୍ର (Circular)ର ଉଲ୍ଲଂଘନ କରିଛି ।

ଦ୍ଵିତୀୟତଃ, ସେ ଭାବିଛନ୍ତି ଯେ, କାମ ନାହିଁ ତ ଦରମା ନାହିଁ ବୋଲି କହି ଅର୍ଥ ବିଭାଗର ଉପରୋକ୍ତ ନିର୍ଦ୍ଦେଶକୁ ଏଡ଼େଇ ଦେଇହେବ । କାରଣ ଅର୍ଥ ବିଭାଗ ଆପତ୍ତି ଉଠାଇଥିବା ‘ନିକମା ବେତନ’ (idle salary) ବୋଝ ବୋହିବାରୁ ଏତଦ୍ଦ୍ଵାରା ରାଜକୋଷକୁ ରକ୍ଷା କରାଯାଇଛି । ରାଜକୋଷକୁ ‘ନିକମା ବେତନ’ ଚାପରୁ ରକ୍ଷା କରିବା ଯଦି ଶାଶ୍ଵତ ମିଶ୍ରଙ୍କ ନିରୋଳା ଉଦ୍ଦେଶ୍ୟ ହୋଇଥାନ୍ତା , ତେବେ ତ ସେ ୨୨.୬.୨୦୧୫ ତାରିଖର ନିଷ୍ପତ୍ତି – ୧ ଓ ୨କୁ କାଏମ ରଖି କହିଥାନ୍ତେ , କର୍ମକ୍ଷେତ୍ରରୁ (ଶ୍ରୀମତୀ ଷଡଙ୍ଗୀଙ୍କର) ଅନୁପସ୍ଥିତି କାଳ ତାଙ୍କ ଚାକିରି କାଳରୁ ବାଦ୍ ପଡ଼ିବ ଓ ସେ ସେହି ସମୟ ପାଇଁ କୌଣସି ପିଛିଲା ବେତନ ତଥା ଫାଇଦା ପାଇ ପାରିବେ ନାହିଁ ; “କାମ ନାହିଁ ତ ଦରମା ନାହିଁ” ବୋଲି ଲେଖିବାର କି ଆବଶ୍ୟକତା ଥିଲା?

ଏହି କଥାଟି ଲେଖି , ଏବଂ ଗ୍ରାଚ୍ୟୁଇଟି ପ୍ରଦାନ ବେଳେ ଏହି ସମୟ ହିସାବକୁ ନିଆଯିବ ନାହିଁ ବୋଲି ନ ଲେଖି , ସେ ଅତି ଚତୁରତାର ସହ ମାନସୀଙ୍କ ଦୀର୍ଘ ଅନୁପସ୍ଥିତି ସମୟକୁ ବେତନରହିତ ଚାକିରି ସମୟରେ ରୂପାନ୍ତରିତ କରିଛନ୍ତି ଓ ତାଙ୍କୁ ପରିବର୍ଦ୍ଧିତ ଯୋଗଦାନ ସମୟ (extended joining time) ପ୍ରଦାନ କରିଛନ୍ତି ।

ଅର୍ଥ ବିଭାଗର ଉପର ଉଦ୍ଧୃତ୍ତ ଅଲଙ୍ଘ୍ୟ ନିର୍ଦ୍ଦେଶର ଏହା ସ୍ପଷ୍ଟ ଉଲ୍ଲଙ୍ଘନ । ଯେହେତୁ ଏତଦ୍ଦ୍ଵାରା ୬୦ ଦିନରୁ ଅଧିକ ଅନୁପସ୍ଥିତି ସମୟ ପାଇଁ ଯୋଗଦାନ ସମୟକୁ ପରିବର୍ଦ୍ଧିତ କରାଯାଇଛି , ସେହେତୁ ଅର୍ଥ ବିଭାଗର ୨୯.୫.୧୯୯୯ର ୨୪୫୯୪ ଆଦେଶ ଅନୁଯାୟୀ ଉଚ୍ଚ ଶିକ୍ଷା ସଚିବ ନୁହନ୍ତି, ଅର୍ଥ ସଚିବ ହିଁ ଦୀର୍ଘ ୧୦ ବର୍ଷର ଅନୁପସ୍ଥିତି ପରେ କାମରେ ମାନସୀଙ୍କୁ ଚାକିରିରେ ଯୋଗଦେବାକୁ ଅନୁମତି ଦେବା ପାଇଁ ଏକମାତ୍ର ଅଧିକାରୀ । ବେତନସହିତ ହେଉ ବା ବେତନରହିତ ହେଉ, ୬୦ ଦିନରୁ ଅଧିକ ଅନୁପସ୍ଥିତି ପରେ କାମରେ ଯୋଗଦେବାର ଅନୁମତି କେବଳ ଅର୍ଥ ବିଭାଗ ହିଁ ଦେଇପାରେ । ଅତଏବ, ହାଇକୋର୍ଟଙ୍କ ଆଦେଶକୁ ସାଞ୍ଜୁ ଭାବେ ବ୍ୟବହାର କରି, ସଚିବ ଶାଶ୍ଵତ ମିଶ୍ର ୨୨.୬.୨୦୧୫ ଆଦେଶର ପ୍ରଥମ ନିର୍ଦ୍ଦେଶକୁ ବିକୃତ କରି ଅତ୍ୟନ୍ତ ଅବୈଧ ଭାବେ ମାନସୀଙ୍କ ଯୋଗଦାନ ସମୟ ପରିବର୍ଦ୍ଧିତ କରିଛନ୍ତି ଓ ଶେଷ ନିର୍ଦ୍ଦେଶକୁ ଅନଧିକୃତ ଭାବେ କବର ଦେଇ ଓଡ଼ିଶା ସରକାରୀ ସେବା (ବର୍ଗୀକରଣ , ନିୟନ୍ତ୍ରଣ ଓ ପୁନର୍ବିଚାର ପାଇଁ ଆବେଦନ) ନିଯମାବଳୀ, ୧୯୬୨ର ନିୟମ ୭୨ର ଭୟଙ୍କର ଉଲ୍ଲଙ୍ଘନ କରିବା ସଙ୍ଗେ ସଙ୍ଗେ ତାଙ୍କ ପାଇଁ ଓଡ଼ିଶା ଶିକ୍ଷା (ସରକାରୀ ସାହାଯ୍ୟ ପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଓ ଚାକିରି ସର୍ତ୍ତ) ନିୟମାବଳୀ, ୧୯୭୪ର ନିୟମ ୨୨ର ପୂର୍ବଘୋଷିତ ପ୍ରଯୁଜ୍ୟତାକୁ ଅଭିସନ୍ଧିମୂଳକଭାବେ ନିଶ୍ଚିହ୍ନ କରିଛନ୍ତି ।

ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେହେତୁ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ଓଡ଼ିଶାବାସୀଙ୍କ ଅଗୋଚରରେ ତାଙ୍କ ସ୍ତ୍ରୀଙ୍କ ସ୍ଥାୟୀ ଆୟ ପରି ଏକ ବିଶ୍ଵାସଘାତକ ଜାଗିରି ଦେଇଛନ୍ତି, ସେହେତୁ ଓଡ଼ିଶାବାସୀଙ୍କ ରାଜକୋଷରୁ ବେତନ ପାଉଥିବା ପଲେ କର୍ମଚାରୀ ରାଜ୍ୟର ସମସ୍ତ ଆଇନକାନୁନକୁ ଗୋଇଠା ମାରି ମାନସୀ ଷଡଙ୍ଗୀଙ୍କୁ ତାଙ୍କ ନିଯୁକ୍ତିଦାତାଙ୍କ ନିଷ୍ପତ୍ତି (୮୧୨/ ୟୁଏନସି /୨୮.୧୦.୨୦୧୩ ରେ ପ୍ରେରିତ ଶାସନ-ନିକାୟ ପ୍ରସ୍ତାବ ୩/୦୯.୧୦.୨୦୧୩) ଓ ଆପତ୍ତି (୩୦୫/ୟୁଏନସି/୦୮.୦୭.୧୫) ସତ୍ତ୍ୱେ ଦେଇଥିବା ଚାକିରି ଆଇନତଃ ଅଗ୍ରାହ୍ୟ । ଏଣୁ ମାନସୀଙ୍କ ଚାକିରି ସେ ନିର୍ଦ୍ଦେଶକଙ୍କ ଦପ୍ତରରେ ଯୋଗଦାନ ଦେବା ଦିନଠାରୁ ବାଜ୍ୟାପ୍ତ ହେବା ଆବଶ୍ୟକ ଓ ଧରାଧରି ମାଧ୍ୟମରେ ଯୋଗ ଦେଇଥିବା ହେତୁ ସେହି ଦିନଠାରୁ ସେ ଗ୍ରହଣ କରିଥିବା/କରୁଥିବା ସମସ୍ତ ଟଙ୍କା ତାଙ୍କଠାରୁ ଆଦାୟକରାଯିବା ଆବଶ୍ୟକ । ପ୍ରଦ୍ୟୁମ୍ନ ଶତପଥୀଙ୍କ ପାଇଁ ଓଡ଼ିଶା ରାଜକୋଷରୁ ପଇସାଏ ମଧ୍ୟ ଏପରି ବରବାଦ ହେବା ଆଦୌ ଗ୍ରହଣଯୋଗ୍ୟ ନୁହେଁ ।

ତୃତୀୟତଃ, ବିଷ୍ଣୁପଦ ସେଠୀଙ୍କ ନିଷ୍ପତ୍ତି – ମାନସୀ ଅନୁପସ୍ଥିତ ନଥିଲେ, ତାଙ୍କୁ ଅନୁପସ୍ଥିତ ରଖା ଯାଇଥିଲା – ଯେହେତୁ ଅମୂଳକ ଥିଲା ବୋଲି ସଚିବ ଶାଶ୍ଵତ ମିଶ୍ରଙ୍କ ଆଦେଶରେ ସ୍ପଷ୍ଟ କରାହୋଇଛି, ଏବଂ କୁହାହୋଇଛି ଯେ, ତାହା କେବଳ ମାନସୀଙ୍କ ହିତରେ , ତାଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କବଳରୁ ବଞ୍ଚାଇବାକୁ ଉଦ୍ଦିଷ୍ଟ ଥିଲା, ସେହେତୁ ଏପରି ଗର୍ହାଜିରା ପାଇଁ ଯେଉଁ ନିୟମ ଅନୁସାରେ ତାଙ୍କୁ ବହିସ୍କାର ଦଣ୍ଡ ଦେବାକୁ କଲେଜ କର୍ତ୍ତୁପକ୍ଷ ପ୍ରସ୍ତାବ କରିଥିଲେ, ସେହି ନିୟମର ବିପରୀତ କୌଣସି ନ୍ୟାୟିକ ଆଇନ (case law) ଦେଶରେ ରାଜୁତି କରୁଛି କି ନାହିଁ ତାହା ଦେଖିବା ବି ତାଙ୍କର ଉଚିତ ଥିଲା, ଯାହା ସେ କରିନାହାନ୍ତି ।

ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏପରି ଘଟଣାରେ ପ୍ରଦାନ କରିଥିବା ଦୁଇଟି ନ୍ୟାୟିକ ଆଇନର ଉଲ୍ଲେଖ ଯଥେଷ୍ଟ ହେବ । ଯଥା-
୧. ଜଣେ କର୍ମଚାରୀ ଅନଧିକୃତ ଭାବେ ଅନୁପସ୍ଥିତ ଥିବା ଯଦି ଥରେ ମଧ୍ୟ କର୍ତ୍ତୃପକ୍ଷଙ୍କ ହୃଦବୋଧ ହେଲା ଯେ, ତେବେ ତାଙ୍କ ଚାକିରି ଶେଷ କରାଯିବା ହିଁ ଏକମାତ୍ର କର୍ତ୍ତବ୍ୟ (Pyare Lal Sharma Vrs MD, J&K Industries Ltd, 1989 AIR 1854) ;
୨. କର୍ମସ୍ଥଳରୁ ଦୀର୍ଘଦିନ ଅନୁପସ୍ଥିତ ଥିବା କର୍ମଚାରୀ ସ୍ଵେଚ୍ଛାରେ ଚାକିରି ଛାଡ଼ିଥିବା ଧରାଯିବ ଓ ତଦନ୍ତ ବିନା ବି ତାଙ୍କ ନିଯୁକ୍ତି ରଦ୍ଦ ହେବ (Vijay S. Sathaye v. Indian Airlines Limited and others, (2013) 10 SCC 253) ।

ଏତଦ୍ଦୃଷ୍ଟିରୁ ଦେଖିଲେ, ମାନସୀଙ୍କ ଚାକିରି ରଦ୍ଦ ପାଇଁ ଅଡ଼ଶପୁର କଲେଜର ଶାସନ-ନିକାୟ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ସମ୍ପୂର୍ଣତଃ ଆଇନସମ୍ମତ, ଯାହା ସହ ୨୦୧୩ରୁ ୨୦୧୯ ପର୍ଯ୍ୟନ୍ତ ଅମତ ହେବାକୁ ଚେଷ୍ଟା କରିମଧ୍ୟ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଅମତ ହୋଇପାରିନାହାନ୍ତି ।

ଅତଏବ, ନିଜର କୌଣସି ଆଇନସମ୍ମତ ଅଧିକାର ନଥାଇ, ସମସ୍ତ ଆଇନକାନୁନକୁ ଅବଜ୍ଞା କରି ମାନସୀ ଷଡଙ୍ଗୀଙ୍କୁ ପିଛିଲା ତାରିଖରୁ ପରିବର୍ଦ୍ଧିତ ଯୋଗଦାନ ସମୟ (extended joining time with retrospective effect) ଯୋଗାଇବାକୁ ସଚିବ ଶାଶ୍ଵତ ମିଶ୍ର ଯେପରି ହାଇକୋର୍ଟଙ୍କ ଆଦେଶର ବି ଦୁରୁପଯୋଗ କରିଛନ୍ତି ତାହା ଏକ ଅତ୍ୟନ୍ତ ଭୟଙ୍କର ଭୁଲ୍ ।

ପ୍ରିୟାପ୍ରୀତିତୋଷଣ ପାଇଁ ଓଡ଼ିଶାରେ କିପରି ପ୍ରଶାସନିକ ଅରାଜକତା ଲଗାମଛଡ଼ା, ଏହା ତାହାର ଏକ ନଗ୍ନ ନମୁନା ।

ମୁଖ୍ୟମନ୍ତ୍ରୀ ଯଦି ନିଜେ ସମ୍ପୃକ୍ତ ନୁହନ୍ତି …

ମୁଖ୍ୟମନ୍ତ୍ରୀ ଯଦି ଏହି ଅରାଜକତା ସହ ନିଜେ ସମ୍ପୃକ୍ତ ନୁହନ୍ତି, ତେବେ ସେ ସଫେଇ ଦିଅନ୍ତୁ ଓ ଏଥିରେ ହସ୍ତକ୍ଷେପ କରି ଉପରଚର୍ଚ୍ଚିତ ବିଧିକ ଭିତ୍ତି ଉପରେ, ଭାଷା ଆନ୍ଦୋଳନକୁ ପ୍ରଦ୍ୟୁମ୍ନ ଶତପଥୀ ଛୁରୀ ମାରିବାର ଅବ୍ୟବହିତ ପୂର୍ବରୁ ସେହି କଳଙ୍କିତ ଜୁଲାଇ ୧୬,୨୦୧୮ ତାରିଖରେ ଶିକ୍ଷାମନ୍ତ୍ରୀ ଅନନ୍ତ ଦାସ ସ୍ଵାକ୍ଷର କରି ମାନସୀ ଷଡଙ୍ଗୀଙ୍କୁ ଯେଉଁ ପଦବୀରେ ପୁନଃସ୍ଥାପିତ କରିଛନ୍ତି ତାହାକୁ ତୁରନ୍ତ ବାତିଲ କରନ୍ତୁ, ଏବଂ ତାଙ୍କୁ ଏପରି ଅବୈଧ ଭାବେ ସାହାଯ୍ୟ କରିଥିବା ତଦାନୀନ୍ତନ ଅନୁଶାସନସଚିବ ସୂର୍ଯ୍ୟ ନାରାୟଣ ମହାପାତ୍ର, ଅତିରିକ୍ତ ଶାସନ ସଚିବ କୃପାସିନ୍ଧୁ ମିଶ୍ର, ଶାସନ ସଚିବ ବିଷ୍ଣୁପଦ ସେଠୀ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍. ବାଳକୃଷ୍ଣାନଙ୍କ ବିରୁଦ୍ଧରେ ମାନସୀ ଷଡଙ୍ଗୀଙ୍କ ସହ ମିଶି ଓଡ଼ିଶା ଟ୍ରେଜେରୀରୁ ପ୍ରାୟ ଦେଢକୋଟି ଟଙ୍କା ଲୁଟ୍ କରିବାକୁ ଯୌଥ ଷଡ଼ଯନ୍ତ୍ର କରିଥିବା ଅପରାଧ ସକାଶେ ଦଣ୍ଡ ସଂହିତା ଓ ଅନ୍ୟାନ୍ୟ ଆଇନ ଅନୁସାରେ ଦଣ୍ଡବିଧାନ ପାଇଁ ପଦକ୍ଷେପ ନିଅନ୍ତୁ ଏବଂ ତତ୍ ସଙ୍ଗେ ସଙ୍ଗେ ବର୍ତ୍ତମାନର ଶାସନ ସଚିବ ଶାଶ୍ଵତ ମିଶ୍ରଙ୍କ ୧୩.୯.୨୦୧୯ ତାରିଖର ଆଦେଶକୁ ଉପର ଚର୍ଚ୍ଚିତ ବିଧିକ ସ୍ଥିତି ଭିତ୍ତିରେ ବାତିଲ କରି ମୁଖ୍ୟମନ୍ତ୍ରୀ ଅଡ଼ଶପୁର କଲେଜର ଶାସନ-ନିକାୟଙ୍କ ନିଷ୍ପତ୍ତି ଉପରେ ଆବଶ୍ୟକୀୟ ସମୁଚିତ ନିର୍ଣୟ ପ୍ରଦାନ ପାଇଁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ଆଦେଶ ଦିଅନ୍ତୁ । ଅବୈଧ ପୁନର୍ବସତି ହେତୁ ଶିଶୁ ଅନନ୍ତ ମହାବିଦ୍ୟାଳୟ ମାଧ୍ୟମରେ ସେ ପାଇଥିବା ସମସ୍ତ ବେତନ ଭତ୍ତା ତୁରନ୍ତ ତାଙ୍କଠାରୁ , ନଚେତ ଉପରୋକ୍ତ ଅଫିସରମାନଙ୍କ ଠାରୁ ଆଦାୟ ହେବ ପାଇଁ ମୁଖ୍ୟମନ୍ତ୍ରୀ ଯଦି ଆଦେଶ ନଦିଅନ୍ତି , ତେବେ ଏହି ବେଆଇନ କାମରେ ସେ ସମ୍ପୃକ୍ତ ନୁହନ୍ତି ବୋଲି ସାବ୍ୟସ୍ତ କରିବା ତାଙ୍କ ପକ୍ଷେ ଅସମ୍ଭବ ହେବ ।

ଓଡ଼ିଆ ଜାତିର ଭାଷା ଅଧିକାରକୁ କ୍ଷୁର୍ଣ କରିବା ପାଇଁ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ଓଡ଼ିଶା ସରକାର ସ୍ତ୍ରୀଙ୍କ ଚାକିରି ରୂପକ ଯେଉଁ ସୁପାରି ଦେଇଛନ୍ତି ତାହାକୁ ପ୍ରଶ୍ରୟ ଦିଆଯାଇନପାରେ । (ସମାପ୍ତ) ।

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

1 thought on “ଟଙ୍କା ପାଇଁ ଭାଷା ଆନ୍ଦୋଳନକୁ ଛୁରୀ ମାରିଛନ୍ତି ପ୍ରଦ୍ୟୁମ୍ନ ଶତପଥୀ : ମୁଖ୍ୟମନ୍ତ୍ରୀ ସଫେଇ ରଖନ୍ତୁ – ଶେଷ ଭାଗ”

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.